ABhimanyu Panda

Tragedy

3.8  

ABhimanyu Panda

Tragedy

ଅନିମନ୍ତ୍ର

ଅନିମନ୍ତ୍ର

7 mins
573



ଏ ସ୍ମାର୍ଟଫୋନ ଯୁଗରେ ଡାକ ପିଅନ ମହେଶ୍ୱର ସକାଳୁ ସକାଳୁ ଆସି ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଗନ ବାବୁଙ୍କ ଦୁଆରେ ଚିଲା ପକେଇଛି । ଦିଲ୍ଲୀରୁ ରେଜେଷ୍ଟ୍ରି ଚିଠି ଆସିଛି ତାଙ୍କ ନାଁରେ । ଡାକପିଅନର ଡାକଶୁଣି ଚା କପକୁ ତଳେ ଥୋଇ ଗଗନ ବାବୁ ବାହାରି ଆସିଲେ ଘରୁ ମନରେ ଅନେକ ପ୍ରଶ୍ନ ନେଇ । କଣ ଏତେଦିନେ ମୋ ପରିଶ୍ରମ ଦେଖାଗଲା ସରକାରଙ୍କୁ !? ରାଷ୍ଟ୍ରପତି ପୁରସ୍କାର ପାଇଁ ବୋଧେ ମୁଁ ମନୋନୀତ ହେଇଛି ଅବସର ଗ୍ରହଣ ପରେ ନା କଣ !? ଡାକ ପିଅନ କାଗଜରେ ଦସ୍ତଖତ ନେଇ ରେଜିଷ୍ଟ୍ରି ଖଣ୍ଡକ ବଢ଼େଇଦେଲା ଗଗନ ବାବୁଙ୍କ ହାତକୁ । 


ଚିଠିଟିକୁ ବାରମ୍ବାର ଓଲଟ ପାଲଟ କରି ସେଥିରେ ରାଷ୍ଟ୍ରପତି ଭବନର ଠିକଣା ନଦେଖି ଗଗନ ବାବୁ ବେମନସ୍ୟ ହେଇ ଚିଠିଟିକୁ ହାତରେ ଧରି ଡାକପକେଇଲେ ନାତୁଣୀ ନିଲୁକୁ , ନିଲୁ.......ନିଲୁ......ଆଲୋ କୁଆଡ଼େ ମରିଗଲୁ କିଲୋ ? କଉ ଗେରସ୍ତ ସେବାରେ ଲାଗିଛୁକି ? 

ଜେଜେଙ୍କ ଡାକ ଶୁଣି ନିଳୀମା ଘରୁ ବାହାରି ଆସି କାଇଁ ଏମିତି ଚିଲଉଛ ଜେଜେ ? କଣ ହେଇଛି ? ଆରେ ଏ ଚିଠିଟା କିଏ ପଠେଇଛି କଣ ଲେଖିଛି ଟିକେ ପଢ଼ି କହିଲୁ ହଉ ଜେଜେ ଦିଅ । ଚିଠିଟି ଖୋଲି ଚିଠିର ପ୍ରଥମ ଧାଡ଼ିଟି ଦେଖିଲା ପରେ ନିଳୀମାର ଉତ୍କଣ୍ଠାର ସୀମା ରହିଲାନାହିଁ । ସେଥିରେ ଲେଖାଥିଲା - "ଆପଣଙ୍କୁ" ନା ନା ତୁମକୁ ଅନୁରୋଧ କରୁଛି ଚିଠିଟିକୁ ସମ୍ପୂର୍ଣ୍ଣ ପଢ଼ିବାକୁ ,

........ପ୍ରଥମ ଧାଡ଼ିରେ ହିଁ ଲୁକ୍କାୟିତ ପ୍ରଶ୍ନ କିଏସେ ଏ !? ସୁନ୍ଦରିଆ ଓଡ଼ିଆ ଅକ୍ଷରରେ ଲେଖା ହେଇଛି । ତାପରେ


                             ୨୦/୧୧/୨୦୧୮

                              ନୂଆ ଦିଲ୍ଲୀ


ମୋ ଉପରେ ବିନା ଦୋଷରେ ରାଗିଥିବା ମୋର

 ଅତିପ୍ରିୟ 

  ଜେଜେ ...

ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ । ତୁମେ ମୋତେ କେବେ ଦେଖିନ କି ଜାଣିନ ହେଲେ ମୁଁ ତୁମକୁ ସବୁଦିନ ଦେଖୁଛି କେବେ ତୁମର ଫଟରେ ତ କେବେ ଅନ୍ୟମାନଙ୍କୁ ଦେଖି କଳ୍ପନାରେ । ଜେଜେ ମୋ ବାପା ମାନେ ତୁମର ବଡ଼ପୁଅ ଜଣେ ଅଣଓଡ଼ିଆଣୀଙ୍କୁ ପ୍ରେମ ବିବାହ କଲେ ସେଥିରେ ମୋର କଣ ଦୋଷ !!? ଜଣେ ବାପା ଆଉ ଜଣେ ଆଦର୍ଶ ମଣିଷ ହିସାବରେ ଆପଣ ଆପଣଙ୍କ ଜାଗାରେ ଠିକ ଅଛନ୍ତି । କିନ୍ତୁ ଏଇଠି ଆପଣଙ୍କ ବୁଝିବାରେ ଟିକେ ଭୁଲ ରହିଗଲା । ଜେଜେ ସଂସ୍କାରୀ ବ୍ରାହ୍ମଣ କଣ ଖାଲି ଓଡ଼ିଶାରେ ଅଛନ୍ତି !? ମୋ ବାପା ବି ବ୍ରାହ୍ମଣ ଆଉ ବୋଉ ବି ମୋର ବାରଣାସୀର ବ୍ରାହ୍ମଣ । 


ଜାଣିଛ ଜେଜେ ମୋ ବୋଉ ଏବେ ସମ୍ପୂର୍ଣ୍ଣ ଓଡ଼ିଆଣୀ ତମେ ସିନା ଦେଖିନ ହେଲେ ସେ ନିଜକୁ ପୁରା ଓଡ଼ିଆଣୀ ରଙ୍ଗରେ ରଙ୍ଗେଇ ଦେଇଛି ନହେଲେ ଆଜିକାଲିକା ପିଲା ହେଇବି ମୁଁ କଣ ବୋଉ ଲେଖିଥାନ୍ତି । ମୋ ବାପା ମାନେ ତୁମ ବଡ଼ପୁଅ ,କଣ କହିବି ତାଙ୍କ କଥା ,ଏମିତି ଗୋଟେ ଦିନ ବିତିନି ଯେଉଁଦିନ ସେ ତୁମ କଥା କୁହନ୍ତିନି ,। କେବେକେବେ ତ ତୁମ କଥା ଭାବିଭାବି ବୋଉ କାନ୍ଧରେ ମୁଣ୍ଡରଖି କୁନିପିଲାଟି ପରି କାନ୍ଦିବାର ଦେଖି ମୁଁ ଧୈଯ୍ୟହରା ହେଇଯାଇଛି । ତୁମର ସେ କଥା କେଇପଦ ମୋ ବାପାଙ୍କୁ ବଞ୍ଚି ଥାଉଥାଉ ମାରିଦେଇଛି । ବାପା କୁହନ୍ତି ତୁମେ କେବେବି ଆଉ ତାଙ୍କ ମୁହଁ ଚାହିଁବନି । ଯଦି ସେ ତୁମ ସାମ୍ନାକୁ ଆସନ୍ତି ତାହେଲେ ତୁମର ମଲା ମୁହଁ ଦେଖିବେ । ପ୍ରାୟ ପଚିଶ ବର୍ଷ ହେଇଗଲାଣି ସେ କେବେବି ତୁମ ସାମ୍ନାକୁ ଆସିବାର ସାହାସ କରିପାରିନାହାନ୍ତି । ସେବି ତ ତୁମରି ରକ୍ତ । କେମିତି ଆସିବେ । ମୋ ବୋଉ ବିଷୟରେ କିଛି କହୁଛି ଶୁଣ ।


. ଜେଜେ ତୁମେ ଗ୍ରହଣ ନକଲେବି ମୋ ବୋଉ ତୁମ ଘରର ବଡ଼ବୋହୁ । ସେ ଗୁରୁବାର ମାଣବସା ଗୁରୁବାର ଓଷା , ଶୁଦଶା ବ୍ରତ , ବ୍ରାହ୍ମଣ ଘର ଓଷା ସାବିତ୍ରୀ ଆଉ ବାର ମାଶାରେ ତେର ବ୍ରତ ସବୁ ରୀତିମତ ଭାବେ ପାଳନ କରୁଛି । ଓଷାର ନିର୍ଦିଷ୍ଟ ବହି ସେ ନିଜେ ପଢ଼େ । ଭାବୁଥିବ ଅଣଓଡ଼ିଆ ହେଇ ସେ ଏ ସବୁ କେମିତି ଶିଖିଲା !? ଜେଜେ ସେ ପୁରା ଓଡ଼ିଆ ରଙ୍ଗରେ ରଙ୍ଗେଇ ହେଇଯାଇଛି । ଇଛାଥିଲେ କିଛି ଅସମ୍ଭବ ନୁହେଁ ଜେଜେ । ସେ ଓଡ଼ିଆ ଶିକ୍ଷକ ରଖି ନିଜେ ଓଡ଼ିଆ ପଢ଼ିଛି ଆଉ ଆମେ ଭାଇଭଉଣୀ ଦୁହିଁଙ୍କୁ ଇଂଲିଶ ମିଡିଅମରେ ପାଠ ପଢେଇ ମଧ୍ୟ ପୁରା ଓଡ଼ିଆ ରଙ୍ଗରେ ରଙ୍ଗେଇ ଦେଇଛି । ଆମକୁ ସେ ନିଜେ ଓଡ଼ିଆ ପଢ଼େଇଛି । କେତେଯେ ବେତ ପାହାର ଖାଇଛୁ ଆମେ ଭାଇ ଭଉଣୀ ଦୁହେଁ ଓଡ଼ିଆ ଶିଖିବା ପାଇଁ ତୁମେ କଳ୍ପନା କରିପାରିବନି । ଜାଣିଛ ଜେଜେ ମୋ ବୋଉ ଓଡ଼ିଆ ଭାଗବତ , ମହାଭାରତ , ରାମାୟଣ , ବୈଦେହୀଶ ବିଳାସ , ବିଦଗ୍ଧ ଚିନ୍ତାମଣି ଆହୁରି କେତେ ଓଡ଼ିଆ ଔପନାସିକଙ୍କର ଉପନ୍ୟାସ ସବୁ ସଜେଇ ରଖି ପଢ଼ୁଛି ନିଜେ ପଢ଼ି ଆମକୁ ବି ସବୁ ପଢ଼େଇଛି । ଏ ସବୁ କେବେଳ ତୁମ ଆଶୀର୍ବାଦ ଟିକେ ପାଇବା ଆଶାରେ ଜେଜେ । 


ଏ ଫେସବୁକରେ ପ୍ରାୟ ସବୁ ଗାଳ୍ପିକ କବି ଲେଖକ/ଲେଖିକାଙ୍କ ଲେଖା ସବୁ ମୋ ବୋଉ ପଢ଼ି ଆମ ଭାଇଭଉଣୀ ମାନଙ୍କୁ ଶୁଣାଏ ।ପ୍ରମିଳା ପତି , ହରେକୃଷ୍ଣ ସାହୁ , ଚିନ୍ମୟୀ ବାରିକ , ଅମୀୟ ବେଜ , ନର୍ମଦା ସାହୁ , ସଚ୍ଚିଦାନନ୍ଦ ବାବୁ ,  , ସୁବଳ ମହାପାତ୍ର ଆହୁରି ଅନେକ ,ସମସ୍ତଙ୍କ ଲେଖା ସବୁ ନିଜେ ପଢ଼ି ଆମକୁ ପଢ଼ିବାକୁ କୁହେ । ଆହୁରି ପ୍ରଶାନ୍ତ ଦାଶଙ୍କ ଭାବ ସୃଜନ , ଅଶୋକ ଭୂୟାଁଙ୍କ ଜ୍ଞାନ ପୂର୍ଣ ଆଉ ଦୁଷ୍ମନ୍ତ ବାବୁଙ୍କର ଶାସ୍ତ୍ର ଉଧୃତ ଲେଖା ସବୁ ତା ସାଙ୍ଗକୁ ମିତା ପଟ୍ଟନାୟକଙ୍କ ଆଧୁନିକ ଲେଖା ସବୁ । ଆଉ ତାସାଙ୍ଗକୁ ଅଭୟ ସାମଲଙ୍କ ଚମତ୍କାର ଏକପଦୀ । ଏ ସବୁର ଗୋଟିଏ କାରଣ । 


ଯେବେବି ସମୟ ଆସିବ ତମେ ଭାବିଥିବା ତମର ଓଡ଼ିଆ ବୋହୁ ଆଉ ନାତୁଣୀଙ୍କୁ ପାଇପାରିବ । ହେଲେ ଜେଜେ ତୁମେତ ତୁମ ମନରୁ ଆମକୁ ପୁରା ପୋଛିଦେଇଛ । ଭୁଲିଯାଇଛ ତୁମର ଆଉ ଗୋଟିଏ ସଂସାର ଅଛି ବୋଲି । 

.....ଜେଜେ ମୋ ବାପା ବୋଉଙ୍କର ମୁଣ୍ଡରେ ଚୁଟି ସବୁ ପାଚିଗଲାଣି । ଏ ବୟସରେ ବି ସେମାନେ ତମକୁ ଝୁରୁଛନ୍ତି । ତମର ଏତେ ଜିଦିର କାରଣ ମୁଁ ବୁଝିପାରୁନି ଜେଜେ । ଜେଜେ ମୋର ତିନିଜଣ କକେଇ ଅଛନ୍ତି କେବେଳ ତୁମରି ପାଇଁ ମୁଁ ସେମାନଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହେଇଗଲି । ମୁଁ ସେ ଘରର ତୃତୀୟ ପିଢ଼ିର ବଡ଼ପୁଅ । ମୋ ପାଖରେ ଥିବା କୁନିପରୀ ଭଳି ଭଉଣୀଟିଏ ପରି ଆହୁରି ସାତଜଣ ଭାଇ ଭଉଣୀ ଅଛନ୍ତି ମୋର । ତୁମର ଜିଦିପାଇଁ ମୁଁ ସେମାନଙ୍କ ବିଷୟରେ ଅଜ୍ଞ । ଭାବୁଥିବ ମୋ ବୋଉ ଯଦି ମୋତେ ଓଡ଼ିଆ ଶିଖେଇଛି ତାହେଲେ ମୁଁ ଆପଣ ନକହି ତୁମେ କାହିଁକି କହୁଛି । 


.ଜେଜେ ମଝିଆଁ କକେଇଙ୍କ ଝିଅ ମୋ ଗେହ୍ଲା ଭଉଣୀ ନିଳିମା କହୁଥିଲା ଘରେ ସମସ୍ତେ ତୁମେ ବୋଲି ଡାକନ୍ତି ତୁମକୁ । ମୋ କଥାଶୁଣି ତୁମେ ନିଳିମାକୁ ଗାଳି କରିବନି ଜେଜେ ,। ସେ ଆହୁରି କହୁଥିଲା ତୁମେ କେମିତି ଶାସନ କର ସେମାନଙ୍କୁ , କେମିତି ଥଟ୍ଟା ମଜା ହୁଅ ସେମାନଙ୍କ ସହିତ ,ପୂଜା ପର୍ବରେ ନିଜ ପେନସନ ଟଙ୍କାରୁ ଖର୍ଚ୍ଚ ଦବା କଥାକୁ ନିଳିମା କେତେ ବଢ଼େଇଚଢ଼େଇ କହୁଥିଲା । ଜେଜେମାଙ୍କ ବିଷୟରେ ବି ବହୁତ କଥା କହୁଥିଲା । ତୁମର ଜିଦିପାଇଁ ମୋ ଜେଜେମା ବି ତାଙ୍କ ବଡ଼ପୁଅଲାଗି ବହୁତ କାନ୍ଦୁଛନ୍ତି ଲୁଚିଲୁଚି । ଫୋନରେ କଥା ହେଲାବେଳେ ନିଳିମା କେବଳ ତୁମ କଥା କୁହେ ।


ସେମାନଙ୍କୁ କେମିତି ଗପ ଶୁଣାଅ , ସେମାନଙ୍କ କଳି କେମିତି ସମାଧାନ କର ସବୁ କୁହେ । ଜେଜେ ତୁମର କଣ କେବେ ମନେପଡେନି ମୋ କଥା !? ଆଉ ଜଣେ କାହାକୁ ତୁମେ ତୁମ ଶୀତଳ ପରଶରୁ ବଞ୍ଚିତ କରିଛବୋଲି କେବେ କଣ ତୁମ ମନକୁ ଆସେନି !? ମୁଁ କିନ୍ତୁ ବହୁତ ଭାବେ ଜେଜେ ,ଛୋଟ ଥିଲାବେଳେ ବୋଉମତେ ବୁଝେଇ ଦେଉଥିଲା ମିଛ କଥା କହି ବୁଝିବାଭଳି ବଡ଼ହେଲାପରେ ବୋଉ ପାଖରୁ ସବୁ ଶୁଣିଲାପରେ ମୋ ହୃଦୟରେ ବଡ଼ କ୍ଷତଟିଏ ସୃଷ୍ଟି ହେଇଛି । 


.....ଛୋଟବେଳେ ଆମ କଲୋନୀର ମୋର ସମବୟସ୍କ ପିଲାମାନେ ଅପରାହ୍ଣରେ ବୁଲିଆସନ୍ତି ମୁଁ ସେତେବେଳେ ତୁମ ଅନୁପସ୍ଥିତିକୁ ଅନୁଭବ କରି ବ୍ୟାକୁଳ ହୁଏ । ବୋଉକୁ ପଚାରିଲେ କୁହେ ତୋ ଜେଜେ ତତେ ତାଙ୍କ ଜୀବନଠୁବି ବେଶି ଭଲପାଆନ୍ତି । ଏବେ ଟିକେ ଦୂରରେ ଅଛନ୍ତି ତୋ ଜେଜେ ଦିନେ ନା ଦିନେ ଆସିବେ ତତେ ବୁଲେଇ ନବାକୁ । 


ଜେଜେ ଆଜି ତେଇଶବର୍ଷର ହେଲିଣି ମୁଁ ଏମିତି ଦିନଟିଏ ବିତିନି ମୋ ଜୀବନରେ ଯେଉଁଦିନ ମୁଁ ତୁମକୁ ଭାବିନି ,ସବୁଦିନ ଭାବେ ତୁମହାତଧରି ବଜାରରୁ ଖେଳଣା କିଣିବାକୁ ଯିବି ,ହେଲେ ମୋର ସବୁ ଆଶା ଆଶାରେ ରହିଯାଇଛି ଜେଜେ । ପୂରଣ ହେଇନି କେବେଳ ତୁମର ଜିଦିପାଇଁ । 


ଜେଜେ ମୁଁ ଦେଖିଛି ଆଉ ପଢ଼ିଛି ମଧ୍ୟ ଓଡ଼ିଆ ଜଗନ୍ନାଥ ସଂସ୍କୃତିରେ ଘରର ବଡ଼ପୁଅମାନେ ଜ୍ୟେଷ୍ଠ ପୂର୍ଣ୍ଣିମା ଆଉ ପ୍ରଥମାଷ୍ଟମୀରେ ନୂଆ ପିନ୍ଧନ୍ତି ,ମୁଁ ତ ତୁମର ବଡ଼ନାତି ତମେ ବି ମୋଲାଗି ପ୍ରତ୍ୟେକ ବର୍ଷ ନୂଆ ପୋଷାକ କିଣି ଅପେକ୍ଷା କରିଥିବ !? ସେଇ ନିର୍ଦିଷ୍ଟ ଦିନମାନଙ୍କରେ ତମେ କଣ ମୋର ଫେରିବା ବାଟକୁ ଚାହିଁ ରହିନ !? ତୁମେ ବା କାହିଁକି ମୋ ଫେରିବା ଚାହିଁବ !? ତୁମ ପାଖରେ ମୋଭଳି ତ ଆହୁରି କେତେ ଅଛନ୍ତି ମୋ ଲାଗି ସିନା ତମେ ଜଣେ ,। ମୁଁ କିନ୍ତୁ ସେସବୁ ବିଶେଷ ଦିନରେ ତୁମପାଇଁ ନୂଆ ପୋଷାକ ଆଉ ତମର ଅତିପ୍ରିୟ ନାଲି ଖୋର୍ଦ୍ଧା ଗାମୁଛା କିଣିଆଣି ରଖେ ଯେବେ ଆସିବ ସବୁ ଗୋଟିଗୋଟି କରିଦେଖେଇବି ।


 ଜେଜେ ଜାଣିଛ ତୁମେ ଜଗନ୍ନାଥ ପ୍ରେମୀବୋଲି ମୁଁ ବାପାଙ୍କ ପାଖରୁ ଶୁଣିଲାପରେ ପ୍ରତିବର୍ଷ ଘୋଷଯାତ୍ରାରେ ପୁରୀ ଯାଏ । ଜଗତର ନାଥଙ୍କୁ ଦେଖିବାକୁ ନୁହେଁ ,ମୁଁ ତ ଯାଏ ମୋ ନାଥଙ୍କ ନାଥଙ୍କୁ ଦେଖିବାପାଇଁ ,। କାଳେ ତମେ ଆସିଥିବ ଲୋକ ଆଢ଼ୁଆଳରୁ ତୁମକୁ ଟିକେ ଦେଖିନେବି ଆଉ ତୁମେ ଚାଲିଗଲାପରେ ତୁମେ ଠିଆ ହୋଇଥିବା ଜାଗାରୁ ତୁମର ପାଦଧୂଳି ଆଣି ମୋ ମଥାରେ ବୋଳିଦେବି ,ହେଲେ ଜଗତର ନାଥ ମୋର ସେ ଆଶାକୁବି ଅପୁରଣ ରଖିଛନ୍ତି । 


...ଥରେ ନିଳିମା , ସାନ ମା ଆଉ ସାନବାପାଙ୍କୁ ଦେଖିଥିଲି । ସାନ ମା' ଆଉ ସାନବାପା ଅଧୈର୍ଯ୍ୟ ହେଇଯାଇଥିଲେ ମତେ ଦେଖି । ନିଳିମାର ନନା ଡାକକୁ ମୁଁ କେବେବି ଭୁଲି ପାରିବିନି ,। ଜେଜେ ଆଉ ବେଶି କିଛି କହିବିନି ,

.........ଆଉ କେଇଦିନ ପରେ ମୋ ବାପା ଅବସର ନେଇଯିବେ ତାଙ୍କ ରେଳବାଇ ଚାକିରୀରୁ , ସାମର୍ଥ୍ୟ ଥିଲେବି ସେ ଏଯାଏ ଘରଖଣ୍ଡେ କେଉଁଠି ନେଇନାହାନ୍ତି ତାଙ୍କର ଶେଷ ଜୀବନ ସେ ତାଙ୍କ ଜନ୍ମମାଟିରେ କଟେଇବେ ବୋଲି ଅଶାବାନ୍ଧି ରଖିଛନ୍ତି । ମୁଁ ଜାଣିନି ତାଙ୍କର ସେ ଆଶା ପୁରଣ ହବକି ନାହିଁ ହେଲେ ଯେମିତି ଦୁଇପକ୍ଷର ଯୁଦ୍ଧରେ ଅନେକ ନୀରିହ ନିର୍ଦୋଷ ସୈନିକମାନେ ପ୍ରାଣ ହରେଇଥାନ୍ତି ଠିକ ସେମିତି ଆମେ ଭାଇ ଭଉଣୀ ଦୁଇଜଣ ତୁମ ବାପ ପୁଅଙ୍କ ଅହଂ ଯୁଦ୍ଧରେ ପେଶି ହେଇଗଲୁଣି । 


ଜେଜେ ମୁଁ ମୋ ଚିଠିର ପ୍ରତ୍ୟୁତ୍ତର ଚାହୁଁନି । ମୁଁ ଏଇଥିପାଇଁ ତୁମକୁ ଚିଠିଲେଖିଲି କି ମୁଁ କିଛିଦିନ ପାଇଁ ଗାଁକୁ ଆସି ତୁମ ହାତତଳେ ରହିବାକୁ ଚାହୁଁଛି । ହେଲେ ମନରେ ପ୍ରବଳ ଭୟ । ଏ କଥାବି ଭାବିବନି ମୁଁ ତୁମ ସମ୍ପତ୍ତି ରେ ଲୋଭ କରି ତୁମ ସହ ଭାବ ଲଗଉଛି । ଜେଜେ ତୁମ ଆଶୀର୍ବାଦରୁ ଆଉ ମୋ ବାପା ବୋଉଙ୍କ ପ୍ରଚେଷ୍ଟାରୁ ମୁଁ ଏବେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଭଲ ଦରମାରେ କାର୍ଯ୍ୟରତ । 


ମୁଁ ଦେଖିବାକୁ ଚାହୁଁଛି ମୋ ଜେଜେମାଙ୍କୁ ମୋ ଭାଇଭଉଣୀଙ୍କୁ ଆଉ ଦେଖିବାକୁ ଚାହୁଁଛି ମୋର ସମ୍ପୂର୍ଣ ପରିବାରକୁ ,। ମୋର ଏ ଚିଠି ବିଷୟରେ ତୁମ ପୁଅବୋହୁ ମାନେ ମୋ ବାପାବୋଉ କିଛି ଜାଣିନାହାନ୍ତି ତୁମକୁ ଅନୁରୋଧ ସେମାନଙ୍କୁ ଜଣେଇବନି । 

                       ।।ଇତି।।

                        ତୁମ ଅଂଶ ଗୌତମ


ଚିଠିଟି ପଢି ସାରିଲା ପରେ ନିଳୀମା ଛଳ ଛଳ ଆଖିରେ ଜେଜେଙ୍କୁ ଚାହିଁଲା । ଜେଜେ ନିଳୀମା ଆଖିରେ ଆଖି ମିଶେଇ ପାରୁନାହାନ୍ତି । ପ୍ରାୟ ସଂଜ୍ଞାହୀନ ଅବସ୍ଥାରେ ଢଳି ପଡ଼ିବାଭଳି । ନିଳୀମା କୋଳେଇନେଲା ଜେଜେଙ୍କୁ । ସାମାନ୍ୟ ପ୍ରକୃତିସ୍ଥ ହେଇ ଜେଜେ କହୁଛନ୍ତି :---

ଆରେ ନିଲୁ ତାକୁ ଖବରଦେ ଏ ବୁଢ଼ା ପାଚିଲା ପତ୍ରଟେ ଝଡ଼ି ପଡ଼ିବା ପୂର୍ବରୁ ସେ ଆସି ଥରେ ତା ଜେଜେଙ୍କ ସାମ୍ନାରେ ଠିଆ ହେଇଯାଉ ତାର ଜେଜେବି ତାକୁ ଦେଖିବାକୁ ବ୍ୟାକୁଳ । କହିବୁ ତାରଜେଜେ ତାପାଇଁ ସବୁ ପୂଜା ପର୍ବରେ ତାଲାଗି ନୂଆ ପୋଷାକ କିଣନ୍ତି ସେ ଆସିଲେ ସବୁ ଦେଖେଇବି ତାକୁ । ତାକୁ କହିବୁ ସାଙ୍ଗରେ ତାର କୁନି ଭଉଣୀ ଆଉ ମୋ ବୋହୂକୁ ବି ଆଣିବ । 

   ଆଉ ବଡ଼ବାପାଙ୍କୁ ?  


...........ନିଳୀମା କଥା କାଟି ଗଗନବାବୁ କହିଲେ ବିନା ପୁଅରେ କଣ ବୋହୁ ଆସିବ । ତୁ ଫୋନ ଲଗେଇଦେ ମୁଁ ନିଜେ ଡାକିବି ତାଙ୍କୁ । ସେ ଶଳାକୁ ଜୋତାରେ ବାଡ଼େଇ ଡାକିବି । ନାତି ନାତୁଣୀଙ୍କୁ ନିମନ୍ତ୍ରଣ କରି ଡକାଯାଏ କି ? ସେ ଚୋର ଡହରା ମତେ ପାଠ ପଢ଼ଉଛି ସେ ପରା ଅନିମନ୍ତ୍ରିତ ଅତିଥି ଏତିକି କହୁକହୁ ଗଗନ ବାବୁ କଥା କହିବାର ଶକ୍ତି ହରେଇ ସାରିଥିଲେ ,ଅବରୁଦ୍ଧ ହେଇଯାଇଥିଲା ତାଙ୍କ କଣ୍ଠ । ଘରର ସମସ୍ତ ସଦସ୍ୟଙ୍କ ମନରେ ଅପୂର୍ବ ଆନନ୍ଦର ଲହରୀ । ଜେଜେମା ରମ୍ଭାଦେବୀ ତ ମୁକ ଶ୍ରାବଣ ପରି କେବେଳ ଆନନ୍ଦର ଲୁହରେ ଭିଜୁଥାନ୍ତି ।

                 


Rate this content
Log in

Similar oriya story from Tragedy