ଅସ୍ମିତା
ଅସ୍ମିତା
ଏବେ କାନରୁ କାନ ପ୍ରଘଟ ହୋଇ ବହୁ ଲୋକ ସ୍କୁଲ ଆସୁଥିଲେ ଅସ୍ମିତାଙ୍କୁ ଦେଖା କରି ସତ୍ୟାସତ୍ୟ ଜାଣିବାକୁ. କାହାକୁ କଣ ଉତ୍ତର ଦେବେ ବୁଝିପାରୁନଥିଲେ ଅସ୍ମିତା. ବାପାଙ୍କ ମୃତ୍ୟୁ ଥିଲା ଅସ୍ୱାଭାବିକ. ସ୍ବଦେହରେ ପ୍ରଭୁ ତାଙ୍କୁ କୋଳେଇ ନେଇଥିଲେ ବୋଲି କାହାକୁ ସେ କହିପାରିନଥିଲେ ଯଦିଓ ସେ ବାପାଙ୍କ ମୃତ ଦେହ ବଦଳରେ ମଲାମୂଷାଟିଏ ବାପାଙ୍କ ଖଟରେ ପଡି ରହିଥିବାର ସ୍ୱଚକ୍ଷୁରେ ଦେଖିଥିଲେ. ଡାକ୍ତରମାନେ ସେହି ମଲାମୂଷାଟିକୁ ଖୋଜିହେଉଥିଲେ ପରୀକ୍ଷା କରିବା ପାଇଁ କିନ୍ତୁ ଅସ୍ମିତା ନିଜ ହାତରେ ବାପାଙ୍କ ଚିତାରେ ସେହି ମଲାମୂଷାଟିକୁ ହିଁ ରଖିଦେଇଥିଲେ ବୋଲି ମାନିଥିଲେ. ଭସ୍ମ ପାଉଁଶ ତ ନିଶ୍ଚୟ ରହିଥିବ କହି ଡାକ୍ତର ଵିଜ୍ଞାନୀମାନେ ସେହି ପାଉଁସକୁ ବିଜ୍ଞାନଗାରକୁ ନେଇଯାଇଥିଲେ. ଅସ୍ମିତାଙ୍କୁ ଏଣିକି ସମସ୍ତେ ବାୟାଣୀ ହୋଇଗଲେଣି ବୋଲି କହୁଥିଲେ କାରଣ ପାଠ ପଢେଇବା ସହ ଇଶ୍ୱରଙ୍କ ସତ୍ତାର ଅସ୍ତିତ୍ୱ ରହିଛି ବୋଲି ସେ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ଦେଉଥିଲେ. ଧ୍ରୁବଙ୍କ କଥା କହି ସେ ପିଲାଟିଏ ହୋଇଥିଲେ ମଧ୍ୟ ଭଗବାନଙ୍କ କୃପା କରୁଣା ପ୍ରାପ୍ତ କରି ସେ ତାରାମାନଙ୍କ ଗହଣରେ ଏଯାଏଁ ରହିଆସିଛନ୍ତି ବୋଲି କହିବା ସହ ମଣିଷ ଯଦି ଆକାଶରେ ତାରା ହୋଇପାରେ ଏହା କେବଳ ଆଧ୍ୟାତ୍ମବାଦୀ ଦେଶ ଓ ଜାତିରେ ସମ୍ଭବ.ସେଇଥିପାଇଁ ଦେବତାମାନେ ଆମ ଦେଶରେ ଜନ୍ମ ହୋଇଥିବା ମଣିଷମାନଙ୍କ ମହିମା ଗାନ କରି କହିଛନ୍ତି ମଣିଷମାନଙ୍କ ପୁଣ୍ୟ ଯୋଗୁଁ ତାଙ୍କ ଉପରେ ହରି ପ୍ରସନ୍ନ ହୋଇଛନ୍ତି. ହରିଙ୍କ ସେବାରେ ନିୟୋଜିତ ହୋଇଥିବା ମଣିଷକୁ ଭଗବାନ ଖୁବ ଭଲପାଇଥାନ୍ତି. ଆମେସମସ୍ତେ ମଧ୍ୟ ବ୍ରହ୍ମବିଦ୍ୟାର ଭୂମି ଭାରତବର୍ଷରେ ଥରେ ମଣିଷ ରୂପେ ଜନ୍ମ ଗ୍ରହଣ କରିବାକୁ ଅଭିଳାକରୁଛୁ.
ଏସବୁ କହିବା ସହ ଅସ୍ମିତା କହୁଥିଲେ ମାନବମାନଙ୍କର ଏକ ବିଶିଷ୍ଟ ଲକ୍ଷ ଅଛି. ତାହା ହେଉଛି ପ୍ରଭୁଙ୍କୁ ପାଇବା ଓ ଆତ୍ମାକୁ ପରମାତ୍ମାଙ୍କ ସହିତ ଲୀନ କରିଦେବା. ପରମାତ୍ମା ଅତ୍ୟନ୍ତ କୃପା ପରବଶ ହୋଇ ଏହି ମଣିଷ ଶରୀର ପ୍ରଦାନ କରିଛନ୍ତି.ଏହାକୁ ପାଇ ଯେଉଁ ମଣିଷ ନିଜ ଇନ୍ଦ୍ରୀୟଙ୍କୁ ବଶ କରେ ନାହିଁ ତାର ଜୀବନ ଅତି ଶୋଚନୀୟ ହୋଇଯାଏ. ଏ ଶରୀର ପରମାତ୍ମାଙ୍କ କାର୍ଯ୍ୟ ନିମନ୍ତେ ମିଳିଛି. ଏହି ଅନିତ୍ୟ ଶରୀର ନିତ୍ୟ ପରମାତ୍ମାଙ୍କୁ ନିଜ ଭକ୍ତିର ଚେଷ୍ଟା, ପ୍ରଚେଷ୍ଟା ଓ ନିଷ୍ଠା ବଳରେ ହିଁ ପାଇପାରେ. ଅସ୍ମିତାଙ୍କ କଥା ନସରୁଣୁ, ସେଠାରେ ଉପସ୍ଥିତଥିବା ଡାକ୍ତରମାନେ ତାଳି ମାରି କହୁଥିଲେ ଠିକ କହିଛନ୍ତି ଅସ୍ମିତା ଦେବୀ. ଆପଣଙ୍କ ବାପା ଜଣେ ସ୍ପେସିଜ ଥିଲେ.ଅସ୍ମିତା ଥରେ ଡାକ୍ତରମାନଙ୍କ ଆଡକୁ ଚାହିଁ କହୁଥିଲେକି ଏ ସଂସାରର ଅନେକ ଧୁମ ଧଡ଼ାକ ଭିତରେ ଆତ୍ମ ନିରୀକ୍ଷଣ ଓ ଆତ୍ମା ପରମାତ୍ମାଙ୍କ ମିଳନ ଏକ ବିରଳ ଧୁମ ଧଡ଼ାକ ଦୃଷ୍ଟାନ୍ତ.।