ଅମୂଲ୍ୟ ମୁହୂର୍ତ୍ତ
ଅମୂଲ୍ୟ ମୁହୂର୍ତ୍ତ


ବିନା ଲକ୍ଷ୍ୟରେ ସଫଳତାର ଶୀର୍ଷ ଛୁଇଁବାର ବାଟଟି ଯେତେବେଳେ ପରିଷ୍କାର ହୋଇ ଆଖି ଆଗରେ ଦୃଶ୍ୟମାନ ହୁଏ ସେଇ ସମୟଟି ସବୁଠାରୁ ମୂଲ୍ୟବାନ ବୋଲି ମୁଁ ମନେକରେ ।
+2 କଳା ଶିକ୍ଷା ସମାପ୍ତ କରିସାରିବା ପରେ ବ୍ୟକ୍ତିଗତ କାରଣରୁ ଉଚ୍ଚଶିକ୍ଷା ବ୍ୟାହତ ହୋଇଥିଲା ।ସବୁ ଭାଗ୍ୟ ଏବଂ ଭଗବାନଙ୍କ ଉପରେ ଛାଡ଼ିଦେଇଥିଲି ।ନଥିଲା ଅବଶୋଷ କି ନଥିଲା ଜୀବନ ପ୍ରତି ଅଭିମାନ ।
ଘରୋଇ ଶିକ୍ଷକ ରୂପେ ନିଜକୁ ପ୍ରମାଣିତ କରୁଥିବା ସମୟରେ ମୋର ଶିକ୍ଷକଙ୍କ ପ୍ରେରଣାରେ ଶିକ୍ଷକତା ଯୋଗ୍ୟତା ହାସଲ ତାଲିମ ପାଇଁ ଫର୍ମ ପୂରଣ କଲି ।ଆଉ ସେଥିରେ ସଫଳ ହୋଇ ସାରିବା ପରେ ରାଜ୍ୟ ସରକାରଙ୍କ ଅଧୀନରେ ଶିକ୍ଷକତା ପାଇଁ ଆବେଦନ କରିଥିଲି ।ଆଉ ସେହି ଶୁଭ ମୁହୂର୍ତ୍ତକୁ କେମିତି ଭୁଲିବି ?2012 ମସିହାର ନଭେମ୍ବର ମାସ 30 ତାରିଖ ଆଣିଥିଲା ମୋ ପାଇଁ ଅସରନ୍ତି ଖୁସି ।ଜଣେ ଝିଅ ହିସାବରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବାର ମାଧ୍ୟମ ବୋଲି ମନ ମଧ୍ୟରେ ସ୍ଥିର କରିନେଇଥିଲି ।
ଖୋର୍ଦ୍ଧା ଜିଲ୍ଲା ଛାଡି ଗଞ୍ଜାମ ଜିଲ୍ଲାରେ ଶିକ୍ଷକତା ଜୀବନ ଆରମ୍ଭ କରିବା ମୋ ପାଇଁ ସାମାନ୍ୟ କଷ୍ଟ ଥିଲା ।କାରଣ ପୂର୍ବରୁ ଘର ଛାଡ଼ି ଅନ୍ୟତ୍ର ରହିବାର ଅଭ୍ୟାସ ମୋର ନଥାଏ ।ସବୁଠାରୁ ବଡ଼ ସମସ୍ୟା ଥିଲା ଭାଷାଗତ ପାର୍ଥକ୍ୟ ।ପ୍ରଥମେ କିଛିଦିନ ପର୍ଯ୍ୟନ୍ତ ପିଲାମାନଙ୍କର ଭାଷା ବୁଝିବା ମୋ ପାଇଁ କଷ୍ଟସାଧ୍ୟ ଥି
ଲା ।ଅନୁସୂଚିତ ଜାତିର ସମସ୍ତ ଛାତ୍ରଛାତ୍ରୀ ।ସମାଜର ମୁଖ୍ୟସ୍ରୋତରୁ ଦୂରରେ ସେମାନଙ୍କର ଜୀବନ ।ଶୁଦ୍ଧ ଭାଷାର ଜ୍ଞାନ ସେମାନଙ୍କ ପାଖରେ ନଥାଏ ।କିନ୍ତୁ ମୋର ପ୍ରଚେଷ୍ଟା ଆଉ ପିଲାମାନଙ୍କର ମୋ ପ୍ରତି ଭଲପାଇବା ଦ୍ୱାରା ଅଳ୍ପ କିଛିଦିନରେ ଉଭୟେ ଉଭୟଙ୍କ ଭାଷା ପ୍ରତି ସଜାଗ ହୋଇଗଲୁ ।ଭୁଲିଯାଇଛୁ ଭିନ୍ନତା ।ଆମେ ସମସ୍ତେ ଉତ୍କଳ ମାଆର ସନ୍ତାନ ।ତେଣୁ ଭିନ୍ନତା ବା ରଖନ୍ତୁ କିପରି ।ସେଇ ଛୁଆମାନଙ୍କ ଭିତରେ ମୁଁ ନିଜ ପିଲାଦିନକୁ ପାଇଛି ।ସେମାନଙ୍କ ସହ ପିଲା ହୋଇ ଖେଳିଛି,କାନ୍ଦିଛି,ହସିଛି ।ଓଃ କି ଆନନ୍ଦ!କି ଆତ୍ମତୃପ୍ତି !ଅନୁଭବୀ ହିଁ ବୁଝିପାରିବ ।
ସାମାଜିକ କ୍ଷେତ୍ରରେ ହେଉ କିମ୍ବା କାର୍ଯ୍ୟାଳୟ କ୍ଷେତ୍ରରେ ଅନେକ ସମସ୍ୟା ଆସିଅଛି ।ତଥାପି ମୋ ଚାକିରି ଜୀବନ ମୋ ପାଇଁ ଅମୂଲ୍ୟ ମୁହୂର୍ତ୍ତ ।ଆଜିକା ସମାଜରେ କନ୍ୟାସନ୍ତାନ ପ୍ରତି ଅବହେଳା ସମସ୍ତେ ଅନୁଭବ କରିଛନ୍ତି ଆଉ ମୁଁ ମଧ୍ୟ ।ସମାଜରେ ନିଜକୁ ପ୍ରମାଣିତ କରିବା ପାଇଁ ଏହି ଚାକିରି ଜୀବନ ହିଁ ସହାୟକ ହୋଇପାରିଛି ।ମୁଁ ମୋ ଚାକିରି ଜୀବନକୁ ନେଇ ବେଶ ଖୁସି ଅଛି ।ଭଗବାନଙ୍କୁ ଧନ୍ୟବାଦ ଦେଉଅଛି ମୋତେ ସକ୍ଷମ କରିଥିବାରୁ ।ଧନ୍ୟବାଦ ଜଣାଉଛି ମୋର ଜନ୍ମଦାତା ଏବଂ ମାତାଙ୍କୁ।ଅମୂଲ୍ୟ ଜୀବନରେ ଜ୍ଞାନ ବିତରଣ କରି ଯେଉଁ ପୂଣ୍ୟ ଅର୍ଜନ କରିବି ତାହାଠାରୁ ମୂଲ୍ୟବାନ କଣ ହୋଇପାରେ ?
ସତରେ ମୁଁ ଭାଗ୍ୟବତୀ ।