ବାଜେପିଲା
ବାଜେପିଲା
ଆମ କଲୋନୀରେ ଦଳେ ପିଲା ଅଛନ୍ତି ସବୁବେଳେ ଆସିଯାଆନ୍ତି ଘରର କଲିଂବେଲ୍ ବଜେଇବାକୁ।କେବେ ଗଣେଶ, ସରସ୍ଵତୀ ପୂଜା ଚାନ୍ଦା ତ କେବେ ପୁଣି କେଉଁ ଗରିବ ଲୋକର ଅନ୍ତିମ ସଂସ୍କାର ପାଇଁ ପଇସା ଦରକାର। ଅନେକ ସମୟରେ ଦୋକାନ ଆଗରେ ନହେଲେ କଲୋନୀ ଶେଷମୁଣ୍ଡ ବରଗଛ ମୂଳେ ଦଳକ ଯାକ ବସି କ'ଣ କଥା ହେଉଥିବେ। ଆଜି କାହା ବାଡିରୁ ଆମ୍ବ ଝଡେଇଲେଣି ତ କାହା ତାରବାଡ ଡେଇଁ ଫୁଲ ଗଛରୁ ସବୁ ଫୁଲ ନେଇଥାନ୍ତି।ଦି ଚାରି ଦିନ ତଳେ ଗୁଡି କଟାକଟି କୁ ନେଇ ଯେମିତି ମହାସଂଘର୍ଷ ହେଲା ଲାଗୁଥିଲା ଯେମିତି କିଏ ଗୋଟେ କାହାକୁ ଆଜି ମାରିଦେବ।ବାଜେପିଲା ଗୁଡାକ। କିଛି କାମଧନ୍ଦା ନାଇଁ ତ,ବାପଧନ ଖାଇକି ଏଇଠି ଝଡେଇ ହୁଅନ୍ତି। ସେମାନଙ୍କୁ ଦେଖିଦେଲେ ମୋ ରକ୍ତ ଗରମ ହେଇଯାଏ। ମୁଁ ଯଦିଓ ନିଜେ କେବେ ସେମାନଙ୍କ ବଦମାସୀ କୁ ସ୍ବଚକ୍ଷୁରେ ଦେଖିନି। ଅନ୍ୟ ମାନଙ୍କ ଠୁ ଶୁଣି ଶୁଣି ମୋତେ ଏତିକି ରାଗଲାଗେ।
ଚାରିଦିନ ତଳେ ମୋ ସ୍ତ୍ରୀ ପ୍ରାତଃ ଭ୍ରମଣରୁ ଫେରୁଫେରୁ ପାଖ ଦୋକାନ ନିକଟରେ ମୁଣ୍ଡ ବୁଲାଇ ପଡ଼ିଗଲା।ସେହି ବାଜେପିଲା ଦଳକ ତାଙ୍କୁ ଉଠେଇ ଆଣି ଆମଘରେ ପହଞ୍ଚିଗଲେ। ମୁଁ ତା'ର ଏମିତି ଅବସ୍ଥା ଦେଖି ଛାନିଆ। ସେମାନେ କିନ୍ତୁ କହିଲେ ମାଉସୀ ମୁଣ୍ଡ ବୁଲେଇ ପଡିଗଲେ, ଏପର୍ଯ୍ୟନ୍ତ ହୋସ ଆସୁନି। ଶୀଘ୍ର ହସ୍ପିଟାଲ ନେଇଯିବା। ସାଙ୍ଗେସାଙ୍ଗେ ଗାଡ଼ି ଠିକ କରି ହସ୍ପିଟାଲ ରେ ଆଡମିଟ କରିଦେଲେ। ମୋ'ର ଅନୁମତି ଛଡା ମୋତେ କିଛି ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଉଥାନ୍ତି।
ଡାକ୍ତର ରିପୋର୍ଟ ଦେଖିସାରି ଯେତେବେଳେ ରକ୍ତ ଆବଶ୍ୟକ କହିଲେ ମୋ ମୁଣ୍ଡ ଘୁରିଗଲା। ତା'ର ତ ବ୍ଲଡଗ୍ରୁପ ଭାରି ରେୟାର୍। ମୁଁ ବାହାରେ ଚିନ୍ତା ରେ ବସିଥାଏ। ଗୋଟିଏ ପିଲା ଆଉ କାହାକୁ ଫୋନ୍ କରି କହୁଥାଏ, ଯେତେ ଶୀଘ୍ର ସେ ଗ୍ରୁପ ର ରକ୍ତ ଯୋଗାଡ ହୋଇଯିବାର ଅଛି।ମୋ ମାଉସୀ ଯେମିତି ଶୀଘ୍ର ସୁସ୍ଥ ହେବେ।
ମୋତେ ଏମିତିକା ବସିଥିବାର ଦେଖି ସେ ପିଲା କହିଲା ମଉସା ବିଲକୁଲ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ଅଛୁ ଆପଣଙ୍କ ପାଖରେ। ବହୁତ ଶୀଘ୍ର ମାଉସୀ ସୁସ୍ଥ ହେଇଯିବେ।
ମୋତେ ଲାଗୁଥିଲା ସେମାନେ ସତରେ ମୋ ପୁଅ।
ଏତେ ଆଶ୍ଵସନା ଦେଉଥିବା ପିଲାମାନେ କେବେ ବାଜେପିଲା ହେଇନଥିବେ।
