ଅଫେରା ଦିନ
ଅଫେରା ଦିନ
ଏବେ ବି ମୋର ମନେଅଛି ମାଟିଆ ମଲାଟ ମଡା ହୋଇଥିବା ସାହିତ୍ୟ ବହି ଭିତରେ ମୁଁ ମୟୂରପଙ୍ଖଟିଏ ରଖିଥିଲି।
ଥରେ ଶ୍ରେଣୀରେ ବସି ବହି ଖୋଲି ତାକୁ ଲୁଚେଇ ଲୁଚେଇ ଦେଖୁଥିବାବେଳେ ମୋର ଜଣେ ସହପାଠୀ ମୋତେ କହିଲା - ' ଦେଖିଲେ ମୟୂରପଙ୍ଖ ବଢେନି। '
ସେଇଦିନଠୁଁ ମୁଁ ଆଉ ବହି ଖୋଲି ତାକୁ ଦେଖୁ ନ ଥିଲି।ଭାବୁଥିଲି ବଢୁଥାଉ ସବୁଦିନ।ତା'ର ବଢ଼ିବାକୁ ନେଇ ମୋ ଭିତରେ ଗୋଟେ ଦୃଢ଼ ବିଶ୍ୱାସ ଆସି ଯାଇଥିଲା।
ସାରୁପତ୍ରରେ କଙ୍କି ଧରିବାକୁ ଭାରି ଭଲ ଲାଗୁଥିଲା।ବୁଲିବୁଲି ଧରୁଥିଲି।ହେଲେ ସେମାନଙ୍କୁ ଉଡ଼ାଇବାକୁ ଆଦୌ ଇଚ୍ଛା ହେଉ ନ ଥିଲା।ଥରେ ଦୁଇଟା ଡେମ୍ଫୂଣିଆ ସାରୁପତ୍ର ଆଙ୍ଗୁଳି ଫାଙ୍କରେ ଜାକି କଣି ବାଡ଼ରେ ବସିଥିବା ଦୁଇଟା କଙ୍କି ଏକାବେଳକେ ଧରିଥିଲି।ଓଃ!ମୋର କି ଖୁସି ସେତେବେଳେ!
ମୁଦା ସାରୁପତ୍ର ଖୋଲିବାକୁ ଆଦୌ ଇଚ୍ଛା ହେଉ ନ ଥିଲା।କଙ୍କି ଦୁଇଟା ଉଡ଼ିଯିବେ।ଏତିକିବେଳେ ମୋ ଜେଜେ ଆସି ମୋ ପାଖରେ ପହଞ୍ଚିଲେ।କହିଲେ - ' ଉଡ଼ାଇ ଦେ'।ନ ହେଲେ କଙ୍କି ଦୁଇଟା ମରିଯିବେ। '
ମୁଁ ମୁଣ୍ଡ ହଲେଇ ମୋର ଅନିଚ୍ଛା ପ୍ରକାଶ କଲି।
ସେ ପୁଣି କହିଲେ - ' କଙ୍କି ଦୁଇଟାକୁ ଯେବେ ଉଡ଼ାଇଦେବୁ ବଡ଼ ହେଲେ ତୁ ଆକାଶରେ ଉଡ଼ିବୁ। '
ଏହାପରେ ମୁଁ କଙ୍କି ଦୁଇଟାକୁ ଉଡ଼ାଇ ଦେଇଥିଲି।ସେଇ ଦିନଠାରୁ ମୋ ଭିତରେ ଗୋଟେ ବିଶ୍ୱାସ ଆସି ଯାଇଥିଲା ଯେ କଙ୍କି ଧରି ଉଡ଼ାଇଦେଲେ ମୁଁ ବଡ଼ ହେଲେ ଆକାଶରେ ଉଡ଼ିବି।ମୋର ଏ ବିଶ୍ୱାସ ମୋ ସହିତ ସବୁବେଳ ପାଇଁ ରହିଥିଲା।ଯେବେ ବି ମୁଁ ସାରୁପତ୍ରରେ କଙ୍କି ଧରୁଥିଲି ଉଡ଼ାଇ ଦେଉଥିଲି।
ଆମ ଘର ପାଖରେ ଜଣେ ବୁଢ଼ୀଲୋକ ଥିଲେ।ମୁଁ ତାଙ୍କୁ ଜେଜେମା' ଡାକୁଥିଲି।ଥରେ ପରୀକ୍ଷାକୁ ଗଲାବେଳେ ମୁଁ ତାଙ୍କରି ମୁହଁ ଚାହିଁ ଯାଇଥିଲି।ସେଦିନ ପରୀକ୍ଷାରେ ଖୁବ୍ ଭଲ କରିଥିଲି।ସେଇଦିନଠୁଁ ମୋ ଭିତରେ ଗୋଟେ ଦୃଢ଼ ବିଶ୍ବାସ ଆସି ଯାଇଥିଲା ଯେ ତାଙ୍କ ମୁହଁ ଚାହିଁ ଗଲେ ପରୀକ୍ଷାରେ ଭଲ ହେବ।ତା' ପରଠାରୁ ଯେବେ ବି ମୁଁ ପରୀକ୍ଷାକୁ ଯାଉଥିଲି ତାଙ୍କରି ମୁହଁ ଚାହିଁ ଯାଉଥିଲି।ସତକୁସତ ମୋର ପରୀକ୍ଷା ଖୁବ୍ ଭଲ ହେଉଥିଲା।
ସମୟ ହୋଇ ନ ଥିଲା, ହେଲେ ଦିନେ ବାପା ଚାଲିଗଲେ।ମୁଁ ଖୁବ୍ ଦୁଃଖୀ ହେଲି।ଦୁଃଖରେ ଦୁଃଖରେ କାନ୍ଦି ପକେଇଲି।
ଲୋକମାନେ ତାଙ୍କୁ ମଶାଣିକି ନେଇଗଲେ।ଘରୁ ଖୋଜି ଖୋଜି ତାଙ୍କର ସବୁ ଜିନିଷ ମଧ୍ୟ ସାଙ୍ଗରେ ନେଲେ।ମୋର ମନ କ'ଣ ହେଲା କେଜାଣି ସମସ୍ତଙ୍କୁ ଲୁଚେଇ ଲୁଚେଇ ଠାକୁରଘରେ ଥିବା ତାଙ୍କ ରୁଦ୍ରାକ୍ଷ ମାଳଟିକୁ ଲୁଚାଇ ଦେଲି।ତାଙ୍କର ସେଇ ରୁଦ୍ରାକ୍ଷ ମାଳଟି ପାଇଁ ସେ ଫେରିଆସିବେ - ଏମିତି ବିଶ୍ୱାସ କଲି।ମୋର ସଂପୂର୍ଣ୍ଣ ବିଶ୍ୱାସ ଥିଲା ଯେ ସେ ଫେରିବେ ଓ ତାଙ୍କର ସେଇ ରୁଦ୍ରାକ୍ଷ ମାଳଟିକୁ ବେକରେ ପକେଇ ପୁଣି ପୂଜାପାଠରେ ବସିବେ।
ବାପା ଫେରି ଆସୁ ନ ଥିଲେ।ହେଲେ ମୋର ଏ ବିଶ୍ୱାସଟି ମୋ ସହିତ ଯେମିତି ସେମିତି ରହିଥିଲା।
ପିଲାଦିନ ପିଲାଦିନ।ମୋ ପିଲାଦିନ ଏମିତି ଅନେକ ବିଶ୍ୱାସରେ ଢଳଢ଼ଳ।ଚିରକାଳ ଅଜର ଅମର।
ତାଳବରଡ଼ା ଚଟେଇ ଆଉ ଫାଳିକିଆ ମାଟି ସିଲଟର ସେଇ ଦିନ ସବୁ ଆଜି ବି ମୋ ଭିତରେ ସ୍ମୃତି ହୋଇ ରହିଛି।ଡାକ୍ତରଖାନା କାନ୍ଥରେ ନୂଆ କରି ଲେଖା ହୋଇଥିବା " ଆମେ ଦୁଇ ଆମର ଦୁଇ " ଓ ତା' ସହିତ ଥିବା ଛବି ଦେଖି ସ୍କୁଲ୍ ଫେରନ୍ତା ପାଦ ଅବୁଝା ଅବୁଝାରେ ଅନେକ ସମୟ ପାଇଁ ଅଟକି ରହୁଥିଲା।
ଏଇ ତ ପିଲାଦିନ!
ହେଲେ ଆଉ ସେଦିନ ନାହିଁ।ବହୁ ପଛରେ ମୁଁ ଛାଡ଼ି ଆସିଲିଣି ସେଇ ଦିନସବୁକୁ।ତଥାପି ଏଇ ପରିଣତ ବୟସରେ ବେଳେବେଳେ ମନେହୁଏ ଫେରି ଆସନ୍ତାକି ସେଇ ଦିନ ସବୁ ଆଉ ଥରେ।
ମୋ ଭାଗ୍ୟରେ ସେଇ ଦିନ ସବୁ ଯେ ଆଉ ଥରେ ଫେରିଆସିବ,ଏମିତି ବିଶ୍ୱାସ ମୋର କାହିଁକି ଆଜି ଆସୁନାହିଁ।କେହି କହିଲେ ବି ମୁଁ ବିଶ୍ବାସ କରିବିନି।ନା,ଜମାରୁ ନୁହେଁ।
ପିଲାଦିନ ଫେରେନାହିଁ।ଅଫେରା ସବୁବେଳେ।
ବହିଗଲା ପାଣି,ଗଡ଼ିଗଲା ସମୟ ଆଉ ଫେରେ କ'ଣ !
