ଅସ୍ଥିର ଭାବନା
ଅସ୍ଥିର ଭାବନା
ଆଠ ବର୍ଷର ବାଳକ ବାବୁଲା। ବହୁତ ଦୁଷ୍ଟ ଚଗଲା।ସେ କେବେ ବି ଧୀରସ୍ଥିର ଭାବେ ଗୋଟିଏ ମୁହୁର୍ତ୍ତ ପାଇଁ ବସେ ନାହିଁ। ସୁଯୋଗ ପାଇଲେ କ'ଣ ନା କ'ଣ କରିପକାଏ।କେବେ ହେଲେ କାହା କଥାକୁ ଶୁଣେ ନାହିଁ। ତା'ର ମନ ସବୁବେଳେ ଅସ୍ଥିର।ମନେ ମନେ କେତେ କଥା ଭାବି ବସେ ।ତୁଚ୍ଛାକୁ ଖାଲି ଅଯଥା କଥା ଗାଇଯାଏ ସେ ଛୋଟ ପିଲା । କ'ଣ ଅବା ଜାଣିଛି,ଦୁନିଆର ରୀତିନୀତି କ'ଣ ?କେତେ ଅବା ତା'ର ବୟସ!
ଵାବୁଲା ଅସ୍ଥିରମନା କିନ୍ତୁ ଭଲ ପଢ଼େ। ତା'ର ଏହି ଅସ୍ଥିରତା ହେତୁ ସମସ୍ତେ ତା ଉପରେ ବିରକ୍ତ ହୁଅନ୍ତି।ଚାଲିଗଲା ଶଗଡ଼ରେ ହାତ ମାରିଦିଏ। ସାଙ୍ଗ ପିଲାଙ୍କ ସହିତ ମଧ୍ୟ ନଖରାମି କରେ ସେଥିପାଇଁ ସାଙ୍ଗ ମାନେ ତା ଉପରେ ବିରକ୍ତ ହୁଅନ୍ତି।ଘରେ ବାପା ମାଆ ଗୋଟିଏ କଥା କହିଲେ ସେ ଆଉ ଗୋଟିଏ କାମ କରିପକାଏ। ବେଳେବେଳେ ସେ ମନେ ମନେ କ'ଣ ନା କ'ଣ ଗପି ପକାଏ।
ଏମିତି ଥରେ ବାବୁଲା ବିଦ୍ୟାଳୟରେ ସାଙ୍ଗ ସାଥିମାନଙ୍କ ସହ ଲୁଚକାଳି ଖେଳିବା ସମୟରେ ହଠାତ୍ ତା'ର ଏକ ସାଙ୍ଗ ବିଦ୍ୟାଳୟ ନିକଟରେ ଥିବା ଏକ ପୋଖରୀରେ ପଡ଼ିଗଲା।ସେହି ପୋଖରୀରେ ପ୍ରବଳ ପାଣି ଥିଲା।ପିଲାଟି ପାଣିରେ ବୁଡି ଵୁଡୁଥାଏ,ଉଠୁଥାଏ।ସେ ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥାଏ କିନ୍ତୁ ଛୋଟ ହେତୁ ପାରୁ ନ ଥାଏ। ବାବୁଲା ଏ ସବୁ ଦେଖି ସାହାଯ୍ୟ ପାଇଁ ପାଖରେ ଥିବା ଲୋକମାନଙ୍କୁ ପାଟି କରି ଡକେଇଲା ଏବଂ ଶିକ୍ଷକଙ୍କୁ ମଧ୍ୟ ସବୁକଥା ଜଣେଇ ସେହି ସ୍ଥାନକୁ ଡାକିନେଲା। ସେହି ସମୟ ଭିତରେ ସେ ମଧ୍ୟ ଗୋଟିଏ ଗଛର ଲତାକୁ ଛିଣ୍ଡାଇ ଆଣି ସେହି ସାଙ୍ଗ ନିକଟକୁ ଫୋପାଡି ସେହି ଲତାଟିକୁ ଧରିବା ପାଇଁ କହିଥିଲା।ଶିକ୍ଷକ ଏବଂ ଆଖପାଖରେ ଥିବା ଲୋକମାନଙ୍କୁ ସହଜରେ ସେହି ପିଲାଟିକୁ ପୋଖରୀରୁ ଉଦ୍ଧାର କରିବା ପାଇଁ ସୁବିଧା ହେଲା।
ତେଣୁ ବାବୁଲାର ଏହି ଦୁଃସାହସିକ କାର୍ଯ୍ୟ ପାଇଁ ସମସ୍ତେ ଆଜି ଧନ୍ୟ ଧନ୍ୟ କହିଲେ। ସମସ୍ତେ ବାବୁଲା ଉପରେ ଖୁସି ହେଲେ।ଆଉ କହିଲେ, ବାଵୁଲା ଅସ୍ଥିର,ଚଗଲା ହେଲେ ମଧ୍ୟ ଠିକ୍ ସମୟରେ ଉପଯୁକ୍ତ ବୁଦ୍ଧି ଖଟାଇ ଏହି ସାହସିକତା ଦେଖାଇ ନିଜକୁ ଜଣେ ସୁଯୋଗ୍ୟ ସନ୍ତାନ ଭାବେ ପ୍ରମାଣିତ କରିପାରିଛି ଯାହା ପାଇଁ ଏହି ନିରୀହ ଛୋଟ ପିଲାଟିର ଜୀବନ ବଞ୍ଚି ପାରିଲା।