STORYMIRROR

Dharitri Das

Inspirational

4  

Dharitri Das

Inspirational

ବାପା

ବାପା

2 mins
246

        ମନେ ପଡ଼ିଯାଏ ସେଦିନର କଥା। ମୋ ବାପା ଥିଲେ ଜଣେ ନିଆରା ପ୍ରକୃତିର ବ୍ୟକ୍ତି । ତାଙ୍କ ଉପରଟା ବହୁତ କଠିନ ହେଲେ ଭିତରେ ସଭିଙ୍କ ପାଇଁ ଭରି ରହିଛି ଅମାପ ଶ୍ରଦ୍ଧା, ସ୍ନେହ, ଭଲପାଇବା ଆଉ ଭକ୍ତି। ପିଲାମାନଙ୍କୁ ବିଶେଷ କରି ମୋତେ ସାଙ୍ଗରେ ନ ଖୁଆଇଲେ ସେ ଖାଇବାକୁ ଭଲ ପାଉନଥିଲେ। ଯଦି କୌଣସି କାରଣରୁ ସେ ମୋ ଉପରେ ରାଗି ଯାଆନ୍ତି ତେବେ ପନ୍ଦର ଦିନ ପର୍ଯ୍ୟନ୍ତ ତାଙ୍କ ମନ ବିଷାଦଗ୍ରସ୍ତ ହୋଇ ରହିଥାଏ। ସେଥିରୁ ଜଣା ପଡ଼ୁଥିଲା ସେ ମୋତେ କେତେ ଭଲ ପାଉଥିଲେ। 

      ତାଙ୍କର ରାଗ ରୁଷା ଖୁସି ଆଦି ପ୍ରତିଟି ପଦକ୍ଷେପରେ ମୋତେ କିଛିନା କିଛି ଶିକ୍ଷା ମିଳୁଥିଲା ଏଥିରେ ତିଳେହେଁ ସନ୍ଦେହ ନଥିଲା। ଦିନକର ଘଟଣା ବାପାଙ୍କର ଚା' ପିଇବା ଅଭ୍ୟାସଟା ଟିକେ ଅଧିକ ଥିଲା। ଅଧିକ ମତଲବ ଅଧକପ ଲେଖାଏଁ ପିଇବେ ମାତ୍ର ତାହା ଖାଣ୍ଟି କ୍ଷୀରରେ ହୋଇଥିବା ଦରକାର। ଦିନେ ଖରାବେଳେ ଶୋଇକରି ଉଠିଥାନ୍ତି, ସେତେବେଳେ ବୋଉ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଚା' ଦେବାକୁ ଟିକେ ଡେରି କରିଦେଇଥିଲା।

      ସେହି ଟିକେଡେରିରେ ବାପା ପୁରା ଖପା ହୋଇ ଦୋକାନ ଯିବାକୁ ଉଦ୍ୟତ ହେବାରୁ ବୋଉ କେତେ କାକୁତି ମିନତୀ ହେଲା ହେଲେ ସେ କିଛି ନ ଶୁଣି ଚାଲିଗଲେ। 

      ଏକଥା ଶୁଣି ଆପଣମାନେ ଭାବୁଥିବେ ମୋ ବାପା ବହୁତ ରାଗି ଏବଂ ସାମାନ୍ୟ କଥାକୁ ନେଇ ରାଗିବାଟା ଭୁଲ ବୋଲି। କିନ୍ତୁ ନାଇଁ ମୁଁ ଯେତିକି ଜାଣିଛି ବାପାଙ୍କର ଏମିତି ରାଗିବାଟା ଅନ୍ୟମାନଙ୍କ ଦୃଷ୍ଟିରେ ଖରାପ ହୋଇଥାଇ ପାରେ। ମାତ୍ର ତାଙ୍କ ମନଟା ସେତେ କଠୋର ନୁହେଁ। ସେ କେବଳ ଜଣାଇବାକୁ ଚାହୁଁଥିଲେ ଯେ ବୋଉ କିପରି ନିଜର କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜର ଦୈନନ୍ଦିନ କର୍ତ୍ତବ୍ୟକୁ ନ ଭୁଲି ସୂଚାରୁ ରୂପେ ଦାୟିତ୍ୱ ଲିଭାଉ। କେବଳ ବୋଉକୁ ନୁହେଁ ଆମ ସମସ୍ତଙ୍କ ପାଇଁ ତାଙ୍କର ଭାବନା ଏକାପରି ଥିଲା। ଏହାହିଁଥିଲା ତାଙ୍କ ରାଗିବାର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ସେ ମଝିରେ ମଝିରେ ଛୋଟ ଛୋଟ କଥାରେ ବି ରାଗିଯାଇ ଆମକୁ ଜଣାଇବାକୁ ଚାହୁଁଥିଲେ ଯେ ଛୋଟରୁଛୋଟ କଥା ହେଲେବି ଆମେ ଅବହେଳା କରିବା ଉଚିତ ନୁହେଁ। 

      ସତରେ ମୋ ବାପାଙ୍କର ଏତାଦୃଶ କ୍ରୋଧରୁ ମଧ୍ୟ ମୋତେ ଗୂଢ ତତ୍ତ୍ୱ ମିଳୁଥିଲା। ଅନେକ ପ୍ରେରଣାର ଉତ୍ସଥିଲେ ମୋ ପାଇଁ ମୋ ବାପା। ତାଙ୍କର ସ୍ନେହ ଶ୍ରଦ୍ଧା, କ୍ରୋଧ ସବୁଥିରୁ ମୁଁ ମୋ ଜୀବନ ପଥରେ ଆଗେଇ ଯିବାର ପ୍ରେରଣା ପାଉଥିଲି। ତେଣୁ ତାଙ୍କ ପାଦ ତଳେ ଯେତେ ବାର ପ୍ରଣିପାତ କଲେ ବି କମ ହୋଇ ଯିବ।


ମୋ ବାପା ପରି ଜଗତେ ନାହିଁ ଜଣେ

ମୁଁ ତାଙ୍କୁ ମୋର ଦେବତା ବୋଲି ମଣେ।

ତାଙ୍କ ପାଦେ ମୁଁ କରେ ଶତ ଶତ ପ୍ରଣାମ 

କାହିଁ ଚାଲିଗଲ ମୋତେ କରିଣ ଅଧମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational