Aravinda Das

Inspirational

0.2  

Aravinda Das

Inspirational

ଅମୃତ (୩)

ଅମୃତ (୩)

3 mins
7.2K


କଲୋନୀରେ ତା'ର ଏକ ସ୍ୱତନ୍ତ୍ର ପରିଚୟ ଥିଲା।

କିଏ "ମାଇଚିଆ "ତ କିଏ "ମତ୍ସ୍ୟଗନ୍ଧା" ବୋଲି ଡାକୁଥିଲେ।

ଘର ଘର ବୁଲି ସେ ଶୁକୁଆ ବିକେ।ସ୍ଵରକୁ ଯଥାସମ୍ଭବ କୋମଳ କରି ତ କେବେ ଉଚ୍ଚ ସ୍ୱରରେ ଲହରେଇ ଡାକେ, "ଏ ......ମା, ଶୁକୁଆ ରଖିବ ,ମା ଶୁଖୁଆ।ଲୁଣି,ଅଲଣି ସବୁ ଅଛି।

"ଚିଙ୍ଗୁଡ଼ି,କୋକଲି, ପାଣିଆଖିଆ,ଇଲିଶି ,

ଟିକିଏ ଚାଖିଲେ ମନ ହୋଇବ ଖୁସି।" 

ସାହି'ର ପିଲାମାନେ ତାକୁ ଦେଖିଲାମାନେ ଚିଡ଼େଇବା ଆରମ୍ଭ କରି ଗୀତ ବୋଲନ୍ତି, "ମାଇଚିଆ ଗୋଖେଇ ସାହୁ, ମାଇପ ହାତରେ କହୁଣୀ ଖାଉ।"

ତା ନାଁ ସୀମାଞ୍ଚଳ; ସର୍ଟକଟ୍ ରେ କେବଳ ସୀମା ବୋଲି କହେ।ଅସନା ଧୋତି ଓ ଛିଣ୍ଡା ଗେଞ୍ଜି ପିନ୍ଧି ,ମୁଣ୍ଡରେ ଟୋକେଇ ରଖି ଶୁକୁଆ ବିକେ।ଗୋଟେ ଗୋଡ଼ ତା'ର ଛୋଟ ବୋଲି ଟିକେ ବଙ୍କେଇକରି ଚାଲେ।ସେଥିରେ ପୁଣି ଛାତି ଉପରେ ଗୋଟେ ଖୋର୍ଦ୍ଧା ନାଲି ଗାମୁଛା ପଡିଥାଏ।ବେଳେବେଳେ ସେଇଟା ଓଢ଼ଣା ହୋଇ ମୁଣ୍ଡରେ ଥାଏ। ଅଣ୍ଟା ହଳାଇ ଚାଲିବା ତା ଅଭ୍ୟାସ।

ସ୍ବପ୍ନା ନୂଆ କରି ଆସିଥିଲା ଏଇ କଲୋନୀକୁ।ବୀରେନ ଅଫିସ ଚାଲିଗଲା ପରେ ,ଘରେ ସ୍ବପ୍ନା ଏକୁଟିଆ।କେତେ ଆଉ ଟିଭି ଦେଖିବ ବା ଫୋନ୍ ରେ କଥା ହେବ ?ଦାଣ୍ଡ ପିଣ୍ଡାରେ ଚେୟାର ପକେଇ ବସି ରାସ୍ତାକୁ ଅନାଏ।ଗୁପଚୁପ ,ଦହିବରା ଆଳୁଦମ ବାଲା ସବୁ ପାଟି କରି ଡାକନ୍ତି ଗେଟ ସାମ୍ନାରେ। ଅବେଳରେ ସେଦିନ ସୀମାଞ୍ଚଳ ବି ପଶି ଆସିଲା ଗେଟ ଭିତରକୁ।

ଦିନ ଗୋଟାଏ ବେଳେ କିଏ ଶୁକୁଆ ରଖିବ ? ସଫା ସଫା ମନା କରିଦେଲା ସ୍ବପ୍ନା।ଏତିକିବେଳେ ଲଞ୍ଚ ପାଇଁ ଆସିଥିବା ବୀରେନଙ୍କ ସହ ସୀମାଞ୍ଚଳ ଜିଦି ଲଗେଇଲା କିଛି ବଇନି କରିବା ପାଇଁ।

" ତୋର ଏପର୍ଯ୍ୟନ୍ତ ବଇନି ହୋଇନି ?ମିଛ କହୁଛୁ "

"ମୋ ମାଇପ ରାଣ ଖାଇ କହୁଛି ଭାଇନା।ଆଜି ପା ଡ଼ି.ଏମ.ୟୁ ଲେଟ ହୋଇଗଲା।ତମ ଘରକୁ ପ୍ରଥମେ ପଶୁଛି।କିଛି ହେଲେ ରଖ".

ତା ଅଣ୍ଟା,ବେକ ଓ ହାତ ହଲାଇ କଥା କହିବାର ଢଙ୍ଗ ଦେଖି ହସ ମାଡୁଥିଲା ସ୍ବପ୍ନାକୁ।

ତା ଅବସ୍ଥା ଦେଖି ବୀରେନ କହିଲେ ,"ହଉ ଚିଙ୍ଗୁଡ଼ି ଶୁକୁଆ ଅଳ୍ପ ରଖ ସ୍ବପ୍ନା।ମୋତେ ଭଲ ଲାଗେ।"

"ହେଲେ ମୋତେ ଏସବୁ ରାନ୍ଧି ଆସେନା।"ସ୍ବପ୍ନା ନିଜ ଆଡୁ ସଫେଇ ଦେଲା।

"ଅଳ୍ପ ଭାଜି, ରସୁଣ କଞ୍ଚା ଲଙ୍କା ଦେଇ ଛେଚିଦେଵ।"କହିଲେ ବୀରେନ।

ହସିଦେଇ ସୀମାଞ୍ଚଳ କହିଲା " ଦେଖ ଭାଉଜ, ଭାଇନା କହିଲେଣି ମାନେ ଆଉ ମନା କରନା। ନୂଆ ହୋଇ କଲୋନୀକୁ ଆଇଚ।ସେଥିପାଇଁ ମୋତେ ଚିହ୍ନିନ।ଭାଇନା ନିଶ୍ଚୟ ଭଲ ପାଉଥିବେ ଏସବୁ ଦେଶୀ ଜିନିଷ।ତରକାରୀ,ଭଜା ମୁଁ ତୁମକୁ ଶିଖାଇ ଦେବି।ଜମା ବ୍ୟସ୍ତ ହୁଅନା।ଗୋଖା ପୁଅ ମୁଁ।ମାଛ ଧରା ଠୁ ତିଅଣ ପର୍ଯ୍ୟନ୍ତ ସବୁଥିରେ ଆମେ ଓସ୍ତାଦ।"

ଜବରଦସ୍ତି ଦୁଇ ପ୍ରକାର ଶୁକୁଆ ବାନ୍ଧି ଦେଉ ଦେଉ କହିଲା, ବୁଝିଲ ଭାଉଜ, ଇୟେ ହେଲା ଶୁକଦେବ।ମସଲା ଗୋଳାଇ କଡେ଼ଇରେ ରଖି ଗେସ୍ ରେ ଧୀମା ଆଞ୍ଚରେ ବସେଇଦେଵା କଥା ଯାହା।ଅଳ୍ପ ଟିକେରେ ଭାତ ଉଠିଯିବ ।ମୁଁ କାଲି ଆସି ତୁମକୁ ସବୁ ଶିଖେଇ ଦେବି।"

ଓଃ ,କି ଜବରଦସ୍ତ ଲୋକ ! ଭାବୁଥିଲା ସ୍ବପ୍ନା।ପଇସା ନେଇ ଚାଲିଗଲା ସୀମାଞ୍ଚଳ।

ପରଦିନ ଠିକ୍ ଏଗାରଟା ବେଳେ ହାଜର ସୀମାଞ୍ଚଳ।ଦି ଗିଲାସ ପାଣି ପଇ ,ମୁଢି ଓ ଚାହା ଖାଇଲା।ହୋଟେଲ ଶେଫ୍ ପରି ଟିକିନିଖି ସବୁ ବତେଇଲା ବିଭିନ୍ନ ରକମର ଶୁକୁଆ ଡିସ।

ଅବଶ୍ୟ ଇଣ୍ଟରନେଟରୁ ଅନେକ ରେସିପି ଦେଖି ସାରିଥିଲା ସ୍ବପ୍ନା। ତଥାପି ଆଗ୍ରହ ସହ ସବୁ ଶୁଣୁଥିଲା ସେ।

" ତମ ପିଲାଛୁଆ ?"ସ୍ବପ୍ନା ପଚାରିଲା।

" ଦଶ ବର୍ଷର ଗୋଟେ ପୁଅ ଓ ପାଞ୍ଚ ବର୍ଷର ଝିଅ।ଅବଶ୍ୟ ସେ ଦୁହେଁ ମୋ ସ୍ତ୍ରୀ'ର ଆଗ ସ୍ୱାମୀ'ର ଛୁଆ।ବଦମାସଟା ଅନ୍ୟ କେଉଁ ମାଇକିନା ସହ ପଳେଇଲା।ବାସନ୍ତିକୁ ମୁଁ ବାହାହେଲି। ଆପଣେଇ ନେଲି ଛୁଆଙ୍କୁ। ନିଜ ଛୁଆ ଭଳି ଭଲ ପାଏ ସେମାନଙ୍କୁ। ନିଜେ ବାପ ହୋଇପାରିବିନି ବୋଲି ଡାକ୍ତର କହିଥିଲା ।ହେଉ ହେଲା।ମୋ ସ୍ତ୍ରୀ ର ଛୁଆ କଣ ମୋ ପିଲା ନୁହନ୍ତି ଭାଉଜ ?

ଚମକି ପଡ଼ିଲା ସ୍ବପ୍ନା।ଏଭଳି ଲୋକଠାରୁ ସେ ଏମିତି କଥାପଦେ ଶୁଣିବ ବୋଲି ଭାବିନଥିଲା।ସାଧାରଣ ଓ ଅସାଧାରଣ ମଣିଷ ଭିତରେ ଫରକ ଆଉ କଣ କି ?

"ତମକୁ ରୋଷେଇ ଆସେ ?"

"ମଲା ମୋର,ମୋ ହାତ ରନ୍ଧା ଚାଖି ସେ ପରା ହାତ ଧରିଥିଲା ମୋର।ଛୁଆ ଦୁଇଟା ବି ସେଇଆ।ବାପା ବାପା ବୋଲି ଉଚ୍ଛନ୍ନ କରିପକାଇବେ।"

"ଗୋଟେ କଥା ପଚାରିବି ?ମାନେ ଏତେ ସୁନ୍ଦର କରି ସବୁ ଶୁକୁଆ ତରକାରୀ ଶିଖାଇ ଦେଲ ମୋତେ ।ନିଶ୍ଚୟ ସବୁଦିନ ତମ ଘରେ ହେଉଥିବ।ତମର ଆଇଁଷ, ଶୁଖୁଆ ନିଶ୍ଚୟ ପ୍ରିୟ ହୋଇଥିବ। " ହସି ହସି ପଚାରୁଥିଲା ସ୍ବପ୍ନା।

ଏକ ଉଦାସିଆ ଦୃଷ୍ଟିରେ ଚାହିଁଲା ସୀମାଞ୍ଚଳ।ଧୀର ସ୍ୱରରେ କହିଲା, "କାହାର ଦୃଷ୍ଟି ଲାଗିଗଲା ଭାଉଜ।"

" କାହିଁକି ? କଣ ହେଲା ?"

ଛାତିରେ ପଡିଥିବା ଗାମୁଛାରେ ମୁହଁଟା ପୋଛି କହିଲା, "ଛଅ ମାସ ରୋଗରେ ପଡ଼ିଥିଲା ମୋ ସ୍ତ୍ରୀ।କେତେ ଔଷଧ ଖାଇଲା ଭଲ ହେଲାନି।ପୁରୀ ଯାଇଁ କଳ୍ପବଟରେ ମାନସିକ କଲି, ତା ଦିହ ଭଲ ହେଲେ ସମସ୍ତେ ମାହପ୍ରୁଙ୍କ ଦର୍ଶନ କରିବୁ ବୋଲି।କଳ୍ପବଟରେ ନିଜର ସବୁଠୁ ପ୍ରିୟ ଖାଇବା ଜିନିଷ ,ଜୀବନ ସାରା ଛାଡିବାକୁ ପଡେ।ମୁଁ ଆଇଁଷ ଛାଡ଼ିଦେଲି ଭାଉଜ।ଏବେ ସେ ଚଲାବୁଲା କଲାଣି।ଭଲ ଦିନଟିଏ ଦେଖି ପୁରୀ ଯିବୁ। "

ଆବାକାବା ହୋଇଗଲା ସ୍ବପ୍ନା।ଏ ଲୋକ ଆଇଁଷ ଛାଡି ଦେଇଛି ?ଏମିତି ଭଲପାଇବା !! ପୁଣି ଏମିତି ଏକ ଚରିତ୍ର ଦ୍ବାରା !!ଘର ଭିତରକୁ ଯାଇ ଶହେ ଟଙ୍କାନୋଟ ଗୋଟେ ବଢ଼ାଇଦେଲା ତା ହାତକୁ ସ୍ବପ୍ନା।

'ଭାଇନା ତ ଶୁକୁଆ ପଇସା ଦେଇଦେଇଛନ୍ତି।'

" ଏଇ ଟଙ୍କାରେ ପୁରୀରେ ଭୋଗ କରିଦେବ, ମୋ ତରଫରୁ।"

ଟୋକେଇ ଟା ମୁଣ୍ଡରେ ଥୋଇ , ଯିବା ଆଗରୁ ଖୁସିରେ ଗଦଗଦ ହୋଇ ଆଶୀର୍ବାଦ କରି କହିଲା, "ସମସ୍ତେ ମାଇଚିଆ କହି ହସନ୍ତି।ତମେ ଆଜି ମୋତେ ମଣିଷ ଭାବି ଏତେ କଥା ହେଲ।ତୁମ ଶଙ୍ଖା ସିନ୍ଦୁର ବଜର ହୋଇଥାଉ।"

ସ୍ବପ୍ନାକୁ ଲାଗିଲା ସୀମାଞ୍ଚଳର ମଣିଷ ପଣିଆରେ ଶୁଖୁଆର ଗନ୍ଧ ସବୁ ଦୁରେଇ ହୋଇଯାଇ , ଯେମିତି ଏକ ଅମୃତମୟ ବଳୟ ସୃଷ୍ଟି ହୋଇଛି ।

(ଅରବିନ୍ଦ ଦାସ)


Rate this content
Log in

Similar oriya story from Inspirational