ଅନୁଭୂତି ର ଇନ୍ଦ୍ରଧନୁ
ଅନୁଭୂତି ର ଇନ୍ଦ୍ରଧନୁ
ଆମ ଗାଆଁରେ ଯନ୍ତାଳ ଚାଲିଥାଏ । ଯନ୍ତାଳ ମାନେ ଗାଆଁ ଠାକୁରାଣୀଙ୍କ ମନ୍ଦିରରେ ପୂଜା ପାର୍ବଣ । ଭୋଜି ମାତ୍ର ଆମର । ସମସ୍ତେ ଠାକୁରାଣୀଙ୍କ ପାଖେ ଖାଇବୁ । ଯେଉଁମାନେ ସହରରେ ଅଛନ୍ତି ସମସ୍ତେ ଆସନ୍ତି । ଠାକୁରାଣୀଙ୍କ ଝୁଣା ଗାଆଁର ସମସ୍ତିଙ୍କର ଘରେ ବୁଲାଯାଏ । ଗାଆଁରେ ସମସ୍ତଙ୍କର ଗୋରୁଗାଈ ରଖିଥାନ୍ତି । ଗୁରୁବାର ସକାଳୁ ସକାଳୁ କାହା ଦୁଆର ମୁହଁରେ ଠିଆ ହେବେ ଗୋବର ଟିକେ ପାଇଁ । ସମସ୍ତଙ୍କର ମାଟି ଘର । ଗୁରୁବାର ଗୋବରରେ ଲିପା ପୋଛା ହେବ । ଯନ୍ତାଳ ଦିନ ଠାକୁରାଣୀଙ୍କ ଝୁଣା ସମସ୍ତଙ୍କ ଗୁହାଳରେ ବୁଲା ହେଲେ ଗୋରୁ ଗାଈମାନଙ୍କୁ ରୋଗ ବ୍ୟାଧି କିଛି ହେବନି । ଗାଆଁରେ ଗାଈ ଗୋରୁ, ମେଣ୍ଢା, କୁକୁର, ବିରାଡ଼ି ସମସ୍ତଙ୍କର ବାସ । ଗୋଧି, ସାପ, ବେଙ୍ଗ, ମୂଷା ଚୁଚୁନ୍ଦ୍ରାଙ୍କର ବି ଗାଆଁ । କୋଉ ରକମର ସାପ ନାହାନ୍ତି କହିଲେ ହବ । ବର୍ଷା ଦିନରେ ଭାରି ଡର । ଆମେ ପୋଖରୀକୁ ଗାଧୋଇ ଗଲାବେଳେ ଗୋଧି ଦେଖୁ । ରାତିରେ ମାଣ୍ଟୁ ଉପରେ ଶାଳିଆପତନି ନାଟ ତାମସା କରନ୍ତି । ଗୋଧି ବି ଦେଖିଲେ ଡର ମାଡ଼େ । ଗାଆଁରେ କୁହନ୍ତି ଗୋଧି କାମୁଡିଲେ ସାତଟା ଘଡଘଡି ମାରିଲେ ଲୋକଟା ବଞ୍ଚିବ । ନହେଲେ ମରିଯିବ । ଯଦି ବର୍ଷା ଦିନ ନ ହୋଇ ଥିବ ଘଡଘଡି କେମିତି ମାରିବ ଅଦିନରେ ବର୍ଷା ନ ଥାଇ ଘଡଘଡି ଆଶ୍ଚର୍ଯ୍ୟ ଲାଗୁନି ଶୁଣିଲେ । ଗୋଧି ଭାରି ଭୟଙ୍କର ଜନ୍ତୁ । ସଂଧ୍ୟା ବେଳକୁ ଆମେ ସବୁ ଗାଆଁ ଟା ଯାକର ଛୁଆ ମନ୍ଦିର ବେଢ଼ାରେ । ପାଳିରେ ଝୁଣା ସମସ୍ତଙ୍କ ଘର ଯିବ । ତାପରେ ଯାଇ ଖିଆ ପିଆ । ଯାହା ଘରକୁ ଆଗ ଝୁଣା ଯିବ ତା ମନ କୁଣ୍ଢେ ମୋଟ । ଆମ ଘରକୁ ଆଗ ଆସିଲା । ବିଜୁଳି ଆଲୁଅ ବି ନାହିଁ । ଅନ୍ଧାରରେ ଆମେ ସବୁ ଛୁଆ ସମସ୍ତଙ୍କ ଘର ବୁଲୁଛୁ । ଦୀପ ନିଆଁରେ ଯାହା ଟିକେ ଟିକେ ରାସ୍ତା ଦିଶୁଛି । ଚାରିଆଡେ ଅରମାରେ ଭର୍ତ୍ତି । ଆମ ଘର ପାଖ ମାମୁଁ ଘରକୁ ଯେମିତି ଝୁଣା ପଲମ ପହଞ୍ଚିଛି ମୁଁ ଦଉଡିକି ଆମ ଘରକୁ ଆସିଲି ମାଆକୁ କହିବାକୁ । ଅନ୍ଧାରରେ ମୁଁ ଦଉଡିଚି । ଅରମାରେ କୋଉଠି ଗୋଧିଟା ଥିଲା ମୁଁ ଦେଖିନି । ମୋ ପଛେ ପଛେ ଗୋଧି ସେଁ ସାଇଁ ହୋଇ ଦଉଡିଚି । ଭାଗ୍ୟ ଭଲ ଆମ ଦାଣ୍ଡ କବାଟ ମାଆ ଖୋଲା ରଖିଥିଲା ଠାକୁରାଣୀଙ୍କ ଝୁଣା ଆସିବ ଘରକୁ ବୋଲି
ସେ ଗୋଧି ମୋ ପଛେ ପଛେ ଦଉଡିକି ବାରି ଲଂଘାରେ କବାଟ ପାଖକୁ ଆଉଜି ଯାଇଚି । ସେ ବି ଅନ୍ଧାରରେ ଦେଖିନି । ସମସ୍ତଙ୍କର ମରିବାକୁ ଡର । ମୋ ଦଉଡିବା ଶଦ୍ଧରେ ସେ ଡରି ଯାଇଚି । ବାଡି କବାଟ ବନ୍ଦ ଥିଲା ନା । ବାପା ମୋ ପଛରେ ଆସୁଥିଲେ । କ'ଣ ଗୋଟେ ମୋ ପଛରେ ଶଦ୍ଦ କରି ଗଲା ବୋଲି ବାପା ଟର୍ଚ୍ଚ ମାରିଲେ । ମସ୍ତବଡ ଗୋଧିଟେ । ଆଉ ଟିକେକରେ ଗୋଧି କାମୁଡି ଥାଆନ୍ତା । ମାଆ ଠାକୁରାଣୀ ରକ୍ଷା କରିଦେଲେ । ମାଆ ମୁଣ୍ଡିଆଟେ ମାରି ଗ୍ରାମ ଦେବୀଙ୍କୁ ମାନସିକ ଯାଚିଲା । ବାପାଙ୍କୁ କହିଲା ତା'ର ବେଳ ଭଲ ନାହିଁ ସେ ଅନ୍ଧାରରେ ନ ଯାଉ କୁଆଡେ । ତା ପାଇଁ ଖାଇବା ନେଇ ଆସିବ । ଗୋଧିକୁ ବାଡେଇ ମାରିଦେଲେ । ଗୋଧିଟା ବିଚରା ମୋ ପାଇଁ ଜୀବନ ଦେଲା

