Jyotiranjan Sahu

Inspirational

3  

Jyotiranjan Sahu

Inspirational

ଅନ୍ବେଷଣ ( ଫାଦର୍ସ ଡେ')

ଅନ୍ବେଷଣ ( ଫାଦର୍ସ ଡେ')

2 mins
441



କାହିଁକି କେଜାଣି ଆଜିକାଲି ଯେତେ ବଡ ବଡ ହୋଟେଲ୍ , ଢାବା କି ରେଷ୍ଟୋରେଣ୍ଟ ରେ ଲଞ୍ଚ୍ ଡିନର କି ଟିଫିନ୍ ଯାହାବି କଲେ ସେ ଖୁସିଟା କୁ ସବୁବେଳେ ମିସ୍ କରେ ; ଯେଉଁ ଖୁସିଟା ବାପାଙ୍କ ଦିଆ ଦୁଇ ଟଙ୍କାରେ ପାଞ୍ଚଟା ଆଳୁଚପ୍ ଭିତରେ ଲୁଚି ରହିଥିଲା । ଆଜିବି ସେ ଖୁସିଟା ଦୂରରୁ ଥାଇ ମୋତେ ଖତେଇ ହୁଏ ଆଉ ମନେପକେଇଦିଏ ମୋର ପିଲାଦିନେ ଆଳୁଚପ୍ ପ୍ରତିଥିବା ଦୁର୍ବଳତାକୁ । ସ୍କୁଲରୁ ଆସି ବହିବସ୍ତାନି ଫିଙ୍ଗିଦେଇ ମୁଁ ଦୌଡିଯାଉଥିଲି ବାପାଙ୍କ ପାଖକୁ । ଘର ପାଖରୁ ପାଞ୍ଚଶହ ମିଟର ଦୂରରେ ଥିଲା ବାପାଙ୍କ ଅଫିସ୍ । ବାପା ମୋର ଜୁଡିସିଏଲ୍ ରେ କିରାଣି ଚାକିରି ଖଣ୍ଡେ କରିଥିଲେ । ଚୁପଚାପ୍ ଜଣେ ଅପରାଧୀ ଭଳି ଯାଉଥିଲି ବାପାଙ୍କ ଅଫିସ୍ କୁ । ସେ ବସିଥିବା ରୁମ୍ ର ଦୁଆର ପାଖରେ ଏପାଖ ସେପାଖ ହେଉଥିଲି । କେହିଯଦି ପଚାରିଦେଲା ' ହୋଇରେ ପୁଅ ! ଆସିଗଲୁ ' ! ସେତେବେଳେ ମୁଁ ଖାଲି ଦାନ୍ତ ଦେଖାଇ ଚାପାହସଟିଏ ହସିଦେଉଥିଲି । କିଛି ସମୟ ବାପା ବସିଥିବା ରୁମ୍ ଆଗରେ ଏପସ ସେପଟ ହେଉହେଉ ଅପେକ୍ଷାରେ ଥାଏ କେତେବେଳେ ଆଖିରେ ଆଖି ମିଶିବ ଆଉ ବାପା ମୋତେ ଆଖିରେ ଇସାରା ଦେଇ ପାଖକୁ ଡାକିବେ ! ଯେତେବେଳେ ପ୍ରତୀକ୍ଷାର ଅନ୍ତ ଘଟାଇ ବାପା ମୋତେ ଥରେ ଚାହିଁଦେଉଥିଲେ ; ଲାଗୁଥିଲା ସତରେ ସାର୍ କହିଥିବା ' ଅପେକ୍ଷାର ଫଳ ମିଠା ' କଥାରେ ପୁରାପୁରି ଠିକ୍ । ଆଖିରେ ଆଖି ମିଶିଗଲା ମାତ୍ରେ ମୁଁ ଡିଆଁଟିଏ ମାରି ଝରକା ପାଖରେ ହାଜର ହୋଇଯାଏ । ବାପା ଝରକା ପାଖକୁ ଆସି ମୋ ହାତକୁ ବଢାଇଦିଅନ୍ତି ଦୁଇଟଙ୍କା ଆଉ ହସହସ ମୁହଁଟାରେ ପଚାରିଦିଅନ୍ତି ' କେତେବେଳୁ ଆସୁଲୁଣି ' । ଉତ୍ତର ଦେବା ଉଚିତ୍ ମନେନକରି ମୁଁ ସିଧା ମାଡିଯାଉଥିଲି ସୁକ ଦୋକାନକୁ । ଚୁପଚାପ୍ ତା ହାତକୁ ଦୁଇଟଙ୍କାଟା ବଢାଇଦେଉଥିଲି । ସେ ଆଠଅଣାର ପାଞ୍ଚଟା ଆଳୁଚପ୍ ଠୁଂଗାରେ ଭରି ମୋତେ ଧରାଇଦେଉଥିଲା । ସୁକ ଧରାଇ ଦେଉଥିବା ସେହି ଗୋଟିଏ ଅଧିକ ଆଳୁଚପ୍ ର ଖୁସି ଟା ଆଜିର ସମୟରେ କୌଣସି ବୋନସ୍ କି ଇନସାଣ୍ଟିଭ୍ ଫେରାଇଦେଇପାରିବ ନାହିଁ । ସେହି ଖୁସିରେ ମୁଁ ଠୁଙ୍ଗାଏ ଆଳୁଚପ୍ ଧରି ଏକ ନିଶ୍ବାସରେ ସିଧା ଯାଇ ଘରେ ହାଜର ହୋଇଯାଉଥିଲି । ଆପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣି ଆମେ ଦୁଇ ଭାଇ ମୁଢି ସହ ଆଳୁଚପ୍ ଖାଇବାରେ ବ୍ୟସ୍ତ ହୋଇପଡୁଥିଲୁ । ହେଲେ ସେ ଖୁସି ଆଜି କାହିଁ ? କାହିଁ ସେ ଆଖି ଯିଏ ବୁଝିପାରୁଥିଲା ଆଖିର ଭାଷା ? କାହିଁ ସେ ସରଳତା ଯାହା ବାନ୍ଧିରଖୁଥିଲା ମଣିଷକୁ ମଣିଷ ସହ ଗୋଟିଏ ଅଦୃଶ୍ୟ ଡୋରିରେ ? 


        ଏହିସବୁ ଅନେକ ପ୍ରଶ୍ନ ଭିତରେ ମୁଁ ଅନ୍ବେଷଣ କରେ ସେହି ଖୁସିକୁ । ଆଜି ତାକୁ ଖୋଜିବାକୁ ଚେଷ୍ଟାକରୁଛି ବାପାଙ୍କର ସେହି କଥାକୁହା ଆଖି ଭିତରେ । ସେଇଠି ସିଏ ଆଉ ରହି ଯାଇନାହିଁ ତ ! ହେଲେ ସେ ଆଖିଗୁଡା ଏବେ କେମିତି ଥକିଲା ଥକିଲା ଦିଶୁଛି । ଏବେ ମୁଁ ହାତ ବଢେଇଲେ ମୋ ହାତରେ ଆଉ ଦୁଇ ଟଂକା ପଡୁନି ; ଧରାପଡୁଛି ସାହାରା ଖୋଜୁଥିବା ଦୁଇଟି ଦୁର୍ବଳ ହାତ । ସେଦିନ ବାପାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଧୈର୍ଯ୍ୟ ନଥିବା ମନଟା ଏବେ ଧୈର୍ଯ୍ୟ ଧରି ବାପାଙ୍କ କଥା ଶୁଣିବାକୁ ଶିଖିଗଲାଣି । ଏହାଭିତରେ ସମୟ ଅତୀତର ଅନେକ ଚରିତ୍ର ସବୁକୁ ସଂହାର କରିସାରିଲାଣି । ସମୟ ଆଗରେ ମୁଁ ଅସହାୟ । ସମୟର ପ୍ରତ୍ୟେକଟି ସିଦ୍ଧାନ୍ତକୁ ମୁଁ ଆଜି ମାନିନେବାକୁ ବାଧ୍ୟ । ଯେଉଁ ଖୁସିକୁ ମୁଁ ବାପାଙ୍କ ଭିତରେ ଖୋଜୁଛି ସେ ଖୁସିଟା କେବେଠାରୁ ତା ସ୍ଥାନ ପରିବର୍ତ୍ତନ କରିସାରିଲାଣି । ସେଦିନର ପୁଅଟା ଆଜି ବାପା ହୋଇସାରିଲାଣି ଆଉ ବାପ ହେବାପରେ ଜାଣିଲି ଖୁସିଟା ଆଉ ନିଜର ହୋଇରହିନାହିଁ ! କାହିଁକି ନା ନିଜ ସନ୍ତାନର ଖୁସି ଭିତରେ ବାପ ସବୁବେଳେ ନିଜ ଖୁସିଟାକୁ ଖୋଜିବୁଲୁଥାଏ ! ସେଦିନ ମୋ ଖୁସିରେ ଥିଲା ବାପାଙ୍କ ଖୁସି ଆଉ ଆଜି ମୋ ପୁଅର ଖୁସିରେ ମୋର ଏହି ବାପା ମନଟା ଖୁସି ! 


ପିତୃ ଦିବସର ଅଭିନନ୍ଦନ



Rate this content
Log in

Similar oriya story from Inspirational