Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

KRUTIBAS NAYAK

Children


4  

KRUTIBAS NAYAK

Children


ଅସନା ଅଜା

ଅସନା ଅଜା

4 mins 174 4 mins 174


ସେଦିନ କୁନୁମୁନି ସ୍କୁଲରୁ ଫେରିଲା | ଆଈଙ୍କ ପାଖକୁ ଯାଇ କହିଲା-”ଆଈ ! ଶୁଣିବ, ଆଜି ଆମ ସ୍କୁଲରେ କ'ଣ ହେଇଛି, କହିବି ?"

ଆଈ ଛାନିଆ ହେଇଯାଇ କୁନୁମୁନିର ହାତଗୋଡ଼କୁ ଭଲକରି ଆଗ ଦେଖି ପକାଇଲେ | ତାକୁ କିଏ ମାଡ଼ ଦେଇନାହିଁ ତ ! ତା'ପରେ ସେ କହିଲେ-”ହଉ କ'ଣ ହେଇଛି, କହ | ଖେଳୁ ଖେଳୁ ପଡ଼ି ଯାଇନାହୁଁ ତ ! ସାର ତୋତେ ଗାଳି ଦେଲେ କି ?"

-"ନାଇଁ ମ ! ସେମିତି କିଛି ହେଇନାହିଁ | ଆଜି ଅଜା ଆମ ସ୍କୁଲ ଆଗରେ ଯାହାକଲେ ନା' ସେଇକଥା କହିବାକୁ ଚାହୁଁଛି | ମୋ ସାଙ୍ଗମାନେ ଆଜି ମୋତେ ଖାଲି 'ଅସନା ଅଜାଙ୍କ ନାତୁଣୀ' କହି ଚିଡ଼େଇଲେ ପରା |”କୁନୁମୁନି କହିଲା |

ଆଈ କହିଲେ-”ତୋ ଅଜା ତ ତୋତେ ସ୍କୁଲ ଗେଟ୍ ପାଖରେ ଛାଡ଼ିଦେଇ ଆସିବାକୁ ଯାଇଥିଲେ, ସେ ସ୍କୁଲ ଭିତରକୁ ପଶିଲେ କାହିଁକି ? ମୁଁ ଜାଣେ ପରା, ସେ ଯୁଆଡେ ଯିବେ କିଛି ନା' କିଛି ଗଡ଼ବଡ଼ କାମ କରିଦେଇଥିବେ | ସେଇଠି କାହା ସହିତ ଝଗଡ଼ା ଲଗେଇଲେ କି ? ଛାଡ଼ ସେ କଥା, କହିଲୁ ମାଆ ! କ'ଣ ହେଇଛି ? ତୋ ମୁହଁରୁ ସବୁ ଶୁଣି ସାରିଲେ, ଆଜି ତାଙ୍କୁ ମଜା ଚଖାଇବି | ସେ ଆଜି ତୋ ସ୍କୁଲରେ କ'ଣ କଲେ ଆଗ କହ |"

କୁନୁମୁନି ଏକା ନିଃଶ୍ୱାସରେ କହିଚାଲିଲା-”ଆଜି ଆମେ ସ୍କୁଲକୁ ଗଲାବେଳେ ଅଜା ଦେଖିଲେ, ଆମ ସ୍କୁଲ ଗେଟ ଆଗରେ ଗୋଟାଏ କଳା ବିଲେଇ ମରି ପଡ଼ିଛି | କାଲିଠୁ ସେ ମଲାଣି | ବର୍ଷାରେ ପଡ଼ି ପଚି ଗଲଣି | ଇସ କି ଗନ୍ଧ ! ସେ ବାଟଦେଇ ଯିଏ ଯାଉଛି, ସେ ନାକରେ ରୁମାଲ ଲଗେଇ ମୁହଁକୁ କେମିତି କେମିତି କରି ବାଟଭାଙ୍ଗି ଚାଲି ଯାଉଛି | ଅଜା କ'ଣ କଲେ ନା' ମୋଟର ସାଇ କେଲରୁ ଓହ୍ଲେଇ ପଡ଼ି ସେ ବିଲେଇ ପାଖକୁ ଗଲେ | ଗୋଟାଏ ଗଛର ଲତା ଆଣି ଫାଶ ତିଆରି କଲେ | ସେ ପଚା ବିଲେଇର ଗୋଡ଼ରେ ଫାଶକୁ ଗଳେଇ ଟାଣି ଟାଣି ନେଇ ଗୋଟାଏ ବୁଦା ମୂଳରେ ପକେଇଦେଇ ଆସିଲେ | ସେ ବିଲେଇ ଉପରେ କିଏ ଗାଡ଼ି ଚଢ଼େଇ ଦେଇଥିଲା | ତା' ମୁଣ୍ଡ ପୂରା ଛେଚରା ହେଇଯାଇଥିଲା |

ଆମ ସ୍କୁଲର ଶିକ୍ଷକ ଆଉ ପିଅନ ଗେଟ ପାଖରେ ଠିଆହେଇ ତାଙ୍କୁ ଦେଖୁଥିଲେ | କେତେଜଣ ପିଲା ବି ଅଜାଙ୍କ କାମକୁ ଦେଖି କୁହାକୁହି ହେଲେ-”ଛି- ଏ' ଅସନା ଲୋକଟା କିଏ ମ ! ମଲା ବିଲେଇଟାକୁ ନିଜେ ଉଠେଇ ନେଇ ବୁଦା ମୂଳରେ ପକେଇଦେଲା | ସୁଇପର ତ ଆସି ଉଠାଇ ଥାଆନ୍ତା | ସେ ବିଚରା ସେଥିପାଇଁ ସ୍କୁଲରୁ ଦୁଇ-ଚାରି ଶହ ଟଙ୍କା ପାଇଥାଆନ୍ତି |"

  ପିଲାମାନେ କହିଲେ- "ସିଏ ପରା କୁନୁମୁନିର ଅଜା | କୁନୁମୁନି ହେଉଛି- ଅସନା ଅଜାଙ୍କ ନାତୁଣୀ |"

ତା'ପରେ ଅଜା ତ ଘରକୁ ଫେରି ଆସିଲେ | ଆମ ଶ୍ରେଣୀର ପିଲାମାନେ ମୋତେ ଘେରିଯାଇ କହି ଚାଲିଲେ -”ଅସନା ଅଜାଙ୍କ ନାତୁଣୀ | ଅସନା ଅଜାଙ୍କ ନାତୁଣୀ |”ସେତେବେଳେ ମୋତେ ବହୁତ ଖରାପ ଲାଗିଲା | ଶିକ୍ଷକ ଆସିବାରୁ ସେମାନେ ସମସ୍ତେ ଚୁପ ହେଇଗଲେ | ଆଈ, ତମେ ଆଜି ଅଜାଙ୍କୁ କହିଦେବ- ଇମିତି ଅସନା କାମ ସେ ଆଉ କେବେ କରିବେ ନାହିଁ |"

ସବୁକଥା ଶୁଣିସାରି ଆଈ କହିଲେ-”ଆରେ ମାଆ ! ଏଇଟା ତ ଖୁବ ଭଲକାମ | ରାସ୍ତାରେ ଯଦି କିଛି ଜୀବ-ଜନ୍ତୁ ମରି ପଡ଼ିଥାଏ, ତାକୁ ଉଠେଇଦେବା ଆମର ସମସ୍ତଙ୍କର କର୍ତ୍ତବ୍ୟ | ନାକରେ ରୁମାଲ୍ ଦେଇ ବାଟଭାଙ୍ଗି ଚାଲିଗଲେ, ସେ ସମସ୍ୟାର ସମାଧାନ ହେଇଯାଏନା | ଆମ ପଛରେ ଆସୁଥିବା ଲୋକଟି ମଧ୍ୟ ଅଶାନ୍ତିରେ ସେ ଗନ୍ଧ ବାଟଦେଇ ଯିବ, ଆମେ ଫେରିବାବେଳେ ପୁଣି ସେହି ଗନ୍ଧକୁ ଶୁଙ୍ଘି ଆସିବା ନା' ନାହିଁ ? କେହି ଜଣେ ଯଦି ସାହସ କରି ଏଭଳି କାମକରି ଦିଅନ୍ତି, ତେବେ ଅନ୍ୟ କେତେଲୋକ ଉପକୃତ ହେଇଯାଆନ୍ତି | ଏହାକୁ କହନ୍ତି-ପ୍ରକୃତରେ ସେବା | କେବଳ ସୁଇପର ଆସି ସେ କାମ କରିବେ ସେମିତି ଭାବିଲେ, ବହୁତ ଲୋକ ଅସୁବିଧା ଭୋଗିବେ | ସେ ବିଲେଇ ପଡିଥିବା କଥା ଜାଣି ତମ ସ୍କୁଲର ଶିକ୍ଷକ କିମ୍ବା ପିଅନ ସେ କାମଟିକୁ ଆଗ କରିବା ଉଚିତ ଥିଲା | ତାଙ୍କ ପିଲାମାନେ ତ ସେଇ ବାଟଦେଇ ଯିବା ଆସିବା କରିବେ | ଏ'କଥା ଜାଣି ଯଦି ସେ ଚୁପ ରହିଲେ, ତେବେ ସମାଜ ପ୍ରତି ସେମାନେ ଅନ୍ୟାୟ କଲେ | ଯେଉଁମାନେ ଅଜାଙ୍କ କାମକୁ ପସନ୍ଦ ନକରି ତାଙ୍କୁ ଅସନା ଅଜା କହିଲେ, ସେମାନେ ସୁବିଧାବାଦୀ ମଣିଷ | ଏହି ଦୁନିଆରେ କୌଣସି କାମ ଛୋଟ କି ବଡ଼ ନୁହେଁ | ପରିବେଶକୁ ସଫା-ସୁତର, ସୁନ୍ଦର କରିବା, ଆମ ସମସ୍ତଙ୍କର କର୍ତ୍ତବ୍ୟ |

ମହାପୁରୁଷଙ୍କ ଜୀବନୀ ପୁସ୍ତକ ପଢିଲେ ଜାଣି ପାରିବୁ, ସେମାନେ କିଭଳି ଲୋକମାନଙ୍କ ପାଇଁ କେତେ ଭଲକାମ କରିଛନ୍ତି | ମହାତ୍ମାଗାନ୍ଧୀ ନିଜ ହାତରେ ପାଇଖାନା ସଫା କରୁଥିଲେ | ସେ କ'ଣ ଅସନା ମଣିଷ ହେଇଗଲେ କି ? ପଣ୍ଡିତ ଜବାହର ଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ଥରେ ଗାଡ଼ିରେ ଯାଉଥିଲେ | ତାଙ୍କ ଦୃଷ୍ଟିରେ ପଡ଼ିଗଲା- ଗୋଟିଏ କୁକୁର ଛୁଆ ନାଳ ଭିତରେ ପଡ଼ିଯାଇ ବାହାରି ପାରୁ ନଥିଲା | ବିକଳ ହେଇ କାନ୍ଦୁଥିଲା | ପ୍ରଧାନମନ୍ତ୍ରୀ ନିଜେ ଗାଡ଼ିରୁ ଓହ୍ଲାଇ ପଡ଼ି ସେ କୁକୁର ଛୁଆକୁ ନାଳରୁ ବାହାର କରିଦେଲେ | ସେ କହିଲେ-ଏହି କାମରେ ମୁଁ ବହୁତ ଆନନ୍ଦ ପାଇଲି | ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତି ନିଜ ଜୋତାକୁ ନିଜେ ପଲିସ କରୁଥିଲେ ଜଣେ ମୋଗଲ ସମ୍ରାଟ ନିଜ ପୋଷାକକୁ ନିଜେ ସିଲେଇ କରି ପିନ୍ଧୁଥିଲେ | ଏ'ସବି କଣ ଛୋଟକାମ ? ଏମିତି ଅନେକ ମହାପୁରୁଷ ସେବା କାମ କରିଥିବାରୁ ତାଙ୍କୁ ଲୋକେ ଏବେ ବି ପୂଜା କରୁଛନ୍ତି |

ଯେଉଁମାନେ ପର ଉପରେ ନିର୍ଭର କରନ୍ତି, ସେହିମାନେ ହିଁ ହଇରାଣ ହୁଅନ୍ତି | ତାଙ୍କର ମନ ଛୋଟ ହେଇଯାଏ | ସେମାନେ ସ୍ୱାର୍ଥପର ହେଇଯାଆନ୍ତି | ସେଭଳି ଲୋକଙ୍କ କଥାକୁ କେହି ବି ଗୁରୁତ୍ୱ ଦିଅନ୍ତି ନାହିଁ | ଯେଉଁମାନେ ଲୋକଙ୍କର ସେବା କରନ୍ତି, ଲୋକଙ୍କ ଭଲପାଇଁ କାମ କରନ୍ତି, ତାଙ୍କୁ ଲୋକେ ମହାପୁରୁଷ କହନ୍ତି |

ଆଜି ଅଜା ଯେଉଁ କାମଟି କଲେ, ତା' ଦ୍ୱାରା କେତେ ପିଲା ଆଉ ତାଙ୍କର ବାପା ମାଆ ଭଲରେ ସେହିବାଟେ ଯିବା ଆସିବା କରିପାରିବେ | ସେଥିପାଇଁ ତମର ପିଲାମାନେ ତାଙ୍କୁ ଆଉ ତୋତେ ପ୍ରଶଂସା କରିବା କଥା | ସେମାନଙ୍କର ବୁଦ୍ଧି ହେଇନାହିଁ ତ, ତେଣୁ ସେମାନେ ଏମିତି ତୋତେ ଚିଡ଼େଇଲେ | ତୁ ଚିନ୍ତା କରିବୁ ନାହିଁ | ଆଉ କେତେଦିନ ଗଲେ, ସେହିଲୋକ ପୁଣି ତୋତେ ମହାନ ଅଜାଙ୍କ ନାତୁଣୀ ବୋଲି କହିବେ |"

ଆଈଙ୍କ କଥା ଶୁଣି କୁନୁମୁନି ଖୁସି ହେଇଗଲା | ତା'ହେଲେ ମୋ ଅଜା ଅସନା ଅଜା ନୁହନ୍ତି ? ସେ ହେଉଛନ୍ତି ମୋର ମହାନ ଅଜା ! ଏକଥା ମୁଁ ସବୁ ସାଙ୍ଗ-ସାଥୀଙ୍କୁ କହିଦେବି |”



Rate this content
Log in

More oriya story from KRUTIBAS NAYAK

Similar oriya story from Children