Khitish Ratan

Drama Classics Inspirational

4.8  

Khitish Ratan

Drama Classics Inspirational

ବାଧ୍ୟତା ର କଳାକାର

ବାଧ୍ୟତା ର କଳାକାର

6 mins
272


             ସକାଳୁ ବଡି ଭୋର ରୁ କାନମୂଳରେ ମାଛି ମାନଙ୍କର ରାଗ ଭୈରବୀ ର ମୂର୍ଚ୍ଛନା ରେ ମାଳତୀ ର ନିଦ ଟି ଭାଙ୍ଗିଯାଏ I ବିଛଣା ରୁ ଉଠି କିଛି ଦିନ ଧରି ନ ଖାଇ ଥିବା ଝାମ୍ପୁରୀ ପାଗଳୀ ପରି ଘର ଝାଡୁ ଦେଇସାରି କାଲି ରାତିର ଯୋଉ ଅଇଁଠା ବାସନ ପଡିଛି ତାକୁ ସଫା କରିବାରେ ଲାଗିପଡ଼ିଥାଏ I ଏଣେ ଦୁଇ ବାଲଟି ମଇଳା ଲୁଗାପଟା ବତୁରେଇଛି ତାକୁ ସଫା କରିବାକୁ ଅଛି I ତେଣେ ମାଳତୀ ର ସ୍ୱାମୀ ରମାକାନ୍ତ ଉଠିପଡ଼ି ଚାହା ମାଗିଲେଣି I ସେଣେ ବୁଲୁ ଆଉ ଝିଲି ସ୍କୁଲ ଯିବାପାଇଁ ପ୍ରସ୍ତୁତ ହେଇଗଲେଣି I ବୁଲୁ କହୁଛି ଖାଇବା ଛୁଟି ରେ ସବୁ ସାଙ୍ଗ ମାନେ ପୁରୀ ତରକାରୀ ପରଟା ନେଉଛନ୍ତି ହେଲେ ସିଏ ଖାଲି ବାଡ଼ି କଦଳୀ ତିନୋଟି ନେଇ ଖାଉଛି I ଚଣାମୁଢି ଗୁପ୍ଚୁପ ଖାଇବାକୁ ମଧ୍ୟ ପଇସା ତାକୁ ମିଳୁନି I ଝିଲି ଜୋତା ପିନ୍ଧୁ ପିନ୍ଧୁ ଛିଣ୍ଡିବାକୁ ଯାଉଥିବା ଜୋତାଟିକୁ ଟେକି ମା କୁ ଦେଖେଇ ଦେଲା I ମାଳତୀ କହିଲା ବାପାଙ୍କ ଯାତ୍ରାପାର୍ଟି କରୋନା ଯୋଗୁ ବନ୍ଦ ପଡିଛି I ବରଷେ ହେଲାଣି ଘରକୁ ରୋଜଗାର ନାଁ ରେ ଟଙ୍କାଟିଏ ମଧ୍ୟ ଆସୁନି I ପଇସା କୋଉଠୁ ଆସିଥିଲା ଯେ ଦେଇଥାନ୍ତି I

             ଘରଭଡା, ପିଲାଙ୍କ ସ୍କୁଲ ଫୀସ, ରମାକାନ୍ତ ର ଔଷଧ ପତ୍ର, ଘର ର ସଉଦା ପତ୍ର କେତେକଣ ଖର୍ଚ I ନିଜ ମଥା ପାଇଁ ତ ଟିକିଲି ଟିଏ ବି କିଣୁନି I ଗହଣା ଗାଣ୍ଠି ବନ୍ଧା ଦେଇ, ୟା ଠୁ ତା ଠୁ ଉଧାରୀ ଆଣି ଘର ଖର୍ଚ ଚଳୁଛି I ମାଳତୀ ର ସାନ ଭଉଣୀ ସରକାରୀ ଲାଇବ୍ରେରୀ ରେ ଚାକିରୀ ଟିଏ କରେ, ସେଇଠୁ ତାର ମାସ ପୁରିଲେ ଦରମା ମୁଠାଏ ଆସିଯାଏ I ସେଇ ସାନ ଭଉଣୀ ଏଇ ଅସୁବିଧା ବେଳେ ଉଧାର ଦେଇ ସଂସାର ଗାଡି ଟି ଗଡ଼ିବାରେ ସାହାଯ୍ୟ କରିଚାଲିଛି I ବାକିଵାଲା ଆସି ଘର କାଦୁଅ କରୁଛନ୍ତି I କେହିକେହି ଘରକୁ ଆସି ଧମକଚମକ ମଧ୍ୟ ଦେବାକୁ ପଛାଉନାହାନ୍ତି I ଦିନକୁ ଦିନ ସମସ୍ୟା ଜଟିଳ ହେବାକୁ ଲାଗିଲାଣି I ମାଳତୀ କିଛି ଏପଟ ସେପଟ ଛଳନା କରି ବାକିବାଲାଙ୍କୁ ଫେରେଇ ଦେଉଛି ହେଲେ କେତେଦିନ ସେପରି ଚାଲିପାରିବ I ଦୈନନ୍ଦିନ ଜୀବନ ପାଇଁ ରୋଜଗାର ଟିଏ ଯେମିତି ହେଲେ ଦରକାର I ନହେଲେ ନିଜେ ବିଷ ଟିକିଏ ପିଇ ଶୋଇଯିବ ବୋଲି ଭାବୁଥାଏ ମାଳତୀ I 

            ରମାକାନ୍ତ କାମ ଖୋଜୁଛି ହେଲେ ସରକାର ଯାତ୍ରାପାର୍ଟି ପାଇଁ ଅନୁମତି ଦେଉନାହାନ୍ତି I ଅଭିନୟ ଛାଡିଦେଲେ ରମାକାନ୍ତ କୁ ଆଉ କିଛି କାମ ଜଣାନାହିଁ ତେଣୁ କିଛି କାମ ମିଳୁନି ଆଉ ତା ଉପରେ ତାର ଆଂଠୁ ଯନ୍ତ୍ରଣା ବେଡି ଉପରେ କୋରଡ଼ା ମାଡ ଭଳିଆ I ତେଣେ ମାଳତୀ ର ଚାକିରୀ ସାଙ୍ଗରେ ଚୁମ୍ବକ ର ବିପରୀତ ମେରୁ ପରି ସମ୍ପର୍କ I ରମାକାନ୍ତ ର ବନ୍ଧୁ ଗିରିଶ ବାବୁ ଯାତ୍ରା ପାର୍ଟି ରେ ଜଣେ ଜଣାଶୁଣା ଚେହେରା I କାମ ନଥିବାରୁ ଆଇଗିଣିଆ ଛକରେ ପନିପରିବା ଦୋକାନ ଟିଏ ଦେଇଛନ୍ତି I ମାଳତୀ ବେଳେବେଳେ ପରିବା କିଣିବାକୁ ବଜାର ଗଲେ ଗିରିଶ ବାବୁଙ୍କ ସଂଗେ ଦେଖା ହେଇଯାଏ I ପନିପରିବା ସାଙ୍ଗରେ ପୁରୁଣା ଭଲ ଦିନର କଥା ଆଉ ବର୍ତମାନ ପରିସ୍ଥିତି ବିଷୟରେ ବାର୍ତାଳାପ ହୁଏ I ମାଳତୀ ଅନେକ ଥର କହିଛି ତାପାଇଁ ଚାକିରୀ ଖଣ୍ଡିଏ ଯୋଗାଡ କରିଦବାପାଇଁ I ହେଲେ ମାଳତୀ କୁ ଅବା କୋଉ କାମ ଜଣା ଯେ ସେ କରିବ I ରୋଷେଇବାସ ଆଉ ଘରକାମ ଛାଡିଦେଲେ ଅନ୍ୟ କୌଣସି କାମ ଜଣାନାହିଁ I

             ଗିରିଶ ବାବୁ କହିଲେ ତାଙ୍କ ଜଣେ ପ୍ରଯୋଜକ ବନ୍ଧୁଙ୍କର ଟିଭି ସିରିଏଲ ରେ ଗରିବ ଘର ର ସ୍ତ୍ରୀ ଲୋକ ଚରିତ୍ର ରେ ଅଭିନୟ କରିବା ପାଇଁ ସେ ଜଣଙ୍କୁ ଖୋଜୁଛନ୍ତି I ଘଣ୍ଟା ପ୍ରତି ବାରଶହ ଟଙ୍କା ମିଳିବ ତା ଉପରେ ସାଙ୍ଗରେ ଯିବା ଆସିବା ଆଉ ଖାଇବା ଇତ୍ୟାଦି ମିଳିବ I ମାଳତୀ କହିଲା ସୁଯୋଗଟି ବହୁତ ଭଲ ଯେ ହେଲେ ତାକୁ ତ ଅଭିନୟ ର "ଅ" ଅକ୍ଷର ଜଣାନାହିଁ I ତା ବୋପା ଅଜା ଦିହକରେ କେହି ହେଲେ ଅଭିନୟ କରିନାହାନ୍ତି I ମାଳତୀ ତା ସ୍କୁଲ ରେ ବାର୍ଷିକ ଉତ୍ସବ ନାଟକରେ ଅଭିନୟ କରିବାକୁ କହିବାରୁ ତା ବାପା କିଛିଦିନ ତାର ସ୍କୁଲ ଯିବା ବନ୍ଦ କରିଦେଇଥିଲେ I କହିଥିଲେ " ଛି ନାଟକ ଅଭିନୟ ଏସବୁ କଣ ଭଲଘର ଝିଅମାନେ କରନ୍ତି, ଏସବୁ ଖରାପ ଘର ର ଲୋକମାନେ କରିଥାନ୍ତି" I ରମାକାନ୍ତ ର ଅଭିନୟ ବୃତ୍ତି କଥା ଜାଣିବାପରେ ମାଳତୀ ର ବାପା ସେ ଦୁଇଜଣଙ୍କ ପ୍ରେମ କୁ ପ୍ରତ୍ୟାଖ୍ୟାନ କରିଦେଇ ଥିଲେ ଏବଂ ବାହାଘର ପାଇଁ ରାଜି ହେଇନଥିଲେ I ଶେଷରେ ମାଳତୀ ସେଇ କଳାକାର ପ୍ରେମକୁ ବାଛିନେଇ ବାପାଘର ଛାଡି ପଳେଇ ଆସିଥିଲା I ସେଇଥିପାଇଁ ଯେତେବେଳେ ରମାକାନ୍ତ ଆଉ ମାଳତୀ ର ଝଗଡା ହୁଏ, ମାଳତୀ ତା ଦୁଇ ଆଖି ରୁ ଗାଲ ବାଟ ଦେଇ ଗୋଟିଏ ଲେଖା ଲୁହ ଟୋପା ଗଡ଼ାଇ କୁହେ "ବାପାଙ୍କ ଇଚ୍ଛା ବିରୁଦ୍ଧରେ ତୁମଲାଗି ଘର ଛାଡି ଚାଲିଆସି ଥିଲି ବୋଲି ଆଜି ଏଇ ଦଶା ଭୋଗିବାକୁ ପଡୁଛି I ମାଳତୀ ର ବାପା ଅନେକ ଦିନ ହେଲାଣି ଆରପାରି କୁ ଗଲେଣି, ହେଲେ ତାଙ୍କର ସେଇ କଳାକାର ମାନଙ୍କ ପ୍ରତି ଥିବା ମୂଲ୍ୟବୋଧ ଟି ମାଳତୀ ର ମାନସପଟ୍ଟ ରେ ଯେପରି ପ୍ରସ୍ତରଚିହ୍ନ ପରି ମୁଦ୍ରିତ ହେଇଯାଇଛି I ହେଲେ ଗିରିଶ ବାବୁ ବହୁତ ବୁଝେଇ କହିଲେ ଯେ ଅଭିନୟ କରିବା ଏକ କଳା ଏବଂ ଏହା ସମ୍ମାନ ର ବିଷୟ ଆଉ ସେଥିରେ ଭଲ ପଇସା କିଛି ରୋଜଗାର ହେଇଯିବ ତା ଉପରେ ଲୋକପ୍ରିୟତା ମଧ୍ୟ ମିଳିପାରିବ I ତା ଛଡା ଝାଳବୁହା ପରିଶ୍ରମ ତ କିଛି କରିବାକୁ ପଡ଼ିବନି I ହେଲେ ମାଳତୀ କୁ ଅବା କିଏ ବୁଝେଇ ପାରିଥାନ୍ତା I ସେଇଠୁ ଗିରିଶ ବାବୁଙ୍କୁ ଆଉ କିଛି ଅଲଗା କାମ ଯୋଗାଡ କରିଦେବାକୁ ଅନୁରୋଧ ଜଣେଇ ମାଳତୀ ଘରକୁ ଫେରିଆସିଲା I

              ଗିରିଶ ବାବୁ ରବିବାର ଦିନ ସନ୍ଧ୍ୟା ବେଳେ ପ୍ରାୟ ମାଳତୀ ଘରକୁ ଏମିତି ଚାଲିଆସିଥାନ୍ତି I ଆଜି ମଧ୍ୟ ଗିରିଶ ବାବୁ ଚାଲିଆସିଥାନ୍ତି ମାଳତୀ ଘରକୁ I ରମାକାନ୍ତ ସଂଗେ ବସି ନାନା ଦୁନିଆ କଥା ଗପ କରୁଥାନ୍ତି I ମାଳତୀ କହିଲା ଘରେ କ୍ଷୀର ନାହିଁ ତେଣୁ ନାଲି ଚାହା ବନେଇଛି I ଗିରିଶ ବାବୁ ନାଲି ଚାହା ହିଁ ପ୍ରକୃତ ଚାହା ବୋଲି କହି ଚାହା ପିଉ ପିଉ ଗିରିଶ ବାବୁ ମାଳତୀ କୁ ପଚାରିଦେଲେ ସେ ସେରିଆଲ ରେ ଅଭିନୟ କରିବା କଥାଟି I ମାଳତୀ କହିଲା "ସେ କାମ ମୋ ଦ୍ୱାରା ହେବନି I ହଠାତ୍ହ ବୁଲୁ ଦୌଡ଼ି ଆସି ହାମ୍ପି ହାମ୍ପି କହିଲା, ଗୋଟିଏ ବାକିବାଲା ରାଗ ତମତମ ହେଇ ଆସୁଛି I ଏଇୟା ଶୁଣି ମାଳତୀ ତରବରିଆ ଭାବରେ ରମାକାନ୍ତ କୁ ଖଟ ଉପରେ ଚାଦର ଘୋଡେଇ ହେଇ ଶୋଇ ପଡ଼ିବାକୁ କହିଲା I ରମାକାନ୍ତ ସେଇଆ କରିଲା I ମାଳତୀ ଘରଭିତରକୁ ଯାଇ ସଂଗେ ସଂଗେ ଏକ ଚିରା ମସିଆ ଲୁଗା ଖଣ୍ଡେ ପିନ୍ଧି ମୁଣ୍ଡ ଚୁଟି କୁ ଅସ୍ତବ୍ୟସ୍ତ କରିପକେଇଲା I ଗିରିଶ ବାବୁ ଚୁପଚାପ ବସି ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତି I ବାକିବାଲା ନଳୀ ସାହୁ ତମତମ ହେଇ ଘର ଭିତରକୁ ଚାଲିଆସିଲା I ମାଳତୀ ସେଇ ଚିରା ଲୁଗା ର କାନି ରେ ମୁଣ୍ଡରେ ଓଢଣା ଦେଇ, ମୁହଁରେ ଅତି ଦୁଖୀ ଭାବ ଉପରେ ଆଖି ଛଳଛଳ ଲୁହ ସହିତ ଛୋଟ ନମସ୍କାର ଟିଏ କରେ ନଳୀ ସାହୁ କୁ I ନଳୀ ସାହୁ ଫଁ ଫଁ ହୋଇ କହିଲା "ଥାଉ ତମର ସେ ନମସ୍କାର, ବରଷେ ହେବାକୁ ଆସିଲାଣି, ଆଜି ଦେବି କାଲି ଦେବି କହି ଗଡେଇ ଚାଲିଛ I ଆଜି ଯେମିତି ହେଲେ ମୋର ଟଙ୍କା ଦରକାର I କିଡ଼ନୀ ବିକ କି ଯାହା କର କିନ୍ତୁ ମୋ ପଇସା ମୁଁ ଆଜି ଏଇଠୁ ନେଇକି ଯିବି ମୁଣ୍ଡ ଗଡିଗଲେ ବି ଛାଡିବିନି, ଆଆରେ କଣ ଗାଲୁଆ ଭାବିଛ କି ମୋତେ" I ତା କଥା ନସରୁଣୁ ମାଳତୀ କାନ୍ଦି କାନ୍ଦି କହିଲା "ନଳୀ ଭାଇ ତମେ କେତେ ସାହାଯ୍ୟ କରିଛ ହେଲେ କଣ ଯେ ଦଇବ ଇଚ୍ଛା ଜଣାପଡ଼ୁନି I ଇଏ (ରମାକାନ୍ତ) ଗଲା ପନ୍ଦର ଦିନ ହେଲାଣି ରୀହୁମାଟିକ ଆରଥ୍ରାଇଟିସ ରେ ପୀଡିତ I ଏଇ ବେମାରୀ ଟିର କୌଣସି ଚିକିତ୍ସା ନାହିଁ I ଘରେ ଟିଣ ରେ ଚାଉଳ ମୁଠିଏ ହେଲେ ନାହିଁ I ପିଲାମାନେ ତିନିଦିନ ହେଲା ଗୋଟିଏ ବକତ ଖାଇ ରହିଛନ୍ତି I ଭାବୁଛୁ ବିଷଟିକେ ଲେଖା ପିଇ ଦେଇ ସମସ୍ତେ ଶୋଇଯିବୁ ବୋଲି I ହେଲେ ତାପରେ ଲାଗୁଛି, ଆମେ ମରିଗଲେ ନଳୀ ଭାଇ ଙ୍କ ପଇସା କିଏ ଶୁଝିବା I ସେଥିପାଇଁ ମରି ମଧ୍ୟ ପାରୁନୁ I କଣ ଯେ କରିବି, ହେ କାଳିଆ ଟିକେ ଏଇ ଗରିବ କୁ ସାହା ହୁଅ ପ୍ରଭୁ" I ମାଳତୀ ର କାନ୍ଦଣା ଦେଖି ନଳୀ ସାହୁ ପୁରା ମହମ ତରଳିଲା ପରି ତରଳି ସାରିଥଏ I ନଳୀ ସାହୁ ରୋଗଟିର ନାଁ ରୀହୁମାଟିକ ଆରଥ୍ରାଇଟିସ ଶୁଣି ଭାବୁଥାଏ କାଳେ ସେ ରୋଗଟି କ୍ୟାନ୍ସର ଠାରୁ ମଧ୍ୟ ଗମ୍ଭୀର ବେମାରୀ ଟିଏ ବୋଧହୁଏ ଆଉ ସେଥିରେ ଆକ୍ରାନ୍ତ ରମାକାନ୍ତ ବୋଧେ ଆଉ ବଞ୍ଚିବନି I ମାଳତୀର କାନ୍ଦଣା ଦେଖି ସେ ଛଳଛଳ ଆଖି ରୁଦ୍ଧ କଣ୍ଠ ନମ୍ର ସ୍ୱର ରେ ମାଳତୀ କୁ କହିଲା "ହେଉ ଭଉଣୀ ମୋ ପଇସା ଯେବେ ଦେଇପାରିବ ଦେବ I ତମେମାନେ ଭଲରେ ଥାଅ I କିଛି ସାହାଯ୍ୟ ଦରକାର ହେଲେ କହିବ I" ଏତିକି କହି ପକେଟରୁ ଦୁଇଟି ପାଞ୍ଚଶହ ଟଙ୍କିଆ ନୋଟ ବାହାର କରି ମାଳତୀ ହାତରେ ଧରେଇଦେଇ, ଏକ ଦୀର୍ଘନିଶ୍ବାସ ପକେଇ ସେଠାରୁ ଚାଲିଗଲା I ଗିରିଶ ବାବୁ ଚୁପଚାପ ବସି ଏଇ ସବୁ ଘଟଣାକ୍ରମ କୁ କୌତୁହଳତା ର ସହ ଦେଖୁଥାନ୍ତି I ନଳୀ ସାହୁ ଗଲାପରେ ଗିରିଶ ବାବୁ ମୁରୁକି ହସି ମାଳତୀ କୁ କହିଲେ "ଏଇ କିଛି କ୍ଷଣ ଆଗରୁ ତ ତୁମେ କହୁଥିଲ ଯେ ତୁମଦ୍ୱାରା ଅଭିନୟ ହେଇପାରିବନି I"

              ସବୁ ନାଟକ ଅବା ଚଳଚିତ୍ର ର ଉପସଂହାର ପରି କିନ୍ତୁ ଏଇ କାହାଣୀଟି ର ଅନ୍ତ ହେଉନାହିଁ I ବରଂ କୁହନ୍ତୁ ଏହା ଏକ ଶୁଭାରମ୍ଭ I ଏଇ ଘଟଣା ଏବଂ ପରିସ୍ଥିତି ରୁ ପ୍ରେରିତ ହୋଇ ମାଳତୀ ଯାଇ ସେ ସିରିଏଲ ର ଅଡିସନ ରେ କାର୍ଯ୍ୟକୃତ ହେଇ ବର୍ତମାନ ଘରେ ଘରେ ପରିଚିତ ହେଇସାରିଛି I ଭଲ ଦୁଇ ପଇସା ରୋଜଗାର କରୁଛି I ନଳୀ ସାହୁ ଆଉ ସେପରି କିଛି ବାକିବାଲା ଙ୍କର ଉଧାର ଟଙ୍କା କୁ ଅଳ୍ପ ଅଳ୍ପ କରି ଦେଇକି ସୁଝି ଦେଇଛି I ସାନ ଭଉଣୀ ଠାରୁ ଆଣିଥିବା ଋଣ କୁ ମଧ୍ୟ ସୁଝି ଚାଲିଛି ଆଉ ତା ଠାରୁ ସାହାଯ୍ୟ ମାଗିବା ଦରକାର ପଡୁନି I ବୁଲୁ କୁ ଭଲ ପକେଟ ଖର୍ଚ ମିଳୁଛି I ଝିଲି ର ଅବିକା କେତେ ନୂଆ ନୂଆ ଡ୍ରେସ ଆଉ ଜୋତା I ରମାକାନ୍ତ ର ଯାତ୍ରାପାର୍ଟି କାମ ପୁଣି ଆରମ୍ଭ ହେଇସାରିଛି I ତେଣୁ ଏବେ ଘରକୁ ଦୁଇ ଦୁଇ ଟା ରୋଜଗାର ଆସୁଛି I ହାଟ ରେ ବାଟ ରେ ଗଲା ଆସିଲା ବେଳେ ଲୋକମାନେ କିଏ ନମସ୍କାର କରୁଛନ୍ତି ତ ଆଉ କିଏ ସେଲଫି ନେଉଛନ୍ତି ତ କିଏ କିଏ ଅଟୋଗ୍ରାଫ ମାଗୁଛନ୍ତି I ମାଳତୀ କହୁଛି ରମାକାନ୍ତ କୁ ବାହାହେଇଥିଲି ବୋଲି ସିନା କଳାକାର ଟିଏ ହେଇପାରିଲି II

              ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ କିଛି ନାଁ କିଛି କଳା ଲୁଚି ରହିଥାଏ I କେହି କେହି ନିଜ ଅନ୍ତର୍ନିହିତ କଳା କୁ ଚିନ୍ହି ପାରିଥାନ୍ତି ଆଉ ସେଇ କଳାକୁ ଧରି ନିଜ ନିଜ ଜୀବନ ରେ ଆଗେଇଥାନ୍ତି I ଆଉ କିଛି ବ୍ୟକ୍ତି ଏଇପରି ବିପରୀତ ପରିସ୍ଥିତି ରେ ପଡି କଳା କୁ ପେଟ ପାଟଣା ର ସ୍ରୋତ ଅବା ଜୀବନ ଲଢେଇ ପାଇଁ ଅସ୍ତ୍ର ଭାବରେ ବାଛିନେଇଥାନ୍ତି I ଏଇପରି କଳାକାର ମାନଙ୍କୁ କୁହାଯାଇ ପାରିବ ବାଧ୍ୟତା ର କଳାକାର I ଏଇ କାହାଣୀ ର ମାଳତୀ ପରି ଅନେକ ବାଧ୍ୟତା ର କଳାକାର ମାନଙ୍କୁ ମୋର ହୃଦୟଗତ ପ୍ରଣିପାତ II 


Rate this content
Log in

Similar oriya story from Drama