Khitish Ratan

Abstract Drama Inspirational

4.9  

Khitish Ratan

Abstract Drama Inspirational

ଅନ୍ୟ ଏକ ଚକ୍ରବ୍ୟୁହ

ଅନ୍ୟ ଏକ ଚକ୍ରବ୍ୟୁହ

7 mins
341


ଚକ୍ରବ୍ୟୁହ କହିଲେ ଆମେ ସମସ୍ତେ ଦ୍ୱାପର ଯୁଗ ର ମହାଭାରତ ଯୁଦ୍ଧ ରେ ଅର୍ଜୁନପୁତ୍ର ବୀର ଅଭିମନ୍ୟୁଙ୍କ କଥା ଭାବିଥାଉ I କୌରବ ସେନା ରେ ଥିବା ମହାରଥୀ ମାନେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ସଂଗେ ମିଶି କିପରି ଅଭେଦ୍ୟ ବ୍ୟୁହ ରଚନା କରିଥିଲେ ଏବଂ କିପରି ପିତା ଅର୍ଜୁନଙ୍କ ଅନୁପସ୍ଥିତି ରେ ବୀର ଅଭିମନ୍ୟୁ ମାତୃଗର୍ଭ ରେ ଥାଇ ଅସମ୍ପୂର୍ଣ୍ଣ ଭାବେ ଶୁଣିଥିବା ଚକ୍ରବ୍ୟୁହ ଭେଦ କରିବା ଜ୍ଞାନ ସହିତ ଲଢ଼ିବାକୁ ଆଗେଇଗଲେ ଏବଂ କିପରି କାପୁରୁଷ କୁରୁରଥୀ ମାନଙ୍କ ଦ୍ୱାରା ବୀରଗତି ବରଣ କରିଲେ I ତେବେ ବର୍ତମାନ ହେଉଛି କଳିଯୁଗ I ଏଇ ଯୁଗ ରେ ଚାଲୁଅଛି ଅନ୍ୟ ଏକ ମହାଭାରତ ଯୁଦ୍ଧ I ଏଇ ଯୁଦ୍ଧ ରେ ରଚନା ହେଇଅଛି ଅନ୍ୟ ଏକ ଚକ୍ରବ୍ୟୁହ I ସେଇ ଚକ୍ରବ୍ୟୁହ ଘେର ରେ ପଶି ଲଢେଇ କରୁଅଛନ୍ତି ଭିନ୍ନ କିଛି ଅଭିମନ୍ୟୁ I କିଛି ଅଭିମନ୍ୟୁ ସେଇ ଚକ୍ରବ୍ୟୁହ ରେ ହାରି ଯାଇ ବୀରଗତି ବରଣ କରିଯାଉଅଛନ୍ତି ତ କିଛି ଅଭିମନ୍ୟୁ ସଫଳତା ର ସହିତ ସେ ଚକ୍ରବ୍ୟୁହ ରୁ ବାହାରି ଆସୁଅଛନ୍ତି I ତେବେ ଆସନ୍ତୁ ଜାଣିବା ସେହିପରି ଏକ ସଫଳ ଅଭିମନ୍ୟୁ ଙ୍କ ବିଷୟରେ;    

ଝିଅଟି ସରଳ, ଗମ୍ଭୀର, ବଡ ମାନଙ୍କୁ ସମ୍ମାନ, ଛୋଟ ମାନଙ୍କ ପ୍ରିୟ, ଅନ୍ତର୍ମୁଖୀ, ଘରୁ କଲେଜ କଲେଜ ରୁ ଘର; ଏହିପରି କିଛି ଗୁଣ ଅନନ୍ୟା ର ବ୍ୟକ୍ତିତ୍ୱ କୁ ବ୍ୟାଖ୍ୟା କରିବାକୁ ଉପଯୋଗ କରାଯାଇପାରେ I ସମ୍ବଲପୁର ସହର ଉପକଣ୍ଠ ରେ ଥିବା ଏକ ଗାଁ ର ଏକ ମଧ୍ୟ୍ୟମ ପରିବାର ର ବଡ ଝିଅ ଅନନ୍ୟା I କଳା ରେ ସ୍ନାତକ ପାସ କରି ପିଜି କରୁଛି ଅନନ୍ୟା I ପରିବାର କହିଲେ ବାପା ସବ୍ୟସାଚୀ ବାବୁ ବୁର୍ଲା ମେଡିକାଲ ରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ, ମା ଜଣେ ଗୃହିଣୀ ଏବଂ ଭାଇ ଭଉଣୀ କହିଲେ ଅନନ୍ୟା ତଳେ ଗୋଟିଏ ସାନ ଭାଇ ଏଇ ବର୍ଷ ମାଟ୍ରିକ ପରୀକ୍ଷା ଦେବାପାଇଁ ପ୍ରସ୍ତୁତି କରୁଛି  I ମାମୁ ମାନେ ପ୍ରାୟବେଳେ ଘରକୁ ଯିବାଆସିବା କରନ୍ତି I ଅନନ୍ୟା ବାପା ଆଉ ମାମୁ ମାନଙ୍କ ଅତି ଅଲିଅଳି ହେଇଥିଲେ ମଧ୍ୟ ତା ବ୍ୟକ୍ତିତ୍ୱ ରେ ସେପରି କିଛି ପରିଲକ୍ଷିତ ହୁଏନାହିଁ I ବାପାଙ୍କ ସମ୍ପତି କହିଲେ ପୈତୃକ ଜମିବାଡ଼ି ଏବଂ ଗାଁ ସ୍ଥିତ ବାସଗୃହ ଟିଏ I 

ଏକ ପାରମ୍ପରିକ ଓଡ଼ିଆ ପରିବାର ର ରୀତି ଅନୁସାରେ ଅନନ୍ୟା ର ବୟସ ବର୍ତମାନ ବିବାହ ଯୋଗ୍ୟ ହେଇସାରିଥାଏ I ତେଣୁ ଅନନ୍ୟା ର ବାହାଘର ପାଇଁ ପ୍ରସ୍ତାବ ଖୋଜା ଆରମ୍ଭ ହେଇସାରିଥାଏ I ମାମୁ ମାନେ ମଧ୍ୟ ତାଙ୍କର ଅଲିଅଳି ଭାଣିଜୀ ପାଇଁ ଯୋଗ୍ୟ ବରପାତ୍ରଟିଏ ଖୋଜିବାରେ ଲାଗିପଡିଥାନ୍ତି I ଝାରସୁଗୁଡା ରେ ସଂଜୁ ମାଉସୀ ତାଙ୍କର ପରିଚିତ ପରିବାର ର ପ୍ରସ୍ତାବ ଟିଏ ଆଣି ପହଞ୍ଚିଲେ I ପିଲାଟି ରେଳବାଇ ରେ ଟେକନିସିଆନ ଭାବରେ କାମ କରୁଥାଏ I ପରିବାର ର ଦୁଇଟି ପୁଅ ମଧ୍ୟରୁ ବଡ ପୁଅଟି ପାଇଁ ପ୍ରସ୍ତାବ ଟି ଆସିଥାଏ I ଘର, ସମ୍ପତ୍ତିବାଡ଼ି ଦେଖିଲେ ସ୍ଵଛଳ ପରିବାରଟିଏ I ପିଲାଟି ଅତି ସୁନ୍ଦର ନହେଲେ ମଧ୍ୟ ଦେଖିବାକୁ କିଛି ଖରାପ ମଧ୍ୟ ନୁହେ I ଏମିତି କଥାରେ ଅଛି ସରକାରୀ ଚାକିରିଆ ପୁଅ ର ଚେହେରା ଦେଖାଯାଏ ନାହିଁ I ପ୍ରସ୍ତାବ ଟି ସମସ୍ତଙ୍କ ମନକୁ ପାଇଲା ଏବଂ କଥା ଆଗକୁ ବଢ଼ିଲା I ପୁଅ ଘର ଅନନ୍ୟା ଘର କୁ ଝିଅଦେଖା ପାଇଁ ଆସିଲେ I ଅନନ୍ୟା କୁ ଦେଖି ପୁଅ ଏବଂ ପୁଅଘର ପରିବାର କୁ ପସନ୍ଦ ଆସିଲା I ପୁଅ ର ମା ଦମୟନ୍ତୀ ଦେବୀ ରୋକଠୋକ କହିଦେଲେ ଯେ ଟିଭି ଫ୍ରିଜ ଇତ୍ୟାଦି ସବୁ ଅଛି ତେଣୁ ସେସବୁ କିଛି ତାଙ୍କର ଦରକାର ନାହିଁ I କିନ୍ତୁ ସେଇ ବାବାଦ କୁ ନଗଦ ଟଙ୍କା ଦେଇଦେବାପାଇଁ I ଆଉ ପୁଅ କୁ ଟାଟା ନେକସନ ଗାଡି ଦେବାପାଇଁ I ଆଉ ଦମୟନ୍ତୀ ଦେବୀ ଏହା ମଧ୍ୟ କହିଦେଲେ ଯେ ଟଙ୍କା ଆଉ ଗାଡି ରେ ତାଙ୍କର ନିଜର ସ୍ୱାର୍ଥ କିଛି ନାହିଁ, ଗାଡି ଟା ଦେଲେ ସେଥିରେ ଝିଅ ହିଁ ବୁଲାବୁଲି କରିବ ଆଉ ଟଙ୍କା ଦେଲେ ତାହା ଝିଅ ର ହିଁ ଭବିଷ୍ୟତ ରେ କାମ ରେ ଆସିବା I ହେଲେ ବରଯାତ୍ରୀ ଓ ବନ୍ଧୁ ଚର୍ଚା ରେ ଯେପରି କିଛି କମ ନହୁଏ I 

ସବ୍ୟସାଚୀ ବାବୁ କହିଲେ ଗୋଟିଏ ବୋଲି ଝିଅ, ତା ସୁନ୍ଦର ଭବିଷ୍ୟତ ପାଇଁ ଏଇ ଯୋଉ ମୂଲ୍ୟ ଟି ଦେବାକୁ ପଡିବ ତାହା କିଛି ମହଙ୍ଗା ବେପାର ନୁହେ I ତେଣୁ ସେ ଅଣ୍ଟା ଭିଡ଼ିଲେ ଟଙ୍କା ଯୋଗାଡ଼ କରିବାରେ I ପାଖାପାଖି ୩୦ ଲକ୍ଷ ଟଙ୍କା ଆବଶ୍ୟକ I ଏଫ ଡି, ପ୍ରୋଭିଡେଣ୍ଡ ଫଣ୍ଡ, ସବୁ ମିଶେଇ ୧୮ ଲକ୍ଷ ଟଙ୍କା ଯୋଗାଡ ହେଇପାରିଲା I ଆହୁରି ୧୨ ଲକ୍ଷ ଟଙ୍କା ଦରକାର I ସବ୍ୟସାଚୀ ବାବୁ ଶେଷରେ ନିଷ୍ପତି ନେଲେ ଯେ ବନ୍ଧ ପାଖ ପୈତୃକ ଜମି ଟା ବିକିଦେବେ ବୋଲି I ପାଖ ଗାଁ ର ରାମଲିଂଗ ସାହୁ ଆଗରୁ ସେ ଜମି ଟା ପାଇଁ କେତେଥର ସବ୍ୟସାଚୀ ବାବୁଙ୍କୁ ତା ଆଗ୍ରହ ଜଣେଇଛି ହେଲେ ସବ୍ୟସାଚୀ ବାବୁ ତାକୁ ମନା କରିଦେଇଥାନ୍ତି I ହେଲେ ଏଥର ସବ୍ୟସାଚୀ ବାବୁ ନିଜେ ସେଇ ଜମି ଟିକୁ ବିକୁଛନ୍ତି I ଶେଷରେ ୧୫ ଲକ୍ଷ ଟଙ୍କା ରେ ସଉଦା ଛିଣ୍ଡିଲା I       

ସେପଟେ ଅକ୍ଷି ନନା ଜାତକ ପାଞ୍ଜି ଇତ୍ୟାଦି ତର୍ଜମା କରି ବର କନ୍ୟାଙ୍କର ରାଜଯୋଟକ ପଡୁଛି ବୋଲି ଘୋଷଣା କରିଦେଲେ I ବାହାଘର ପାଇଁ ଶୁଭ ତାରିଖ ମୁହୂର୍ତ ଇତ୍ୟାଦି ମଧ୍ୟ ଜଣେଇ ଦେଲେ I ଅକ୍ଷି ନନା ବ୍ରହ୍ହଘୋଷ କରି ଦେଲେ ଯେ ଗୋଟିଏ ବୋଲି ଝିଅ ବାହାଘର, ତେଣୁ ତାଙ୍କ ପାଇଁ ମୋଟା ଦକ୍ଷିଣା ଟିଏ ଆଉ ପାଟ ବସ୍ତ୍ର ହଳେ ରଖିଦେବା ପାଇଁ I ସବ୍ୟସାଚୀ ବାବୁଙ୍କ ମନରେ ଝିଅ ବାହାଘର ଉତ୍ସାହ ଥାଏ କିନ୍ତୁ ତା ସାଙ୍ଗରେ ତାଙ୍କ ଅଲିଅଳି ଝିଅଟି କୁ ପର କରିଦେବା ଦୁଃଖ ବା ଭୟ ମଧ୍ୟ ଘାରି ଥାଏ I କଥା ଛିଣ୍ଡିଲା ଯେ ପ୍ରଥମେ ନିର୍ବନ୍ଧ ହେବ ଆଉ ତା ଦଶ ଦିନ ପରେ ବିବାହ କରାଯିବ I ନିମନ୍ତ୍ରଣ ପତ୍ର ଛପା ହେଇ ଆସିଗଲା ଆଉ ଏପଟେ ଅତିଥି ମାନଙ୍କ ତାଲିକା ପ୍ରସ୍ତୁତ ହେଇସାରିଥାଏ I ନିମନ୍ତ୍ରଣ ପତ୍ର ବଣ୍ଟା ଚାଲିଥାଏ I ସବ୍ୟସାଚୀ ବାବୁ ବହୁତ ସତର୍କ ଥାନ୍ତି ଯେପରି କୌଣସି ବନ୍ଧୁ ବାନ୍ଧବଙ୍କର ନିମନ୍ତ୍ରଣ ରହିନଯାଏ I ସେପଟେ ବେଭାର ସାମାନ କିଣା ଚାଲିଥାଏ I ଅନ୍ୟପଟେ କ୍ୟାଟେରର ସଂଗେ ଭୋଜି ଡେକୋରେସନ ଆଦି ପାଇଁ କଥା ଚାଲିଥାଏ I ସବ୍ୟସାଚୀ ବାବୁ ଖୁବ ବ୍ୟସ୍ତ ଏହିସବୁ କାମରେ I ଯାହାହେଉ ଅନନ୍ୟା ର ମାମୁ ମାନେ ସବୁ କାମରେ ସବ୍ୟସାଚୀ ବାବୁଙ୍କୁ ଖୁବ ସାହାଯ୍ୟ କରୁଥାନ୍ତି I ନିର୍ବନ୍ଧ ଟା ଖୁସୀବାସୀ ରେ ସରିଲା I ଦମୟନ୍ତୀ ଦେବୀ ତାଗିଦ କରିଦେଇ ଯାଇଥାନ୍ତି ଯେ ଦେଢ଼ ଶହ ଜଣ ବରଯାତ୍ରୀ ଆସିବେ; ତେଣୁ ସେଇ ଅନୁସାରେ ସୁବ୍ୟବସ୍ଥା କରି ରଖିବାକୁ I

ଶେଷରେ ବିବାହ ଦିନ ଆସି ପହଂଚି ଗଲା I ଡେକୋରେସନ ହେଇଯାଇଥଏ ମଣ୍ଡପ ସଜା ସରିଥାଏ I ସେପଟେ ଘରେ ବନ୍ଧୁବାନ୍ଧବଙ୍କ ଗହଳି I ସେପଟେ ଅନନ୍ୟା ମଧ୍ୟ ଆସନ୍ନ ନୂତନ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଥାଏ  I ବର ଘରକୁ ଫୋନ କରିବାରୁ ସେମାନେ ରାତି ସାଢେ ନ ରୁ ଦଶଟା ମଧ୍ୟ ରେ ପହଂଚିବେ ବୋଲି ଜଣେଇଲେ I ସବ୍ୟସାଚୀ ବାବୁ ନିଜେ ଯାଇ ଭୋଜି ଖାଦ୍ୟ ତଦାରଖ କରିଲେ I ଆମିଷ ବାଲାଙ୍କ ପାଇଁ  ମଟନ ମାଛ ଚିକେନ ଚିଙ୍ଗୁଡ଼ି ଆଉ ନିରାମିଷ ବାଲାଙ୍କ ପାଇଁ ପନିର ଛତୁ ମିକ୍ସଭେଜ ଇତ୍ୟାଦି ସବୁ ମିଶି ମୋଟ ପଞ୍ଚତିରିଶ ବ୍ୟଞ୍ଜନ ହେଇଥାଏ I ମଝିରେ ମଝିରେ ଫୋନ କରାଯାଉଥାଏ ବରଯାତ୍ରୀ କେତେ ବାଟ ପହଁଚିଲେ ବୋଲି I ରାତି ୧୦ଟା ବାଜିଲା, ୧୧ଟା ବାଜିଲା, ବରଯାତ୍ରୀଙ୍କର ଦେଖା ନାହିଁ I ଫୋନ କରିଲେ ଉତ୍ତର ମିଳୁଛି ବାଟରେ ଅଛୁ ଆହୁରି ଅଧଘଣ୍ଟେ ଲାଗିବ I ଶେଷରେ ସବୁ ଆଶା ଆଶଙ୍କା ର ଅବସାନ ଘଟେଇ ବରଯାତ୍ରୀ ରାତି ୧୨ଟା ରେ ପହଁଚିଲେ I ବରଯାତ୍ରୀଙ୍କର ଉଛସିତ ସ୍ୱାଗତ କରାଗଲା I ବରଯାତ୍ରୀଙ୍କ ବ୍ୟବସ୍ଥା ନିଜେ ବଡମାମୁ ତଦାରଖ କରୁଥାନ୍ତି I କୁହାଯାଇଥିଲା ଦେଢ଼ ଶହ ବରଯାତ୍ରୀ ଆସିବେ ବୋଲି କିନ୍ତୁ ଦେଖିଲା ବେଳକୁ ଦୁଇଶହ ରୁ ଉର୍ଦ୍ଧ ବରଯାତ୍ରୀ ଥିବା ପରି ଜଣାପଡୁଛି I ସେ ଯାହା ହେଉ ସେପଟେ ଅକ୍ଷି ନନା ମୁହୂର୍ତ ଗଡିଯାଉଛି ବୋଲି ହାଲ୍ଲା କରିଲେଣି I ବାହାଘର କାର୍ଯ୍ୟ ଆରମ୍ଭ ହେଇଗଲାଣି I ବର ବେଦୀ କୁ ଯାଇ ବସିଲାଣି I

ଅନ୍ୟପଟେ ମାତାଲ ବରଯାତ୍ରୀ ମଟନ କଷା ର ବରାଦ କରିଲେ I ସେତେବେଳକୁ ରାତି ପ୍ରାୟ ଦେଢ଼ଟା ହେଲାଣି I ଦେଢ଼ଟା ରାତି ରେ ମଟନ କଷା ଆସିପାରିବା ଏକପ୍ରକାର ଅସମ୍ଭବ କଥା I କିନ୍ତୁ ମାତାଲ ବରଯାତ୍ରୀ ମାନଙ୍କୁ କିଏ ବୁଝେଇପାରେ I ତେବେ ବଡମାମୁ କିଛି ଢ଼ାବା କୁ ଫୋନ କରି ୩୦ କିମି ଦୂର ଏକ ଢ଼ାବା ରୁ ମଟନ କଷା ଆଣିବାକୁ କିଛି ଲୋକଙ୍କୁ ପଠେଇଲେ I ଇତିମଧ୍ୟରେ ମାତାଲ ବରଯାତ୍ରୀ ହଙ୍ଗାମା କରିବା ଆରମ୍ଭ କରିଦେଲେ I କଥାଟି ବାହାବେଦୀ ରେ ବସିଥିବା ବର କାନକୁ ଗଲା I ବର ମଟନ ନଦେଲେ ବାହାଘର ବନ୍ଦ କର କହି ବେଦୀ ରୁ ଉଠିଗଲା I ଅନନ୍ୟା ର ବାପା କକା ମାମୁଁମାନେ ସଭିଏଁ ମିଶି ବରକୁ ମନେଇବାରେ ଲାଗିପଡ଼ିଲେ I ବର ମାନିବାକୁ ନାରାଜ I ଶେଷରେ ଅନନ୍ୟା ର ଗୁରୁଜନ ମାନେ ବର ର ଗୋଡ ତଳେ ପଡି ଅନୁନୟ ବିନୟ କରିଲେ I ଥଥାପି ବର ମାନିଲା ନାହିଁ I ଇତିମଧ୍ୟରେ କଥାଟି ଯାଇ ଅନନ୍ୟା କାନରେ ପଡିଲା I ଅନନ୍ୟା ଦେଖିଲା ଯେ ଗୁରୁଜନ ମାନେ ଗୋଡତଳେ ପଡିବା ସତ୍ୱେ ମଧ୍ୟ ବର ତାର ପତିଆରା ଦେଖାଇଚାଲିଛି I ଏସବୁ ଦେଖି ଅନନ୍ୟା ସେ ବର କୁ ବାହାହେବାପାଇଁ ମନା କରିଦେଲା I ଅନନ୍ୟା ର ମନା କରିବା ଦେଖି ବରପକ୍ଷଙ୍କୁ ଚେତା ପଶିଲା I ବରପକ୍ଷ କହିଲେ ଯାହା ହେବାକଥା ହେଇଗଲା, ବର୍ତମାନ ସବୁ ଭୁଲି ବାହାଘର ରେ ଆଗେଇବା I ବର୍ତ୍ତମାନ ଅନନ୍ୟା ବିବାହ ନ କରିବାପାଇଁ ଅଡ଼ି ବସିଲା I ବରପକ୍ଷ ଆଉ କନ୍ୟାପକ୍ଷ ଏକାଠି ମିଶି ଅନନ୍ୟା କୁ ବୁଝେଇବାରେ ଲାଗିପଡ଼ିଲେ କିନ୍ତୁ ଅନନ୍ୟା ତା ନିଷ୍ପତି ରେ ଅଟଳ ରହିଲା I ଅନନ୍ୟା ର ମତ ଥିଲା ଯାହାସଙ୍ଗେ ପୁରା ଜୀବନ ଗଢିବାକୁ ଯାଉଛି ସିଏ ଯଦି ଆଜି ମୋର ସମ୍ମାନ କରୁନାହିଁ ତାହେଲେ ଭବିଷ୍ୟତ ରେ ମୋର ସମ୍ମାନ କେମିତି କରିବ I ଅନନ୍ୟା ର ମତ ସମ୍ପୂର୍ଣ ଭାବେ ଯୁକ୍ତିସଂଗତ ଥିଲା I ତେଣୁ ସବ୍ୟସାଚୀ ବାବୁ ଏବଂ ପରିବାର ର ଅନ୍ୟ ସଦସ୍ୟ ମାନେ ମଧ୍ୟ ତା କଥାଟିକୁ ହୃଦବୋଧ କରିପାରିଲେ I ଶେଷରେ ବର ଶିଶୁପାଳ ହେଇ ତାର ମାତାଲ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କାନମୁଣ୍ଡ ଆଉଁସି ଘରକୁ ଫେରିଲା I

ତୁଣ୍ଡ ବାଇଦ ସହସ୍ର କୋଶ ସିଦ୍ଧାନ୍ତ ଟିକୁ ସତ୍ୟ ପ୍ରତିପାଦନ କରି ଘଟଣାଟି ଦେଖୁଦେଖୁ ପୁରା ଅଞ୍ଚଳ, ଜିଲ୍ଲା ଏବଂ ପୁରା ରାଜ୍ୟ ରେ ବ୍ୟାପିଗଲା I ବିଭିନ୍ନ ଲୋକ ବିଭିନ୍ନ ମତ ବ୍ୟକ୍ତ କରିଲେ I କିଏ କହିଲା ବାପାର ଯୌତୁକ ଦେବାପାଇଁ ସାମର୍ଥ୍ୟ ନଥିବାରୁ କନ୍ୟାପକ୍ଷ ଏପରି କରିଲେ, କିଏ କହିଲା ଝିଅ ର ଅନ୍ୟ କୋଉ ପିଲା ସଂଗେ ସମ୍ପର୍କ ରହିଛି ତେଣୁ ସେ ଏଇ ବାହାନା ରେ ବାହାଘର ଭାଙ୍ଗିଦେଲା I ଅନ୍ୟ କେତେକ ମିଥ୍ୟା ଗୁଜବ ମଧ୍ୟ ବଜାର କୁ ଗରମ କଲା I ତେବେ ଅଧିକାଂଶ ଲୋକ ଅନନ୍ୟା ର ଏହି ସମୟୋଚିତ ପଦକ୍ଷେପ ଟିକୁ ଉଛସୀତ ପ୍ରଶଂସା କରିଲେ I ଅନନ୍ୟା ଯଦି ଦୁର୍ବଳ ମାନସିକତା ର ଝିଅଟିଏ ହୋଇଥାନ୍ତା ତାହେଲେ ଚୁପଚାପ ସେଇ ଅହଂକାରୀ ବର କୁ ବାହାହେଇ ସାରା ଜୀବନ ଦୁଃଖରେ କାଟିଥାନ୍ତା ଅଥବା ଆତ୍ମହତ୍ୟା ର ବାଟ ବାଛି ନେଇଥାନ୍ତା ଅଥବା ଶଶୁରଘର ଲୋକଙ୍କ ଦ୍ୱାରା ହତ୍ୟା ର ଶିକାର ହେଇଥାନ୍ତା I କଳିଯୁଗ ର ଏହି ମହାଭାରତ ଯୁଦ୍ଧ ରେ ସମାଜ, ପରମ୍ପରା, ରୀତିନୀତି, ଦାୟିତ୍ୱ, ଜାତିପ୍ରଥା, ଯୌତୁକ, ଲିଙ୍ଗ ଭେଦ ଆଦି ଆଦି କୁରଥୀ ମାନଙ୍କୁ ନେଇ ଯୋଉ ଚକ୍ରବ୍ୟୁହ ରଚନା କରାଯାଇଛି, ସେଥିରେ କିଛି ଅଭିମନ୍ୟୁ ମାନେ ପଶି ଯାଇ ପ୍ରତୀକାତ୍ମକ ମୃତ୍ୟୁ କୁ ବରଣ କରୁଛନ୍ତି କିନ୍ତୁ ଅନ୍ୟପଟେ ଅନନ୍ୟା ପରି କିଛି ଯୋଦ୍ଧା ସେହି ଅନ୍ୟ ଏକ ଚକ୍ରବ୍ୟୁହ ରୁ ସଫଳତା ର ସହିତ ବାହାରି ଆସୁଛନ୍ତି I ଏଇ କାହାଣୀର ନାୟକ (ନାୟୀକା କହିଲେ ଅତ୍ୟୁକ୍ତି ହେବ) ଅନନ୍ୟା ନିଃସନ୍ଦେହ ରୂପେ ସାଲ୍ୟୁଟ ର ହକଦାର I କାରଣ ସେ ଏକ ଦୃଢ ମାନସିକତା ର ପରିଚୟ ଦେବା ସାଙ୍ଗରେ ଅନେକ ଅଭିମନ୍ୟୁଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି I ଯଦିଓ ଏହି ପଦକ୍ଷେପ ଟି ଏତେ ସହଜ ନୁହେ କିନ୍ତୁ ଅନନ୍ୟା ଏହାକୁ ସହଜ ପରି ରୂପ ଦେଇପାରିଛି  I

ତେବେ ଆମେ ସମସ୍ତେ ଏଇ ସମାଜ ର ଦାୟିତ୍ୱବାନ ସଦସ୍ୟ ଭାବରେ ଏହି ଅଭିମନ୍ୟୁ ମାନଙ୍କୁ ସମର୍ଥନ କରିବା ସହିତ ଉତ୍ସାହିତ କରିବା ଆମର ପରମ ଦାୟିତ୍ୱ I ପୁରୁଣା ସମୟ ବଦଳିଯାଇଛି I ଝିଅ କୁ ଭଲ ପାତ୍ରଟିଏ ଦେଖି ବାହା ଦେଇଦେଲେ ଝିଅ ର ଭବିଷ୍ୟତ ଉଜ୍ବଳ ହେଇଯିବ ବୋଲି ଆମ ସମାଜ ରେ ଯୋଉ ପ୍ରଚଳିତ ମାନସିକତା ରହିଛି ତା ପରିବର୍ତ୍ତେ ଝିଅଟିକୁ ଉଚ୍ଚଶିକ୍ଷା  ଦେଇ କେବଳ ନିଜ ଗୋଡ ରେ ଛିଡା ହେବା ନୁହେ ବରଂ ସମାଜରେ ଏକ ବିଶେଷ ପ୍ରତିଷ୍ଠା ହାସଲ କରିବା ପାଇଁ ପ୍ରେରିତ କରିବାର ଆବଶ୍ୟକତା ରହିଛି I ଝିଅ କୁ ବାପାଙ୍କ କଣ୍ଢେଇ ନୁହେ ବରଂ ବାପାଙ୍କ ବାଘୁଣୀ ହେବାପାଇଁ ପ୍ରେରିତ କରିବାର ଆବଶ୍ୟକତା ରହିଛି I ଏହାଦ୍ୱାରା ଝିଅ ସମାଜରେ ସମ୍ମାନ ପାଇବା ସହିତ ନିଜ ଜୀବନରେ ଖୁସି ମଧ୍ୟ୍ୟ ପ୍ରାପ୍ତି କରିପାରିବ I ଏଥିରେ କେବଳ ମା ବାପା, ଘର ପରିବାର ନୁହେ ବରଂ ପୁରା ସମାଜର ଭୂମିକା ରହିଛି  I  ଆମେ ବଦଳିଲେ ଯୁଗ ବଦଳିବ I I


Rate this content
Log in

Similar oriya story from Abstract