ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ଦୀପକ ନୂଆ କରି ପୋଷ୍ଟିଙ୍ଗ ହୋଇଥିଲେ ନବରଙ୍ଗପୁର । ରହିବା ପାଇଁ ଭଡା ଘରଟିଏ ନିତ୍ୟାନ୍ତ ଆବଶ୍ୟକ । କଥାରେ କୁହାଯାଏ "ଖୋଜିଲେ ବାପା, ମା ମିଳିଯିବେ କିନ୍ତୁ ମନ ପସନ୍ଦର ଭଡାଘର ମିଳିବା କାଠିକର ପାଠ । ଅନେକ ଚେଷ୍ଟା ଫଳରେ ଦୀପକ ନିଜ ଆଫସ ପାଖରୁ ଦୁଇ କିଲୋମିଟର ଦୂରରେ ଘରଟିଏ ଭଡାରେ ନେଲେ । ଘରଟି ବେଶେ ବଡ ଥିଲା, ସବୁପ୍ରକାର ସୁବିଧା ମଧ୍ୟ । ଘରଟି ଯେପରି କୋଳାହଳକୁ ପସନ୍ଦ ନକରି, ନିର୍ଜନ ଯାଗାରେ ଠିଆ ହୋଇଥିଲା । ଦୀପକ ଯେହେତୁ ସେ ଘର ଓ ଯାଗା ପାଇଁ ନୂଆ ଥିଲେ, ତେଣୁ ବିନା ଦ୍ୱିଧାରେ ସେ ଘରେ ରହିବାକୁ ପ୍ରସ୍ତୁତ ହୋଇଗଲେ ।
ସମୟଗତି ଆଗକୁ ଥାଏ, କିନ୍ତୁ ପଛରେ ଛାଡ଼ିଯାଇଥାଏ ଅନେକ ଘଟଣା, ଦୁର୍ଘଟଣା ଅଥବା କିଛି ଲୋମହର୍ଷକ କଥା । ଦୀପକ ଯେଉଁ ଘରଟି ଭଡାରେ ନେଲେ ତା ନାଆଁ ଥିଲା " ଦେବବାସ " । ବାହାରୁ ଦେଖିଲେ ଲାଗୁଥିଲା ଘରଟି ପୁରୁଣା, କିନ୍ତୁ ଭିତରେ ଖୁବ୍ ସୁନ୍ଦର ଥିଲା । କେୟାରଟେକର ଦୀପକ ହାତରେ ଚାବିଗୋଚ୍ଛା ଧରାଇ ଧୀର ଗଳାରେ କହିଲା " ଭାଇ ଗୋଟେ ଛୋଟ ଅନୁରୋଧ,...... ଏ ଘର ଭିତରେ ଯେଉଁ ଷ୍ଟୋରରୁମ ଅଛି ତାକୁ ଖୋଲିବନି ।ସେଠାରେ ମୋର କିଛି ଜିନିଷ ଅଛି । "
ଦୀପକ ହସିଦେଲେ, "ଠିକି ଅଛି " ବୋଲି ପ୍ରତିଉତ୍ତର ଦେଲେ ।
ଯେହେତୁ ଦୀପକ ଅବିବାହିତ ଥିଲେ , ତେଣୁ ଘରର ଉପକରଣ ବେଶୀ କିଛି ନଥିଲା । ଯାହା ଜିନିଷ ଥିଲା ତାକୁ ଠିକି ଯାଗାରେ ରଖି , ଶୋଇବାକୁ ଚାଲିଗଲେ । ଦିନସାରା ଏପଟ ସେପଟ ହୋଇ ଶରୀର କ୍ଲାନ୍ତହୋଇ ସରିଥାଏ । ଆଖି ବନ୍ଦ କରୁ କରୁ ନିଦ କେତେବେଳେ ହୋଇଛି ଜଣା ନାହିଁ । ଝରକା ପରଦା ରୁ ସୂର୍ଯ୍ୟ କିରଣ ଲୁଚକାଳି ଖେଳୁଥାଏ , ପବନ ସହିତ ତାଳଦେଇ ସୂର୍ଯ୍ୟକିରଣ ଦୀପକ ମୁହଁରେ ପଡି ପୁନଃ ଲୁଚୁଥାଏ । ଦୀପକ ଅଳସ ଭାଙ୍ଗି ରୋଷେଇ ଘର ଆଡକୁ ଗତି କଲେ । ଏ........ କଣ, ରାତିରେ ଯେଉଁ ଜିନିଷ କୁ ସାଇତି ରଖିଥିଲେ ସବୁ ଏପଟ ସେପଟ ହୋଇ ପଡିଥାଏ । ଦୀପକ ମନେ ପକେଇଲେ, କାଲି ଏ ସବୁ ମୁଁ ଠିକି କରି ରଖିଥିଲି କିନ୍ତୁ ଏପରି କିଏ କଲା......?????. । ଆଉ ବେଶୀ କିଛି ନଭାବି ଚାହା ଟିକେ ପିଇବାକୁ ରୋଷେଇ ଘରକୁ ଚାଲିଗଲେ । ଅଫିସ ଯିବାକୁ ପଡିବ, ସେଥିପାଇଁ ଜଲ୍ଦି କାର୍ଯ୍ୟସମାପ୍ତ କରି ବାହାରିଗଲେ ।
ରାତି ୯ଟା ଘରେ ପହଂଚିଲା ବେଳକୁ । ମୁଖ୍ୟ କବାଟ ଖୋଲି ଘରେ ପଶି ଦେଖନ୍ତି..... ସବୁ ଜିନିଷ ପୂର୍ବ ଭଳି ଏପଟ ସେପଟ ହୋଇ ପଡିଛି । ଦୀପକଙ୍କୁ ଜୋରେ ରାଗ ଆସିବା ସହିତ ମନରେ ଟିକେ ଭୟ ଲାଗୁଥାଏ । ଜିନିଷକୁ ପୂର୍ବ ଭଳି ରଖି, ବାହାରୁ ଆଣିଥିବା ଖାଦ୍ୟ ଖାଇ ଶୋଇବାକୁ ଚାଲିଗଲେ । ହାତରେ ଖଣ୍ଡେ ପୁସ୍ତକ ଧରି ପଢ଼ୁଥାନ୍ତି । ଏହି ସମୟରେ "ଟାଇପିରାଇଟର" କୁ ଟାଇପି କଲେ ଯେପରି ଶବ୍ଦ ବାହାରେ ସେଭଳି ଶୁଭିବାକୁ ଲାଗିଲା । ଦୀପକ କାନ ଡରିଲେ କଣ ଏ ଶବ୍ଦ, ..... କିଏ ଏତେ ରାତିରେ ଟାଇପ କରୁଥାଏ ପାରେ?? । ଶବ୍ଦକୁ ଅନୁସରଣ କରି ଯାଇ ଷ୍ଟୋର ରୁମ ପାଖରେ ପହଁଚିଲେ । ଟାଇପ ଶବ୍ଦ ଷ୍ଟୋରରୁମ ଭିତରୁ ଆସୁଛି । ବାହାରୁ ବନ୍ଦ ଥିଲା ରୁମ !!!......ତାହେଲେ ଭିତରକୁ ଗଲା କିଏ???? । ଦୀପକ ଜାଣିଲେ କେହିତ ନିଶ୍ଚୟ ଭିତରେ ଅଛି, ଓ ମୋ ଜିନିଷକୁ ଏପଟ ସେପଟ ପିଙ୍ଗୁଥିବା ଅଜଣା ବ୍ୟକ୍ତି ଏହି ହୋଇପାରେ । ଭାବିଲେ ଷ୍ଟୋରରୁମ ଖୋଲିକି ଦେଖିବେ, ଠିକି ସେତିକି ବେଳେ କେୟାରଟେକର କଥା ମନେ ପଡିଲା । ସେ ତ କହୁଥିଲା ତାର କିଛି ସାମାନ ଅଛି ବୋଲି...." ସେ କଣ କାହାକୁ ଲୁଚାଇ ରଖିଛି " । ଦୀପକ ଏପରି କିଛି ସମୟ ଭାବି ସେଠାରୁ ପ୍ରସ୍ଥାନ କଲେ, ଓ ସ୍ଥିର କଲେ ଦିନରେ ଏହାକୁ ଖୋଲିକି ଦେଖିବେ ।
ଖୁବ୍ ଜଲ୍ଦି ନିଦ ଭାଙ୍ଗି ଗଲା, କାଲିର କଥା ମନେ ପଡିଲା ଦୀପକଙ୍କର । ହାତରେ ଚାବିଗୁଚ୍ଛା ଧରି ଚାଲିଲେ ଷ୍ଟୋରରୁମ ଆଡକୁ । ଖୋଲିକି ଦେଖିଲେ.... ବହୁତ ଦିନରୁ ବନ୍ଦ ପଡିଛି ଏ ଯାଗା,ତା ରୂପ ଦେଖିଲେ ଜଣା ପଡୁଛି । ଘର ସାରା ଅନେକ ପୁସ୍ତକ, ଅନେକ ଲେଖା କାଗଜର ଥାକ । ଏପଟ ସେପଟ ଚାହିଁଲେ, କିଛି ଦୂରରେ କପଡା ଘୋଡେଇ ହୋଇ କିଛି ଥୁଆ ହୋଇଛି, ପାଖକୁ ଯାଇ ସେ କପଡା ହଟାଇ ହେଖିଲେ ଟାଇପି ରାଇଟର । ଖୁବ ପୁରୁଣା ଟାଇପି ରାଇଟର ଟି । ଅନେକ ଦିନରୁ ଏପରି ଥୁଆ ହେଲା ପରି ଲାଗୁଛି । ଦୀପକ ଏପଟ ସେପଟ ଚାହିଁଲେ, ଆଉ କେହି କେଉଁଠି ଲୁଚିଯାଇନିତ? । ଅନେକ ଖୋଜା ଖୋଜି କଲେ, କିନ୍ତୁ ସେ ରୁମ ରୁ ବାହାରିବାକୁ ଅନ୍ୟ କୌଣସି ଦ୍ଵାର ନଥିଲା । ତାହେଲେ ରାତିରେ କିଏ ଟାଇପିଂ କରୁଥିଲା । ପାଖରେ ଥିବା କିଛି ଗଳ୍ପ ପୁସ୍ତକ ଓ ସେ ଟାଇପିରାଇଟର କୁ ହାତରେ ଧରି ବାହାରି ଆସିଲେ ଦୀପକ ।
ଦୀପକଙ୍କୁ ପୁରୁଣାସମୟର ଜିନିଷକୁ ସାଇତି ରଖିବା ଅତ୍ୟନ୍ତ ପସନ୍ଦ । ଏପରି ଅନେକ ଜିନିଷ ସେ ରଖିଛନ୍ତି । ଯେହେତୁ ଟାଇପିରାଇଟର ଖୁବ୍ ପୁରାତନ ସମୟର ଥିଲା ତାଙ୍କର ଲୋଭ ଆସିଲା, ତାକୁ ସଫା ସଫି କରି ସାଇତି ଦେଲେ ନିଜଶୋଇବା ଘର ଥାକରେ ।
ଦୀପକ ନିଦ ଭାଙ୍ଗି ଗଲା, କାନ୍ଥ ଘଣ୍ଟାକୁ ଚାହିଁଲେ ରାତି 1.15 । ଦୂରରୁ ଶୁଭୁଚି ଟାଇପିଂ ର ଶବ୍ଦ । ଥାକକୁ ଚାହିଁଲେ ହେଲେ ଟାଇପିରାଇଟର ତା ଯାଗାରେ ନଥିଲା । ଦୀପକ ସାହସ କରି ବାହାରକୁ ଆସିଲେ, ବାହାରେ ପଡ଼ିଥିବା ଟେବୁଲଉପରେ ଟାଇପରାଇଟର ଥୁଆ ହୋଇଛି ଓ ଆପେ ଆପେ ପେପର ଉପରେ ଲେଖି ହୋଇ ଚାଲିଛି
...... " ମୁଁ କାହାକୁ ଛାଡିବିନି, ମାରିଦେବି ସମସ୍ତଙ୍କୁ..... ମୋ ଘରେ କେହି ରହିପାରିବେନି, ଏ ଘର ମୋର ଏକା ମୋର ।..... ଚାଲିଯାଆ ।
ଦୀପକ ସେଠାରୁ ଦୌଡ଼ିକି ଚାଲି ଆସିଲା, ପାଖରେ ଥିବା ହନୁମାନଙ୍କ ଫୋଟୋକୁ କୁଣ୍ଡେଇ ଧରିଥାଏ । ଆଖିକି ନିଦ ନଥାଏ । ଘର ବାହାରେ ଜିନିଷ ଫିଙ୍ଗାଫିଙ୍ଗି ର ଶବ୍ଦ ଆସୁଥାଏ ଓ ତା ସହ ବିକୃତସ୍ୱରରେ ଅସ୍ପଷ୍ଟ କଥା ଶୁଭୁଥାଏ । ଦୀପକର ସେଦିନ ରାତି କିପରି ପହିଛି ସେହିଁ ଜଣେ । ଟିକେ ସିନ୍ଦୁରା ଫାଟିବା ପରେ, ଜିନିଷ ଫିଙ୍ଗାର ଶବ୍ଦ ବନ୍ଦ ହୋଇଗଲା । ଦୀପକ ଆଉ କିଛି ସମୟ ଅପେକ୍ଷା କରି, କବାଟ ଖୋଲି ଘରୁ ବାହାରି ଗଲା ।
କେୟାରଟେକର କବାଟରେ ଠକ ଠକ ଶବ୍ଦ ଶୁଣି କବାଟ ଖୋଲି ଦେଖେତ ଦୀପକ । ତାକୁ କିଛି ଆଶ୍ଚର୍ଯ୍ୟ ଲାଗିଲାନି, ସେ ଓଲଟା ଦୀପକ କୁ କହିଲା..... " ସେ ତୁମକୁବି ରଖେଇ ଦେଲାନି "।
ଦୀପକଙ୍କୁ ଜୋରେ ରାଗ ଆସୁଥାଏ, ଏ କେୟାରଟେକର ସବୁ ଜାଣି ବି ଲୋକଙ୍କୁ ବିପଦମୁଖଂରେ ପକାଉଛି । ଦୀପକ କିଛି କାହିବା ଆଗରୁ ସେ ବସିବାକୁ ନିର୍ଦେଶ ଦେଇ କାହିବା ଆରମ୍ଭ କଲା...... " ଏ ଘର ମାଲିକଙ୍କ ଜେଜେ ଦେବଦତ୍ତ ଦାସଙ୍କର, ସେ ଜଣେ ଲେଖକ ଥିଲେ । ତାଙ୍କ ପାଖରେ ଅନେକ ସମ୍ପତି ଥିଲା । ସେ ନିଜକୁ ଜଣେ ବଡ ଗାଳ୍ପିକ ଭାବରେ ଦୁନିଆ ଆଖିରେ ସାବ୍ୟସ୍ତ କରିବାକୁ ଚାହୁଁଥିଲେ । ଏହା ତାଙ୍କର ଦୁର୍ଭାଗ୍ୟ ଅଥବା ମନ୍ଦ ସମୟ କହି ପାରନ୍ତି ତାଙ୍କ ଲେଖାକୁ କେହି ଛପିବାକୁ ଅବା ତାଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ନଥିଲେ । ନିଜେ ନିଜର ପୁସ୍ତକକୁ ଛପିବାକୁ, ଯାହାକୁ ବିଶ୍ୱାସ କରି ଅର୍ଥସବୁ ଦେଲେ ସେହିଁ ବିଶ୍ୱାସ ଘାତକ କରି ସବୁଅର୍ଥ ଓ ଲେଖା ଗୁଡିକୁ ଅନ୍ୟକୁ ବିକି କୁଆଡେ ଚାଲିଗଲା । ଦେବଦତ୍ତ ତା ଉପରେ କେସ କରି ଅନେକ ଅର୍ଥବି ସେପଟେ ବିନିଯୋଗ କରିସାରିଥିଲେ । ଧୀରେ ଧୀରେ ନିଜର ମାନସିକ ଭାରସ୍ୟାମ ହରାଇ ବସିଲେ । ନିଜ ସ୍ତ୍ରୀ ଓ ପିଲାଙ୍କୁ ନିଯ୍ୟାତନା ଦେବା ଆରମ୍ଭ କଲେ । ସେ ଭାବୁଥିଲେ ସମସ୍ତେ ତାଙ୍କୁ ଧୋକା ଦେଉଛନ୍ତି । ଘରୁ ସ୍ତ୍ରୀ, ପିଲା ,ଓ ଚାକର ସମସ୍ତଙ୍କୁ ବାହାର କରିଦେଲେ । ଧୀରେ ଧୀରେ ନିଜେ ଘରୁ ବାହାରିବା ବନ୍ଦ କରିଦେଲେ ।ସବୁ ସମୟରେ ସେ ଘରଭିତରୁ ଟିପିଙ୍ଗର ଶବ୍ଦ ଆସୁଥାଏ । ଦିନେ ସେ ଶବ୍ଦ ବି ବନ୍ଦ ହୋଇଗଲା । ତାଙ୍କ ନିଜ ଲୋକ ମାନେ ଅନେକ ଖୋଜା ଖୋଜି କଲେ କିନ୍ତୁ ଦେବଦତ୍ତବାବୁ କୁଆଡେ ଗଲେ କେହି ଜାଣି ନାହାନ୍ତି । ତାଙ୍କ ପୁଅ ବଡହେବା ପରେ ସେ ଘରକୁ ଭଡାରେ ଦେବାକୁ ଚେଷ୍ଟା କଲେ, କିନ୍ତୁ କେହି ସେଘରେ ଗୋଟେ କି ଦୁଇ ଦିନରୁ ଅଧିକ ରହି ନାହାନ୍ତି । ଦେବଦତ୍ତଙ୍କ ପୁଅ ସେ ଘରେ ରହିବାକୁ ଚେଷ୍ଟା କରିଥିଲେ, ସେ ଘରୁ ତାଙ୍କର ମୃତଦେହ ମିଳିଲା । ବର୍ତ୍ତମନ ତାଙ୍କ ନାତି ଚାହୁଁଛନ୍ତି ଏ ଘରକୁ ବିକି ଦେବାକୁ, କେହି ହେଲେ ସାହସ କରି ଘର କିଣିବାକୁ ରାଜି ନାହାନ୍ତି । ମତେ ଏହାର କେୟାରଟେକର ଭାବରେ ରଖିଛନ୍ତି..... ମତେ କ୍ଷମା କରନ୍ତୁ, ଏ ମୋ କାମ । ଆପଣ ନିଜ ଆଡୁ ଘରେ ରହିବାକୁ କହିବାରୁ ମୁଁ ରାଜିହେଲି । ମୁଁ ଭାବିଲି ଆପଣ ଜାଣିଥିବେ, ଯୁବକ ଅଛନ୍ତି । ଭୂତ ପ୍ରେତକୁ ବିଶ୍ୱାସ କରୁନଥିବେ ମଧ୍ୟ । କେହି କେହି ସେଇ ରାତିରେ ଘର ଛାଡି ଦିଅନ୍ତି କିନ୍ତୁ ଆପଣ ଗୋଟେ ସପ୍ତାହ ରହିଗଲେ । ଅପଣଂକ ପାଖରେ କିଛିତ ଅଛି । ମତେ କ୍ଷମା କରନ୍ତୁ, ଆପଣ ଚାହିଁଲେ ଅଗ୍ରିମ ଦେଇଥିବା ଟଙ୍କା ଆପଣକୁ ଫେରାଇ ଦେବି । ଆପଣ ଘର ଛାଡି ପାରନ୍ତି ।
ଦୀପକ ମନରେ ଦେବଦତ୍ତଙ୍କ କଥା ଭାବୁଥିଲେ , ସେ ଜାଣିଥିଲା ନିଜ ଇଛା ଯେପର୍ଯନ୍ତ ପୂରଣ ହୋଇନି ସେ ଜୀବିତ ହେଉ ଅଥବା ମୃତ ବ୍ୟକ୍ତି କେବେ ଶାନ୍ତିରେ ରହିପାରିବେନି । ଦେବଦତ୍ତ କେବଳ ନିଜ ଜୀବନରେ ଧୋକାବାଜଙ୍କୁ ଦେଖିଛନ୍ତି । ସେ ମନରେ ସ୍ଥିର କଲେ ଦେବଦତ୍ତଙ୍କ ଆତ୍ମାଙ୍କୁ ମୁକ୍ତି ଦେବେ । କେୟାରଟେକର ପଛରୁ କହୁଥାଏ...... " ଘର ଛାଡିବା ପରେ ମତେ କାହିବ, ମୁଁ ଯାଇ ଚାବି ନେଇ ଆସିବି " ।
ଦୀପକ ସିଧା ଯାଇ ଷ୍ଟୋରରୁମରେ ପଶିଲେ । ଧୂଳି ପଡି ଯାଇଥିବା ଲିଖିତ କାଗଜ ବିଡ଼କୁ ଉଠାଇ ବାହାରକୁ ଚାଲିଲେ । ଷ୍ଟୋରରୁମ ରେ ଧଡ଼ଧାଡ଼ ଶବ୍ଦ ହେଉଥାଏ । ଦୀପକ ସେଥିପ୍ରତି ନଜର ନଦେଇ ଆଗକୁ ବଢିଲେ । ଘର ବନ୍ଦକରି ଚାଲିଗଲେ ।
ବିଗତ ୬ ଦିନ ପରେ ଦୀପକ ଡରି ଡରି ପ୍ରବେଶ କଲେ ସେ ଘରେ । ଘର ଜିନିଷ ଯେପରି ଛାରଖାର । ଦୀପକ ଜୋରେ କହିଲେ, ....." ଅପଣ ଲେଖିଥିବା ଗଳ୍ପକୁ ମୁଁ ପୁସ୍ତକ ଆକାରରେ ଛାପିଛି, .... ଦେଖନ୍ତୁ " । ମୋର କିଛି ଅର୍ଥ ଦରକାର ନାହିଁ, ମୁଁ ସବୁ ଲେଖା ଗୁଡିକ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବି । ଆପଣ ବିଶ୍ୱାସ କରନ୍ତୁ ମତେ, ଦୁନିଆରେ ସମସ୍ତେ ଧୋକାବାଜ ନୁହନ୍ତି । " ।
ଗୋଟେ ଛାଇ ଯେପରି ଉଡି ଆସି ବହିର ପୃଷ୍ଠା ଗୁଡିକୁ ଓଲଟାଇ ଦେଖୁଥାଏ । ଯେପରି ସବୁ ଶାନ୍ତ ପଡିଗଲା । ଟାଇପି ରାଇଟର ଚାଲିବାକୁ ଲାଗିଲା । ଦୀପକ ପଢିବାକୁ ଲାଗିଲା..... " ଅଶେଷ ଧନ୍ୟବାଦ, ଆଜି ମୋର ମନ ଶାନ୍ତି ହୋଇଗଲା, ଏଥର ମୋ ଆତ୍ମାକୁ ମୁକ୍ତି କର । ଏ ଷ୍ଟୋରରୁମ ତଳେ ମୁଁ ନିଜକୁ ଗୋଟେ ବାକ୍ସ ଭିତରେ ରଖି ନିଶ୍ୱାସ ତ୍ୟାଗ କରିଥିଲି । ମତେ ସେଥିରୁ ମୁକ୍ତି କର । " । ଦେବଦତ୍ତଙ୍କ ନାତିକୁ ଡାକି କଙ୍କାଳକୁ ଦାହକରାଗଲା, ସମ୍ପୂର୍ଣ୍ଣ ବିଧିରେ ଅସ୍ତିକୁ ବିସର୍ଜନ କରାଗଲା ।
କିଛି ଦିନ ପରେ ଦୀପକ ସେ ଘରକୁ ଅଧାଦାମରେ ଦେବଦତ୍ତଙ୍କ ନାତି ଠାରୁ କିଣିନେଲେ । ଦେବଦତ୍ତଙ୍କ ଦ୍ୱରା ଲିଖିତ ସମସ୍ତ ଗଳ୍ପକୁ ଛାପି ଲୋକଲୋଚନକୁ ଆଣିଲେ । ଖୁବ୍ ଜନପ୍ରିୟତା ଲାଭ କଲା ଲେଖା ଗୁଡିକ । ଏବେବି ସେ ଟାଇପି ରାଇଟରକୁ ଦୀପକ ନିଜ ଘରେ ସାଇତି ରଖିଛନ୍ତି ।

