ଅସ୍ମିତା
ଅସ୍ମିତା
ପ୍ରେମ ଈଶ୍ଵରଙ୍କ ସୃଷ୍ଟିରେ ମୂଳ ପିଣ୍ଡ।ପ୍ରେମ ବ୍ୟତିରେକ ଜୀଵ ଜଗତ ଜଡ,ନିସ୍ପନ୍ଦ।ପ୍ରେମ ଗଢେ,ସ୍ୱପ୍ନ ଦେଖାଏ,ସୃଷ୍ଟିରେ ବିଭୋର କରେ।ପ୍ରେମ ସତ୍ୟ,ଶିବ,ଓ ସୁନ୍ଦର ଯୁଗେ ଯୁଗେ।ଅପ୍ରେମରେ ଜୀବନ କାହିଁ?ପ୍ରେମ ମୟ ସଂସାର।ପ୍ରେମ ପୂର୍ଣ୍ଣ ଜୀବନ ଶ୍ରୀ ଓ ସମୃଦ୍ଧିରେ ପରିପୂର୍ଣ୍ଣ।ନିରୁତା ପ୍ରେମ କେବଳ ଦେଇ ଜାଣେ।ଫେରସ୍ତରେ କିଛି ଆଶା ହି କରି ନଥାଏ।
ମୁଁ ବି ଜଣେ ପ୍ରେମୀ।ପ୍ରେମ ପାଇଁ ବଞ୍ଚିଛି।ମୋ ଜୀବନ ହସେ,ଝୁମେ,ରଙ୍ଗୀନ ହୁଏ କେବଳ ମୋ ପ୍ରେମିକା ପାଇଁ।ମୋ ଜୀବନରେ ତିନି ପ୍ରେମିକା ରାଜ୍ କରନ୍ତି।ସେଇ ମାନଙ୍କ ପାଇଁ ମୋ ଜୀବନ ଆଜି ସରସ ସୁନ୍ଦର।ସେମାନେ ସଜାଡି ଦେଇଛନ୍ତି ମୋ ଉଥୁଲ୍ ପୁଥୁଲ୍, ଅସଜଡ଼ା,ବିପର୍ଯ୍ୟସ୍ତ ଜୀବନ ।ସ୍ୱର୍ଗ ହୋଇ ଯାଇଛି ମୋ ପରି ତୁଛ ମଣିଷ ଜୀବନ।ମୋ ପ୍ରେମିକା ମୋତେ ଶିକ୍ଷା,ସଂସ୍କାର,ଭଦ୍ର,ନମ୍ର ଓ ବିନୟୀ କରି ତୋଳିଛନ୍ତି।ଶୃଙ୍ଖଳିତ,ସ୍ୱାଧୀନଚେତା,ସ୍ୱାବଲମ୍ବୀ,
ସ୍ୱାଭିମାନୀ ବି କରିଛନ୍ତି ମୋତେ।ଶିଖାଇଛନ୍ତି କର୍ତ୍ତବ୍ୟ,ଅଧିକାର ସମ୍ବନ୍ଧୀୟ ଜ୍ଞାନ।ସ୍ୱପ୍ନ ଖୁନ୍ଦିଛନ୍ତି ମନେ।ଝଡ଼ ଝଞ୍ଜାର ସମ୍ମୁଖୀନ ହେବା ପାଇଁ ମନରେ ଭରିଛନ୍ତି ଶକ୍ତି,ସାମର୍ଥ୍ୟ।ଆଗକୁ ବଢିବା,ବନ୍ଧୁର ପଥ ଅତିକ୍ରମ କରିବା ମନ୍ତ୍ର ବି ଫୁଙ୍କିଛନ୍ତି କାନରେ।
ପ୍ରଥମ ପ୍ରେମିକାଟି ମୋର ମନ ,ମସ୍ତିଷ୍କକୁ ଜଗଡି ଧରିଛି।ତାକୁ ଦେଖିବାକୁ,ଛୁଇଁବାକୁ,ନିଜ ଭିତରେ ଆଜୀବନ କଏଦୀ କରି ରଖିବାକୁ ମୋ ହୃଦୟ ଉଦ୍ ବେଳିତ।ପ୍ରାଣ ଛଟପଟ।ତାକୁ ଦେଖିଲେ ଉଚ୍ଚାଟ ପ୍ରାଣ ମୋର ଦୋହଲି ଯାଏ।ସେ ସମ୍ପୂର୍ଣ୍ଣ ମୋ ନିଜର ନ ହେବା ପର୍ୟ୍ଯନ୍ତ ମୁଁ ସ୍ଥିର ହୋଇ ପାରେନା।ଏଇ ପ୍ରେମିକାଟି ମୋର ନିହାତି ଶୁଭ ଚିନ୍ତକ।କିଏ ଭୁଲ୍ କିଏ ଠିକ୍,ଉଚିତ,ଅନୁଚିତ ମାର୍ଗ ଦର୍ଶିନ କରେ ସେ।ତା ପାଇଁ ଆଜି ମୋର ନିଜର ଗୋଟିଏ ପରିଚୟ ଅଛି।ମୋ "ଅସ୍ମିତା" ବି କେବଳ ତା ପାଇଁ।ସେ ମୋତେ ଶିଖାଇଛି ଜୀବନ,ଜିଜ୍ଞାସା, ଓ ବଞ୍ଚିବା।ମୋ ଅନ୍ତରରେ ଭରିଛି ଦୟା,କ୍ଷମା,ସହନଶୀଳାତା, ଭାଷା ଓ ଭାଵ।ଚିହ୍ନାଇ ଦେଇଛି ଦେଶ ବିଦେଶ।ତଫାତ ଓ ସାମଞ୍ଜସ୍ୟ ,ପ୍ରମାଣ ଆଦି ଏଇ ପ୍ରେମିକଟି ମୋତେ ଶିଖାଇଛି।ମାର୍ଜିତ ବ୍ୟବହାର,ସମ୍ପର୍କର ପରିଭାଷା ଆତ୍ମୀୟତା ଓ ଅନ୍ତରଙ୍ଗିତା ର ମଞ୍ଜି ରୁଇଁଛି ମୋ ଭିତରେ।ମୁଁ ଦକ୍ଷ କେବଳ ଏହାରି ପାଇଁ। ନିଜଠୁ ଅଧିକ ତୋତେ ଭଲ ପାଏ ରେ ମୋ ପ୍ରେମିକା ନମ୍ବର ୱାନ' ବହି'।
ମୋ ଦ୍ଵିତୀୟ ନମ୍ବର ପ୍ରେମିକା ଯୋଗୁଁ ମୋର ବୟସ,ଲିଙ୍ଗ ଜାତି,ଧନୀ ନିର୍ଦ୍ଧନୀ କିଛି ବାଛ ବିଚାର ନାହିଁ। ଏ ଦ୍ଵିତୀୟ ପ୍ରେମିକାଟି ମୋର ହୃଦୟକୁ ଆକ୍ରମଣ କରେ।ଏ ଯେତେବେଳେ ମୋତେ କୁଣ୍ଢାଇ ଧରେ, ଆଲିଙ୍ଗନ କରେ,ସମ୍ପୂର୍ଣ୍ଣ ମୋତେ ତା ମୟ କରିଦିଏ,ମୁଁ ଆଉ ମୁଁ ହୋଇ ନଥାଏ।ସେ ମୋତେ ଚାରିଆଡେ ଚୁମିଯାଏ।ମୋତେ ଆନ୍ଦୋଳିତ କରେ।ଭାବନାରେ ଓଦା କରିଦିଏ।କାଳିଶି ଲାଗିଲା ପରି ମୋତେ ଅଥୟ କରେ।କେତେବେଳେ ମୋତେ ସେ ବୁଢା କରାଏ ତ କେତେବେଳେ ଶେଯରେ ଶୋଇଥିବା ଛୁଆଟିଏ ବି କରି ଦିଏ।କେବେ ବିଧବା ଆଖିର ଲୁହ ହୋଇଯାଏ ତ କେବେ ଓଢଣା ଫାଙ୍କର ଲାଜୁଆ ହସ କରିଦିଏ।କିଶୋର ପ୍ରାଣର କୋମଳ ମହ୍ଲାର,ଯୌବନର ଗାନ୍ଧାର,ଶୃଙ୍ଗାର,ତାରୁଣ୍ୟର ମାଦକତା,ପୌଢତ୍ୱର ପ୍ରଜ୍ଞା,ବାର୍ଦ୍ଧକ୍ୟର ଅସହାୟତା ସବୁର ଭାଵ ଭରିଦିଏ ମୋ ହୃଦୟ କାନ୍ଥରେ ।ଜୀବିତ କିନ୍ତୁ ମୃତ୍ୟୁ ବ୍ୟକ୍ତିର ମନୋଦଶା ମୁଁ ଶବ ହୋଇ ଲେଖିପାରେ।ସାହାରା ମରୁଭୂମିରେ ଚଲାଏ,ପୁଣି ବର୍ଷାରେ ଭିଜାଏ।କେବେ ବଂଶୀର ସ୍ଵନ,ସୁନା ହରିଣୀ ମାୟା,ସୁନା ଆତର ଭ୍ରମ ବି ସୃଷ୍ଟି କରେ।ଏଇଠି ଥିବ ଏଇ ନଥିବ ମାୟାଜାଲ ରେ ବନ୍ଦୀ ମୁଁ।ସବୁ କ୍ଷଣ ମୋତେ ଗୋଟା ସୁଦ୍ଧା ଗାଧୋଇ ଦିଏ ଭାଵ ପ୍ରବଣତା ନଦୀରେ ଡୁବାଇ।ଆନମନା କରାଏ।ଅଧିର ବି କରେ।ବେଳେବେଳେ ସୃଷ୍ଟି ମଗ୍ନ ହୋଇ ମୋ ଜୀବନକୁ ସାର୍ଥକ କରେ।ଦିଏ କିଛି,ପ୍ରଶଂସା,ତାଳି,ମାନପତ୍ର,ସମ୍ମାନ ଓ ଲୋକ ପ୍ରିୟତା।
ପୋତି ପକାଏ ମେଡାଲ ଓ ଶୁଭେଚ୍ଛାରେ।ଏଇଟି ମୋ ଏକାନ୍ତ ନିଜର ପ୍ରେମିକା ନମ୍ବର ଦୁଇ ମୋ "ସୃଜନୀ, ଲେଖା।"
ସବୁଠାରୁ ଖତର ନାକ ପ୍ରେମିକାଟିଏ ମୋର ଅଛି।ମୋତେ ଭାରି ହଇରାଣ କରେ ତା ଦେହର ବାସ୍ନା।ତା ଉପସ୍ଥିତ ମୁଁ ଆଦୌ ସହ୍ୟ କରିପାରେନା।ବେଳ ବେଳେ କିଛି ମାନେ ନାହିଁ ତାକୁ ପାଖରେ ପାଇଲେ।ତାର ପ୍ରେମର ଯାଦୁରେ ମୁଁ ବିଭୋର ହୋଇଯାଏ।ତାକୁ କେବଳ ହାସଲ କରିବା ମୋର ଏକାନ୍ତ ଲକ୍ଷ୍ୟ ହୋଇଉଠେ। ମୁଁ ତାକୁ ମୋ ସାଙ୍ଗରେ ବେଶୀ ଶୀତୁଆ ସକାଳ କୋହଲା ପାଗରେ ଧରୁ ରଖିବାକୁ ଚାହେଁ କାମ ବ୍ୟସ୍ତତା ଭିତରେ ତାକୁ ଖୁବ ଚାହେଁ ତାକୁ ।ସେ ଯଦି ଆସି ମୋତେ ଟିକେ ଜାବୁଡି ଧରେ,ଆଃ କ୍ଲାନ୍ତି,ଥକ୍କା ମେଣ୍ଟିଯାଏ ମୋର।ମୁଁ ତା ସାଙ୍ଗ ଲାଭ କରି ନିଷ୍କ୍ରିୟତାରୁ ପୁଣି ସକ୍ରିୟ ହୋଇଯାଏ।କିନ୍ତୁ ଦୁର୍ଭାଗ୍ୟ ମୁଁ ଯେତେ ହଟ୍ ହଟ୍ ହୋଇଯାଏ,ସେ ସେତେ କୁଲ କୁଲ ହୋଇ ପଡେ।ତା ହଟ୍ ନେସ ମୋତେ ପାଗଳ କରିଦିଏ,ମୁଁ ପୁରା ତା ଭିତରେ ହଜି ତା ପ୍ରେମ ସୁଧା ପାନ କରେ।ସେ ବେଶୀ ଅଧିର ହୁଏ ମୋ ଓଠକୁ ଛୁଇଁବାକୁ।ମୁଁ ବ୍ୟଗ୍ର ଥାଏ ତାକୁ ଆଣି ଓଠ ଛୁଆଁ ଦେବାକୁ।ସେ ମୋତେ ମୋ ଓଠରୁ ହିଁ ଆକ୍ରମଣ କରେ।ଭାରି ଫୁଲେଇ ଓ ସୁନ୍ଦରୀ ଏଇ ପ୍ରେମିକାଟି ମୋର।ମୋ ପ୍ରେମିକା ନମ୍ବର ତିନି ହେଲା ଗରମ ଗରମ କପେ" ଚା"।
ଏଇ ତିନି ପ୍ରେମିକା ମୋ ଜୀବନ।ୟାଙ୍କ ବିନା ମୁଁ କିଛି ନୁହେଁ।କିଛି ନାହିଁ ମୋର "ଅସ୍ମିତା"।ଏମାନଙ୍କୁ ପ୍ରେମ କରି ମୁଁ ଧନ୍ୟ।ଏମାନେ ମିଳିମିଶି ମୋତେ କରିଛନ୍ତି ଉତ୍ତମ ନାଗରିକ,କର୍ମନିଷ୍ଠ,ଦକ୍ଷ,ବିଚକ୍ଷଣ ବ୍ୟକ୍ତି;ଜଣେ ସୁନାମଧନ୍ୟ ଉଚ୍ଚ ପ୍ରଶଂସିତ ଅଫିସର ବିଜୟ ଗୋୟେଙ୍କା,କ୍ଲାସ୍ ୱାନ୍ ଅଫିସର୍।