Soumya Shubhadarshinee

Drama Others

3  

Soumya Shubhadarshinee

Drama Others

ଅଜଗର

ଅଜଗର

4 mins
2.4K


ସମ୍ପର୍କ ସଂଯୋଗର ଆଧାର ଭାବେ ଅବିହିତ ବସ୍ତୁଟିଏ, ପରିବର୍ତ୍ତିତ ସମୟରେ ସମ୍ପର୍କରେ ନୀଳ ବିଷ ଭରିବାର କାରଣ ବି ହେଇପାରେ।........

*******

_" ତୁ ମୋତେ ସମସ୍ୟାରେ ପକେଇବୁ , ବୁଝିଲୁ ?"

_" ନା' ଈଶା ଏପରି ହେବନି , ତା'ର ବନ୍ଦୋବସ୍ତ କରିବି ମୁଁ" ।

_"ମୁଁ ତୋତେ ହରେଇବାକୁ ଚାହେଁନି ଅଂଶୁ। ସେଥିପାଇଁ ତ' କହୁଛି"।

--"ଆରେ ଏମିତି କେବେ ହେବନି। ତୋତେ ମୋଠାରୁ କେହି ଦୁରେଇ ପାରିବେନି।"

ଈଶାନୀ ସେମାନଙ୍କ ସମ୍ପର୍କକୁ ଚିରକାଳ ପାଇଁ ସାଇତି ନେବାକୁ ଥିଲା ଭାରି ଯତ୍ନବାନ। ସେଥିପାଇଁ ଅଂଶୁ କୁ ଅନୁରୋଧ କରୁଥିଲା, ସେ ବାରମ୍ବାର ଫୋନ୍ ନକରୁ। ଘରେ ଥିବା ଲ୍ୟାଣ୍ଡ ଫୋନ୍ ପାଖେ ସେ କ'ଣ ସବୁବେଳେ ବସିରହିବ? ଆଉ କେହି ଫୋନ୍ ଉଠେଇଲେ କେମିତି ଆଡ଼ଜଷ୍ଟ୍ କରିବ ସେ? କେବେ କେମିତି ହୁଏତ ସାଙ୍ଗ ବୋଲି କହିବ , କିନ୍ତୁ ସବୁବେଳେ କି ଏପରି ହୁଏ?

ଯଦି ଟିକିଏ ବି ସନ୍ଦେହ ଆସେ ତେବେ !.....

ଅଂଶୁ ବୁଝେ , ପ୍ରେମ ସବୁବେଳେ ଏମିତି ଶଙ୍କାରେ। ପ୍ରାପ୍ତି ଅପ୍ରାପ୍ତି ଭିତରେ ତ୍ରିଶଙ୍କୁ!.....

ପ୍ରେମରେ ନୀରବତା ଢେର କିଛି କହିପାରେ । କାୟିକ ଦୂରତା ହୃଦୟକୁ ଆହୁରି ନିକଟବର୍ତ୍ତୀ କରିପାରେ। ଏକାନ୍ତରେ ମୁହୂର୍ତ୍ତଟିଏ ନ' ମିଳିବାର ଅସହାୟତା ସମ୍ପର୍କକୁ ନିବିଡ଼ କରେ। ଏମିତି ବିରୋଧାଭାଷ ହିଁ ପ୍ରେମର ମାଧୁର୍ଯ୍ୟ।

ତେଣୁ କଥା ପଦେ ନହେଇ ମଧ୍ୟ ଭାବର ଆଦାନ ପ୍ରଦାନ କରିପାରେ ହୃଦୟ। ସାରା ପୃଥିବୀରେ ଆକର୍ଷଣର ତରଙ୍ଗ ଘୁରିବୁଲେ ପହଁଚିବା ପାଇଁ ପ୍ରିୟ ମଣିଷ ପାଖରେ।

ଈଶାନୀ ପାଇଁ ଅଂଶୁର କଥା କୁହା ଆଖି ଯୋଡିକ ହିଁ ପ୍ରେମର ପରିଭାଷା । କିନ୍ତୁ ଅଂଶୁର ମନ ବୁଝେନା , ଦିନରେ ଥରେ ତ' କଥା ହେବ ସେ ନିଜ ପ୍ରିୟ ମଣିଷ ସହ। ପ୍ରେମ ଏତେ ମାପି ଚୁପି କି କରିହୁଏ?......

କିନ୍ତୁ ଈଶାନୀର ଭୟ ମଧ୍ୟ ଅମୂଳକ ନୁହେଁ , ଯଦି କେବେ ସନ୍ଦେହ ଘେରକୁ ଆସିଯିବ ଈଶାନୀ ତେବେ ବିଚାରୀ ବଡ଼ ସମସ୍ୟାରେ ପଡିଯିବ। ଆଉ ସେଇ ସମସ୍ୟା ତା'ର କାୟା ବିସ୍ତାର କରି ତାଙ୍କ ସମ୍ପର୍କରେ ଗ୍ରହଣ ଲଗେଇଦେଵ। କିଛି ଗୋଟେ ବିକଳ୍ପ ବ୍ୟବସ୍ଥା କରିବାକୁ ହେବ ନିଶ୍ଚିତ।

.….........

'' ଜାଣୁ ଏଇଟା ତୁ ଦେଇଥିବା ସବୁ ଉପହାର ଭିତରେ ସବୁଠୁ ସୁନ୍ଦର।"

-- "ନା ଈଶା ଏଇଟା ଉପହାର ନୁହେଁ ଏଇଟା ମୋ ଦୂତ , ଯିଏ ମୋ ସବୁ ସନ୍ଦେଶ ତୋ ପାଖରେ ପହଞ୍ଚେଇବ। "

--" ହୁଁ , ସତରେ , ଧନ୍ୟବାଦ ସେ ବିଜ୍ଞାନୀକୁ ଯେ ଏମିତି ଦୂତ ଟେ ତିଆରିଛି।''

--" ଆଉ ଯିଏ ଆଣି ଦେଇଛି ତା ପାଇଁ ଟିକେ ଧନ୍ୟବାଦ ନାହିଁ? " ......

ଈଶାନୀ ଆଖିରେ ଲାଜ ଆଉ ଓଠରେ ହସ । ଗୋଟେ ସୁନ୍ଦର ମୋବାଇଲ୍ ଉପହାର ଦେଇଛି ଅଂଶୁ କେବଳ ତା' ସହ କଥା ହେବାକୁ , ଖୁବ୍ ସତର୍କ ହେଇ । ପ୍ରେମକୁ ସାତ ତାଳ ପଙ୍କ ଭିତରେ , ସୁନା ଫରୁଆରେ ସାଇତି ରଖି।

କିଛି ନିଭୃତ ମୁହୂର୍ତ୍ତକୁ ମନଭରି ଅନୁଭବ କରିବାକୁ । କିଛି ଅବ୍ୟକ୍ତ ସଂଳାପକୁ ଖୋଲି କହିବାକୁ ମିଳିଛି ସୁଯୋଗ । ଖୁସି ଅଛି ଈଶା ଖୁବ୍।

ଅଂଶୁର ଟିକେ ଈଶାକୁ ଶୁଣିବାକୁ , ଯେଉଁ ବ୍ୟାକୁଳତା ତାହା ସେଇ ମାଧ୍ୟମରେ ଅତି ସୁନ୍ଦର ଭାବେ ସମାଧିତ ହେଇପାରିବ। ଭୟ ଭିତରେ ସନ୍ତୁଳି ହେବନି ଆଉ ମନ। ଅଂଶୁ କୁ ଆଉ ବିନା କାରଣ ରେ ବିରକ୍ତ ହେଇ ଗାଳି ଦେବନି ଈଶା। ଫୋନ୍ ନକରିବାକୁ କହି କଷ୍ଟ ଦେବନି। ସତରେ ସମ୍ପର୍କକୁ ଆହୁରି ସୁନ୍ଦର କରି ଗଢିପାରିବେ ଦୁହେଁ ଏଇ ଛୋଟ ଫୋନ୍ ର ସହାରା ନେଇ।

ରାତି ରାତି ଉଜାଗର ରହିଛି ଅଂଶୁ ଈଶା ସହ କଥା ହେବାକୁ , ତା' ଉପସ୍ଥିତି ଅନୁଭବ କରିବାକୁ, ଅନାଗତ ଭବିଷ୍ୟତର ସ୍ୱପ୍ନ ଦେଖିବାକୁ।

ସ୍ୱପ୍ବ ସବୁ ରଙ୍ଗ ଧରିବାକୁ ସେଇ ମୋବାଇଲ୍ ସାଜିଛି ଆଧାର। ହୁଏତ ତା' ବିନା ସବୁକିଛି ଅଧୁରା ରହିଯାଇ ଥାନ୍ତା। ଗୋଟେ ସୁଖଦ ଜୀବନର ଚିତ୍ର ଆଙ୍କିବାକୁ ସେଇ ମୋବାଇଲ୍ ଦେଇଛି ସଜଳ ସମ୍ଭାବନା।

********

ଵିନୟଙ୍କ ସହ ବାହାଘର ପରେ ଆସିଛି ଈଶା କଲିକତା। ନୀଡ଼ ଗଢ଼ାର ସବୁ ସରଞ୍ଜାମ ଯୋଗାଡି ଦେଇଛି ମା ' । ନୂଆ ଘର ଗଢ଼ା ସହଜ ନୁହେଁ , ବୁଝେଇ କହିଛି!

ବାହାଘର ଗୋଟେ ସାମାଜିକ ସମ୍ପର୍କ। ବିଶ୍ୱାସ ଉପରେ ଗଢ଼ା ଏଇ ସମ୍ପର୍କ ଗୋଟେ ସମର୍ପଣର ପ୍ରତିବଦ୍ଧତାରେ ବନ୍ଧା। ଜଣେ ଅଜଣା ମଣିଷକୁ ନେଇ ସାରା ଜୀବନ ବିତେଇବା ବିଲକୁଲ ସହଜ ନୁହେଁ। ପ୍ରତି ମୁହୂର୍ତ୍ତରେ ଈଶାକୁ ଯତ୍ନବାନ ହେବାକୁ ହେବ। ନହେଲେ ସମ୍ପର୍କର ସୂକ୍ଷ୍ମ ବନ୍ଧନ ନିଜର ଦମ୍ଭ ହରେଇ ବସିବ। ତେଣୁ ନିଜକୁ ବିନୟ ଲାଗି ତିଆରୁଛି ସେ , କିନ୍ତୁ ମନକୁ କଣ ବୁଝେଇ ହୁଏ?.....

ନିଜ ଯୁଗ୍ମ ଜୀବନ ଲାଗି ଈଶା ନିଜକୁ ବୁଝେବାର ଅଭିନୟ କରୁଛି । ପରିସ୍ଥିତି ସହ ସନ୍ଧି କରିନେଇ ଇଚ୍ଛା ମାନଙ୍କୁ କବରଦେଇଛି। ଅଂଶୁ ନାମକ ଇପ୍ସାକୁ ଭୁଲିବାର ଅପଚେଷ୍ଟା କରୁଛି। କାରଣ ଅଂଶୁ ନିଡ଼ ଗଢିବାର ଦାୟିତ୍ୱ ନେଲାନି। ସ୍ୱାବଲମ୍ବୀ ହେବାର ସବୁ ପ୍ରଚେଷ୍ଟା କରି ବିଫଳ ହେଇଯାଇଥିବା ଅଂଶୁ ନିଜେ ଜୋର କରି ମନା କରିଦେଲା ତାକୁ।

ଈଶାର ନିରୀହ ଆଖିର ପ୍ରଶ୍ନ , '' ତୁମର ଜବ୍ କେବେ ହେବ ଅଂଶୁ ?" ଧୀରେ ଧୀରେ ଅସହ୍ୟ ହେଉଥିଲା। କିନ୍ତୁ ଈଶା ବି ଠିକ । ପ୍ରେମ ରେ ସ୍ୱପ୍ନ ଦେଖିହୁଏ। କିନ୍ତୁ ଘର ଗଢିବା ପାଇଁ ପ୍ରେମ ପର୍ୟ୍ଯାପ୍ତ ନୁହେଁ ସେଥିପାଇଁ ଅର୍ଥ ଲୋଡ଼ା। କେତେଦିନ ଆଉ ଅପାରଗ ପ୍ରେମ ଲାଗି ଈଶାକୁ ବନ୍ଦିନୀ କରିବ ସେ। ତା' ଉପରେ ପୁଣି ପରିବାରର ଚାପ । ମୁକ୍ତ କରିଦେଇଥିଲା ଅଂଶୁ ତାକୁ।

*******

ବ୍ୟତିବ୍ୟସ୍ତ ହେଇ ଈଶା ସାରା ଘରେ ଖୋଜୁଥିଲା କିଛି । ତନ୍ନ ତନ୍ନ କରି ଦେଖୁଥିଲା ପ୍ରତିଟି କୋଣ ଅନୁକୋଣ। କେମିତି ହଜିଗଲା ଜିନିଷଟି ? ସତରେ ବଡ଼ ବିଚିତ୍ର ଲାଗୁଥିଲା। କିନ୍ତୁ ସତରେ ହଜିଯାଇଛି , ମିଳୁନି ତାକୁ। ସୁନ୍ଦର ରବିବାର ସକାଳ ଟି ବିକ୍ଷିପ୍ତ ହେଇ ସାରିଲାଣି ତା' ଲାଗି। କ'ଣ କରିବ ସେ ବୁଝି ପାରୁନି।

ଅଂଶୁର ସମସ୍ତ ସନ୍ତକ ନଷ୍ଟ କରିଦେଇଥିଲା ସେ କିନ୍ତୁ ସେଇ ଗୋଟିଏ ଶେଷ ସନ୍ତକ ସାଇତି ଥିଲା ଖୁବ ଯତ୍ନରେ। କିନ୍ତୁ ଆଜି ମିଳୁନି। ସେଇଟିକୁ ହରେଇବାକୁ ଇଚ୍ଛା ନାହିଁ ତା'ର ନା ' ବିଲକୁଲ ନୁହେଁ।

ଵିନୟ ରବିବାର ସକାଳର ବେଡ଼୍ ଟି ପ୍ରତୀକ୍ଷାରେ , ଈଶା କୁ ଖୋଜୁଥିଲେ। ଏଇ ଗୋଟିଏ ଦିନ ଟିକେ ଅଳସ ସକାଳ ସହ ଟି' କପ୍ ର ଆନନ୍ଦ ନେବାର ସୁଯୋଗ ମିଳେ। କିନ୍ତୁ ଅଦୃଶ୍ୟ ଥିଲା ଈଶା । ବାଧ୍ୟ ହେଇ ଵିନୟ ଆସିଲେ ମନକୁ ବୁଝେଇ। ଆଉ ଦେଖିଲେ ଈଶା ବ୍ୟତିବ୍ୟସ୍ତ ହେଇ ଖୋଜୁଛି କିଛି। ଏତେ ମଗ୍ନ ଭାବେ ଖୋଜୁଛି ଯେ ତାଙ୍କ ଉପସ୍ଥିତି ବି ଜାଣି ପାରୁନାହିଁ। କେବେ ଦେଖିନଥିଲେ ସେ ଈଶା କୁ ଏପରି ଅଧର୍ୟ୍ଯ।

ଈଶାର ଏଇ ସ୍ଥିତି ଦେଖି ଵିନୟ ଧୀରେ ଡାକିଲେ ତାକୁ , ଆଉ କହିଲେ," ତୁମେ କ'ଣ ଖୋଜୁଛ ଈଶା, ଏଇ ଫୋନ୍ ନୁହେଁ ତ' ?"....

ଵିନୟଙ୍କ ହାତରେ ଅଂଶୁ ଦେଇଥିବା ସେଇ ଫୋନ୍ ଟି ଦେଖି ଈଶା ସ୍ତବ୍ଧ ରହିଗଲା । ତା' ପାଦ ତଳୁ ମାଟି ଖସିଗଲା। ଗୋଟେ ବିରାଟ ପ୍ରଶ୍ନ ଅପେକ୍ଷା କରିଥିଲା ତାକୁ

"ଏ ଫୋନ୍ କାହାର ? ଆଉ ତା ପାଖରେ ନଥିଲା କୌଣସି ଉତ୍ତର।

ଦୁଶ୍ଚିନ୍ତା ଗ୍ରାସୁ ଥିଲା ତାକୁ, ଵିନୟ କେମିତି ପାଇଲେ ଫୋନ୍ ଟି? ଅନେକ ଦିନ ହେବ ଅବ୍ୟବହୃତ ଫୋନ୍ ରେ ଚାର୍ଜ ନଥିଲା।

- ଵିନୟ ଚାର୍ଜ କରିଛନ୍ତି କି?

କଣ ଉତ୍ତର ଦେବ ସେ ଯଦି ଵିନୟ କିଛି ପଚାରିବେ ଏଇ ଫୋନ୍ ବିଷୟରେ ?.....

ଈଶାକୁ ଲାଗୁଥିଲା ଫୋନ୍ ନୁହେଁ ଗୋଟେ ବିଶାଳ ଅଜଗର ଧରିଛନ୍ତି ଵିନୟ, ଯାହା ଗ୍ରାସୁଛି ତା'ର ସମଗ୍ର ସତ୍ତା, ଯୁଗ୍ମ ଜୀବନର ଭବିଷ୍ୟତ, ବିଶ୍ୱାସର ସୌଧ।.......

ସୌମ୍ୟା


Rate this content
Log in

Similar oriya story from Drama