STORYMIRROR

Sachidananda Kar

Abstract

3  

Sachidananda Kar

Abstract

ବାଘ ପୋଷିବା ମନା

ବାଘ ପୋଷିବା ମନା

2 mins
379


         ପୋଷିବା କାମଟା ସବୁ ଲୋକଙ୍କ ଦ୍ବାରା ହୁଏନି। 

         ଏତେ ସହଜ କାମ ନୁହେଁ ଇଏ।ଦିନାକେତେ ମୋ ଦ୍ବାରା ବି ହେଉ ନ ଥିଲା।ମୁଁ ଗୋଟେ ଅଲଗା କିସମର ମଣିଷ ଥିଲି। 


         ଏଠି ଜୀବନଯାପନର ଗୋଟେ ଧର୍ମ ଅଛି।ସେଇ ଧର୍ମ ପାଳନ କରି ରହିଥିଲି ମୁଁ।ଜୀବନ ବାଟରେ ଉଲ୍ଲାସର ପାହାଡୀ ନଦୀର ଧାର ବହିଗଲା ପରି ବହି ଯାଉଥିଲି। 


         ମଣିଷଙ୍କୁ ଖୁବ୍ ଭଲ ପାଉଥିଲି।ସେମାନଙ୍କୁ ପାଇବାକୁ ଉଦ୍ୟମ କରୁଥିଲି।ଇଚ୍ଛାକୁ ବାରମାସୀ ଚଢେଇ ସଜେଇ ଦେଇଥିଲି। 


         କ'ଣ ହେଲା କେଜାଣି!ଦିନେ ବୁଝିଲି ମଣିଷଙ୍କୁ ପାଇବାର ନିବିଡ ନିଜ ପଣ ଆଉ ମୋ ପାଖରେ ନାହିଁ।ମୁଁ ବଦଳିଯାଇଛି।ଆଉ କିଛି ପୋଷିବାରେ ବ୍ୟସ୍ତ ରହୁଛି।ଆତୁର ହୋଇ ତା' ପଛରେ ପଡିଛି। 


         ସେତେବେଳକୁ ମୁଁ ବଡ ହୋଇଗଲିଣି ।ସଠିକ୍ କହିପାରିବି ନାହିଁ ମୋର ବୟସ କେତେ ହୋଇଥିଲା ସେତେବେଳେ।କେବଳ ଏତିକି କହିପାରିବି ଯେ ମୋର କଲେଜ ପାଠପଢା ସରି ଯାଇଥିଲା ସେତେବେଳକୁ। 


         ଦିନେ ଦେଖିଲାବେଳକୁ ପୋଷିବା କାମରେ ମୁଁ ମାଷ୍ଟର ପାଲଟିଯାଇଛି।ମୋର ଆକାଂକ୍ଷାକୁ ମୁଁ ପୋଷିବାରେ ଲାଗିଛି।ତାକୁ କିପରି ପୋଷିବାକୁ ହେବ ତା'ର କଳା କୌଶଳ ଶିଖୁଛି।ଖୁବ୍ ଯତ୍ନର ସହିତ ତାକୁ ପୋଷିରଖୁଛି।ହୁଷ୍ଟପୁଷ୍ଟ କରୁଛି। 


         ତାକୁ ବା ବୁଝିଥିଲି କେତେ!ମୋ ପୋଷିବାର ସଉକ ମୋତେ ତାକୁ ବୁଝିବାକୁ ଦେଇ ନ ଥିଲା।ତାକୁ ପୋଷିବାକୁ ମୁଁ ଏତେ ବ୍ୟଗ୍ର ହୋଇ ପଡିଥିଲି ଯେ ଘଣ୍ଟା ଘଣ୍ଟା ତା' ପାଇଁ ଅନ୍ୟମନସ୍କ ରହୁଥିଲି।ପରିଶ୍ରମର ବେଗ ବଢାଇ ଦେଇଥିଲି।ମନରେ ଅନୁରାଗ ରଖୁଥିଲି। 


         ଧୀରେ ଧୀରେ ପାନ,ବିଡି ଭଳି ଏଇଟା ମୋର ଗୋଟେ ନିଶାରେ ପରିଣତ ହୋଇଗଲା।ଏ କାମରେ ବେଶ୍ ଅଭ୍ୟସ୍ତ ହୋଇଗଲି ମୁଁ।ସେମାନଙ୍କୁ କିପରି ହୁଷ୍ଟପୁଷ୍ଟ କରିବି,ସବୁବେଳେ ସେହି ଚିନ୍ତାରେ ସମୟ ବ୍ୟୟ କରିବାକୁ ଲାଗିଲି। 


         ଅଳ୍ପ ଦିନ ମଧ୍ୟରେ ମୋର ଏହି ଅଭ୍ୟାସଟିକୁ କେତେଜଣ ଶୁଭେଚ୍ଛୁ ଦେଖିପାରିଲେ।ପ୍ରଥମେ ପ୍ରଥମେ ସେମାନେ ମୋତେ କିଛି କହିବାକୁ ଉଚିତ ମଣି ନ ଥିଲେ।ପରେ କିନ୍ତୁ କହିବାକୁ ବାଧ୍ୟ ହେଲେ।କହିଲେ - " ବାଘ ପୋଷିବା ଉଚିତ ନୁହେଁ।ତୁ କାହିଁକି ତା' ପଛରେ ପଡିଛୁ? " 

        - " ବାଘ!କୋଉ ବାଘ!କେଉଁଠି! " ମୁଁ ସେମାନଙ୍କୁ କହିଲି।ମୋର ଆଶ୍ଚର୍ଯ୍ୟର ସୀମା ନ ଥିଲା। 


         କିନ୍ତୁ ସେମାନେ ତାଙ୍କର ସେହି ଗୋଟିଏ କଥାକୁ ବାରମ୍ବାର ମୋ ଆଗରେ କହିଚାଲିଲେ।ମୁଁ ଆଉ ଶୁଣିଲି ନାହିଁ।ମୋତେ ତାହା ସଂପୂର୍ଣ୍ଣ ଉଦ୍ଭଟ ମନେହେଲା। 


         କ'ଣ କହିବି?ସେମାନଙ୍କ କଥାକୁ ଅବିଶ୍ୱାସ କରୁଥିଲି ସିନା, ଦିନେ ସତସତିକା ମୋ ଉପରକୁ ଝାମ୍ପିପଡିଲା ସେ।ବାଘ କି ବୁଝେ କିଛି!ଆହାର ଉପରକୁ ହଠାତ୍ ଝାମ୍ପିପଡିବା ତା'ର ଅଭ୍ୟାସ।ବାଘ . . ,ବାଘ . . , ମୁଁ ଚିତ୍କାର କରିବାକୁ ଲାଗିଲି। 


         ସେଦିନ ମୃତ୍ୟୁକୁ ଭେଟିଲି।ସୌଭାଗ୍ୟକୁ ବାଘ ମୁହଁରୁ ବର୍ତ୍ତି ଆସିଲି।ମୋ ଦେହସାରା ଆଞ୍ଚୁଡା ଦାଗ ହୋଇଥିଲା।ଠାଏ ଠାଏ ରକ୍ତ ବି ଲାଗିଥିଲା।ହାତରେ ଧରିଥିବା ଫୁଲଡାଲାରୁ ମୁଁ ତୋଳିଥିବା ସଜ ଫୁଲମାନେ ଏଣେ ତେଣେ ବିଛାଡି ପଡିଥିଲେ। 


         ବାଘ କିନ୍ତୁ ମୋ ଠାରୁ କିଛି ଦୂରରେ ଆରାମରେ ଶୋଇ ଘୁଙ୍ଗୁଡ଼ି ମାରୁଥିଲା।ସମୟ ମୋତେ ପଛରେ ପକାଇ ଦେଇ ଆଗକୁ ଆଗକୁ ବଢ଼ିବାରେ ଲାଗିଥିଲା।ଅବସ୍ଥା ଚକ୍ରରେ ପଡି ନିଜକୁ ବେଶ୍ ଅସଫଳ ମନେ କରୁଥିଲି ମୁଁ।ଲୋକମାନଙ୍କର ଆହା ଚୁଚୁରେ ଖଣ୍ଡମଣ୍ଡଳ କମ୍ପୁଥିଲା। 


         ଏଣେ ତେଣେ ବିଛାଡି ହୋଇ ପଡିଥିବା ସୁନ୍ଦର ସଜଫୁଟା ଫୁଲଗୁଡିକୁ ଦେଖୁଥିଲି।ହେଲେ ସେଗୁଡିକ ଉପରେ ବାଘର ଆଦୌ ନଜର ନ ଥିଲା।ଫୁଲରେ ବାଘର ମତଲବ ଥାଏ କ'ଣ! 


         ଏବେ ବୁଝି ପାରୁଥିଲି ଯେଉଁ ଆକାଂକ୍ଷାକୁ ମନଦେଇ ଯତ୍ନର ସହିତ ପୋଷି ହୁଷ୍ଟପୁଷ୍ଟ କରୁଥିଲି ତାହା ପ୍ରକୃତରେ ବାଘ ଥିଲା।ଏହାପରେ ଜୀବନର ଅନେକ ବ୍ୟସ୍ତତା ମୋ ଭିତରୁ ଅଚାନକ ଉଭେଇଗଲେ।ବେଶ୍ ଫର୍ଚ୍ଛା ଲାଗିଲା ସମୟ। 


         ସେଇଦିନଠୁଁ ଆଜିଯାଏ ଯାହାକୁ ପାଖରେ ପାଉଛି ସମସ୍ତଙ୍କୁ ବାଘ ପୋଷିବାକୁ ମନା କରିଆସୁଛି।ହଁ,ବାଘ ପୋଷିବା ମନା!ଭୁଲ୍ କରି କେବେ ପୋଷିବେନି,ଆଜ୍ଞା!


Rate this content
Log in

Similar oriya story from Abstract