ଅନ୍ୟ ଏକ ମମତାଜ
ଅନ୍ୟ ଏକ ମମତାଜ
ଷାଠିଏ ବର୍ଷରେ ପୁଣି ଏକ ଅଦ୍ଭୁତ ମୋଡ଼ ଆସିଲା ମୋ ଜୀବନରେ।
******
ଏଗାର ବର୍ଷ ପରେ ପଣ୍ଡିଚେରୀ ମାଆଙ୍କ ଆଶ୍ରମରେ ଭକ୍ତ ମାନଙ୍କ କଥା ଦେଖା ରଖା କରୁଥାଏ।ହଠାତ୍ କେହି ଜଣେ ପଛରୁ ଆସି ମୋତେ ଜୋରେ କୁଣ୍ଢେଇ ପକେଇଲେ। ମୋ ବେକ ଓ ପିଠିରେ ତତଲା ଲୁହର ସ୍ପର୍ଶ।
କିଏ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି? ପୁଣି ଏଠି ? ଯେଉଁଠି ଜୀବନ ଓ ସଂସାର କେବଳ ମାଆ ମୟ !
ବୁଲି ଦେଖେତ ନିତ୍ୟା ସହ ଆଉ ଜଣେ ସୁନ୍ଦର ଶାନ୍ତ ଯୁବକ।
ନିତ୍ୟା !!! କହି ଛାତିରେ ନିବିଡ଼ ଭାବେ ଚାପି ଧରିଲି । ଅଭିମାନ ଓ ବାତ୍ସଲ୍ୟର ଦୁଇଟି ଧାରା ମୋ ଭିତରେ ସୁନାମି ଆଣିବାକୁ ଯଥେଷ୍ଟ ଥିଲା।
ତୁମେ ଏଠି !! ମାଆଙ୍କ ଦର୍ଶନ ପାଇଁ ଆସିଛ?
ହଁ ଏଇ ମାଆ କହି ମୋ ପାଦ ଛୁଇଁଲା ନିତ୍ୟା।
ବର୍ତ୍ତମାନ ଚଦର ଫିଙ୍ଗି ମୁଁ ପାଣି ପାଣି ହୋଇଯାଉଥିଲି।ପଚାରିଲି ସାର୍ ଓ ମାମ୍ ?
ନିତ୍ୟା ହୃଦୟର ଲମ୍ବା ଶ୍ବାସକ୍ରିୟାର ଡ଼ହକରେ ପୋଡି ଯାଉଥିଲେ ମୋ ସମଗ୍ର ସତ୍ତା ।
ମମ୍ ତୁମେ ଅନ୍ୟାୟ କଲ।ମୋତେ ଛାଡ଼ି ଆସିବା ଠିକ୍ ହେଲା? ସରିତା ମମ୍ ଜଣେ ମେଣ୍ଟାଲ ପେସେଣ୍ଟ କଣ କହିଲେ ବୋଲି ତୁମେ ଆମକୁ ଛାଡି ଦେଲ ? ସେ କଣ ଜାଣିଛନ୍ତି ତୁମ ପାଇଁ ମୁଁ ତାଙ୍କ ଝିଅ ଏବଂ ତାଙ୍କ ପତି ତୁମରି ପାଇଁ ବଞ୍ଚି ଛନ୍ତି। ସେ ତ ମେଣ୍ଟାଲ ହସ୍ପିଟାଲରେ ରହିଲେ କେମିତି ଜାଣିବେ ତୁମେ ମୋ ଡାଡ୍ ଙ୍କ ଦ୍ଵିତୀୟ ପତ୍ନୀ ମୋ ମାଆ ଯଶୋଦା ? କେତେ ଖୋଜିଛି ତୁମକୁ । ଘାଣ୍ଟି ସାରିଛି ପୁରା ଦେଶ । ଏ ନିଶାନ୍ତ ମୋ ବଏ ଫ୍ରେଣ୍ଡ୍ ତୁମକୁ ଖୋଜିବାରେ ଆମେ ଆମ ଖୁସିର ଏଗାର ବର୍ଷ ଖର୍ଚ୍ଚ କରି ଦେଇଛୁ। ସେ ଓ ମୁଁ ଇଞ୍ଜିନିୟର ।ଆମେ ବିବାହ କରିନୁ। ମୋର ସର୍ତ୍ତ ଥିଲା ମମତା ମମ୍ ଙ୍କୁ ନ ପାଇଲେ ଆଜୀବନ ଅନ୍ ମ୍ୟାରେଡ଼ ରହିଯିବି।
ନିତ୍ୟା!! ଏ କି ପାଗଳାମି ? ମୋ ପାଇଁ ତୁମର ଏ କି ତ୍ୟାଗ !
ପାଗଳ କରି ମୋତେ ଓ ମୋ ଡାଡ୍ ଙ୍କୁ ଛାଡି ଦେଇ ଆସିବା କେତେଦୂର ଯଥାର୍ଥ ମମ୍ ? କେମିତି ଆସି ପାରିଲ ? ତୁମେ ଆମ ବାପ ଝିଅଙ୍କର ଜୀବନ ହୋଇ ଯାଇଥିଲ ନା ?
କି ଉତ୍ତର ଥିଲା ମୋ ପାଖେ ? ବେହେଡା ଦାନ୍ତ ମୁହଁକୁ ଅସୁନ୍ଦର କରିବା ପୂର୍ବରୁ ତାକୁ ଉପାଡି ଫିଙ୍ଗିବାକୁ ପଡ଼ିଥାଏ। ସରିତା ମାମ୍ ଙ୍କ ଅଧିକାର ଛଡେଇ ଆଣିବା କଣ ଠିକ୍ ଥିଲା ? ବଜାରୁଣୀ ଶବ୍ଦଟି ମୋ ପାଇଁ ବ୍ରହ୍ମାସ୍ତ୍ରଟିଏ ଥିଲା। ସେଥିରେ ମମତା ମରିବା ଅନିର୍ବାଯ୍ୟ। ଏଣୁ ଦୁରେଇ ଆସି ଶ୍ରୀମା ଅରବିନ୍ଦଙ୍କ ଶରଣ ନେଲି ବାକି ଜୀବନ ଶାନ୍ତିରେ କାଟିବା ପାଇଁ ।
ମମ୍ ଥରେ କହିଥିଲି ତୁମକୁ ଏତେ ଭଲ ହୁଅ ନାହିଁ। ଭଲ ଲୋକଙ୍କ ପାଇଁ ଏ ପୃଥିବୀରେ ଜାଗା ନ ଥାଏ ମମ୍।
ଭୁଲ୍ ନିତ୍ୟା। ଭଲ ଯୁଗେ ଯୁଗେ ଭଲ ଥିଲା ଅଛି ଓ ରହିବ। ଭଲ ପାଇଁ ସବୁବେଳେ ପୁରସ୍କାର ଥାଏ ରେ ମାଆ।
ପୁରସ୍କାର ! ପୁରସ୍କାର ତୁମର ଏଇ ଜୀବନ ମମ୍ ?
ଖୁବ୍ ଖୁସି ଅଛି ଏ ଜୀବନରେ । ତୁମେ ବୁଝି ପାରିବ ନାହିଁ ମାଆଙ୍କ ଆଶୟରେ ଜୀବନର କି ସୁଖ ଗଚ୍ଛିତ ଅଛି?
ବୁଝିବା ଆବଶ୍ୟକ ନାହିଁ ମମ୍ । ମୁଁ ଏତିକି ଜାଣିଛି ତୁମ ମାଆ ମୋତେ ମୋ ମମତା ମମ୍ ଙ୍କ ଠାରୁ ଏଗାର ବର୍ଷ ଦୁରେଇ ରଖିଲେ। କିନ୍ତୁ କାହିଁକି ମମ୍ ? ମୋର ଦୋଷ କଣ ଥିଲା ? ମମ୍ ଖୁସି ମୋ ଭାଗ୍ୟରେ ତୁମରି ଏଇ ମାଆ କଣ ଲେଖି ନ ଥିଲେ ? ପଚାରିବ ଥରେ ତୁମ ମାଆକୁ ମମ୍ ?
ନିତ୍ୟା ! ସମୟ ଉପରେ କାହାର ହାତ ନାହିଁ । ଏହାହିଁ ଘଟିବାର ଥିଲା ଯାହା ଘଟିଲା।ଏବେ କୁହ ସାର୍ କେମିତି ଅଛନ୍ତି ? ସେ ଭଲ ଅଛନ୍ତି ତ ?
ମମ୍ ! ଶରୀର ଭିତରେ ହାର୍ଟ ନଥିଲେ ଯେମିତି। ଏଇ ଦେଖ ସେ ଗଛ ତଳେ ଚେୟାର ଉପରେ ଯେଉଁ ମଣିଷ ଟି ବସିଛନ୍ତି ସେଇ ତୁମ ସାର୍ ମୋ ଡାଡ୍। ଡାଡ୍ ସରିତା ମମ୍ ଙ୍କୁ ତୁମ ବିଷୟରେ ସବୁ ସତ ସତ କହି ଦେଲେ।ସରିତା ମାମ୍ ଖୁ ପଶ୍ଚାତାପ କଲେ ତୁମ ନିରୁଦ୍ଦିଷ୍ଟ ହେବା ଜାଣି। ସେ ବି ଚାହୁଁଥିଲେ ତୁମ ଠାରୁ କ୍ଷମା ମାଗିବାକୁ।
ଆସ୍ତେ ଆସ୍ତେ ସରିତା ମମ୍ ଙ୍କ ଦେହ ବିଗୁଡୁଥିଲା। ତୁମେ ଆସିବାର ଏଗାର ମାସ ପରେ ସେ ମରି ଗଲେ ।ଡାଡ୍ ତୁମେ ନିରୁଦ୍ଦିଷ୍ଟ ହେବା ଦିନୁ ଜୀଅନ୍ତା ଶବ।ସବୁବେଳେ ଗୋଟିଏ ପ୍ରଶ୍ନ,ମମତାର ଖବର କିଛି ମିଳିଲା ?
ମମତା ମମ୍ ! ଏସବୁ ଘଟଣା ଘଟିବାରେ କାହାର ଲାଭ କି କ୍ଷତି ହେଲା ମୁଁ ଜାଣିନି, ଜାଣିବା ଲୋଡ଼ା ନାହିଁ।କିନ୍ତୁ ବହୁତି କ୍ଷତି ହେଲା ମୋର ତୁମ ଗୁଡ୍ ଗାର୍ଲ ନିତ୍ୟା ର କେବଳ।
ବଡ଼ ମାନଙ୍କ ମନୋମାଳିନ୍ୟ ଭିତରେ ଚାପି ହୋଇ ଯାଆନ୍ତି ମୋ ପରି ପିଲା ମାନେ କାହିଁକି ମମ୍ ?
ଜାଣିଛ ପାଗଳ ପରି ହୋଇ ମୋ ଡାଡ୍ ସବୁବେଳେ କୁହନ୍ତି " ମମତା ତୁମେ ଅନ୍ୟାୟ କଲ। ମୋତେ ଏତେ ଭଲ ପାଉଥିଲ ତ କେମିତି ଏକା କରି ଛାଡି କୁଆଡେ ଚାଲିଗଲ ? ଫେରି ଆସ ମମତା ,ଫେରି ଆସ।"
ଚିହ୍ନି ହେଉ ନଥିଲା ସାର୍ ଙ୍କୁ। ହୃଷ୍ଟ ପୃଷ୍ଟ ହିରୋ ପରି ଚେହେରା ବହିର ଛପା ଛବି ମଣିଷ ପରି ଦିଶୁଥିଲେ।ଅପେକ୍ଷା ସହି ହେଲା ନାହିଁ। କାହାକୁ ଦେଖୁଛି ପୁଣି କେଉଁ ଅବସ୍ଥାରେ ? ଏ ନଷ୍ଟ ଚରିତ୍ରା ଜୀବନର ଚିର ଇପ୍ସିତ ମଣିଷଟି ଆଖି ଆଗରେ ଏମିତି ରୂପରେ ଭେଟିବି ମୋ କଳ୍ପନାତୀତ ଥିଲା ।ଦଉଡ଼ି ଯାଇ ଆଣ୍ଠେଇ ପଡ଼ି ଚେୟାର ସହ ମାଡି ବସିଲି ସାର୍ ଙ୍କୁ ।ଆମ ଦୁହିଁଙ୍କ ଅଭିମାନ ଓ ଅଭିଯୋଗ ପରସ୍ପରକୁ ଲୁହ ହୋଇ ବୁଝାଉଥିଲା ।
ଷାଠିଏ ବର୍ଷରେ ପୁଣି ଏକ ଅଦ୍ଭୁତ ମୋଡ଼ ଆସିଲା ମୋ ଜୀବନରେ।
ସାର୍ ଙ୍କୁ ନେଇ ବାକି ଜୀବନ ମାଆଙ୍କ ଶରଣରେ ଉତ୍ସର୍ଗ କରି ଦେଲି ନିତ୍ୟାକୁ କନକ ଆଞ୍ଜୁଳି ସହ ଭୁବନେଶ୍ୱରକୁ ବିଦା କରି।