ଅକ୍ଟୋପସ୍
ଅକ୍ଟୋପସ୍




ଦୂର ଦିଗ୍-ବଳୟରେ ମଲା ଜହ୍ନଟା ଦାନ୍ତ ଦେଖେଇ ହସୁଥିଲା ବେଳେ ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଥିଲା ସରିତା ।ସେ ଜାଣେ ,ସେ ଯନ୍ତ୍ରଣାଟା ତା' ଛାତି ଭିତରେ ଥିବା ଏକ ପୁରୁଣା ପୋଡା ଘାଆ ।ସେ ଆଜିର ନୁହେଁ, ଦୀର୍ଘ ଦଶ ବର୍ଷ ତଳର ।ସେ ଘାଆଟା ଆଜିଯାଏ ଶୁଖିନାହିଁ ।ବେଳେବେଳେ ସେଥିରୁ ରକ୍ତ ଝରି ଜମାଟ ବାନ୍ଧିଯାଉଛି ତା' ଛାତିରେ ଓ ପେଟରେ । ସେଇ ଯନ୍ତ୍ରଣାଦାୟକ ସ୍ମୃତିଗୁଡାକୁ ହୃଦୟ ଭିତରୁ ପରସ୍ତ ପରସ୍ତ କରି ଓଟାରି ଛିଣ୍ଡେଇ ଦେବାକୁ ମନ ବ୍ୟାକୁଳ ହୁଏ ।କିନ୍ତୁ ତା'କୁ ସହଜରେ ଛିଣ୍ଡେଇ ହୁଏନା କି ନଷ୍ଟ କରି ହୁଏନା ।
ସେ ସବୁ ଅନେକ ଦିନ ତଳର କଥା ।ସେତେବେଳେ ସରିତା ଷୋଳ ସତର ବର୍ଷର ତରୁଣୀ ।ଦେହରେ ତା'ର ଖୁନ୍ଦି ହୋଇ ରହିଥିଲା ଯୌବନ ।ନୀଳ କଇଁ ସଦୃଶ ଚକ୍ଷୁ ଦୁଇଟିରେ ଅୟୂତ ଯୁଗର ଅକୁହା କାହାଣୀ । ତା'ର ଛନ୍ଦାୟିତ ପଦପାତରେ ସତେ ଯେମିତି ଫୁଟି ଉଠୁଥିଲା ଶତପଦ୍ମର ସୌନ୍ଦର୍ଯ୍ୟ ।ପାଉଁଜିର ରୁଣୁଝୁଣୁରେ ଜୀବନ୍ୟାସ ପାଉଥିଲେ ଗୁଳ୍ମଲତା । ରୁପଚୋରା ପବନ ବି ଅମାନିଆ ଭାବେ ତା' ଦେହରେ ଘଷି ହେଇ ଚାଲି ଯାଉଥିଲା । ରାସ୍ତାଘାଟରେ ଗଲାବେଳେ ଶହଶହ ଲୋଭିଲା ଆଖି ତା' ଉପରେ ଅଜାଡି ହେଇ ପଡୁଥିଲା । ନଈର ଉପର ମୁଣ୍ଡରେ ବର୍ଷାହେଲେ ନଈ ଉଛୁଳି ବନ୍ଧବାଡ ଭାଙ୍ଗି ବନ୍ୟା ହେଲା ପରି ଯୌବନ ଭାରରେ ଭାବପ୍ରବଣତାର ନଈ ସୁଅରେ ଭାସି ଚାଲିଥିଲା ସେ ।
ହଠାତ୍ ତା' କୁନି ପୁଅଟିର କାନ୍ଦରେ ଭାବନା ରାଇଜରୁ ଫେରି ଆସିଲା ସେ ।ତା'କୁ କୋଳକୁ ଆଉଜାଇ ନେଇ ପାଖରେ ନିଶ୍ଚିନ୍ତରେ ଶୋଇଥିବା ସ୍ବାମୀକୁ ପରିତୃପ୍ତିରେ ଦେଖିଲା ସେ । ସ୍ବାମୀ ଓ ସନ୍ତାନକୁ ନେଇ ଏକ ହସଖୁସିର ସଂସାର ଥିଲେ ବି ସାଗର କଥା କେତେବେଳେ କେମିତି ମନେପଡି ଦାରୁଣ କଷ୍ଟ ଦେଉଥିଲା ତା'କୁ । ସେମିତି ଏକ ଜ୍ୟୋତ୍ସ୍ନାବିଧୌତ ରଜନୀରେ ତା'ର କୁମାରୀ ଜୀବନର ସମସ୍ତ ସଞ୍ଚିତ ସ୍ବପ୍ନକୁ ଦଳିମକଚି ନଷ୍ଟ କରି ଦେଇଥିଲା ସେ ।ସେ ଦିନର କଥା ଏବେ ବି ମନେପଡିଲେ ଦେହ ଶୀତେଇ ଉଠୁଥିଲା ତା'ର ।
ସାଗରକୁ ନେଇ ସରିତା ମନରେ ରଙ୍ଗର ପ୍ରଲେପ ଲେପିହୁଏ ।ମନରେ ଆଶା ଆକାଂକ୍ଷା କଷି ଧରେ ।ସାଗରକୁ ଜୀବନସାଥୀ କରି ଛୋଟିଆ ସଂସାର ଗଢିବାର ସ୍ବପ୍ନ ଦେଖେ । ତା' ମନ ମନ୍ଦିରରେ ସାଗରକୁ ଦିଅଁ ସଜାଇ ପ୍ରୀତି ଫୁଲ ହାର ଚଢାଏ । ପ୍ରେମର ପ୍ରଦୀପ ଜାଳେ ।କିନ୍ତୁ ପ୍ରେମର ଖସଡା ପଥରେ ପାଦ ଥାପିବା ଆଗରୁ ଯେ ସତର୍କ ହେବା ନିହାତି ଆବଶ୍ୟକ ଏ କଥା ଅନ୍ଧ ତରୁଣ ତରୁଣୀ ଜାଣିବା ଆବଶ୍ୟକ ମନେ କରନ୍ତିନି ।ବିଶ୍ବାସରେ ବିଷର ମାତ୍ରା କେତେ ରହିଛି ତାହା କଳିବା ଉଚିତ୍ ମଣନ୍ତିନି ;ଯାହାର ପରିଣାମ ତାଙ୍କୁ ପରବର୍ତ୍ତି ସମୟରେ ଭୋଗିବାକୁ ପଡିଥାଏ ।
ଏକ ପ୍ରଗଳ୍ଭା ନଦୀ ସମୁଦ୍ରରେ ଝାସ ଦେଲା ପରି ସରିତା ସାଗର ବକ୍ଷରେ ହଜି ଯାଇଥିଲା । ସେ କେବଳ ଭିଜିବାରେ ଲାଗିଥିଲା ସାଗରର ଲୁଣି ପାଣି ଗୁଡାକରେ । ହେଲେ ଏକ ବିରାଟ ଲହଡି ତା'କୁ ଯେ ସାଗର ଭିତରେ ବୁଡାଇ ମାରିବ ଏ କଥା ସେ କଳ୍ପନା ବି କରି ନ ଥିଲା ।
ସେଦିନ ଆକାଶରେ ହସୁଥିଲା ପୂର୍ଣ୍ଣମୀର ଜହ୍ନ ।ଅଦିନିଆ ବାଦଲ ଜହ୍ନକୁ ଢାଙ୍କି ଦେଲାବେଳେ ମଝିରେ ମଝିରେ ମୁକ୍ତାପରି ତାରାମାନେ ଉଙ୍କି ମାରୁଥାନ୍ତି । ଚଇତାଳି ପବନରେ ଆମ୍ବ ବଉଳର ବାସ୍ନାରେ ମହକି ଉଠୁଥାଏ ପରିବେଶ । ଦୂରନ୍ତ ଆମ୍ବ ଡାଳରୁ ପକ୍ଷୀ ଯୁଗଳଙ୍କ ଅସ୍ଫୁଟ ରାଗିଣୀ ପରିବେଶକୁ ଅଧିକ ରୋମାଞ୍ଚିତ କରୁଥିଲା । ଆଉ ୟା'ରି ଭିତରେ ସମ୍ମୋହନର ମାୟାଜାଲଟେ ବୁଣି ଚାଲିଥିଲା ସାଗର ।ସାଗର ର ମିଠା କଥାରେ ଭୁଲିଯାଇଥିଲା ସରଳା କିଶୋରୀ ସରିତା ।ତା'କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତା'ର ସର୍ବସ୍ବ ଲୁଟି ନେଇଥିଲା ।ସବୁଦିନ ପାଇଁ ଲୁଟି ନେଇଥିଲା ତା'ର ନାରୀତ୍ବର ସମସ୍ତ ଅହଙ୍କାର ।ସରିତାର ସମଗ୍ର ଶରୀରଟା ଯନ୍ତ୍ରଣାରେ ଛଟପଟ ହେଉଥିଲା ।ତା'କୁ ଜଣାଯାଉଥିଲା ଯେମିତି ଏକ କ୍ଷୁଧିତ ଅକ୍ଟୋପାସ୍ ତା'କୁ ଜାବୁଡି ଧରିଛି ।କିଛି ସମୟ ଭିତରେ ପିଣ୍ଡରୁ ତା'ର ପ୍ରାଣଟା ଛାଡିଯିବ ।ହେଲେ ମରି ପାରିନଥିଲା ସେ ।ସାଗର ତା'କୁ ଆଶ୍ବାସନା ଦେଇଥିଲା - "ମୁଁ ତମକୁ କଥା ଦେଇଛି ସରିତା....।" ସହି ନେଇଥିଲା ଅହଙ୍କାରୀ ଅକ୍ଟୋପସ୍ ର ତିକ୍ତ ମଧୁର ପାଶବିକତାକୁ । ସାଗର ଆଶ୍ବାସନାର ଊର୍ମିମାଳା ତା'କୁ ପୁଣି କୂଳକୁ ଟାଣି ଆଣିଥିଲା ।
ପ୍ରେମରେ ପ୍ରତିଶ୍ରୁତି ତ ରହିଛି, ହେଲେ ତାହା ଯଦି ପ୍ରତାରଣାର ରୂପ ନିଏ , ପ୍ରେମ ହୁଏ ଧୋକା ।ପ୍ରେମିକ ଯଦି ପ୍ରତାରକ ଓ ଧୋକାବାଜ ହୁଏ ସେଇ ବିଶ୍ବାସଘାତକୁ ପାଥେୟକରି ଭଗ୍ନ ମନରେ ଅବଶିଷ୍ଟ ଜୀବନ ପଥ ଅତିକ୍ରମ କରିବା ପ୍ରେମିକା ପକ୍ଷରେ ଦୁର୍ବିସହ ହେଇଉଠେ ।
ସାଗର ପରି ଯୁବକମାନେ ଅମାବାସ୍ୟାର ଅନ୍ଧକାର ଭିତରେ ଆଲୋକର ମହୋତ୍ସବ ସୃଷ୍ଟି କରିବାର ସ୍ବପ୍ନ ଦେଖାନ୍ତି , ସାହାରା ମରୁଭୂମିରେ ଅମରାବତୀର ନନ୍ଦନକାନନ ଗଢିବାର ପ୍ରତିଶ୍ରୁତି ଦିଅନ୍ତି ।ବିଚରା ସରିତା ପରି ନବ୍ୟ ତରୁଣୀମାନେ ଯୌବନର ପ୍ରଥମ ପ୍ରତ୍ୟୁଷରେ ଭଲ ପାଇବାର ନୀଡ ରଚନା କରିବାକୁ ଯାଇ ସେମାନଙ୍କ ପ୍ରେମ ଫାଶରେ ଧରାପଡି ଡହଳବିକଳ ହୁଅନ୍ତି ।କାଳବୈଶାଖୀରେ ସେ ନୀଡ ଯେ କାହିଁ କେତେଦୂର ଉଡିଯାଏ ତାହା ସେମାନେ କଳ୍ପନା ସୁଦ୍ଧା କରିପାରନ୍ତି ନାହିଁ ।
ସମୟର ମହୌଷଧି ଖାଇ ସବୁ ଭୁଲିହୁଏ ।ଭୁଲି ହୁଏନି ମନ ତଳର କ୍ଷତ ।ସମୟର ଜୁଆରରେ ସାଗର ବେଳାଭୂଇଁରୁ ଲିଭିଯାଏ କେତେ ସ୍ମୃତିର ପାଦଚିହ୍ନ ।ତଥାପି ଯେଉଁ କେତୋଟି ରହିଯାଏ ସେ କେବଳ ସାରା ଜୀବନ ଜଳିବା ପାଇଁ ଯଥେଷ୍ଟ ।ସାଗର ସେମିତି ସରିତା ପାଖରେ ଛାଡି ଯାଇଛି ଅତୀତ ଜୀବନର କୁଢକୁଢ ସ୍ମୃତି ।ଯେଉଁ ସ୍ମୃତି ତା'ର ମନକୁ ପ୍ରତି ମୁହୂର୍ତ୍ତରେ କରୋନା ଭୂତାଣୁ ପରି ଖିନଭିନ୍ କରି କ୍ଷତବିକ୍ଷତ କରୁଛନ୍ତି ।
ଯେଉଁଦିନ ସରିତା ନିଜ ପ୍ରିୟ ବାନ୍ଧବୀ ସୀମାର ଆତ୍ମହତ୍ୟା ଖବର ପାଇଲା ସେଦିନ ତା' ପାଦ ତଳୁ ମାଟି ଖସିଗଲା ପରି ଲାଗିଲା ।କାରଣ ସୀମା ତା' ବାପା ମାଆଙ୍କର ଗୋଟିଏ ବୋଲି ଝିଅ ଥିଲା ।ଗେଲବସରରେ ପିଲାଟି ଦିନରୁ ବଢି ଆସିଥିଲା ।କୌଣସିଥିରେ ଅଭାବ ନ ଥିଲା ତା'ର ।କଲେଜରେ ବି କୌଣସି ପୁଅକୁ ଖାତିର କରୁ ନ ଥିଲା ।ତା'କୁ କମେଣ୍ଟ୍ ମାରିବାକୁ ପୁଅମାନଙ୍କର ସେମିତି କଲିଜା ଦରକାର ଥିଲା ଆଉ ଜିଭରେ ହାଡ ।ସେ ପୁଣି କାହିଁକି ନିଜ ଜୀବନକୁ ଏମିତି ଅକାଳରେ ନଷ୍ଟ କରିଦେଲା..? ଖବର ପାଇବା ପରେ ସେ ଦଉଡି ଯାଇଥିଲା ତା'ଙ୍କ ଘରକୁ ।ମାଉସୀଙ୍କର ଚେତା ନ ଥାଏ ପ୍ରାୟ । ପୋଷ୍ଟମର୍ଟମ ପରେ ତା'ର ଶବଦାହ କରିବାକୁ ମଶାଣିକୁ ନେଇ ସାରିଥିଲେ ।ସେ ସିଧା ତା'ର ଶୋଇବା ଘରକୁ ଚାଲିଗଲା ।କିଛି ସୁରାକ ପାଇବା ଆଶାରେ ତା'ର ବହିପତ୍ର ଖେଳେଇବାକୁ ଲାଗିଲା ।ତା'ର ଡାଏରୀ ଉପରେ ନଜର ପଡିବା ମାତ୍ରେ ଖୋଲି ପଢିବାକୁ ଲାଗିଲା ।ପଢିସାରି ସେ ଆଶ୍ଚର୍ଯ୍ୟ ହୋଇଗଲା ।ତା'ର ଆତ୍ମହତ୍ୟାର କାରଣ ଯେ ସାଗର ଥିଲା ଏ କଥା ଜାଣିବା ପରେ ସାଗର ପ୍ରତି ଥିବା ତା'ର ଘୃଣା ବହୁଗୁଣିତ ହେଇଗଲା ।କାରଣ ସୀମା ସାଗରର ପିଲାର ମାଆ ହେବାକୁ ଯାଉଥିଲା । ସୀମା ତା'କୁ ବିବାହ ପାଇଁ କହିବାରୁ ସେ କଥାକୁ ସାଗର ପ୍ରତ୍ୟାଖ୍ୟାନ କରି ତା'କୁ ଧିକ୍କାର କଲା । ଅନନ୍ୟୋପାୟ ହୋଇ ସେ ମରଣ ପଥର ଯାତ୍ରୀ ହେଇଗଲା ।କେବଳ ସରିତା କି ସୀମା ନୁହେଁ , ଅନେକ ଝିଅଙ୍କ ଜୀବନ ସହିତ ଖେଳିଥିଲା ସେ ।ନିଜ ସ୍ବାର୍ଥ ହାସଲ ପରେ ସେମାନଙ୍କୁ ଅଦରକାରୀ ମନେକରି ପୁଣି ନୂତନ ଝିଅ ସନ୍ଧାନରେ ଲାଗି ଯାଉଥିଲା ।ଏତେ ସବୁ ପରେ କେମିତି ତା'କୁ ଧର୍ମ ସହୁଥିଲା କେଜାଣି ???
ସେତିକିବେଳେ ଆଲାରାମଟା ଖୁବ୍ ଜୋରରେ ବାଜି ଉଠିଲା ।ଭାବନା ରାଜ୍ୟରୁ ଫେରି ଆସିଲା ସରିତା ।ସ୍ବାମୀ ଓ ପୁଅ ଏବେବି ଶାନ୍ତିରେ ନିଦ୍ରା ଯାଇଥିଲେ ।ସେଦିନ ସପରିବାର ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟସୂଚୀ ଚୂଡାନ୍ତ କରିଥିଲେ ସେମାନେ ।ତେଣୁ ତରବରରେ ଉଠି ନିଜ ଗାଧୁଆ ଘରକୁ ଚାଲିଗଲା ସେ ।ନିତ୍ୟକର୍ମ ସାରି ସ୍ବାମୀକୁ ଉଠେଇଦେଲା । ଠିକ୍ ସମୟରେ ସମସ୍ତେ ପ୍ରସ୍ତୁତ ହୋଇ ନିଜ କାର୍ ରେ ବାହାରି ପଡିଲେ କାଳିଆ ଦର୍ଶନ ପାଇଁ । ଘରଠାରୁ ପ୍ରାୟ ଦୁଇ ଘଣ୍ଟାର ରାସ୍ତା ।ଖଣ୍ଡେ ଦୂରରେ କାର୍ ପାର୍କିଂ କରି ବଡ ଦାଣ୍ଡରେ ଚାଲିଚାଲି ଆଗେଇଲେ ଦୁହେଁ ।ସରିତା ନିଜ ପୁଅକୁ କାଖେଇ ନୀଳଚକ୍ରର ପତିତପାବନ ବାନା ଆଡେ ଅନେଇ ଅନେଇ ଚାଲିଥାଏ ।ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀ ଚାରିପାଖରୁ ଅନେକ ଦୋକାନ,ମଠ ଓ ଘରକୁ ଉଚ୍ଛେଦ କରାଯାଇଥିଲା । ଅନେକ ପ୍ରାଚୀନ ଐତିହ୍ୟ ମାଟିରେ ମିଶି ଯାଇଥିଲା ।ଇତିହାସ ପ୍ରସିଦ୍ଧ ଏମାର ମଠ ବି ବାଦ୍ ଯାଇ ନ ଥିଲା ।ଖୁବ୍ ମେଲାମେଲା ଲାଗୁଥିଲା ପରିବେଶ ।ପ୍ରଶାସନ ତରଫରୁ ସୌନ୍ଦର୍ଯ୍ୟକରଣର ବ୍ୟବସ୍ଥା ବି କରାଯାଇଥିଲା ।ଅବଶ୍ୟ ବଡ ଦାଣ୍ଡରୁ ଓ ଶ୍ରୀମନ୍ଦିର ସମ୍ମୁଖରୁ ଭିକାରୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଓ ଥଇଥାନ କାର୍ଯ୍ୟ ଏ ପର୍ଯ୍ୟନ୍ତ ଠିକ୍ ଭାବେ ହୋଇ ପାରି ନ ଥିଲା ।
ସରିତା ଯେତେବେଳେ ପୁ୍ରୀ ଆସେ ସେଇ ଭିକାରୀମାନଙ୍କ ପାଇଁ ଘରୁ ଖୁଚୁରା ପଇସା ନିଜ ଭ୍ୟାନିଟିରେ ଆଣିଥାଏ ।ଆଜି ବି ସେମାନଙ୍କୁ ପଇସା ଦେଉଥାଏ ।ଆଉ ଏମିତି ସହୃଦୟା ମାଆଟିଏ ପାଇଗଲେ ଭିକାରୀ ଭିକାରୁଣୀଙ୍କ ଖୁସି କହିଲେ ନ ସରେ । ଆଗକୁ ଆଗଉଥିଲା ବେଳେ ହଠାତ୍ ଗୋଟେ ଭିକାରୀ ପାଖରେ ଅଟକିଗଲା ସରିତାର ହାତ ଓ ପାଦ ।ମୁହଁଟା ଚିହ୍ନାଚିହ୍ନା ଲାଗିଲା ତା'କୁ ।ପାଦକୁ ଚାହିଁ ଜାଣିଲା ଯେ କେତେଟା ଆଙ୍ଗୁଠି ଛିଣ୍ଡି ଯାଇଥିଲା ବ୍ୟାଧିର ଆକ୍ରମଣରେ । ପଇସା ବଢାଇଲାବେଳେ କୁଷ୍ଠରୋଗୀଟିର ଆଖି ସହିତ ତା'ର ଆଖି ପଡିଗଲା ।ସେ ଯେ ସାଗର ଥିଲା , ତା'କୁ ଚିହ୍ନିବାରେ ସରିତାର ବିଶେଷ ଅସୁବିଧା ହେଲାନି । ପ୍ରେମ ନାମରେ ଧୋକା ଓ ବିଶ୍ବାସ ନାମରେ ଛଳନାର ଆଶ୍ରୟ ନେଇଥିବା ସାଗରର ଶେଷ ପରିଣତି ଯେ ଏତେ କରୁଣ ହେଇପାରେ ତାହା ସରିତା କେବେ ଭାବି ନ ଥିଲା ।
ନଦୀର ଅନୁକୂଳତାରେ ଜୋର୍ ରେ ଗତିଶୀଳ ଡଙ୍ଗା ଯଦି ପ୍ରତିକୂଳତାରେ ବିପରୀତମୁଖୀ ହୁଏ ତାହା ପଥିକ ପାଇଁ କେତେ ଦୁର୍ଭାଗ୍ୟଜନକ ତାହା ସାଗର ର ଅବସ୍ଥା ଦେଖି ସହଜରେ ଅନୁମାନ କରି ହେଉଥିଲା ।ଅନେକ ଝିଅଙ୍କ ଜୀବନ ସହ ଖେଳି ସାରିବା ପରେ କୁଷ୍ଠ ବ୍ୟାଧିର ଶିକାର ହେଲା ସେ ।ପରିଣାମ ସ୍ବରୂପ ସାମାଜିକ ବାସନ୍ଦ ହୋଇ ତା'ର ବାପାମାଆ ଆତ୍ମହତ୍ୟା କଲେ । ଅନ୍ୟ କୌଣସି ଉପାୟ ନ ପାଇ ସେ ବାଧ୍ୟ ହୋଇ ପୁରୀ ବଡ ଦାଣ୍ଡକୁ ଚାଲି ଆସିଲା ।ନିଜ ପାପର କିଞ୍ଚିତ ପ୍ରାୟଶ୍ଚିତ ପାଇଁ କାଳିଆ ପାଖରେ ଗୁହାରି କଲା ।ସେ ସରିତା ପ୍ରତି ଯେଉଁ ଅନ୍ୟାୟ କରିଚି ତା'ର କୌଣସି କ୍ଷମା ନାହିଁ ।ତଥାପି ହାତ ଯୋଡି ସରିତାକୁ କ୍ଷମା ପ୍ରାର୍ଥନା କରିବା ଭଙ୍ଗୀରେ ବିକଳ ହେଇ ଚାହିଁଲା ସେ ।ଘୃଣାରେ ମୁହଁ ଫେରାଉ ଫେରାଉ ସରିତାର ଇଚ୍ଛା ହେଉଥିଲା ପାଦରୁ ଚପଲ ଖୋଲି ଦୁଇ ଗାଲରେ କଷିଦେବାକୁ ।କିନ୍ତୁ ପରକ୍ଷଣରେ ନିଜକୁ ସଂଯତ କରିନେଲା ସେ । ଜଗନ୍ନାଥ ତା'କୁ ତା' ପାପର ଫଳ ଦେଇ ସାରିଛନ୍ତି ।ସେତିକିବେଳେ ଆଉ ଜଣେ ଭିକାରୀର ମାଆ ଡାକରେ ତା' ଆଡକୁ ଆଗେଇଗଲା ସରିତା ।ଏକ ଡେଣାକଟା ଅକ୍ଟୋପସ୍ ପରି ଅସହାୟ ଭାବେ ପଡି ରହିଥିଲା ସାଗର ବଡ ଦାଣ୍ଡରେ ।