STORYMIRROR

Sambit Mishra

Classics

4  

Sambit Mishra

Classics

ବାପ , ପୁଅ ଓ ମାନି

ବାପ , ପୁଅ ଓ ମାନି

13 mins
401

ମାନି ଉଦଣ୍ଡି I

ମାନି ରଣଚଣ୍ଡୀ I

ମାନି ଦୁଃସାହାସୀ I

ମାନି ର କଥା ଶୁଣିଲେ ଯୋଗି ଜଟା ଛିଣ୍ଡାଇ ମରିବ I

                         ଏମିତି କେତେ କଣ ?  ମୋଟ ଉପରେ ମାନି ଓରଫ  ମାନିନୀ ଛୋଟରାୟ ଝିଅ ହବା ଯୋଗ୍ୟ ନୁହଁ I ବିଧାତା ତାକୁ ପୁଅ ଭାବରେ  ତିଆରି କରୁ କରୁ କେମିତି କେଜାଣି ଭାବି ଦେଲେ ପୁଅ ସଂଖ୍ୟା ବଢି ଗଲାଣି ଏଣୁ ତାକୁ ଝିଅ କରି ଦେଲେ I

କିନ୍ତୁ , ମାନି ସୁନ୍ଦରୀ I ଭୀଷଣ ସୁନ୍ଦରୀ I

                          ସମସ୍ତେ ତାକୁ, ତା ରୂପ ଲାଗି ଈର୍ଷା କରନ୍ତି I ଯିବା ଆସିବା ଲୋକେ ତାକୁ ଘଡିଏ ଅନେଇ ରହନ୍ତି I କହନ୍ତି, ବନ ଦାସଟା କପାଳିଆ I କହନ୍ତି, ନବ ଦାସ ଘରେ ଅଦିନେ ପଦ୍ମ ଫୁଟିଛି I       

                          ମାନି ବାପର ବୋହୁ I ପୁଅର ବି ବୋହୁ I ଲୋକ ମୁହଁରେ ଏମିତି କେତେ କଣ ଶୁଭେ I କାହା ପାଟିରେ କିଏ ହାତ ଦବ ?

ମାନି କାନ୍ଦୁଛି I

                           ମାନେ,ଟିକେ ଆଗରୁ କାନ୍ଦୁଥିଲା I ନବ ଦାସଟା ମରିଗଲା I ସଖାଳ ଆଠଟା ବେଳୁ ମଢା ପଡିଛି I ଦିନ ବାରଟା ବାଜିଲାଣି I  

                           ବନ ଦାସ କହିଲା “ସେ ଆସି ପାରିବ ନାହିଁ” I  ନବ ଦାସ ତାକୁ ତେଜ୍ୟପୁତ୍ର କରିଛି I    

                           ପୁଅର କ୍ରୋଧ ବାପ ଉପରେ I କିନ୍ତୁ ସମ୍ପତ୍ତି ଉପରେ ଅଧିକାର ଛାଡିବାକୁ ନାରାଜ I ସଫା ଭାଷାରେ ମାନିକୁ ଫୋନରେ ଶୁଣେଇ ଦେଲା , ସେ ଘର ମୋର , ଜମି ବାଡି ମୋର , କିଛି ଯଦି କରିଥିବୁ ……. ବାକି କଥା ଶୁଣିବା ଆଗରୁ ମାନି ଚଢା ଗଳାରେ ଦ୍ୱିପଦୀ ଓ ତ୍ରିପଦୀ ସବୁ ବକି ଚାଲିଲା I ସେତିକି ବେଳୁ ତା କାନ୍ଦ ବନ୍ଦ I ରାଗରେ ଦାନ୍ତ କଡ ମଡ କରୁଛି I

                            ମାନିକୁ ପଇଡ ଭଲ ଲାଗେ I ସବୁ ଦିନେ ସକାଳେ ପିଏ I ନବ ଦାସ ଦି ମହଲା ଉପରେ ଚଢି ନଗିରେ ପଇଡ ପାରୁଥିଲା I  ମୁଣ୍ଡ ବୁଲେଇ ଦେଲା I ଗୋଟେ କଚଡାରେ ଶେଷ I ମାନି ଦେଖୁଥିଲା କପଡା ଗୁଡା ହେଇ ଥିବା ରକ୍ତ ଜୁଡ୍ ବୁଡ ନବ ଦାସକୁ , ନା, ତା ନିର୍ଜୀବ ଶରୀରକୁ I ସେ ମାନୁ ଭାଇକୁ ଅତି କୁଣ୍ଠାର ସହ ଫୋନ କରିଥିଲା I କହିଛି ଆସିବ I ତାର ଭରଷା  ପାଉ ନଥିଲା I ସେ ଯେତିକି ବେଇଜ୍ଜତି ହେଇଥିଲା ଗଲା ବର୍ଷ ଆଉ ଯେ ଆସିବ , ମାନି ଆକାଶକୁ ଚାହିଁ ଦୀର୍ଘ ଶ୍ୱାସଟେ ପକେଇଲା I           

                            ଚାରି ବର୍ଷର ଝିଅ ଆସି ଖାଇବାକୁ ମାଗିଲା I ମାନି ତାକୁ ଢୋ‘କି ଚଟକଣି ଗୋଟେ ମାରିଲା , ଫେର ଜାବୁଡି ଧରି ଭେଁ କି କାନ୍ଦିଲା I  ଛ ବର୍ଷର ପୁଅ ଖଣ୍ଡେ ଦୁରେଇ ଠିଆ ହେଇ ରେଳ  ଷ୍ଟେସନ ଆଡୁ ଯେଉଁ ଅଧା କଚା ଓ ଅଧା ପକା ରାସ୍ତା ଗାଁ ଆଡକୁ ଆସିଛି ସେହି ଆଡକୁ ଚାହିଁ ଥାଏ I ସମସ୍ତେ ଚୁପ୍ I ପାଖ ପଡିଶା ଆସି ଦେଖି ଦେଇ ଯାଉଥାନ୍ତି I ଗାଁ କମିଟିର ଚେଙ୍ଗଡା ବେଧୁଆ ଦଳଙ୍କ ଅଘୋଷିତ ନିର୍ଦ୍ଦେଶନାମା , କେହି ଶବ ଉଠେଇବାକୁ ଯିବେ ନାହିଁ I ମାନି ଯାଇ କ୍ଷମା ମାଗିଲେ , ସେମାନେ ଆସିବେ I କେହି କେହି ପାଖ ପଡିଶା କହୁ ଥାନ୍ତି ଯା ପଳା , ଜିଦ୍ ଛାଡ , କିନ୍ତୁ ନବ ଦାସର  ନିର୍ଜୀବ ଶରୀରଟା ତା ବାଟ ଓଗାଳୁ ଥାଏ I

                            ନବ ଦାସର ଘର ଅବିଭକ୍ତ ପୁରୀ ଜିଲ୍ଲାର ଏକ ଛୋଟ ରେଳ ଷ୍ଟେସନ ଥିବା କୌଣସି ଏକ ପାଇକ  ଗ୍ରାମ I ଯେଉଁ ବର୍ଷ ବନ ଦାସ, ବାପ ନବ ଦାସ ସହ ଗଦ୍ଦାରି କରି ଘରୁ ପଇସା ପତ୍ର ଧରି ପଳେଇଲା ଠିକାଦାରି କରିବା ପାଇଁ ମାଲକାନଗିରି  , ବାପ ଓ ପୁଅର ମନ ଫଟାଫଟି ଟିକେ ହେଇଥିଲା I କିନ୍ତୁ ପରେ ପରେ ସବୁ ଘଟଣା ମାନ ଦୁର୍ଘଟଣା ଭଳି ହେବାରେ ଲାଗିଲା I ବାପ ଓ ପୁଅ ମୁହଁ ବି ଦେଖା ଦେଖି ହେଲେନି I ଶେଷରେ  ନବ ଦାସ ତାକୁ ତେଜ୍ୟପୁତ୍ର କରିଦେଲା I ତେବେ ମାନି ର ଦୋଷ କ’ଣ  ?                                   

                           ବନ ଦାସ ସବୁ ଦିନ ଲାଗି ଘର ଛାଡିବା ବେଳେ ମାନି କେଉଁଠି ରହିବ ସେ ପ୍ରଶ୍ନ ଉଠିଥିଲା I ନବ ଦାସ ଏକ୍ସ-ଠିକାଦାର I ରାଜଧାନୀରେ ଠିକାଦାରି କରୁଥିଲା I ଭଲ ପଇସା ପତ୍ର ପାଖରେ ରଖିଛି I ପ୍ରକୃତି ତାର ଟିକେ ତେଢା I କଥା କଥା କେ ଦୋ ନଳି ନ ହେଲେ କାତି I ସେ ଟିକେ ଆଇଁସିଆ ବୋଲି ତା ପାଖ ଲୋକ କହନ୍ତି I ସ୍ତ୍ରୀ ଯିବା ପରେ ସେଇ ଗୁଣଟା ତାର କୁଆଡେ ଟିକେ ବଢି ଯାଇଥିଲା I ମାନିର ବାପା ବହୁ ଦିନରୁ ସ୍ଵର୍ଗବାସୀ ଥିଲେ I ମା ଆଉ ଦୁଇ ବଡ ଭାଇ ଓ ସେମାନଙ୍କର ପରିବାର I ସେ ରୋକ ଠୋକ ମନା କରି ଦେଇଥିଲା ବାପ ଘରକୁ ଯିବାକୁ I ନବ ଦାସ ପାଟିରୁ ଉଁ କି ଚୁଁ ସେତେବେଳେ ବାହାର କରି ନଥିଲା I ସ୍ତ୍ରୀ ଆଗରୁ ରାସ୍ତା କାଟିଥିଲା କର୍କଟ ରୋଗରେ I ପୁଅ , ଝଗଡା କରି ବିଦା ହେଲା I ବୋହୁ ଯଦି ରହିବାକୁ ଚାହିଁବ , ତା ଘର , ସେ ରହିବ I ଯଦି ଯିବାକୁ ଚାହିଁବ ଯିବ I ସେ ତ ସବୁଦିନେ ଏକୁଟିଆ I ଏବେ ଦୈନିକ କ୍ୱାଟଟେ ପିଉଛି , ନ’ହେଲେ ହାପଟେ ପିଇବ I

                            ବାପ ସହ ପୁଅର କେସ I କୋର୍ଟ ହତାରେ ବନ ଦାସ ଓ ତା ନୁଆ ବଂଗାଳି ସ୍ତ୍ରୀକୁ ଧରି ଠିଆ ହେଇଥିଲା I ମାନି ସେଇ  ଆଡକୁ ଚାହିଁ ମେଞ୍ଚେ ଛେପ ପକେଇଲା I ସିଧା ଆସି ନବ ଦାସ ଜିପ୍ ରେ ବସି ପଡିଲା , କହିଲା ଘରକୁ ଚାଲ I ତା ପରଦିନ ବନ ଦାସ ତା ନୂଆ ସ୍ତ୍ରୀକୁ ଧରି ନୂଆ କାର୍ ଚଢି ଗାଁକୁ ଆସିଥିଲା I ମାନି ପାଖରେ ପୁରୁଷ ପଣିଆ ଦେଖେଇ ହବା ଲାଗି I  

ମାନି ଉଦଣ୍ଡି I ମାନି କାଳ ତୁଣ୍ଡି I

                             ମାନି ଏମିତି ତାକୁ ବକିଲା ଯେ , ବନ ଦାସ କେମିତି ପଳେଇବ ରାସ୍ତା ପାଇଲା ନାହିଁ I ମାନି ବନ ଦାସର ଗାଡି ଆଖିକୁ ଦିଶିବା ପର୍ଯ୍ୟନ୍ତ ଗାଳି ଦେଉ ଥିଲା I ନବ ଦାସ ତାକୁ ବୁଝେଇ ଶୁଝେଇ ଘରକୁ ଆଣିଥିଲା I ଘରେ ହଳିଆ ଦୁଇ ଜଣ , ଜଣେ ବୁଢୀ ଚାକରାଣୀ , ନବ ଦାସ , ମାନି ଓ ପିଲା ଦୁଇଟି I ବନ ଦାସ ଯିବା ପରେ ପରେ ତାର ସାଙ୍ଗ ସାଥି କେହି କେହି ଘରକୁ ଆସି ମାନି ସହ ଭାବ ଦୋସ୍ତି ବଢେଇବାକୁ ଚାହୁଁଥିଲେ I କିନ୍ତୁ, ଦିନେ ବନ ଦାସ ତା ଦୁଇ ନଳି ବାହାର କରି ଖେଦି ଆସିଲା , ସେଇ ଦିନଠୁ ସବୁ ବନ୍ଦ I ତା ସାଙ୍ଗରେ ନବ ଦାସର ଦୁର୍ନାମ ବି ବଢି ଚାଲିଲା I  ପ୍ରାୟ ଦିନ ନବ ଦାସ ଜିପ୍ ରେ ବୋହୂ ଓ ନାତି ନାତୁଣୀଙ୍କୁ ନେଇ ବୁଲେଇ ଆଣେ I କେବେ ଚିଲିକା , ନ ହେଲେ ଖୋର୍ଦ୍ଧା  କି ପୁରୀ I ଗାଁ କମିଟିର ଚେଙ୍ଗଡା ବେଧୁଆ ଦଳ ସେମାନଙ୍କର ଯିବା ରାସ୍ତା କୁ ଚାହିଁ ଅନେକ ଅକଥ୍ୟ , ଅଶ୍ରାବ୍ୟ ଭାଷା ପରିବେଷଣ କରନ୍ତି I କୁହନ୍ତି ପୁଅକୁ ତଡି ଦେଇ ବାପ ଜୁଆନ ହେଇଛି I ଦୁରରେ ଥାଇ ମଧ୍ୟ ବନ ଦାସ କାନରେ କିଛି କିଛି ପଡେ I

                               ଆଉ ମାନୁ ଭାଇ ? ସେ ମାନିର ସାହି ପିଲା I ମାନୁ ଭାଇ ଓରଫ ମାନସର ମାମୁଁ ଘର ମାନିର ସାହିରେ I ତା ବାପାର କଲିକତାରେ ଯାତ୍ରୀ ବେପାର I ତା ବାପା ଓ ମା କଲିକତାରେ ରହନ୍ତି I ମାନୁ  ମାମୁଁ ଘରେ ରହି ପଢେ I ମାନି ଠାରୁ ତିନି – ଚାରି ବର୍ଷ ବଡ ହେବ I ମାନି , ମାନୁ ସହ ପିଲା ବେଳୁ ଏକା ସାଙ୍ଗରେ ବଢିଛି I ଦୁଇ ଜଣଙ୍କ ପ୍ରକୃତି  କିନ୍ତୁ ସମ୍ପୁର୍ଣ ଓଲଟା I ମାନି ଯେତିକି ଚଣ୍ଡୀ , ମାନୁ ସେତିକି ଶାନ୍ତ I ମାନି ଭାବେ ମାନୁ ହେଉଛି ତା ଅଧିକାର I ତା ସହ ସେ ସବୁ ଦିନ ଝଗଡା କରେ , ହାତ ଉଠେଇକି ମାରେ , ପୁଣି ତା ପର ଦିନ ସ୍କୁଲ ଗଲା ବେଳେ ତା ସାଇକେଲ ପଛରେ ବସେ I ସବୁବେଳେ ଶାନ୍ତ ମାନୁ, କେବଳ ଚାହେଁ ମାନି ଖୁସି ରହୁ I ମାନୁ ସବୁବେଳେ ତାକୁ ବୁଝାଏ I କହେ ଭଲ ପିଲା ହୋ I  

                               ଥରେ ସ୍କୁଲ ରେ ଡ୍ରାମା ହେଉଥିଲା I ସେତେବେଳେ ମାନିର ସ୍କୁଲରେ ଶେଷ ବର୍ଷ I ମାନୁ ପାଖ କଲେଜରେ ପଢୁଥାଏ I ନାୟିକା ମାନି ଛଡା କିଏ ଆଉ ହେଇ ପାରେ I  ସହ ନାୟିକା ଆଉ ଜଣେ I ଡ୍ରାମା ସରିବା ବେଳେ ମାନୁ ଜଣେ ସାରଙ୍କୁ ‘ସହ ନାୟିକା ସୁନ୍ଦର ଅଭିନୟ କରୁଥିଲା ଓ ଭଲ ଦିଶୁଥିଲା ବୋଲି’ କହିବାର ମାନି ଶୁଣି ପକେଇଲା I ସେ ରାଗରେ ପାଦ କଚାଡି ସେଠୁ ଗ୍ରିନ ରୁମ୍ କୁ ପଳେଇଲା I ସାର ମାନଙ୍କ ସହ କଥା ହେଇ ସାରି ମାନୁ ତାକୁ ଖୋଜି ଖୋଜି ଗ୍ରିନ ରୁମ ପାଖରେ ପହଂଚିଲା ବେଳକୁ ଅଦ୍ଭୁତ ଦୃଶ୍ୟ I ସମସ୍ତେ ଯାଇ ସାରିଲେଣି I ମାନି ତାକୁ ଦେଖି ସିଧା ତା ଉପରକୁ ଲୁଗା ଫୋପାଡି ଦେଇ ନଗ୍ନ ପ୍ରାୟ ହୋଇଗଲା I ଆଖିରୁ ଅଗ୍ନି ବୃଷ୍ଠି ହେଉଛି I ପାଖକୁ କୁଦି ଆସିଲା , କହିଲା , ମତେ ଭଲକି ଦେଖ , କହ କିଏ ବେଶି ସୁନ୍ଦର I ମାନୁର ମୁଣ୍ଡ କାମ କରୁ ନଥିଲା I ତାକୁ ଲୁଗାରେ ଆବୃତ କରି ଦେଇ ପଦାକୁ ଚାଲି ଆସିଲା I କିଛି ସମୟ ପରେ ମାନି ଆସି କହିଲା ଘରକୁ ଚାଲ I ରାସ୍ତାରେ ଦୁହେଁ ଚୁପ୍ I

                              ଏତେ ଘନିଷ୍ଠତା ଭିତରେ ମାନି ଯେତେବେଳେ ବନ ଦାସକୁ ବାହା ହେବ ବୋଲି ଜିଦ ଧରିଲା ସେତେବେଳେ ଆମେ ସବୁ ଖୁବ ଆଶ୍ଚର୍ଯ୍ୟ  ହେଇ ଯାଇଥିଲୁ I ଆମ ଭିତରୁ ଅନେକ ଥିଲେ ତାର ପ୍ରଣୟ ଆଶାୟୀ ସାଙ୍ଗ I ମାନି ର ଯୁକ୍ତି ଥିଲା ସେ ମାନୁ ଭାଇକୁ ବହୁତ ଭଲ ପାଏ କିନ୍ତୁ ପ୍ରେମ କରେ ନାହିଁ I ତେବେ ଭଲ ପାଇବା ଓ ପ୍ରେମ କରିବା କଣ ଅଲଗା ? କେଜାଣି ମାନିର ଅଭିଧାନରେ ଲେଖା ହେଇଥିବ I

ମାନି ଜିଦ ଖୋର I

                               ତେବେ ବନ ଦାସ କିପରି ମାନି ଓ ମାନୁ ଭିତରେ ପଶିଲା I ନବ ଦାସ ଯେତେବେଳେ ସ୍ତ୍ରୀ ମୃତ୍ୟୁ ପରେ ଠିକାଦାରି ରୁ ସନ୍ୟାସ  ନେଇ ରାଜଧାନୀ ଛାଡି ଗାଁକୁ ଫେରିଲା ସେତେବେଳେ ବନ ଦାସ ଡିପ୍ଲୋମା ପଢୁଥିଲା I ହଷ୍ଟେଲ ରେ ରହୁଥିଲା I ସେ ବର୍ଷେ ଖଣ୍ଡେ ଇଆଡେ ସିଆଡେ କାମ କଲା ପାସ୍ କରିବା ପରେ I ତା ପରେ  ଗାଁକୁ ଫେରି ଆସିଲା I ବାପାକୁ କହିଲା ଠିକାଦାରି କରିବ I ବଡ ଗାଡି ଚଢିବ I ଦିନ ରାତି ପଇସାରେ ଖେଳିବ I  ବାପ ଠିକାଦାରି ବେଉସାର ଭଲ ମନ୍ଦ ଜାଣେ I ତାକୁ ମନା କରିଦେଲା I କହିଲା ଗୋଟେ ସିମେଣ୍ଟ୍ , ଛଡ ଦୋକାନ କରି ଦେଉଛି , ଟ୍ରକ୍ ବି ଗୋଟେ କରି ଦେଉଛି I ଘର ପାଖରେ ରହି ବେପାର କର I ଆମର କିଛି ଅଭାବ ନାହିଁ I ସେ ଜୁଆ ଖେଳିବା ଦରକାର ନାହିଁ I ବନ ଦାସ କିଛି କହିଲା ନାହିଁ I ବାପ କଥାରେ ହଁ ମାରିଲା ଯଦିଓ ମନେ ମନେ କିନ୍ତୁ ବଡ ଅଶାନ୍ତି ହେଲା I କଲେଜ ଛକ ପାଖ ବଜାରରେ ଦୋକାନ ଖୋଲା ହେଲା I ଧିରେ ଧିରେ ଦୋକାନରେ କାର ବାର ବଢିଲା I ବାପ , ପୁଅ ଉଭୟ ସମୟ ଦିଅନ୍ତି I ବାପ ବସିଥିବା ବେଳେ ପୁଅ , ପାଖରେ ବହି ପତ୍ର ଓ ଲେଡିସ କର୍ନର କରିଥିବା ଜଗା ପାଖରେ ଆସି ବସେ I ସେଠିକି କଲେଜ ପୁଅଙ୍କ ଅପେକ୍ଷା ଝିଅ ଅଧିକା ଆସନ୍ତି I

                              ମାନି ସହ ସେଇଠି ତା’ର ପ୍ରଥମେ ପରିଚୟ ହେଇଥିଲା I ଯେଉଁ ସମୟରେ ଝିଅ ମାନେ ସାଇକେଲ ମଧ୍ୟ ଚଢୁ ନଥିଲେ , ସେତେବେଳେ ମାନି ଲୁନା ନେଇ ଆସୁଥିଲା I ମାନିର ବେଫିକର ଆବଭାବ , ଖୋଲା କଥାବାର୍ତ୍ତା ବନ ଦାସର ଖୁବ ପସନ୍ଦ ଥିଲା I ମାନି ମଧ୍ୟ କେମିତି କେଜାଣି କୋଉ ଦୁର୍ବଳ ମୁହୁର୍ତ୍ତରେ ତା ଆଡକୁ ଆକର୍ଷିତ ହେଇ ସାରିଥିଲା I ବନ ଦାସର ବଳିଷ୍ଠ ଚେହେରା , ପ୍ରାଚୁର୍ଯ୍ୟ ଓ  ସର୍ବୋପରି ତା ପୁରୁଷ ପଣିଆ ଆଗରେ ମାନୁ ଭାଇ କେମିତି ଫିକା ଫିକା ଲାଗୁଥିଲା I ମାନୁ ଭାଇ ବି. କମ. ସାରି ତା ବାପାଙ୍କ ସହ ଯାତ୍ରୀ ବ୍ୟବସାୟରେ ଲାଗି ଯାଇଥିଲା I କ୍ୱଚିତ ମାମୁଁ ଘରକୁ ଆସୁଥିଲା I କେଜାଣି, ମାନୁ ଭାଇର ଅଭାବକୁ ବୋଧେ ବନ ଦାସ ପୁରଣ କରି ସାରିଥିଲା I  ସମୟ ବେଶି ଲାଗି ନଥିଲା ମାନିକୁ ବନ ଦାସ ବୁଲେଟ ପଛରେ ବସି ଡେଣା କଟା ପରି ଭଳି ବୁଲିବା ପାଇଁ I ବନ ଦାସ ମାନି କୁ ସବୁ ଜାଗା ଓ ଅଜାଗା ବୁଲେଇ ସାରିଥିଲା I ସେ ବି.ଏ. ସରିବା ପରେ ପରେ ଘରେ ଜିଦ କରିଥିଲା ବନ ଦାସ କୁ ବାହା ହେବ I କିନ୍ତୁ ନବ ଦାସ ମାନିଲେ ହେଲା I ସେମିତି କିଛି ଅସୁବିଧା ହେଇ ନଥିଲା I ଦୁହେଁ ସୁରୁଖୁରୁ ରେ ବାହା ହେଇ ଯାଇଥିଲେ I  

                           ବାହାଘରର ପ୍ରଥମ କିଛି ବର୍ଷ ଭଲରେ କଟି ଯାଇଥିଲା I କିନ୍ତୁ ବନ ଦାସ ମୁଣ୍ଡରେ ପଇସା ରୋଜଗାର ନିଶା ଲାଗିଥିଲା I ମାନି ନିଶାରେ କିଛି ଦିନ ସିନା ଦବି ଯାଇଥିଲା ମାତ୍ର ଲିଭି ନଥିଲା I ହଟାତ୍ ଦିନେ ବାପା କୁ କହିଲା ସେ ଠିକାଦାରି ଲାଇସେଂସ ବାହାର କରିଛି I କୋରାପୁଟ ଯିବ I ପୋଟେରୁ ପ୍ରୋଜେକ୍ଟରେ କାମ କରିବ I ବାପା ବହୁତ ମନା କଲା I ବନା ମାନିଲାନି I ବାପା ଚୁପ ରହିଲା I

                          ବନା ଚାଲିଲା କୋରାପୁଟ I ସେଠାରେ କାମ ଆରମ୍ଭ କରିଦେଲା I ପଇସା ସେଠି ଉଡୁଥିଲା , ବୋଧହୁଏ ତାକୁ ଧରିବା ଲୋକ ଉପଯୁକ୍ତ ନଥିଲେ I ବନ ଦାସ ବାପଠୁ ପାଦେ ଆଗରେ ଥିଲା I ମାନେ ତା ଡି. ଏନ୍. ଏ. ରେ ଠିକାଦାରି ଥିଲା , କେବଳ ପ୍ରଶସ୍ତ ଭୂମି ଯାହା ଦରକାର ଥିଲା I ବର୍ଷ ଚାରିଟାରେ ସେ ତା ବାପଠୁ ବି ବଳିଗଲା I ପ୍ରଥମେ ପ୍ରତି ମାସ ଘରକୁ ଆସୁଥିଲା ଓ ସାଙ୍ଗ ସାଥି ମାନଙ୍କ ସହ ଖୁବ ମସ୍ତି କରୁଥିଲା I ପରେ ପରେ ତାର ଆସିବା କମିଗଲା I

                           ମାନି ଖବର ପାଇଲା ସେଠି ଗୋଟେ ବଙ୍ଗାଳୀ ଝିଅକୁ ବାହା ହେଇଛି I ଗୁମ ଖାଇ ଗଲା I ନବ ଦାସ ସବୁ ଶୁଣିଲା I ପୁଅକୁ ଫୋନ କଲା ଆସିବା ଲାଗି I ପୁଅ ବିଭିନ୍ନ ଆଳ ଦେଖେଇ ଟାଳି ଦେଲା I ପରେ ନବ ଦାସ ଜାଣିଲା ପୁଅ ଅନେକ ଟଙ୍କା ବ୍ୟାଙ୍କରୁ ଉଠେଇ ନେଇଛି I ତା ପରେ ବାପ ପୁଅର ଝଗଡା ଓ ଶେଷରେ କୋର୍ଟ I ବନ ଦାସ ଆଉ ଗାଁକୁ ଆସୁ ନଥିଲା ଯଦିଓ ସବୁ ଖବର ସାଙ୍ଗ ସାଥି ମାନଙ୍କ ଠାରୁ ପାଉଥିଲା I  ସେ ଭାବିଥିଲା ମାନି ପିଲାଙ୍କୁ ଧରି ତା ବାପ ଘରକୁ ପଳେଇବ , ନଚେତ ଛାଡ ପତ୍ର ଦାବି କରିବ I ସେ ସମୟ ଉପରେ ସବୁ ଛାଡି ଦେଇଥିଲା I ମାନିର ଧୈର୍ଯ୍ୟ ପରୀକ୍ଷା କରୁଥିଲା I ସାଙ୍ଗ ମାନଙ୍କୁ କହୁଥିଲା ଆଉ କେତେ ଦିନ ଏକା ରହିବ , ବଳେ ନିଜ ବାପ ଘରକୁ ପଳେଇବ I କିନ୍ତୁ ମାନି ଏଭଳି ପଦକ୍ଷେପ ନେବ ସେ ଭାବି ପାରି ନଥିଲା I ସେ କେବେ ଭାବୁଥିଲା ତା ବାପାଟା ଖରାପ ତ କେତେବେଳେ ଭାବୁଥିଲା ମାନିଟା I      

                         ତେବେ ମାନୁ ଭାଇ କଥା ? ହଁ ମାନୁ ଭାଇ ଥରେ ଆସିଥିଲା ମାନିର ବାହାଘର ବେଳେ I ଭୋଜି ଖାଇବା ପାଇଁ I ସେ ଜମା ଦୁଃଖ କରି ନଥିଲା I କାରଣ ମାନି ଖୁସି ହେଲେ ସେ ଖୁସି I ତାର ବେପାର ଖୁବ ଭଲ ଚାଲିଥିଲା I ପୁରୀରେ ସେ ଗୋଟେ ହୋଟେଲ ଲିଜରେ ବି ନେଇଥିଲା I ଆଉ ଥରେ ଆସିଥିଲା ଯେତେବେଳେ ଖବର ପାଇଥିଲା ବନ ଦାସ ତେଜ୍ୟପୁତ୍ର ହେଇଗଲା I ନିଜ ମଟର ଗାଡି ଚଢି ଆସିଥିଲା I ମାନିର ଭଲ ମନ୍ଦ ପଚାରି ବୁଝୁଥିବା ବେଳେ ନବ ଦାସ କେଉଁଠି ଥିଲା ଝପଟି ଆସିଲା I ବହୁତ ଗାଳି ମନ୍ଦ କଲା I ମାନୁ ଭାଇ କିଛି ନକହି କେବଳ ତା କାର୍ଡଟା ମାନି ହାତରେ ଦେଇ ପଳେଇ ଗଲା ବେଳେ କହିଲା ଦରକାର ହେଲେ ଖବର ଦବୁ I

                          ଏତିକି ବେଳେ ପୁଅ ଆସି ମାନିକୁ ହଲେଇ ଦେଲା I କହିଲା ‘ ମା’ ମାନୁ ଦାଦା ଆସିଛନ୍ତି’ I ମାନି ପଦାକୁ ଆସିଲା I ଦେଖିଲା ମାନୁ ଭାଇ ଗୋଟେ ଆମ୍ବୁଲାଂସ ଓ ନିଜ ଗାଡି ଧରି ଠିଆ ହେଇଛି I ଦୁଇଟି ଲୋକ ବାହାରି ଶବକୁ ଆମ୍ବୁଲାଂସରେ ପୁରେଇଲେ I ମାନି କହିଲା ଟିକେ ରୁହ I ସେ ଘର ଭିତରୁ ଚାରିଟା ବଡ଼ ବଡ଼ ସୁଟ୍ କେସ୍ ବାହାର କରି ଆଣିଲା , ସତେ ଯେପରି ସେ ପ୍ରସ୍ତୁତ ହେଇକି ଥିଲା I ସବୁ ଗାଡିରେ ଭରି ପିଲା ଦୁଇଜଣଙ୍କୁ ଗାଡିରେ ବସେଇ ଦେଲା I ମାନୁ ଭାଇ ସହ ମିଶି ଭିତର ଘର ସବୁ ତାଲା ମାରିଲା I ବାହାର ଘରେ ଚାକର ବାକରଙ୍କୁ ରହିବାକୁ କହି ଓ ଘର ଖାଲି ଛାଡି କୁଆଡେ ନଯିବା ଲାଗି ତାଗିଦ କରି ଯାଇ ମାନୁ ଭାଇ ପାଖରେ ଆଗ ସିଟ୍ ରେ ବସି ଗଲା I ଗାଁ କମିଟିର ଚେଙ୍ଗଡା ବେଧୁଆ ଦଳ ଯେପରି ଦେଖିବେ ଠିକ ସେମିତି ଭାବରେ ତାଙ୍କ ସାମ୍ନାରେ ଧୁଳି ଉଡେଇ ସେ ପୁରୀ ଅଭିମୁଖେ ବାହାରି ଗଲା I

                                 ତାପରେ କଣ ହେଲା ?

                                 ଏତେ ବାଟ କହି ସାରି ଗଦା ଯେତେବେଳେ ଚୁପ୍ ହୋଇଗଲା , ମୂଁ ତାକୁ ପଚାରିଲି I   

                                 ଆଉ କଣ ହେବ , ବୁଢାକୁ ସ୍ଵର୍ଗଦ୍ଵାର ରେ ଦାହ କରି ସାରି , ସେ ମାନୁ କୁ ଦ୍ଵିତୀୟ ହେଇ ପଡିଲାI

                                 ଦ୍ଵିତୀୟ ହେଇ ପଡିଲା ମାନେ ? ପ୍ରଥମ ସ୍ଵାମୀ ତାର ଜୀବିତ ଅଛି ଯେ ?

                                 ଗଦା ସ୍କୁଲରେ ପଣ୍ଡିତ , ମତେ ଚାହିଁ ଅର୍ଥ ପୂର୍ଣ୍ଣ  ହସ ହସିଲା I ‘ମୋହ ମୁଦ୍ଗର’ ରୁ ଦି ପଦ ବୋଲିଦେଲା I

                                 କାଃ ତେ କାନ୍ତା କସ୍ତେ ପୁତ୍ରଃ , ସଂସାରୋୟମ ଅତୀବ ବିଚିତ୍ର I

                                 କସ୍ୟ ତ୍ୱମ ବା କୁତ ଆୟାତଃ , ତତ୍ତ୍ୱମ ଚିଂତୟ ତଦିହ ଭ୍ରାତଃ I

                                 ପଚାରିଲା, କିଛି ବୁଝିଲୁ , ପିତା କିଏ, ପୁତ୍ର କିଏ, ପତି କିଏ , କିଏ ଅବା ପତ୍ନୀ ; ଏ ସଂସାର ଅତି ବିଚିତ୍ର I ସାହାରା ଯିଏ ଦେଲା ସିଏ ସ୍ଵାମୀ I

                                ମନ ବହୁତ ଖରାପ ହୋଇଗଲା I ଏଇ ଗଦା ଭଳି ଅନେକ ତାର ସ୍ତାବକ ଓ ପ୍ରେମ ପ୍ରାର୍ଥୀ ଥିଲେ I କିନ୍ତୁ ମାନି ମୋର ବହୁତ ଭଲ ସାଙ୍ଗ ଥିଲା I ସ୍କୁଲ ଛାଡିବାର ଅନେକ ବର୍ଷ ମାନେ ଏକ ଦଶନ୍ଧି ବା ତା ଠାରୁ କିଛି ଅଧିକ ପରେ ତା ବିଷୟରେ ଏମିତି କଥା ଶୁଣିବି ଆଶା କରି ନଥିଲି I ଗଦା ର କଥାକୁ ମୁଁ ବିଶ୍ଵାସ କରି ପାରୁ ନଥିଲି I

                                ଆଉ ଏବେ ସେ କିପରି ଅଛି ? ପଚାରିଲି କୁଣ୍ଠା ର ସହ I

                                ଏବେ !!! ଆରେ ଏବେ ସେ ବିରାଟ ହୋଟେଲ ମାଲିକାଣୀ I ମାନୁ କୁ ଜାଣ ମାନି ରୁପରେ ଲକ୍ଷ୍ମୀ ମିଳିଗଲେ I ମାନି ଘର ଛାଡିବା ବେଳେ କିଲ କିଲ ସୁନା ନେଇ ଯାଇଥିଲା I ବୁଢା ଯେତେ ବନ୍ଧା ଛନ୍ଦା ରଖିଥିଲା ସବୁ , ଆଉ ବୁଢୀର ଗହଣା I ତା ଉପରେ ବୁଢା; ଘର, ଦୋକାନ , ଜମି ବାଡି ସବୁ ମାନିର ପିଲାଙ୍କ ନାମରେ କରି ଦେଇଥିଲା ବନା କୁ ତେଜ୍ୟ କରିବା ଦିନରୁ I ମାନୁ ସେଇ ପଇସାରେ ଉଠିଗଲା I

                                    ବନା କଥା କଣ ହେଲା ?

                                    ବିଚରା ଫସି ଗଲା I ସେ ବଙ୍ଗାଳୀ ସ୍ତ୍ରୀ ଓ ତା ପରିବାର ବନାର ସବୁ କିଛି ଲୁଟି ନେଲେ I ବନା ସର୍ବସ୍ଵ ହରେଇ  ପୁରା କାଙ୍ଗାଳ ହେଇ ଫେରିଲା I ତା ସହ ସେଇ ରୋଗ I

                                   କି ରୋଗ ?

                                   ଗଦା ଇଆଡକୁ ସିଆଡକୁ ଚାହିଁ ଧିରେ କି କହିଲା , ତାକୁ ଏଡସ୍ ହେଇଛି I କେହି ଜାଣି ନାହାନ୍ତି , ମୋ ଛଡା I ମନେ ମନେ ହସିଲି , ଗଦା ଜାଣିଛି ମାନେ ଆଖ ପାଖ ଦଶ ଖଣ୍ଡ ଗାଁ ରେ ଜାଣିଥିବେ I କହିଲା, ବୁଝିଲୁ ଭାଇ ସବୁ କର୍ମ ର ଫଳ I

                                   ବନା ଏବେ କୋଉଠି ରହୁଛି ?

                                   କୋଉଠି ଆଉ ରହିବ I ଏଇଠି ରହିଛି I ବିଛଣାରେ ପଡିଛି I ମାନୁ ତା ଲାଗି ନର୍ସ ବ୍ୟବସ୍ଥା କରି ଦେଇଛି I ମାନି ସେପଟୁ ସବୁ କରୁଛି କିନ୍ତୁ ଏଠିକି ଦିନେ ବି ଆସିନି I ମାନୁ କୁ ପଠେଇ ସବୁ କରାଏ I ମାନୁଟା ବଳଦଟେ I ପଚାରିଲେ ହସି ଦେଇ କହିବ ଏମିତି କଲେ ମାନି ଖୁସି ହୁଏ I ପୁରା ପତ୍ନୀ ଗତ ପ୍ରାଣ I

                                   ମତେ ସବୁ ପ୍ରହେଳିକା ପରି ଲାଗୁଥିଲା I ବନ ଦାସକୁ ଭେଟିବି ଓ ମାନି ସହ ଦେଖା କରିବି ସ୍ଥିର ନିଶ୍ଚିତ କରି ଉଠିଲି I

                                   ତା ପର ଦିନ , ବନ ଦାସ ଘରେ ପହଂଚିଲି I ତାଙ୍କର ସବୁଠୁ ପୁରୁଣା ଚାକର ବାହାରେ ଥିଲା I ମତେ ଚିଂହିଲା I ବନ ଦାସ କଥା ପଚାରିବାରୁ କହିଲା , ଅବସ୍ତା ଭଲ ନାହିଁ I ସ୍ମରଣ ଶକ୍ତି ପୁରା ଲୋପ ପାଇ ଯାଇଛି I ଉଠି ପାରୁ ନାହାନ୍ତି I ମନ ଖରାପ ହେଇ ଗଲା I

                                   ମାନି କଥା ପଚାରିଲି I ମୁହଁ ବିକୃତ କରି କହିଲା , କଣ କହିବି କୁହ I ଶ୍ଵଶୁରକୁ ପୋଡି ସାରି ଚୁଡି ଭାଙ୍ଗି, ଧଳା ଶାଢି ପିନ୍ଧି ବିଧବା ହେଇ ଗଲା I ମୃତ କର୍ମ ସବୁ ନିଜେ ଓ ପୁଅକୁ ଧରି କରିଲା I ଦଶ ଦିନରେ ପୁଅକୁ ଲଣ୍ଡା ବି କରେଇଲା I ତା ପରେ ଏକାଦଶାହ ଦିନ ସକାଳୁ ମାନୁ କୁ ହାର ବଦଳ କରି ମନ୍ଦିରରେ ବାହା ହେଇ ପଡିଲା ଓ ଦୁହେଁ ସାଙ୍ଗ ହେଇ ଏଗାର ପିଣ୍ଡ ଦେଲେ I ଇସ୍ ଘୋର କଳି କାଳ I ବୁଢା ହେଇ ଗଲିଣି I କୁଆଡେ ଆଉ ଯିବି ବୋଲି ଏଇଠି ପଡିଛି, ନ ହେଲେ … ସେ ଉଠି ପଳେଇଲା I

                                 ଗାଁ ଛାଡିବା ଆଗ ଦିନ ପୁରୀ ବାହାରି ଗଲି I ସବୁ କାମ ସାରି ମାନିର ହୋଟେଲରେ ପହଂଚିଲି I ପାଂଚ ମହଲା ର ବିରାଟ ହୋଟେଲ I ଖୁବ ସୁନ୍ଦର ସାଜ ସଜା I ହୋଟେଲ ଭିତର ଅଫିସରେ ପହଂଚିଲି I ମାନି ବସି କିଛି ଲେଖୁଥିଲା I ମତେ ଦେଖି ସାଙ୍ଗେ ସାଙ୍ଗେ ଚିହ୍ନି ପକେଇଲା I ବହୁତ ସମୟ ବିଭିନ୍ନ ବିଷୟରେ କଥା ବାର୍ତ୍ତା ହେଲୁ I ପଚାରିଲି ତୁ ମାନୁ ଭାଇକୁ ଏତେ ଭଲ ପାଉଥିଲୁ ତେବେ ବନ ଦାସକୁ କିପରି ପ୍ରେମ ବିବାହ କଲୁ ?

                                 ହସି ପକେଇଲା , କହିଲା ହଁ, ମୁଁ ତାଙ୍କୁ ପ୍ରେମ କରିଥିଲି ନିଶ୍ଚୟ, କିନ୍ତୁ ଭଲ ପାଇ ପାରିଲି ନାହିଁ I ବାହାଘର ପରେ ବହୁତ ଚେଷ୍ଟା କରିଥିଲି ତଥାପି ସଫଳ ହେଲି ନାହିଁ I ହେଇଥିବ, ଭଲ ପାଇବା ଓ ପ୍ରେମ କରିବା ଅଲଗା ବୋଲି ମାନିର ଅଭିଧାନରେ ଲେଖାଥିବ I

                                ସେ ଜବରଦସ୍ତି ଖୋଇବାକୁ ନେଲା I ଅତି ରାଜକୀୟ ଖାଦ୍ୟ I ମତେ କିଛି ଭଲ ଲାଗୁ ନଥିଲା I କିପରି, ପଚାରିବି ଭାବୁଥିଲି I

                               ଉଠିବା ବେଳକୁ ପଚାରିଲି “ମାନି ସତ କହ, ତୁ କାହାର ବିଧବା ହେଲୁ ଓ କାହାକୁ ଶ୍ରାଧ୍ୟ  ଦେଲୁ” ?

                               ମାନି ରଙ୍ଗା ଆଖିରେ ମତେ ଦେଖିଲା , ତା ପରେ ଶାଢୀ କାନି ଅଣ୍ଟିରେ ଗୁଡେଇ “କଣ କହିଲୁ ରେ …….” କହି ଖେଦି ଆସିଲା I ମୁଁ ପ୍ରାଣ ବିକଳରେ ଲିଫ୍ଟ କୁ ଅପେକ୍ଷା ନ କରି ଶିଡିରେ ଦୌଡି ଦୌଡି ତଳକୁ ପଳେଇ ଆସିଲି I

ପ୍ରଥମରୁ କହି ଥିଲି ନା , ମାନି ଉଦଣ୍ଡି I ମାନି ରଣଚଣ୍ଡୀ I

***********************

ରଚନା କାଳ ଅକ୍ଟୋବର 2020

     ଆମ୍ରି ହସ୍ପିଟାଲ


Rate this content
Log in

Similar oriya story from Classics