ଅଦରକାରୀ
ଅଦରକାରୀ


ବୋଉ ଭଙ୍ଗା ଲୁହା ଅଦରକାରୀ ସାମାନ୍ ସବୁକୁ ଲୁହା ବାଲାକୁ ଦେଇ ଦେଉଥିଲା । ହଠାତ୍ ମୋର ନଜର ପଡିଗଲା ସେଇ ଲଣ୍ଠନ ଉପରେ । ଯୋଉ ଲଣ୍ଠନ ଜେଜେଙ୍କର ଅତି ପ୍ରିୟ ଥିଲା । ବହୁତ ଯତ୍ନ କରୁଥିଲେ ଜେଜେ ଏଇ ଲଣ୍ଠନଟିକୁ । ପ୍ରତ୍ୟେକ ସନ୍ଧ୍ୟାରେ ତା ଦେହକୁ କପଡାରେ ଭଲସେ ପୋଛୁଥିଲେ ଆଉ ତା ବତୀ ଫିତାକୁ ସିଧା କରି କାଟୁଥିଲେ ନିଆଁଟି ତେରସା ନ ଦିଶିବା ପାଇଁ , ତାପରେ ବତୀ ନିଆଁ ଧାସରେ ଗୋଟେ ପାଖ କଳା ପଡି ଯାଇଥିବା କାଚକୁ ପରିଷ୍କାର ଭାବେ ସଫା କରୁଥିଲେ ପାଉଁଶରେ । ତାପରେ ସେଥିରେ ତେଲ ଅଛିକି ନାହିଁ ଯାଞ୍ଚ କରି ଛୋଟ ପ୍ଲାଷ୍ଟିକ କାହାଳୀ ଲଗେଇ କିରୋସିନ ତେଲ ଭର୍ତ୍ତି କରୁଥିଲେ ସେଥିରେ । କେତେବେଳେ ଠିକ୍ ଠାକ୍ ପଶୁଥିଲା ତ ଆଉ କେତେବେଳେ ଅଧିକ ହୋଇ ବାହାରେ ତେଲ ନଷ୍ଟ ହୋଇ ଯାଉଥିଲା । ବୋଉ ସେଥିପାଇଁ ଜେଜେଙ୍କ ଉପରେ କେତେ ଗର ଗର ହେଉଥିଲା ତା'ର ହିସାବ ନାହିଁ । ଆଉ ଜେଜେ ମୋ ଉପରେ ରାଗୁଥିଲେ କେବଳ ଗୋଟେ କାରଣ ପାଇଁ , ରାଗୁଥିଲେ ମାନେ ଏକଦମ୍ ନିଆଁ ବାଣ ହୋଇ ଯାଉଥିଲେ ଯୋଉ ଦିନ ମୁଁ ତାଙ୍କ ଲଣ୍ଠନ କାଚ ପୋଛି ଦେଉ ଦେଉ ଫଟେଇ ଦେଉଥିଲି , ନହେଲେ ହାତରୁ ଭୁଲ୍ ରେ ଖସେଇ ଭାଙ୍ଗି ଦେଉଥିଲି । ଥରେତ କାଚଟି ମୋ ହାତରୁ ଖସି ଭାଙ୍ଗି ଗଲା ବୋଲି ,ସେଥିପାଇଁ ତାଙ୍କ ହାତ ବାଡିଟି ଧରି ମୋତେ ଗୋଡେଇଲେ ଘରଠୁ ବାରି ଯାଏଁ । ଭାଗ୍ୟଭଲ ବୋଉର ସଜପଟା ଟ୍ରଙ୍କରୁ ଦଶଟଙ୍କା ନେଇ ନୂଆ କାଚଟେ ଧନୁ ସାହୁ ଦୋକାନରୁ ନେଇ ଆସି ସଂଧ୍ୟା ପୂର୍ବରୁ ରଖିଦେଲି , ନହେଲେ ସେଦିନ କଣ ଯେ ମୋ ଅବସ୍ଥା ହୋଇଥାନ୍ତା ମାଆ ଗଙ୍ଗେଇ ଜାଣନ୍ତି ।
ସେତେବେଳେ ଗାଁ ରେ ବିଦ୍ୟୁତ୍ ଠିକ୍ ସେ ଆସିନଥାଏ । ଏଇ ଲଣ୍ଠନ ଆଲୋକରେ ବୋଉ ଭାଗବତ ପଢ଼େ ବଢିଆ କଣ୍ଠ ସ୍ବରରେ । ଜେଜେ ସେଇ ପାଖରେ ବସି ଶୁଣୁଥାନ୍ତି ଧ୍ୟାନ ଦେଇ। ବୋଉର ଟିକେ କୋଉଠି ଭୁଲ୍ ହେଲେ ବୋଉକୁ ରୋକି ପଚାରନ୍ତି , ଆରେ ସେଇଟା ଭୁଲ୍ ପଢିଲୁ ଆଉଥରେ ପଢ । ବୋଉ ଆଉଥରେ ସେ ଧାଡିକ ପଢ଼େ ସଂଶୋଧନ କରି । ଖାଇବା ବେଳେ ଲଣ୍ଠନଟିକୁ ଜେଜେ ଆମର ଗୋଟେ ଉଚ୍ଚା କାଚ ଟେବୁଲ ଥିଲା ତା ଉପରେ ରଖି ଦିଅନ୍ତି ଆମେ ବାପା ବୋଉ ମୁଁ ଜେଜେ ଦାଦା ସମସ୍ତେ ତାରି ଆଲୋକରେ ଏକାଠି ବସି ରାତି ଖାଇବା ଖାଉ । ସେ ଏକାଠି ଖାଇବା ଏବେ ସ୍ବପ୍ନ ହୋଇଗଲାଣି ଜେଜେଙ୍କ ପରି । ହଁ ଜେଜେ ଏବେ ସ୍ବପ୍ନରେ ହିଁ ଆସି ପାରନ୍ତି ସତରେ ନୁହେଁ କେବେ ନୁହେଁ । କାରଣ ଜେଜେଙ୍କୁ ମରିବାର ଦଶ ବର୍ଷ ପୁରି ସାରିଲାଣି ।
ହେଲେ ଏଇ ଲଣ୍ଠନକୁ ଦେଖି ଦେଲି ତ ହଠାତ୍ ଜେଜେଙ୍କ କଥା ମୋର ଭାରି ମନେ ପଡିଲା । କାଇଁ କେଜାଣି ସେ ଅଦରକାରୀ ଲୁହା ନେବା ବାଲାକୁ ମୁଁ ଦେଇ ପାରିଲିନି ଏ ଭଙ୍ଗା ଲଣ୍ଠନଟା । ସତରେ କଣ ଏତେ ଦରକାର ହେଉଥିବା ଲଣ୍ଠନଟା ଅଦରକାରୀ ହେଇଗଲା ଦିନ କେଇଟା ଭିତରେ ଜେଜେଙ୍କ ଆଦର ଯତ୍ନ ଆଉ ପରି !?
ହଁ ସମସ୍ତକୁ ତ ଦିନେ ଏମିତି ଅଦରକାରୀ ହେବାକୁ ପଡିବ ଏ ଲଣ୍ଠନ ପରି ।