Sriman Bapu

Inspirational

4.8  

Sriman Bapu

Inspirational

ବାଇସାଇକେଲ୍ ଚୋର

ବାଇସାଇକେଲ୍ ଚୋର

9 mins
659


କାହାଣୀର ଶୀର୍ଷକଟି ପଢ଼ି ପାଠକେ ଭାବନ୍ତୁ ନାହିଁ ମୁଁ ମହାନ ଇଟାଲୀୟ ନିର୍ଦ୍ଦେଶକ ଭିତେରିଓ ଡ଼ି ସିକାଙ୍କ କାଳଜୟୀ ସିନେମା ବାଇସାଇକେଲ ଥିପ୍ କଥା କହୁଛି । କାହାଣୀର ମୁଖ୍ୟ ପାତ୍ର ଆଣ୍ଟୋନିଓ, ତାଙ୍କ ସ୍ତ୍ରୀ ମାରିଆ ଆଉ ପୁଅ ବ୍ରୁନୋ ସହ ଏହି କାହାଣୀର କୌଣସି ପ୍ରକାରର ପ୍ରତ୍ୟକ୍ଷ କି ପରୋକ୍ଷ ସଂପର୍କ ନାହିଁ । ହଁ ଆଣ୍ଟୋନିଓଙ୍କ ଅର୍ନ୍ତଦ୍ୱନ୍ଦ୍ୱର ଝଲକ ଟିକେ ମିଳିପାରେ ଆମ କାହାଣୀର ମୁଖ୍ୟ ପାତ୍ରଙ୍କ ଅର୍ନ୍ତଦ୍ୱନ୍ଦ୍ୱରୁ ।

କାହାଣୀର ମୁଖ୍ୟ ଚରିତ୍ର ଚାରିଜଣ ହେଲେ ବରୋଦା ଫାଇନ୍ ଆର୍ଟ କଲେଜର ଛାତ୍ର ସବୁ । ଜଣେ ବରୋଦା, ଗୁଜୁରାଟର ମୂଳ ବାସିନ୍ଦା ଆଉ ତିନି ଜଣେ ହେଲେ ଆମ ଓଡ଼ିଶାରୁ ସମସ୍ତେ ବରୋଦା ଫାଇନ୍ ଆର୍ଟକୁ ମାଷ୍ଟର୍ସ କରିବା ପାଇଁ ଯାଇଥିଲେ । ରାମ(ଓଡ଼ିଶା) ଚିନ୍ତନ(ଗୁଜୁରାତି) ଦୁହେଁ ଗୋଟିଏ ଶ୍ରେଣୀର । ବାପୁ ବୟସରେ ରାମ ଠୁ ସାନ ଆଉ ତଳ ଶ୍ରେଣୀରେ ପଢ଼ୁଥିଲା । କୁଲୁ ଯିଏ କି ପରେ ଆସିଲା ପଢ଼ିବାକୁ । ଚିନ୍ତନ ସହ ପରିଚୟ ହୁଏ ବାପୁ ଆଉ କୁଲୁର ରାମ ଜରିଆରେ । ସମସ୍ତେ ରାମଙ୍କୁ ଆଦର ସମ୍ମାନ କରନ୍ତି ବନ୍ଧୁ, ବଡ଼ ଭାଇ ଆଉ ଭଲ ମଣିଷ ହିସାବରେ ।

ଚିନ୍ତନ ତ ବରୋଦାର ମୂଳ ବାସିନ୍ଦା, ଗୁଜୁରାତି ଆଉ ସ୍ୱଚ୍ଛଳ ପରିବାରର ତେଣୁ କଲେଜ ଛାଡ଼ୁ ଛାଡ଼ୁ ଭଲ ଷ୍ଟାଇଲିସ୍ ଗାଡ଼ିଟିଏ ଘରୁ ପାଇଲା । ରାମ ପଢ଼ା ସମୟରେ ଆଉ ପରେ ନିଜର ଖର୍ଚ୍ଚ ଜେଣେତେଣେ ତୁଲାଉଥିଲା । ସେଥିରେ ପୁଣି ଘର ଭଡ଼ା , ଅନ୍ୟାନ୍ୟ ଖର୍ଚ୍ଚ ସହ କଳା ଅଭ୍ୟାସ ପାଇଁ ରଙ୍ଗ, କାଗଜ ଆଉ କାନଭାସ୍ ର ଖର୍ଚ୍ଚ ବହନ କରିବାକୁ ପଡ଼ୁଥିଲା । ପଢ଼ାପରେ ଓଡ଼ିଶା ଫେରିଯାଇ କଳାକାର ହେବାର ସ୍ୱପ୍ନ ପୂରଣ କରିବା କଷ୍ଟ ଆଉ ବରୋଦା ରେ ସେ ଆଶା ଥାଏ । 

ବରୋଦା ଫାଇନ୍ ଆର୍ଟ ପୂରା ଭାରତରେ ସର୍ବୋତ୍ତମ ବୋଲି ଗଣା ଯାଏ ତେଣୁ ଭାରତର ବିଭିନ୍ନ ସ୍ଥାନରୁ ଏମିତିକି ବିଦେଶରୁ ପଢ଼ିବା ପାଇଁ ପିଲା ଆସନ୍ତି । ଆଉ ପଢ଼ା ପରେ ସେଇଠି ରହି କଳା ଅଭ୍ୟାସ କରନ୍ତି । ତେଣୁ ରାମ ପଢ଼ାପରେ କଳାକାର ହେବା ପାଇଁ ସଂଘର୍ଷ କରୁଥିଲା । ରାମ ଆଉ ବାପୁ ଓଡ଼ିଶାର ଗୋଟିଏ କଲେଜରୁ , ଯେହେତୁ ରାମ ବୟସରେ ବଡ଼ ଆଉ ଗୋଟିଏ ଶ୍ରେଣୀ ଉପରେ ପଡୁଥିଲା ତେଣୁ ବାପୁ ରାମକୁ ଭାଇ ବୋଲି ଡ଼ାକେ । ଦୁହେଁ ଅଲଗା ଅଲଗା ଯାଗାରେ ରହୁଥିଲେ ବି ସବୁବେଳେ ଦେଖା ହୁଏ ବହୁ ସମୟରେ ସାଥିରେ ରୋଷେଇ କରି ଖାଆନ୍ତି । ଚିନ୍ତନ ବି ମଝିରେ ମଝିରେ ଆସେ ଆଉ ଏହି ଦେଖା ସାକ୍ଷାତରେ ଘନିଷ୍ଠତା ବଢ଼େ ।

ବାପୁ ବରୋଦାରେ ପେଣ୍ଟିଙ୍ଗ୍ ରେ ପ୍ରବେଶ ନପାଇ ଗୋଟିଏ ବର୍ଷ ବରୋଦା ରେ କଳା ଇତିହାସ ପଢ଼ି ତା'ପରେ ଶାନ୍ତିନିକେତନ ଯାଇ ପେଣ୍ଟିଙ୍ଗ୍ ରେ ମାଷ୍ଟର୍ସ କରି ପୁଣି ବରୋଦା ଫେରିଆସେ । ନିଜ ଖର୍ଚ୍ଚ ତୁଲାଇବା ପାଇଁ ଆର୍ଟ ଟିଉସନ୍ କରେ । ତା' ପାଖରେ ଗୋଟିଏ ପୁରୁଣା ମୋଟା ଚକବାଲା ସାଇକେଲ ଥାଏ ଯେଉଁଟି ସେ ତିନିଶହ ଟଙ୍କା ଦେଇ ହଷ୍ଟେଲର ଗୋଟିଏ ପିଲା ଠୁ କିଣିଥିଲା । 

ରାମ ସେତେବେଳେ ଆଉ ସାଇକେଲ ଚଳାଉ ନଥିଲା । ତାକୁ ଖରାପ୍ ଲାଗୁଥିଲା କାରଣ ତା'ସହ ପଢୁଥିବା ସବୁ ସାଙ୍ଗ ପାଖରେ ଏବେ ଭଲ ଭଲ ବାଇକ୍ ଆଉ କିଛି କିଛି ତ କାର୍ ବି କିଣିଥିଲେ । କଲେଜର ଗୋଲ୍ଡ ମେଡାଲିଷ୍ଟ ହୋଇ ତା'ର ଏ ଅବସ୍ଥା ପାଇଁ ତା' ମନରେ ବ୍ୟର୍ଥତା ଆଉ ସଙ୍କୋଚ ଭରି ରହିଥାଏ ହେଲେ ବିନା ସାଇକେଲରେ ଆତଯାତ କରିବା କଷ୍ଟ ଆଉ ଖର୍ଚ୍ଚ ବହୁଳ । ତେଣୁ କେବେ କେବେ ସେ ଭାବେ ସାଇକେଲ ଚଳେଇବ । ଚିନ୍ତନ ପାଖରେ ନାଲି ରଙ୍ଗର ପତଳା ଚକବାଲା ବି.ଏସ. ଏ ର ଗୋଟିଏ ରେସିଙ୍ଗ୍ ସାଇକେଲ ଥିଲା । ତାହା ସେ ରାମକୁ ଦେଲା ,ଏମିତି ଘରେ ପଡ଼ି ନଷ୍ଟ ହେବା ଅପେକ୍ଷା ସାଙ୍ଗକୁ ଦେଲେ ସାଇକେଲଟି ଠିକ୍ ରହିବ ଆଉ କିଏ ଦେଖି କିଣିବାକୁ ଚାହିଁଲେ ବିକିଦେବ ।ଏମିତି ବରୋଦା ରେ ପୁରୁଣା ସାଇକେଲକୁ କେହି ପଚାରନ୍ତି ନାହିଁ ।

ଦିନେ ବାପୁ ସନ୍ଧ୍ୟାରେ ଟିଉସନ୍ ସାରି ରାମ ରୁମକୁ ଆସେ ଆଉ ସେଇଠି ସାଇକେଲଟିକୁ ଭେଟେ ,ପ୍ରଥମ ଦେଖାରେ ସେ ସାଇକେଲଟିକୁ ଭଲପାଇ ବସେ । ତା'କୁ ତା ନିଜ ସାଇକେଲଟି ଚଳେଇବାକୁ ଭଲ ଲାଗେନି କାରଣ ଏକ ତ ତା'ର ରଙ୍ଗ ସବୁବେଳେ ଦୂରରୂ ଧୂଳି ଜମିଲା ପରି ଦେଖାଯାଏ , ମୋଟା ଚକା ଯୋଗୁଁ ଚଳେଇବାକୁ ଅଧିକ ଶକ୍ତି ଲାଗେ । ବାପୁ ପାଞ୍ଚଫୁଟ ଦୁଇ ଇଞ୍ଚର ପତଳା ଦୁର୍ବଳ ଯୁବକଟିଏ । 

ବାପୁ ରାମକୁ ପଚାରେ , ଭାଇ ଏଇଟା କାହା ସାଇକେଲ , ନ ଚଳେଇ ଘରେ ପୂରେଇ ଏମିତି କାହିଁକି ରଖିଛ ? ପର ସ୍ତ୍ରୀ କାଳେ ଅଧିକ ସୁନ୍ଦର ଦିଶେ ! କଥାଟିର ସତ୍ଯତା ଉପଲବ୍ଧି କଲା ସେଦିନ ବାପୁ । ରାମ ଭାଇ କହିଲା , ସାଇକେଲଟି ନୂଆ ଭଳି ଦେଖାଯାଉଛି ତ ଚୋରିଚୁରା ହୋଇଗଲେ ଶଳା ! ଚିନ୍ତନ ଗୁଜୁରାତି ଛାଡ଼ିବ ନାହିଁ ।

ରାମ ଭାଇଟା ସାନ ମାନଙ୍କର ଭାରି ଯତ୍ନ କରେ ଆଉ ବଡ଼ଙ୍କୁ ଭକ୍ତି ତେଣୁ ସମସ୍ତେ ତା'କୁ ଭଲ ପାଆନ୍ତି । ବାପୁର ଆଖିରେ ସାଇକେଲଟି ପ୍ରତି ଅହେତୁକ ଆକର୍ଷଣ ଦେଖି କହିଲା , ନେଇଯା ଚଳେଇବୁ ଯଦି । ମୁଁ ତ ଚଳେଇବି ନାହିଁ , ଚିନ୍ତନ ପଚାରିଲେ କହିଦେବି ତୁ ନେଇଛୁ ବୋଲି । ସେ ତ ତୋତେ ଭଲସେ ଜାଣିଛି କିଛି ଅସୁବିଧା ନାହିଁ । ଏତିକି କଥାରେ ବାପୁକୁ କୋଟିନିଧି ମିଳିଗଲା , ସାଇକେଲଟିକୁ ବାହାରକୁ ଆଣି ଟିକିଏ  ବୁଲି ଆସିଲା ।  ସେଇଠି ସେ ସନ୍ଧ୍ୟାରେ ଖିଆପିଆ ସାରି ରାମଭାଇକୁ ଧନ୍ୟବାଦ ଜଣାଇ ନିଜ ରୁମକୁ ଫେରି ଆସିଲା ।

କିଛି ଦିନ ଆରମସେ ଚଳେଇଲା  ଆଉ ସାଇକେଲର ମାଲିକ ଚିନ୍ତନର ବି କୌଣସି ପ୍ରତିକ୍ରିୟା ନଥିଲା । ତେଣୁ ବାପୁ ଧିରେ ଧିରେ ସାଇକେଲଟିକୁ ନିଜର ଭାବି ବସିଲା । ସେତେବେଳେ ବରୋଦାରେ ଯେତେ ସବୁ ସାଇକେଲ ସଜାଡ଼ିବା ଦୋକାନୀକୁ ସେ ଜାଣିଥିଲା ସବୁ ଯାକ ଠକ ! ଟଙ୍କାଏ ଯାଗାରେ ପାଞ୍ଚଟଙ୍କା ଲୁଟନ୍ତି । ଶେଷରେ ସେ ରହୁଥିବା ଫତୈଗଂଜର ମୁସଲମାନ ବସ୍ତିରେ ଗୋଟିଏ ଛୋଟ କେବିନ୍ ପକାଇଥିବା ବୁଢ଼ା ଚାଚା ତା'ର ମନକୁ ପାଇଲା । 

ଏ ମୁସଲମାନ ଚାଚାଟି ସମସ୍ତଙ୍କ ଠାରୁ ଥିଲା ନିଆରା । ବାପୁ ସାଇକେଲର ଯେଉଁ ପାର୍ଟସ୍ ବାରମ୍ବାର ଅସୁବିଧା ଆଣେ ସେ ପାର୍ଟ୍ ବଦାଳାଇ ନୂଆ ପକାଇବାକୁ କହିଲେ ଓଲଟା ବୁଡ଼ା କହିବ କ'ଣ ଦରକାର ? ତୋ ପାଖରେ କ'ଣ ପଇସା ଅଧିକ ହୋଇ ଯାଇଛି ?  ବୁଢ଼ା ଲାଗି ଲାଗି ତାକୁ ଠିକ୍ କରିବ । ଚକାରେ ପ୍ରେସର୍ ଦେଲେ ତ କେବେ ବି ସେ ପଇସା ନିଏନି ଯେଉଁଠି ଅନ୍ୟ ଦୋକାନୀ ଗୋଟିଏ ଚକାକୁ ଦୁଇଟଙ୍କା ନେଉଥିଲେ । ଗ୍ରାହକ ଥିବା ବେଳେ ଯଦି ପମ୍ପଚର୍ ଠିକ୍ କରିବାକୁ ଯିବ  ତେବେ ଘଣ୍ଟାଏ ଠିଆ କରେଇବେ ଆଉ ସନ୍ଧ୍ୟାଟିକିଏ ହୋଇ ଯାଇଥିଲେ ସିଧା ମନା କରିଦେବେ । ହେଲେ ଚାଚା କେବେ ନୁହେଁ , ଠିକ୍ ସେ ଦେଖା ଯାଉ ନଥିଲେ ବି ସେ କରିବ । ଯେମିତି ଚାଚା ବାପୁକୁ ପୁଅ ଭଳି ଦେଖେ , ବାପୁର ବି ଚାଚା ପ୍ରତି ବଡ଼ ସମ୍ମାନ ବୋଧ ଥିଲା । ଗୋଟିଏ ନିସର୍ତ ସଂପର୍କ ଗଢ଼ି ଉଠିଥିଲା ଦୁହିଁଙ୍କ ମଧ୍ୟରେ । ବାପୁ ଚାଚାକୁ ଏମିତି ଦୁଇ ଦିନ ଛାଡ଼ି ଭେଟେ ,ସେଠି କିଛି ସମୟ ବସେ ଆଉ ଆଖ ପାଖର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରେ ।

ଚିନ୍ତନ ଆଉ ସାଇକେଲ ତ ମାଗିବନି ,ଏଇଆ ଭାବି ବାପୁ ସବୁବେଳେ ସାଇକେଲଟିର ପୂରା ଯତ୍ନ ନିଏ । ବାରମ୍ବାର ଲିକ୍ ହେବାରୁ ଚାଚାର ମନା କରିବା ସତ୍ତ୍ୱେ ପୁରୁଣା ଟିଉ ଟାୟାର ବଦଳାଇ ନୂଆ ପକାଏ  । ପୁରା ସାଇକେଲଟିର ସରଭିସିଙ୍ଗ୍ କରାଏ , ଆଠଶହ ଟଙ୍କା ଖର୍ଚ୍ଚ କରି । ୨୦୧୦-୧୧ ମସିହାରେ ବାପୁ ପାଇଁ ଏହା ଥିଲା ଗୋଟିଏ ବଡ଼ ଖର୍ଚ୍ଚ। ଏହାର ଦୁଇଦିନ ପରେ ଚିନ୍ତନ ରାମଙ୍କୁ ତା ସାଇକେଲ ଫେରସ୍ତ ମାଗିଲା । ଏଇଠୁ ସମସ୍ୟା ଆରମ୍ଭ ହୋଇଗଲା , ସାଇକେଲ ଆଉ ବାପୁ ମଝିରେ ଚିନ୍ତନ ଏବେ ଖଳନାୟକ ପରି ପ୍ରତୀତ ହେଲା ।

କୁଲୁ ସେବେ ଓଡ଼ିଶାରୁ ଆସି ମାଷ୍ଟର୍ସରେ ନୂଆ ଆଡ଼ମିଶନ ପାଇଥାଏ । କୁଲୁ ଭୁବନେଶ୍ୱରର ଆଉ ଏକ ଭିନ୍ନ ଆର୍ଟ କଲେଜରୁ । ବାପୁ ଆଉ ରାମ ଠୁ ବୟସରେ ପାଞ୍ଚ ଆଉ ଆଠ ବର୍ଷ ସାନ। ବାପୁର ତାହା ସହ ପରିଚୟ ଅନ୍ଯଜଣେ ସାଙ୍ଗ ଜରିଆରେ ହୋଇଥିଲା । ବୟସର ତାରତମ୍ୟ ଥାଇ ବି ଦୁହିଁଙ୍କର ପ୍ରଥମରୁ ଦୋସ୍ତି ଜମି ଯାଇଥିଲା । କୁଲୁ ବାପୁକୁ ବଡ଼ ଭାଇ ଆଉ ସାଙ୍ଗ ଭଳି ଖୁବ୍ ସମ୍ମାନ କରେ ଆଉ ବାପୁ କୁଲୁକୁ ସାନ ଭାଇ ଆଉ ଭଲ ସାଙ୍ଗ ଦୃଷ୍ଟିରେ ଦେଖେ । 

 କୁଲୁ ଆସିବା ପରେ ପ୍ରଥମେ ବାପୁ ତା'ର ସେ ପ୍ରିୟ ସାଇକେଲଟିକୁ ତାକୁ ଦିଏ । ହେଲେ କୁଲୁ ସାଇକେଲର ସେତେ ଯତ୍ନ ନିଏନି , ସେମିତି ଧୂଳି ଜମିକି ଥାଏ , ଟିକିଏ ପୋଛାପୋଛି ବି କରୁନଥିଲା । ବାପୁକୁ ବାଧେ ତା'ର ସାଇକେଲର ଏ ଅବସ୍ଥା ଦେଖି । ଶେଷରେ ସେ ତା'ର ପୁରୁଣା ସାଇକେଲକୁ ଧରାଇ ସେ ସାଇକେଲ ଟିକୁ କୁଲୁର ଅବହେଳାରୁ ମୁକ୍ତ କରେ । କୁଲୁ ଟିକିଏ ବି ପ୍ରତିକ୍ରିୟା ନ ଦେଖେଇ ସାଇକେଲଟିକୁ ହସ୍ତାନ୍ତର କରି ବାପୁର ପୁରୁଣା ସାଇକେଲଟିକୁ ଆଦରି ନିଏ । ବାପୁର ସେ ସାଇକେଲ ପ୍ରତି ଅତେତୁକ ମୋହ ଦେଖି କୁହେ , ମୋତେ ଏ ସାଇକେଲଟା ଜମା ପସନ୍ଦ ନୁହେଁ ବା ! ମୁଁ ପତଳା ଲମ୍ବାକୁ ଏଇ ସାଇକେଲଟା ବି ପତଳା । ମୋର ଏ ମୋଟା ଚକବାଲା ସାଇକେଲଟି ପସନ୍ଦ !  ୟାକୁ ସଫା କରିବା ବି ଦରକାର ନାହିଁ .....ହେ...ହେ ...ହେ ! ପରେ ଦୁହେଁ ଖୋଲି ହସନ୍ତି ।

ଚିନ୍ତନ ଥରେ ତା ସାଇକେଲଟିକୁ ଫେରସ୍ତ ମାଗିଲା ପରେ ନମିଳିବାରୁ ଏବେ ଦୃଢ଼ ସ୍ବରରେ ରାମକୁ ମାଗିଲା । କହିଲା , ମୋ ସ୍ତ୍ରୀ ଚଳେଇବ । ରାମଭାଇ ବାପୁକୁ ଜଣେଇଲା ସେ ଶଳା ଗୁଜୁ ! ସାଇକେଲ ସାଇକେଲ ହୋଇ ଆଉ ରଖେଇ ଥୋଇ ଦେଉନି , କ'ଣ କରିବା ବେ ? କୁଲୁ ସେଦିନ ସାଥିରେ ଥାଏ  ବାପୁ କହିଲା , ରାମଭାଇ ଦୁଇଦିନ ତଳେ ଆଠ ସହ ଟଙ୍କା ଖର୍ଚ୍ଚ କରି ସାଇକେଲଟିକୁ ପୂରା ସର୍ଭିସିଙ୍ଗ୍ କରେଇଛି । ଶଳାଟାକୁ ଏତିକି ବେଳେ ମାଗିବାର ଥିଲା ! କ'ଣ କରିବା କୁହ ? ହେ ଶଳା ! ମରଉ ବେ ସେ ... କହିଲା କ'ଣ ନା ମୋର ସ୍ତ୍ରୀ ଚଳେଇବ । ଆବେ ଏକ୍ ତ ଜେନ୍ଟସ୍ ସାଇକେଲ ପୁଣି କହୁଣି ରଖି ଆଗକୁ ନଇଁ ଚଳେଇବା ହୁଏ , ଏଇଟା କୋଉ ଝିଅପିଲା ଚଳାଏ ବେ ? ଶଳାଟାର ସାଇକେଲ ଫାଇକେଲ୍  କିଛି ଦରକାର ନାହିଁ କେଉଁଠି ଗୋଟାଏ ଗରାଖ ଜୁଟିଛି ବୋଧହୁଏ । ତୁ ବ୍ୟସ୍ତ ହୋନା ଜମା , ପଚାରିଲେ କହିଦେବା ଚୋରି ହୋଇଗଲା । ହା...ହା...ହା ! ତିନିହେଁ ସେଠୁ ମନ ଖୋଲି ହସିଲେ ।ଶେଷରେ ସ୍ଥିର କରାଗଲା , କୁହା ହେବ କି ସାଇକେଲ୍ ଟି କୁଲୁ ଚଳୋଉଥିଲା , ହଷ୍ଟେଲରେ ଥିଲା ଆଉ ଏହି ନବରାତ୍ରି ଛୁଟିରେ ଚୋରି ହୋଇଗଲା । କୁଲୁକୁ ତ ସେ ସେତେ ଜାଣିନି ତେଣୁ କିଛି କହି ପାରିବିନି । କୁଲୁ ବି ଏହି କଥାକୁ ପୂର୍ଣ୍ଣ ସମର୍ଥନ ଜଣେଇଲା । ଦୁହେଁ ବାପୁକୁ ନିଃସର୍ତ୍ତ ସମର୍ଥନ ଜଣାଇଲେ , ବାପୁ ପ୍ରତି ତାଙ୍କର ଘନିଷ୍ଠତା ଆଉ ତା'ର ସାଇକେଲରେ ହୋଇଥିବା ଖର୍ଚ୍ଚ ଆଉ ଅହେତୁକ ମୋହ ଯୋଗୁଁ ।

ଯୋଜନା ମୁତାବକ ଚିନ୍ତନକୁ ରାମଭାଇ କହିଦେଲା । ଚିନ୍ତନ ସେଠୁ ରାମ ଉପରେ ବହେ ଗେରେ ଗେରେ ହୋଇ ଘରକୁ ଗଲା । ଏବେ ତା'ର ଲକ୍ଷ ରହିଲା ବିଚରା କୁଲୁ ଉପରେ । ମଝିରେ ମଝିରେ ସେ କଲେଜ ଯାଏ ଆଉ କୁଲୁକୁ ପଚରା ଉଚରା କରେ ‌। କେମିତି ହଜିଲା ,କେବେ ହଜିଲା ? ଏଇମିତି ହଜାରେ ପ୍ରଶ୍ନ ପଚାରି ଜେରା କରେ। କୁଲୁଟା ବି ମହା ଗାଲୁଆ , ସିଧା ସିଧା ପୂରା ଆତ୍ମବିଶ୍ବାସର ସହ ଚିନ୍ତନକୁ ଜବାବ ଦେଇଦିଏ । ହେଲେ ଏବେ କୁଲୁକୁ ଲାଗିଲା ସେ ପ୍ରକୃତ ଚୋର ! ଚିନ୍ତନକୁ କେଉଁଠି ଦେଖିଲେ ବାଟକାଟି ପଳାଏ । କୁଲୁର ଏପରି ଆଚରଣକୁ ଦେଖି ଚିନ୍ତନର ସନ୍ଦେହ ବଢ଼ିଲା । ଦିନେ ଆସି କୁଲୁକୁ କହିଲା ,ସତ କହ ! କେତେ ଟଙ୍କାରେ ସାଇକେଲ ତୁ ବିକିଛୁ ? ତୁ ସତ ମାନିଗଲେ ମୁଁ ଆଉ ପୋଲିସରେ ଖବର ଦେବି ନାହିଁ । କୁଲୁ ସିନା ତା ମୁହଁରେ କହିଦେଲା , ଯାଅ ! ଖବର ଦିଅ  ହେଲେ ଭିତରୁ ଡ଼ରିଗଲା ।

ସବୁ କଥା କୁଲୁ ଆସି ବାପୁକୁ ଜଣାଏ । ସେଦିନର କଥା ବି ଜଣାଇଲା , ବାପୁ ବି ଟିକିଏ ଡ଼ରିଗଲା । ହେଲେ ରାମଭାଇ ସାହାସ ଦେଇ କହିଲା , କେଉଁ ପୋଲିସ୍ ବେ ? ତାଙ୍କର ଶଳା ! କ'ଣ ଆଉ କିଛି ଧନ୍ଦା ନାହିଁ ? ପୁରୁଣା ସାଇକେଲଟିକୁ ଖୋଜି ବୁଲିବେ ? ତୁମେ ଡ଼ରନି କିଛି ହେବନି ।

ହେଲେ ବାପୁକୁ ସେବେଠୁ ସବୁଦିନ ନିଜକୁ ଚୋର ଚୋର ଭଳି ଲାଗିଲା । ସେ ସାଇକେଲ ଚଳେଇ ଗଲାବେଳେ ମନରେ ଡ଼ର ଥାଏ କେବେ ଯଦି ଚିନ୍ତନ ସହ ସାମ୍ନାସାମ୍ନି ହୋଇଯାଏ , କ'ଣ ହେବ ? ଚିନ୍ତନ ଯେଉଁ ରାସ୍ତାରେ ଆଉ ଯେଉଁ ସମୟରେ ଯାଏ ସେ ସେହି ସମୟରେ ସେ ସେହି ରାସ୍ତା ଦେଇ ଯିବାକୁ ଡ଼ରେ । କେବେ ବି କେଉଁ ଛକରେ ସାଇକେଲ ରଖେନି । ଅଧିକାଂଶ ସମୟରେ ଏବେ ସେ ଚିନ୍ତନ ବିଷୟରେ ଚିନ୍ତା କରିବାକୁ ଲାଗିଲା । ବେଳେବେଳେ ସ୍ୱପ୍ନ ଦେଖେ କି ଚିନ୍ତନ ତା'ର ରହିବା ଜାଗାକୁ ଖୋଜି ଖୋଜି ଆସି ତାକୁ ରଙ୍ଗେ ହାତ୍ ଧରି ପକାଇଛି । ତା' ନିଦ ଭାଙ୍ଗିଯାଏ ଆଉ ଝାଳନାଳ ହୋଇ ବିଛଣାରୁ ଉଠେ !

ଏଇମିତି ଆଉ କେତେ ଦିନ ଚାଲିବ ଆଉ ସେ ଚୋର ଭଳି ସବୁବେଳେ ଡ଼ରୁଥିବ ? ବହୁ ସମୟରେ ଚିନ୍ତା କରେ କି ଚିନ୍ତନକୁ ସାଇକେଲ ଧରାଇ ସେ ସବୁ ସତ ସତ ମାନିଯିବ । ସାଙ୍ଗଟା ତ ଟିକିଏ ସୋଦାସୋଦି କରିବ ତା ପରେ ସବୁ ଠିକ୍ ହୋଇଯିବ । ହେଲେ ସାହାସ କେବେ କରି ପାରେନି । ଏମିତି ସମୟ ବିତିଚାଲେ କିନ୍ତୁ ବାପୁ ମନରେ ଏ ଗୋଟିଏ ବଡ଼ କଣ୍ଟା ହୋଇ ରୁହେ । ତାକୁ ଆଉ ସାଇକେଲଟି ଆଗ ଭଳି ଆକୃଷ୍ଟ କରେନି । ଧରା ପଡ଼ିଯିବା ଭୟରେ ଅଧିକାଂଶ ସମୟରେ ସେ ସାଇକେଲ ନନେଇ ଚାଲିଚାଲି କିମ୍ବା ଅଟୋ ଆଉ ସିଟି ବସ୍ ର ସାହାରା ନିଏ। 

ବରୋଦାରେ ବାପୁକୁ ବଡ଼ ଆର୍ଥିକ ଅନଟନରେ ରହିବାକୁ ପଡୁଥିଲା । ପାଞ୍ଚବର୍ଷ ରହଣିରେ କଳା କ୍ଷେତ୍ରରେ ନିକଟ ଭବିଷ୍ୟତରେ କେବେ ସଫଳତା ମିଳିବ ବୋଲି ଆଶା ତା'ର ଦିନକୁ ଦିନ କ୍ଷିଣ ହେବାକୁ ଲାଗିଥିଲା ‌। ତା'ର ଘନିଷ୍ଠ ବନ୍ଧୁ ଭିତରୁ ଅନ୍ୟତମ କୁଲୁ ପଢ଼ା ଶେଷ ପରେ ଦିଲ୍ଲୀ ପଳେଇଗଲା । ସେ ବି ଚିନ୍ତା କଲା ଦିଲ୍ଲୀ ପଳେଇବ । ଦିଲ୍ଲୀରେ ତା'ର ବହୁତ ସାଙ୍ଗ ରହୁଛନ୍ତି ତେଣୁ ତାକୁ ବି ଭଲ ଲାଗିବ , କୁଲୁ ବି ସାହାସ ଦିଏ ପଳେଇ ଆସ । ହେଲେ ସେ ବରୋଦାର ମୋହ ଛାଡ଼ି ପାରି ନଥିଲା। ଦିନେ ଦୃଢ଼ ହୋଇ ଚିନ୍ତା କଲା ନାଁ ! ଆଉ ରହି ହେବନି । ଘରେ ବି ସମସ୍ତେ ତା ପାଇଁ ଚିନ୍ତିତ ତେଣୁ ଶେଷରେ ସ୍ଥିର କଲା ସେ ସବୁଦିନ ପାଇଁ ବରୋଦା ଛାଡ଼ି  ଦିଲ୍ଲୀ ଯିବ ।

ଦିଲ୍ଲୀ ଯିବା ପାଇଁ ଆଗ ଯାଇ ଟିକଟ କରିନେଲା ,  ତା' ପରେ ବନ୍ଧୁମାନଙ୍କୁ ଜଣେଇ ଦେଲା । ଦିନ ପାଖେଇ ଆସିଲା ‌‌‌‌‌‌‌‌‌‌‌‌‌‌‌‌‌‌‌‌ହେଲେ ଏକ ମାତ୍ର ବଡ଼ ଚିନ୍ତା ରହିଥିଲା ସେହି ଅତି ପ୍ରିୟ ସାଇକେଲଟିକୁ ନେଇ । ଶେଷରେ ସାଇକେଲ ଚଳାଇ ରାମ ଘରକୁ ଗଲା , ସେତେବେଳେ ରାମ ଘର ବଦଳାଇ ଦୂରରେ ରହୁଥାଏ । ସାଇକେଲଟିକୁ ସହିସଲାମତ ରଖି ବାପୁ କହିଲା , ରାମଭାଇ ସାଇକେଲଟି ରହିଲା । ରାମ କହିଲା ଧେତ୍ ! ଏଇଟାକୁ କାହାକୁ ଦେଇ ଦେ ନ ହେଲେ ହଷ୍ଟେଲରେ ଥୋଇଦେଇ ଚାଲିଯା । ରାମର ଚିନ୍ତା ଥିଲା ଚିନ୍ତନ କୁ ସେ କ'ଣ  କହିବ ? ତାକୁ ବି ଚୋର ଚୋର ଅନୁଭବ ହେଉଥିଲା । ବାପୁ ଭାବିଲା ,  ପରର ବସ୍ତୁ ଉପରେ ଅହେତୁକ ଆକର୍ଷଣ , ଲୋଭ ଆଉ ମୋହ ଯୋଗୁଁ ଖାଲି ସେ ଏକା ଚୋର ଚୋର ବୋଧ କରୁନାହିଁ । ତାକୁ ନିଃସର୍ତ୍ତ ଭଲ ପାଉଥିବା ଦୁଇ ଘନିଷ୍ଠ ବନ୍ଧୁ ବି ଚୋର ହୋଇଗଲେ । ସେ ନିଜକୁ ମନେ ମନେ ଧିକ୍କାର କଲା ଆଉ କହିଲା , ରାମଭାଇ ! ମୁଁ ଚିନ୍ତନକୁ ମେସେଜ୍ କରି କହି ଦେଇଛି କି ତୋ ସାଇକେଲର ପ୍ରକୃତ ଚୋର ମୁଁ ! ଦୟାକରି କ୍ଷମା କରିବୁ ଭାଇ । ତୋ ସାଇକେଲ ରାମ ପାଖରେ ଅଛି । ରାମ ବାପୁର କଥା ଶୁଣି ନିରବ ରହିଲା । କିଛି କ୍ଷଣ ଦୁହେଁ ନିରବ ରହିଲେ କିଛି କହିବାକୁ କାହାରି ତୁଣ୍ଡରେ ଭାଷା ଜୁଟୁ ନଥିଲା ।

ବାପୁ ବରୋଦାରୁ ଆଉ ସାଙ୍ଗସାଥୀଙ୍କ ଠାରୁ ବିଦାୟ ନେଇ ଦିଲ୍ଲୀ ପାଇଁ ଟ୍ରେନ ଚଢ଼ିଲା । ତାକୁ ଏବେ ଭାରି ହାଲୁକା ବୋଧ ହେଉଥିଲା ଆଉ ଆଗ ଭଳି ଚୋର ଚୋର ବୋଧ ହେଉ ନଥିଲା ‌। କିଛି ମାସ ପରେ ଦିଲ୍ଲୀ ଆର୍ଟ ସବମିଟରେ ଚିନ୍ତନ ଅଚାନକ ଦେଖା ହୋଇଗଲା । ବାପୁ ଆଉଥରେ କ୍ଷମା ମାଗିନେଲା ନିଜର ଭୁଲ୍ ପାଇଁ । ଚିନ୍ତନ କହିଲା , ଇଟସ୍ ଓକେ ୟାର୍ ! ବାପୁ ଖୁସିରେ ଚିନ୍ତନକୁ କୁଣ୍ଢେଇ ଧରିଲା ।


Rate this content
Log in

Similar oriya story from Inspirational