STORYMIRROR

Padmalaya Mishra

Tragedy

3  

Padmalaya Mishra

Tragedy

ଅସ୍ତମିତ ସୂର୍ଯ୍ୟ

ଅସ୍ତମିତ ସୂର୍ଯ୍ୟ

2 mins
15.2K


ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର । କାହାକୁ ଟଙ୍କା, ସୁନା ଅଳଙ୍କାର, ଅୟସ ଆରାମରେ ପୋତି ଦେଇଛନ୍ତି ତ କାହାକୁ ମୁଠେ ଦାନା ପାଇଁ ହନ୍ତସନ୍ତ ହବାକୁ ପଡୁଛି । କିଏ କହେ ଏଇଟା ଭାଗ୍ୟର ଫଳ ତ କିଏ କହେ କର୍ମର ଫଳ । ସେ ଯାହା ହେଉନା କାହିଁକି, ଏଇତ ଜୀବନ.... ଏଇତ ସଂସାର ।

ନିର୍ମଳା.... ବୟସ ଶହେ ଟପି ଗଲାଣି। ପୁଅ-ବୋହୂ, ଝିଅ-ଜୋଇଁ, ନାତି, ନାତୁଣୀ, ଅଣନାତି, ଅଣନାତୁଣୀ.... ଏବେ ପଣନାତିଟିଏ ବି ହେଇଛି ।ଅପର୍ଯ୍ୟାପ୍ତ ଧନ ସମ୍ପତ୍ତିର ଅଧିକାରିଣୀ। ସ୍ଵାମୀ ସ୍ଵର୍ଗତ ସଦାନନ୍ଦ ଷାଠିଏ ବର୍ଷ ତଳେ ନିର୍ମଳାଙ୍କୁ ବିଧବା କରି ଚାଲି ଯାଇଥିଲେ । ପାଞ୍ଚ ପୁଅ ଚାରି ଝିଅ ମଧ୍ୟରୁ ତିନି ପୁଅ, ଗୋଟିଏ ଝିଅ ବି ଆରପାରିକୁ ଗଲାଣି । ହେଲେ କାହିଁକି କେଜାଣି ମୃତ୍ୟୁ ତାଙ୍କୁ ଛୁଉଁନି । ଇଚ୍ଛା କଲେ ବି ଯମ ଦଉଡି ତ ତାଙ୍କ ବେକରେ ପଡୁନାହିଁ । ସମସ୍ତେ ଚାକିରି କରି ନିଜ ନିଜ ସଂସାରକୁ ନେଇ ସହର, ନହେଲେ ବିଦେଶରେ । କେତେ କିଏ ପାଖକୁ ନବାକୁ କୁହନ୍ତି, କିନ୍ତୁ ବୁଢୀ ଗାଁ ଘର ଛାଡି କୁଆଡେ ଯାଆନ୍ତିନି । ମଝିରେ ମଝିରେ କେହି କେହି ଆସି ଦେଖି ଯାଆନ୍ତି ।

ସ୍ଵାମୀ ସ୍ଵାଧୀନତା ସଂଗ୍ରାମୀ ଥିଲେ। ତେଣୁ ବୁଢୀଙ୍କୁ ଯଥେଷ୍ଟ ପେନସନ୍ ଟଙ୍କା ମିଳେ। ଜମି ବାଡିରୁ ବହୁ ଭଲ ଆୟ ହୁଏ । ପିଲାମାନଙ୍କ ର କିଛି ଅଭାବ ନାହିଁ। ତେଣୁ ଗାଁ ଜମି ବାଡି ବିକ୍ରୀ କଥା କେବେ ଉଠିନି। ଓଲଟି ବୁଢ଼ୀ ସବୁ ବର୍ଷ ଖଣ୍ଡେ ଖଣ୍ଡେ ଜମି କିଣେ। ଗାଁରେ ମନ୍ଦିର ମରାମତି, ସଡକ କାମ, ସ୍କୁଲ ଘର ମରାମତି, କ୍ଲବ ଘର ତିଆରି ଆଦିରେ ବୁଢ଼ୀ ଟଙ୍କା ଦିଅନ୍ତି ।

ଗାଁର କିଛି ଦୁଷ୍ଟ ଲୋକ ବୁଢୀଙ୍କୁ ଠକନ୍ତି ବି। କେହି କେହି ତ ଆମ୍ବ, ପଣସ, ନଡ଼ିଆ ଗଛରୁ ଚୋରେଇ ନିଅନ୍ତି । ବୁଢ଼ୀ କାଟୁଣି ବାଛୁଣି କରେ... ସେମାନଙ୍କ ଚୌଦ ପୁରୁଷ ଉଦ୍ଧାରି ଦିଏ ।

ଏମିତି ଦେଖିବାକୁ ଗଲେ ବୁଢ଼ୀ ଅସହାୟ ନୁହେଁ। କିନ୍ତୁ ବୁଢ଼ୀ କଷ୍ଟରେ ଥାଏ। ଘରେ ଏକ ଗରିବ ବ୍ରାହ୍ମଣ ପରିବାରକୁ ଆଶ୍ରୟ ନେଇଛନ୍ତି ବୋଲି ସେମାନେ ଗଣ୍ଡେ ଖୁଆଇ ଦିଅନ୍ତି। ବ୍ରାହ୍ମଣ ର ସ୍ତ୍ରୀ ମୁଣ୍ଡ କୁଣ୍ଡେଇବା, ଗାଧେଇବା, ଝାଡା ପରିସ୍ରା କରେଇବା ଆଦି କାମରେ ବୁଢୀଙ୍କୁ ସାହାଯ୍ୟ କରେ। ବୁଢ଼ୀ ବି ବ୍ରାହ୍ମଣ ପରିବାର ଉପରେ ପୁରା ସନ୍ତୁଷ୍ଟ । ତାଙ୍କ ପୁଅ ଝିଅଙ୍କ ପଢା ଖର୍ଚ୍ଚ, ଝିଅର ବିବାହ ପାଇଁ କିଛି ଟଙ୍କା ଫିକ୍ସ ଡିପୋଜିଟ୍ କଲେ।

ଏଥର ବ୍ରାହ୍ମଣ ଓ ତା ସ୍ତ୍ରୀର ଲୋଭ ବଢିଲା। ବିଭିନ୍ନ ବାହାନା କରି ବୁଢ଼ୀ ଠାରୁ ଟଙ୍କା ମାଗିଲେ। ଯେଉଁ ଦିନ ବୁଢ଼ୀ ସେମାନଙ୍କ ଉଦ୍ଦେଶ୍ୟ ବୁଝିଗଲେ, ସେଦିନ ଠାରୁ ବୁଢୀଙ୍କୁ ଧମକେଇ ରଖିଲେ । ବୁଢ଼ୀ ବିଚରା ବି ଭଗବାନଙ୍କ ପାଖରେ ନିତି ଗୁହାରି କରେ ପ୍ରାଣ ବାୟୁ ଉଡିବା ପାଇଁ ।

ଥରେ ବୁଢୀର ନାତି ଅଚାନକ ଆସି ପହଞ୍ଚିବା ବେଳକୁ ବୁଢ଼ୀ ପାଣି ପାଇଁ ବିକଳ ହେଉଥାଏ ଆଉ ବ୍ରାହ୍ମଣ ସ୍ତ୍ରୀ ଟଙ୍କା ଦେଲେ ପାଣି ଦେବି ବୋଲି କହୁଥାଏ । ବୁଢ଼ୀ ଚେକ୍ ବହିରେ ଟିପ ଚିହ୍ନ ଜୋର ଜବରଦସ୍ତ ନଉଥାଏ ।

ଜେଜେମା କହି ନାତି ପଶି ଆସି ବ୍ରାହ୍ମଣ ସ୍ତ୍ରୀକୁ ଗାଳି କରି ବୁଢୀଙ୍କୁ ପାଣି ଦେଲା। ବୁଢ଼ୀ ଦେହରେ ମାଡ ଦାଗ ଦେଖିଲା। ସଙ୍ଗେ ସଙ୍ଗେ ଗାଁର ପୁରୁଖା ଲୋକଙ୍କୁ ଡାକି ସେ ପରିବାରକୁ ଘରୁ ବାହାର କଲା। ଜେଜେମା ତମେ ଆଉ ଏ ଗାଁରେ ରହିବ ନାହିଁ ବୋଲି ଶୁଣେଇ ଦେଲା।

ବୁଢ଼ୀ ବି ଏଥର ଯିବାକୁ ରାଜି ହୋଇଗଲା । ହେଲେ ରାତି ପାହୁ ଯିବା କହିଲା। ରାତିରେ ଶୋଇବା ବେଳେ ନାତି ସହ ଜମି ବାଡିର ହିସାବ କିତାବ କଲା। ନାତି ଯେତେ ଯାହା କହିଲେ ଶୁଣିଲା ନାହିଁ।

ହେଲେ ରାତି ପାହିଲା ବେଳକୁ ବୁଢ଼ୀ ଚିରନିଦ୍ରାରେ ଥିଲେ। ଏକ ସୁଦୀର୍ଘ ଜୀବନର ସୂର୍ଯ୍ୟ ଅସ୍ତ ହୋଇଯାଇଥିଲା ।।

..... ପଦ୍ମାଳୟା ମିଶ୍ର


Rate this content
Log in

Similar oriya story from Tragedy