Tikeshwar Sahu

Inspirational

4  

Tikeshwar Sahu

Inspirational

ବାପା

ବାପା

4 mins
210



     ବାପା ଅନେକ ଦିନ ପରେ ଗାଆଁକୁ ଆସୁଛନ୍ତି | ଦୂର ବାଟ | ପ୍ରତି ସପ୍ତାହରେ ଆସିବା ସମ୍ଭବ ନୁହେଁ | ଖର୍ଚ୍ଚ ବି ଅଧିକ | ତେଣୁ ସୁବିଧା ଅସୁବିଧାରେ ମାସେ କି ଦେଢ଼ ମାସରେ ଥରେ ସେ ଆସନ୍ତି | ଆଗ ସମସ୍ତେ ଏକାଠି ରହୁଥିଲୁ | ଖୁବ ଭଲ ଲାଗୁଥିଲା | ବାପା ପ୍ରଚଣ୍ଡ ରାଗି ସ୍ବଭାବର ଲୋକ | ଆଗକୁ ଯିବାକୁ ଭାରି ଡର ମାଡ଼େ | ତଥାପି କାହିଁକି କେଜାଣି ଯେ ବାପା ମୋର ଅତି ନିଜର, ଖୁବ୍ ଆପଣାର | ଯାହା ଅଭିଯୋଗ ମାଆଙ୍କ ଜରିଆରେ କୁହାଯାଏ | ମାଆ ବି ଠିକ୍ ଜାଣିଛନ୍ତି ଯେ କେତେବେଳେ କେଉଁଠି ପିଲାଙ୍କ ଅଭିଯୋଗ ହେଉ ବା କିଛି କିଣାକିଣିର ଚିଠାକୁ ଉପସ୍ଥାପନ କରିବାକୁ ହେବ | ବେଳକାଳ ଦେଖି ମୋଡ଼ ପରଖି ନେଇ କଡ଼ା ବ୍ରୋକ୍ ବଣ୍ଡ୍ ଚା' କପ୍ ଟିଏ ବଢ଼େଇ ଦେଇ ପାଖରେ ବସି ପଡ଼ିବେ | ସବୁ ଆଲୋଚନା ପର୍ଯ୍ଯାଲୋଚନା ଚାଲେ | ସୁଖଦୁଃଖ ତେଲଲୁଣର ସଂସାର | ବାସ୍କେଟରେ ଅନେକ କଂସା ଗିନା ଥାଳି ଅଛି ମାନେ ତ ରଖିଲା ଆଣିଲା ବେଳେ ଠନ୍ ଠାନ୍ ଶବ୍ଦ ହେବ ହିଁ ହେବ | ଏ ସବୁ ନିତିଦିନିଆଁ କଥା | ମାଆ କିନ୍ତୁ ଖୁବ୍ ଚାଲାକ | ବାପାଙ୍କ ରାଗପଣିଆଁ ଉପରେ ସମୟ ଦେଖି ମୋଡ଼ ଠିକ୍ ଥିଲା ବେଳେ ଏମିତି ଥଣ୍ଡା ପାଣି ଢାଳିବେ ଯେ ବହୁ ଦିନ ଯାଏ ଆଉ କିଛି ଦରକାର ପଡ଼ିବ ନାହିଁ | ଛୋଟ ଥିଲାବେଳେ ଆମେ ଜାଣିପାରୁନଥିଲୁ ଯେ ବାପା କାହିଁକି ରାଗନ୍ତି | ଏବେ ବଡ଼ ହୋଇଗଲୁଣି | ବୁଝିବାର ବୟସ ହେଲାଣି | ତାଙ୍କ ହୃଦୟ ଭିତର କଅଁଳ ମମତା ବୋଳା ଆଦରକୁ ମୁଁ ଠିକ୍ ବୁଝିପାରିଲିଣି | ପାଖକୁ ଯାଏ ,ବସେ , ଭଲମନ୍ଦ କଥା ହେଉ | ଟଙ୍କା ପଇସା ମାଗିବା କଥା କେବେ କହେ ନାହିଁ | ବିଭିନ୍ନ ଯୋଜନା କଥା ହେଉ | ସେ ଭାରି ପଜିଟିଭ୍ ଆଟିଟ୍ୟୁଡ଼ର ଲୋକ | ବେଶ୍ ଗଠନମୂଳକ ୨ଚିନ୍ତାଧାରାର ମଣିଷ | କଥାଟା ବାଗେଇ ଚୁନେଇ କହି ଜାଣିଲେ ମାଗିବା ପୂର୍ବରୁ ବଜେଟ୍ ପାସ୍ | ତା ପୁଣି ଆଶାଠାରୁ ଅଧିକ | ଖାଲି ତାଙ୍କ ମନକୁ ପାଇଲେ ହେଲା | ଏମିତି କେତେ କ'ଣ ବାପାଙ୍କ ସମ୍ବନ୍ଧରେ ମୁଣ୍ଡରେ ପଶେ |

         

    ବାପା ଆସୁଛନ୍ତି | ନାଇଁମ କାରରେ ନୁହେଁ | ବୟସ ହୋଇଗଲାଣି ତ | ଆଉ ସାଇକେଲ୍ ମାଡ଼ି ପାରୁନାହାନ୍ତି | ଏବେ ସୁବିଧା ହୋଇଗଲାଣି | ବସ୍ କି ଟେମ୍ପୁରେ ଆସିଯାଆନ୍ତି | ସରକାରୀ ଯାନବାହନ ବ୍ୟବହାର କରିବାକୁ ପସନ୍ଦ କରନ୍ତିନି | ସେ ଆଦର୍ଶ ନୀତିବାନ ମଣିଷ | କଥାକଥାକରେ ଜଙ୍ଗଲ ସୁରକ୍ଷା, ପ୍ରକୃତି ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ,ଓଡ଼ିଶାର ଶିକ୍ଷା ବ୍ୟବସ୍ଥା, ଶିଶୁ ଚୋରି ଓ ହତ୍ଯା, ସାଇବର୍ କ୍ରାଇମ୍ ଓ ନାରୀ ଦୁଷ୍କର୍ମ ବିଷୟ ଆଲୋଚନା କରିବେ | ଆମେ ଆଁପାରି ଶୁଣୁଥାଉ ଠିକ୍ ଟିଭି ସାମନାରେ ବସିଲା ଭଳି | କେତେବେଳେ କେମିତି ହଁ କି ନାଇଁଟାଏ କରିଦେଉ | ବାପା କହନ୍ତି ସେମିତି କ'ଣ ଆଁପାରି ବସିଛୁ ? ଏତେ ବଡ଼ ହେଲୁଣି | ଆନ୍ତର୍ଜାତିକ ସମସ୍ୟା କ'ଣ ଆମ ସମସ୍ୟା ନୁହଁ | ମୁଁ ମୁଣ୍ଡ ହଲାଇ ହଁ କହେ | କଥାରେ ତାଙ୍କୁ ଟପିଯିବା ଲୋକ ଆମ ଅଞ୍ଚଳରେ ବୋଧହୁଏ କେହି ନଥିବେ | ନାହିଁ ତ ଆଉ | ତାର ବଳିଷ୍ଟ ଯୁକ୍ତି ହେଲା ଯେ ସେ ଭାରି ସାର୍ପ ମାଇଣ୍ଡ୍ ର ଲୋକ | ଯାହା କହିବେ, ଭାବିଚିନ୍ତି ବିଚାର କରି କହନ୍ତି | ତେଣୁ ଏ ଅଞ୍ଚଳ ହେଉ ବା ତାଙ୍କ ଅଫିସ୍ ରେ ହେଉ ତାଙ୍କର ଭାରି ସମ୍ମାନ | ଆଦର୍ଶର ସ୍ବୟଂ ଗାନ୍ଧୀଟିଏ |


    ମାଆ ଥରକୁ ଥର ଫୋନ କରି ବୁଝୁଛନ୍ତି , କେତେ ଦୂର ହେଲଣି ? ଆଉ ଅଳ୍ପ ସମୟ ଲାଗିବ | ଆଜି ବସ୍ ଟା ବହୂତ ଭିଡ଼ | ଅଟକି ଅଟକି ଯାଉଛି | କାହିଁକି ବ୍ୟସ୍ତ ହେଉଛ ଯେ | ଘଣ୍ଟେ ଭିତରେ ଦଶ ଥର ଫୋନ କଲଣି | ତମର ଆଉ କିଛି କାମ ନାହିଁ କି ? କାମ ଅଛି ଯେ ତମ ଆସିବା ଠାରୁ ବେଶି ଗୁରୁତ୍ବପୂର୍ଣ୍ଣ କାମ ଏ ଗୁଡ଼ାକ ନୁହଁ | ଓ ! ତାହେଲେ ଏମିତି | ଠିକ୍ ଅଛି , ଠିକ୍ ଅଛି | ଏ ବୁଝିଲ, ମୁଁ ନା ତମ ପସନ୍ଦର ବ୍ରୋକ୍ ବଣ୍ଡ୍ ଟି ଦୁଇଥର ତିଆରି କରିସାରିଲିଣି | ତମେ ଆସିବ ବୋଲି ଆଉ କିଛି କାମରେ ମନ ଲାଗୁନାହିଁ | ହଁ ହଁ ଠିକ୍ ଅଛି | ସେ କଥା ଗୁଡ଼ାକ ଆଉ କହନା , ମୋ ପାଖରେ ବସିଥିବା ଲୋକଟି କାନେଉଛି | କାଳେ ଶୁଣିନେବ ! ଫୋନ ରଖିଲି |   

    ମାଆଙ୍କ ବ୍ୟସ୍ତତା ମୁଁ ବୁଝିପାରୁଥିଲି | ମୋତେ ସେମିତି ବ୍ୟସ୍ତ ନ ଲାଗିଲେ ବି ମୁଁ ଅପେକ୍ଷା କରିଥାଏ | ବାପା ମୋର ଭାରି ପ୍ରିୟ | ତାଙ୍କର ସେନହବୋଳା କଥାର ମୌସୁମୀ ଯାହା ଦେହରେ ଲାଗିଛି, ସେ ଥଣ୍ଡା ପରଶ ଦୀର୍ଘସ୍ଥାୟୀ | ତାଙ୍କ ଗପ ଅଛିଣ୍ଡା ଗପ | ବୟସର ଅପରାହ୍ନରେ ଉପସ୍ଥିତ | ଜୀବନର ଅନେକ ଅନୁଭୂତିକୁ ସେ ସାଉଁଟିଛନ୍ତି | ଅବସର ନେବାର ସମୟ ଆସିଲାଣି | ତଥାପି ଥକି ପଡ଼ୁନାହାନ୍ତି କୌଣସି କାମରେ | ଶାରୀରିକ ପରିଶ୍ରମ ଆଉ ପ୍ରାୟ ନାହିଁ କହିଲେ ଚଳେ | ତଥାପି କମ୍ ନୁହଁନ୍ତି | ବସ୍ ଆସି ଗାଁ ମୁଣ୍ଡରେ ଲାଗିଲା | ବାପା ଓହ୍ଲାଇ ଆସିଲେ | ଛୋଟ ପିଲାମାନେ ତାଙ୍କୁ ଦେଖି ବ୍ୟାଗ ଧରିପକାଇଲେ | ବାପା ବି ବ୍ୟାଗ୍ ଧରାଇଦେଇ ପିଲା ଦଳ ସାଥିରେ ଆସିଲେ | ଆସୁ ଆସୁ ଗପ ପେଡ଼ି ଖୋଲିଦେଲେ | ବ୍ୟାଗ୍ ପେଡ଼ିରୁ ଚକୋଲେଟ୍ ବାଣ୍ଟିଲେ | ହାତମୁହଁ ଧୋଇ ଆସି ବସିଲା ବେଳକୁ ମାଆ ଆଣି ଚା'କପ୍ ବଢ଼ାଇ ଦେଲେ | ତମର ଆସିବା ବାଟରେ କିଛି ଅସୁବିଧା ହେଇନି ତ ? ହେଃ ଅସୁବିଧା ବୋଲି କଣ ଯେ | ତମ ଚା' କପ୍ ର ବାସ୍ନା ପରା ସେତିକି ଦୂର ପହଞ୍ଚୁଥିଲା | ଆଉ ଅସୁବିଧା କ'ଣ ହେବ | ଭାବନା ସାଗରରେ ପହଁରି ପହଁରି କେତେବେଳେ ଆସି ଗାଆଁକୁ ପହଞ୍ଚିଗଲି , ଜାଣିପାରିଲି ନାହିଁ କି ସମୟ ତା ବାଟରେ ଚାଲିଗଲା | 

    

     ବାପା ଆନନ୍ଦବୋଳା ଶବ୍ଦଟିଏ | ସେ ଶବ୍ଦଟିଏ ନୁହଁନ୍ତି | ସେ ହେଉଛନ୍ତି ସ୍ବର୍ଗର ସଂପୂର୍ଣ୍ଣ ପରିଭାଷାଟିଏ | ପରିପୂର୍ଣ୍ଣ ଆଧାରଟିଏ | ଜୀବନ ଯନ୍ତ୍ରଣାର ମଲମଟିଏ | ଆଉ ଏ ଘର ମନ୍ଦିରର ଦେବତାଟିଏ | ତାଙ୍କ ଦର୍ଶନରେ ସମସ୍ତ ପାପ ଦୂରିଭୂତ ହୋଇଯାଏ | ଆଉ ମାଆର ପଣତକାନିରେ ସଂସାରର ସମସ୍ତ ସଖ ଅଜାଡ଼ି ହୋଇପଡ଼େ | ମୁଁ ଏଡ଼େ ଭାଗ୍ୟବାନ, ଆଗରୁ କେବେ ଅନୁଭବ କରିନଥିଲି | ମୁଁ ଖାଲି ଭାବୁଥିଲି ମୋ ବାପାମାଆ କଥା ,ତଥା ଅନ୍ୟ ମାନଙ୍କର ବାପାମାଆଙ୍କର କଥା | ସଂସାରର ପ୍ରତ୍ଯେକ କୋଣର ବାପାମାଆଙ୍କ କଥା | ଆଗଭଳି ଅଭିଯୋଗ ଜଣେଇବାକୁ କିଛି ନାହିଁ | ସବୁ ଭୁଲିଗଲି | ବାପାଙ୍କ ଆଗମନର ସମସ୍ତ ଆଶା ପରିପୂର୍ଣ୍ଣ ହେଲା ଭଳି ଲାଗିଲା | ମନରେ ଖାଲି ପ୍ରତିଧ୍ବନିତ ହେଉଥିଲା‐ ବାପା ! ବାପା ! ବାପା ! 



Rate this content
Log in

Similar oriya story from Inspirational