ଅପା ! ଖାସ ତମ ପାଇଁ
ଅପା ! ଖାସ ତମ ପାଇଁ
ସ୍ନେହ ଟିକିଏ ପାଇଲେ ସାରା ଦୁନିଆଟା ନିଜର ହୋଇଯାଏ !
ରବି ସେମିତି ଟିକିଏ ସ୍ନେହ ପାଇଛି, ମଞ୍ଜରୀ ଅପାଙ୍କ ପାଖରୁ। ଏକଜିକ୍ୟୁଟିଭ୍ ଇଂଜିନିୟରଙ୍କ ଧର୍ମପତ୍ନୀ ମଞ୍ଜରୀ। ରବି, କାଜୁଆଲ୍ ୱର୍କର୍। ଡିପାର୍ଟମେଣ୍ଟ ତରଫରୁ କାମ କରିବାର ସୁଯୋଗ ପାଇଛି ମଞ୍ଜରୀଙ୍କ ଘରେ,ସହାୟକ ହିସାବରେ।
ଆନ୍ତରିକତା ଗଢି ଉଠିବା ପାଇଁ ବର୍ଷେ ଯଥେଷ୍ଟ। ରବି ଆଉ ମଞ୍ଜରୀ ଅତି ଘନିଷ୍ଠ।
ଅପା ଅପା ଡାକି ସବୁବେଳେ ଘୁରି ବୁଲେ ମଞ୍ଜରୀଙ୍କ ପଛେ ପଛେ। କହିବାକୁ ଗଲେ ଆସିଷ୍ଟାଣ୍ଟ ଠାରୁ କିଛି କମ ନୁହେଁ ! ମଞ୍ଜରୀ ଅପା ଝାଡୁ ଲଗାନ୍ତି, ପଛେ ପଛେ ରବି ପୋଛା ଲଗେଇ ଦିଏ। ଅପା ରୋଷେଇ ଘରେ ପଶିଲେ ଦ୍ଵାର ମୁହଁରେ ଯାଇ ଛିଡା ହୁଏ। ମଞ୍ଜରୀ ଅପା ଡ଼ାକ ଛାଡନ୍ତି। ଏଇଟା ଆଣ, ସେଇଟା କର, ରବି ବିଜୁଳୀ ବେଗରେ କାମ ସବୁ କରିଦିଏ। ସେଇଥି ପାଇଁ ଭାରି ପ୍ରିୟ ସେ ମଞ୍ଜରୀ ଅପାର।
ସାର କହନ୍ତି, ମଞ୍ଜରୀ ଙ୍କୁ ମେମ୍ ବୋଲି ଡାକିବୁ, ସେ କିନ୍ତୁ ଶୁଣେନି, ଅପା ଅପା ବୋଲି ସମ୍ବୋଧନ କରି ଆସିଛି ପ୍ରଥମ ଦିନରୁ। ପଚାଶ ଛୁଇଁଁବେ ମଞ୍ଜରୀ, ନିଜର ଭାଇ ନାହାନ୍ତି ବୋଲି କାହାଠୁ ଅପା ଡାକ ଶୁଣିଲେ ଭାରି ଖୁସି ହୋଇଯାନ୍ତି ସେ, ଛୋଟ ଭାଇର ସ୍ନେହ ଦିଅନ୍ତି ରବିକୁ।
ସତକୁ ସତ, ଥରେ ମେମ୍ ବୋଲି ଡାକି ଜିଭ କାମୁଡି ଦେଲା, ମଞ୍ଜରୀ ହସିଲେ। ରବି ଲାଜେଇଗଲା। ସେଇ ଦିନଠୁ କେବେ ଥରେ ମେମ ଡାକିବାକୁ ପସନ୍ଦ କରି ନାହିଁ ରବି। ଅପା ବୋଲି ଡାକେ ମଞ୍ଜରୀଙ୍କୁ। ଅପା ଡାକରେ ଗୋଟାଏ ଆତ୍ମୀୟତା ଥାଏ, ମେମ୍ ବୋଲି ଡାକିଲେ ଭୟ ବସା ବାନ୍ଧେ, ମନରୁ ମନ ର ଦୂରତା ବଢ଼ି ବଢ଼ି ଯାଏ।
ମଣିଷ ମନ ଟି କିଛି ନୁହେଁ, କୋମଳ ମାଂସ ପେଶୀର କମ୍ପନ ରୁ ଅଦ୍ଭୁତ ଗୋଟାଏ ଅଦୃଶ୍ୟ ସୃଷ୍ଟି, ସ୍ନେହ ଭରା ସ୍ପର୍ଶରେ ତରଳି ଯାଏ। ଦୁଇଟି ମଣିଷ ଭିତରେ ଭୌତିକ ସୀମାରେଖା ବିଲୁପ୍ତ ହୋଇଯାଏ, ମନ ଦୁଇଟି ଯୋଡ଼ି ହୋଇଯାନ୍ତି ମମତାର ଡୋରି ରେ, ସ୍ୱର୍ଗୀୟ ସମ୍ପର୍କ ଟିଏ ଜନ୍ମ ନିଏ। ଭାଇ ଓ ଭଉଣୀ।
-ଆରେ ରବି ! ତ ବୟସ କେତେ ?
-ବୋଉ କହୁଥିଲା କୋଡ଼ିଏ... ସତ କହିବାକୁ ଗଲେ ଅପା, ଏଇ ବର୍ଷ ପୁରିଲେ ମୋ ବୟସ ସତର ହେବ। ଅତି କମରେ ଅଠର ନ ହେଲେ ଏଇ ଚାକିରୀ ଟା ହେବନି ବୋଲି ବୋଉ କାଗଜ ପତ୍ରରେ ବୟସ ବଢେଇ ଦେଇଛି,
-କାହିଁକି ଅପା ?
-ନା, ଜଷ୍ଟ୍ ଏମିତି।
-ରବି, କାଲି ତୋ ଜନ୍ମ ଦିନ ପରା !! ଚାଲ ବଜାରକୁ ଯିବା। ଭାବୁଛି, କିଛି ଗୋଟାଏ କିଣିଦେବି ତୋ ପାଇଁ।
ଓଠ ଚାପି ହସିଲା ରବି।
ଏ ବର୍ଷ ଶୀତର ଭୀଷଣ ପ୍ରକୋପ, ଘର ପଛ ପଟେ ଆମ୍ବ କାଠ ଜାଳି ନିଆଁ ପାଖରେ ବସି ରବିକୁ ଥରୁଥିବାର ଦେଖିଛନ୍ତି ମଞ୍ଜରୀ ଅପା । ଚାଦରଟିଏ ଘୋଡି ହୋଇ ବସିଥାଏ ସବୁବେଳେ।
ଅତି ନିଜର କେହି ଜଣେ କଷ୍ଟ ପାଇଲେ ମନ ଭିତରେ ଅସ୍ଥିରତାର କେମିତି ଗୋଟାଏ ଅନୁଭବ ଜନ୍ମ ନିଏ, ହୃଦୟର କଠୋରତମ ଇଲାକାରେ ଅକସ୍ମାତ୍ ଭୂସ୍ଖଳନ ସମ୍ପୂର୍ଣ୍ଣ ଦେହକୁ ହଲେଇଦିଏ। ମଞ୍ଜରୀ ଆପାଙ୍କ ହୃଦୟ ଆଲୋଡ଼ିତ ହେଲା। ରବିର କଷ୍ଟ ସହି ପାରୁ ନ ଥିଲେ। ସାନ ଭାଇ ତ !
ସୁଏଟର ଟିଏ ଜନ୍ମଦିନରେ ଦେବେ ବୋଲି ମନସ୍ଥ କରିଛନ୍ତି ମଞ୍ଜରୀ ଅପା।
ହଜବେଣ୍ଡ ଅଫିସ୍ ଯିବା ପରେ ମଞ୍ଜରୀ ଅପା ରବି କୁ ନେଇ ବଜାରକୁ ଗଲେ। କିଛି ବି ମନକୁ ପାଉ ନ ଥାଏ। ଗୋଟାଏ ପରେ ଗୋଟାଏ ଦୋକାନକୁ ପଶୁଥାଆନ୍ତି ସେମାନେ। ଶେଷରେ ସୁଏଟର ଟିଏ ପସନ୍ଦ ହେଲା । ସାତ ଶହ ଟଙ୍କା।
ରବିର ଖୁସି କହିଲେ ନ ସରେ। ଅଚାନକ କାହାର ସ୍ନେହ ଭରା ସ୍ପର୍ଶ ପାଇଲେ ମଣିଷ ଟା ସମ୍ପୂର୍ଣ୍ଣ ତରଳି ଯାଏ। ଶୀତ ବି ଆପେ ଆପେ ବାଷ୍ପୀଭୂତ ହୋଇଯାଏ ଶରୀର ଭିତରୁ। ସ୍ନେହର ଆବରଣ ଖାଲି ଉଷ୍ମତା ଭରି ଦିଏନି, ସମ୍ପର୍କ ର ମନମୁଗ୍ଧକର ବାସ୍ନା ବି ନେସି ହୋଇଯାଏ ମନରୁ ମନ ପର୍ଯ୍ୟନ୍ତ।
ରବିବାର ମଞ୍ଜରୀ ଅପାଙ୍କ ଜନ୍ମଦିନ ବୋଲି ଜାଣି ପାରିଲା ରବି। ବୋଉଠାରୁ ପଇସା ନେଇ ମଞ୍ଜରୀ ଅପାଙ୍କ ପାଇଁ କିଛି କିଣିବାକୁ ଇଛା କରିଲା ସେ। ପ୍ଲାନ୍ ବନେଇଲା, ବୋଉ କୁ ଭେଟି କିଛି ପଇସା ଆଣିବ।
-ମୋତେ ଦୁଇ ଦିନ ଛୁଟି ଦିଅ, ଅପା ! ବୋଉ କୁ ସୁଏଟର ଦେଖେଇବି, ନୂଆ ସୁଏଟର ଦେଖିଲେ ଭାରି ଖୁସି ହେବ। ତା ପରେ ପିନ୍ଧିବି।
ଘରକୁ ଯିବା ପାଇଁ ବାହାନା ବନେଇଲା ରବି।
-ଠିକ୍ ଅଛି ! ତୁ ଯାଆ !! ରବିବାର କିନ୍ତୁ ମୋ ଜନ୍ମଦିନ। ନିଶ୍ଚୟ ଆସିବୁ।
ଘରେ ପହଞ୍ଚି ବୋଉକୁ ସୁଏଟର ଦେଖେଇଲା। ବୋଉ ଖୁସିରେ ବିଭୋର ହୋଇ ଉଠିଲା।
-ବୋଉ ! ଗୋଟାଏ କଥା କହିବି ! ପାଞ୍ଚ ଶହ ଟଙ୍କା ଦେ, ମଞ୍ଜରୀ ଅପା ଙ୍କ ପାଇଁ କିଛି ଗୋଟାଏ କିଣିବି, ତାଙ୍କ ଜନ୍ମ ଦିନ ଅଛି।
-ରବି, ତୋର ସବୁ ଦରମା ସାଉକାର ଆସି ନେଇଗଲା। ସୁଧ ସାଥିରେ ସବୁ ଶୁଝେଇ ଦେଇଛି, କିଏ ଶୁଣିବ କହିଲୁ ପ୍ରତିଦିନ, ତା ଗାଳି ଗୁଲଜ ! ଭାବିଲି, ଶୁଝିଦେଇ ଶାନ୍ତିରେ ଟିକେ ନିଃଶ୍ୱାସ ମାରିବି।
ବାକ୍ସ, ଲୁଗାପଟା ଭିତରେ ଖୋଜି ଖୋଜି ଦୁଇଶହ ଟଙ୍କା ପାଇଲେ ବୋଉ।
-ନା, ବୋଉ ଦୁଇ ଶହ ଟଙ୍କାରେ କଣ କିଛି ହେବ ! ତୁ ପୁଣି ଚଳିବୁ କେମିତି। ଦରମା ପାଇବାକୁ ଦଶଦିନ ବାକି ଅଛି।
ପଡିଶା ଘରୁ କିଛି ଧାର ଉଦ୍ଧାର ମାଗିଲା ବୋଉ, କେହି କିଛି ଦେଲେ ନାହିଁ।
ଆଜି ଅପାର ଜନ୍ମଦିନ। କିଛି ଉପାୟ ପାଉନି। ଗାଆଁ ସାଙ୍ଗକୁ ଫୋନ କଲା।
"ଠିକ୍ ଅଛି ,ଦେଖିବି। ଟିକିଏ ପରେ ଫୋନ୍ କର"। ସାଙ୍ଗ କହିଲା। ତା ପରେ ଯେତେ ଫୋନ୍ କଲେ ବି ସୁଇଚ୍ ଅଫ୍। ଏମିତି କେହି କଣ ସାହାଯ୍ୟ କରେ !!
ବୋଉ ! ଆସୁଛି କହି ବାହାରି ଗଲା ରବି। ମଞ୍ଜରୀ ଅପାଙ୍କ ଜନ୍ମଦିନ, ମିସ୍ କରିବ କେମିତି ବୁଝି ପାରୁ ନ ଥିଲା । କଣ
କରିବ ? କଣ ଦେବ ତାଙ୍କୁ ଜନ୍ମ ଦିନରେ ? ବୁଝି ପାରୁନି !
ରାସ୍ତା ଯେତେବେଳେ କଠିନ ଲାଗେ ସମାଧାନ ସମ୍ଭବତଃ ପାଖେ ପାଖେ ଘୁରୁଥାଏ। କାହା ପାଇଁ କିଛି କରିବାର ଇଛା ଓ ଅସଫଳତାର ସୂକ୍ଷ୍ମ ବ୍ୟବଧାନ ଭିତରେ ତ ସଫଳତା ଛୁପି ରହିଥାଏ। ଅତି ନିଜର କାହା ପାଇଁ କିଛି କରିବାର ଇଛା କଣ କେବେ ହାରିପାରେ !!!
ସିଧା ସହରକୁ ଯାଇ ସେଇ ଦୋକାନରେ ପହଞ୍ଚିଲା।
-ସାର୍, ଏଇ ସୁଏଟରଟା ଅପାଙ୍କୁ ପସନ୍ଦ ହେଲାନି। ସୁଏଟର ବଦଳରେ ଲେଡିଜ୍ ଶାଲଟିଏ ଦିଅ। ଦିଦି କହିଛନ୍ତି, କାହାକୁ ଗିଫ୍ଟ ଦେବେ, ପ୍ୟାକ୍ କରିଦିଅ।
ଦୋକାନୀ ବିଶ୍ବାସ କରିଲେ ରବିକୁ। ସମାନ ଦାମରେ ସୁନ୍ଦର ଶାଲଟିଏ ଗିଫ୍ଟ ପ୍ୟାକ କରି ବଢେଇ ଦେଲେ ରବିକୁ ସୁଏଟର ବଦଳରେ।
ଧୁମ୍ ଧାମ୍ ରେ ପାଳିତ ହେଲା ମଞ୍ଜରୀ ଅପା ଙ୍କ ଜନ୍ମ ଦିନ। ଘରୁ ନେଇ ଆସିଥାଏ ନୂଆ ସାର୍ଟ, ଅପା ଙ୍କ ଜନ୍ମ ଦିନରେ ପିନ୍ଧିବ। ଭାରି ସ୍ମାର୍ଟ ଲାଗୁଥିଲା ରବି। ଅନ୍ୟ ମାନଙ୍କ ସହ ଧାଡ଼ିରେ ଛିଡା ହୋଇ ଅପାଙ୍କୁ ବଢ଼େଇ ଦେଲା ତା ଉପହାର ଟି। ଉପରେ ଲେଖା ଥିଲା "ଅପା ! ଖାସ୍ ତମ ପାଇଁ..." ରବି ଠୁ ଉପହାର ଟିଏ ପାଇ, ମଞ୍ଜରୀ ଅପା ଖୁସିରେ ଗଦଗଦ ହୋଇଗଲେ ।
***
ସକାଳ ହେଲା
ରବି, ତୋ ସୁଏଟର !!!!
ଭାରି ଅଡ଼ୁଆରେ ପଡ଼ିଲା ରବି। ଆପା କିଛି ଜାଣି ଦେଲେ କି ? ମଞ୍ଜରୀ ଅପା ବିଲଟିକୁ ଦେଖେଇଲେ ରବିକୁ, ରବି ଅବାକ୍ ହୋଇ ଅପାକୁ ଅନେଇଲା !!!
ମଞ୍ଜରୀ ଅପାଙ୍କ ଆଖିରେ ଲୁହ, ସୀମା ଡେଇଁ ବୋହି ଆସିଲା କ୍ଷୀପ୍ର ଗତିରେ। ଆଖି ଆଗରେ ଅତି ଆପଣାର କେହି ଜଣେ ନିଃସହାୟ ହୋଇଗଲେ ମନଟା ହାରିଯାଏ। ତୁ ମୋ ସାନ ଭାଇ ଠୁ ବି ଅଧିକ ରବି !!! ତୋତେ ଦେଇଥିବା ସୁଏଟର କୁ ବଦଳେଇ ତୁ ମୋ ପାଇଁ ଶାଲ ନେଇ ଆସିଲୁ !!! କିନ୍ତୁ କାହିଁକି ?
ବହୁତ ପାଇଲି ତୋ ପାଖରୁ ରବି, ଯାହା ସମ୍ଭବତଃ କେହି କେବେ ପାଇ ନ ଥାଏ ନିଜ ଭାଇ ଠାରୁ ବି।
କୋଳେଇ ନେଲେ ରଵିକୁ....ମୋ ସାନ ଭାଇ ପରା !!! କଣ ଦେଇ ତ ଋଣ ଶୁଝିବି କହ.....