ଅଜବ ଘଟଣା
ଅଜବ ଘଟଣା
କାର ଚାଳନା ଶିକ୍ଷା କରିବାକୁ ମୁଁ ଏକ ଡ୍ରାଇଭିଙ୍ଗ ସ୍କୁଲ୍ ରେ ନାମ ଲେଖାଇଲି। ଦଶ ଦିନ ହେବ ଶିଖିବାକୁ ଯାଇଛିକି ନାହିଁ, ଏ କରୋନା ମହାମାରୀ ଆସିଗଲା। ଏପରି ଏକ ବିଷମ ପରିସ୍ଥିତିର ମୁକାବିଲା କରିବାକୁ ସରକାର ଲକଡାଉନ ଘୋଷଣା କଲେ। ସେବେଠାରୁ କେ୫ଳ ଘରେ ରହି ରହି ମଣିଷ ନୟାନ୍ତ ହୋଇଗଲାଣି। ହେଲେ କଣ କରିବା ଜୀବନ ବଞ୍ଚାଇବାକୁ ହେଲେ ନିଜେ ସଚେତନତାର ସହ ସରକାରି ନୀତି ନିୟମକୁ ଅକ୍ଷରେ ଅକ୍ଷେରେ ପାଳନ କରିବାକୁ ହେବ। ହେଲେ ତିନିଦିନ ତଳେ ମୋ ଘନିଷ୍ଠ ବନ୍ଧୁ ସୁବ୍ରତ ଏକ ନୂଆ ବାଲେନୋ ଗାଡି କିଣିଥିବାର ଜାଣିବାକୁ ପାଇଲି।
ନୂଆ ନୂଆ ଗାଡି ଚଳାଇବା ଶିଖୁଛି ଯେତେବେଳେ, ମୋ ଘନିଷ୍ଠ ବନ୍ଧୁ ଏକ ଦାମି ଗାଡି ଆଣିବା କଥା ଶୁଣି ମୋର ଭାରି ଇଛା ହେଲା କେମିତି ଟିକିଏ ଗାଡିଟା ମତେ ଚଲାଇବାର ସୁଯୋଗ ମିଳନ୍ତାକି? ତେଣୁ ମନ କଥା ମନରେ ରଖି, ସାପ୍ତାହିକ ସଟଡାଉନରେ ଲୁଚିଛପି ଅପରାହଣ ସମୟରେ ପହଞ୍ଚିଗଲି ମୋର ପ୍ରିୟ ବନ୍ଧୁ ସୁବ୍ରତର ଘରେ। ମତେ ଦେଖି ବହୁତ ଖୁସି ହେଇଗଲା ସେ, ଘରକୁ ବି ଡାକିଲା। କିନ୍ତୁ କରୋନା ପାଇଁ ଘର ଭିତରକୁ ଯିବାପାଇଁ ମୁଁ ରାଜି ହେଲିନି। ବନ୍ଧୁତା ଦିବସରେ ଦୁଇବନ୍ଧୁଙ୍କ ଭେଟଘାଟ ପରେ କିଛି ସମୟର ବାର୍ତ୍ତାଳାପ ପରେ, ମୁଁ କହିଲି ଆରେ ମୁଁ ଶୁଣିଲି ତୁ କଣ ଗୋଟେ ନୂଆ ଗାଡି ଆଣିଛୁ? ସୁବ୍ରତ କହିଲା ହଁ, ତିନିଦିନ ତଳେ ଆଣିଛି। ଆଉ କାଳ ବିଳମ୍ବ ନକରି ମନ କଥା ପ୍ରକାଶ କରି କହିଲି, ଆରେ ଟିକିଏ ଚଲେଇବାକୁ ଦେ, ମୁଁ ଟିକେ ଦେଖେ ତୋ ଗାଡି କେତେ କମ୍ଫର୍ଟ ଲାଗୁଛୁ। ମେ ପାଖରୁ ଏକଥା ଶୁଣିବା ପରେ କିଛି ସମୟ ନିରବ ହୋଇଗଲା ସୁବ୍ରତ। ମୁଁ ଭାବିଲି, ନୂଆ ଗଡିତ, ଦେବାକୁ କୁଣ୍ଠାବୋଧ ପ୍ରକାଶ କରୁଛି ବୋଧେ। କିନ୍ତୁ ସେ କଣ ଚିନ୍ତା କଲା କେଜାଣି, ହଠାତ୍ ଉଠିଯାଇ ଗାଡିର ଚାବିକାଠି ମୋ ହାତରେ ଧରେଇ ଦେଇ କହିଲା ବନ୍ଧୁତା ଦିବସରେ ତୁମ ଇଛା ପୂରଣ କରିବା ମୋ କର୍ତ୍ତବ୍ଯ। ଯା' ଚଲେଇ ଦେଖ, କିପରି ଲାଗୁଛି? ହଁ ରାସ୍ତାରେ ଟିକିଏ ଦେଖିକି ଯିବ। ମୁଁ କହିଲି ତୁ ଯିବୁନି? ସେ କହିଲା ନା ନା ମୋର ଟିକିଏ କାମ ଅଛି ତୁମେ ଯାଅ। ବେସିବାଟ ଯିବନି। ଶୀଘ୍ର ଫେରିଆସିବ।
ଗଡି ନେଇ ଏକା ଏକା ବାହାରି ଗଲି ମୁଖ୍ଯ ରାସ୍ତାରେ। ସଟଡାଉନ ପାଇଁ ରାସ୍ତା ପୁରା ଫାଙ୍କା। ନୂଆ ଗାଡି ଚଲାଇବାର ପୁରା ମଜା ନେଇ ନେଇ ମୁଁ ଆଗକୁ ବଢୁଥାଏ। ମାତ୍ର ଠିକ୍ ଏହି ସମୟରେ ପିଛାରୁ ପୋଲିସ୍ ଗାଡିର ସାଇରନ୍ ସୁଭିଲା। ମିରର୍ରେ ଦେଖିଲି ମୋ ପଛରେ ପୋଲିସ୍ ଗାଡି। ସଟଡାଉସମୟରେ ପୋଲିସ୍ ହାତରେ ଧରା ପଡିଗଲେ କଥା ସରିଲା। ତେଣୁ ଧିରେ ଧିରେ ମୁଁ ଗାଡିର ଗତିକୁ ବଢାଇବାକୁ ଲାଗିଲି। ଏତିକି ବେଳେ କଳା ହାଣ୍ଡିଆ ମେଘଟା କୋଉଠି ଥିଲା କେଜାଣି ମୃଷଳ ଧାରାରେ ବର୍ଷିବାକୁ ଲାଗିଲା। ରାସ୍ତା ବି ସ୍ପଷ୍ଟ ଭାବେ ଜଣାପଡୁ ନଥାଏ। ଏଣେ ପୋଲିସ୍ ଓ ମୋ ମଧ୍ଯରେ ଏ ଛକାପଞ୍ଝା ଭିତରେ ଧିରେ ଧିରେ ଅନ୍ଧକାର ଘୋଟିବାକୁ ଆରମ୍ଭ କରିଥାଏ।ବହୁ ସମୟର କସରତ ପରେ ବହୁ କଷ୍ଟରେ ପୋଲିସ କୁ ଚକମା ଦେବାରେ ମୁଁ ସଫଳ ହେଲି।
ପୋଲିସକୁ ଚକମା ଦେବାରେ ସଫଳ ହେବା ପରେ ମୁଁ
ସେହି ରାସ୍ତାରେ ପୁଣି ସୁବ୍ରତର ଘରକୁ ଫେରିବାକୁ ଆରମ୍ଭ କଲି। ଫେରିବା ବାଟରେ ଦେଖିଲି ଗୋଟିଏ କୁକୁର ରାସ୍ତା ମଝିରେ ଠିଆ ହୋଇଛି। ତାକୁ ରାସ୍ତା ମଝିରୁ ହଟାଇବା ପାଇଁ ମୁଁ ବହୁତ ହର୍ନ ଦେଲି, କିନ୍ତୁ ତା ଉପରେ ଯେେମିତି ମୋ ହର୍ନ ର କୌଣସି ପ୍ରଭାବ ପଡୁ ନଥାଏ। ବାଧ୍ଯହୋଇ ମୁଁ ମୋ ଗାଡିର ଗତିକୁ ଧିର କରି ସେଠାରେ ଅଟକିଗଲି। ମୁଁ ଅଟକିବା ପରେ କୁକୁରଟି ମୋ ଗାଡି ପାଖକୁ ଦୌଡି ଆସିଲା। ଆଖିୁ ତାର ବହିଯାଉଥାଏ ଧାରଧାର ଲୁହ। ଆଉ ମୋ ଗାଡି ପାଖକୁ ଆସି ସେ ଏମିତି ହେବାକୁ ଲାଗିଲା, ଯେମିତି ତାକୁ ମୋ ସାହାଯ୍ଯର ଆବଶ୍ଯକତା ଅଛି। ପ୍ରଥମେ ପ୍ରଥମେ ମୁଁ କିଛି ବୁଝିପାରି ନଥିଲି। ହେଲେ ଗାଡି ଆଲୁଅରେ ଦେଖିଲି ଅନତୀ ଦୂରରେ ରକ୍ତ ଜୁଡୁବୁଡୁ ହୋଇ ପଡିଛନ୍ତି ଦୁଇଟି କୁକୁର ଛୁଆ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା କୁକୁର ଛୁଆଙ୍କୁ ଦେଖି ମତେ ମୋ ଭୁଲର ଆଭାସ ହୋଇଗଲା। ପୋଲିସ ଠାରୁ ନିଜକୁ ବଞ୍ଚାଇବା ପାଇଁ ଦୃତ ଗତିରେ ଗାଡିରେ ଯାଉଥିବା ସମୟରେ ମୁଁ ହିଁ ସେ କୁକୁର ଛୁଆ ଦୁଇଟି ଉପରେ ମୋ ଅଜାଣତରେ ଗାଡି ଚଢାଇ ଦେଇ ଚାଲିଯାଇଥିଲି। ଏବେ କିନ୍ତୁ ମାଆ କୁକୁରର ଅବସ୍ଥା ଦେଖି ମୋ ଆଖିରେ ଲୁହ ଆସିଗଲା। ନିଜର ଏପରି ଏକ ହୃଦୟ ବିଦାରକ କାର୍ଯ୍ଯ ପାଇଁ ମୁଁ ବହୁତ କଷ୍ଟ ଅନୁଭବ କଲି। ଶେଷରେ ମା କୁକୁରକୁ ସାନ୍ତ୍ୱନା ଦେବା ସହ ସବୁଦିନ ପାଇଁ ନିଜ ସହ ନିଜ ଘରକୁ ନେଇଯିବା ପାଇଁ ଚିନ୍ତା କରି ଗାଡିର ଗାଡିର ଡୋର୍ ଖୋଲି ତଳକୁ ଓଲ୍ହାଇବା ପରେ ଦେଖିଲି ସେଠି ଆଉ ମାଆ କକୁକୁରଟି ନଥିଲା। ହଠାତ କୁଆଡେ ଉଭାନ୍ ହୋଇଗଲା ବୋଲି ଟିକିଏ ଡରିଗଲି, ତଥାବି ମନରେ ସାହସ ବାନ୍ଧି ଏପଟ ସେପଟକୁ ଚାହିଁଲି, ହେଲେ ମାଆ କୁକୁରକୁ ପାଇଲି ନାହିଁ। ହଠାତ ମୋ ଆଖି ସେ ରକ୍ତ ଜୁଡୁବୁଡୁ ହୋଇ ପଡିରହିଥିବା କୁକୁର ଛୁଆଙ୍କ ଉପରେ ପଡିଲା। ମୁଁ ସେମାନଙ୍କ ପାଖକୁ ଗଲି, ସେମାନଙ୍କ ପାଖରେ ପହଞ୍ଚିବା ପରେ ମୁଁ ଦେଖିଲି ଜଣଙ୍କର ଅନ୍ତ ବୁଜୁଳା ବାହାରି ଯାଇଛି ଏବଂ ଆଉ ଜଣଙ୍କର ମୁଣ୍ଡର ବଶ ବାହାରି କିଛି ଦୂରରେ ଅଲଗା ପଡିଛି। କିନ୍ତୁ ମତେ ଲାଗିଲା ଦୁଇଟି କୁକୁର ଛୁଆ ଯେପରି ପୁଣି ଥରେ ଜୀବିତ ହୋଇ ଉଠିଛନ୍ତି। ସେମାନେ ବଡ ବଡ ଆଖି କରି ମତେ ଅନେଇବା ସହ ଆକ୍ରାମକ ଢଙ୍ଗରେ ମୋ ଉପରକୁ ଲମ୍ଫ ପ୍ରଦାନ କଲେ। ସତେ ଯେମିତି ସେମାନେ ତାଙ୍କ ମୃତ୍ଯୁର ପ୍ରତିଷୋଧ ମୋ ଠାରୁ ନେବାକୁ ଚାହୁଁଥିଲେ। ମୁଁ ଆଖି ବନ୍ଦ କରି ବଡ ଯୋରରେ ଚିତ୍କାର କରିବାକୁ ଲାଗିଲି। ଠିକ୍ ଏତିକି ମୟରେ ଆକାଶରୁ ଏକ ଉଜ୍ୱଳ ଆଲୋକ ରଶ୍ମି ମୋ ମୁଁହଁରେ ଆସି ପଡିଲା। ଆଲୋକ ରଶ୍ମି ଟନ ଏତେ ଉଜ୍ୱଳ ଥିଲା ଯେ ମୁଁ ଆଖି ଖୋଲି ଠିକ୍ ରେ ଚାହିଁ ପାରୁ ନଥିଲି। ମନରେ ଭୟ ଏତେ ମାତ୍ରାରେ ଭରି ଯାଇଥିଲା ଯେ ମୋ ଦେହରୁ ଗମ୍ ଗମ୍ ହୋଇ ସରମ ଝାଳ ବୋହି ଯାଉଥିଲା। ବହୁତ କଷ୍ଟରେ ଚାହିଁବାକୁ ଚେଷ୍ଟା କରିବା ଭିତରେ ମୋ ଆଖି ପଡିଲା ଏକ କାନ୍ଥ ଘଣ୍ଟା ଉପରେ ସମୟ ହୋଇଥାଏ ସାଢେ ଆଠଟା। ଆଖି ମଳି ମଳି ଚାରିଆଡେ ଅନେଇ ଦେଖେତ ମୁଁ ଥିଲି ମୋ କୋଠରୀ ଭିତରେ ଓ ବିଛଣା ଉପରେ। ଉଜ୍ୱଳ ରଶ୍ମିଟି ଥିଲା ସୂର୍ଯ୍ଯଙ୍କର ପ୍ରଥମ କିରଣ, ଯାହା ମୋ କୋଠରୀର ଫାଙ୍କ ଦେଇ ମୋ ମୁଁହଁରେ ପଡୁଥିଲା।