Usharani Sahoo

Tragedy

4  

Usharani Sahoo

Tragedy

ଅଦିନିଆ ଝଡ଼

ଅଦିନିଆ ଝଡ଼

3 mins
395


କିଏ ଜାଣିଥିଲା ଏମିତି ଏକ ଅଦିନିଆ ଝଡ଼ ଆସି ସୀତାର ଜୀବନକୁ ଦୋହଲାଇ ଦେବ।ଆଉ ତା'ର ସମ୍ପୁର୍ଣ୍ଣ ଆଶା ଆକାଂକ୍ଷାକୁ ସେହି ଝଡ଼ରେ ଉଡ଼ାଇ ନେବ। ତା'ର ରୂପ ଯୈାଵନର ପୁର୍ଣ୍ଣଛେଦ ପଡ଼ିଯିବ। ତା'ର ଭାଗ୍ୟ ତା' ସହ ଏମିତି ଖେଳ ଖେଳିବ ସୀତା କେବେ ବିଶ୍ୱାସ କରି ନଥିଲା।

    ସୀତା ବେଶି ଉଚ୍ଚକୋଟୀର ନ ହେଲେ ବି ଗୋଟିଏ ମଧ୍ୟବିତ୍ତ ପରିବାରର ଝିଅ। ଦେଖିବାକୁ ବହୁତ ସୁନ୍ଦର। ରୂପରେ ଯେମିତି ଗୁଣରେ ଵି ସେମିତି।ପୂରା ଗୋଟିଏ ଚାଉଳରେ ଗଢ଼ା। କଥାବାର୍ତ୍ତା ଚାଲିଚଳନ ବ୍ୟବହାର ସମସ୍ତଙ୍କୁ ମୁଗ୍ଧ କରିଦିଏ। ବାପଘରେ ସେ ଅତି ଅଲିଅଳ ଝିଅ। ସମସ୍ତେ ସୀତାକୁ ବହୁତ ଭଲ ପାଆନ୍ତି। ସୀତାର ପ୍ରତ୍ୟେକ କଥାକୁ ବାପା ମାଆ ଭାଇ ପୂରଣ କରନ୍ତି। ଦିନ ପରେ ଦିନ ବିତିଗଲା ପରି ସୀତା ମଧ୍ୟ ଧିରେ ଧିରେ ବଡ଼ ହେବାକୁ ଲାଗିଲା। ବାହାଘର ବୟସ ହୋଇଯିବା କାରଣରୁ ବାପା ତା'ର ଉପଯୁକ୍ତ ଯୋଗ୍ୟ ପାତ୍ର ଦେଖି ଝିଅର ବାହାଘର କରାଇଦେଲେ।ସୀତାର ସଂସାର ବେଶ୍ ହସଖୁସିରେ ଚାଲିଥିଲା।

    ଏଥି ମଧ୍ୟରେ ତା'ର ଦୁଇଟି ଝିଅ ହୋଇସାରିଥାଏ।ପୁଅ ପାଇଁ ସମସ୍ତେ ଆଶା କରି ବସନ୍ତି। କିନ୍ତୁ ସୀତାର ଦୁଇଟି ଝିଅ ହୋଇ ମଧ୍ୟ ସେ କେବେ ବି ମନଦୁଃଖ କରି ନ ଥିଲା।କାରଣ ସେ ପୁଅ ଓ ଝିଅ ଉଭୟଙ୍କୁ ସମାନ ଭାବୁଥିଲା।ତା'ର ସ୍ୱାମୀ ଜଣେ ସରକାରୀ ଶିକ୍ଷକ।ସେ ଯାହା ବି ହେଉ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ହୋଇ ସ୍ନେହ ପ୍ରେମ ଵନ୍ଧନରେ ତାଙ୍କର ସେହି ସଂସାର ଅତୁଟ ବନ୍ଧନରେ ବାନ୍ଧି ହୋଇଥିଲା। ହେଲେ ସବୁବେଳେ ସମାନ ନଥାଏ କି ଭାଗ୍ୟ ସବୁବେଳେ ଆମ ସାଥ୍ ଦେଇ ନ ଥାଏ।

     ହେଲେ ସମଗ୍ର ବିଶ୍ୱକୁ ବ୍ୟାପିଥିଵା ଅତି ଭୟଙ୍କର ମାରାତ୍ମକ କରୋନା ସୀତାର ପରିବାରକୁ କାଳରୂପ ନେଇ ଆକ୍ରମଣ କଲା।ଝିଅ ଦୁଇ ଜଣ ସିନା ଭଲ ହୋଇଗଲେ। କିନ୍ତୁ ସୀତା ଓ ତା' ସ୍ୱାମୀକୁ ଏତେ ପରିମାଣରେ କରୋନା ଆକ୍ରାନ୍ତ କରିଥିଲା ଯେ ଦୁହେଁ ମେଡିକାଲରେ ଏକା ସାଙ୍ଗରେ ଦୁଇଟି 

ବେଡ୍ ରେ ପାଖାପାଖି ରହିଲେ ଯେମିତିକି ଦୁହେଁ ଦୁହିଁଙ୍କର ଖବର ନେଇପାରିବେ। କିନ୍ତୁ ଧିରେ ଧିରେ ସ୍ୱାମୀଙ୍କର ଶରୀର ଅବସ୍ଥା ବହୁତ ଶୋଚନୀୟ ହେବାରୁ ତାଙ୍କୁ ଆଇସିୟୁକୁ ନିଆଗଲା।ଆଉ ତାଙ୍କର ଅବସ୍ଥା ଦିନକୁ ଦିନ ଅଧିକ ଗୁରୁତର ହେବାକୁ ଲାଗିଲା। ସୀତା କିନ୍ତୁ ସ୍ୱାମୀ ଆଇସିୟୁ ମଧ୍ୟରେ ଥିବାରୁ ସେ ଆଉ ଖବର ନେଇ ପାରିଲା ନାହିଁ କାରଣ ତା'ର ମଧ୍ୟ ଅକ୍ସିଜେନ ଲାଗିଥିଲା। ହେଲେ ମନ କିନ୍ତୁ ସ୍ୱାମୀ ପାଇଁ ଗୋଳେଇ ଘାଣ୍ଟି ହେଉଥାଏ।ଆଉ ବାରମ୍ବାର ଡାକ୍ତରଙ୍କୁ ପଚାରୁଥାଏ ସ୍ୱାମୀ ବିଷୟରେ। ଡାକ୍ତର ତାକୁ ମିଛ ଆଶ୍ୱାସନା ଦେଇ ସ୍ୱାମୀ ଭଲ ଅଛନ୍ତି ବୋଲି କହି କଥାକୁ ଭୁଲାଇ ଦିଅନ୍ତି।କାରଣ ସୀତା ସ୍ୱାମୀଙ୍କର ଅବସ୍ଥା ବିଷୟରେ ସତଟା ଜାଣିଲେ ଅସ୍ତବ୍ୟସ୍ତ ହୋଇପଡିଵେ,ଟେନ୍ସନ୍ ହେଲେ ଆଉ ଏହି କରୋନା ରୋଗ ମଧ୍ୟ ସହଜରେ ଭଲ ହେବ ନାହିଁ ତେଣୁ ଡାକ୍ତର ସୀତାକୁ ଭୁଲାଇ ଦିଅନ୍ତି।

     ଏମିତି କିଛି ଦିନ ପରେ ସୀତା ଭଲ ହୋଇ ଘରକୁ ଫେରିଲା କିନ୍ତୁ ସ୍ୱାମୀ ସେମିତି ଡାକ୍ତରଖାନାରେ ଆଇସିୟୁରେ ଥାଆନ୍ତି।ସୀତା ଯେତେ ଦେଖା କରିବାକୁ ନେହୁରା ହେଲେ ମଧ୍ୟ ସ୍ୱାମୀଙ୍କୁ ଦେଖା କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ଏମିତି କିଛି ଦିନ ଯିବା ପରେ ସତୀ ଅସମ୍ଭବ ସ୍ୱପ୍ନ ଦେଖିଲା।ଆଉ ସେ ସ୍ୱପ୍ନରେ ସେ ତା'ର ସ୍ୱାମୀଙ୍କୁ ଦେଖିଲା ।ତା' ସ୍ୱାମୀ ତାକୁ ତାଙ୍କ ପାଖକୁ ଡାକୁଥିଲେ ଆଉ କହୁଥିଲେ ଆସ୍ ମୋ ପାଖକୁ ଏଠି କାହିଁକି ଅଛୁ?ଆମେ ସାଙ୍ଗ ହୋଇ ଏକାଠି ରହିବା। ପିଲାମାନେ ତ ବଡ଼ ହୋଇଗଲେଣି , ସେମାନେ ଅଜା ଆଈ ପାଖରେ ରହିଯିଵେ। ହଠାତ୍ ସୀତାର ସ୍ୱପ୍ନ ଭା୍ଙ୍ଗିଗଲା।ସେ ତା'ର ରହସ୍ୟ ବୁଝି ପାରିଲାନି।ସେ କେବେ ବି ଏଭଳି ସ୍ୱପ୍ନ ଦେଖି ନ ଥିଲା ହେଲେ ଆଜି କାହିଁକି ଏମିତି ଅଜବ ସ୍ୱପ୍ନ ଦେଖିଲା ସେ କିଛି ବୁଝି ପାରୁ ନ ଥିଲା।ସେ ତା'ର ମାଆଙ୍କୁ ଏହି ସ୍ୱପ୍ନ କଥା କହେ। କିନ୍ତୁ ସୀତାର ମାଆ ସବୁ ଜାଣିଶୁଣି ଚୁପ୍ ରୁହନ୍ତି ଆଉ ମିଛ କହି ଭୁଲାଇ ଦିଅନ୍ତି। ହେଲେ ବାରମ୍ବାର ବିଭିନ୍ନ ପ୍ରକାରର ସ୍ୱପ୍ନ ଦେଖି ସୀତାର ସନ୍ଦେହ ହେଲା ଆଉ ସେ ଜିଦ୍ କଲା ସ୍ୱାମୀକୁ ଦେଖିବାକୁ। ସେତେବେଳକୁ ସୀତା ସ୍ୱାମୀଙ୍କର ଶୁଦ୍ଧି କ୍ରିୟା ମଧ୍ୟ ସରିଯାଇଥାଏ। କିନ୍ତୁ ସୀତା ଏ ପର୍ଯ୍ୟନ୍ତ ଜାଣି ନ ଥିଲା। ତାଙ୍କ ଘରଲୋକ ସୀତା ପାଗଳ ହୋଇଯିବ ବୋଲି ଭୟରେ ଜଣାଇନଥିଲେ। ହେଲେ ସତ କଥା କେବେ ଲୁଚି ରହେନା। ତେଣୁ ସୀତା ବାରମ୍ବାର ଜିଦ୍ କରିବାରୁ ଏବଂ ଆଗକୁ ସାବିତ୍ରୀ ବ୍ରତ ଥିବାରୁ ଶଙ୍ଖା ସିନ୍ଦୂର କିଣିବା ପାଇଁ କହିବାରୁ ଘର ଲୋକେ ବାଧ୍ୟ ହୋଇ ସତ ଜଣାଇଥିଲେ ଆଉ କହିଥିଲେ ଯେ ତା'ର ସ୍ୱାମୀ ପନ୍ଦର ଦିନ ହେଲା ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି।

     ହେଲେ ସୀତାର ଦୋଷ କ'ଣ?ସେ କାହିଁକି ଅଜ୍ଞାନ୍ତ ରାଇଜରେ ଥିଲା। ବିଚରା କେତେ ଆଶା କରିଥିଲା ସାରା ଜୀବନ ସାଙ୍ଗ ହୋଇ ରହିବେ । ଏକାଠି ସାଙ୍ଗ ହୋଇ ମେଡିକାଲ ଗଲେ। ଏକାଠି ଫେରିବେ ବୋଲି ଆଶା ଥିଲା। ହେଲେ ତା ସହ କ'ଣ ହେଲା?ଏ ଅଦିନିଆ ଝଡ଼ କେଉଁଠୁ ଆସିଲା? ଏହି ପିଲା ଦୁଇଟିକୁ ନେଇ କେମିତି ବଞ୍ଚିବ ଭାବି ଭାବି ସେ ଆଜି ଭାଙ୍ଗି ପଡିଛି। ଏହି ଅଦିନିଆ ଝଡ଼ ହଠାତ୍ ଆସି ସୀତାର ଭାଗ୍ୟ ଭବିଷ୍ୟତ ସବୁ ଅନ୍ଧକାର ଭିତରକୁ ଠେଲି ଦେଇଛି।ତା'ର ମନର ମଣିଷ ଆଜି ତା' ପାଖରେ ନାହିଁ ତେଣୁ ସେ ଅସହାୟ ହୋଇପଡିଛି।ଆଉ ଭଗବାନଙ୍କୁ ପ୍ରଶ୍ନ କରୁଛି ଯେ ଏହି ଝଡ଼ ହଠାତ୍ କାହିଁକି ଆସି ତା'ର ସୁଖର ସଂସାରକୁ ଛାରଖାର କରିଦେଲା ।     


Rate this content
Log in

Similar oriya story from Tragedy