ବାପା ହେବାର ଅନୁଭୁତି
ବାପା ହେବାର ଅନୁଭୁତି
ପିଲାଟି ଦିନରୁ ଆଦର୍ଶକୁ ସାଥି କରି ବାପା ବୋଉଙ୍କୁ ଭଗବାନ ମାନି ଚାଲିଥାଏ, ଶଗଡ ଗୁଳାର ଜୀବନ । ବାପା ବୋଉ ସ୍ଥିର କରିଥିବା ଝିଅକୁ ନିର୍ବିବାଦରେ ଗ୍ରହଣ କଲି ସ୍ତ୍ରୀ ଭାବରେ । ବିବାହର ବର୍ଷେ ପରେ ପ୍ରଥମ ସନ୍ତାନ ଝିଅ ଜନ୍ମ ହେଲା । ଚିରାଚରିତ ବାପା ମାନଙ୍କ ପରି ମୋ ବାପା ବି ଖୁସି ହେଲେ ନାହିଁ, ଝିଅ ହେବା ଖବର ଶୁଣି । ମୁଁ କିନ୍ତୁ ବହୁତ ଖୁସି ଥାଏ, ପ୍ରଥମ ସନ୍ତାନ ମାନସ ସନ୍ତାନ, ପୁଅ ଝିଅରେ କଣ ଅଛି ?
ଝିଅ କଥା କହି ଶିଖିଲା । ଓଁ ଅଖଣ୍ଡ ମଣ୍ଡଳାକାର ଠାରୁ ଆରମ୍ଭ କରି ମୁଁ ଯାହା ଶ୍ଳୋକ ବୋଲେ ଅନାୟାସରେ ଥରେ ଦୁଇ ଥରରେ କଣ୍ଠସ୍ଥ କଲା । ମୁଁ ସଂଧ୍ୟାରେ ଅଫିସରୁ ଫେରିଲେ କାନ ଧରି ଛିଡା ହୋଇଯିବ ନିଜେ "ଆଜି ଦୁଷ୍ଟାମି କରିଛି, ମା'ଙ୍କୁ ହଇରାଣ କରିଛି ଇତ୍ୟାଦି ।" ଗୃହିଣୀ କିନ୍ତୁ କୁହନ୍ତି କିଛି ତ ହଇରାଣ କରି ନି ।
ଅଳ୍ପ ରୋଜଗାରର ଟଣା ଓଟରାରେ ଛୋଟ କାନି ଦେହରେ ପକେଇଲେ ମୁଣ୍ଡକୁ ପାଏନି କି ମୁଣ୍ଡ ଘୋଡେଇବା କଥା ଚିନ୍ତା କଲେ ଦେହକୁ ପାଏନି । ଏତିକି ସୁଖ ଥାଏ ଶସ୍ତା ଜିନିଷରେ ଚଳେଇ ନେବାରେ, କାରଣ ସ୍ତ୍ରୀ ପିଲାଙ୍କର ଆପତ୍ତି ନଥାଏ କେଉଁ କଥାକୁ । ପୁଅର ସାର୍ଟ ପ୍ୟାଣ୍ଟ କିଣିବା ଆଲୋଚନା ହେବା ମାତ୍ରେ ଧାଇଁ ଯାଇ ଆଲମୀରା ଖୋଲି ସେହି ଖଣ୍ଡିଏ ସାର୍ଟ ପ୍ୟାଣ୍ଟ ଆଣି ଦେଖାଇବ "ମୋର ଅଛି, ମୋର କିଣିବା କଣ ଦରକାର ?" ଏପରିକି ଥରେ ଗାଆଁରେ ଥିଲାବେଳେ ଝିଅର ଜନ୍ମ ଦିନ ପଡିଲା । ଡ୍ରେସ କିଣିବାକୁ ପାଖରେ ପଇସା ନଥାଏ । ସାନଭାଇ ଗୋଟିଏ ଧୋତି ଚଦରକୁ କାଟି ସେମିଜ ଟିଏ ସିଲେଇ ଆଣିଲା । ସେଇଥିରେ ଜନ୍ମ ଦିନ ଚଳିଗଲା ।
ଥରେ ଭଡାଘରେ ରହୁଥିବା ପଡିଶାରେ ଦୋଳ ମେଳନ ଚିଲିଥାଏ । ସକାଳୁ ଗଲି ପିଲାଙ୍କୁ ଧରି ଯାତକୁ । କାଠ ଶଗଡ ଟିଏ ଦେଖିଲା ପରେ ମନକୁ ଆସିଲା ଝିଅ ପାଇଁ ଦରକାର, ଚାଲି ଶିଖିବ । ଦୋକାନୀକୁ ଦର ପଚାରିଲି । କହିଲା ବାର ଟଂକା । ପକେଟ୍ ଅଣ୍ଡାଳି ଦେଖିଲି ପଇସା ଅଣ୍ଟୁନି । ଦୋକାନୀକୁ କହିଲି ଭାଇ ପାଖରେ ଘର, ପଇସା ନେଇ ଆସୁଛି । ଦୋକାନୀ ପାଖରେ ଗୋଟିଏ ଶଗଡ ମାତ୍ର ଥାଏ । ତେଣୁ ସେ ନିର୍ବିକାର । ଘରକୁ ଆସି ଦେଖିଲି କୁମ୍ପିଟିଏ ଭାଂଗିବା ଛଡା ଉପାୟ ନାହିଁ । କୁମ୍ପି ଭାଂଗି ପଇସା ଧରି ମେଳନକୁ ଆସି ଦେଖିଲି ଦୋକାନରେ ଶଗଡ ନାହିଁ । ଆଖିରୁ ଲୁହଧାର ଗଡିଆସୁ ଥାଏ, ନିଜ ପାରିବାପଣିଆ ଓ ପିତୃତ୍ବକୁ ଧିକ୍କାର କରି ଫେରିଲି ଘରକୁ ।
ଝିଅ ସ୍କୁଲ ଗଲା । ତା ଚରିତ୍ରରେ ଶିକ୍ଷକ ମାନେ ଏପରି ବଶୀଭୁତ ହୋଇଥାନ୍ତି ଯେ ଥରେ ସାଂଗ ମାନଙ୍କ ସହ ଝଗଡା ହେବାରୁ ଗୋଟିଏ ପିଲାକୁ ମାରିଲା । ପିଲାଟିକୁ ମାଡ କାଟିବାରୁ ଗଲା ଅଭିଯୋଗ କରିବା ପାଇଁ । ଶିକ୍ଷକ ଓଲଟି ସେ ପିଲାକୁ ଦୁଇଟା ଉତ୍ତମ ମଧ୍ୟମ ଦେଇ କହିଲେ "ତୁ ମିଛ କହୁଛୁ, ବନ୍ଦିତା କାହାକୁ ମାରି ପାରିବ ନାହିଁ ।" ଝିଅର ଚତୁର୍ଥ ଶ୍ରେଣୀ ମଝିରେ ମୋର ବଦଳି ହେଲା କୋରାପୁଟରୁ ବାଲେଶ୍ବର ।
ସେପ୍ଟେମ୍ବର ମାସରେ କୌଣସି ଭଲ ସ୍କୁଲ ନ ମିଳିବାରୁ "ହୋଲି ଚାଇଲ୍ଡ" ସ୍କୁଲରେ ପିଲାଙ୍କ ନାମ ଲେଖାଇଲି । ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ ହେଲା । ପତାକା ଉତ୍ତୋଳନ ବେଳକୁ ପ୍ରଧାନ ଶିକ୍ଷୟତ୍ରୀ ମହୋଦୟା ନାମ ଘୋଷଣା କଲେ ବଂଦିତା ପତାକା ଉତ୍ତୋଳନ କରିବ । ହେଲା ମଧ୍ୟ । ଏପରି ଏକ ଅଦ୍ୱିତୀୟ ନିଷ୍ପତ୍ତି ପଛର କାରଣ ଆଜିଯାଏ ମୁଁ ପାଇ ନାହିଁ । ମୁଁ କ୍ଲବ୍ ସଂପାଦକ ଥାଇ ଗାଁରେ ସ୍ୱାଧୀନତା ଦିବସ ଓ ଜନରାଜ୍ୟ ଦିବସ ନିୟମିତ ପାଳନରେ ପୁରୋଭାଗରେ ଥାଇ ମଧ୍ୟ ଗାଁର କୌଣସି ସାଧାରଣ ବ୍ୟକ୍ତିଙ୍କ ହାତରେ ପତାକା ଉତ୍ତୋଳନ କରାଇ ତାଙ୍କୁ ସାମିଲ କରିବାର ଉଦ୍ୟମ କରେ । ମାତ୍ର ଏପରି ଅବିସ୍ମରଣୀୟ ମୁହୂର୍ତ୍ତ ଜୀବନରେ ମାହାର୍ଗ ଅନୁଭୁତି ।
ଋଣ କେତେବେଳେ ସୁଝିଯାଏ, ଉପର ବାଲାଙ୍କୁ ଜଣା । ଗତ ସ୍ୱାଧୀନତା ଦିବସରେ ଝିଅ ପାଖକୁ ବେଂଗଲୁରୁ ଯାଇଥାଏ ତା'ର ନବଜାତକ ଶିଶୁ ପୁତ୍ରକୁ ଦେଖିବାକୁ । ସେଦିନ ସକାଳୁ ତାଙ୍କ ସୋସାଇଟିରେ ଉତ୍ସବ ପାଳନରେ ଭାଗ ନେବାକୁ ଜ୍ୱାଇଁଙ୍କ ସହ ତଳକୁ ଆସିଲି । ଆଜି କାଲିକା ପିଲା ପତାକା ବାଂଧିବାକୁ ଘଂଟାଏ ଉପରେ ଲାଗିଗଲାଣି ସିଏ ବି ଭିଡିଓ ଦେଖିକି କରିବାକୁ । ସାମାନ୍ୟ ସହଯୋଗ କଲି ପତାକା ବାଂଧିବାକୁ । କିଛି ସମୟର ଅପେକ୍ଷା, ସମସ୍ତ ସଦସ୍ୟ ଆସିଲେ ପତାକା ଉତ୍ତୋଳନ ହେବ । ଠିକ୍ ସମୟକୁ ମୋତେ ଅନୁରୋଧ କଲେ ଜଣେ ନେତୃ ସ୍ଥାନୀୟ "ଅଂକଲ୍ ଆପ୍ ଝଂଡା ଫେହେରାଏଂଗେ ।" ଆଶ୍ଚର୍ଯ୍ଯର ସୀମା ରହିଲା ନାହିଁ । କାରଣ କେତେ ବର୍ଷ ଅଫିସର ମୁଖ୍ୟ ହୋଇ ମଧ୍ୟ ଆଉ କାହା ହାତରେ କରାଇଛି ଏହି କାମ, କେବଳ ଅନ୍ୟ ମାନଙ୍କୁ ସାମିଲ କରିବା ପାଇଁ ଦେଶର ଏହି ମହାର୍ଗ ଉତ୍ସବରେ । ସେଦିନ ଅନୁରୋଧ ସ୍ୱୀକାର କରି ଗର୍ବିତ ଅନୁଭବ କଲି ଅଜଣା ଇଲାକାରେ ଅପ୍ରତ୍ୟାଶିତ ଏହି ସୁଯୋଗ ପାଇଁ । ଆଉଥରେ ଅନୁଭବ କଲି ଝିଅକୁ ମାନସ ସନ୍ତାନ ଭାବେ ଗ୍ରହଣ କରି ମୁଁ ଠିକ୍ କରିଥିଲି । ପାଠ ପଢିବା ଦିନରୁ ଉଚ୍ଚ ଚାକିରୀ କରିବା ପର୍ଯ୍ଯନ୍ତ ପୁଣି ମଫସଲ ଗାଁକୁ ବୋହୁ ହୋଇ ଯିବାପରେ ବି ଝିଅର ଗୋଟିଏ କଥା ଝଂକୃତ ହୁଏ କାନରେ "ବାପା, ମୁଁ ଏମିତି କିଛି ବି କରବିନି ଯେଉଁଥିରେ ତୁମମୁଣ୍ଡ ତଳକୁ ନଇଁ ଯିବ, ସେ ବିଶ୍ୱାସ ରଖିପାରିବ ମୋ ଉପରେ ।" ମୁଁ ଧନ୍ୟ ହୋଇଛି ସେ କଥା ରଖିଛି ମଧ୍ୟ । ଜଣେ ସାର୍ଥକ ପିତା ହେବା ଠାରୁ ସଂସାରରେ ଆଉ କିଛି ବଡ ହୋଇ ନପାରେ, ଏକଥାର ପ୍ରମାଣ ମୁଁ ପାଇଛି ।