Parameswar Ojha

Inspirational

4  

Parameswar Ojha

Inspirational

ଅଲିଭା ସ୍ମୃତି

ଅଲିଭା ସ୍ମୃତି

13 mins
23.8K


ଗପ ଭାବି ଅଣଦେଖା କରନ୍ତୁନି , ହୁଏତ ଆପଣଙ୍କ ଜୀବନରେ ଏମିତି କେହି ଦେବତା ଆସି ଥାଇ ପାରନ୍ତି , ଯାହାଙ୍କୁ ପରେ ଖୋଜି ନପାଇ ଆପଣଙ୍କ ର ବି ବଡ ଅବଶୋଷ ରହି ଯାଇଥାଇ ପାରେ ମୋ ଭଳି ।

ଅଲିଭା ସ୍ମୃତି

___________

   ୨୦୦୩ କିମ୍ବା ୨୦୦୪ ମସିହା କଥା ହେବ ମୁଁ ସେତେବେଳେ ଅଷ୍ଟମ କିମ୍ବା ନବମ ଶ୍ରେଣୀରେ ପଢୁଥାଏ । ମୁଁ ଛୋଟ ବେଳୁ ମାମୁଁ ଘରେ ହିଁ ରହି ପଢୁଥାଏ । ମାମୁଁ ଘର ସ୍ବାଧୀନତା କମ୍ ଶାସନ ଅଧିକ ବଡ଼ ମାମୁଙ୍କ ନାଲି ଆଖି ଆଉ ମଝିଆ ମାମୁଁଙ୍କ ଦାନ୍ତ କଡ ମଡ କୁ ମୋର ସେତେବେଳେ ଭାରି ଭୟ । ( ଏ କଥା ନ ଲେଖିଥିଲେ ବି ଚଳିଥାନ୍ତା କିନ୍ତୁ ପିଲାବେଳ ମାମୁଁ ଘର କଥା ଭାବିଲେ ଏଇ କଥା ହିଁ ଆଗ ଆସେ ଆଖି ସାମ୍ନାକୁ )

ନଭେମ୍ବର କିମ୍ବା ଡିସେମ୍ବର ମାସ ହେବ ସ୍କୁଲ ରେ ଆଲୋଚନା ହେଲା ପିକନିକ୍ ହେବ । ମୁଁ ଖୁସି ରେ କୁରୁଳି ପଡ଼ିଲି ଯେତିକି ସେତିକି ହତାଶ ହେଲି କାଳେ ମାମୁଁ ଛାଡ଼ିବେ କି ନାହିଁ । କିନ୍ତୁ ମାମୁଁ ଛାଡ଼ିଲେ , ସଂଧ୍ୟା ରେ ବଡ଼ ବସ୍ ଟେ ( ନାଁ ମନେ ନାହିଁ ) ଆସି ଲାଗିଲା ସ୍କୁଲ ପାଖରେ । ସିଟ୍ କମ୍ ପଡ଼ିବାରୁ ସ୍କୁଲରୁ ବଡ଼ ବେଞ୍ଚ କେତେଟା ଗାଡି ଭିତରେ ରଖାଗଲା । ଆମେ ବସିଲୁ ଯାଇ ବସ୍ ଭିତରେ । ମୁଁ ମଝିଆ ମାମୁଙ୍କ ଗୋଟେ କାନ୍ଧ ଝୁଲା ବ୍ୟାଗ୍ ସାଥିରେ ନେଇ ଯାଇଥାଏ ସାମାନ୍ୟ ବଡ଼ଟେ , ସେଥିରେ ମୋର ଡ୍ରେସ୍ ପଟା ଅନ୍ୟାନ୍ୟ ବ୍ୟବହାର ସାମଗ୍ରୀ ରଖିଥାଏ ‌ । ସିଟ୍ ରେ ବସି ବ୍ୟାଗ୍ କୁ ମୁଣ୍ଡ ଉପର ଷ୍ଟାଣ୍ଡ ରେ ରଖିସାରିଲା ପରେ ବହୁତ ଖୁସି ଲାଗିଲା ।

 ଗାଡ଼ି ଚାଲିବା ସହିତ ମୋ ଉତ୍କଣ୍ଠା ବଢ଼ି ବଢ଼ି ଚାଲିଥାଏ କାରଣ ସେଇ ପିକନିକ୍ ମୋ ଜୀବନ ର ପ୍ରଥମ ପିକନିକ୍ ଥିଲା । ( ଆଉ ପରେ ଶେଷ ପିକନିକ୍ ବି ହୋଇଗଲା )

ପିକନିକ୍ କେମିତି ସେଇଟା ଜାଣିବା ପାଇଁ ମୋ ଉତ୍କଣ୍ଠା ଦୁଇ ଗୁଣିତ ହୋଇ ଯାଉଥାଏ । ରାତି ସାରା ବସ୍ ଯାତ୍ରା ପରେ ପ୍ରଥମେ ଯାଇ ଭୋର ଭୋର୍ ରୁ ପହଞ୍ଚିଲୁ କାଳିଜାଇ ରେ । ସେଠି ଗୋଟିଏ ଗାଡିଆରେ ଗୋଟେ ପାଖେ ଝିଅ ଆଉ ଗୋଟେ ପାଖେ ପୁଅ ପିଲା ଗାଧୋଇଲୁ । ରାତିରୁ ସ୍କୁଲରୁ ରନ୍ଧା ହୋଇ ଆସିଥିବା ଉପମା ସମସ୍ତେ ଖାଇଲୁ ଅଶାନ୍ତିରେ କାରଣ ଭଲ ଲାଗୁନଥିଲା ଜମା ସେ ସୁଜି ଉପମା ।

  ତାପରେ ଦୁଇଟା ବୋଟ୍ ରେ ଆମ ସାର୍ କିଛି ପିଲା ମାନେ ଭାଗ ଭାଗ ହୋଇ ବସିକି ଚିଲିକା ନୀଳ ଜଳରାଶିରେ ଚାଲିଲୁ କାଳି ଯାଇ ମନ୍ଦିର କୁ । ଚିଲିକା ପାଣିରେ ଦେଖିବା ବେଳକୁ ମୋତେ ଲାଗୁଥାଏ ଯେମିତି ଚିଲିକା ପାଣି ଖୁବ୍ ପାଖରେ । ସେତେବେଳେ ପାଣି ଭିତର ଦଳ ଗୁଡିକ ଖୁବ୍ ନିକଟରେ ଦେଖା ଯାଉଥାଏ ।

ମୁଁ ଭାବୁଥାଏ ବସିକି , ଏଥିରେ ପୁଣି ଗୋଟିଏ ଝିଅ ଶାଶୁଘରକୁ ଯିବାବେଳେ ବୁଡି ମରି ଯାଇଥିଲା !

କାଳିଯାଇ ମନ୍ଦିର ରେ ପହଞ୍ଚି ବୁଲାବୁଲି କରି ଫେରିଲୁ । ସେଠୁ ଫେରିବା ବେଳେ ଗୋଟେ ମା କାଳି ଜାଇ ଫଟୋ ଆଣିଥିଲି ସାଙ୍ଗରେ ( ଯୋଉଟାକି ଏବେ ମାମୁ ଘର ଠାକୁର ଘରେ ପୂଜା ପାଉଛି ) କିନ୍ତୁ ମୁଁ ଆଜି ଯାଏଁ ଗୋଟେ କଥା ଜାଣି ପାରିନି , କାଳି ଜାଇ ମନ୍ଦିର ସେଠାରେ ଆଗରୁ ଥିଲା ନା ଏ ଝିଅଟି ମରିଗଲା ପରେ ତା ସ୍ମୃତି ରେ ମନ୍ଦିର ହୋଇ କାଳିଜାଇ ନାଁ ରଖାଗଲା । ଯଦି ଝିଅଟି ମଲା ପରେ ହେଲା , ତେବେ ମା' କାଳିଜାଇ ବୋଲି କହି ତାକୁ ପୂଜା କାହିଁକି କରା ଯାଉଛି ?? କେଜାଣି ? କଣ ହେଇଥିବ ?

 ତା ପରେ କାଳିଜାଇରୁ ସିଧା ବସ୍ ରେ ବସିଲୁ ପୁରୀ ଯିବାକୁ ।ପୁରୀରେ ସଂଧ୍ୟା ୭ ଆଖ ପାଖ ହେବ ସମୟରେ ଯାଇ ବସ୍ ଲାଗିଲା ।

ଭୋକ କରୁଥାଏ ଜୋରରେ ସେତେବେଳକୁ ହେଲେ ପାଖରେ ପଇସା ନଥାଏ ଅଧିକ । ଦଶ କି କୋଡିଏ ଟଙ୍କା ବଞ୍ଚିଥାଏ ସେତେବେଳେକୁ । ବସ୍ ଝରକା ପାଖ ରେ ଝାଲ୍ ମୁଢ଼ି ବାଲା ଚିଲେଇଲାରୁ ଯେତିକି ଥିଲା ସେତିକି ତା ହାତକୁ ବଢ଼େଇ ଦେଲି । ସେ ପେପର୍ ରେ ପୁଳାଏ ଝାଲ୍ ମୁଢ଼ି ବଡ଼ ପାନ ଖିଲ ପରି କରି ମୋତେ ଧରେଇ ଦେଲା । ଖାଇଲି ସବୁ ଟିକେ ଉଶ୍ୱାସ ଲାଗିଲା।

ତାପରେ ସେଠୁ ବସ୍ ରୁ ଓହ୍ଲାଇ ସାର୍ ଙ୍କୁ ଟ୍ରେନ ଇଞ୍ଜିନ କରି ଆମେ ସବୁ ବଗି ପରି ପଛକୁ ପଛ ତାଙ୍କ ସହ ଚାଲିଲୁ । ସଂଧ୍ୟା ରେ ଆଗ ଯାଇ ପହଞ୍ଚିଲୁ ପୁରୀ ସମୁଦ୍ର କୁଳେ । ସାର୍ ଆଉ ସାଙ୍ଗ ମାନେ ସବୁ ଲହଡି ଭାଙ୍ଗୁ ଥାଆନ୍ତି ମୁଁ ବି ସାଥିରେ ଥାଏ ହେଲେ ସମୁଦ୍ର ପାଣିରେ ପାଦ ଭିଜେଇବା ଠାରୁ ଅଧିକ ଆକର୍ଷିତ କରୁଥାଆନ୍ତି ସେଠି ପଡ଼ିଥିବା ଦୋକାନ ବଜାର ମାନେ । ଶଙ୍ଖ ସାମଗ୍ରୀ ଖେଳଣା ଚାଟ୍ ଗୁପଚୁପ୍ ..... ଏସବୁ ଦେଖି ମୁଁ ସେଆଡକୁ ଚାଲିଗଲି ବିଭିନ୍ନ କିସମ କିସମର ଜିନିଷ ମୁଁ ପ୍ରଥମ ଦେଖି ବିଭୋର ହେଉଥାଏ । ମୋର ସେ ପର୍ଯ୍ୟନ୍ତ ଖେଳନା ପ୍ରୀତି ଛାଡି ନଥାଏ ।ଆଖିଦୃଶିଆ  ଖେଳଣା ଦେଖିଲେ ମନ‌ ଲାଖିଯାଏ ସେଇଠି । ମନେ ଅଛି , ସେଦିନ ବି ଗୋଟେ ପ୍ଲାଷ୍ଟିକ ହେଲିକାପ୍ଟରକୁ ।ବିକାଳୀଟି ହାତରେ ତା'ର କିଛି ଅଂଶ ଟାଣି ଦେଇ ଛାଡି ଦେଉଥାଏ ଆଉ ତା ପଙ୍ଖା ଘିରି ଘିରି ହୋଇ ବୁଲି କିଛି ସମୟ ଉପରକୁ ଉଠିଯାଏ ତାପରେ ପୁଣି ଫେରିଆସେ । ସେ ଖେଳଣା ଟିର କାରନାମା ମୋତେ ଖୁବ୍ ବାନ୍ଧି ରଖିଲା । ଏଥର ପଛକୁ ବୁଲି ଯାଇଛି ତ ଛାନିଆ ହୋଇଗଲି । ସେ ପାଖରେ ଏଇ ଏବେ ଏବେ ଠିଆ ହୋଇଥିବା ସାର୍ ଆଉ ପିଲାମାନେ କେହି ବି ନଥିଲେ । ମୁଁ ବୋଧେ ଅଧିକ ସମୟ ରହିଗଲି ଏ ଦୋକାନ ବଜାର ଆଡ଼େ । ତାପରେ ବେଳାଭୂମିକୁ ଫେରି ଖୋଜି ବୁଲିଲି  ସାର୍ ଓ ସାଙ୍ଗ ପିଲା ମାନଙ୍କୁ , ଚାରିଆଡ଼େ ଚାହିଁଲି ହେଲେ କୋଉଠି ତାଙ୍କର ଚିହ୍ନ ବର୍ଣ୍ଣ ବି ନଥିଲା । କୁଆଡେ ଚାଲିଗଲେ କଣ କଲେ ? ମୋ ମୁଣ୍ଡ ସଂପୂର୍ଣ୍ଣ ବାଇଆ ହୋଇଗଲା । ପାଗଳଙ୍କ ଭଳି ଖୋଜି ବୁଲିଲି ଦୋକାନ ବଜାର ଠାରୁ ସମୁଦ୍ର କୂଳ । ଆରମ୍ଭ ରୁ ଶେଷ ଶେଷରୁ ପୁଣି ଆରମ୍ଭ , ହେଲେ ସେମାନଙ୍କୁ ମୁଁ ପାଇନଥିଲି କି ସେମାନେ ମୋତେ ଖୋଜି ନଥିଲେ , ଏତେ ପିଲା ଭିତରେ ମୋ ଅଭାବ ବୋଧେ ଅନୁଭବ କରି ନଥିଲେ କେହି । ତାପରେ ଭାବିଲି ବସ୍ ପାଖରେ ଯାଇ ଠିଆ ହେବି , ହେଲେ ବସ୍ କୋଉଠି ଥିଲା ତାହା ଖୋଜିବା ମୋ ପାଇଁ କାଠିକର ପାଠ ‌ଥିଲା । ତଥାପି ଚେଷ୍ଟା କଲି ।ବେଳାଭୂମି ରୁ ବାହାରି ଆସି ଗୋଟେ ଦିଗ ରେ ଆଗକୁ ବଢିଲି । ଖୋଜିଲି , ସବୁ ଆଡ଼େ ଭଲକି ନିରିଖେଇଲି ହେଲେ କାହାକୁ ବି ପାଇ ନଥିଲି । କୁଆଡେ ଯାଉଛି ମୁଁ ଜାଣିନି ସେମିତି ଚାଲୁଛି ଶୁନ୍ ଶାନ୍ ବେଳାଭୂମି ରାସ୍ତା ପାର୍ ହୋଇ ଲାଇଟ୍ ଚକମକ ବଜାରର ଆଡ଼େ ଆସିଗଲିଣି ସେତେବେଳେକୁ । କାହାକୁ କିଛି ବି କହୁନଥାଏ ଟିକିଏ ବି । ଭୟ ଥାଏ କାଳେ କଣ କିଏ କହିବ ମୋତେ ଲୁଚେଇ ନେଇ ପଳେଇବ । ସତରେ ସେତେବେଳେ ବାପାଙ୍କ ଠାରୁ ଶୁଣିଥିବା ସେ କଥା ମନରେ ଭୟ ଜନ୍ମାଉଥିଲା ଖୁବ୍ " ଏକ୍, ହୁସିଆର ଥିବୁ ଆଖି ତଡା ବାଆଜି ବୁଲୁଛନ୍ତି ଆଖି ତାଡି ନେଇଯିବେ " । ସତରେ ସେ ବେଳରେ ବି ଏ ଭୟ ଥାଏ ମୋର , ଅଷ୍ଟମ ନବମ ଶ୍ରେଣୀରେ ପଢ଼ୁଥିଲେ ମଧ୍ୟ ସେତେବେଳେ ଏତେ ଚାଲାକ୍ ଚତୁର ନଥିଲି , ସତ କହିବାକୁ ଗଲେ ଏକଦମ୍ ହୁଣ୍ଡା ବୁକଚାବୁହା ଥିଲି । ବର୍ତ୍ତମାନର ପିଲା ମୋ ପରି ଶହେ ଜଣ ପିଲାଙ୍କୁ ଦଶଥର ବିକି ଦଶଥର କିଣି ଦେବେ ଅଛଟକରେ । ଛାଡନ୍ତୁ ସେ କଥା।

ସେତେବେଳେକୁ ହାଣ ମୁଁହକୁ ଛେଳିକୁ ନେବା ପରି ଅବସ୍ଥା ମୋର ଭୟ ଆଉ ଏକଲାପଣ ରେ । ଚାରିଆଡେ ଖେଦି ପକାଇଲି ପାଦ ଯୁଆଡେ ବଢିଲା ସେ ୟାଡେ ଆଗେଇ ଚାଲିଲି । କେହି ଯଦି ସନ୍ଦେହ ଦୃଷ୍ଟିରେ ଚାହିଁ ଦେଉଥିଲା ମୁଁ ସେଠାରୁ ତୁରନ୍ତ ନଜର ଚୋରେଇ ଚାଲି ଆସୁଥିଲି , ସେମାନେ ମୋତେ ସବୁ ପିଲା ଚୋର ବଡ଼ ଡାକୁ ପରି ମନେ ହେଉଥିଲେ ସେତେବେଳେ । କୁଆଡେ ବୁଲିଛି କଣ କରିଛି ମୁଁ ଜାଣିନି କେବଳ ସାର୍ ଆଉ ପିଲା ମାନଙ୍କୁ ଖୋଜି ଖୋଜି ନୟାନ୍ତ ହେଲି । ହତାଶ ହେଲି । ଭୟରେ ଭିତରେ ଭିତରେ ଗୋଟା ପଣେ ମରି ସାରିଥାଏ ସେତେବେଳେକୁ ମୁଁ । ଇଆଡେ ସ୍ୟାଡେ ବୁଲା ବୁଲି କରି ଶେଷରେ ପୁଣି କେମିତି କଣ ପହଞ୍ଚି ଗଲିଣି ସେଇ ସମୁଦ୍ର କୂଳେ ମୁଁ ଜାଣିନି । ମୋର ଯେତିକି ମନେ ଅଛି ବୋଧେ ଦୁଇ ଥର ଖୋଜି ଖୋଜି ପୁଣି ଏଇ ସମୁଦ୍ର କୁଳେ ଆସି ପହଞ୍ଚିଛି ମୋ ନିଜ ଅଜାଣତରେ ।

ସମୟ ପ୍ରାୟ ଦଶ କି ଏଗାର ହେବ ମୋ ଅନୁମାନ।

ଶେଷରେ ନିରୁପାୟ ହୋଇ ସେଇ ସମୁଦ୍ର କୁଳ ଠୁଁ ଯଥେଷ୍ଟ ଦୂରରେ ଗୋଟେ ପୁରୁଣା କେବିନ୍ ଥିଲା ତା କଡ଼ରେ ଜାକି ଜୁକି ହୋଇ ଭୟରେ ଶୋଇଲି । ମଝିରେ ମଝିରେ ଉଠି ପଡୁଥାଏ ସମୁଦ୍ରର ଘୋ ଘୋ ଗର୍ଜନ ଶୁଣି । ସବୁଆଡେ ଶୁନ୍ ଶାନ୍ କେହି କୁଆଡେ ନାହାନ୍ତି । ଭୟରେ ଗୋଟା ପଣେ ମୁଁ ଥରୁଥାଏ ଯେମିତି । ଆଖିକୁ ନିଦ ନାହିଁ , ସତେ ଯେମିତି ଯମକୁ ଡରି ଆଖି ବୁଜି ପଡ଼ି ରହିବା ପରି ମୁଁ ନିରୋଳା ନିଛାଟିଆ କିଟମିଟ୍ ଅନ୍ଧାରକୁ ଡରି ଆଖି ବୁଜି ପଡ଼ି ରହିଥାଏ ଯାହା । ମଝିରେ ମଝିରେ ସମୁଦ୍ର ର ସୁ ସୁ ଘୋ ଘୋ ଗର୍ଜନ ମୋତେ ଡରେଇ ଦେଉଥାଏ । କଣ କରିବି କାନ୍ଦ ଭୟ ଏକଲାପଣ ସବୁ କଥା ମୋତେ ବ୍ୟଥିତ କରୁକରୁ କେତେବେଳେ ମୋତେ ନିଦ ଲାଗି ଯାଇଛି ମୁଁ ଜାଣିନି ।


ସେଇ ଘୋ ଘୋ ଶବ୍ଦ ରେ ମୋ ନିଦ ଭାଙ୍ଗିଲା ଆଖି ଖୋଲିଲି ତ ଭୋର୍ ସମୟ ( ପାଞ୍ଚଟା ଆଖ ପାଖ ସମୟ )।

ସେତେବେଳେକୁ ଭୟରେ ମୋ ପ୍ୟାଣ୍ଟରେ ଝାଡ଼ା ପରିଶ୍ରା ହୋଇ ସାରିଥାଏ । କଣ କରିବି , କିଛି ଦୁରରେ ଦେଖିଲି ସମୁଦ୍ର କୁଳେ ଗୋଟେ ଡଙ୍ଗି ଥୁଆ ହୋଇଛି । ଧିରେ ଧିରେ ଚୋରଙ୍କ ପରି ତା ଆଢ଼ୁଆଳକୁ ଯାଇ ପ୍ରଥମେ ସମୁଦ୍ର ପାଣିରେ ମୁହଁ ଧୋଇଲି ତ ଛାନିଆ ହେଲି , କାରଣ ସେ ପର୍ଯ୍ୟନ୍ତ ମୁଁ ଜାଣି ନଥାଏ ସମୁଦ୍ର ପାଣି ଲୁଣି ବୋଲି । ପାଟିରେ ପାଣି ପୁରେଇଛି ତ ମୁହଁ ଗୋଟେ କେମିତି କେମିତି ହୋଇଗଲା ମୋର । ତାପରେ ପ୍ୟାଣ୍ଟ ଖୋଲି ଧୋଇଲି ପରେ ନିଜେ ବସିକି ଧୁଆ ଧୋଇ ହୋଇ ହେଲା ପରେ ସେଇ ପ୍ୟାଣ୍ଟ କୁ ପିନ୍ଧିଲି ।  ଆଖି ସାମ୍ନାରେ ପ୍ରଥମେ ଦେଖିଲି ଜଣେ କବିଙ୍କୁ

ଯିଏ ଚେକା ପକେଇ ବାଲି ଉପରେ ବସି ଗୋଟେ ଖାତା କଲମ ଧରି ସମୁଦ୍ର ଆଡ଼କୁ ମୁହଁ କରି ବିଭୋର ହୋଇ କିଛି ଲେଖୁ ଥାଆନ୍ତି । ମୁଁ ମୋ ଦୁଃଖରେ ଆଗେଇଲି । କିଛି ଧିବର ମାନେ ତାଙ୍କ ଡଙ୍ଗି ସାଇଜ଼ କରୁଥାଆନ୍ତି । ମୁଁ ଆଗେଇଲି କଣ କରିବି କୁଆଡେ ଯିବି ? ସାର୍ ପିଲାମାନେ ଥିବେ ନା ମୋତେ ଛାଡ଼ି ସେମାନେ ଯାଇସାରିବେଣି ? ହୁଏତ ଥାଇ ପାରନ୍ତି ନହେଲେ ମୁଁ ହଜିଛି ବୋଲି ଜାଣି ନଥାଇ ବି ପାରନ୍ତି । ତଥାପି ନୂଆ ମିସନ୍ ପ୍ରସ୍ତୁତି କରିବା ପରି ପୁଣି ଚାଲିଲି ଖୋଜିବା ପାଇଁ ସଂପୂର୍ଣ୍ଣ ଅପରିଚିତ ଭରସାଶୂନ୍ୟ ଯାଗା  ( ସେତେବେଳେ ମୋ ପାଇଁ ଅବଶ୍ୟ )ରେ ।

ତା ପରେ ବୁଲିଲି କୁଆଡେ ଯିବି ? ପାଦ ଯୁଆଡେ ଆଗେଇଲା ସିଆଡେ ଚାଲିଲି ବୁଲି ବୁଲି ବାଇଆ ପରି ଲାଗିଲାଣି ସେତେବେଳେ କୁ , ସମୟ ମଧ୍ୟାହ୍ନ ବାର କି ଗୋଟେ ହେବ ଭୋକରେ ପେଟ ଗଁ ଗଁ । କାଲି ସଂଧ୍ୟାରୁ କିଛି ଖିଆ ପିଆ ନାହିଁ ଶୋଷରେ ତଣ୍ଟି ଅଠା ଅଠା ।

ସେତେବେଳେକୁ ସମୁଦ୍ର କୂଳ ଛାଡି ପୁଣି ଦୋକାନ ବଜାର ଆଡ଼େ ଆସି ଗଲିଣି । କଥା କହିବାକୁ ବଳ ନାହିଁ କି ପାଦେ ଚାଲିବାକୁ । ବହୁତ କଷ୍ଟ ରେ ଗୋଟେ ଦୋକାନୀକୁ କହିଲି ' ପାଣି ପିଇବି " ସେ ମୋ କଥା ଶୁଣି ମୋତେ ଏମିତି ଦୃଷ୍ଟିରେ ଚାହିଁଲା ମୁଁ ପୁରା ଭୟ ପାଇଗଲି । ତାପରେ " ହାକ୍ ଚାଲ୍ ଏଠୁ " ତା'ର ଏତକ କଥାରେ ମୋର ପିଳେହି ପାଣି , ଭୟରେ ସେ ଯାଗା ଛାଡିଲି । ଆଉ କିଛି ଦୂର ଯାଇଛି ତ ଦେଖିଲି ଗୋଟେ ବନ୍ଦ କେବିନ୍ ତଳେ ପୁରୁଣା ପ୍ଲାଷ୍ଟିକ ବୋତଲ ପଡ଼ିଛି । ଗଲି ଗୋଟେ ଭଲ ଦେଖି ଉଠେଇ ଆଣିଲି । କିଛି ଦୁରରେ ଥିବା ଟିୟୁବଓ୍ବେଲ୍ ରୁ ପାଣି ବହୁତ କଷ୍ଟ ରେ ମାରି ପିଇଲି " ଓଃ କି ଶାନ୍ତି " ଟିକେ ଜୀବନ ପଶିଲା । ହେଲେ ଭୋକରେ ପେଟ ଗଁ ଗଁ । ପାଖରେ ପଇସା ନାହିଁ ସେମିତି ଚାଲିଲି ଯୁଆଡେ ନାଇଁ ସିଆଡେ ।ଦେଖିଲା ବେଳକୁ ପୁଣି ପହଞ୍ଚି ଗଲିଣି ସେଇ ସମୁଦ୍ର କୁଳେ ।

ବୁଲିଲି ସମୁଦ୍ର କୁଳେ କୂଳେ ଆଗକୁ ଆଗକୁ, ସମୟ ଦିନ ଦୁଇଟା ହୋଇଯିବ ପ୍ରାୟ ସେତେବେଳେ କୁ । ସେତେବେଳେ ମୋର ଆଉ ସାର୍ ଓ ପିଲା ମାନଙ୍କୁ ଖୋଜିବାର ଆଗ୍ରହ ବିଲକୁଲ ନଥାଏ , ଭୋକ ସେତେବେଳେକୁ ଶେଷ ସୀମାରେ । ଖାଲି ମନ କହୁଥାଏ କେମିତି କୋଉ ଉପାୟରେ କିଛି ଖାଇବା ମିଳି ଯାଆନ୍ତାକି ମୋତେ ବାସ୍ ଆଉ କିଛି ଲୋଡା ନାହିଁ । ହେଲେ ସେମିତି କିଛି ବି ହେଉନଥିଲା ଖାଇବା ମୋଠୁଁ କେତେ ଦୂରରେ ଥିଲା ତାହା ମୋତେ ଜଣା ନଥିଲା । ଚାଲିଲି ଆଗକୁ ଗୋଟେ ଯାଗାରେ ଆଲବମ୍ ଗୀତ ସୁଟିଂ ହେଉଥିଲା ଦେଖିବାକୁ ଭାରି ଭଲ ଲାଗିଲା ହେଲେ ପେଟରେ ଭୋକ । ସେ ଗୀତଟି ଶେଷ ହେଲା ବେଳକୁ ନାଚୁଥିବା ହିରୋଇନ୍ ଟି ତା ଜଣେ ସାଥୀକୁ କହିଲା - " ଆରେ ପୁରୀ ମନ୍ଦିରରେ ରେ ମାଗଣା ଖାଇବାକୁ ମିଳୁଛି ଯିବାନି କି ?"

ଏଇ କଥାଟା ବୋଧେ ସେ ଥଟ୍ଟା ପରିହାସ ରେ କହିଥିଲେ ତାଙ୍କ ସାଥୀଙ୍କୁ , ମୁଁ କିନ୍ତୁ ତାଙ୍କ କଥା ଶୁଣି ପୁରା ଲୋଭେଇ ଗଲିଣି ସେତେବେଳକୁ , ଆଉ କିଛି ମନରେ ନଥାଏ କେବଳ ଗୋଟିଏ କଥା ପୁରୀ ମନ୍ଦିରରେ ପହଞ୍ଚିବି ମାଗଣା ଖାଇବା ଖାଇବି । କିନ୍ତୁ ମନ୍ଦିର କୁଆଡେ ମୁଁ ଜାଣିନି , ହେଲେ ଟିଭିରେ ସବୁବେଳେ ଦେଖେ ଦୁରରୁ ପତିତପାବନ ବାନା ଉଡୁଥିବାର ଦିଶୁଥିବ ‌। ଚାଲିଲି ଆଗକୁ ସେଠିକା ଆଲବମ୍ ସୁଟିଂ , ଆଉ ଘୋଡା ସବାରି ଯେତେ ସବୁ ଜିନିଷ ମୋତେ ତାଙ୍କ ଆଡ଼କୁ ଆକର୍ଷିତ କରି ମୋତେ ବାନ୍ଧି ରଖିବାକୁ ଯଥେଷ୍ଟ ଥିଲା ହେଲେ ସେ ସବୁ ଏବେ ମୋତେ ଫିକା ଫିକା ଲାଗୁଥିଲା ପେଟର ଭୋକ ଆଗରେ ସବୁକିଛି ମୂଲ୍ୟହୀନ ଆଉ ଅଯଥା ଲାଗୁଥିଲେ । ପାଦରେ ବଳ ନାହିଁ ଟିକିଏ ଆଗକୁ ବଢ଼ିବାକୁ ହେଲେ ମାଗଣା ଖାଇବାର ମୋହ ପାଦକୁ ଜବରଦସ୍ତି ଘୋଷାରି ନେଇ ଚାଲିଥାଏ ଆଗକୁ ଆଗକୁ । ଭୋକରେ ଆଉ ସେଠିକାର ଟାଣ ଖରାରେ ମୁଣ୍ଡ ଝାଇଁ ଝାଇଁ କରି ଦେଉଥାଏ ମନରେ କିଛି ବି ଭାବନା ବି ଆସୁନଥାଏ ସେତେବେଳେ କୁ ଖାଲି ଖାଇବା ଆଉ ପିଇବା ଛଡା ।

ମୋତେ ଲାଗୁଥାଏ ମୁଁ ଯେମିତି ମାସ ମାସ କାଳ ଅଖିଆ ଅପିଆ ଅଛି , ଥକା ଆଉ ଦୁର୍ବଳତାରେ ଯେମିତି ଦୁହିଁ ହୋଇଗଲିଣି ସେତେବେଳେକୁ । ଚାଲି ଗଲା ବେଳେ ବାଲି ସାରା ଆଖି ପହଁରାଉ ଥାଏ କାଳେ କିଛି ଖାଇବା ପଡ଼ିଥିବ ,  ଆଧାଖିଆ କାହାର ବଳକା ଅଇଁଠା ଖାଦ୍ୟ କିଛି ବି ମିଳି ଯାଆନ୍ତାନି ? କିନ୍ତୁ କିଛି ବି ନଥିଲା କେବଳ ବାଲି ଆଉ ଅପରିଷ୍କାର ଜରି ଖୋଳ ବର୍ଯ୍ୟ ବସ୍ତୁ ବ୍ୟତୀତ ।

ଭଲକି ମନେଅଛି , ହଠାତ୍ ଆଖି ସାମ୍ନାରେ ପଡ଼ିଗଲା ଗୋଟେ ଛୋଟ ଚକଲେଟ୍ ହୁଏତ କୋଉ ଛୁଆ ପାଟିରୁ ଖସି ପଡ଼ିଛି , ଅମୃତ ପାଇଗଲା ପରି ଉଠେଇ କି ଚଟାପଟ୍ ଖାଇଦେଲି । ମୋତେ ଲାଗିଲା ଯେମିତି ଶରୀର ସାରା ସେଇ କୁନି ଚକଲେଟ୍ ର ଶକ୍ତି ସଂଚରି ଗଲା ଧିରେ ଧିରେ । ପେଟ ତ ପୁରିଲାନି ହେଲେ ବହୁତ ଭଲ ଲାଗିଲା । ପ୍ରଥମ ଥର ପାଇଁ ଅନୁଭବ କଲି ଯେ କୁନି ଚକଲେଟ ଟି ର ବଡ ସାମର୍ଥ୍ୟ । ଦଶ ପାଦ ହେଉ ବରଂ ଚାଲିବା ପାଇଁ ସେ ଶକ୍ତି ଯୋଗାଇଲା । ମନେ ମନେ ଧନ୍ୟବାଦ ଦେଲି ସେ ଚକଲେଟଟିର ମାଲିକକୁ । ଆଉ ଏମିତି ମିଳି ଯାଆନ୍ତା ନି ?? କିନ୍ତୁ ମିଳି ନଥିଲା କିଛି , ଶରୀରକୁ ଘୋଷାରି ଘୋଷାରି ନେଇ ପହଞ୍ଚିଗଲି ଗୋଟେ ଖମ୍ବ ପାଖରେ । ନିରୋଳା ନିଛାଟିଆ ଯାଗାରେ ଗୋଡ଼ ଲମ୍ବେଇ ବସିଗଲି ହାତକୁ ଦୁଇ କଡ଼କୁ ଫୋପାଡି ଦେଇ କଇଁ କଇଁ ହୋଇ କାନ୍ଦିଲି । କାନ୍ଦିବା ପାଇଁ ବି ଶକ୍ତି ନଥାଏ ତଥାପି ମନ ଭରି କାନ୍ଦିଲି ।,ଭାବିଲି ମୁଁ କ'ଣ ଏଇଠି ଏମିତି ରହିଯିବି ? ଭୋକରେ ଶୁଖି ଶୁଖି ମରିଯିବି ?ସାର୍ ପିଲାମାନେ କି ମାମୁଁ ଘର କେହି ବି ଆସିବେନି ? ମୋତେ ଫେରେଇ ନେବେନି ମୁଁ ଏମିତି ଅଜଣା ଅଚିହ୍ନା ଯାଗାରେ ବୁଲି ବୁଲି ପାଗଳ ହୋଇଯିବି ?

ଗୁହାରି କଲି ଈଶ୍ୱରଙ୍କୁ , ମୋତେ ଫେରାଇ ନିଅ , ନ ଫେରାଇଲ ନାଇଁ ମୋତେ ଖାଇବା କିଛି ଦେଇ ମୋ ଜୀବନ ବଞ୍ଚେଇ ଦିଅ।  ନାଁ କଣ ତମ ଇଛା ? ଆଉ କେତେ ଛଟପଟ କରାଇବ ? ଏମିତି ବହୁତ କିଛି ଉପାସିଆ ପେଟରେ ମାଗୁଣି କଲାବେଳେ...କଇଁ କଇଁ ହୋଇ କାନ୍ଦ ଫିଟିକି ଶୁଭଥାଏ ।କାନ୍ଦୁଥାଏ ... କାନ୍ଦୁଥାଏ ହଠାତ୍ ଦେଖିଲା ବେଳକୁ ଜଣେ କିଛି ଦୂରରେ ଠିଆ ହୋଇ ମୋତେ ନିରିଖେଇ ଅନାଇଛି । ଚାଷୀ ଭଳି ଚେହେରା ମଧ୍ୟ ବୟସ୍କ ଲୋକଟିଏ ।

ମୁଁ ତାକୁ ଦେଖି ହଠାତ୍ କାନ୍ଦ ବନ୍ଦ କରିଦେଲି ସେ ସେମିତି ଚାହିଁଥାଏ ମୋତେ , ମୋତେ ଭୟ ଲାଗିଲା । ମୁଁ ସିଧା ଉଠି ସେଠୁ ଚାଲି ଆସିଲି ସେ ଲୋକଟା ତା ବାଟରେ ପଳେଇଲା ।

ବୁଲି ବୁଲି ବହୁତ କଷ୍ଟରେ ସମୁଦ୍ର କୂଳ ଛାଡି ରାସ୍ତା ଉପରକୁ ଆସିଲି । ପାଦ ଫୋଟକା ପ୍ରାୟ ହୋଇଗଲାଣି ଖରା ତାତିରେ , କାରଣ ଗତ ସଂଧ୍ୟା ରେ ନିଜ ଯୋତା କୁ ସବୁ ପିଲା ବସ୍ ଭିତରେ ହିଁ ରଖି ଦେଇଥିଲୁ । ପାଦ ଯନ୍ତ୍ରଣାକୁ ପେଟ ଭୋକ ବଳି ପଡୁଥାଏ , ହେଲେ ସେତେବେଳେକୁ କେବଳ ଖାଇବା ଛଡା ଅନ୍ୟକିଛି କଷ୍ଟ ମୋତେ  ଜଣା ପଡୁନଥାଏ । ଯେମିତି ହେଉ ମୋର ଖାଇବା ଦରକାର ନହେଲେ ମୁଁ ଆଉଟୁ ପାଉଟୁ ହୋଇ ମରିଯିବି ସେଇ ଅବସ୍ଥା ବୋଧେ ମୋର । ପାଖରେ ଦେଖିଲି ଗୋଟେ ଫଳ ବାଲା ବିକୁଛି ସେଓ ଅଙ୍ଗୁରୁ ବିଭିନ୍ନ ପ୍ରକାର ।ଲୋଭେଇ କି ଚାହିଁ ରହିଲି ସେ ଫଳ ସବୁକୁ । ହେଲେ ମୋ ପାଟି ଖୋଲିଲାନି ତାକୁ ଫଳ ମାଗିବାକୁ ଭୟରେ । ମୁଣ୍ଡ କିଛି କାମ କରୁନଥାଏ ।ପୁଣି ମୁଣ୍ଡରେ ପଶିଲା‌ ପୁରୀ ମନ୍ଦିର ପତିତପାବନ ବାନା , ମାଗଣା ଖାଇବା । ପୁଣି ବୁଲିଲି ଉପରମୁହାଁ ହୋଇ କିନ୍ତୁ ମୋତେ ପତିତପାବନ ବାନା କେଉଁଆଡେ ବି ଦିଶୁନଥିଲା ।

 ଦେଖିଲି ଗୋଟେ ଅଟୋବାଲା ତା' ଅଟୋ ଧରି ଗ୍ରାହକଙ୍କୁ ଅପେକ୍ଷା କରି ଠିଆ ହୋଇଛି । 

ଭୋକରେ ଆଉଟୁ ପାଉଟୁ ହୋଇ କଣ କହିବି କ'ଣ ନକହିବି ଏମିତି ଭାବୁ ଭାବୁ ହଠାତ୍ ମୋ ପାଟିରୁ ବାହାରି ଗଲା -  " ଗୋପଛକ ଯିବ ? "

ସେ କହିଲେ - "ହଁ "

ସେ ଭାବିଲେ ପୁରୀ ଗୋପ , କିନ୍ତୁ ମୁଁ କହୁଥିଲି ଆମ ମାମୁଁ ଘର ଗାଁ ପାଖ ବଜାର ଗୋପଛକ । ( ସେ ଗୋପ ପୁରୀ ଜିଲ୍ଲା , ଆମର ଗୋପଛକ କେନ୍ଦ୍ରାପଡ଼ା ଜିଲ୍ଲା ) ।

ତାପରେ ମୋତେ ପଚାରିଲେ - " ତମ ଗାଁ ?"

ମୁଁ କହିଲି ଆମ ଗାଁ ନାଁ -" ଷାଠିଏ ବାଟି "

ମୁଁ ଯାହା ବି କହିଲି ତାହା ସେତେବେଳ ପାଇଁ ବିଲକୁଲ ଅର୍ଥହୀନ ଥିଲା । ମୁଁ କେନ୍ଦ୍ରାପଡ଼ାର ନାଁ ବି ମୁହଁ ରେ ଧରିନଥାଏ ସେ ବି ମୋତେ ପଚାରୁ ନଥାନ୍ତି । ସେ ଭାବୁଥାନ୍ତି ପୁରୀ ଗୋପ କିନ୍ତୁ ମୁଁ କହୁଥାଏ ଆମ ମାମୁଘର ଗାଁ ବଜାର ଛକ ଗୋପ ଛକ ।

ସେ ପଚାରିଲେ ତାପରେ -" ଏକା ଯେ ? ଆଉ କେହି ନାହାଁନ୍ତି କି ? "

ମୁଁ ସବୁକିଛି କହିଦେଲି ତାଙ୍କ ଆଗେ । ଆମେ ସବୁ ପିକନିକ୍ ଆସିଥିଲୁ , କେମିତି ଗତ କାଲି ସଂଧ୍ୟା ଠୁଁ ହଜି ଯାଇଛି , ମୋ ସାର୍ ଆମ ପିଲାମାନଙ୍କୁ ଆଉ ଖୋଜି ଖୋଜି ପାଉନି ‌।

ସେ ପଚାରିଲେ - " ଖାଇଛୁ ?"

ମୁଁ କହିଲି - " ନା "  

ସେ ମୋ ହାତଧରି ସାଙ୍ଗରେ ନେଇଗଲେ । ମୁଁ ମନା କରୁଥାଏ , ସେ ସାହସ ଦେଇ କହୁଥାନ୍ତି , ଭୟ କରନି ଆ ଆମ ଘରକୁ ଆ ।  ମୁଁ ମନା ପାଟିରେ କରୁଥାଏ ସତ ହେଲେ ପାଦ କିନ୍ତୁ ଆଗକୁ ବଢି ଚାଲିଥାଏ ।

ଗୋଟେ ଛୋଟ ଝୁପୁଡି ଘର ଭିତରକୁ ଯାଇ ତାଙ୍କ ସ୍ତ୍ରୀ ଙ୍କୁ ଡାକିଲେ ମୋ ବିଷୟରେ ସବୁ ତାଙ୍କୁ କହିଲେ । ସେ ସାଙ୍ଗେ ସାଙ୍ଗେ ଗୋଟେ ଲୁଙ୍ଗି ଗାମୁଛା ମୋତେ ବଢାଇ ଦେଇ ଜାମା ପ୍ୟାଣ୍ଟ ପାଲଟି ଦେବାକୁ କହିଲେ । ମୁଁ ସଂକୋଚ ରେ ଠିଆ ହୋଇ ରହିଲି । ପୁରୁଷ ମଣିଷ ଜଣଙ୍କ ଏଥର ଘର ଭିତରକୁ ଡାକିନେଲେ । ତାପରେ ସେଠି ଜାମା ପ୍ୟାଣ୍ଟ ପାଲଟିଲି । ବାହାରକୁ ଆସିଲି ତ ତାଙ୍କ ସ୍ତ୍ରୀ ପ୍ଲାଷ୍ଟିକ ପାତ୍ର ଗୋଟାକରେ ପାଣି ଭର୍ତ୍ତିକରି ଜଗ ରଖି ସାରିଥିଲେ । ସେ କହିଲେ ମୁଁ ଗାଧୋଇଲି । ତାପରେ ପ୍ୟାଣ୍ଟ ସାର୍ଟ ପିନ୍ଧି ସାରିଲି ତ ଚଟ ଦେଲେ ବସିବାକୁ , ବସିଲି । ତାଙ୍କ ସ୍ତ୍ରୀ ପଖାଳ କଂସାରେ କଂସାଏ ବାଢି ଦେଲେ ତା ସହ ତାଟିଆରେ ଚାଖଣ୍ଡେ ଲମ୍ବ ର ହେବ କି ମାଛ ( ଜାଣିନି ସେ କି ମାଛ ) ବାଟଣରେ କଷା ହୋଇଥିଲା । 

"ଖାଅ "ସେ କହିଲେ । ଓଃ .. ମୁଁ ତ ଅପେକ୍ଷା ରେ ହିଁ ଥିଲି ଏଇ ପଦିଏ ଶବ୍ଦ ଶୁଣିବା ପାଇଁ । ଗାଉଁ ଗାଉଁ କରି ଖାଇଗଲି ସବୁତକ ଖୁବ୍ କମ୍ ସମୟରେ । ତାପରେ ତାଙ୍କ ସ୍ତ୍ରୀ ଙ୍କୁ ପଚାରିବାକୁ ପଡିଲାନି ମୋ ମୁହଁ ଦେଖି ଜାଣିଦେଲେ , ପୁଣି କଂସାରେ କଂସାଏ ପଖାଳ ଭର୍ତ୍ତି କରି ମାଛ କେଇ ଖଣ୍ଡ ଦେଇ କହିଲେ -" ଖାଅ "

ଖାଇଦେଲି ସବୁ । ନୂଆ ଜୀବନ କି ମିଳିଗଲା ମୋତେ ! ମୋ ପାଇଁ ପୁରୀ ମହାପ୍ରସାଦ ଅଭଡ଼ାଠାରୁ ବି ଆହୁରି ପବିତ୍ର ଆହୁରି ମହାର୍ଘ ଥିଲା ଏ ଦୁଇ କଂସା ପଖାଳ ଆଉ କେଇଖଣ୍ଡ ମାଛ ଭଜା । 

ତାପରେ ସଉପ ପାରି ଦେଲେ ମୁଁ ଗଡିଲି । ଭଲ ମନ୍ଦ କେତେ କଥା ଟିକି ନିଖି ପଚାରିଲେ ମୋତେ  । ସବୁ କହିଗଲି । ଟିକେ ବିଶ୍ରାମ ନେବା ପରେ ଅଟୋ ବାଲା ମୋତେ ସାଙ୍ଗରେ ଆଣିଲେ ଅଟୋରେ ବସେଇ କହିଲେ , " ମୁଁ ଯୋଉଠି କି ଗରାଖ ନେଇ ଯିବି ତୁ ଆଖି ବୁଲେଇବୁ , ଯଦି ତମ ଗାଁ ଲୋକ କି ସାର୍ ପିଲାମାନଙ୍କୁ ଦେଖିଲୁ ତେବେ ପଳେଇବୁ ନହେଲେ ସଂଧ୍ୟାକୁ ମୁଁ ତମ ଘରେ ନେଇ ତତେ ଛାଡ଼ି ଦେଇ ଆସିବି । "

ମୁଁ ହଁ କଲି ।

ତାପରେ କହିଲେ ସେ -" ଏମିତି ତୋପରି ଆଉ ଜଣେ ଗୋଟେ ବୁଢ଼ୀ ମାଆଟି ବି ହଜି ଯାଇଥିଲା ମୁଁ ତାକୁ ଘରକୁ ଡାକି ଖୋଇ ପେଇ ବିଦା କରିଥିଲି , ସେ ବୁଢ଼ୀ ମାଆ ଏବେବି ଆମ ଘରକୁ ଆସେ । "

ମୁଁ ଶୁଣି ଖୁସି ହେଲି ।

ତାପରେ ମୋତେ ତାଙ୍କ ପାଖରେ ବସେଇ ବୁଲାଇଲେ ସବୁ ଆଡ଼େ ( ଯୁଆଡେ ତାଙ୍କ ଗରାଖ ମାନଙ୍କୁ ନେଲେ ସିଆଡେ ) । ମୁଁ କିନ୍ତୁ ଜଣେ କାହାକୁ ବି ଦେଖି ପାରୁନଥିଲି ଚିହ୍ନା ଜଣା ଲୋକ ।

ତାପରେ ସଂଧ୍ୟା ହୋଇ ଯିବାରୁ ମୋତେ ତାଙ୍କ ଅଟୋରେ ବସାଇ ଥାଆନ୍ତି , ଆଉ ଜଣେ ଲୋକ ଚାକିରିଆ ପରି ଲାଗୁଥିଲେ , ମୋତେ ତାଙ୍କ ସାଙ୍ଗରେ ଡାକିଲେ ଯିବାପାଇଁ , ମୁଁ  ଅଟୋବାଲା ମୁହଁକୁ ଚାହିଁଲି ସେ ଅନୁମତି ଦେଲେ ତାଙ୍କ ସାଙ୍ଗରେ ଯିବାପାଇଁ । ସେ ମୋତେ ଦୁଇ ତିନି ତାଲା ହେବ କୋଠା ଘର ଛାତ ଉପରକୁ ନେଇଗଲେ । ଥଣ୍ଡା ପବନ ବୋହୁଥିଲା ସେଠି ସବୁକଥା ପଚାରିଲେ ମୁଁ ସବୁ କହିଲି , ଶେଷରେ ପଚାରିଲେ , " ତମ ଜିଲ୍ଲା କୋଉଠି ?"

 ମୁଁ କହିଲି -" କେନ୍ଦ୍ରାପଡ଼ା "

ସେ ମୋତେ ତଳକୁ ନେଇ ଆସିଲେ , ଅଟୋବାଲାକୁ କହିଲେ -" ଆରେ, ୟାଙ୍କ ଜିଲ୍ଲା କେନ୍ଦ୍ରାପଡ଼ା, ତାକୁ ଏଠି କ'ଣ ବୁଲାଉଛ ? ଯାଅ ଥାନାରେ ଦେଇ ଦିଅ ୟାକୁ ନହେଲେ ତମକୁ ପିଲାଚୋର କହି ପାରନ୍ତି ।"

ତାପରେ ମୋତେ ଅଟୋରେ ବସେଇ ନେଇ ଥାନାରେ ଛାଡି ଦେଇ ଆସିଲେ ଥାନା ବଡ଼ ବାବୁଙ୍କ ଜିମାରେ ସେ ।

ଆଗରୁ ପୁରୀର ସବୁ ଥାନାକୁ ଖବର ଦିଆ ସରିଥିଲା ।

ତେଣୁ ସେମାନେ ଫୋନରେ କଥା ହୋଇ ଥାନା ଗାଡିରେ ମୋତେ ନେଇ ଛାଡ଼ିଦେଇ ଆସିଲେ ସାର୍ ଆଉ ମାମୁଁ ସମେତ ମାମୁଁ ଘର ଗାଁର  କିଛି ଲୋକ ଠିଆ ହୋଇଥିବା ଯାଗାରେ । ତାପରେ ମୁଁ ମାମୁ ଘରକୁ ଫେରିଲି । 

କିନ୍ତୁ ଏଡେ ହତଭାଗାଟାଏ ମୁଁ , ମୋତେ ଛାଡି ଗଲାବେଳକୁ ଶେଷ ଥର ପାଇଁ ସେ ଅଟୋବାଲାକୁ ମୁଁ ଧନ୍ୟବାଦ ଟିଏ ବି ଦେଇ ପାରିଲିନି । ତାଙ୍କର ସେଇ ଦି କଂସା ପଖାଳ ଆଉ ତାଟିଏ ମାଛ ଭଜା ପାଖରେ ମୁଁ ଜୀବନ ସାରା ଋଣୀ ରହିଗଲି । ପରେ କେତେ ଥର ଗଲିଣି ପୁରୀ ହେଲେ ଏବେ ସେ ଯାଗା ସବୁ ବହୁତ ବଦଳି ଗଲାଣି କିଛି ଜାଣି ପାରୁନି ।

ସତରେ ସମସ୍ତଙ୍କ ଜୀବନରେ କେହି ନା କେହି ଦେବତା ଆସନ୍ତି ।ମୋ ଜୀବନରେ ସେ ଅଟୋବାଲା ଦେବତା ଠୁଁ କିଛି କମ୍ ନଥିଲେ କି ନାହାଁନ୍ତି ମୋ ପାଇଁ ଆଜି ଯାଏଁ  ।

ଯଦି ସେ କିମ୍ବା ତାଙ୍କ ପତ୍ନୀଙ୍କ ସହ ମୋର କେବେ ସାକ୍ଷାତ ହୁଏ ତେବେ ମୋର ଜୀବନର ସବୁଠୁ ବଡ଼ ଅବସୋସଟି ପୂରଣ ହୋଇଯିବ ।

ଈଶ୍ୱର ତାଙ୍କୁ ସପରିବାରେ ଖୁସିରେ ରଖନ୍ତୁ ସବୁବେଳେ🙏

------------------------୦-----------------

_-_-_-_-_-_-_-_-_-_-_-_-_-_

ଇଏ କୌଣସି କାହାଣୀ ନୁହେଁ ମୋ ପିଲା ବେଳର କଥା ।

ବହୁତ ଦିନରୁ ଚେଷ୍ଟା କରି ବି ଲେଖି ପାରି ନଥିଲି ।

କାସ୍ ସେ ଦୁହେଁ ମୋ ଲେଖା ପଢି ଜାଣି ପାରନ୍ତେ କି ମୁଁ ତାଙ୍କୁ କେତେ ଖୋଜୁଛି ବୋଲି , ସେତକ ବହୁତ ହୁଅନ୍ତା ମୋ ପାଇଁ ।

( ସତରେ ଏ ଦୁନିଆଁ ର ଭିଡ଼ ଭିତରେ ଜଣେ ଜଣେ ଏମିତି ମଣିଷ ଙ୍କ ସଂସ୍ପର୍ଶରେ ଆମେ ଆସୁ ବା ଆମ ସଂସ୍ପର୍ଶରେ ସେ ଆସନ୍ତି ଯିଏ ଜୀବନରେ ଏମିତି ଛାପ ଟେ ଛାଡି ଯାଆନ୍ତି ଯେ ଯାହାକୁ କେବେ ଭୁଲି ହୁଏନି )


_____________୦୦୦___________

✍️...ପରମେଶ୍ବର ଓଝା

ମହାକାଳପଡ଼ା

କେନ୍ଦ୍ରାପଡ଼ା 

ମୋ-- ୬୩୫୫୧୩୩୩୦୧

ମେଲ୍ -- ojhaparameswar@gmail.com







Rate this content
Log in

Similar oriya story from Inspirational