Madhumita Mishra

Tragedy

3  

Madhumita Mishra

Tragedy

ଅଗ୍ନିଦୁତ

ଅଗ୍ନିଦୁତ

3 mins
361



        ମୋ ମାଉସୀ ପୁଅ ପିଣ୍ଟୁ ଭାଇ ଆମେରିକାରେ ଚାକିରି ପାଇବା ପରେ ସମସ୍ତେ ବହୁତ ଖୁସି ହେଲେ।ହେବେନି ବା କଣ ପାଇଁ.!!??ଗୋଟିଏ ବୋଲି ପୁଅ ସେ।ମଉସା ସରକାରୀ ଚାକିରିରୁ ଅବସର ନେବା ପରେ ପରେ ସେ ଏତେ ବଡ଼ ଚାକିରି ପାଇଗଲା।ଆଉ କଣ ଚିନ୍ତା..!!??କିନ୍ତୁ ଚିନ୍ତା ଥାଏ।ମୋ ମାଉସୀଙ୍କ ପୁତ୍ର ପ୍ରେମ।


         ପିଣ୍ଟୁ ଭାଇ ଯିବା ଦିନ ପାଖେଇ ଆସିବା ସହିତ ମାଉସୀର କାନ୍ଦ ବଢି ଯାଉଥାଏ।ତାକୁ ଆମେରିକା ଯିବା ପାଇଁ କହିଲେ ବି ସେ ରାଜି ହେଉ ନ ଥାଏ।ଶେଷରେ ପିଣ୍ଟୁ ଭାଇ ମାଉସୀକୁ ମୋବାଇଲ ଦେଇ କହିଲେ "ମା..ଏଇଟା ହେଉଛି ବାର୍ତ୍ତା ଦୂତ।ତୁ ତୋ ମନର ସବୁ କଥା ୟାକୁ କହିବୁ।ଆଉ ଏ ଦୂତ ତୋ କଥା ମୋତେ ପହଞ୍ଚେଇ ଦେଵ।"ଘଟଣାଟି ମୋ ପଢା ସମୟର।ସେତେବେଳେ ମୋବାଇଲ ବ୍ୟବହାର ଲୋକେ କରୁ ଥିଲେ ମଧ୍ୟ ମାଉସୀ ମଉସା ଏସବୁ ଜାଣି ନ ଥିଲେ।ତେଣୁ ମାଉସୀ ମଧ୍ୟ ବିଶ୍ଵାସ କରିଲାନି ପୁଅ କଥାରେ।ହେଲେ ତାକୁ ଉଦାହରଣ ଦେବାକୁ ଯେତେବେଳେ ପିଣ୍ଟୁ ଭାଇ ବଜାର ସଉଦା ଆଣିବାକୁ ଗଲେ ଆଉ ମୁଁ ଫୋନ୍ ଲଗେଇ ମାଉସୀ କହିଥିବା ସବୁ ଜିନିଷ ବରାଦ କରିଲି..ତାକୁ ଦେଖି ମାଉସୀ ବିଶ୍ୱାସ କଲା ସତରେ ତା ହାତରେ ଥିବା ଏ ଛୋଟ ଜିନିଷଟି ବାର୍ତ୍ତାଦୂତ।


        ପିଣ୍ଟୁ ଭାଇ ଗଲା ପରେ ଯେତେବେଳେ ମନେ ପଡ଼େ ମାଉସୀ ଫୋନ୍ ଆଗରେ କହିଦିଏ।ଆଉ ମୁଁ ଅପେକ୍ଷା କରି ବସିଥାଏ କେତେବେଳେ ମୋତେ ଡାକରା ଆସିବା..ମାଉସୀର ବାର୍ତ୍ତାଦୂତ ତାକୁ ଦେବା ପାଇଁ..


        ଦିନେ ମାଉସୀ ସକାଳୁ ଫୁଲ ତୋଳିବାକୁ ଯାଇ ପାରିଲାନି।ମୁଁ ଅନଲାଇନ୍ ରେ ଫୁଲ ମଗେଇ ଦେଲି।ସେ ଦିନଠୁ ମାଉସୀ ମୋବାଇଲ କୁ ପୁଷ୍ପଦୂତ ବୋଲି ନାମ ଦେଇ ଦେଲା।


        ଆଉ ଦିନକର କଥା।ମାଉସୀକୁ ଜର ହୋଇଥାଏ।ମଉସା ରୋଷେଇ କରି ଜାଣି ନ ଥିଲେ।ସେଦିନ ସେମାନେ ଭାରି ଚିନ୍ତାରେ ଥିବା ବେଳେ ମୁଁ ଖାଦ୍ୟ ଅର୍ଡର୍ କରିଦେଲି।ଅନଲାଇନ୍..ଆଉ ମାଉସୀର ଖୁସି ଦେଖେ କିଏ..!!??ସଙ୍ଗେ ସଙ୍ଗେ ପିଣ୍ଟୁ ଭାଇକୁ ବାର୍ତ୍ତା ପଠେଇଲା ତା ଖାଦ୍ୟଦୂତକୁ ପ୍ରଶଂସା କରି।


         ମଉସା ବହୁତ ଚୁପଚାପ୍ ରୁହନ୍ତି।ତାଙ୍କ ଦୁନିଆରେ ସେ ମସ୍ତ।ସତ କହିଲେ ସେ ଜଣେ କବି।ଅଳ୍ପ ସମୟ ମିଳିଲେ ସେ ନିଜ ଲେଖାଲେଖିରେ ହଜି ଯାଆନ୍ତି।ତେଣୁ ମାଉସୀ ବେଶୀ ଚିଡି ଯାଏ।ଆଉ ପଡୋଶୀ ମାନଙ୍କ ସହ ଗପସପ କରି ସମୟ ସାରେ।ମାଉସୀ କୁ ଶିଖେଇ ଦେଲି କେମିତି ଦୂରରୁ ଚାଟିଂ କରିହେବ...ଭିଡିଓ ଦେଖି ହେବ..ମାଉସୀ ମନ ଭାରି ଖୁସି।ତା ମନୋରଞ୍ଜନ ଦୂତ ତାକୁ ବହୁତ୍ ଖୁସି ଦେଉଛି।ସେ ଆଉ ଆଗ ପରି ମଉସାଙ୍କ ଉପରେ ରାଗି ଯାଉନି।ବରଂ ସମୟ ଖୋଜୁଛି କିପରି ତାକୁ ଟିକେ ନିଜ ପାଇଁ ସମୟ ମିଳିବ..


         ପିଣ୍ଟୁ ଭାଇ ନିଜ ପସନ୍ଦର ଝିଅ ବାହା ହେଲା ପରେ ମଧ୍ୟ ମାଉସୀ ମନ ଦୁଃଖ କଲାନି।ତା ବୋହୂ କୁ ସେ ନିଜ ପାଖରେ ଦେଖି କଥା ହେଲା ପରି ଅନଲାଇନ୍ ସମ୍ପର୍କ ରଖି ପାରିବାରୁ ଖୁସି ଥାଏ।ଆଉ ମୋବାଇଲ କୁ ନୂଆ ନାମ ଦେଇ ଦେଇଥାଏ..ସମ୍ପର୍କ ଦୂତ।ଏ ସଂପର୍କ ଦୂତ ଯୋଗୁଁ ମଉସା ମାଉସୀ କେବେ ଏକା ଅନୁଭବ କରନ୍ତିନି।ସେମାନଙ୍କ ସବୁ ସୁବିଧା ଅସୁବିଧାରେ ମଧ୍ୟ ପିଣ୍ଟୁ ଭାଇ ଏହି ଦୂତ ଦ୍ଵାରା ପଇସା ଔଷଧ ବ୍ୟବସ୍ଥା କରିଦିଏ।ଯେଉଁ ଆଦେ ଯିବାକୁ ଚାହାନ୍ତି ଆରାମରେ କ୍ୟାବ୍ ବୁକ୍ କରି ଚାଲି ଯାଇଥାନ୍ତି ନିଜ ଯାତ୍ରାଦୂତ ସହିତ।


         କେବଳ ସେମାନେ ନୁହଁ ବରଂ ସେମାନଙ୍କ ଆଖପାଖରେ ଥିବା ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ମୋବାଇଲକୁ ଏମିତି ଦୂତ ନାମରେ ଡାକି ଆନନ୍ଦ ପାଆନ୍ତି।ମାଉସୀଙ୍କ ଏ ନାମ ଆବିଷ୍କାର ସମସ୍ତଙ୍କୁ ଭାରି ଭଲ ଲାଗୁଥିଲା।ଜୀବନ ନିଜ ରାସ୍ତାରେ ଚାଲିଥିଲା ବେଳେ..ଦିନେ ରାତିରେ...


         ହଠାତ୍ ମଉସାଙ୍କୁ ହୃଦଘାତ ହେଲା ଓ ସେ.. ତା ପରଦିନ ସକାଳୁ..ସବୁଦିନ ପାଇଁ..ଚୁପ୍ ହୋଇଗଲେ..


          କାନ୍ଦ ବୋବାଳିରେ ପରିବେଶଟା ଗମ୍ଭୀର ହୋଇ ଯାଇଥାଏ।ମଉସାଙ୍କ ନିଧନ ଖବର ପିଣ୍ଟୁ ଭାଇ ଜାଣି ପାରି ଦିନ ସାରା ଅନଲାଇନ୍ ରହିଥାଏ ଓ ଆମ ସମସ୍ତଙ୍କୁ ଧୈର୍ଯ୍ୟ ଦେବାକୁ ଚେଷ୍ଟା କରୁଥାଏ।ମଉସାଙ୍କ ନିଶ୍ଚଳ ଶରୀର ସେମିତି କଣ ପଡି ରହି ଥାଆନ୍ତା..!!?? ସାହି ପଡିଶା ଲୋକମାନେ ମଧ୍ୟ କୋକେଇ ସଜେଇ ଅନ୍ତିମ ବିଦାୟ ପାଇଁ ସଜ ହୋଇଯାଇଥାଆନ୍ତି।ଏତିକି ବେଳେ ମଉସାଙ୍କୁ ମୁଖାଗ୍ନି ଦେବା କଥା ବିଚାର ହେଲା..ମାଉସୀ ଆଶ୍ଚର୍ଯ୍ୟ ହୋଇ କହିଲା.. " ପିଣ୍ଟୁ ଥାଉ ଥାଉ ଆଉ କିଏ କେମିତି ମୁଖାଗ୍ମି ଦେବ..!!??"


          "ତା କେମିତି ସମ୍ଭବ..!!??" ସଭିଙ୍କ ମୁହଁରେ ଗୋଟିଏ କଥା..ଆମେରିକାରେ ଥିବା ପିଣ୍ଟୁ ଭାଇ ମଉସାଙ୍କୁ କେମିତି ମୁଖାଗ୍ନି ଦେବ??କିନ୍ତୁ ମାଉସୀ କାନ୍ଦି କାନ୍ଦି ଅବିଚଳିତ ହୋଇ ଆସି ଭିଡ଼ିଓ କଲରେ ପିଣ୍ଟୁ ଭାଇକୁ କହିଲା..


          "ଏ ବାପା ପିଣ୍ଟୁ!!ଏ ତୋର ଦୂତ ମୋ ସବୁ କାମ କରିଛି..ଇୟେ ବାର୍ତ୍ତାଦୂତ,ପୁଷ୍ପଦୂତ,ଖାଦ୍ୟଦୂତ,ମନୋରଞ୍ଜନ ଦୂତ,ଯାତ୍ରାଦୂତ ,ସମ୍ପର୍କଦୂତ ଆହୁରି କେତେ କଣ ହୋଇ ସାହାଯ୍ୟ କରୁଛି।ଆଜି ଟିକେ ଏହାକୁ ଅଗ୍ନିଦୂତ କରି ତୋ ବାପା ମୁହଁରେ ଦେବାକୁ ମୁଖାଗ୍ନିି ନିଆଁ ଟିକେ ପଠେଇ ଦବୁନି..!!?? ଟିକେ ନିଆଁ ପଠେଇଦେରେ ପିଣ୍ଟୁ ଅଗ୍ନିଦୂତ ହାତରେ..ବାପା ତୋର ମହାଯାତ୍ରାରେ ଯିବାକୁ ଜଗିଛନ୍ତି ପରା.....!!??"


         ମାଉସୀର କୋହଭରା ଛାତିଥରା କାନ୍ଦଠାରୁ ପିଣ୍ଟୁ ଭାଇର ଅସହାୟ ବୁକୁଫଟା କ୍ରନ୍ଦନ ସତରେ ସହି ହେଉ ନ ଥିଲା...




Rate this content
Log in

Similar oriya story from Tragedy