STORYMIRROR

shibananda barik

Inspirational

3  

shibananda barik

Inspirational

ଅସହ୍ୟ ଉର୍ମି

ଅସହ୍ୟ ଉର୍ମି

6 mins
206


...ଏଇ ଦଶହରା ରେ ସାଧୁ ପୁଣି ନେଇ ଆସିଛି ଅମର ବାବୁଙ୍କୁ ନିଜ ଗାଁ ଗଡମାଧପୁର ର ସେଇ ଅତି ଆକର୍ଷଣୀୟ ବାଣ ଯାତରା ବୁଲେଇ। ଗଲାଥରଠୁ ଏଇଥର କିନ୍ତୁ ଖୁବ୍ ଯତନ ଆଉ ଚର୍ଚ୍ଚା ବି ଯୋରଦାର କାରଣ ବାବୁ କଟିକିଆ ଏବେ ଖାକି ପିନ୍ଧା ବଡ ହାକିମ । ଟ୍ରେନିଂ ସାରି ଅମର ବାବୁ ଛୁଟିରେ ଏଠି । ସାଧୁଟା ଖୁବ୍ ଭଲ ଭାରି ବିଶ୍ୱସ୍ତ ପ୍ରାଣୀଟି ବୋଲି ବଡ ବାବୁଙ୍କ ଶୁଭଦୃଷ୍ଟି ରୁ ତାଙ୍କରି ଘରେ ରହି କାମଧାମ ଘର ପାଇଟି ବଜାର ହାଟ ହାନିଲାଭ ଏକ ରକମର ସବୁ ସମ୍ଭାଳି ଆସିଛି ଗତ କୋଡ଼ିଏ ବର୍ଷ ଧରି। 


   ଅମର ଗାଁ କୁ ଆସିବାର କିନ୍ତୁ ଅଭିପ୍ରାୟ ଅଲଗା । ନିପଟ ମଫସଲ ର ଶିଥିଳ କାଚକେନ୍ଦୁ ପଥର ବାଡବନ୍ଧା ପୋଖରୀ ।ପୋଖରୀ ସେପାଖେ କୋଶ କୋଶ ଧରି ବିଛେଇ ପଡିଥିବା ସବୁଜିମା ଧାନବିଲ । ବିଲ ସେପାଖେ ଅଦୁରରେ ଦୁଇଟା ଛୋଟବଡ ପଥୁରିଆ ଭାଇଭଉଣୀ ମୁଣ୍ଡିଆ ଆଉ ତା ଦିହରୁ ଫାଙ୍କେ ଫାଙ୍କେ ପଥର ସନ୍ଧିରୁ ଧିରେ ଧିରେ କରି ବହୁ ଆସୁଥିବା ଉଜ୍ନଳ ନାଳିଆ ଖଣ୍ଡେ, ତାକୁ ଲାଗି ଆକାଶ ଛୁଆଁ ବାଉଁଶକୁମ୍ଭର ଆସର ଯୋଉଠି ତାର ସରୁ ସରୁକା ପତର ଦେହେ ପବନ ଘଷି ନିଇତି ସଂଜ ହେଲେ ବଇଁଶୀ ବାଜେ । ଛୋଟ ବଡ ଗଣତିରେ ପଚାଶ ଘର ବସ୍ତି ମାତ୍ର ସୁଖସୁବିଧାବେଳେ ଗାଁ ଚାନ୍ଦିନୀ ଚଉଁରାମୂଳ କୂଅ ପାଖରେ ରଜାମେଳି ହେଇ ସୁଖଦୁଃଖର ମୁହୂର୍ତ୍ତଟିମାନ ବିତାଇ ଦିଅନ୍ତି । ବାଉନ ବଜାର ତେପନ ଗଳିରୁ ମୁକ୍ତ ହୋଇ ଏଇ ଅଦୂର ଘୋର ବନବାସ ରେ ଅମର କିନ୍ତୁ ଶାନ୍ତି ପାଏ ସୁଖ ପାଏ ।ଆଉ ସେଇଥିପାଇଁ ତ ଖାଲି ସମୟ ଟିକିଏ ପାଇଲେ ସାଧୁକୁ ନେଇ ବିଚରା ଚାଲିଆସେ କାଚମରା ପିଚୁ ସଡକରୁ ନିପଟ ମଫସଲ ର ମାଟି କାମୁଡା ମାଙ୍କଡା ପଥରର ଅଙ୍କାବଙ୍କା ରେଖା ଉପରକୁ ନିଜ କଅଁଳିଆ ନାଲି ପାଦଗୁଡାକୁ ସମ୍ଭାଳିବାକୁ । ଏସବୁ ଉପଭୋଗର ସାଗର ଭିତରେ କିନ୍ତୁ ଅମର ର ଆଖି ସବୁବେଳେ ଖୋଜିବୁଲୁଥାଏ ସେଇ ଷୋଳ ବୟସୀ ହଳଦିଆ ରଙ୍ଗର ଫୁଲ ଉର୍ମି କୁ ।


ମା ଛେଉଣ୍ଡ ଝିଅ ଟିଏ । ସଂସାର କହିଲେ ତା ମଫସଲିଆ ମଳିମୁଣ୍ଡିଆ ଅପାଠୁଆ ବାପ ଆଉ ଘରେ କତରା ଲଗା ଧୋବ ଧୋବ ବାଳଭିତରେ ଏପଟ ସେପଟ କରି ଧାଇଁଯାଇଥିବା ରେଖା ଲଗା ମୁଁହରେ ତାକୁ ପାଦେ ପାଦେ ଗାଳିଦେଇ ଆକଟ କରୁଥିବା ବୁଢୀ ମାଁ । ତିନି ପ୍ରାଣୀକୁଟୁମ୍ବ ରେ ବେଶ୍ ଚଳଚଞ୍ଚଳ ଛୋଟିଆ ପରିବାର । ଅମରକୁ ବଡବାପ ସାଧୁଘରେ ଗଲା ଦୋଳରେ ତାର ପ୍ରଥମ ଦେଖା । ତରବରିଆ ହୋଇ ବାବୁଙ୍କୁ ଜୁହାର କରୁ କରୁ ହାତରେ ଧରିଥିବା ରକ୍ତଜବା ନାଲି ମନ୍ଦାର ଗୁଡାକ ଢଳି ପଡିଥିଲା ଅମର ବାବୁ ଦେହରେ । ସେ ମନ୍ଦାର ତ ଖଣ୍ଡେ ଫୁଲର ପରଶ ନଥିଲା , ଥିଲା କନ୍ଦର୍ପ ର କାମବାଣ ,ପ୍ରଣୟ ର ବିସ୍ଫୋରଣ ।


ଅଳ୍ପ ଲାଜେଇ ଷୋଳଶି ନାଲି ଓଠରେ ମୁରୁକି ହସି ମୁରୁଜ ବିନ୍ଧା ଆଖି ରେ ଯୋଉ ଖଣ୍ଡେ କାମୁକ ଚାହାଣି ଦେଇ ସେଠୁ ଦୌଡ଼ି ଚାଲିଗଲା ସେଇପରଠୁ ଅମର ବାବୁ କିନ୍ତୁ ଶିକାରୀ ବାଣରେ ଆହତ ହରିଣଟେ ପରି ସେଇ ନୀଳ ଖଦଡ ପିନ୍ଧା ଗୋରା ତକ୍ ତକ୍ ଯୁବତୀ କୋଳରେ ଲସିଯିବାକୁ ବ୍ୟାକୁଳ । କେବେ ଧାନଖଳାରେ ପୁଣି ପୋଖରୀ ହୁଡାରେ କେବେ ଚଉରାମୂଳରେ ଆଉକେବେ ପାହାଡ ପାଖ ତୋଟାରେ ସାଙ୍ଗମେଳରେ ଅମର ବାବୁ ତାକୁ ବେଶ୍ ବାରି ନିଅନ୍ତି। ଆଖି ଆଖିର ଲଢେଇଭିତରେ ହାରିଯାଆନ୍ତି ଉଭୟେ । ଦିନେ ସଂଧ୍ୟା ଦୀପ ପରେ ଏକାଥିଲାବେଳେ ଛୁଆଟେ ଆସି କାଗ କାଗଜଖଣ୍ଡେ ଧରେଇ କହିଲା '' ବାବୁ! ଉର୍ମି ନାନୀ କାଗଜ ଖଣ୍ଡିକ ମୋ ହାତରେ ଦେଇ କହିଛି ସଂଧ୍ୟାବେଳେ ସାଆନ୍ତ ଘର ବାଡି ବଗିଚାକୁ ସେ ଫୁଲତୋଳି ଆସିବ ''। ମନ୍ଦାର ଗଛ ଗୁଡାକ ଢେର ବଡ ଆଉ ତମେ ଟିକେ ଯାଇ ତୋଳିଦେଳେ ଭଲ ହୁଅନ୍ତା ।'' ଅଜଣା ଆନନ୍ଦରେ ଅମରବାବୁଙ୍କ ନିଶତଳ ନାଲିଓଠ ଆପେ ଆପେ ହସିଉଠିଲା ।


   ସଂଜ ନଇଁବା ଢେର ଆଗରୁ ବାବୁ ବଗିଚା ବାରଣ୍ଡାରେ ହାଜର । ହଳଦି ମୁହଁରେ କଜଳଲଗା ଆଖି ଆଉ ଗଭାରେ ଚାଖଣ୍ଡେ ପ୍ରାୟ ମଲ୍ଲିଗଜରାରେ ସେ ଆଜି ଅଲଗା ଅଲଗା ଭାଷାରେ ବହୁତ କିଛି କହିଯାଉଛି ବିନାଶବ୍ଦରେ । ଉଭୟଙ୍କ ମୁହଁରେ ଉଁ କି ଚୁଁ କିଛି ନାହିଁ। ବାବୁ ଚୁପଚାପ ଗଛ ପାଖକୁ ଯାଇ ବାଛି ବାଛି ସଜଫୁଲଟିମାନ ତୋଳି ବଢାଇ ଦୋଉଛନ୍ତି ମନର ମାନସୀକୁ । ସେ ବି ତଥାକଥିତ ଯନ୍ତ୍ରଟି ପରି ଫୁଲଗୁଡାକ ସଜାଡି ରଖୁଛି ବାଉଁଶ ପାଛିଆଟିରେ । ହଠାତ୍ ଉପରକୁ ଡେଇଁ ସାତପୁରିଆ ନାଲି ମନ୍ଦାରଟି ତୋଳୁତୋଳୁ ଭାରସାମ୍ଯ ହରାଇ ନିଜର ବଳିଷ୍ଠ ସୁଢୋଳ ଯୁବସୁଲଭ ବିଶାଳ ଶକ୍ତ ଶରୀରକୁ ଅଜାଡିଦେଲେ ରୁପଲାବଣ୍ୟ ର ଅତୁଳନୀୟ ପ୍ରତିମା ଉର୍ମି ଉପରେ ।


ବିଚାରି ତଳେ ପଡିଯାଇ ଭୟରେ କାମୁଡି ଧରିଲା ଅମର ବାବୁଙ୍କ ବିସ୍ତାରିତ ବକ୍ଷଦେଶକୁ । ହଠାତ୍ ଉପରୁ ନାଲି ନାଲି ଭଳିକି ଭଳି ମନ୍ଦାରଟିମାନର ବୃଷ୍ଟି । ଅସ୍ତମିତ ରବି ପଶ୍ଚିମ ନାଲି ଆକାଶରେ ମୁରୁକି ହସୁ ହସୁ ଗାଁ ମନ୍ଦିର ର ଘଣ୍ଟ ଶବ୍ଦରେ ଉଭୟେ ଚମକିପଡି ନିଜକୁ ସମ୍ଭାଳି ଜଣକ ପରେ ଜଣେ କରି ଉଠିଲେ । ଅମର ବାବୁ ନାଲି ଟିସାର୍ଟ ଉପରୁ ଧୂଳିମାଟି ପୋଛୁ ପୋଛୁ ବିଚାରି ପୁଣି ଦୁଇ ଚାରିଟା ଫୁଲ ଭୁଇଁରୁ ଉଠାଇ ପାଛିଆରେ ଭରିଦେଇ '' କାଲି ମୁଁ ଗାଁ ବୁଲେଇ ନେବି ଯେ !! ବିଲ ହୁଡା ମଟାଳ ମାଟିରେ ପଡିଯିବେନି ତ !!'' କହି କଟାକ୍ଷ ଚାହାଣି ଦେଇ ଦୌଡ଼ି ଚାଲିଗଲା । ଆଜି ପୁଣି ବାବୁ ସେଇ ସୌନ୍ଦର୍ଯ୍ୟର ସାଗର ରେ ବୁଡି ମୁକ୍ତା ଖଣ୍ଡେ ସାଉଁଟୁ ସାଉଁଟୁ ଆନ୍ଦୋଳିତ ଅଶାନ୍ତ ଉର୍ମିର ଧକ୍କା ରେ ବେଳାଭୁମିପତିତ । ଧିରେ ଧିରେ ଘନିଷ୍ଠତା ।


ଗାଁ ଚାରିପାଖର ଦୃଶ୍ୟମାନ ଏବେ ଆହୁରି ସୁନ୍ଦର ଲାଗୁଛି ଉର୍ମି ସାଙ୍ଗରେ । ଉଭୟେ ଉଭୟଙ୍କ ନିକଟତର । ଭାବନା ଅନୁଭୂତି ଆଶା ଆକାଂକ୍ଷାଟି ଗୁଡାକୁ ଗୋଟି ଗୋଟି କରି ବାଣ୍ଟିଚାଲୁଚାଲୁ ସମୟ ଶେଷ । ବାବୁ ପ୍ରତିଶୃତି ଦେଇ କଟକ ଫେରିବାବେଳେ ସାଆନ୍ତ ଘର ଛାତ ଉପରେ ଖୁବ୍ କାନ୍ଦି ଉଠିଥିଲା ଉର୍ମି । ଅମର ବାବୁ ବି ତାକୁ ଜାବୁଡି ଧରି ଆପଣା କୋହକୁ ସମ୍ଭାଳି ନପାରି ଛଳ ଛଳ ଆଖିରେ ଫେରିଲାବେଳେ ତା ପାଇଁ କଟକରୁ କେତେ କ'ଣ ଆଣିବାର ମିଠା ପ୍ରତିଶୃତି ଦିଅନ୍ତି । ଉର୍ମି ଅଣ୍ଟା ପାଖରେ ଖୁଞ୍ଚି ରଖିଥିବା ନାଲି କନାରୁ ଗ୍ରାମଦେବତୀ ଙ୍କ ମନ୍ଦିରରୁ ଆଣିଥିବା ପୂଜା କଉଡି ତିନୋଟି ବାହାର କରି ମୁଣ୍ଡରେ ଲଗାଇ ଗୁଣୁଗୁଣୁ କରି କଣ ଗୋଟେ ସୁମରଣା କରି ବାବୁ ହାତକୁ ବଢାଇ ଦେଇ କହିଲା ''' ପୋଲିସି ହେବ ପରା ।!!! ପାଖରେ ରଖିଥାଅ । ଭୁତପ୍ରେତ ଭୟ ଚମକ ଜମାରୁ ପାଖ ମାଡିବେନି ।।।।!!!!'' । ଉର୍ମି ର ଭଲପାଇବା ଆଉ ବିଶ୍ବାସ ଆଜିବି ବାବୁଙ୍କ ପର୍ସ ଭିତରେ ସାଇତା ହୋଇ ରହିଛି ।।  


    କିନ୍ତୁ ଉର୍ମି ??! ବିଚାରି ଯାହାପାଇଁ ବାବୁ ପୋଲିସ ଟ୍ରେନିଂ ସାରି ସିଧା ସିଧା ଗାଁରେ ତାର କାଇଁ ଦେଖାନାହିଁ ।ଆସିବାର ଆଜିକି ଦୁଇଦିନ କିନ୍ତୁ ତାର ଅତାପତା ପାଉନାହାନ୍ତି ବାବୁ । କାହାକୁ ପଚାରିବାକୁ ବି ସାହାସ ନାହିଁ । ତଥାପି ସାହାସ ବାନ୍ଧି ତା ଘର ଆଖପାଖ ଆଡେ ବୁଲିଆସିଲେ କିନ୍ତୁ କୋଉଠି ତାର ଦେଖୁନାହିଁ । ଭାରି ବିଚଳିତ ହୋଇଉଠିଲେ ଅମର ବାବୁ । ମଝିରେ ମଝିରେ ନିଜ ଆଟାଚ୍ ବକ୍ସ ଭିତରୁ ନାଲି ମଣିବନ୍ଧ ଶାଢୀ ଆଉ କାଶ୍ମୀର ଶାଲ ଖଣ୍ଡିକୁ ବାହାର କରି ମଝିରେ ମଝିରେ ଆଉଁସି ଦେଇ ଖୁସି ହୋଇଯାଉଥାନ୍ତି ଉର୍ମି ଦେହକୁ ଖୁବ୍ ମାନିବ ଭାବି ଭାବି । 


    ସେଦିନ ସଂଧ୍ୟା ରେ ଅସମ୍ଭାଳ ହୋଇ ଜଳଖିଆ ଖାଉ ଖାଉ ସେ ସାଧୁର ସ୍ତ୍ରୀ କୁ ପଚାରିଦେଲେ ''ଆଚ୍ଛା ମାଉସୀ !! ସେଇ ଯୋଉ ଷୋହଳ ସତର ବର୍ଷ ବୟସର ଝିଅଟେ ଆସି ସକାଳେ ସଂଧ୍ୟା ରେ ଫୁଲ ଦେଇଯାଏ ,,,କ'ଣ ଯେ ତା ନାଁ ଟା।।????ଉର୍ମି ।।। ସେ କାଇ ଦେଖାଯାଉନି ???କୁଆଡେ ଗଲା କି??


  ଟିକେ ଗମ୍ଭୀର ହୋଇ ସେ ଉତ୍ତରଦେଲେ '' ଓହୋ ସେଇ ଉରୁମି କି ???କୁହନି ବାପ ସେ କଥା ।।ନିଳାର ସଂସାର ଭାସିଗଲା ବୋଲି ଜାଣ ।। ବିଚାରି ଏନ୍ତୁଡିଶାଳରୁ ତ ମା କୁ ଖାଇଲା !! ନିଳା ବାପଡା କରମ ଆଦରି ମାଇ ମୁହଁ ଚାହିଁ ସେମିତି ରହିଗଲା ଆଉ ଦିହୋଡ ବାହାହେଲା ନାଇଁ । । ତାରା ବୋଇଲେ ଜହ୍ନ ଆଉ ଖଜା ବୋଇଲେ ଭୁଜା ଆଣି ଝିଅକୁ ଦଉଥିଲା ।। ବୁଢୀ ଅସରି କମ୍ କାଟ ଖାଇଛି ???? ହେଲେ ବି ପୋଡାମୁହିଁ କ'ଣ ନ କଲା ????କୋଉ ଟୋକା ପିରତିରେ ଭାସିଲା କେଜାଣି ଅଖାଏ ଚିଠି ଖାଲି ବାବୁ ବାବୁ କରି ଲେଖିପକେଇଥିଲା । ବାପ ହାତରେ ଧରା ପଡିଲା । କଥା ତ ପୋଖରୀ ଗାଡିଆ ବିଲ ମନ୍ଦିର ସାହି ପଡିଶା ଯାହା ଉଡିଲା ବାପ ଛାଡ!!! ଆଖ ପାଖ ଗାଁରେ ବି ଉଠିଲା ପଡିଲା । ବାପ ବିଚରା ମୁହଁ ଟେକି ବାଟ ଚାଲିପାରିଲା ନାହିଁ । ,,,,,ସେ ଥୋବଡି ଆଉ ଟାହି ଟାପରା ସହି ନପାରି ମନ୍ଦିର ପଛ କୂଅରେ ରାତି ଅଧିଆ ଡେଇଁ ଜୀବନ ହାରିଲା ।।।। ଆହା ।।। ଚୁ,,ଚୁ,,,, ହାଏରେ ବିଧାତା ,,, ମାଛି ଛି ମଁ କୁହେନି ଲୋ ମା।।। କଣ ନ କଲା ସତେ ।।। !!!!


କହୁ କହୁ ମାଉସୀ ଆଖି ଜକେଇ ଆସୁଥାଏ । ଅମର ବାବୁ ଆଖି ଦୁଇଟି ତରାସ କରି ଚାହିଁ ରହିଥାନ୍ତି । କଥାଗୁଡାକ ଗୁଳି ଭଳି ତାଙ୍କ ଛାତିରେ ଗୋଟିକ ପରେ ଗୋଟିକ ବାଜୁଥିଲା । ଚାରିଆଡେ ଅନ୍ଧାର ଦିଶୁଥିଲା ଅମର ବାବୁଙ୍କୁ । ଶୁନଶାନ ସଂଧ୍ୟା ରେ ମାଉସୀଙ୍କ କଥାଗୁଡାକ ବାରମ୍ବାର ବାଜିଉଠୁଥିଲା ଖଣ୍ଡଗିରି ଯାତ୍ରା ପଡିଆର ଡାକବାଜିପରି । ବିଶାଳ ଶକ୍ତ ପୋଲିସ ହାକିମ ଦେହରେ ଆଉ ରକ୍ତ ନାହିଁ। ସେ ଏବେ ଶକ୍ତିହୀନ ପ୍ରାୟ । ମାଉସୀ ଜଳଖିଆ ଥାଳି ଉଠେଇ ଭିତରକୁ ଚାଲିଗଲେ। ଅଜାଣତରେ ଆଖିରୁ ଅସୁମାରି ବିରହର ବୁନ୍ଦା ଝରି ପଡୁଥିଲା । ନିଜକୁ ସମ୍ଭାଳି ଆସ୍ତେ ଆସ୍ତେ ଆସନରୁ ଉଠି ଅମର ବାବୁ କାନ୍ଥ ଧରି ଧିରେ ଧିରେ ଛାତ ଆଡକୁ ଚାଲିଗଲେ । ସୂର୍ଯ୍ୟ ବି ବୁଡିଗଲେଣି ଏଣେ ପକ୍ଷୀ ଗୁଡିକ ଦୂର ଆକାଶରେ ଚିଁ ଚିଁ ଶବ୍ଦ କରି ବସାକୁ ଫେରୁଥାନ୍ତି । ଅଦୂରରେ ଗାଁ ପଡିଆରେ ଠାକୁରାଣୀ ଯାତରା ଆସର ଭିତରେ ଲୋକ କଳରାବ । ସେଇଆଡୁ ଦୃଷ୍ଟି ହଟେଇ ପର୍ସ ଭିତରୁ କଉଡି ତିନୋଟି ବାହାର କରି ଛାତ ଉପରୁ ବାଡି ପଛ ବଗିଚା ଆଡେ ଚାହିଁ ଦେଖିଲେ ମନ୍ଦାର ଗଛଟି ବେଶ୍ ନାଲି ନାଲି ଫୁଲରେ ଭର୍ତ୍ତି । ଅମର ବାବୁ ଅସମ୍ଭାଳ । ଆଉ ସମ୍ଭାଳି ନପାରି ତଳେ ଆଣ୍ଠେଇ ପଡି ଭୋ ଭୋ ରଡି କରି କାନ୍ଦିବାକୁ ଲାଗିଲେ । ଲୁହ ପୋଛିବାକୁ ପାଖରେ କିଏନାହିଁ । ଭୂଇଁ ଅଣ୍ଡାଳି ରଡି ଛାଡୁଥାନ୍ତି ପୁଣି ଗଡିଯାଉଥାନ୍ତି ଉର୍ମି ର ଶେଷ ସନ୍ତକ ସେଇ କଉଡି ତିନୋଟି ଛାତିରେ ଲଗେଇ । ବଡ କରୁଣ ଏ ଦୃଶ୍ଯ । ଠାକୁରାଣୀ ବିମାନଉଠିଲାଣି । ଜୟ ଜୟ ଶବ୍ଦ ଆଉ ଘଣ୍ଟ ଘଣ୍ଟା ବାଜା ମୃଦଙ୍ଗ ଶବ୍ଦ ରେ ଅମର ବାବୁଙ୍କ ବିକଟାଳ କାନ୍ଦ କୁଆଡେ ହଜିଯାଉଥାଏ ।


            


Rate this content
Log in

Similar oriya story from Inspirational