STORYMIRROR

Sambit Mishra

Classics

4  

Sambit Mishra

Classics

ସେଇ ଚାରି ଖଣ୍ଡି ଚିଠି

ସେଇ ଚାରି ଖଣ୍ଡି ଚିଠି

12 mins
276

        ଫୋନ ରିଙ୍ଗ୍ ହେଉ ଥିଲା I କାମ ଭିତରେ ଫୋନ ଆସିଲେ ମତେ ଭାରି ଖରାପ ଲାଗେ I ଅଳ୍ପ ବିରକ୍ତ ହେଇ ଫୋନ ଦେଖିଲା ବେଳକୁ ସୂର୍ଯ୍ୟ ମାମୁଁଙ୍କ ନାମ I ସଞ୍ଜତ ହେଇ ଉଠେଇଲି I ସେମିତି ଦାମ୍ଭିକ ଓ ଆଦେଶ ଦେଲା ଭଳି ସ୍ଵର I

        ‘ବାଦୁ ‘କିରେ, କୋଊଠି ଅଛୁ? କଣ କରୁଛୁ ? ତୁ ଆସି ପାରିବୁ I

        ମାମୁଁ , ଦୁଇ ଦିନ ତଳେ ଯାଇ ଥିଲି ପା I

        ମୁଁ ଆଜି ଫେକ୍ଟରୀ ରେ ଅଛି I ବାହାରୁ ଇଞ୍ଜିନିଅର ଆସିଛନ୍ତି I ନୂଆ ମେସିନ ବସୁଛି I ବହୁତ କାମ I

        ନା, ଟିକେ ଆସିଥିଲେ ଭଲ ହୋଇଥାନ୍ତା I ଗୋଟେ ଜରୁରୀ କାମ ଥିଲା I ଫୋନ ରଖିଦେଲେ I

        ସୂର୍ଯ୍ୟ ମାମୁଁ ଡାକ୍ତର I ସର୍ଜନ I ମାଇଁ ବି ଡାକ୍ତରାଣୀ I ମହିଳା ବିଭାଗ I ମିଳି ମିଶି ଗୋଟେ ହସ୍ପିଟାଲ କରିଛନ୍ତି I ଆଉ କିଛି ଡାକ୍ତର ବି ଆସନ୍ତି I ବେପାର ଭଲ ଜମେ I କିନ୍ତୁ ସୂର୍ଯ୍ୟ ମାମୁଁଙ୍କର ଗୋଟେ ବଡ ଆଳୁ ଦୋଷ I ସବୁ କଥାରେ ଝଗଡା କରିଦେବେ I କେବଳ ହାତ ଭଲ ପାଇଁ ଅନେକ ଜାଗାରେ ରକ୍ଷା ପାଇଯାନ୍ତି I ବହୁ ସମୟରେ ମତେ ଯାଇ ଗଣ୍ଡଗୋଳ ସମାଧାନ କରିବାକୁ ପଡେ I ଭାବିଲି ଆଉ ଗୋଟେ କିଛି ସେମିତି କାଣ୍ଡ କରି ଦେଇଛନ୍ତି I ଏ ପର୍ଜୟନ୍ତ ପିଲା ଛୁଆ ନାହିଁ ତେଣୁ ମାଇଁ ସାଙ୍ଗରେ ଝଗଡା କିମ୍ବା ଆଉ କିଛି I

         ଚୁପ୍ ହେଇ କିଛି ସମୟ ବସିଲି I ମନ ଭଲ ଲାଗିଲାନି I ଫୋନ କଲି I ନର୍ସ ଉଠେଇଲା I ବ୍ୟସ୍ତ ଅଛନ୍ତି ଜାଣି କାଟିଦେଲି I ସନ୍ଧ୍ୟା ବେଳକୁ ଆଉଥରେ ଫୋନ ଆସିଲା I

        ପଚାରିଲି ମାମୁଁ , କଣ ହେଇଛି କୁହ I ମୁଁ କାହାକୁ ପଠେଇବି ତୁମ ପାଖକୁ I

        କହିଲେ , ଆରେ ନା, ନା ସେମିତି କିଛି ହେଇ ନାହିଁ I ତୁ ଆସିଲୁନି ଆଜି I କି କାମ କରୁଛୁ ଏତେ I

        ମାମୁଁ, ନିଜ କାମ ଛଡା ଆଉ କେହି ଯେ କାମ କରନ୍ତି ବା ବ୍ୟସ୍ତ ରହନ୍ତି, ସେ କେବେ ଭାବନ୍ତି ନାହିଁ I ତାଙ୍କୁ ବୁଝେଇ କି ଲାଭI  

        ନା ମାମୁଁ , ଏବେ ବି ସରିନାହିଁ I ଆଉ ଦିନେ ବା ଦୁଇ ଦିନ ଲାଗିପାରେ I 

        ତୁ ଟିକେ କାଲି ଆସ I ତିନି ଘଣ୍ଟାର ଡ୍ରାଇଭ I ଆସିକି ଆଉଥରେ ଫେରି ଯାଇ ପାରିବୁ I

        କଣ ହେଇଛି I ବ୍ୟସ୍ତ ଲାଗୁଥିଲା I 

        ସେମିତି କିଛି ନୁହଁ I

        ଆଛା, ତୋର ‘ଇଶ୍ରତ’ କଥା ମନେ ଅଛି ?

        ସେ ଆଡମିସନ ହେଇଛି I ସିରିୟସ କଣ୍ଡିସନ I ଶିଘ୍ର ଅପରେସନ ହବ I

        ମତେ ଆଉ କିଛି ଶୁଭୁ ନଥିଲା I ପାଦ ତଳୁ ମାଟି ଖସୁଥିଲା I କଣ କରିବି ଭାବି ପାରୁ ନଥିଲି I ଏତେ ବର୍ଷ ପରେ ଇଶ୍ରତ କୋଊଠୁ ଟପ୍ କିଲା I ତା ପୁଣି ସୂର୍ଯ୍ୟ ମାମୁଁର ଡାକ୍ତରଖାନାରେ I ମତେ ଭୁତ ଦେଖିଲା ଭଳି ଲାଗୁଥିଲା I ମୋର ଜ୍ୟୋତିଷଙ୍କ ଉପରେ ବିଶ୍ଵାସ I କେଇ ଦିନ ତଳେ ମତେ କହିଥିଲେ , ଶୁକ୍ର ମହାଦଶା ପଡିଛି , ପୁରୁଣା ସମସ୍ୟା ସବୁ ନୂଆ ହେଇ ବାହାରିବ I ମେସିନ ଖରାପ ହୋଇଗଲା I ନୂଆ ଲାଗୁଛି I

        ନା ! ସେଇଟା ଏତେ ବଡ ସମସ୍ୟା ଭଳି ଲାଗିଲାନି I

        ଏଇଟା ହଉଛି ସେଇ ପୁରୁଣା ସମସ୍ୟା ତାହା ହେଲେ !!

        ରାତି ସାରା ନିଦ ହେଲାନି I ବହୁ ପୁରୁଣା କଥା ସବୁ ଗୋଳ ମାଳିଆ ହେଇ ମୁଣ୍ଡକୁ ଖରାପ କରିବାରେ ଲାଗି ଥାଏ I ରାତି ବାରଟା I ଆଉଥରେ ଫୋନ ବାଜିଲା I ସେପଟୁ ମାମୁଁ କହୁଛନ୍ତି , ଶୋଇନାହୁଁ କିରେ ?

        କଣ କହିବି I ଚୁପ୍ ରହିଲି I

        ବୁଝିଲୁ , ଇଶ୍ରତଟା ପୁରା କଙ୍କାଳ ଭଳି ହେଇ ଯାଇଛି I ତାକୁ ଦେଖି ହଉ ନାହିଁ I ମାମୁଁଙ୍କ କଣ୍ଠ ଓଦା ଓଦା ଲାଗୁଥିଲା I ହଉ ତୁ ଶୋଇପଡ I ବହୁତ ରାତି ହେଲାଣି I କାଲି ଆସିଲେ ଦେଖିବୁ I

        ଭାରି ଚିଡି ଲାଗୁଥିଲା I କିଛି କାମ ନାହିଁ , କିଏ ମଣିଷ କିଏ କଙ୍କାଳ ଏଇ ରାତି ଅଧରେ ବସି ଆଲୋଚନା କରୁଛି I ଭଲ ମଣିଷ ସବୁ ମରି ଯାଉଛନ୍ତି , ଇଏ ରାତି ଅଧରେ କଙ୍କାଳ କଥା କହୁଛି I ହେତ୍ ଯିବି ନାହିଁ I ଦି ପେଗ ପରେ ଆଉ ଦି ପେଗ ନେଇ ଶୋଇ ପଡିଲି I

           ଗୋଟିଏ ଛୋଟ ସହର I ଖୁବ ଛୋଟ I ସହର କହି ହେବ ନାହିଁ I ସହର ଭଳି I ସରକାରୀ ଅଫିସ ଯେପରି ବ୍ଲକ , ଡାକ୍ତରଖାନା , ସ୍କୁଲ, ବ୍ୟାଙ୍କ ଓ ଥାନା ଭଳି କିଛି ସଂସ୍ଥା ଥିବା ସହରଟିଏ I ଥାନା ସହରର ଗୋଟେ ମୁଣ୍ଡରେ I ବିରାଟ ଜାଗା ଭିତରେ ଥାନା I ଚାରିପଟେ ତେନ୍ତୁଳି , ଅର୍ଜୁନ ଭଳି ବଡ ବଡ ଦ୍ରୁମ ସବୁ I ମଝିରେ ବହୁତ ବଡ ପଡିଆ I ଖପର ଛାତ ଓ ତଳେ କାଠ ସିଲିଙ୍ଗ୍ ବାଲା ଦୁଇଟା ବଡ କ୍ଵାଟର , ଆଉ ଧାଡି ହେଇ କୋଡିଏଟି ହେବ ଛୋଟ କ୍ଵାଟର I କୂଅ ଓ ନଳକୂଅ I ସାମ୍ନା ପଟେ ଥାନା I

           ତା ଭିତରେ ସବୁଠାରୁ ବଡ ଘରେ ଆମେ ରହୁଥିଲୁ I ଆମେ ମାନେ ବାପା , ମା , ବୁଢୀମା , ମୋର ଦୁଇ ବଡ ଭଉଣୀ ଓ ଏଇ ସୂର୍ଯ୍ୟ ମାମୁଁ I ବାପା ସେଠି ଥାନା ଅଫିସର ଥିଲେ I ଭଉଣୀ ମାନେ କଟକରେ ପଢୁଥିଲେ I ଛୁଟିରେ ଆସନ୍ତି I ମୁଁ ପଞ୍ଚମରେ ପଢୁଥିଲି ଓ ମାମୁଁ ଦଶମରେ I ସାଙ୍ଗ ହେଇ ସ୍କୁଲ ଯାଉ I ଆମର ଭାରି ଦୋସ୍ତି ଥିଲା I ମତେ ସେ ସାଇକଲ୍ ଆଗ ରଡରେ ବସେଇ ସ୍କୁଲ ନିଅନ୍ତି I ଏଇ ମାମୁଁ ଟି ଉଭୟ ବାପା ଓ ମା’ଙ୍କ ଭାରି ପ୍ରିୟ ଥିଲେ I ବୋଧେ ଖୁବ ଭଲ ପଢୁଥିଲେ କିମ୍ବା ତାଙ୍କ ଘରେ ସବୁଠୁ ସାନ ବୋଲି କି କ’ଣ ? ମାମୁଁ ସେତେବେଳେ ବି ଅତି ମେଧାବୀ , ପ୍ରତିଭାବାନ କିନ୍ତୁ ସୂର୍ଯ୍ୟଙ୍କ ଭଳି ଉତପ୍ତ ଓ କ୍ଷଣକୋପୀ ଥିଲେ I ଖେଳ କୁଦ , ଡିବେଟ ସବୁଥିରେ ତାଙ୍କର ପୁରସ୍କାର ନିଶ୍ଚିତ ଥିଲା I ମା’ର ସବୁ ଦିନ କାମ ଥିଲା ତାଙ୍କୁ ବୁଝାଇବା I ମାମୁଁ ରାଗିଗଲେ କହନ୍ତି କାଲି ସକାଳୁ ମୁଁ ଆମ ଘରକୁ ପଳେଇବି , ସେଇଠି ରହି ହଳ କରିବି, କିନ୍ତୁ ଆଉ ତୁମ ମାନଙ୍କ ପାଖରେ ରହିବିନି I ଥରେ ବି ସେମିତି ରାଗି ପଳେଇଥିଲେ I ବାପା ତାଙ୍କୁ ମାସେ କାଳ ବୁଝାସୁଝା କରି ଆଣିଥିଲେ I    

           ଆମ ଘର ଆଗ ଅଗଣାରେ ସବୁ ଦିନ ସନ୍ଧ୍ୟା ବେଳେ ତାସ ଖେଳର ଆସର ଜମେ I ବର୍ଷା ଦିନେ ବିରାଟ ବାରଣ୍ଡାରେ ଓ ଅନ୍ୟ ଦିନେ ବାହାରେ I ଛୋଟିଆ ସହରଟିର କିଛି ହାତ ଗଣତି ଅଫିସର ପ୍ରାୟ ଆସନ୍ତି I କିନ୍ତୁ ଜଣେ ବ୍ୟକ୍ତି ଯିଏ ସବୁ ଦିନେ ଉପସ୍ଥାନ ପକାନ୍ତି ସେ ହେଲେ ସଦାକତ୍ ଚାଚ୍ଚା I ଆମେ ତାଙ୍କୁ ସେମିତି ଡାକୁ I ବାପା ନଥିଲେ ବି ସେ ପ୍ରଥମେ ଆସି ସବୁ ଆୟୋଜନ କରନ୍ତି I ବ୍ରିଜ ଖେଳରେ ସେ ଖୁବ ଧୁରନ୍ଧର ଥିଲେ I କେତେବେଳେ ଖେଳନ୍ତି ତ କେତେବେଳେ କେବଳ ବସି କଥାବାର୍ତା କରନ୍ତି I ସବୁ ବେଳେ ଏକଦମ ସଫା ଧଳା ଟ୍ରାଉଜର ଓ ପଞ୍ଜାବି ପିନ୍ଧନ୍ତି I ସେ ଚାଲିଗଲେ ସେ ଅଞ୍ଚଳ ମହ ମହ ହୋଇ ବାସେ I ସେ ଥିଲେ ଜଣେ ସମ୍ମାନନୀୟ ବ୍ୟକ୍ତି ବିଶେଷ I ପେଷାରେ ବ୍ୟବସାୟ I ତାଙ୍କର ଅନ୍ୟ ବ୍ୟବସାୟକୁ ଛାଡି ଗୋଟେ ବଡ କପଡା ଓ ଟେଲରିଂ ମିଶା ଦୋକାନ ଥିଲା I ସେଠି ଗୁଡେ ଲୋକ ବି କାମ କରୁଥିଲେ I ସେ ପ୍ରାୟ ସେଇ ଦୋକାନରେ ସନ୍ଧ୍ୟା ପର୍ଯ୍ୟନ୍ତ ବସନ୍ତି I ଆମ ଘର ସହ ତାଙ୍କର ଭଲ ସମ୍ପର୍କ ଥିଲା I ଥାନା ଠାରୁ ଅନତି ଦୂର ଏକ ବସ୍ତିର ପ୍ରାରମ୍ଭରେ ତାଙ୍କର ବିରାଟ ହତା ବାଡି ବାଲା ଗୋଟେ ପୁରୁଣା କାଳିଆ କୋଠା ଘର ଥିଲା I ସେଇଠି ତାଙ୍କର ବହୁ କୁଟୁମ୍ବୀ ପରିବାର ସହ ସେ ରହନ୍ତି I

           ଇଶ୍ରତ, ତାଙ୍କର ଦୁଇ ପୁଅ ଓ ତିନି ଝିଅ ମଧ୍ୟରୁ ସବୁଠୁ ସାନ I ଚମ୍ପା ଫୁଲିଆ ଗୋରୀ ଓ ଭାରି ସୁନ୍ଦରୀ I ମୋ ସହ ପାଠ ପଢେ ଏକା ସାଙ୍ଗରେ I ବୟସରେ ବର୍ଷେ ଦୁଇ ଅଧିକା ହେଇ ପାରେ I କିନ୍ତୁ ମୋର ସେ ସବୁଠୁ ଭଲ ସାଙ୍ଗ ଥିଲା I ଆମ ଘରେ ତାର ଓ ତାଙ୍କ ଘରେ ମୋର ପ୍ରବେଶ ତଥା ପ୍ରସ୍ଥାନର କୌଣସି କଟକଣା ନଥିଲା I ଆମ ଘରେ ସନ୍ଧ୍ୟା ବେଳେ ଜଣେ ସାର ଆସି ପଢାନ୍ତି I ଆମେ ପ୍ରାୟ ଦଶ ଜଣ ସାଙ୍ଗ ହେଇ ପଢୁ I ଇଶ୍ରତ ସହ ମୋର ନିବିଡତା ସେଇଠୁ ଆରମ୍ଭ ହେଇଥିଲା I ସେ ଏତେ ଭଲ ପଢୁ ନଥିଲା କିନ୍ତୁ ଅକ୍ଷର ଚମତ୍କାର ଥିଲା I ସେ ପାଖରେ ବସିଲେ ମୁଁ ଖୁଜ ବୁଜ ହେଇ ମାଡ ଖାଏ , ଦୂରରେ ବସିଲେ ରାଗିକି ଉତ୍ତର ନଦେଇ ମାଡ ଖାଏ I ତା ପାଇଁ ପ୍ରାୟ ସବୁଦିନ ମାଡ ଖାଇବାଟା ମୋର ଲେଖା ଥିଲା I ସୂର୍ଯ୍ୟ ମାମୁଁ ସେଇ ଘରେ ଗୋଟେ କଣରେ ଟେବୁଲରେ ବସି ପଢନ୍ତି I ଆମ ଆଡକୁ ତାଙ୍କ ନିଘା ପ୍ରାୟ ନଥାଏ I ସାର ସବୁବେଳେ ଆମ ମାନଙ୍କୁ ତାଙ୍କ ଭଳି ପଢିବାକୁ କହନ୍ତି I

            ସେଦିନ I ତାଙ୍କର ଏକାଦଶ ଶ୍ରେଣୀର ଟେଷ୍ଟ ପରୀକ୍ଷା ସରିଯାଇ ଥାଏ ଓ ଆମର ଷଷ୍ଠ ଶ୍ରେଣୀର ବାର୍ଷିକ ପରୀକ୍ଷା ହେବାକୁ ଥଏ I ଘରେ ବସି ଆମେ ପଡୁଥାଉ I ତାଙ୍କ ରୁମ ଭିତରେ କେହି ନଥାନ୍ତି I ଖରାବେଳ ସମୟ I ମାମୁଁ ମତେ ଭାରି କଅଁଳ କରି ଡାକିଲେ I ଗୋଟେ କେକ ଦେଲେ ଖାଇବାକୁ I ଦୁଇଟା ଚକଲେଟ ବି ଦେଲେ I ମୁଁ କିଛି ବୁଝି ପାରୁ ନଥାଏ I ତା ପରେ କହିଲେ ବାଦୁରେ , ମୋର ଗୋଟେ କାମ କରିବୁ , ଏଇ ଚିଠିଟା ନେଇ ଇଶ୍ରତକୁ ଚୁପ୍ କି ଦବୁ I ସେ ଯାହା ଦବ ନେଇ ଆସିବୁ I ମୁଁ ଡରିଗଲି I

            କହିଲି, ତୁମେ କଣ ସବୁ ଲେଖିଛ I

            ଆରେ କିଛି ନାହିଁ ରେ ଏମିତି ପଢା ପଢି କଥା, ଏବେ ଟ୍ୟୁସନ ବନ୍ଦ୍ ଅଛି , କେମିତି ପଢୁଥିବ, କେଜାଣି ?

            ବୁଝିଗଲି ମୁଁ I ସାର୍ ଯେଉଁ ଦିନ ନ ଆସନ୍ତି ସେଦିନ ମାମୁଁ ଆମକୁ ପଢାନ୍ତି I ତେଣୁ ଇଶ୍ରତର ପାଠ କଥା ବୁଝିବା ଉଚିତ I

            ଗୋଟେ ନିଶ୍ଵାସରେ ଦୌଡିଲି I ଏକାଥରେ ତାଙ୍କ ଘରେ I ଇଶ୍ରତର ମା ବସି ଉଲରେ କିଛି ବୁଣୁଥିଲେ I ସେ ତା ମା ପାଖରେ ବସି ଉଲ ସବୁକୁ ଗୋଲ ଗୋଲ ବଲ୍ ସବୁ ତିଆରି କରୁଥିଲା I ମତେ ଦେଖି କହିଲା ଚାଲ ଛାତ ଉପରକୁ I ଅଁଳା ଶୁଖା ହେଇଛି ଖାଇବା I ଉପରେ ଯାଇ କହିଲି ତୋ ଲାଗି ଗୋଟେ ଜିନିଷ ଆଣିଛି , ଆଖି ବନ୍ଦ୍ କର ଦେବି I ତା ହାତରେ ଚିଠିଟି ଦେଲି I ସେ ଖୋଲି କି ସେଇଠି ପଢିଲା I କହିଲା ଏତିକି ଲେଖିବା ଲାଗି ଏତେ ଦିନ I ହଉ ତୁ ଏଇଠି ବସି ଥା , ମୁଁ ଆସୁଛି I ତଳକୁ ଗଲା , ମିନିଟେ ଭିତରେ ଆସିଗଲା I ସେମିତି ଚିଠିଟେ ମୋ ହାତରେ ଦେଲା I ଆଉ ଦୁଇଟା ପେଡା ବି I କହିଲା ଚିଠିଟା ଲେଖିଥିଲି କେମିତି ପଠେଇ ବି ଭାବୁଥିଲି I ତୁ ଆସିଲୁ ଭଲ କଲୁ I

           ଆଉଥରେ ଦୌଡି କି ଫେରିଲି I ମୋର ଏମିତି ଦୌଡା ଦୌଡି ତା ପର ଚାରି ପାଞ୍ଚ ମାସ ଚାଲିଲା I ଟ୍ୟୁସନ ଆରମ୍ଭ ହବା ପରେ ବି ସେଇପରି ଦିଆ ନିଆ ଚାଲିଥାଏ I ଏବେ ଇଶ୍ରତ ମୋ ଅପେକ୍ଷା ମାମୁଁଙ୍କ ସହ ବେସି ଗପେ ବା ଟେବୁଲ ଆଗରେ ବସି ତାଙ୍କ ମୁହଁକୁ ସବୁ ବେଳେ ଚାହିଁ ରହେ I ମତେ ଭାରି ରାଗ ଲାଗେ I ମୋ ସାଙ୍ଗ, ମୋତେ ଛାଡି ମାମୁଁଙ୍କ ସହ କଥା ହେବା ମତେ ବରଦାସ୍ତ ହଉ ନଥାଏ ଜମା I

            ମାମୁଁ, ମାଟ୍ରିକ ପରୀକ୍ଷା ଫଳ ବାହାରିବା କଟକ ପଳେଇଲେ ପଢିବା ଲାଗି I ମୁଁ ଟିକେ ଖୁସି ହେଲି I ଯାହା ହେଉ ଏବେ ମୋ ରାସ୍ତାର କଣ୍ଟା ଗଲା I କିନ୍ତୁ ସବୁ ଓଲଟା I ଇଶ୍ରତ ଭାରି କୋମଳ କରି ଏବେ ମତେ କଥା କହେ I ଆମ ଘର , ମାମୁଁଙ୍କ ଘର କଥା ସବୁ ଟିକି ନିଖ କରି ପଚାରେ I ବେସି ପଚାରେ , ଏଇ ଶନିବାର ମାମୁଁ ଆସିବେ କି ?

            ମାମୁଁ ପ୍ରାୟ ପ୍ରତି ଶନିବାର ହଷ୍ଟେଲ ଖାଇବା ଭଲ ଲାଗୁନି ବୋଲି କହି ପଳେଇ ଆସୁଥିଲେ I ସୋମବାର ବଡି ଭୋର ପଳାଉ ଥିଲେ I ରବିବାର ଦିନଟା ଇଶ୍ରତ ଯେମିତି ହେଲେ ଆମ ଘରକୁ ଚାଲି ଆସୁଥିଲା I ଫେର ସୋମବାର ହେଲେ ମତେ ପଚାରିବା ଆରମ୍ଭ କରି ଦେଉଥିଲା I ମୋ ଜୀବନଟା ସେ ଦୁଇ ଜଣଙ୍କ ଭିତରେ ପେଶି ହେଇଯାଉ ଥିଲା I ମାମୁଁ ଆସିଲା ମାନେ ମତେ ଇଶ୍ରତ ବିଷୟରେ ବହୁତ ପଚାରିବେ ଆଉ ସେ ଗଲା ପରେ ଇଶ୍ରତ I

             ଏବେ ମାମୁଁଙ୍କ ଆସିବା କମି ଯାଉଥିଲା I ପାଠର ଚାପ ଅଧିକା ହେଉଥିଲା ଓ ବାପା ବି ତାଗିଦ କରୁଥିଲେ I ଏମିତି ଦୁଇ ବର୍ଷ ଅତିକ୍ରମ କରି ସାରିଥିଲା I ମୋ ବଡ ନାନୀର ବାହାଘର ସରିଥିଲା I ଆମେ ବି ବଡ ହେଇ ଯାଇଥିଲୁ I ଇଶ୍ରତ ଆଜିକାଲି ଖୁବ ସୁନ୍ଦର ଦିଶୁଥିଲା I ସେ ଯେତେବେଳେ ବି ଆମ ଘରକୁ ଆସୁଥିଲା ମା ତାକୁ ପାଖରେ ବସେଇକି ଗପୁଥିଲେ I ମୋ ସହ ସେ ବେଶି କଥା ହେଉ ନ ଥିଲା I ମୁଁ ମନେ ମନେ ତାକୁ ଭାରି ପସନ୍ଦ କରୁଥିଲି I ଭାବୁଥିଲି ତାକୁ ଗୋଟେ ସେମିତି ଚିଠି ଲେଖିବି I ନା , କେବେ ବି କରି ପାରିଲି ନାହିଁ I କିନ୍ତୁ ମାମୁଁଙ୍କ ସହ ସେ ଖୁବ ନିବିଡ ହେଇ ସାରିଥିଲା I ଏକଥା କିଏ ଜାଣୁ ବା ନ ଜାଣୁ ମୁଁ ଜାଣିଥିଲି I  

            ମାମୁଁ ମେଡିକାଲ ପାଇ ଆହୁରି ଦୂରକୁ ପଳେଇଲେ I ପ୍ରାୟ ବେଳେ , ଇଶ୍ରତ ଆସି ଗୋଟେ ଚିଠି ଦିଏ ମତେ ଓ କହେ ପୋଷ୍ଟ୍ କରି ଦବୁ I ମୁଁ କେବେ କରି ଦିଏ ତ କେବେ ଚିରିକି ଫୋପାଡି ଦିଏ I ମାମୁଁ ଆସିଲେ ସେ ଆସି ଦିନ ସାରା ଗପେ I ମତେ ସେ ଦୁଇ ଜଣ ସେତେବେଳେ ପାଖ ପୁରାଇ ଦିଅନ୍ତି ନାହିଁ I ମୁଁ ବି ରାଗି କି ଯାଏ ନାହିଁ I  

             ଆମର ଦଶମ ଶ୍ରେଣୀ I ଦିନେ ଇଶ୍ରତ ଆସି ଖରାବେଳେ ମତେ ଚିଠିଟେ ଦେଲା I ମୋ ହାତକୁ ଧରି ଭାରି ବିକଳ ହେଇ କହିଲା ଆଜି ପଠେଇ ଦବୁ I ମୁଁ , ମୁଣ୍ଡ ହଲେଇଲି I ଫେର ପାଠ ପଢା ଭିତରେ ଭୁଲି ଗଲି I

             କିଛିଦିନ ପରେ ତାଙ୍କ ବସ୍ତିରେ ଗୋଟେ ବଡ ଉତ୍ସବ ହେଲା I ଗୋଟେ ଉପାସନା ସ୍ଥଳ ପ୍ରତିଷ୍ଠା କରାଗଲା I ସଦାକତ୍ ଚାଚ୍ଚା ଥିଲେ ତାର ପ୍ରଧାନ ପୁରୋଧା I ଆମେ ଦେଖିବାକୁ ଯାଇଥିଲୁ I ତା ପରଦିନ ବାପା , ମା କଥା ହେଉଥିଲେ, ଶୁଣିଲି I ମସଜିଦ ପ୍ରତିଷ୍ଠା କରିବାକୁ ଜଉ ମୌଲବୀ ଓଡିଶା ବାହାରୁ ଆସିଥିଲେ , ତାଙ୍କ ସହ ଇଶ୍ରତ ଓ ଆଉ ଗୋଟେ ଝିଅର ନିକାହ କରି ଦିଆ ଗଲା I ସେ ମୌଲବୀଙ୍କ ବୟସ ସତୁରିରୁ ଅଧିକ I ମୋ ବାପା , ମା ଦୁଇ ଜଣ ଇଶ୍ରତ କଥା କହି ବହୁତ ମନ ଦୁଃଖ କରୁଥିଲେ I 

             ଦୌଡିଲି ଆଉଥରେ, ବୋଧେ ଶେଷ ଥର ଲାଗି , ଇଶ୍ରତ ଘରକୁ I ସେଠି ବହୁତ ଲୋକ ଥିଲେ I ମତେ କେହି ଜଣେ ମନା କଲା ଭିତରକୁ ଯିବା ଲାଗି I ଧିରେ ଧିରେ ଫେରିଲି I ଜାଣିନି କାହିଁକି ଫେରିଲା ବେଳେ କାନ୍ଦୁଥିଲି I ବହୁତ କାନ୍ଦୁଥିଲି I ଘରକୁ ଗଲି ନାହିଁ I ଏଠି ସେଠି ବଜାରରେ ବୁଲିଲି I ରାତିରେ ଘରକୁ ଫେରିଲି I

              ଟେବୁଲ୍ ଡ୍ର ଅଣ୍ଡାଳିଲି I

              ଇଶ୍ରତର ସମୁଦାୟ ଚାରୋଟି ଚିଠି ପୋଷ୍ଟ୍ ନ ହେଇ ଥିଲା I ଇଛା ବିରୁଦ୍ଧରେ ବସି ପଢିଲି I ପ୍ରଥମ ଦୁଇଟି ଖୁବ ଲମ୍ବା I ପ୍ରେମ ପତ୍ର I ଶେଷ ଚିଠିର ପୂର୍ବ ଚିଠିରେ ଲେଖିଥିଲା ତା ନିକାହ ଇଛା ବିରୁଦ୍ଧରେ ହବାକୁ ଯାଉଛି I କିନ୍ତୁ ତାର ଦୃଢ ବିଶ୍ୱାଷ ଅଛି,ସେପରି କିଛି ହେବ ନାହିଁ I

              ଶେଷ ଚିଠିରେ ଲେଖିଥିଲା , ନିକାହ ହବା ନିଶ୍ଚିତ I ତାକୁ ନେଇ କି ପଳେଇବା ଲାଗି ଅନୁରୋଧ କରି ଥିଲା I ଆଉ ତା ମା ମଧ୍ୟ ତାକୁ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ଲେଖିଥିଲା I ଲେଖିଥିଲା, ବାଦୁ ହାତରେ ଖବର ଦେଲେ ସେ ଘରୁ ପଳେଇ ଆସିବ I ଶେଷ ଧାଡି ଥିଲା ତୁମ ଅପେକ୍ଷାରେ ରହିଲି I

              ଆଉଥରେ କାନ୍ଦିଲି I ଭାବିଲି , ମୁଁ ଚଣ୍ଡାଳ କି ଭୁଲ କଲି I ଚିଠିଟା ପୋଷ୍ଟ୍ କଲି ନାହିଁ I ତା ପରେ ଆଉ ଘରୁ ପଦାକୁ ବାହାରିଲି ନାହିଁ I

              ମାମୁଁ ଥରେ ତା ଭିତରେ ଆସିଥିଲେ I ଇଶ୍ରତକୁ ବହୁତ ଖୋଜିଲେ I ମତେ ତା ଘରକୁ ପଠେଇଲେ I ଇଶ୍ରତକୁ ଚିଠି ପୋଷ୍ଟ୍ କରି ଦେଇଛି ବୋଲି କହି କହି ମୁଁ, ତ ମିଛ କହିବାରେ ଖୁବ ଓସ୍ତାଦ ପାଲଟି ଯାଇଥିଲି I ତେଣୁ ବାହାରେ ଟିକେ ବୁଲି ଆସି କହି ଦିଏ ସେ ମନା କଲା ବା ତା ମା ଛାଡୁ ନାହାନ୍ତି ଏମିତି କେତେ କଣ I ମୁଁ କିନ୍ତୁ ଜାଣିଥିଲି , ସବୁବେଳେ ଗପୁଥିବା ଇଶ୍ରତ ପୁରା ନିର୍ବାକ ହେଇ ଯାଇଥିଲା I ନିକାହ ପରେ ତା ସୋହର ତାକୁ ସେଇଠି ଛାଡି ଯାଇଥିଲେ I ଏମିତି କେତେ କଣ ?

              ମାଟ୍ରିକ ସରିଗଲା I ମୁଁ ଘର ଛାଡି ବାହାରି ଆସିଲି I ବାପା ବି ସେଠାରୁ ବଦଳି ହେଇ ଅନ୍ୟ ଆଡେ ଚାଲିଗଲେ I ମାମୁଁ ମଧ୍ୟ ଏଇ ମାଇଁ କୁ ଭଲ ପାଇ ବାହା ହେଇ ଅନେକ ଦିନ ଲାଗି ଗଲ୍ଫ ଚାଲିଗଲେ I ସମସ୍ତଙ୍କ ଲାଗି ସମୟ ଆଗେଇ ଚାଲିଥିଲା I ବୋଧେ ଏକା ଇଶ୍ରତ ଲାଗି ସମୟ ସେଇଠି ସ୍ଥିର ଥିଲା I

              ଏଇ ଦୀର୍ଘ ତିରିଶ ବର୍ଷର ଜୀବନ ସଂଘର୍ଷ ମଧ୍ୟରେ ଇଶ୍ରତ କୁଆଡେ ହଜି ଯାଇଥିଲା I କେବଳ ସେଇ ଚାରି ଖଣ୍ଡି ଚିଠି I ଯାହାକୁ ମୁଁ ବ୍ୟାଙ୍କ ଲକର୍ ରେ ରଖି ସମ୍ପୁର୍ଣ ଭୁଲି ଯାଇଥିଲି I

               ଇଶ୍ରତର ଚେହେରା ଏକ ସିଲହଟ ଚିତ୍ର ଭଳି ମୋ ସ୍ୱପ୍ନରେ ଭାସୁଥିଲା I ସେ ଯେମିତି ମତେ ରାଗ ଓ ଅଭିମାନରେ କହୁଥିଲା ଏ କଣ କଲୁ I

               ସ୍ୱପ୍ନ ଭାଙ୍ଗିଲା , ନିଦ ବି ଭାଙ୍ଗିଲା I ଏ ସ୍ୱପ୍ନ ଆଗରୁ ବହୁଥର ଆସିଛି I କିନ୍ତୁ ଏଥର ବଡ କଷ୍ଟ ଦେଉଥିଲା ସେଇ ସ୍ୱପ୍ନଟା I

              ଶିଘ୍ର ବାହାରି ପଡିଲି I ସେଠି ପହଞ୍ଚିଲା ବେଳକୁ ଦିନ ଏଗାର I ମତେ ମାମୁଁ ଅପେକ୍ଷା କରିଥିଲେ I ଗୋଟେ କେବିନ ଭିତରକୁ ନେଇଗଲେ I ଇଶ୍ରତ ଶୋଇଥିଲା I ପାଖରେ ଜଣେ ମଧ୍ୟ ବୟସ୍କା ଭଦ୍ର ମହିଳା ବସିଥିଲେ I ଆଉ ଜଣେ ଯୁବକ ଠିଆ ହୋଇଥିଲେ I ମୁଁ ସେ ଦୁଇ ଜଣଙ୍କୁ ଚିହ୍ନି ପାରୁ ନଥିଲି I ମାମୁଁ ପରିଚୟ କରେଇ ଦେଲେ I ଜଣେ ଇଶ୍ରତର ଭାଉଜ ଆର ଜଣଙ୍କ ପୁତୁରା I

              ଇଶ୍ରତ ଆଖି ଖୋଲି ଆମ ଦୁଇ ଜଣଙ୍କୁ ଦେଖିଲା , ଖୁବ ହସିଲା I କହିଲା, ଦୁଇ ହିରୋ ଏକା ସାଙ୍ଗରେ I ଏବେ ମୁଁ ଭଲ ହେଇ ଯିବି I ମାମୁଁ ସ୍ଥିର ଥିଲେ I ତଳକୁ ମୁହଁ ପୋତି ମୁଁ ଠିଆ ହୋଇଥିଲି I ସେ ଜିର୍ଣ୍ଣ ଶିର୍ଣ୍ଣ ସ୍ତ୍ରୀ ଲୋକଟିର ଦୁଇ ଆଖିରେ ଆଖି ମିଳେଇ ପାରୁ ନଥିଲି I ସେଠୁ ପଳାଇ ଆସିବାକୁ ବାହାରୁଥିଲି I ଇଶ୍ରତ କହିଲା ହିରୋ ପଳାଉଛି କାହିଁକି I ମୁଁ ସେଠୁ କେମିତି ଆସିବି ବାଟ ପାଉ ନଥିଲି I ବାହାରକୁ ଆସି ନିଶ୍ଵାସ ମାରିଲି I

               ସନ୍ଧ୍ୟା ବେଳେ ଇଶ୍ରତର ଭାଉଜ ଆମକୁ କହୁଥିଲେ , କେମିତି ଇଶ୍ରତର ନିକାହ ପରେ ତାଙ୍କ ଘରେ ସବୁ ଖରାପ ଘଟଣା ସବୁ ଘଟିଲା I ତା ବାପା ଚାଲିଗଲେ , ବ୍ୟବସାୟ ପ୍ରାୟ ବୁଡିଗଲା I ଜଣେ ଭାଈ ବି ନିଖୋଜ ହେଇଗଲେ I ଇଶ୍ରତକୁ ନେଇ ତା ସୋହର ପାଖରେ ଯାଇ ପହଞ୍ଚିଲା ବେଳକୁ ସେ ବି ଆଉ ନଥିଲେ I ତାଙ୍କ ଦୁଇ ବିବି, ଯେଉଁମାନେ ଇଶ୍ରତର ମା ବୟସ ଠାରୁ ବି ଅଧିକା ହେବେ , ତାକୁ ରଖିବାକୁ ମନା କଲେ I ଅତଏବ ଇଶ୍ରତ ଆସି ଆଉଥରେ ତା ମା ପାଖରେ ରହିଲା I ବାପାର ଟେଲରିଂ ଦୋକାନ ସମ୍ଭାଳିଲା I ପରିବାର କଥା ବୁଝିଲା I ଏଇ ରୋଗଟା ଅନେକ ଦିନ ହେଲାଣି, କେବଳ ଓପାସ ରେ ରହି I ଚିକିତ୍ସା କରିବାକୁ ସେ ଜମା ରାଜି ହେଲାନି I କୋଉଠୁ କେଜାଣି ତା ଭାଇ ଆପଣଙ୍କ ହସ୍ପିଟାଲରେ ଭଲ ଅପରେସନ କରା ହେଉଛି ବୋଲି ଶୁଣି ଯେତେବେଳେ ଆପଣଙ୍କ ନାମ ତାକୁ କହିଲେ ସେ ତୁରନ୍ତ ରାଜି ହେଇ ଗଲା ଆସିବା ଲାଗି I ସେ ଚୁପ ହୋଇଗଲେ I ଆଉ ତା ପରେ ସେ ଉଠି ଚାଲିଗଲେ I

            ମାମୁଁ କହୁଥିଲେ କଣ କରିବା କହ ? ଥରେ ଅପରେସନ କରି ପେଟ ଖୋଲିଦେଲେ ଆଗକୁ କିପରି କଣ ହେବ ତାହା କହି ହେବ ନାହିଁ I ବହୁତ ଖର୍ଚ୍ଚ ଲାଗିବ I ଏମାନେ ଅପରେସନ ପାଇଁ ମନା କରୁଛନ୍ତି I ପଇସା ଏତେ ଯୋଗାଡ କରି ପାରିବେନି I ଡାଇରେକ୍ଟର ମାନେ ବି ସେତେ ଆଗ୍ରହ ପ୍ରକାଶ କରୁ ନାହାନ୍ତି I ତୋ ଏମ. ଡି. କୋଟାରୁ ଜଦି କିଛି କରିବୁ I କିନ୍ତୁ ମନେ ରଖିବୁ ଅପରେସନ ନ କଲେ ସେ ବଞ୍ଚିବନି I କହିଲି , ଇଶ୍ରତକୁ ଭି.ଆଇ.ପି. କୋଟାରେ ଚିକିତ୍ସା କର I ସବୁ ଖର୍ଚ୍ଚ ମୋ ନାମରେ ବୁକ କରି ଦେବ I

             ଆଉ ଥରେ ଭିତରକୁ ଯିବାକୁ ମୋର ସାହସ ନଥିଲା I ଫେରି ଆସିଲି I

             ଦୁଇ ମାସ ପରେ ମାମୁଁ ଫୋନ କଲେ କାଲି ଆସିବୁ I ଇଶ୍ରତ ଘରକୁ ଫେରିବ I ପୁରା ଭଲ ହୋଇ ଗଲାଣି I ତୋ ସହ ଦେଖା କରିବାକୁ ଚାହୁଁଛି I ମନେ ମନେ ନିଜକୁ ଦୃଢ କରୁଥିଲି I ନିଜ ଦୋଷ ମାନିଯିବି I ପହଞ୍ଚି ଗଲି I ଇଶ୍ରତ ଚାଲ୍ ବୁଲ କରୁଥିଲା I ଚେହେରା ଅନେକ ପରିବର୍ତ୍ତନ ହେଇ ଯାଇଥିଲା I କହିଲା , ତୁ ମତେ ଋଣୀ କରି ଦେଲୁ I କେମିତି ଶୁଝିବି ? କୋଉ କାଳେ ମୋ ସାଙ୍ଗ ଥିଲୁ ଏତେ ସାହାଯ୍ୟ କଲୁ I ତା ଆଖିରେ ଲୁହ I ସେମାନେ ବାହାରି ଗଲେ I

             ମାମୁଁଙ୍କ ରୁମ ରେ ବସିଥିଲୁ I କହିଲି ମାମୁଁ ଦିର୍ଘ ଦିନ ହେଲାଣି ଚାରି ଖଣ୍ଡି ଚିଠିର ବୋଝ ବୋହି ବୁଲୁଛି I ଆଜି ମତେ ଖଲାସ କର I ମାମୁଁ ହସିଲେ I

             ଇଶ୍ରତ ର ଶେଷ ଚିଠି କଥା କହୁଛୁ କି ?

             ମୁଁ ତାଙ୍କ ମୁହଁ କୁ ଅନେଇଲିI

             ଇଶ୍ରତ ସହ ବହୁତ କଥା ହେଇଛନ୍ତି ଏହି ଭିତରେ ବୋଲି କହିଲେ I

            ସେ ଚିଠି ପଢିଲେ I କହିଲେ ତୁ ଜାଣୁ ନାରୀର ଦୀର୍ଘ ନିଶ୍ଵାସ କେତେ ଭୟଙ୍କର ?

             ମୁଁ ତାଙ୍କ ମୁହଁକୁ ଚାହିଁଲି I

            ମାମୁଁ କହିଲେ,ମତେ ଦେଖ । ତୋ ନିଜକୁ ବି ଦେଖ , ତତେ ପଚାଶ ଧରିବାକୁ ବସିଲା I ତୋ ଭାଗ୍ୟରେ ନାରୀର ସାହଚର୍ଯ୍ୟ ମିଳିଲାନି I କେବଳ ଦୌଡୁଛୁ I ଦେଖ୍ ତାଙ୍କ ନିଜ ଘର ବି ବାଦ ପଡିଲାନି I

             ପଚାରିଲି ଏବେ ମୋ ଉପରୁ ଅଭିଶାପ କଟିଲା କି ?

             ହସିଲେ ସେ I କହିଲେ ଇଶ୍ରତ ଜାଣିଥିବ I

  


Rate this content
Log in

Similar oriya story from Classics