ସମ୍ପର୍କ
ସମ୍ପର୍କ
ସମ୍ପର୍କ କେତେବେଳେ କାହା ସହ ଯୋଡିହୋଡିଥାଏ ତାହା ଭଗବାନ ନିର୍ଦ୍ଧାରଣ କରିଥାନ୍ତି। ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଦ୍ଵାରା ସମ୍ପର୍କ ଆପେ ଆପେ ଗଢିଉଠିଥାଏ। ବିଶ୍ୱାସ ହିଁ ସମ୍ପର୍କ ମଜବୁତ କରାଇବାରେ ସାହାଯ୍ୟ କରିଥାଏ। ବେଳେବେଳେ ଅଜଣା ଅଚିହ୍ନା ଲୋକମାନଙ୍କ ସହ ଏମିତି ସମ୍ପର୍କ ସୃଷ୍ଟି ହୋଇଥାଏ ଯେ ସେମାନେ ରକ୍ତଗତ କିମ୍ବା ସମ୍ପର୍କୀୟ ନ ହୋଇଥିଲେ ମଧ୍ୟ ନିଜ ଆପଣର ଲୋକଙ୍କଠାରୁ ବି ଅତି ନିଜର ହୋଇଥାନ୍ତି।
ସେହିପରି ଏକଦା ମମତା ଗୋଟିଏ ଟ୍ରେନ୍ ରେ ଯାଉଥାଏ। ପୁରାପୁରି ସେ ଏକୁଟିଆ।ମନେ ତା'ର ଅସ୍ତବ୍ୟସ୍ତ ।ସେ ଖାଲି ଖୋଜୁଥାଏ ଗୋଟିଏ ସାଥିଟିଏ।ତା ଜୀବନର ସେହି ଶୂନ୍ୟତାକୁ ପୂରଣ କରିବା ପାଇଁ ରାହା ଖୋଜୁଥାଏ। ସେଥିପାଇଁ ସେ ଜୀବନରେ କେତେ ନିନ୍ଦା ଅପନିନ୍ଦା ଶୁଣିଛି।ସମାଜ ମଧ୍ୟ ତାକୁ ବହୁତ ପରିହାସ କରିଛି। ତେଣୁ ସେ ଏହି ନିନ୍ଦା ଅପନିନ୍ଦାରୁ ବଞ୍ଚିତ ହେବା ପାଇଁ ଆଜି ମମତା ଘର ଆଉ ଗାଁ ଛାଡ଼ିଦେଇ ଆଶ୍ରମକୁ ଯିବା ପାଇଁ ନିଷ୍ପତ୍ତି ନେଇଛି।
ହଠାତ୍ ମମତା ଟ୍ରେନରେ ଯାଉଥିବା ସମୟରେ ତା'ର ଆଖି ପଡ଼ିଲା ରାସ୍ତାକଡରେ ଥିବା ଏକ ଅଳିଆ ଆବର୍ଜନା ଉପରେ। ଆଉ ସେହିଠାରେ ଥିବା ଏକ କଅଁଳ ନିଷ୍ଠାପ ଶିଶୁ ଉପରେ । ତା'ର ସେହି କୁଆଁ କୁଆଁ ସ୍ୱର ସତେ ଯେମିତି ମମତାର କାନକୁ ବାରମ୍ବାର ପ୍ରତିଧ୍ଵନିତ କରୁଥିଲା। ତେଣୁ ମମତା ଆଉ ତା'ର ମାତୃତ୍ଵ କୋଳକୁ ଶୂନ୍ୟ ରଖିପାରିଲା ନାହିଁ। ସେହିଠାରୁ ସେ ସଙ୍ଗେ ସଙ୍ଗେ ଅଟକି ଯାଇଥିଲା।ଆଉ ଧାଇଁ ଯାଇଥିଲା ସେହି କଅଁଳ ନିଷ୍ପାପ ଶିଶୁ ପାଖକୁ ।ସେଠି ଯାଇ ପହଁଞ୍ଚି ଦେଖିଲାବେଳକୁ ପିଲାଟି ଦେହରେ ମାଛି ପିମ୍ପୁଡ଼ି ଵେଢିସାରିଛନ୍ତି।ସାରା ଦେହ ଖଣ୍ଡିଆ କରି ରକ୍ତାକ୍ତ କରିଦେଇଛନ୍ତି। ତେଣୁ ଏହି ଅଜ୍ଞାନ୍ତ ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଛି। ତେଣୁ ଶିଶୁଟିର ଏ ଅବସ୍ଥା ଦେଖି ସେ ଆଉ ନିଜକୁ ଅଟକାଇ ପାରିଲା ନାହିଁ।ତା ଆଖିରୁ ଟୋପା ଟୋପା ହୋଇ ଲୁହ ଧାର ଵୋହିଯାଉଥାଏ।ମନେ ପଡ଼ିଯାଉଥାଏ
ସେ ହରାଇଥିବା ତା'ର ଛୋଟ ଛୁଆଟିକୁ। ହୁଏତ ଭଗବାନ ତା'ର ଏହି ଶୂନ୍ୟ ମାତୃତ୍ଵ କୋଳ ପୂର୍ଣ୍ଣ କରିବା ପାଇଁ ଏହି ଛୁଆଟିକୁ ପଠାଇଛନ୍ତି। ତେଣୁ ସେ ପିଲାଟିକୁ ଅଳିଆ ଗଦାରୁ ଉଠାଇ ନେଇ ଡାକ୍ତରଖାନାରେ ଚିକିତ୍ସା କରାଇ ଉପଯୁକ୍ତ ଯତ୍ନ ନେଲା ଓ ନିଜ ଛୁଆଟି ପରି ସ୍ନେହ ଆଦର ଦେଇ ତାକୁ ବଢ଼ାଇବାରେ ଲାଗିଲା।ପିଲାଟି ସହିତ ଏମିତି ମୋହ ମାୟା ସମ୍ପର୍କରେ ବାନ୍ଧି ହୋଇଥାଏ ଯେ ମୁହୁର୍ତ୍ତଟିଏ ମଧ୍ୟ ଛାଡି ରହିପାରୁ ନଥାଏ।ପିଲାଟି ମଧ୍ୟ ମମତାକୁ ଛାଡି ଟିକିଏ ହେଲେ ବି ରହିପାରୁ ନଥାଏ।ମା ମା କହି ପାଖେ ପାଖେ ରହୁଥାଏ। ତା'ର ଏହି ମାଆ ଡାକରେ ମମତାର ହୃଦୟ ସତେ ଯେମିତି ବାତ୍ସଲ୍ୟ ମମତାର ଶିହରଣ ଖେଳିଯାଉଥିଲା ଆଉ ମନେ ପଡିଯାଉଥିଲା ଅତୀତ ସ୍ମୃତିକୁ।କେତେ ସୁନ୍ଦର ଥିଲା ତା'ର ସେହି ଅତୀତ। ଯେଉଁ ଅତୀତ କି ତା ଜୀବନର ଚଲାପଥରେ ନୂଆ ମୋଡ଼ ସୃଷ୍ଟି କରିଥିଲା।
ମମତା ତା'ର ସେହି ହସ ଖୁସି ସଂସାର ମଧ୍ୟରେ ଥରେ ଯାତ୍ରା ଦେଖିବା ପାଇଁ ଯାଉଥିବା ସମୟରେ ହଠାତ୍ ଏକ ଟ୍ରକ ଦୁର୍ଘଟଣାରେ ମମତାର ସ୍ୱାମୀ ଓ ପୁଅ ଦୁହିଁଙ୍କର ସେହି ସ୍ଥାନରେ ହିଁ ପ୍ରାଣ ଚାଲିଯାଇଥିଲା। ତା'ର ଏହି ଦୁର୍ଦ୍ଦଶାରେ ଶାଶୁ ଘର ଲୋକେ ନିଜର ହୋଇ ମଧ୍ୟ ସମ୍ପର୍କ ଚିହ୍ନ କରି ଦେଇ ଅଲକ୍ଷଣି କହି ଘରୁ ବାହାର କରିଦେଇଥିଲେ। ତେଣୁ ଆଖିର ଲୁହକୁ ଓଠେ ପିଇଦେଇ ଶାଶୁଘର ସମ୍ପର୍କକୁ ତୁଟାଇ ଚାଲିଥିଲା ଆଶ୍ରମ ଅଭିମୁଖେ। ହେଲେ ଭଗବାନଙ୍କ ଲୀଳା ବଡ଼ ବିଚିତ୍ର! ପୁଣି ଆଉଥରେ ଏହି ପିଲା ଦ୍ଵାରା ସମ୍ପର୍କର ମୋହର ଡୋରିରେ ବାନ୍ଧି ହୋଇଗଲା। ସେହିଦିନ ଠାରୁ ତା'ର ହଜିଯାଇଥିବା ସମସ୍ତ ଖୁସି ଫେରପାଇଥିଲା। ଦୁନିଆଁ ଆଗରେ ସେ ଦୁହେଁ ମାଆ ପୁଅ ସମ୍ପର୍କରେ ନିଜକୁ ପରିଚିତ ଦେଲେ।