ଚରିତ୍ରହୀନ
ଚରିତ୍ରହୀନ
‘ବାପାଙ୍କ କଥା କଣ କରିବା’ ?
ସାଧନା , ସନ୍ଧ୍ୟା ବେଳେ ବାଲକୋନୀରେ ବସି ଚା ପିଇଲା ବେଳେ ସୁଧୀରଙ୍କୁ ପଚାରିଲା ।
‘ବାପା କୋଉଠି ଅଛନ୍ତି’ ? ସୁଧୀର ପଚାରିଲା ।
‘ସାମ୍ନା ପାର୍କରେ ଚାଲୁଛନ୍ତି’ । ଟିକେ ସାମ୍ନା କୁ ଝୁଙ୍କି ଉତ୍ତର ଦେଲା, ସାଧନା ।
ସେମାନେ ଭାବୁଥିଲେ, ବାପାଙ୍କ ବିଷୟରେ ଏଇ ଭଳି ଗୁରୁତ୍ଵପୂର୍ଣ୍ଣ ଆଲୋଚନା ଲାଗି ସେଇ ସମୟଠାରୁ ବୋଧେ ଆଉ ଭଲ ସମୟ ନାହିଁ , ।
ସୁଧୀର ପଚାରୁଥିଲା ବାପାଙ୍କର ବେଙ୍ଗାଲୁରୁ ଆସିବା କେତେ ଦିନ ହେଲାଣି ? ତୁମର ମନେ ପଡୁଛି କି ?
ସାହିଲକୁ ପନ୍ଦର ବର୍ଷ ହେଲାଣି । ସେତେବେଳେ ତାକୁ ଦୁଇ ପୁରି କି ତିନି ଚାଲୁଥିଲା , ଆମେ ସେପଟେ ଭଡା ଘରେ ଥିଲେ , ମା’ ଙ୍କର ଶୁଦ୍ଧି କ୍ରିୟା କରିବା ପାଇଁ ଆମେ ଯାଇଥିଲେ , ସେଇଠୁ ସେ ଆସିଛନ୍ତି ଯେ ଆଉ ଜମା ଏଇଠୁ ଯାଇ ନାହାନ୍ତି । ସାଧନାର ସଂକ୍ଷିପ୍ତ ଉତ୍ତର ।
ବାପା କଣ ଆଉ ଓଡ଼ିଶା ଯିବାକୁ ଖୋଜିବେ ? ଏତେ ଦିନ ଏପଟରେ ରହି ଗଲେଣି . . . ସୁଧୀର ଅନୁନାସିକ ସ୍ଵରରେ କହିଲା ।
ତୁମେ ଏତେ ବେଶି ସେ ବିଷୟରେ ମୁଣ୍ଡ ଖେଳାଅ ନାହିଁ । ସାଧନା ଅର୍ଦ୍ଧ ତାଗିଦ ଭରା ଗଳାରେ କହିଲା । ବାପା ଗାଁ ଗଣ୍ଡାର ମଣିଷ , ସେଇ ଜଳ ବାୟୁରେ ସେ ବଢିଛନ୍ତି । ଏଠି ଯେତେ ସୁବିଧା ଥିଲେ ବି ତାଙ୍କ ମନ କଣ ଲାଗୁଥିବ । ସେ ତୁମକୁ କିଛି ସିନା କହୁ ନାହାନ୍ତି କିନ୍ତୁ ସେ ମନେ ମନେ ତାଙ୍କ ସାଙ୍ଗ ସାଥିଙ୍କୁ ଖୋଜୁଛନ୍ତି । ମୁଁ ତାଙ୍କ ମନ କଥା ଠିକ ବୁଝୁଛି । ଏତେ ବେଶି ଭାବିବା, ତୁମର ଦରକାର ନାହିଁ ।
ସୁଧୀର ଭାବୁଥିଲା , ସାଧନା ବୋହୁ ହେଇ କିପରି ବାପାଙ୍କ ମନ କଥା ବୁଝି ପାରିଲା , ସେ ପୁଅ ହେଇ ପାରୁନାହିଁ ।
ଆଉଥରେ ଦୁର୍ବଳ ଯୁକ୍ତିଟିଏ ଦେଲା – ସାହିଲ କିପରି ଏକା ରହିବ । ସେ ବାପାଙ୍କର ଅତି ଅନୁରକ୍ତ । ବାପା ଆସିବା ଦିନରୁ ସବୁ ତାଙ୍କ ପାଖରେ କରିଛି । ଆମେ ଦୁଇଜଣ ଅଫିସ ବାହାରି ଗଲା ପରେ ତାର ଗାଧୁଆ , ଖିଆ , ପିଆ , ଔଷଧ , ପାଠ , ସ୍କୁଲ , ଖେଳା ବୁଲା, ଶୁଆ , ବସା ସବୁ ତାଙ୍କ ହାତ ଧରି ଧରି ସେ କରିଛି । ସେ କିପରି ଏକୁଟିଆ ରହିବ ।
ସାଧନା ହସି ହସି କହିଲା , ତୁମେ କିଛି ବୁଝିନ ବୋଧେ – ସାହିଲ ଆଜିକାଲି ତା ଜେଜେଙ୍କ ଉପରେ ଭାରି ଚିଡ଼ୁଛି , ସେ ତାକୁ ବେଶି ଆକଟ କରୁଛନ୍ତି । ମୋବାଇଲ ଧରିଲେ ଜେଜେ ରାଗୁଛନ୍ତି ବୋଲି କହୁଥିଲା । ଜେଜେଙ୍କୁ କୁଆଡେ ପଠେଇ ଦିଅ ବୋଲି କହୁଛି ।
ସୁଧୀର କହିଲା – ଆମେ ଦୁଇଜଣ ଘରୁ ବାହାରି ଯିବା ପରେ ସାହିଲ କଥା କିଏ ବୁଝିବ । ସିଏ ତ ଏତେ ବଡ ହେଇନି ଯେ ନିଜେ ସବୁ କରିଯିବ । ଟିକେ ପରିସ୍ଥିତି ବୁଝିବାକୁ ଚେଷ୍ଟା କର ।
ସାଧନା ଅଳ୍ପ ହସି କହିଲା , ମା ପରା ଆର ମାସ ଅବସର ନେବେ । ସେ ତ ଅଧ୍ୟାପିକା , ଏକୁଟିଆ ଲୋକ ଏଇଠି ଆସି ରହିବେ ବୋଲି ମତେ କଥା ଦେଇଛନ୍ତି । ବାପା ତୁମର ସ୍କୁଲ ଶିକ୍ଷକ , ସେ କଣ ଆଉ ସାହିଲର ପାଠ ଦେଖି ପାରିବେ ? ସାହିଲ ବି ଇଚ୍ଛା କରୁଛି ତା ଆଇ ଆସି ଏଇଠି ରହନ୍ତୁ ।
ସୁଧୀର କହିଲା – ଆମର ଏତେ ବଡ ଘର , ଉପର ମହଲାରେ ଦୁଇ ଜଣ କଣ ରହି ପାରିବେ ନାହିଁ ।
ସାଧନା ଯେମିତି ଚମକି ପଡିଲା ।
କହିଲା , ତୁମ ବାପାଙ୍କ ଚରିତ୍ର କଣ ତୁମେ ଜାଣିନ ? ତୁମ ମା ପରା ପ୍ରମାଣପତ୍ର ଦେଇ ଯାଇଛନ୍ତି । ଏଭଳି ପ୍ରସ୍ତାବ କିପରି ତୁମ ମୁଣ୍ଡକୁ ଆସିଲା । ମୋ , ମା ତ କଦାପି ରାଜି ହବ ନାହିଁ । ମୁଁ ବି କିଭଳି ତାକୁ ଡାକିବି ।
ସୁଧୀର ମୁଣ୍ଡ ତଳକୁ କରି ଉଠିଗଲା ।
ରାତିରେ ସୁଧୀର ଛାତ ଉପରେ ବୁଲୁ ବୁଲୁ ଅନେକ କିଛି ଭାବୁଥିଲା । ବାପା କେତେ ସହନଶୀଳ । ସବୁ କଥାକୁ ହଃ ! କହି ଉଡେଇ ଦିଅନ୍ତି । ସେ ନୂଆ କି ବେଙ୍ଗଲୁରୁରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ପାଇବା ପରେ ସାଙ୍ଗରେ ମା’କୁ ନେଇ ଆସିଥିଲା । ତା ପରେ ସେ ନିଜ ଇଚ୍ଛାରେ ସମାନ କମ୍ପାନୀରେ କାମ କରୁଥିବା ନିଜ ସହକର୍ମୀକୁ ବାହା ହେବାକୁ ଯେତେବେଳେ ଇଚ୍ଛା କଲା , ମା ସ୍ଵୀକୃତି ଦେଇଥିଲେ , ବାପାଙ୍କୁ କେବଳ ଔପଚାରିକ ଭାବେ ସବୁ ଠିକ ହେବା ପରେ ପଚାରିଥିଲେ । ମା ସେତେବେଳେ ବାପାଙ୍କ ଉପରେ ସବୁବେଳେ ରାଗି ଗର ଗର ହେଉଥିଲା ବାପାଙ୍କର ସନା ବୋଉ ସହ ସମ୍ପର୍କକୁ ନେଇ କି ।
ଅନେକ ଥର ସେ ମା କୁ ବୁଝେଇବାକୁ ଚେଷ୍ଟା କରିଛି “ତୁ ଯାହା ଭାବୁଛୁ ତା ହେଇ ନଥିବ” , ବାହାର ଲୋକଙ୍କ କଥା ଶୁଣୁନା । ଲୋକମାନଙ୍କ କାମ ହେଉଛି ଏମିତି ଗୁଜବ କରିବା । ହେଲେ ମା ବୁଝେ ନାହିଁ । ଓଲଟା ତାକୁ ରାଗି ଗାଳି ଦିଏ ।
ସେ ଯାହା ଗାଁ ଲୋକଙ୍କ ପାଖରୁ ଶୁଣିଥିଲା - ବାପାଙ୍କର ଥରେ ଇଲେକ୍ସନ ଡିଉଟି ପଡିଥିଲା ଏକ ଅତି ସମ୍ବେଦନଶୀଳ ଅଞ୍ଚଳରେ । ତାଙ୍କ ସହ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ଥିଲେ । ବହୁତ ଗଣ୍ଡଗୋଳ ସେଇଠି ହେଲା , ବାଲଟ ବାକ୍ସକୁ ବଞ୍ଚେଇବାକୁ ଯାଇ ସମ୍ପୃକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଣଙ୍କ ଗଭୀର ଆଘାତ ପ୍ରାପ୍ତ ହେଲା । ଯେଉଁଥିରେ ପରେ ତାର ଜୀବନ ଚାଲିଗଲା । ଯଦିଓ ବାଲଟ ବାକ୍ସ ତା ବାପାଙ୍କର ରକ୍ଷା କରିବା କଥା କିନ୍ତୁ ସେ କିଛି କରି ପାରି ନଥିଲେ । ମାନସିକ ଗ୍ଲାନିରେ ଜୁଡୁବୁଡୁ ବାପା, ଚେଷ୍ଟା କରି ତାର ସ୍ତ୍ରୀକୁ ନିଜ ବିଦ୍ୟାଳୟରେ ପୁନର୍ବାସରେ ଚପରାଶି ଚାକିରି କରେଇ ଦେଇଥିଲେ । ସନାତନ ତାରି ପୁଅ । ହାଇସ୍କୁଲ ରେ ପଢୁଥିଲା । ସନାତନ ତଳେ ଆହୁରି ଗୋଟେ ଝିଅ ବି ତାଙ୍କର ଥିଲା। ବାପା ସେମାନଙ୍କର ହାନି ଲାଭ ବୁଝନ୍ତି । ତାଙ୍କ ପିଲା ମାନେ କିପରି ମଣିଷ ହେବେ ତଦାରଖ ବି କରନ୍ତି । ଆର୍ଥିକ ସାହାଯ୍ୟ ମଧ୍ୟ କରନ୍ତି । ସେ ସବୁ ଠିକ କଥା ଯେ , କିନ୍ତୁ ମଝିରେ ମଝିରେ ବାପା ତାଙ୍କ ଘରକୁ ଯୋଉ ଯିବା ଆସିବା କରନ୍ତି ସେଇଟା ମା ଜମା ସହ୍ୟ କରି ପାରେ ନାହିଁ । ବାପା ବି ବିଶେଷ କିଛି କହନ୍ତି ନାହିଁ । ଚୁପ୍ ରହନ୍ତି । ଏବେ ସୁଧୀର ଭାବେ, ମା’ ତ ଅଧେ ସମୟ ଘରେ ରହେ ନାହିଁ । କେବେ ନିଜ ଭାଇ ମାନଙ୍କ ପାଖରେ ତ ଆଉ କେବେ ଭଉଣୀ ପାଖରେ । ସେ ଚାକିରି କରିବା ଦିନରୁ ତା ପାଖରେ । ଏକୁଟିଆ ମଣିଷଟେ ଆଉ କ’ଣ କରିବେ ।
ବାପାଙ୍କ ଅବସର ନେବା ପରେ ପରେ ମା ସବୁ ବେଳେ ଝଗଡା କରୁଥିଲା ଓ କହୁଥିଲା ଶୀଘ୍ର ଘର ଚାବି ଦେଇ ପୁଅ ପାଖକୁ ପଳେଇ ଆସ । ବାପା କେବଳ କହୁଥିଲେ ହଉ ଯିବା । ସାଧନା ସବୁ ବିଷୟରେ ଜାଣୁଥିଲା ଓ ତାକୁ କହୁଥିଲା ବାପାଙ୍କୁ ବୁଝାଅ । ଗାଁ ରେ ବାର ଲୋକ ବାର କଥା କହୁଥିବେ । ମା ସମ୍ଭାଳି ପାରୁ ନାହାନ୍ତି । ଏମିତି ବାପାଙ୍କର ଆସିବାର ଯୋଗାଡ଼ ଚାଲୁଥିବା ବେଳେ ମା ଉପରକୁ ଚାଲିଗଲା । ମା’ର ଶୁଦ୍ଧି କ୍ରିୟାରେ ସେ ଓ ସାଧନା ବାପାଙ୍କ ପାଖରେ କଥା ରଖିଥିଲେ ବେଙ୍ଗାଲୁରୁ ଯିବା କଥା । ଯୁକ୍ତି ଥିଲା , ସାହିଲ ଅତି ସାନ । କେହି ଜଣେ ତାଙ୍କ ପାଖରେ ରହିବା ଦରକାର । ଅନ୍ୟ ଉଦ୍ଦେଶ୍ୟ ଥିଲା ବାପାଙ୍କୁ ସେ ମାହୋଲରୁ ବାହାର କରି ଆଣିବା । ବାପା ଆଉ କିଛି ନକହି ନିଜର ସ୍ୱଳ୍ପ ଜିନିଷ ପତ୍ର ବନ୍ଧା ବନ୍ଧି କରିଥିଲେ । ଘର ଚାବି ନିଜ ଭାଇ ମାନଙ୍କ ହାତରେ ନ ଦେଇ ସନା ବୋଉ କୁ ଦେଇ ବାହାରି ଆସିଥିଲେ । ସେଇ ଯେ ଆସିଛନ୍ତି ଆଉ କେବେ ଯିବା ନା ଧରି ନାହାନ୍ତି । ସାହିଲ ବଡ ହେଇ ଯାଇଛି । ଭଲ ପାଠ ବି ପଢୁଛି । ସେମାନଙ୍କର ନିଜ ଘର ବି ହେଇ ଯାଇଛି । ବାପା ନିଜେ ଠିଆ ହେଇ କରେଇଛନ୍ତି । ଘରର ସବୁଠି ତାଙ୍କ ହାତର ସ୍ପର୍ଶ । ଘରର ସବୁ ଦାଇତ୍ଵ ସ୍ଵଇଚ୍ଛାରେ ଗ୍ରହଣ କରି ନେଇଛନ୍ତି । ଏମିତି ବି ସମୟ ଆସିଛି ସେମାନେ ଦୁଇଜଣ ଥର ଥର କରି ଅନେକ ଦିନ ଲାଗି ବିଦେଶ ଯାଇଛନ୍ତି , ବାପା ଙ୍କ ପାଖରେ ସାହିଲ ରହିଛନ୍ତି । ନା କେବେ ଅଭିଯୋଗ ନ ଅଭିମାନ । ସେ ନିଜେ କେବେ ବି ଜାଣେନି , ବିଜୁଳି ବିଲ କେବେ ଦିଆଗଲା ବା ପରିବା ପତ୍ର କେବେ ଆସିବ ଇତ୍ୟାଦି । ସବୁ ଦାଇତ୍ଵ ନିଜ ମୁଣ୍ଡକୁ ନେଇ ଯାଇଥିଲେ ବାପା । ସୁଧୀର କଣ କରିବ କିପରି ବାପାଙ୍କୁ କହିବ ବୁଝି ପାରୁନଥିଲା । ନିଜକୁ ଦୋଷୀ ଭାବୁଥିଲା ।
ରାତି ଅଧିକା ହେଇ ଯାଇଥିଲା । ତା ପରଦିନ ସକାଳେ ଚା ପିଉଥିବା ବେଳେ ସାଧନା କହିଲା “ ଜାଣିଛ , ସରକାର ତୁମ ଗାଁ ପାଖରେ ଗୋଟେ ନୂଆ ମେଡ଼ିକାଲ କଲେଜ ଉଦ୍ଘାଟନ କରିଲେ । ଲୋକଙ୍କୁ ଆଉ ହଇରାଣ ହେଇ କଟକ କି ରାଜଧାନୀ ଆସିବାକୁ ପଡିବନି । ଆମର ଏଠି ବରଂ ଚିକିତ୍ସାରେ ଅସୁବିଧା ହେଉଛି , ତୁମ ଗାଁରେ କିନ୍ତୁ ହବ ନାହିଁ । ବାପା କେବଳ ହଃ ! ବୋଲି କହି ଚୁପ ରହିଲେ ।
ଆହୁରି କିଛି ଦିନ ଚାଲିଗଲା । ସାଧନା ଦିନକୁ ଦିନ ଘୋର ଅଶାନ୍ତି ହେଉଥିଲା । ସୁଧୀରକୁ କହୁଥିଲା, ଜାଣିଛ ବାପାଙ୍କର ଏବେ ଧୋତିରେ ପରିଶ୍ରା ହେଇ ଯାଉଛି ବାଥରୂମ ଯିବା ବେଳେ । ପ୍ରୋଷ୍ଟ୍ରେଟ ଔଷଧ ବୋଧେ ଭୁଲି ଯାଉଛନ୍ତି ଖାଇବା ପାଇଁ । ହାତ ଆଜିକାଲି ଥରୁଛି ବେଶି , ତଳେ ଚା ପକେଇ ଦେଉଛନ୍ତି । ସାହିଲ ବିରକ୍ତ ହେଉଛି । ଜେଜେଙ୍କ ରୁମ୍ ଛାଡି ଅଲଗା ରୁମ୍ ରେ ଶୋଇବାକୁ କହୁଛି । କେମିତି କଣ ସବୁ ମେନେଜ କରାହବ ? ଏଇଭଳି ଅନେକ କିଛି ସମାଧାନ ବିହିନ ସମସ୍ୟା ସବୁ କହି ସୁଧୀରକୁ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ କରି ପକଉଥିଲା ।
ସେଦିନ ଅଫିସରୁ ଫେରିଲା ବେଳକୁ ସାଧନାର ମୁହଁରେ କଳା ହାଣ୍ଡିଆ ମେଘ ପରିବର୍ତେ ମଲ୍ଲୀ ଫୁଲିଆ ହସ ଦେଖି ସେ ପୁରା ଘାବରେଇ ଗଲା । ଭାବୁଥିଲା କି ଚମତ୍କାର ହେଲା କେଜାଣି ।
ସାଧନା ଆଉ ଅପେକ୍ଷା ନ କରି କହିଲା ଜାଣିଲ ଆଜି ସନା ବୋଉ ଫୋନ କରିଥିଲା । ସେ ବାପାଙ୍କ ବିଷୟରେ ପଚାରୁଥିଲା । ଦେହ ଖବର ଶୁଣି ଭାରି ବ୍ୟସ୍ତ ହେଲା ଓ କହିଲା ତୁମେ ମାନେ ପିଲା ଲୋକ ବୁଢା ବୁଢୀଙ୍କ ଦେହ ପା କଥା ବୁଝି ପାରିବ ନାହିଁ । ତାଙ୍କର ଭାରି ଆଦର ଯତ୍ନ ଦରକାର । ତା ଉପରେ ତୁମେ ଦୁଇ ଜଣ ଚାକିରି କରିଛ । କେତେ ଆଉ ହଇରାଣ ହେବ । ଇଆଡେ ଆମର ସବୁ ସୁବିଧା ହେଲାଣି । ଯଦି ସେ ରାଜି ହୁଅନ୍ତି ତେବେ ତାଙ୍କୁ ଏଇଠିକି ପଠେଇ ଦିଅ । ମୁଁ, ହଁ ମାରିଦେଇ କହିଲି ଆମେ ସବୁ ମାସ ପଇସା ପଠେଇ ଦବୁ । ସେ ମନା କଲେ କହିଲେ ସନା ଆଜିକାଲି ଜଣେ ସଫଳ ଉଦ୍ୟୋଗୀ । କିଛି ଦରକାର ନାହିଁ । କି ଉଦ୍ୟୋଗୀ କେଜାଣି ? ସନା ବୋଉବି ବାପାଙ୍କ ସାଙ୍ଗରେ କଥା ହେଲେ କିଛି ସମୟ । ବାପା ତାଙ୍କ କଥା ଶୁଣି କେବଳ ହଃ ! ବୋଲି କହି ନିରୁତ୍ତର ରହିଲେ ।
ସୁଧୀର ବିରକ୍ତ ହେଇ କହିଲା ସେଇ ସନା ବୋଉ ପାଖରୁ ଚରିତ୍ରର ଦ୍ଵାହି ଦେଇ ବାପାଙ୍କୁ ଆମେ ନେଇ ଆସିଥିଲେ ପରା , ଏବେ ଲୋକେ କଣ କହିବେ ?
ସାଧନା ଭୁବନ ମୋହିନୀ ହସ ହସି କହିଲେ ପଚସ୍ତୋରି – ଅଶି ବର୍ଷରେ ଆଉ ଚରିତ୍ରର କି ମାନେ ଥାଏ ? ଲୋକେ ତ ଫେରେ ଚବିଶ ଘଣ୍ଟିଆ ସେବିକା ରଖୁଛନ୍ତି । ଏ ମଧ୍ୟ ସେଇ ଭଳି ଏକ ବ୍ୟବସ୍ତା । ତା ଛଡା ତୁମ ସାନ ବୋଉ ବି ପର ପାରିରେ , ସେଇ ତ ସବୁଠୁ ବେଶି କହୁଥିଲେ । ଆଉ ବେଶି ଭାବ ନାହିଁ । ବାପାଙ୍କ ସହ କଥା ହୁଅ ।
ଦିନେ ସମୟ ସୁବିଧା ଦେଖି ସୁଧୀର ବାପାଙ୍କୁ କହିଲା , ତୁମେ ଏଠି ରହି ବିରକ୍ତ ହେଇ ଯିବଣି, କିଛି ଦିନ ଯାଇ ଗାଁ ରେ ରୁହ । ନିଜ ଲୋକଙ୍କୁ ଦେଖିଲେ ଭଲ ଲାଗିବ ।
ବାପା ଯେମିତି ଏ ଶୀତଳ ଯୁଦ୍ଧର ଆଭାଷ ପାଇ ସାରିଥିଲେ ।
କହିଲେ , ହଁ ରେ ମୁଁ ବି ସେଇଆ ଭାବୁଥିଲି । ସେଦିନ ସନା ବୋଉ ଫୋନ କରିଥିଲା , କହୁଥିଲା ‘ସେଇ ଯେ ଆପଣ ଯାଇଛନ୍ତି ଦଶ ପନ୍ଦର ବର୍ଷ ହେଲାଣି , ଟିକେ ଆସନ୍ତୁ । ଘରଦ୍ଵାର ଜଗି ଜଗି ମୁଁ ହାଲିଆ ହେଇ ଗଲିଣି ‘।
ଏବେ ସୁଧୀର ଓ ସାଧନାକୁ ସନା ବୋଉ ନାଁ ଟା ଏତେ ଖରାପ ଶୁଭୁ ନଥିଲା ବରଂ କେମିତି ମୂଳାୟମ ଲାଗୁଥିଲା । ସାଧନା ଆଗଭର ହେଇ କହିଲା , ‘ମୁଁ କହୁ ନଥିଲି ଗାଁ କୁ ଗଲେ ବାପା କେତେ ଭଲରେ ରହିବେ । ଆର ସପ୍ତାହରୁ ପୂଜା ଛୁଟି ଆରମ୍ଭ ହେବ, ସମସ୍ତେ ଯିବା ଗାଁ ସହ ଟିକେ ପୁରୀ ବୁଲି ଆସିବା’ ।
ସମୟ ଆସିଗଲା , ସମସ୍ତେ ବେଙ୍ଗଲୁରୁରୁ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚି ଗଲେ । ସୁଧୀର ବାହାରି ଟ୍ୟାକ୍ସି ଖୋଜିବାକୁ ଯିବା ବେଳକୁ ଦେଖିଲା ଜଣେ ସୌମ୍ୟ ଦର୍ଶନ ଯୁବକ ବାପାଙ୍କ ନାମ ଲେଖା ହେଇଥିବା କାର୍ଡ ଧରି ଠିଆ ହେଇଛନ୍ତି । ପାଖକୁ ଯାଇ ପଚାରିବାରୁ ତାଙ୍କ ନାମ ସନାତନ ଓ ସେ ବାପାଙ୍କୁ ନେବାକୁ ଆସିଛନ୍ତି ବୋଲି କହିଲେ । ଏକ ଖୁବ ଦାମିକା ଭ୍ୟାନରେ ଯିବା ବେଳେ ସାଧନା ସମ୍ଭାଳି ନପାରି ପଚାରିଲା ତୁମେ କି ଉଦ୍ୟୋଗରେ ଅଛ । ସନାତନ ବାପାଙ୍କ ଆଡକୁ ଆଙ୍ଗୁଳି ଦେଖେଇ କହିଲା ସବୁ ମଉସାଙ୍କ ଆଶୀର୍ବାଦ । ଚିଙ୍ଗୁଡି ବ୍ୟବସାୟରେ ଅଛି, ପୁରା ବିଦେଶକୁ ରପ୍ତାନି ଭିତ୍ତିକ । ରାଜନୀତି ରେ ରୁଚି ବି ରଖେ । ଏମିତି ସବୁ ଗପୁଥିଲା, କିପରି ଚିଙ୍ଗୁଡି ବ୍ୟବସାୟରେ ପ୍ରଚୁର ମୁନାଫା ମିଳୁଛି ବେଳେ ବେଳେ । ପରିଶ୍ରମ ମଧ୍ୟ ଅନେକ କରିବାକୁ ପଡୁଛି ଇତ୍ୟାଦି । ଗାଁ ପାଖ ହେଇ ଆସୁଥିଲା , ରାସ୍ତା କଡରେ ବିରାଟ ଜାଗାରେ ଗୋଟେ ସେଡ ଦେଖେଇ କହିଲା ଏଇଟା ମୋର ଚିଙ୍ଗୁଡି ପ୍ରକ୍ରିୟା କରଣ ପ୍ଳାଣ୍ଟ ଆଉ ଟିକେ ଆଗରେ ଆମ, ମାନେ ମଉଷାଙ୍କ ଘର ।
ହତା ଭିତରକୁ ଗାଡି ପଶୁଥିଲା ।
ଘର ନୁହେଁ ତ , ମହଲ । ବଗିଚା , ପୁଲ ସବୁ ଥିଲା । ଆଉ ସାଙ୍ଗରେ ଆହୁରି ଦୁଇଟି ଦାମିକା ଗାଡି ଥୁଆ ହେଇଥିଲା । ଅନେକ ଲୋକ କାମ କରୁଥିଲେ ।
ସୁଧୀର ପଚାରୁଥିଲା ଆମର ଏକ ମହଲା ଘରଟି କୁଆଡେ ଗଲା ।
ସନାତନ କହୁଥିଲା , ଏଇଟା ତ ଆପଣଙ୍କର ଘର । ମଉଷାଙ୍କୁ ପଚାରି ସେଇ ଘର ଭାଙ୍ଗି ପାଖରେ ଥିବା ଖାଲି ଜାଗାକୁ ମିଶେଇ ଏଇ ଘରଟି ତିଆରି ହେଇଛି ।
ସାହିଲ ଯାଇ ପୁଲ ରେ ଗାଧୁଆ ଆରମ୍ଭ କରି ଦେଇଥିଲା । ସନା ବୋଉ ବାପାଙ୍କ ହାତ ଧରି ଧୀରେ ଧୀରେ ପାହାଚ ଚଢେଇ ଉପରକୁ ନେଇ ଯାଉଥିଲା । ସନାତନ କହୁଥିଲା ସମୟ ହେଲାନି , ନ ହେଲେ କ୍ୟାପଶୁଲ ଇଲେଭେଟରଟା ଲାଗି ଯାଇଥାନ୍ତା । ଇମପୋର୍ଟ ହେଇ ଆସିବ , ତେବେ ଆପଣ ମାନେ ବେଙ୍ଗଲୁରୁ ଫେରିବା ପୂର୍ବରୁ ଲାଗିଯିବ । ସନାତନର ସ୍ତ୍ରୀ ଆସି , ସାଧନାକୁ ସେମାନଙ୍କ ରୁମକୁ ନେଇଗଲା । ତାର ଅତ୍ୟନ୍ତ ସମ୍ଭ୍ରାନ୍ତ ଚେହେରା ଓ ଆଭିଜାତ୍ୟପୂର୍ଣ ଅଥଚ ଅମାୟିକ ବ୍ୟବହାରରେ ସାଧନାକୁ ଖୁବ ଛୋଟ ଲାଗୁଥିଲା । ଚରିତ୍ର ବିଷୟରେ ଦେଇଥିବା ଟିପ୍ପଣୀ କଥା ଭାବି ନିଜକୁ ନିଜେ ଅପମାନିତ ଲାଗୁଥିଲା ।
ସନାତନ ଗାଡି ଓ ଡ୍ରାଇଭର ସହ ସେମାନଙ୍କର ପୁରୀ , କୋଣାର୍କ , ଚିଲିକା , ଗୋପାଳପୁର ଇତ୍ୟାଦି ବୁଲେଇବା ଓ ରହିବାର ସୁବନ୍ଦୋବସ୍ତ କରି ଦେଇଥିଲା । ବାଟରେ ଗଲା ବେଳେ ସାହିଲ ତା ମା କୁ କହୁଥିଲା “ମାମା , ଆମର ଏତେ ରିଚ୍ କଜିନ ଅଛନ୍ତି କାହିଁ ତ କେବେ କହି ନଥିଲ । ଏମିତି ଗୋଟେ ଲାଣ୍ଡରୋଭାର ଗାଡିରେ ମୋର ଜଣେ ସାଙ୍ଗ ଆସେ । ମୁଁ ଏବେ ଯାଇ କହିବି ମୋ ଅଙ୍କଲଙ୍କର ବି ସେମିତି ଗାଡି ଅଛି” । ସାଧନା ଝରକା ବାଟେ ଦୂରକୁ ଧାଇଁ ପଳଉଥିବା ଗଛମାନଙ୍କୁ ଚାହିଁ ରହିଥିଲା । ତା ମୁଣ୍ଡକୁ କିଛି ବି ଭାବନା ଆସୁ ନଥିଲା । ସେ ଚରିତ୍ରର ସଂଜ୍ଞା ନିରୂପଣ କରିବାକୁ ଚେଷ୍ଟା କରୁଥିଲା ।
ଚାରିଦିନର ବୁଲା ବୁଲି ପରେ ସେମାନେ ଫେରି ଆସିଥିଲେ । ତା ପରଦିନ ସକାଳେ ବାପାଙ୍କୁ ଏକ ଭିନ୍ନ ଅବତାରରେ ଦେଖିଲେ । ସେ ବଗିଚାରେ ସଫା ଧୋତି ଓ ପଞ୍ଜାବୀ ପିନ୍ଧି ବସିଥିଲେ , ସାମ୍ନା ରେ ସମସାମୟିକ କିଛି ଲୋକ ଚେୟାରରେ ବସିଥିଲେ, ସନା ବୋଉ ସମସ୍ତଙ୍କୁ ନିଜ ହାତରେ ଚା ପରସି ଦେଉଥିଲେ। ବାପା କହୁଥିଲେ, ପୁଅ ବୋହୁ ଆଉ ଦୁଇ ଦିନ ପରେ ପଳେଇବେ, କାଲି ଗାଁ ସାରା ସମସ୍ତେ ଏଇଠି ଖିଆ ପିଆ କରନ୍ତୁ । ସନା ବୋଉ ନୀରବରେ ସମ୍ମତି ଦେଉଥିଲେ ।
ଯିବା ଦିନ ବିଦାୟ ବେଳେ ସୁଧୀର ଓ ସାଧନା କହିଲେ ବାପା ଆମେ ଡିସେମ୍ବର ମାସରେ ଆଉଥରେ ଆସିବୁ , ବାପା କେବଳ ହଃ ! ବୋଲି କହି ନିରୁତ୍ତର ରହିଲେ ।
ସେ ସବୁ ଦିନେ ସେମିତି ନିର୍ବିକାର ।
କେଜାଣି ବାପା ମାନେ ବୋଧେ ସେମିତି ହୋଇଥାନ୍ତି ।
ଜଗତସିଂହପୁର
ରଚନା କାଳ – ଜାନୁଆରୀ ୨୦୨୨
© ସମ୍ବିତ କୁମାର ମିଶ୍ର
