Sujata Dash

Inspirational

4.5  

Sujata Dash

Inspirational

ଅଧିକାର

ଅଧିକାର

21 mins
183



"ଥକିଗଲେଣି କି ମିସେସ କପୁର ?"

"ନାଁ, ବିଶେଷ ନୁହେଁ ।" -ସାଲ ର ଉସ୍ମତା ରେ ନିଜକୁ ବାନ୍ଧୁ ବାନ୍ଧୁ କହିଲେ ମିସେସ କପୁର ।

"କାଳେ ଥଣ୍ଡା ଲାଗିଯିବ ସେଥି ପାଇଁ ସାଲ ଟା କାଢ଼ିଲି ।"

"ଚା' ଅଛି flask ରେ, ଯଦି କହିବେ .."

"ନାଁ, ଏବେ ନୁହେଁ, ଟିକେ ପରେ-" 

"ଆଉ ବୋଧେ ବେଶୀ ଦୂର ନାହିଁ ?"

"ନାଁ- ଅନୁମାନ ଘଣ୍ଟେ ଭିତରେ ପହଂଚିଯିବା। ଘଂଚ ଜଙ୍ଗଲ ସରି ଆସିଲାଣି, ଖାଲି ବୁଦି ବୁଦିକିଆ ଜଙ୍ଗଲ ଏବେ ଆରମ୍ଭ ହେଲା।

ୟା ପରେ ଆସିଯିବ, ପାଇନ ଗଛର ଆଡ୍ଡା। ରାସ୍ତାର ଦୁଇଧାରରେ ଆକାଶକୁ ଜଗି ଛିଡାହେଇଚନ୍ତି ଯେମିତି ଦରୁଆନ ସାଜି।" 

"ମିସ୍ଟର ମେହରା! ଆପଣ ତ କବି ପାଲଟିଗଲେଣି -ସାମାନ୍ୟ ହସି ମିସେସ କପୁର କହିଲେ ।" 

"ପାଲଟି ଗଲିଣି ମାନେ? ମୁଁ ଆଜନ୍ମ କବି। କଲେଜ ରେ ପଢିଲା ବେଳେ, କେତେ ଅନୁରୋଧ ଆସେ -ଅସୀମ! ଗାର୍ଲ ଫ୍ରେନ୍ଡ କୁ ମନେଇବାକୁ ଲେଖିଦେନା ଚାରିପଦ।" ଏକଥା ଶୁଣି ମିସେସ କପୁର ଖିଲ ଖିଲ ହେଇ ହସି ଉଠିଲେ। 

"ଓଃ! ତାହାଲେ ଆପଣ ଜଣେ କଳାକାର?" 

"ହଁ, ଏକପ୍ରକାର କହିଲେ ଚଳେ। କବିତା ଲେଖିବାରେ ମୁଁ ମାହିର ଥିଲି । କାଳକ୍ରମେ, ବିଲୁପ୍ତପ୍ରାୟ ହେଇଗଲା, ହେଲେ ଅବଶୋଷ ନାହିଁ । ସମୟର ଧାରା ସହିତ ଖାପ ଖୁଆଇ ଚାଲିବାକୁ ହେଲେ କିଛି ଏକାନ୍ତ ନିଜରଙ୍କୁ ପର କରିବାକୁ ହୁଏ । ଆଗକୁ, ଏଇ ଅସ୍ତ କବିଙ୍କର ପୁରୁଣା ଡ଼ାଇରୀ ପୃଷ୍ଠା ରୁ କିଛି ଧୂଳି ଝାଡ଼ିବା। ହାତରେ ଚାରିଦିନ ସମୟ ଅଛି, ହେଲେ ଆପଣଙ୍କର ସମ୍ମତି ଦରକାର ।" 

"ପାଟିରେ କହିଦେଲେ ଚଳିବ,ନା ଲିଖିତ ଆକାରରେ ଦେବାକୁ ପଡିବ ?" ମନଖୋଲା ହସ ଲାଗି ରହିଥାଏ ସେତେ ପର୍ଯ୍ୟନ୍ତ ମିସେସ କପୁରଙ୍କ ଓଠରେ। 

"ଏଇ ଯୋଉ ମୋଡ ଆସିବ, ତା'ର ଠିକ ଦୁଇ କିଲୋମିଟର ପରେ, ଆମର ବସଷ୍ଟପ। ତା'ପରେ ଅଟୋ ରେ ଆଉ ଗୋଟେ କିଲୋମିଟର, ବାସ ପହଂଚିଯିବା ଡେଷ୍ଟିନେସନ ରେ ।" 

"ଆରେ ବାଃ! ହେଲେ, ଆପଣ ମତେ କାହିଁକି କହୁନାହାନ୍ତି କୁଆଡେ ଆମେ ଯାଉଛୁ ?ସେଠି ଆଉ କିଏ ଥିବେ? କୋଉଠି ରହିବା? ମୁଁ କିଛିବି ଡିଟେଲସ ଜାଣିନି। "

"ସରପ୍ରାଇଜ ମାଡାମ! ଭାବନ୍ତୁ, ଆପଣ ଏକ ବ୍ଲାଇଣ୍ଡ ଡେଟ ରେ ଆସିଛନ୍ତି । 

ଶୁଣିକି ସିଏ ଟିକେ ଅପ୍ରସ୍ତୁତ ହେଇଗଲେ ।ତାଙ୍କ ମୁଂହ ର ଏକ୍ସପ୍ରେସନ ରେ ସାମାନ୍ୟ ପରିବର୍ତନ ଦେଖାଦେଲା। ୟା'କୁ ଦେଖି ଠୋ ଠୋ ହେଇ ହସିଉଠିଲେ ମିସ୍ଟର ମେହରା, କହିଲେ ଆଉ ଅଳ୍ପ ସମୟ । ଧର୍ଯ୍ୟ ଧରନ୍ତୁ ।ପହଁଚିଲେ ସବୁ ବୁଝିପାରିବେ ।  

ବସ ରୁ ଓଲ୍ହେଇ, ଅଟୋ ନେଇ, ପହଁଚିଲେ ସେମାନେ ଏକ ବଙ୍ଗ୍ଲୋ ପାଖରେ। ଅଟୋ ଅଟକିଲା..ତା'ର ପାଉଣା ନେଇ," ଥାଙ୍କ ୟୁ ସାର" କହି ଚାଲିଗଲା ।  

 ପୁରୁଣା ହେଲେବି, ସମ୍ଭ୍ରାନ୍ତ ପରିବାର ର ସୁଗନ୍ଧ ଭାସି ଆସୁଥିଲା ବଙ୍ଗ୍ଲୋ ର ଡିଜାଇନ ଆଉ କାରୁକାର୍ଯ୍ୟ ରୁ ।  

ବାହାର କାନ୍ଥ ରୁ ଚୁନ ଖସିଯାଇଥାଏ କିଛି କିଛି ଜାଗାରେ ... ଠିକ ସେ ବୁଦିବୁଦିକିଆ ଜଙ୍ଗଲ ପରି । ଆଗରେ ବିରାଟ ବଗିଚା ।  ଫୁଲ, ଫଳ ଗଛରେ ଭର୍ତି । ଗେଟ ଖୋଲୁ, ଖୋଲୁ ମିଷ୍ଟର ମେହେରା, ମିସେସ କପୁର ଙ୍କ ଉଦେଶ୍ୟ ରେ କହିଲେ "କଣ ଏମିତି ବାହାରେ ଠିଆ ହେଇଥିବେ , ଭିତରକୁ ଆସିବେନି?ରବି! ଜଲ୍ଦି ଆସ ।ଏ ଜିନିଷ ସବୁ ଭିତରକୁ ନେଇଯାଅ। ଜାଗାରେ ରଖିବ ।  ହଁ, ଆମେ ଫ୍ରେଶ ହେଇସାରିଲେ ବ୍ରେକଫାଷ୍ଟ ବଗିଚା ରେ ଲଗେଇବ। ତା ପୂର୍ବରୁ, ଗାର୍ଡେନରେ ଚେୟାର ଆଉ ଟେବୁଲ ଆରେଞ୍ଜ କରିନିଅ।" 

"ଆଜ୍ଞା ସାନବାବୁ !"

ରବି, ଘୁରି ଘୁରି ମିସେସ କପୁରଙ୍କୁ ସନ୍ଧାନୀ ଦୃଷ୍ଟି ରେ ଦେଖୁଥାଏ, ଆଉ ମିସେସ କପୁର ନିଜଭିତରେ ସଂକୁଚିତ ହେଇ ଚାଲିଥାନ୍ତି ।   

ରବି ଯେ ଏଠିକାର କେଆରଟେକର,ଏକଥା ବୁଝିବାରେ ତାଙ୍କର ଆଉ ଅସୁବିଧା ନ ଥାଏ । କେତୋଟି ପାହାଚ ଅତିକ୍ରମ କରି ଘର ଭିତରକୁ ଗଲେ ।ବିଶ୍ୱାସ କରିପାରିଲେନି -ଭିତରର ସାଜସଜ୍ଜା ତାଙ୍କର କଳ୍ପନା ବାହାରେ ଥିଲା । ପରସ୍ତ, ପରସ୍ତ ଅନୁଭବ ଓ ଅନୁଭୁତିରେ ଜୁଡୁବୁଡୁ ବେଶ ରୁଚିପୂର୍ଣ୍ଣ ଥିଲା ଘର ର ପ୍ରତ୍ୟେକ କୋଣ ର ପରିପାଟୀ । ଖୁବ ଉଚ୍ଚ କୋଟିର ଓ ଅତୁଳନୀୟ ସୌନ୍ଦର୍ଯ୍ୟ ନିହିତ ଥିଲା ଫର୍ନିଚର ଓ ଫର୍ନିସିଂ ର ଚୟନ ରେ ।ମିସେସ ମେହରାଙ୍କର ସୂକ୍ଷ୍ମ ଏବଂ ଦୃଷ୍ଟିକୋଣ କଳାତ୍ମକ ଦ୍ୱାରା ସେ ଖୁବ ପ୍ରଭାବିତ ହେଇଯାଇଥିଲେ ନିଶ୍ଚୟ । ଗୋଟି ଗୋଟି କରି ଘର ବୁଲି ଦେଖିଲେ। କେବଳ ଦାଣ୍ଡ ଘର ଛଡା ଅନ୍ୟ କୌଣସି ଜାଗାରେ ମିସେସ ମେହରା ଙ୍କ ଫଟୋ ନଥିଲା। ଭାବିଲେ, ପଚାରିବେ- ହେଲେ ଭରସି ପାରିଲେନି। କେତେବେଳେ ମିସ୍ଟର ମେହରା ତାଙ୍କ ପଛରେ ଠିଆ ହେଇ, ତାଙ୍କ କୌତୁହଳତା କୁ ଉପଭୋଗ କରିଚାଲିଥିଲେ ତା'ଙ୍କୁ ଜଣା ନଥିଲା । ହଠାତ ତାଙ୍କୁ ପଛରେ ଦେଖି ଲାଜେଇଗଲେ । 

"କ'ଣ ଏତେ ଦେଖୁଛନ୍ତି ମାଡାମ? ଚାଲନ୍ତୁ, ଫ୍ରେଶ ହେଇ ବ୍ରେକଫାଷ୍ଟ ନବା, ତାପରେ ପୁରା ଖରାବେଳ ପଡିଛି ଆପଣଙ୍କ ଜିଜ୍ଞାସା ର ସମାଧାନ ପାଇଁ । "

"ହଁ, ଚାଲନ୍ତୁ । "

ରବି, ଗାର୍ଡେନ ର ଟେବୁଲ ଉପରେ ବ୍ରେକଫାଷ୍ଟ ଆଉ ଚା' ସଜେଇ ରଖୁଥାଏ। ଦାମୀ କ୍ରକରୀ ସେଟ ରେ ବହୁତ ଦିନପରେ ଖାଇବା ପରସା ଦେଖି ବହୁ ପୁରୁଣା ସ୍ମୃତି ଉଙ୍କି ମାରିଲେ । ଏତେସକାଳୁ ପୁରା ସ୍ପ୍ରେଡ଼ ବନେଇ ପେଶ କରିବା କିଛି କମ କଥା ନୁହେଁ ।ଛୋଟିଆ ଧନ୍ୟବାଦ ଟିଏ ଜଣାଇ ଚେୟାର ରେ ନିଜକୁ ସହଜ କରିନେଲେ ମିସେସ କପୁର ।  

"ଆପଣ ହେଲେ ମୋ ଗେଷ୍ଟ, ମତେ ଅତିଥି ସେବା କରିବାର ସୁଯୋଗ ଦିଅନ୍ତୁ। "- କହି, ଗୋଟେ ପ୍ଲେଟ ରେ କିଛି ଇଡ଼ଲି, ବରା, ଚଟଣି ଅନ୍ୟଏକ ଗିନାରେ ସମ୍ବର ବାଢି ତାଙ୍କ ହାତ କୁ ଦେଲେ ମିସ୍ଟର ମେହରା ।

"ଆଉ ଆପଣ?" 

"ହଁ, ରବି ଓମଲେଟ ଆଣିବାକୁ ଯାଇଛି ମୁଁ ଟୋଷ୍ଟ ବନେଇ ନଉଚି।" 

"ମୋ ପାଇଁ କ'ଣ ସ୍ପେଶାଲ ବନା ହେଇଛି ଏସବୁ ?କାହିଁକି ପିଲାଟାକୁ ଏତେ କଷ୍ଟ ଦେଲେ ?"

"ପିଲା କିଏ ମାଡାମ ?"

 "ଯେବେ ରବି ପିଲାଟିଏ ଥିଲା,ଏ ଘରକୁ ଆସିଥିଲା। ଏଠି ତା'ର ପ୍ରାୟ ତିରିଶ ବର୍ଷ ହେଇଜିବଣି ।ନା' କ'ଣ ରବି ?"

"ହଁ ,ଆଜ୍ଞା! ଏକତିରିଶ ପୁରିକି ଆର ମାସ ରୁ ବତିଶ ଚାଲିଛି।" 

"ଆରେ- ତୁ ତ ପକ୍କା ହିସାବ ରଖିଛୁ।" 

କାନ୍ଧ ରେ ପାକଲା ଗାମୁଛା ଟା ବାଡେଇ,ସାମାନ୍ୟ ମୁରୁକିହସା ଦେଇ ସେଠୁ ପଳେଇଲା ରବି। 

"ବୁଝିଲେ ମିସେସ କପୁର! ରବି ଆମର କିଛି ନକହିକି ବି ବହୁତ କିଛି କହିଗଲା ।" 

"ବାପା ତା'କୁ ରାସ୍ତା ରୁ ଗୋଟେଇ ଆଣିଥିଲେ କହିଲେ ଅତ୍ୟୁକ୍ତି ହବନାହିଁ। ଦିନେ ସକାଳେ ମର୍ନିଙ୍ଗ ୱାକ ରେ ଗଲାବେଳେ ଦେଖିଲେ ପିଲାଟିଏ ଗଛମୂଳ ରେ ବସି କଇଁ କଇଁ ହେଇ କାନ୍ଦୁଚି। ପଚାରିଲାରୁ କହିଲା -ବାପା ସାପ ଖେଳାଏ, ଭଉଣୀ ବାଉଁଶରାଣୀ ଖେଳ ଦେଖାଏ। ସେଇଥିରୁ ଯାହା ପଇସା ଉପାର୍ଜନ ହୁଏ ସେଥିରେ ଚଳନ୍ତି ପୁରା ପରିବାର। ତା'ର ଭାଗରେ ମାଙ୍କଡ ଖେଳ ଥିଲା। ସପ୍ତାହେ ଖଣ୍ଡେ ତଳେ ତା'ର ରୋଜଗାରର ପନ୍ଥା ବନ୍ଦ ହେଇଯାଇଛି। ତା'ର ଗେଲ୍ଲୀ ଚମ୍ପା(ମାଙ୍କଡ କୁ ସ୍ନେହରେ ଚମ୍ପା ବୋଲି ଡାକୁଥିଲା। ) -ଯାହାକୁ ସିଏ ଏତେ କଷ୍ଟ କରି ସବୁ ଖେଳ ଶିଖେଇଥିଲା, ପର କରି ଚାଲିଗଲା। 

ସେଇଦିନୁ ବାପା ତା'ର ତାକୁ ଆଡ ଆଖିରେ ଦେଖିପାରିଲେନି। କଥା କଥାକେ ଗାଳି ମନ୍ଦ କଲେ। ସେପଟ ଗାଁ ରେ ଖେଳ ଦେଖାଇସାରି ରାତିରେ ଏଇ ଗଛମୂଳେ ଆଶ୍ରୟ ନେଇଥିଲେ ତାଙ୍କ ପରିବାର ଟି। ସିଏ ଉଠିଲାବେଳକୁ କେହି କୁଆଡେ ନାହାନ୍ତି। ଏପଟ, ସେପଟ ,ବିଲ, ଖେତ, ମନ୍ଦିର ପଛ କୂଅମୁଳ ସବୁଆଡେ ଖୋଜି ଆସିଲା ହେଲେ କାହାରିକୁ ପାଇଲା ନାହିଁ । ସେତେବେଳଠୁଁ କାନ୍ଦୁଚି ଏଠି ବସି ।ଯିଏ ଯାଉଛି ସେବାଟେ, ପଚାରୁଛି ତା'କୁ -ମୋ' ମା ବାପା ଙ୍କୁ ଦେଖିଚ ?ସମସ୍ତେ ମୁଣ୍ଡ ହଲେଇ ନାହିଁ କରୁଛନ୍ତି। 

ବାପାଙ୍କ ସଂଗେ ଯାଉଥିବା ସମସ୍ତ ମର୍ନିଙ୍ଗ ୱାକର୍ସ ଙ୍କ ବିରୋଧ ସତ୍ୱେ ବାପା ତାକୁ ଘରକୁ ନେଇଆସିଲେ। " 

"ନାଁ' ପଚାରିବାରୁ କହିଲା -ମୋ ନାଁ' ହେଲା ରଘୁଆ -ହେଲେ କେତେ ଦିନ ହେଲାଣି ମୋ ନାଁ ବଦଳିକି- ରଇଜଳା, ଅଲକ୍ଷଣା, ହତଭାଗା ହେଇଯାଇଛି । ବାବୁ !ଚମ୍ପା ଯେ, ମତେ ଛାଡି ଚାଲିଗଲା ଏଥିରେ ମୋ’ ଭୁଲ ରହିଲା କୋଉଠି ?"

"ହଉ- ଆଗ କଥା ସବୁ ଭୂଲି ଯା। ତୋ ନାଁ ଆଜିଠୁ ହେଲା ରବି ।ତୁ ଆମଘରେ ରହିବୁ ।" 

ସେଇଦିନରୁ ରବି ଆମ ପରିବାର ର ସଦସ୍ୟ ବନିଯାଇଛି । 

"ଆରେ ମାଡାମ! ଆପଣ କିଛି ଖାଉନାହାନ୍ତି ଯେ? ଥଣ୍ଡା ହେଇଗଲେ ଖାଦ୍ୟ ର କଣ ମଜା ରହେ?" 

"ଖାସ ଆପଣଙ୍କ ପାଇଁ, ତା'ର ଏସବୁ ପ୍ରସ୍ତୁତି । ଆପଣ ଖାଇ ତାକୁ ସାର୍ଟିଫିକେଟ ଦେଲେ ତା'ର ପରିଶ୍ରମ ର ମୂଲ୍ୟ ସେ ପାଇଯିବ । 

 ହଁ, ସମ୍ବର ରେ ଯେଉଁ ମୂଳା ପଡିଛି, ସିଏ ଆମ ବାଡ଼ି ପରିବା -ଅର୍ଗାନିକ । ସହରରେ ଏସବୁ ସହଜେ ପାଇବେ ନାହିଁ । "

"ଯାହା କହିଲେ। ରବି, ଖୁବ ଭଲ ଲାଗିଲା ତୁମ ହାତ ରନ୍ଧା। ତା'ଠୁ ଅଧିକ ପରଷିବା।"

"ଇଏ କିଛି ନୁହେଁ ମାଡାମ, ଆଜି ମୋ ହାତ ର ଚିଙ୍ଗୁଡ଼ି ତରକାରୀ ଖାଇ କହିବେ।" 

"ଓଃ ! ଲଞ୍ଚ ରେ ଆଜି ଚିଙ୍ଗୁଡ଼ି ଵନିଚି ?ତାହାଲେ ତାରିଫ କରି, କରି ମୁଁ ଶବ୍ଦ ଶୂନ୍ୟ ହେଇଯିବି।"

ଟିକିଏ ଲାଜେଇଗଲା ରବି- କହିଲା" ମା ଆମର ବିଲକୁଲ ଏମିତି କଥା କହୁଥିଲେ।" 

କହିସାରିଲା ପରେ ବୁଝିଗଲା, ବାବୁଙ୍କର କଟାକ୍ଷ ର ଶିକାର ହେଇ ସାରିଛି। ଗାମୁଛା ଖଣ୍ଡକ କାନ୍ଧରେ ବାଡେଇ ଧୀରେ, ଧୀରେ ମଂଚ ରୁ ଅପସରି ଗଲା। 

ମିସେସ କପୁର ବୁଝି ପାରିଲେନି- କାହିଁକି ରବି ର ସାନବାବୁ ଆଖି ବଡ ବଡ କରିପକେଇଲେ?କିନ୍ତୁ, ଭଦ୍ରତା ଦୃଷ୍ଟିରୁ କିଛି ପଚାରିଲେ ନାହିଁ । ସିଏ ଯାହା ହଉ, ଜଳଖିଆ ପର୍ବ ସରିଲା ପରେ ବଗିଚା ରେ ଟହଲ ମାରି ସାରି ନିଜ ନିଜ ରୁମ କୁ ଗଲେ ଦୁଇଜଣ। ଭିତର ରୁମ ରେ ମିସେସ କପୁର ଆଉ ଡ୍ରଇଂ ପାଖ ରୁମ ରେ ମିସ୍ଟର ମେହରା । 

ତକିଆ ରେ ଆଉଜି ମୋବାଇଲ ରେ ମେସେଜ ଚେକ କରିଚାଲିଲେ। ସମୁଦାୟ ପନ୍ଦର ଟି ମେସେଜ ରୁ ଦଶଟି ନିଜ ପୁଅ ଝିଅ ଙ୍କ ପାଖରୁ ବାକି ସର୍ଭିସ ପ୍ରୋଭାଇଡର ମାନଙ୍କର । 

ପୁଅ -"ମା! ଖବର ପାଇଲି ଯେ, ତୁମେ ଏକ ଅଜଣା ଅଶୁଣା ବ୍ୟକ୍ତିଙ୍କ ସହ ସହର ଛାଡି କୁଆଡେ ଚାଲିଯାଇଛ । ନିଜକୁ ଖରାପ ଲାଗୁଚି ଏସବୁ ପ୍ରଶ୍ନ କରିବା ଲାଗି। ହଁ, ଶୁଣିବାକୁ ମିଳିଲା ସେ ଜଣେ ପଇସା ଵାଲା ଲୋକ । ଖୁବ ଦାନ ଧର୍ମ ମଧ୍ୟ କରନ୍ତି। ତୁମେ ରହୁଥିବା ଓଲଡ଼ ଏଜ ହୋମ ର ଜଣେ ପୃଷ୍ଠପୋଷକ ମଧ୍ୟ । ଆଶାକରେ, ତୁମେ ଏ ବୟସରେ ଆମମାନଙ୍କୁ ଅପଦସ୍ଥ ହବାରୁ ରକ୍ଷା କରିବ । ଏମିତି କିଛି ପଦକ୍ଷେପ ନେବନି, ଯାହାଦ୍ୱାରା ମୋର ଆଉ ତୁମ ବୋହୂର ସମ୍ମାନ ରେ ଆଞ୍ଚ ଆସିବ । " 

ଝିଅ -"ମା !ଭାଇ ଫୋନ କରି ଯାହା ସବୁ କହିଲା କ’ଣ ସତ ?ତମର ଓଲଡ଼ ଏଜ ହୋମ ରେ କିଛି ଅସୁବିଧା ହଉଥିଲା ଯଦି କହିଥାଆନ୍ତ, ଆମେ ବେଟର ଜାଗାକୁ ତମକୁ ସିଫ୍ଟ କରିଦେଇଥାନ୍ତୁ। ପରିଣତ ବୟସରେ ନିଜେ ଲୋକହସା ହବା ସଂଗେ,ସଂଗେ ଆମକୁ ବି ବଦ୍ନାମ କରିବାର ଅଧିକାର ତୁମକୁ କିଏ ଦେଲା ? ଆମେ ତ ପିଲାହିସାବରେ ନୁହେଁ -ତାହାଲେ କ'ଣ ସମାଜ ଦେଇଛି?ତୁମ ଜୋଇଁ ମତେ ଛିଗୁଲେଇକି କହୁଛନ୍ତି- ତୁମ ମା, ତୁମଠୁ ଢେର ଆଗରେ ଅଛନ୍ତି, ତାଙ୍କର ସାହସ ର ପଟାନ୍ତର ନାହିଁ। ମୁଁ ଲାଜରା ହେଇଗଲିଣି । ତାଙ୍କୁ କ’ଣ ଉତ୍ତର ଦେବି ବୁଝିପାରୁନି ।"  

ଏଇ ଥିଲା ସାରାଂଶ ତାଙ୍କ ପୁଅ ଆଉ ଝିଅ ର ମେସେଜ ଗୁଡିକର ।ବିଚଳିତ ନ ହବା ପାଇଁ ପ୍ରଥମ ପଦକ୍ଷେପ ନେବାକୁ ସ୍ଥିର କରି ଆଖି ଯୋଡିକ ବୁଜିଲେ । କେତୋଟି ମୁହୂର୍ତ ଭିତରେ,ଭାବନା ରାଜ୍ୟ ରେ ଟହଲି ଟହଲି କେତେବେଳେ ଯେ ପଚିଶ ବର୍ଷ ତଳକୁ ଚାଲିଯାଇଛନ୍ତି ତାଙ୍କର ଅଜାଣତ ରେ -ନିଜର ଅତି ଆଦର ର କୁନି ସଂସାର ପାଖକୁ, ଯେଉଁଠି ନିଜକୁ ସମର୍ପି ସ୍ୱର୍ଗ ସୁଖ ପାଇଥିଲେ । ଭଗବାନଙ୍କର ନଜର ଲାଗିଗଲା ବୋଧେ, ବେଶିଦିନ ଟିକିଲାନି ନିବିଡ଼ତା,ନୀଡ଼ଟି ଛାରଖାର ହେଇଗଲା ।ଭାଗ୍ୟ ଚକ୍ର ର ଝଡ ତୋଫାନ କୁ ସମ୍ଭାଳି ପାରିଲାନି । 

ତା’ଙ୍କ ସ୍ୱାମୀ ରଜତ୍ କପୁର, କେଉଁ ଏକ ଅଜଣା ରୋଗର ଶିକାର ହେଇ ପର କରିଗଲେ, ଯେତେବେଳେ ତାଙ୍କର ବୟସ ମାତ୍ର ପଇଁତିରିଶ । ସୁନାର ସଂସାର ଭାଙ୍ଗି ଧୂଳିସାତ ହେଇଗଲା । ଆଶ୍ରୟ ର ସୁରକ୍ଷା ବଳୟ, କ୍ଷୀଣ ରୁ କ୍ଷୀଣତର ହେଇଚାଲିଲା। ପେନଶନ ପଇସା, ଆଉ ଟିଉସନ ରୁ ଦି ପଇସା ବାହାରକରି ପିଲା ଦିଟିଙ୍କୁ ମଣିଷ କଲେ ।ସେମାନେ ନିଜନିଜର ଜୀବନସାଥୀ ଚୟନ କରିଥିଲେ ସତ, କିନ୍ତୁ ସ୍ୱୀକୃତି ର ମୋହର ସିଏ ଲଗେଇଥିଲେ। ବହୁତ ଆଶା କରିଥିଲେ, ନାତି ନାତୁଣୀଙ୍କ ମେଳରେ ଶେଷ ଜୀବନ କାଟିବାପାଇଁ.. ତା' ତ ହେଲାନି... ବଂଚିବା ଟା ଏକରକମ ଯନ୍ତ୍ରଣା ରେ ପରିଣତ ହେଇଗଲା । 

ଝିଅ ଆମେରିକାରେ ଏବଂ ପୁଅ ମୁମ୍ବାଇ ରେ ନିଜର ଘର ବସାଇବାକୁ ସ୍ଥିର କଲେ। ସେମାନେ , ନିଜ ନିଜ ଜାଗାରେ ଘର କିଣିଲା ବେଳେ ପଇସା ର ଅଭାବ ପଡିଲା ରୁ ଏଠିକା ଘର ବିକିବା ଲାଗି ପିଲାମାନେ ପ୍ରସ୍ତାବ ଦେଲେ । ପ୍ରଥମେ ରାଜି ହେଇନଥିଲେ ହେଲେ, ନାତି ଟୋକା ରାଜ ଯେତେବେଳେ ଜିଦ୍ ଧରିଲା "ଜେଜେମା ତୁମେ ଆମସାଙ୍ଗେ ମୁମ୍ବାଇ ଚାଲ ମୁଁ ସେଠି ଏକୁଟିଆ ବୋର ହଉଚି,ପାପା,ମାମା ଅଫିସ ପଳାଉଛନ୍ତି- ଆମେ ଦିଜଣ ଖେଳିବା। " -ମନା କରିପାରିନଥିଲେ । 

 ଭିଟାମାଟି ବିକ୍ରିକରି ମୁମ୍ବାଇରେ ଫ୍ଲାଟ କିଣାଗଲା । ସାଇ ପଡିଶାଙ୍କଠୁ ମେଲାଣି ନେଇ ସୁଖରସନ୍ଧାନ ରେ ସୁଦୂର ମୁମ୍ବାଇରେ ପାଦ ଦେଲେ ସୁମିତା- ମାନେ ମିସେସ କପୁର। ଖୁବ ଖୁସିରେ ପ୍ରଥମ ୬ମାସ କଟିଗଲା ।ରାଜ ର ଆଡ଼ମିସନ ପ୍ରିସ୍କୁଲ ରେ ହେଇଯାଏ । ଦିନ ଦଶଟା ସୁଦ୍ଧା ତିନିଜଣଯାକ ବାହାରକୁ ଚାଲି ଯାଆନ୍ତି ।ଦିନ ଦୁଇଟାବେଳେ ରାଜ,ସନ୍ଧ୍ୟାବେଳେ ବୋହୁ ଆଉ ରାତିରେ ପୁଅ -ଏଇ କ୍ରମରେ ହୁଏ ଫେରିବାଟା। 

ପ୍ରଥମେ, ପ୍ରଥମେ ବେଶ ଅଡୁଆ ଲାଗିଥିଲା, ଘର ଯେମିତି ଖାଁ, ଖାଁ ହେଇ ଗୋଡ଼େଇଲା। ସାଇପଡିସା ସମସ୍ତେ ଅଣ ଓଡ଼ିଆ କ'ଣ ବା ଗପିବେ? ସେମାନଙ୍କ ସାଙ୍ଗରେ -ଥଙ୍ଗ ଥଂଗ ହେଇ ହିନ୍ଦୀ ଅବା ଇଂରାଜୀରେ କିପରି ନିଜର ବକ୍ତବ୍ୟ ରଖିବେ -ଏସବୁ ଦ୍ଵନ୍ଦ ଭିତରେ ରହି ,ଚୁପ ରହିବାଟା ହିଁ ଭଲ ବିଚାର କଲେ। ନିଜର ନିତ୍ୟକର୍ମ ଓ ଅନ୍ୟାନ୍ୟ କାମ ସରିଲା ପରେ, ବହି ପତ୍ର ଘାଣ୍ଟନ୍ତି। ଇଚ୍ଛା ହେଲେ ଦି ଚାରି ପୃଷ୍ଠା ବି ପଢ଼ନ୍ତି। ଧୀରେ ଧୀରେ ଅଭ୍ୟାସ ରେ ପଡିଗଲା ସବୁ। ତହିଁ ଆର ବର୍ଷ, ରାଜ ର ନାମ ଗୋଟେ ନାମୀ ସ୍କୁଲ ରେ କରିଦିଆଗଲା। ଯିବା ଆସିବା ପାଇଁ ସ୍କୁଲ ବସ ର ବନ୍ଦୋବସ୍ତ ହେଲା। ବସ ଷ୍ଟପେଜ ପାଖରୁ ତାଙ୍କ ଫ୍ଲାଟ ର ଦୂରତା ପାଖାପାଖି ଅଧକିଲୋମିଟର। ବସ ଷ୍ଟପେଜ ପର୍ଯ୍ୟନ୍ତ ନବା ଆଣିବା ର ଦାଇତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଗଲା। ସୁଚାରୁ ରୂପେ ତୁଲେଇଲେ ଏବଂ ତୁଲେଇଚାଲିଲେ ଦାଇତ୍ୱ । 

ଦିନକର କଥା। ସର୍ଦି ହେଇଥାଏ ତାଙ୍କୁ। ପୁଅକୁ ମାଗି ସେଟ୍ରିଜିନ ବଟିକା ଖାଇଥାନ୍ତି। ତା ପ୍ରଭାବ ରେ ନିଦ ଲାଗିଯାଇଥାଏ। 

ନାତି ର ସ୍କୁଲ ରୁ ଫେରିବା ଟାଇମ ସେତେବେଳକୁ ଗଡିଯାଇଥାଏ। ତାଙ୍କ ଆଖି ଖୋଲିଲା ବେଳକୁ ଦିନ ଚାରିଟା ବାଜିଲାଣି । ଧଡପଡ଼ ହେଇ ଉଠି ବସିଲେ, ମନରେ ଛନକା ପଶିଲା। ରାଜ କ'ଣ ବସ ଷ୍ଟପ ରେ ଠିଆହେଇଛି ?ବେଶ ପରିପାଟୀ ଉପରେ ଧ୍ୟାନ ନ ଦେଇ ଦୌଡିଲେ ବସ ଷ୍ଟପେଜ ପାଖକୁ। ଚପଲ ଗୋଟେ ଗୋଡ଼ରୁ ବାହାରିକି ପଳେଇଲାଣି, ତା’ଙ୍କର ଖିଆଲ ନଥାଏ । ରାଜ ତାଙ୍କୁ ଦେଖି ଦୌଡ଼ି ଆସିଲା, କହିଲା "ଜେଜେମା ତମେ କୁଆଡେ ରହିଗଲ?ସବୁ ପିଲା ଘରକୁ ପଳେଇଲେଣି। ମୁଁ ଏକା ଏଠି ଠିଆ ହେଇଚି। ମତେ ଡର ଲାଗିଲା, ମୁଁ କାନ୍ଦିଲି। "

କୁଣ୍ଢେଇ ପକେଇ ନାତିକୁ "ସରି" କହିଲେ। ପୁଅ ବୋହୁ ଆସିବା ପରେ ଏ କଥାର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା। ବୋହୁ ରାଗି ତମ, ତମ ହେଇ ଚାଲିଗଲା ସେଠୁ ଆରଘରକୁ। ପୁଅ ସାମାନ୍ୟ ଚଢା ଗଳା ରେ କହିଲା "ଏମିତି ଇରେସ୍ପନଶିବଲ ହେଲେ ଚଳିବନି। ଆଜି ଯଦି ରାଜ ଆପେ ରୋଡ କ୍ରସ କରି ପଳେଇଆସିଥାନ୍ତା -ମୁଁ ଭାବି ପାରୁନି କ’ଣ ଯେ ହେଇଥାନ୍ତା!" 

"ପ୍ରଥମ ଆଘାତ"- ହଜମ କରିବାକୁ ସମୟ ଲାଗିଲା। ସେଇରାତି, ଆଉ ଲଗାତାର କିଛି ରାତି ଖୁବ ସତେଇଲେ। ଆଖିରୁ ଝର ଶୁଖିଲାନି -ପୁରୁଣା ସ୍ମୃତି ସବୁ ମୁଣ୍ଡ ଭିତରଟାକୁ ଖିନଭିନ କରିପକେଇଲେ। ଭିତରେ ଏକ ଅପ୍ରତିହତ କୋହ ଉଠିଆସିଲା ତଂଟି ପର୍ଯ୍ୟନ୍ତ । ଦି ଦିନ ପରେ, ଝିଅ ର ଫୋନ ଆସିଲା ଆମେରିକା ରୁ-" ତମେ ଖରାବେଳେ ଶୋଇରହୁଛ, ଘର କାମ ରେ ଭାଉଜଙ୍କୁ ସାହାଯ୍ୟ କରୁନ। ସିଏ ଏକୁଟିଆ ମଣିଷ, କେତେ କରିବେ? ହଁ, ରାଜ କୁ କେଆରଫୁଲି ନବା ଆଣିବା କରିବ। ଭାଇକୁ ବହୁତ ଟେନସନ ହଉଚି ।"

ଏସବୁ ଶୁଣି, କୋହ ତରଳିବା ଜାଗାରେ ଜମାଟ ବାନ୍ଧିବାକୁ ଲାଗିଲା। ସ୍ଥିର କଲେ, ଆଉ କାଂଦିବେନି। ତାଙ୍କର ପିଲାମାନେ ତାଙ୍କୁ ବୁଝିବାରେଏତେ ଭୁଲ କେମିତି କରିପାରିଲେ ?ରାଜ କୁ ଜେଜେମା ହିସାବରେ କେତେ ଯେ ଭଲପାଆନ୍ତି ସିଏ, ଏକଥା ବୁକୁଚିରି ଦେଖେଇ ପାରିଲେନି। ହଁ, ଆଗ ଅପେକ୍ଷା ବେଶ ସନ୍ତର୍ପଣ ରେ ନିଜକୁ ପରିଚାଳିତ କଲେ। ଝିଅ କହିବା ଅନୁସାରେ, ବୋହୁ କୁ ଘର ର ପ୍ରତ୍ୟେକ କାମରେ ସାହାଯ୍ୟ କଲେ। ହାଲିଆ ଲାଗିଲେ ବି ଖରାବେଳେ ଆଖି କେମିତି ନ ଲାଗି ଯାଉ, ସେଥିଲାଗି ଟହଲିବା ଅଭ୍ୟାସ କଲେ। 

ପର ଅଧ୍ୟାୟ -ଘର ଝଡା, ପୋଛା, ବାସନମଜା କାମ କରୁଥିବା ମେଡ଼ ଦେହଖରାପ ଲାଗି ଆସିନଥାଏ ପ୍ରାୟ ସପ୍ତାହେ ଧରି। ବାସନକୁସନ ସଫା ଆଉ ଅଲଗା କାମରେ ସାହାଯ୍ୟ କରି ତା’ଙ୍କୁ ଥଣ୍ଡା ଜର ହେଇଯାଇଥାଏ।କାଶ ବି ପ୍ରବଳ ହେଇଥାଏ।ରାତିରେ କାଶି,କାଶି ଶୋଇପାରନ୍ତିନି। ପ୍ରଥମେ ବୋହୁ, ପର୍ଯ୍ୟାୟ କ୍ରମେ ପୁଅ ଆସି ତାଗିଦ କରି ଯାନ୍ତି-"କେତେ କାଶୁଛନ୍ତି ମା!"

"କେତେ କାଶୁଛ ମା! କଫ ସିରପ ପିଇନିଅ,ତୁମ କାଶ ରେ ନିଦ ବାରମ୍ବାର ଭାଙ୍ଗିଯାଉଛି। ରାତିରେ ଟିକେ ଶାନ୍ତି ରେ ଶୋଇବାକୁ ଦିଅ ।"ମୁଣ୍ଡ ଟୁଙ୍ଗାରି ସମ୍ମତି ପ୍ରଦାନ କରନ୍ତି -ବୁଝିପାରନ୍ତିନି, କାହିଁକି ତାଙ୍କ ନିଜ ପିଲେ ହୃଦୟଙ୍ଗମ କରିପାରୁନାହାନ୍ତି.. ମା ହେଇକି ପିଲା ର ଅମଙ୍ଗଳ କଣ କେବେ ଚାହିଁବେ ସିଏ? ପନ୍ଦର ଦିନ ପରେ ମେଡ଼ ଆସିଲାରୁ ସୁଧୁରିଲା ଅବସ୍ଥା। ୟା ଭିତରେ ପ୍ରାୟ ଦୁଇ ବର୍ଷ ଅତିକ୍ରାନ୍ତ ହେଇସାରିଥାଏ।

ଦିନେ ସନ୍ଧ୍ୟା ରେ ତାଙ୍କ ପୁଅ ଆସି କୁଣ୍ଢେଇ ପକେଇଲା ତାଙ୍କୁ ।ଅବାକ ହେଇଗଲେ।" କ'ଣ ହେଲା ବାବୁ? ତୁ ଭାରି ଖୁସି ଜଣାପଡୁଛୁ, କ’ଣ ପ୍ରମୋସନ ହେଇଚି ?"

"ପ୍ରମୋସନ ତ ହେଇଚି, ତା ଛଡା ବିଦେଶ ଗସ୍ତ ର ସୁଯୋଗ ବି ଆସିଛି। ମୁଁ ଖୁବ ଖୁସି। ଏତେ ଦିନେ, ମୋ ବିଦେଶ ଯିବାର ସ୍ବପ୍ନ ସାକାର ହବ।" ଭିସା ମିଳିବାରେ ନା ହେଲା ବିଳମ୍ବ ନା ଅସୁବିଧା। ପୁଅକୁ ଏଆରପୋର୍ଟ ରେ ଛାଡି ଫେରିଲା ବେଳେ ଜଣାନଥିଲା, ପୁଅ ତାଙ୍କର ଦରିଆପାରି ଯାଉନି ଯେ, ତାଙ୍କର ସ୍ନେହ ଆଉ ପ୍ରେମ ବନ୍ଧନର ପତଳା ସୂତାଖିଅଟିର ଗଣ୍ଠିକୁ କ୍ରମଶଃ ହୁଗୁଳା କରିଚାଲିଛି। ଲଣ୍ଡନ ରେ ପହଂଚିଲା ପରର ଶର୍ବକୁଶଳ ବାର୍ତା, ତାଙ୍କମନରେ ଆନନ୍ଦ ର ଫୁଆରା ଖେଳାଇଥିଲା। ଜଗନ୍ନାଥ ଙ୍କୁ ଅଶେଷ ଧନ୍ୟବାଦ ଦେଇ କହିପକେଇଲେ "ପ୍ରଭୁ! ମୋ ଜୀବନ ଯାହା କଲ କଲ, ମୋ ପିଲାଙ୍କ ଜୀବନକୁ ସୁଖଶାନ୍ତି ରେ ଭରିଦିଅ ।" ଠାକୁରେ ଭକ୍ତିଭରା ଡାକ କେମିତି ବା ନ ଶୁଣନ୍ତେ ?

ତା'ର ତିନିମାସ ପରେ, ପୁଅ ତାଙ୍କର ଜଣେଇଲା-" ମା! ମୋର ଏଠି ପରମାନେଣ୍ଟ ପୋଷ୍ଟିଙ୍ଗ ହେଇଗଲା। ଭାବୁଛି, ଫାମିଲି ସିଫ୍ଟ କରିନେବି । ଏକା ଚଳିବାକୁ ଭାରି ଅସୁବିଧା । ହାତରେ ସବୁ କାମ କରିବାକୁ ହଉଚି । "

"କିନ୍ତୁ ,ବୋହୁ ଯେ ଚାକିରିଆ ।" 

 "ତା' ସାଙ୍ଗେ କଥାହେଇଛି । ସିଏ ରାଜି ଭିଆରଏସ ନେବାଲାଗି । ତା' ଛଡା ରାଜ ର ବି ଭବିଷ୍ୟତ ବନି ଯିବ ଏଠି । ପାଠପଢି ମଣିଷ ଭଳିଆ ମଣିଷ ଟିଏ ହେଇ ବାହାରିବ ।ଏଠିକାର ଏଡୁକେସନ ସିଷ୍ଟମ ୱାର୍ଲଡକ୍ଲାସ -ଉଚ୍ଚଶିକ୍ଷାଲାଗି ଯେଉଁ ସ୍ବପ୍ନ ମୁଁ ଦେଖିଥିଲି ତାକୁ ରାଜ ସାକାର କରିବ, ତାର ଜୀବନ ସଫଳ ହେଇଯିବ, ଆଉ ମୋର ମଧ୍ୟ ।" ପ୍ରଗଳଭ ହେଇ କହିଗଲା...ହେଲେ ସେଇ ଖୁସିର ଫୁଆରା ରେ ତାଙ୍କର ସତ୍ତା ନଥିଲା । ପାଟିରୁ ଥରୁଟିଏ ହେଲେବି ତାଙ୍କ ନେଇ କୌଣସି ପ୍ରକାର ଜିଜ୍ଞାସା ର ଚିହ୍ନ ନଥିଲା -ସେଇଟା ଥିଲା ଦ୍ଵିତୀୟ ଝଟକା। 

ନିଜ ଭବିଷ୍ୟତ କୁ ନେଇ ଖୁବ ଚିନ୍ତା ରେ ପଡିଗଲେ -ଯଦି ଏମାନେ ସମସ୍ତେ ଏଠୁ ପଳେଇବେ, ସିଏ କ'ଣ ଏକାକୀ ରହିବେ?ଏଇ ଅଜଣା ଅଶୁଣା ଜାଗାରେ, ତାଙ୍କର ଦେହପା ଭଲ,ମନ୍ଦ କଥା କିଏ ବୁଝିବ? ନିଜ ଜାଗା ହେଇଥାନ୍ତା କି, କିଛି ଚିନ୍ତା ନଥିଲା। ସଭିଏଁ ଜଣା, ଶୁଣା -ବାପରେ ଧନରେ କହି କାମ ଚଳେଇ ଦେଇଥାନ୍ତେ, ହେଲେ ଭିଟାମାଟି ତ ବିକା ସରିଛି ଏବଂ ପିଲାମାନେ ନିଜ ନିଜର ପାଉଣା ପାଇସାରିଛନ୍ତି। ମନ ଭିତରେ ଅସ୍ଥିରତା ଏତେ ବଢି ଯାଇଥିଲା ଯେ ନିଜକୁ ଆକଟ ରେ ରଖିବା କଷ୍ଟକର ହେଇଯାଉଥିଲା ।କିନ୍ତୁ ,ଏପରି ଏକ ବିରାଟ ସମସ୍ୟା ର ସମାଧାନ ଯେ ଏତେ ସହଜରେ ହେଇଯିବ -ତାଙ୍କର ଚିନ୍ତା ର ବାହାରେ ଥିଲା। 

ପୁଅ ଲଣ୍ଡନ ରୁ ପହଂଚିବାର ଦୁଇଦିନ ପରେ ଝିଅ ଜୋଇଁ ଆସି ପହଁଚିଲେ ସୁଦୂର ଆମେରିକା ରୁ। ଝିଅ ଆସିବା କଥା ତାଙ୍କୁ ଜଣା ନଥିଲା। ତାକୁ ଦେଖି ଆଶ୍ଚର୍ଯ୍ୟ ଯେତିକି ହେଲେ, ଖୁସି ରେ ଆତ୍ମହରା ତା’ ଠାରୁ ଅଧିକ ହେଲେ- "ତୋ ଆସିବା ଖବର ଜଣେଇ ନଥିଲୁ ଯେ ?"

"ଭାଇ ତ ଜାଣିଥିଲା, କହିନିକି ତୁମକୁ ?"ଉଦାସ ହସ ଟିକକ ଓଠ ରେ ଲିପି ଦେଇ କହିଲେ-" ଭୁଲିଯାଇଥିବ ନିଶ୍ଚୟ, ନ ହେଲେ ତ କହିଥାନ୍ତା।" ସେଦିନର ଡିନର ଟାଇମ- ଅଭୁଲା ସ୍ମୃତି ହେଇ ମାନସପଟ ରେ ରହିଯାଇଛି ତାଙ୍କର । 

ଖିଆ ପିଆ ସରିଲା, ଗପସପ ଚାଲିଥାଏ। ଝିଅ ପଚାରିଲା" ଭାଇ! ମା ଏଠି ଏକୁଟିଆ କେମିତି ରହିବେ? କି ବନ୍ଦୋବସ୍ତ କରିକି ଯାଉଛୁ ?"

"ହଁ, ଠିକ କଥା ମନେ ପକେଇଛୁ । ମୁଁ କଣ କହୁଥିଲିକି, ଏଠି ଏକୁଟିଆ ମା'ଙ୍କୁ ଛାଡି ହବନି। ମୋ ସାଙ୍ଗ ଗୋଟେ ସଜେସନ ଦେଲା- ଏବେ ଗୋଟେ ନୂଆ କନସେପ୍ଟ ଆସିଛି ଆଉ ବହୁଳ ପରିମାଣରେ ଆଦୃତ -ବୟସ୍କ ଲୋକ ମାନେ ଏକାଠି ରହୁଛନ୍ତି, ଖାଉଛନ୍ତି, ପିଉଛନ୍ତି, ସାଙ୍ଗ ହେଇ ୱାକ କରୁଛନ୍ତି। ସେଠି ଲନ, ବଗିଚା, ଡାକ୍ତରଖାନା, ସପିଙ୍ଗ ମଲ ସବୁକିଛି ଅଛି। ତା'ର ଜଣେ ଚିଂହା ଅଛନ୍ତି ସେଠି। ମୁମ୍ବାଇ ରୁ ମାତ୍ର ଚାରି ଘଂଟାର ବାଟ ।ସମସ୍ତଙ୍କ ପାଇଁ ସୁବିଧା ହେବ । ତୁମେ କ'ଣ କହୁଚ ମା?"

 ତାଙ୍କ ପାଟିରୁ ଉତ୍ତର ନ ବାହାରିବା ଆଗରୁ, ଜୋଇଁ କହିଲେ "ଏକ୍ସଲେଣ୍ଟ ଆଇଡ଼ିଆ। କାହାରି ଚିନ୍ତା ରହିବନି।" 

 ତୃତୀୟ ଝଟକା ଖାଇ ଚୁପ ରହିବାକୁ ନିଷ୍ପତ୍ତି ନେଲେ। ଡେରି ହେଲାଣି,ପଛକୁ ଆଉ ନିଦ ଆସିବନି କହି ଉଠିଆସିଲେ,ତାଙ୍କ ଶୋଇଲା ଘରକୁ। ବିଶ୍ୱାସ କରିପାରିଲେନି, ଏମାନେ ତାଙ୍କରି ପିଲା ତ! ଯାହାଙ୍କୁ ଏତେ ଦୁଃଖ କଷଣସହି ମଣିଷ କରିଥିଲେ,ନିଜର ସମସ୍ତ ଗଚ୍ଛିତ ସମ୍ପତି ଦେଇ ଆଜି ନିସ୍ୱ ସେ- କାହାକୁ କହିବେ? ପରିଣତ ବୟସରେ ନିଦାଘର କଷଣ କଥା। 

ଏମାନେ ବି କେବେ ନା କେବେ ତ ବୟସ୍କ ହେବେ। ଅନ୍ୟ ଉପରେ ନିର୍ଭରଶୀଳ ହେବେ । ସେବେ ହୁଏତ, ବୁଝି ପାରିବେ- ନାଁ! ଆଗକୁ ଆଉ ଭାବିବେନି । ପାଟିରୁ ଯଦି ଅଭିଶାପ ବାହାରିଯାଏ, ପିଲାମାନଙ୍କର ସୁଖର ସଂସାର ଚୁନା ହେଇଯିବ । ପ୍ରଭୁ ମୋ ପିଲେ ଅବୁଝା ହଉଛନ୍ତି, ତାଙ୍କୁ କ୍ଷମା କର । ମୋର ସବୁଠାରୁ ସୁକ୍ଷ୍ମ ଏବଂ ଶ୍ରେଷ୍ଠ ଦୁର୍ବଳତା ଏମାନେ ,ତାଙ୍କର ଶର୍ବକୁଶଳ କାମନା କରୁଛି,ମୋର ବିନତି ଗ୍ରହଣ କର। ଆଖିଦୁଇଟି ଲୁହରେ ବତୁରିଯାଇଥାଏ ସେତେବେଳକୁ,ଜୋଡହସ୍ତ କମ୍ପୁଥାଏ ଅନେକ ଆଶଙ୍କା ,ଅହେତୁକ ଭୟ ଓ ଅନାଗତ ଭବିଷ୍ୟତ ଚିନ୍ତା ରେ । 

ନିଉ କନସେପ୍ଟ ର ହାଉସିଂ କମ୍ପ୍ଲେକ୍ସ ମାନେ" ଓଲଡ଼ ଏଜ ହୋମ"ଜଣା ନଥିଲା ତାଙ୍କୁ। ପହଁଚିଲା ପରେ ଜାଣିଲେ। ନିଜକୁ ପ୍ରସ୍ତୁତ କରିପାରିନଥିଲେ ସେଠାକାର ପାଣି ପବନ ସହିତ ତାଳ ଦେଇ ଚାଲିବାପାଇଁ,ଦୁଃଖ ଓ ଅବସାଦରେ ମ୍ରିୟମାଣ ହେଇପଡ଼ିଲେ। 

ଧୀରେ ଧୀରେ ସିଏବି ଅଭ୍ୟାସ ରେ ପଡିଗଲା । କିଛି ସାଙ୍ଗ ବି ଜୁଟିଲେ। ସମୟ ,ପୁଣି ଜୀବନ ସହ ତାଳ ଦେଇ ଚାଲିଲା । ପିଲାମାନେ ବି ଆଶ୍ୱସ୍ତ ହେଇଗଲେ।ବର୍ଷ କୁ ଥରେ ପଇସା ପୈଠ କରିଦେଲେ ତାଙ୍କର ଦାଇତ୍ୱ ସରିଯାଏ।ପ୍ରଥମେ ସପ୍ତାହକୁ ଥରେ ଫୋନ ...ଧୀରେ ଧୀରେ ଫୋନ ଆସିବାର ଅବଧି ବଢିଚାଲେ ଏବଂ ସ୍ନେହ ଆଉ ଭଲପାଇବା ର ଦୂରତା । ସମୟ ର ପଛକୁ ଫେରିବାର ପଟାନ୍ତର ନାହିଁ ,ତେଣୁ ନିଜ ମନକୁ ଆଶ୍ୱାସନା ଦେଇ, ଆଉରି ଶକ୍ତ କରି ଗଢିତୋଳିବା ଛଡା ଅନ୍ୟ ଉପାୟ ନଥିଲା ତା'ଙ୍କ ପାଖରେ ।  

ଏଇଠି, ତାଙ୍କର ପରିଚୟ ହୁଏ ମିସ୍ଟର ମେହରାଙ୍କ ସହ । ସିଏ ଜଣେ ପୃଷ୍ଠପୋଷକ ଏଇ ଵୃଦ୍ଧାଶ୍ରମର,ଜଣେ ସୁବକ୍ତା ତଥା ଲାଇଫଷ୍ଟାଇଲ କୋଚ ହିସାବରେ ପ୍ରସିଦ୍ଧି ବି ଲାଭ କରିଥିଲେ । ମାସକୁ ପ୍ରାୟ ଥରେ ଦୁଇଥର ଆସନ୍ତି । ମୋଟିଭେସନାଲ କ୍ଲାସ ନିଅନ୍ତି। ତାଙ୍କର କଥା ଶୁଣିଲେ ମନ ହାଲୁକା ହେଇଯାଏ ଆଉ ଶରୀରରେ ନୂଆ ଉର୍ଜା ତିଆରି ହୁଏ । ତାଙ୍କ ସ୍ୱର, ଭାବ,ଭଙ୍ଗି ରେ ଏକ ଆକର୍ଷଣ ଥାଏ। ତାଙ୍କ ଚାହାଣି ରେ ଏକ ଦରଦୀ ମନର ଛାପ ସ୍ପଷ୍ଟ ବାରିହୁଏ । ଚେହରା ରେ ଆଭିଜାତ୍ୟ ର ମହକ ହେଲେ, ସମସ୍ତଙ୍କ ସହ ଅନାୟାସ ରେ ମିଶି ପାରନ୍ତି । ଏଇ କିଛିଦିନ ହେଲା ତାଙ୍କ ସହ ବନ୍ଧୁତା ଗଢି ଉଠିଛି । କଳା ଓ ସାହିତ୍ୟ ପ୍ରତି ଆଗ୍ରହ ଏହାର ମୂଳଦୁଆ । ଲାଇବ୍ରେରୀ ରେ ମିସେସ କପୁର ଙ୍କୁ ବହି, ମାଗାଜିନ ଅଥବା ନିଉଜପେପର ପଢ଼ିବାର ବହୁବାର ଦେଖିଛନ୍ତି ମିସ୍ଟର ମେହରା ।ସାହିତ୍ୟ ଅନୁରାଗୀ ହେଇଥିବାରୁ ମିସେସ କପୂରଙ୍କ ପ୍ରତି ଆକର୍ଷିତ ହେବା ସ୍ୱାଭାବିକ । ମିସେସ କପୁର ମଧ୍ୟ ଦରଦୀ ବନ୍ଧୁଟିଏ ପାଇ ଖୁସି ଥିଲେ ।ହେଲେ ସେତେପର୍ଯ୍ୟନ୍ତ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ କୌଣସି ପ୍ରକାର ଆଲୋଚନା କିମ୍ବା ସମୀକ୍ଷା ହୋଇନଥାଏ । ମୋଟାମୋଟି ଭାବେ କହିଲେ, ତାଙ୍କର ବନ୍ଧୁତ୍ୱ ର ଭିତ୍ତିଭୂମି କେବଳ ପରସ୍ପର ପ୍ରତି ସଦିଚ୍ଛା ଓ ସମ୍ମାନ ମଧ୍ୟ ରେ ଆବଦ୍ଧ ଥାଏ। ଗତ କିଛିଦିନ ଧରି, ମିସେସ କପୂର ଅସୁସ୍ଥ ଥିଲେ ।ସୁସ୍ଥ ହେଲାପରେ ମଧ୍ୟ, ଦେହରୁ ଦୁର୍ବଳତା ଯାଇନଥାଏ। ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ପରେ, ଡାକ୍ତର ମତାମତ ଦେଲେ ଯେ -ଶରୀର ରେ କୌଣସି ରୋଗର ଲକ୍ଷଣ ନାହିଁ ,କେବଳ ମାନସିକ ଚାପ ହିଁ ଏହାର କାରଣ ।ଡାକ୍ତର ସମ୍ପୂର୍ଣ ଭାବେ ସତ କଥା ଟିଏ କହିଥିଲେ। ମିସ୍ଟର ମେହରା ,ଏ କଥା ଜାଣିବାପରେ ତାଙ୍କ ଫାର୍ମ ହାଉସ ରେ କିଛିଦିନ କାଟିବା ଲାଗି ପ୍ରସ୍ତାବ ଦେଇଥିଲେ। ପ୍ରଥମ ଥର ପ୍ରତ୍ୟାଖାନ କଲା ପରେ, ଦ୍ଵିତୀୟଥର କଥା ମାନି ନେଇଥିଲେ ମିସେସ କପୂର। ମାନିନେଇ, ନିଜକୁ ଏକ କୌତୁହଳ ତଥା ସନ୍ଦେହର ବଳୟ ଭିତରକୁ ଟାଣିଆଣିଥିଲେ । ଆସିଲାବେଳେ କିଛିଟା ଆକ୍ଷେପ -"ଠିକ ସେ କାଟନା ହଲିଡେ଼ଜ଼ । " "ପୁରା ସୁସ୍ଥ ହେଲେହିଁ ଆସିବେ । " ଆଉ କେହି କେହି "ହାଭ ଏ ନାଇସ ଟାଇମ" କହି ତାଙ୍କୁ ସେ ପଞ୍ଜୁରୀ ଭିତରୁ ବିଦାୟ ଦେଇଥିଲେ ।ହେଲେ ସିଏ ତିଳେ ମାତ୍ର ଭ୍ରୁକ୍ଷେପ କରିନଥିଲେ । "ଥାଙ୍କ ୟୁ!" କହି ଟାକ୍ସି ରେ ବସିପଡିଥିଲେ। ଭାବୁଥିଲେ, କି ପ୍ରକାର ରୁଗ୍ଣ ମାନବିକତା ର ଶିକାର ଏ ସମାଜ..କେତେ ଛୋଟ ନଜର ଲୋକମାନଙ୍କର, ଶାନ୍ତି ରେ ଟିକେ ବଂଚିବାକୁ ଦେବେନି । 

ମୋବାଇଲ ଖଟଉପରେ ଥୋଇ ଝରକାକୁ ଆଉଜି ଠିଆହେଲେ ।ଝରକା ରୁ ଚାରି ପାଞ୍ଚହାତ ଛାଡି, ଦୁଇଟି ଚମ୍ପା ଗଛ । ଚମ୍ପା ର ବାସ୍ନା ପବନରେ ଭୁରୁ ଭୁରୁ ହେଇ ଭାସି ଆସୁଥିଲା । ଗଛତଳେ ଅନେକ ଫୁଲ। ମଉଳି ଗଲେ ବି ବାସ୍ନା ରେ ମହକେଇଦେଉଥିଲେ ଚାରିଦିଗ ।  ନିଜ ଭିତରେ ଗୋଟିଏ ପ୍ରଶ୍ନ ଅଙ୍କୁରିତ ହେଲା ସିଏ କଣ ଚମ୍ପା ଠୁ କୌଣସି ଥିରେ କମ? ନାଁ ‘ତ ତାହାଲେ, ଏଇ ସାଧାରଣ ମଣିଷ ମାନଙ୍କ କଥା ନେଇ ସିଏ ଉତ୍ଖିପ୍ତ କାହିଁକି? କାହିଁକି ସିଏ ନିଜକୁ ଏତେ ଅସହାୟ ମନେ କରନ୍ତି?ନିଜକୁ ଚିନ୍ହିବାରେ ଏକ ମସ୍ତବଡ ଭୁଲ କରିଛନ୍ତି ସିଏ, ନିଜକୁ ଆଉ ଅସହାୟ କିମ୍ବା ଅଟ୍ଟହାସ୍ୟ ର ପାତ୍ର ମନେ କରିବେନି କେବେ ।

ବାଃ! ରବି, ତମେ ମନ ଖୁସି କରି ଦେଲ ।ତମ ହାତରେ ସତରେ ମାଜିକ ଅଛି ।ମୁଁ ଆଜି ପର୍ଯ୍ୟନ୍ତ ଏମିତି ସ୍ୱାଦିଷ୍ଟ ଚିଙ୍ଗୁଡ଼ି ତରକାରୀ ଖାଇନଥିଲି। ମତେ ଟିକେ ରେସିପି ଲେଖିଦେବ, ପିଲାଙ୍କ ପାଇଁ ...କହୁ କହୁ ଅଟକିଗଲେ -ତାଙ୍କର ଗୋପନ ଇଛା , ପିଲାମାନଙ୍କର ଦୃଢନିଷ୍ପତ୍ତି ଆଗରେ ହାର ମାନି ସାରିଛି କେବେଠାରୁ -ଭୁଲିଯାଇଥିଲେ କେମିତି କେଜାଣି?ତାଙ୍କର କଥା ଅଧାରୁ ରହିଯିବା, ବାକ୍ୟ ଶେଷ କୁ ସ୍ୱର କରୁଣ ହେଇଆସିବା, ଏସବୁ ମିସ୍ଟର ମେହରାଙ୍କ ନଜର ରୁ ବାଦ ପଡ଼ିନଥିଲା ।

ଖାଇସାରିଲା ପରେ ଆସିଗଲା ସ୍ଵିଟ ଡ଼ିସ -ଗାଜର ହଲୱା ଆଉ ଛେନାପୋଡ଼। ଆତିଥ୍ୟ ର ବୋଝ ତଳେ ଦବିଲା ଭଳିଆ ଲାଗୁଥିଲା ତାଙ୍କୁ।

ସୁନ୍ଦର ଆଉ ସ୍ୱାଦିଷ୍ଟ ଭୋଜନ ସାରି ନିଜ ନିଜ ଵିଛଣା କୁ ଆଦରିନେଲେ ଦୁଇଜଣ।

 ନିଦ ଭାଙ୍ଗିଲା ବେଳକୁ ସନ୍ଧ୍ୟା ସମୟ ଆଗତ ପ୍ରାୟ ।

ଧଡ଼ପଡ଼ ହେଇ ଉଠିବସିଲେ। ଝରକାବାଟେ ବଗିଚା ର ସୌନ୍ଦର୍ଯ୍ୟ ତଥା ଅସ୍ତଗାମୀ ସୂର୍ଯ୍ୟ ର ଲାଳିମା ର ଛିଟା ରେ ମୁଂହ ତାଙ୍କର ଉଜ୍ବଳ ଦିଶୁଥାଏ। ଦେହ ଓ ମନ ଉଭୟ ହାଲ୍କା ହେଇଯାଇଥାଏ। ରବି ପରଦା ଆଢୁଆଳରୁ ଡାକିଲା “ମାଡାମ !ଛୋଟବାବୁ, ଚା’ ପିଇବାକୁ ଅପେକ୍ଷା କରିଛନ୍ତି, ଆପଣ ଆସନ୍ତୁ। ମୁଁ ପକୁଡି ଆଉ ଚା ଆଣୁଚି ।”

“ଫେରେ ପକୁଡି ?” 

“ମାଲିକଙ୍କ ହୁକୁମ ଆଜ୍ଞା ।ଆପଣଙ୍କର ନ ଖାଇବାର ହେଲେ, ଆପଣ ତାଙ୍କୁ କହିବେ। ମୁଁ ତ ଛାର ଆଦେଶ ପାଳନକାରି। ମୋ କର୍ତବ୍ୟ କରିବି ନା ।” କହି ଗାମୁଛା କାନ୍ଧରେ ବାଡେଇ ଚାଲିଗଲା। ପନ୍ଦର କୋଡିଏ ମିନିଟ ଭିତରେ ଆସିଗଲା ଗରମ ଗରମ କୋବି ପକଡି, ତା ସଂଗେ ପୁଦିନା ଚଟଣି ଆଉ ମଲାଇଵାଲା ଚା ।”ଗୋଟେ ଦିନରେ ଏତେସବୁ -ମିଷ୍ଟର ମେହରା ?କାଲି, ମୋର ଉପାସ ନୁହେଁ ।ଆଜି ଯଦି ସବୁ ପରସି ଦେବେ, କାଲି ଲାଗି ଆଉ ରହିବ କଣ ?”

“ଆରେ, ଆପଣ ଜମା ବ୍ୟସ୍ତ ହୁଅନ୍ତୁନି। କାଲିର ମେନୁ ପୁରା ଅଲଗା ରହିବ। ଆପଣ ଏ ମାହୋଲ ରେ ଖାଇ ପିଇ ମସ୍ତି ରେ ରୁହନ୍ତୁ, ଚାରିଟା ଦିନରେ ପୁରା ତାଜା ହେଇଯିବେ।” କେତେ ବର୍ଷ ପରେ ଏମିତି ଆଶ୍ୱାସନା ଦାୟକ କଥା ଶୁଣିଲେ ବନ୍ଦିତା ।ରଜତ୍ ଗଲାପରେ ଏମିତି ବାଣୀ ଆଉ ଶୁଣିବାକୁ ମିଳିନଥିଲା ।ସତରେ ମିସ୍ଟର ମେହରା ଜଣେ ଦରଦୀ ବନ୍ଧୁ ।କେଇପଦ କଥା ତାଙ୍କର ,ଶାନ୍ତ କରିଦେଲା କବଳିତ ହୃଦୟକୁ, ପ୍ଲାବିତ ହେଇଗଲା ମନ ତାଙ୍କର, ପୁଲକିତ ହେଇଗଲା ।

ବିନା ସନ୍ଦେଶ ରେ, ବିନା ଇସାରାରେ ଗୁଡିଏ ଅବାନ୍ତର ପ୍ରଶ୍ନ, ତାଙ୍କ ମନ ଝରକାରେ ଉଙ୍କି ମାରୁଥିଲେ।

 ତା’ ଭିତରୁ କାହାର ଉତ୍ତର ପାଇଁ ସିଏ ପ୍ରସ୍ତୁତ ହେବେ, ଆଉ କାହାକୁ ଖାରଜ କରିବେ, ଏଇ ପ୍ରକାର ଆନ୍ଦୋଳନ ଚାଲିଥାଏ ମସ୍ତିସ୍କ ର ରୁଦ୍ଧ ଦ୍ୱାର ଭିତରେ।

କୌତୁହଳ ସମ୍ବରଣ କରି ନ ପାରି ପଚାରିଦେଲେ,” ମିଷ୍ଟର ମେହରା! ମାଡାମଙ୍କ କଥା ପଡିଲେ,ରବି ଆପଣଙ୍କ ଆଡକୁ ବାରମ୍ବାର ଡରି ,ଡରି ଅନଉଛି କାହିଁକି? କ’ଣ କିଛି ରହସ୍ୟ ଅଛି ?”ସାମାନ୍ୟ ଗମ୍ଭୀର ହେଇଯାଇ ଉତ୍ତର ଦେଲେ -”କାଲି ସବୁ ଜାଣି ପାରିବେ ।”

“କ୍ଷମା କରିବେ ମିଷ୍ଟର ମେହରା, ମୁଁ ଅପ୍ରତ୍ୟାଶିତ ଭାବେ ପ୍ରଶ୍ନ କରି ଆପଣଙ୍କୁ ଅପଦସ୍ଥ କରିଦେଲି।”

“ ଆରେ ନାଁ, ଆପଣଙ୍କ ଜାଗାରେ ଯିଏ ବି ହେଇଥାନ୍ତା, ଏଇ ପ୍ରଶ୍ନ କରିଥାନ୍ତା। ମୁଁ ଜମାରୁ ଖରାପ ଭାବିନି ।ଏ ପ୍ରଶ୍ନ,ଶୁଣି ଶୁଣି ମୋର ଦେହସୁହା ହେଇଗଲାଣି ।ନିଜକୁ ଦୋଷୀ ମନେ କରନ୍ତୁ ନାହିଁ।” ସେଦିନ ର ଡିନର ରାତ୍ରି ନ'ଟା ସୁଦ୍ଧା ସରିଗଲା। ଯେଝା ଯେଝା କୋଠରୀକୁ ବିଶ୍ରାମ କରିବାକୁ ଚାଲିଗଲେ ଦି ଜଣ ଯାକ।

ରାତ୍ରିର ବୟସ ବଢ଼ିବାରେ ଲାଗିଥିଲା,ହେଲେ ବନ୍ଦିତା ଙ୍କର ମନରେ, ବିଚଳିତ ଭାବ ଲାଗିରହିଥିଲା। ଭୋର ର ଥଣ୍ଡା ପବନ ବାଜି ନିଦ ଆସିଯାଇଥାଏ, ରାତି ପାହି ଦିନ ଅଧା ହେଲା ପର୍ଯ୍ୟନ୍ତ ।ବାହାରେ କୁକୁର ଭୁକିବାର ଶବ୍ଦ ରେ ନିଦ ଭାଙ୍ଗିଲା ତାଙ୍କର।

ଝରକା ବାଟେ ଦେଖିଲେ, ରବି ଆଉ ମିସ୍ଟର ମେହରା, କିଛି ବୁଲାକୁକୁରଙ୍କୁ ବିସ୍କୁଟ ଖାଇବାକୁ ଦଉଛନ୍ତି। ଆଉ ଖାଇସାରି କୁକୁର ମାନେ ମୁନିବ ଙ୍କୁ କୃତଜ୍ଞତା ଜଣାଉଛନ୍ତି ।

ଲନ ରେ ଟିପୟ କପ ପ୍ଲେଟ ଆଦି ରଖାହେଇଛି ।ସକାଳ ଚା’ ପାଇଁ ରବି ର ଆୟୋଜନ ...

"ଆସନ୍ତୁ ମିସେସ କପୁର, ଗୋଟେ ରାଉଣ୍ଡ ଚା’ ସରିଲାଣି ମୋର। ଆପଣଙ୍କ ସାଙ୍ଗରେ ଦ୍ଵିତୀୟ ରାଉଣ୍ଡ ହବ।ରବି, ମାଡାମଙ୍କୁ ଚା’ ଦିଅ ଆଗେ, ତା’ପରେ କୁକୁରମାନଙ୍କ ସଂଗେ ଖେଳିବ।”

“ହଁ, ଛୋଟ ବାବୁ ।”

“କୋଉ ବିସ୍କୁଟ ନେବେ ମା ଚା’ ସାଙ୍ଗରେ?କହି ଜିଭ କାମୁଡି ପକେଇଲା ... ନାଇଁ ମାଡାମ ।”

“ନାଁ, ଖାଲି ଚା ନେବି । ବିନା ଚିନି ରେ ...କାଲି ବହୁତ ମିଠା ଖିଆ ହେଇଚି ଆଜି ଟିକେ ବଡି କୁ ରେଷ୍ଟ ଦେବା ।”

“ ok ମାଡାମ ...କାଲିଠୁ ଆଜି ବେଟର ଲାଗୁଚି?ମିଷ୍ଟର ମେହରା ପଚାରିଲେ -

“ଇଏସ, ମଚ ବେଟର-ଥ୍ୟାଙ୍କ ୟୁ!”

“ହଉ, ବ୍ରେକଫାଷ୍ଟ ପରେ -ଆପଣଙ୍କ ଅନୁମତି ଦେଲେ, ଜୀବନ କବିତାପୃଷ୍ଠାରୁ କିଛି ଫର୍ଦ ପଢିବା ।”

“ସିଏ ପୁଣି କ’ଣ ?”

“ଆରେ ସବୁ ଜାଣିବେ। ଆସନ୍ତୁ ଫ୍ରେସ ହେଇ ..ମନ ଆହୁରି ହାଲ୍କା ହେଇଯିବ ...ଆପଣଙ୍କ ଜିଜ୍ଞାସା ର ସମସ୍ତ ଉତ୍ତର ବି ପାଇଯିବେ ।

ରବି, ଦାଣ୍ଡ ଘର ଟା ପରିସ୍କାର ପରିଚ୍ଛନ୍ନ କରିଦିଅ।ବହି ଆଲମାରୀ ର ଉପର ଥାକରେ ଥିବା, ନୀଳ ଡ଼ାଇରୀକୁ ଲାଗିକି ରଖା ହେଇଥିବା ପୁରୁଣା ବହି ଦୁଇଟି ମଧ୍ୟ କାଢ଼ିବ ।”

“ହଁ, ଛୋଟ ବାବୁ ।”

ବନ୍ଦିତା ଙ୍କ ଉତ୍ସୁକତା ବଢିଚାଲିଥାଏ,କବିତାରେ ଭରା ଡାଇରୀଟି ଦେଖି ।

“ବୁଝିଲେ ମାଡାମ, ଏଥିରେ ଯେତିକି କବିତା ଅଛି, ସବୁ ଉତ୍ସର୍ଗୀକୃତ -ଏସବୁ ମୋ ସାଙ୍ଗ ମାନଙ୍କ ଫର୍ମାଇସ ରେ ଲେଖାହେଇଛି ତାଙ୍କ ପ୍ରେମିକାଙ୍କ ପାଇଁ- ତାଙ୍କ ର ଫିଲିଙ୍ଗସ ଆଉ ଶବ୍ଦ ମୋର ।”

“ଦାଟ ସାଉଣ୍ଡସ କ୍ଵାଇଟ ଇଣ୍ଟେରସ୍ଟିଂ।” -ହସି ହସି କହିଲେ ମିସେସ କପୁର । 

“କେତେଥର ରାତି ଅଧରେ ସାଙ୍ଗମାନେ ଉଠେଇ କବିତା ଲେଖେଇଛନ୍ତି -ମୁଁ ଛୋଟ ଛୋଟ ଦି ଚାରିଟା ବାଛି ଆବୃତ୍ତି କରୁଛି ଶୁଣନ୍ତୁ ।”

ପ୍ରାୟ ଅଧଘଣ୍ଟେ ପର୍ଯ୍ୟନ୍ତ ଜାରି ରହିଲା, କବିତା ପାଠର ବୈଠକ -ବନ୍ଦିତା, ବିଭୋର ହେଇ ଶୁଣୁଥାନ୍ତି -ପୃଷ୍ଠା ପରେ ପୃଷ୍ଠା ବ୍ୟତୀତ ହେଉଥାଏ ସମୟ ସାଙ୍ଗରେ ତାଳ ଦେଇ। 

ବାହାରେ ରବି ର ଡାକ ଶୁଭିଲା-” ଛୋଟ ବାବୁ, କିଏ ଆପଣଙ୍କ ସାଙ୍ଗରେ ଦେଖା କରିବାକୁ ଆସିଛନ୍ତି ।”

“କିଏ?” 

“ଯିଏ, ସବୁ ମାସ ପଇସା ନବାକୁ ଆସନ୍ତି ମୁମ୍ବାଇ ରୁ। 

“ଓଃ !ଆଚ୍ଛା, ବସାଅ ତାଙ୍କୁ, ମୁଁ ଯାଉଛି ।” 

ପ୍ରାୟ ଦଶ ମିନିଟ ପରେ ଫେରିଆସିଲେ, ଆଉ ପଚାରିଲେ -

“ଆପଣ ବୋର ହେଇଯାଇଥିବେ ତ ?”

“ନାଁ ,ମୁଁ ମୋ କଲେଜ ବେଳ କଥା ମନେ ପକାଉଥିଲି -ଇଟ ୱାଜ ସୋ ବୋରିଂ -ନୋ ଫନ, ନଥିଙ୍ଗ, ନଟ ଲାଇକ ୟୋରସ । “

“ଆସର କୁ ଏଇଠି ଶେଷ କରିବା, ନା ଆଉ କିଛି ସମୟ ଜାରି ରଖିବା? -ଯେମିତି ଆପଣ କହିବେ।” 

“ଆଉ କିଛି ସମୟ ଜାରି ରହୁ । ଭଲ ଲାଗୁଛି । ଡିଫରେଣ୍ଟ କାଇଣ୍ଡ ଅଫ ରିଲାକସେସନ। କିଛି ନଭାବିବେ ଯଦି ଆପଣ ,ଗୋଟେ କଥା ପଚାରିବାକୁ ଭାରି ଇଚ୍ଛା ହଉଛି । 

“ହଁ ପଚାରନ୍ତୁ, -ମୁଁ ଅନୁମାନ କରିସାରିଛି, କ’ଣ ଆପଣ ପଚାରିବେ -ହେଲେ ଆପଣଙ୍କ ମୁଂହରୁ ଶୁଣିବା ଉଚିତ। “

“ଏଇ ଯେଉଁ ଲାର୍ଜ୍ଜ ସାଇଜ ଫୋଟୋ ଟି କାନ୍ଥରେ ଟଙ୍ଗା ହେଇଚି, ସେଇଟା ମିସେସ ମେହରାଙ୍କର ତ ?ପଚାରିବାକୁ ଏଥିପାଇଁ ଇଚ୍ଛା ହେଲା -ତାଙ୍କୁ କେଉଁଠି ଦେଖୁନି, ଆଉ, ରବି ତାଙ୍କ ବିଷୟ ରେ କହିବାକୁ ଯାଇ ପୁଣି ଢ଼ୋକି ଦଉଚି କଥା -କିଛି ରହସ୍ୟ ଅଛିକି? ଯଦି ଅସୁବିଧା ଅଛି ସେଆର କରିବାରେ, ତେବେ ଥାଉ। ଆଫଟରଅଲ, ଆପଣଙ୍କ ପର୍ଶନାଲ ମ୍ୟାଟର । ମୁଁ ଏତେଟା ଉତ୍ସୁକତା ଦେଖେଇବା ସମୀଚିନ ନୁହେଁ । “

“ଆରେ ନା ମାଡାମ, କିଛି ସିକ୍ରେଟ ନାହିଁ ଏଥିରେ । ଏଇ କାନ୍ଥ ରେ ଝୁଲୁଥିବା ଫୋଟୋ ଟି ଏମିତି ଏକ ବିନ୍ଦୁ ଯେଉଁଠି ସବୁ ପ୍ରଶ୍ନ ଅଟକି ଯାଏ, ଆଉ ଉଭାନ ହୋଇଯାଏ ଉତ୍ତର । ମୁଁହରେ ବୋଳି ହେଇଯାଏ ମେଞ୍ଚେ ଅନ୍ଧାର। ମୋ ୱାଇଫ ସୁଜୟା ,ଜଣେ ମାନସିକ ରୋଗୀ। ମୁମ୍ବାଇ ରେ, ଏକ ଘରୋଇ ହସ୍ପିଟାଲ କମ ନର୍ସିଙ୍ଗ ସେଣ୍ଟର ରେ, ପ୍ରାୟ ପାଞ୍ଚ ବର୍ଷ ହେଲାଣି ଅଛି । ସ୍ୱତନ୍ତ୍ର ଗୋଟିଏ ନର୍ସ ତା ପାଇଁ ଉଦ୍ଦିଷ୍ଟ। ଭୟଙ୍କର ଚାପ ର ବଶବର୍ତ୍ତୀ ହେଇ, ତା’ର ମାନସିକ ସନ୍ତୁଳନ ବିଗିଡି ଯାଇଛି। କାହାକୁ ଚିନ୍ହିବା ଅବସ୍ଥା ରେ ନାହିଁ। ଆମର ଏକମାତ୍ର ପୁଅ ଅମର,ସଡକ ଦୁର୍ଘଟଣାରେ ଚାଲିଗଲା ପାଞ୍ଚ ବର୍ଷ ତଳେ। ଫାଷ୍ଟ ଚାନ୍ସ ରେ ଆଇ ଆଇ ଟି ପାଇ, କାନପୁର ରେ ପଢୁଥିଲା । ଆମେ ଖବର ପାଇ ପହଁଚିଲା ବେଳକୁ ,ତା’ର ପୋଷ୍ଟମର୍ଟମ ହେଇସାରିଥାଏ । ତା’ ମା'ର ଚାରିଦିନ ପରେ ଚେତା ଆସିଲା ,ହେଲେ ବାକଶକ୍ତି ହରେଇ ବସିଲା । କାହାକୁ ଚିନ୍ହିଲା ନାହିଁ । ମତେ ବି ନୁହେଁ । ଡାକ୍ତର କହିଲେ, ସୁସ୍ଥ ହେବାକୁ ସମୟ ଲାଗିବ, କିନ୍ତୁ ଦିନକୁଦିନ ତା ଅବସ୍ଥା ରେ ଅବନତି ଘଟିଲା । ବାଧ୍ୟ ହେଇ, ତାକୁ ମୁମ୍ବାଇ ନବାକୁ ପଡିଲା। ଯିଏ ପଇସା ନବାକୁ ଆସିଥିଲେ ,ସିଏ ସେଠିକା ନର୍ସ ଙ୍କର ଅଭିଭାବକ। ରେଗୁଲାର ହସ୍ପିଟାଲ,ନର୍ସିଙ୍ଗ ଖର୍ଚ ଛଡା ମୁଁ କିଛି ଅଧିକ ପଇସା ଦିଏ, ଟିକେ ଭଲ ସେବା ଶୁଶ୍ରୁଷା ମିଳୁ ଏଥିପାଇଁ । ମୁଁ ଯାଏ ମାସକୁ ଥରେ ଦିଥର । ଯଦି ଚାଂହିଥାଏ, ତେବେ ପାଖରେ ବସିଲେ ମୁଁହକୁ ବଲବଲ କି ଅନାଏ । ଆଖିରୁ ବହିଯାଉଥାଏ ଅବାରିତ ଅଶ୍ରୁ। ସିଏ ବୁଝିବାକୁ ହୁଏତ ଚେଷ୍ଟା କରୁଥାଏ,କି’ଏ ଏ ଲୋକଟି? କାହିଁକି ବାରମ୍ବାର ଧାଇଁ ଆସୁଛି ? ହେଲେ ମସ୍ତିସ୍କ ର ସିଗ୍ନାଲ ଧରେନି। “ ଏଇ ହେଲା ସଂକ୍ଷେପରେ ମୋ ଜୀବନ ।”

ରବି ପରଦା ଆଢୁଆଳ ରେ ଥାଇ ଆଖିରୁ ଲୁହ ଗଡଉ ଥାଏ । 

“ଯା’ରେ ରବି! ଆଉ କପେ କପେ ଚା’ ଦେ । 

ମାଡାମ ରିଲାକ୍ସ କରିବାକୁ ଆସିଥିଲେ, ବେକାରରେ ଏସବୁ କଥା ଜାଣିବାକୁ ଯାଇ ଟେନସନ ନେଲେ। “ 

“ନାଁ, ନାଁ ଅସୀମ ବିଲକୁଲ ନୁହେଁ --ଆଇ ଆମ ସରି- ମିସ୍ଟର ମେହରା। ମୁଁ ଆଶ୍ଚର୍ଯ୍ୟ ଚକିତ ହଉଚି, ଜୀବନରେ ଏତେ ବଡ,ବଡ ସମସ୍ୟା ର ସାମ୍ନା କରି ଆପଣ ତିଳେ ହେଲେ ଥକିଯାଇନାହାନ୍ତି, କି ଜୀବନକୁ ଅଭିଶାପ ବୋଲି ମନେ କରୁନାହାନ୍ତି!” 

“ନାଇଁ ବନ୍ଦିତା, ମୁଁ ହାର ମାନିବାକୁ ଚାହେଁନି। ଗୋଟିଏ ବୋଲି ତ ଜୀବନ ମିଳିଛି ବଂଚିବାଲାଗି ,ତେଣୁ ମୁଁ ପ୍ରତି ମିନିଟ ଆଉ ସେକେଣ୍ଡ ମନଭରି ବଂଚେ। କିଏ ଜାଣେ କ’ଣ ହବ ଆଗ ମୁହୂର୍ତ ରେ?” 

“ତୁମେ ବି, ବଂଚିବାକୁ ଚେଷ୍ଟା କର। କେତେ ଦୁର୍ମୁଲ୍ୟ ଏ ମଣିଷ ଜନ୍ମ! ମୃତ୍ୟୁ କୁ ଏତେ ନିକଟରୁ ଦେଖି, ବଂଚିବାର ମୋହ ଆଉରି ବଢିଯାଇଛି ମୋର ।”

ମିସେସ କପୂର ସମ୍ପୂର୍ଣ ବାକ୍ ଶୂନ୍ୟ ହେଇସାରିଥିଲେ । ଛଳ, ଛଳ ଆଖିରେ ମିସେସ ମେହରା ଙ୍କ ଫଟଟିକୁ ଦେଖୁଥିଲେ ଆଉ କହିଚାଲିଥିଲେ “ପ୍ରଭୁ! ମୋ ପିଲାମାନଙ୍କୁ କ୍ଷମା କରିଦିଅ । ମୁଁ ଆଉ ଜମା କାନ୍ଦିବିନି । ତାଙ୍କର ସୁଖର ସଂସାର ଉପରେ କାହାର ଯେମିତି ନଜର ନପଡେ଼ ପ୍ରଭୁ, ବଂଚି ଜିଇ କି ଥାନ୍ତୁ ସେମାନେ।” 

“ଆରେ ବନ୍ଦିତା !ତମେ ଏତେ ଇମୋସନାଲ କାହିଁକି ହେଇଯାଉଛ? କିଛିହବନି ସେମାନଙ୍କର। ଭଗବାନ ତୁମ ଡାକ ନିଶ୍ଚୟ ଶୁଣିବେ ।” 

ଏତିକ ଶୁଣି, କୃତକୃତ୍ୟ ହେଇଗଲେ ମିସେସ କପୁର।କେବଳ ଆଖିଲୁହ ଆଉ ଓଠ କମ୍ପନ ରେ ଜଣେଇପାରିଲେ ନିଜର କୃତଜ୍ଞତା । 

ରବି ସେଠି ଚା’ ଧରି ଠିଆ ହେଇଥାଏ ସେତେବେଳକୁ । 

ତା ଆଖିରେ ଖୁସିର ଫୁଆର....

...ତା’ ର ବୁଝିବାରେ -ଏହା ଏକ ମହ, ମହ ମୁହୂର୍ତ୍ତ ,ଅନନ୍ୟ ଅନୁଭୂତି, ଯାହାର ଦୈର୍ଘ୍ୟ ଆଉ ପ୍ରସ୍ଥ ମାପିବା ସମ୍ଭବପର ନୁହେଁ ତା ପକ୍ଷରେ । 

“ସାନ ବାବୁ, ମା, -ନାଁ, ମାଡାମ! ଆପଣ ଜଲ୍ଦି କାମ ସାରନ୍ତୁ, ଆଜି ନୂଆ ରନ୍ଧା ଚଖେଇବି । 

ତିନିଦିନ ରହଣି ଭିତରେ, ବନ୍ଦିତା ତାଙ୍କର ଚେହରା ଏବଂ ମାନସିକ ଅବସ୍ଥା ରେ ବହୁତ ପରିବର୍ତନ ଆସିଥିବା କଥା ନିଜେ ଅନୁଭବ କରିସାରିଥାନ୍ତି । ଆଉ ଗୋଟିଏ ଦିନ ବାକିଥାଏ । ତା’ଙ୍କ ହୃଦୟ ର ଆନନ୍ଦ ଆଉ ଆବେଗ ନାମ୍ନୀ ନିର୍ଝରିଣୀ ଗୁଡିକ ପୁଣି କଳ, କଳ ନାଦରେ ବହିବାକୁ ଆରମ୍ଭ କରିଥାନ୍ତି । 

କ୍ଷମା ଆଉ ଦୟା କୁ ଜୀବନ ର ଚିରାୟୀତ ଆଲୋକ ଓ ମୂଳମନ୍ତ୍ର କରିବା ଲାଗି ସ୍ଥିର କରିସାରିଥାନ୍ତି ଏଇ .ତିନିଦିନ ଭିତରେ ବନ୍ଦିତା । 

ନିଜର ନିତ୍ୟକର୍ମ ସାରି, ଜିନିଷପତ୍ର ସୁଟକେଶ ରେ ପ୍ୟାକ କରୁଥାନ୍ତି । 

ବ୍ରେକଫାଷ୍ଟ ଖାଇ ସାରିଲେ ବାହାରିବା କଥା । ସେପଟେ, ମିସ୍ଟର ମେହରା ବି ରେଡି ହେଉଥାନ୍ତି । 

ରବି ମନପ୍ରାଣ ଦେଇ ଟିଫିନ ତିଆରିରେ ଲାଗିଥାଏ -ଆଜି ଛୋଟ ବାବୁ ଆଉ ମା ଙ୍କୁ ଲୁଚି, ଆଳୁକଶା, ମାଲପୁଆ ଖୁଆଇବା ପାଇଁ ତା'ର ପ୍ରୟାସ ଜାରି ରଖିଥାଏ । 

ତା'ର ବ୍ୟକ୍ତିଗତ ଇଲାକା ରୋଷେଇ ଘରଟି । କେତେ ମୌନ ସଂଳାପ, ଏଠି ପବନରେ ଖେଳି, ବାଆ, ବତାସରେ ଝୁଲି ପୁଣି ନିଜ ଭିତରେ ଲୀନ ହେଇଯାଇଛନ୍ତି ତା’ର ହିସାବ ସିଏ ରଖିପାରିନି । 

ହେଲେ ତା’କୁ ଲାଗୁଥାଏ, ତା'ର ସାଧାରଣ ଜୀବନ ଏକ ଅସାଧାରଣ ମୋଡ ଦେଇ ଅତିକ୍ରମ କରୁଛି, ଆଉ ସେଇ ମୋଡ ଟି ଲୋଚାକୋଚା ସମୟ କୁ ଇସ୍ତ୍ରୀ ଦେଇ ସହଜ କରିଦେବ । 

ମନ ଉଲ୍ଲାସ ରେ ଭରିଯାଉଥିଲା ତା’ର,ଆଉ ସିଏ ଏକ ମାଦକତା ର ଶିକାର ହେଇଚାଲିଥିଲା । 

ତା’ ମୁଂହ ରେ ଏତେ ପରିମାଣର ହସ ଆଉ ଖୁସି କେବେ ଦେଖାନଥିଲା। 

ଆଶ୍ଚର୍ଯ୍ୟ ହେଇ ମିସ୍ଟର ମେହରା ପଚାରିଲେ” କି’ରେ ତୋ’ର ହେଇଚି କଣ? ପ୍ରଥମ ଫଗୁଣ ଏତେଦିନକେ ତତେ ଛୁଇଁ ଗଲାକି ?ତୋ ହାବଭାବ ରେ ବେଶ ପରିବର୍ତନ ମୁଁ ଦେଖିପାରୁଛି ତ!”

“କାଇଁ, ନାହିଁ ତ । ମୋ’ର କିଏ ଅଛି ଯେ ଏଠିକି ଆସିବ?”

“ଆଉ ତାହାଲେ?ଗୁଣୁ ଗୁଣୁ ଗୀତ ଗାଇ ଖୁସିରେ ଏତେ ମସଗୁଲ କଣ ପାଇଁ ହଉଛୁ ?” 

“ନାଁ, ସିଏ କିଛି ନୁହେଁ । କାହାରି ପାଦ ଏଠି ପଡୁନଥିଲା ବର୍ଷ ବର୍ଷ ଧରି । ମା’ ଆସି ଚାରି ଦିନ ରହିଲେ, କେତେ ଭଲ ଲାଗିଲା... ମୋର ବି ଆଗ୍ରହ ହେଲା, ଜାତି ଜାତି ଜିନିଷ ରାନ୍ଧି ପରସିବାକୁ। ନିବୁଜ ବଙ୍ଗଳା ପୁଣି ସୂର୍ଯ୍ୟ କିରଣ ରେ ଚକ ଚକ ଦିଶିଲା।” ଅନତି ଦୂରରେ ଯେ ବନ୍ଦିତା ଠିଆ ହେଇଛନ୍ତି, ତା'ର ନଜର ପଡ଼ିନଥିଲା। ଟିକିଏ ଲାଜେଇ ଯାଇ କହିଲା "କିଛି ଖରାପ ଭାବିବନି ମା'।”

ତା' କଥା ଶୁଣି, ଚାରିଟି ଆଖି କେତେଥର ଯେ ମିଳିତ ହେଲେ ନିରବରେ, କେତେ ମୌନ ସଂଳାପ ପବନରେ ଖେଳିଗଲା ତାର ଇୟତ୍ତା ନାହିଁ... କେଉଁ ଛଟକରେ ମୁଠାଏ ମଲ୍ଲିଫୁଲିଆ ସ୍ବପ୍ନ, ଶିହରିତ ପୁଲକରେ ,ସମୟକୁ ବନ୍ଦୀ କରି ଅଟକି ଗଲା । 

ହାତମୁଠାରେ, ସ୍ବପ୍ନକୁ ସମାହିତ କରି, ମୁଠା ବନ୍ଦ ହୋଇଯାଇଥିଲା। 

ଯାହାକୁ ଖୋଲି ପାରି ନଥିଲେ ଇଚ୍ଛାକରି ମଧ୍ୟ ବନ୍ଦିତା। ସେଇ ସୁନ୍ଦର ମୁଗ୍ଧ ଦୃଷ୍ଟି ବଳୟରେ ବନ୍ଦିନୀ, ବନ୍ଦିତାଙ୍କ ଭିତରେ ଜୀବନ ପ୍ରତି ଏକ ନୂଆ ମୋହ ର ଅଙ୍କୁରୋଦ୍ଗମ ଘଟି ସାରିଥିଲା। କିଛି ସମୟ ସ୍ଥାଣୁ ହେଇଯାଇଥିଲେ ...ପ୍ରକୃତିସ୍ଥ ହେଲେ ଅସୀମ ଙ୍କ କଥାରେ । 

“ମାଡାମ! ଜଳଖିଆ ନିଅନ୍ତୁ । ବାହାରିବା ତା’ପରେ। ଜଲ୍ଦି ନ ବାହାରିଲେ ବସ ଫେଲ ହେଇଯିବା । “

“ଓଃ !ଆଇ ଆମ ରିଅଲି ସରି। ଏକ ଅହେତୁକ ଆକର୍ଷଣ ଅଛି ଏ ଜାଗାରେ। ବଂଚିବାର, ଜୀବନକୁ ବୁଝିବାର ଦୁର୍ବାର ଇଚ୍ଛା, ପୁଣିଥରେ ଉଦ୍ରେକ ହେଲାପରି ଅନୁଭବ ହଉଚି। ଥାଙ୍କ ୟୁ ସୋ ମଚ ଫର ଦିସ ମିନିଂଫୁଲ ଚେଞ୍ଜ । ମୁଁ , ମୋ ଜୀବନକୁ ନେଇ, କେବେ ହତୋତ୍ସାହ ହେବିନି। ଶେଷ ନିଶ୍ୱାସ ଥିବା ଯାକେ ନୁହେଁ । ହଁ, ମୋ ଭିତରେ ଉବୁଟୁବୁ ହଉଥିବା ପ୍ରଶ୍ନ ମାନେ ତା’ଙ୍କର ମନଲାଖି ଉତ୍ତର ପାଇସାରିଛନ୍ତି । ମୋର ପିଲାମାନଙ୍କର ସନ୍ଦେହ, ବି ମୁଁ ଦୂର କରିସାରିଛି। ସେମାନଙ୍କୁ ଜଣେଇଦେଇଛି- ମୋ ଜୀବନ ଉପରେ, ସବୁଠୁ ବେଶୀ ଅଧିକାର, ମୋ ନିଜର। ତା’ ପରେ ଆଉ ଯାହାର। “ 

“ବାସ, ମୋର ଆପଣଙ୍କୁ ଏଠିକି ଆଣିବାଟା ସାର୍ଥକ ହେଇଗଲା। ଆପଣ ନିଜପାଇଁ ବଂଚି ଶିଖିବା ର ପଣ, ମତେ ଖୁବ ଆନନ୍ଦିତ କରିଛି। ଆଇ କଙ୍ଗ୍ରାଚୁଲେଟ ୟୁ ଫର ଦାଟ । ଏଠିକି ଆପଣ ଅନାୟାସ ରେ ଯା ଆସ କରିପାରିବେ। ରବି ତ ଅଛି ,ଅସୁବିଧା ହବନି । “

“ହଁ, ମା! ଜଲ୍ଦି ଆସିବେ। ଛୋଟ ବାବୁ, କୁଆଡେ କୁଆଡେ ବୁଲନ୍ତି, ଖୁବ କମ ଆସନ୍ତି । ଆପଣ ଆସିଲେ, ମୁଁ ଟିକେ ରନ୍ଧା କୌଶଳ ଦେଖେଇ ପାରିବି। ଭାରି ଶାନ୍ତି ଲାଗେ, କାହାକୁ ତୃପ୍ତିର ଭୋଜନ କରେଇଲେ ।” 

“ହଁ ରବି! ନିଶ୍ଚିତ ଭାବରେ -ଖୁବ ଜଲ୍ଦି ମଧ୍ୟ । “

କୃତଜ୍ଞତାରେ ମୁଦି ହୋଇ ଯାଇଥିଲା ତାଙ୍କର ସଜଳ ଆଖି ଯୋଡ଼ିକ।



Rate this content
Log in

Similar oriya story from Inspirational