ଅଧା ପାଗଳର କମାଲ୍ କଥା ( ଶେଷ ଭାଗ
ଅଧା ପାଗଳର କମାଲ୍ କଥା ( ଶେଷ ଭାଗ
" ଝିଅ ଆଉ ପୁଅଟିଏ " ଅଧା ପାଗଳ ଉତ୍ତର ଦେଲା ।
ମୋ ବୋଉ ପଚାରିଲା,"କେତେ ବଡ ବଡ ହେଲେଣି ସେମାନେ ।"
ସେ କହଲା, " ଝିଅଟି ବଡ, ୧୦ ବର୍ଷର 4th ଷ୍ଟାଣ୍ଡାର୍ଡରେ ଓ ପୁଅକୁ ଏଇ ୪ ବର୍ଷ ହେବ । "
" ଆଉ ସବୁ ଘରେ କିଏ ଅଛନ୍ତି ? ତମ ସ୍ତ୍ରୀ ଚାକିରି କରିଛନ୍ତି ନା ଘରେ ? " ବୋଉ ପୁଣି ପଚାରିଲ। ।
ସେ କହିଲା, " ସ୍ତ୍ରୀ ଘରେ ରୁହନ୍ତି ଆଉ ମୋ ବୋଉ ବି ଅଛନ୍ତି । ବାପା ୧୦ ବର୍ଷ ତଳୁ ଏ ଦୁନିଆରୁ ଚାଲିଯାଇଛନ୍ତି । ମୋ ବଡ ଭାଇ ଆଉ ଗୋଟେ ଜାଗାରେ ଘର ଦ୍ୱାର କରି ତାଙ୍କ ପିଲାପିଲି ଧରି ରହୁଛନ୍ତି । "
ମୁଁ ଚୁପ୍ ଚାପ୍ ବସି ସେମାନଙ୍କ କଥା ଶୁଣୁଥାଏ । ମୋ ବୋଉର ପ୍ରକୃତି ହେଉଛି ସବୁକଥା ଭଲକରି ବୁଝିବ । ମୁଁ ବୋଉର ପ୍ରଶ୍ନ କରିବାର ଷ୍ଟାଇଲରୁ ଜାଣିଗଲି ଆଜି ସହଜରେ ଏ ଲୋକ ଏଠୁ ଛାଡ ପାଇବାର ନାହିଁ ।
ବୋଉ ପୁଣି ପ୍ରଶ୍ନ କଲା, " ମାଆ କଣ ବଡ ଭାଇଙ୍କ ପାଖରେ ରୁହନ୍ତିନି ? "
ଉତ୍ତରରେ ସେ କହିଲା, " ନାଇଁ ମୋ ପାଖରେ ସବୁବେଳେ ରୁହନ୍ତି । ଭାଇ ବାହାରେ ଚାକିରି କରିଛନ୍ତି ।"
ବୋଉ - " ମାଆଙ୍କୁ କେତେ ବର୍ଷ ହେଲାଣି ? "
ସେ - " ୭୭ ବର୍ଷ ହେଲାଣି । ବାପା ସରକାରୀ ଚାକିରି କରିଥିଲେ । ତେଣୁ ବୋଉ ପେନସନ୍ ବି ପାଆନ୍ତି । "
ବୋଉ - " ମୋତେ ବି ସେଇ ୭୭ ହେଲାଣି । ବୟସ ବଢିବା ସହ ଆଣ୍ଠୁଗଣ୍ଠି ଦରଜ ହେଉଛି । ତମ ବୋଉଙ୍କ ଦେହ ଭଲ ରହୁଛି ତ ? "
ସେ କହିଲା, " ନାଇଁ ସେମିତି ଭଲ ନାହିଁ । ବୋଉ ଏଇ ନିକଟରେ ପଡିଯିବାରୁ ହାତ ଭାଙ୍ଗି ଯାଇଛି । ସେଇ ଅାଣ୍ଠୁଗଣ୍ଠି ଆଗରୁ ଦରଜ ରହୁଥିଲା । ଏବେ ବେଶି କଷ୍ଟ ପାଉଛି । ଭାଙ୍ଗିଥିବା ହାତଟା ପୁରା ପ୍ଲାଷ୍ଟର୍ ହୋଇଛି ।"
ବୋଉ ପୁଣି କହିଲା, " ହଁ ବୟସ ହେଲେ ଗୋଡ ହାତ ଭାଙ୍ଗିଲେ ବହୁତ କଷ୍ଟ । ମୋ ଗୋଡ ପରା ସେମିତି ଏଇ କେଇ ବର୍ଷ ତଳେ ଭାଙ୍ଗି ଯାଇଥିଲା । ପୁରା ଠିକ୍ ହେବାକୁ ତିନି ବର୍ଷରୁ ଅଧିକ ସମୟ ଲାଗିଲା । "
ଏଥର ସେ ବୋଉକୁ ଉତ୍ତରରେ ବହୁତ କଥା କହିଗଲା । ସେଥିରେ କିଛି କ୍ଲାରିଫିକେସନ୍ ସହ କମାଲ୍ କଥା ସବୁ ଥିଲା । ଅବଶ୍ୟ ମୋ ବୋଉ ତାକୁ କିଛି କ୍ଲାରିଫିକସନ୍ ମାଗି ନଥିଲା । ତଥାପି ସେ ତା ନିଜ ଆଡୁ ସେମିତି ସବୁ କହିଗଲା । ସେ ଯାହା ସବୁ କହିଲା ତାକୁ ନିମ୍ନରେ ରଖୁଛି -।
" ଆଜିକାଲି ପରା ଓଲଟା ଯୁଗ ? ଶଶୁର ଶାଶୁଙ୍କ ୧୦୦ଟା କଥା ରହିବ କିନ୍ତୁ ବାପ ମାଆଙ୍କର ଗୋଟେ କଥା ବି ରହୁନି । ତାମାନେ ମୁଁ କହୁନି ଶାଶୁ ଶଶୁରଙ୍କୁ ଅସମ୍ମାନ କରିବାକୁ । ମୁଁ ମୋ ବୋଉର ସବୁ କାମ କରେ । ସ୍ତ୍ରୀକୁ କିଛି କରିବାକୁ ଦିଏନି । ସେ ହେଲା ପର ଝିଅ । ମୁଁ ଯେମିତି ମୋ ବୋଉର ମନକଥା ବୁଝିପାରିବି , ସେ କଣ ସେମିତି ବୁଝି ପାରିବ ? ମୋ ବୋଉର ଯେଉଁଦିନ ପେନସନ୍ ମିଳେ ସେଦିନ ଆଗ ସ୍ତ୍ରୀକୁ ୬୦୦ ଟଙ୍କା ଦେଇ ଦିଏ । ସେ ଟଙ୍କାକୁ ସ୍ତ୍ରୀ ତା' ଇଚ୍ଛା ମୁତାବକ ଖର୍ଚ କରିବ । ତାକୁ କହିଛି ମୁଁ ଯେହେତୁ ଦିନସାରା ଘରେ ରହୁନି ସେଥିପାଇଁ ବୋଉକୁ ଦୁଇ ବେଳା ଠିକ୍ ସମୟରେ ଖାଇବାକୁ ଦେବୁ । ଯେହେତୁ ଦିନକୁ ୨୦ ଟଙ୍କା ହିସାବରେ ନେଉଛି ତେଣୁ ବୋଉକୁ ଠିକ୍ ସମୟରେ ଖାଇବାକୁ ଦେବାକୁ ନିଶ୍ଚିତ ମନେ ପଡିଯିବ । ଏମିତି ନ କରିଥିଲେ କିଛିଦିନ ପରେ ସେ କହିଥାନ୍ତା - " ମୁଁ ଏତେ କାମ କରି ପାରିବିନି । " ଆଉ ଗୋଟେ କଥା ମଧ୍ଯ ମୁଁ କରିଛି । ପୁଅ ଝିଅ ଦୁହିଙ୍କୁ ପ୍ରତିଦିନ ୫ ଟଙ୍କା ଲେଖାଏ ଦିଏ ଚକଲେଟ୍ ଖାଇବାକୁ । ସେମାନଙ୍କୁ କହିଛି ଦିନକୁ ନିଶ୍ଚେ ମୋ ବୋଉ ସହିତ କିଛି ସମୟ କଥା ହେବେ । ବୁଢି ଲୋକଙ୍କ ସହିତ ଛୋଟ ନାତି ନାତୁଣୀ କଥାବାର୍ତ୍ତା ହେଲେ ତାର ବହୁତ ସୁଫଳ ରହିଛି । ସେମାନେ କେବେ ନିଜକୁ ଆଉ ଅସହାୟ ବୋଲି ଭାବିବେନି । ସବୁବେଳେ ସେମାନଙ୍କ ମନ ଖୁବ୍ ପ୍ରଫୁଲ୍ଲ ରହିବ । ମୁଁ ସଂଧାରେ ଅଫିସରୁ ଫେରି ଆଗ ମୋ ବୋଉ ସହିତ କିଛି ସମୟ କଥା ହୁଏ । ରାତିରେ ବୋଉର ମୋର ଏକାଠି ଖାଉ । ବୋଉ ଶୋଇବା ବେଳେ କିଛି ସମୟ ତାକୁ ମୋଡାଘଷା କରିଦେଲେ ସେ ନିଦରେ ଶୋଇଯାଏ । ଘରେ କେଇଟି ଗାଈ ମଧ୍ୟ ରଖିଛି । ଗୋ-ସେବା ଠାରୁ ଆଉ ପୁଣ୍ୟ କାମ କିଛି ନାହିଁ ଏ ଦୁନିଆରେ । ପିଲାମାନେ ଭଲ ଖୀର ପାଇବେ ଆଉ ଏମିତିରେ ଘରେ ଯଦି କାହାର ଦେହ କିଛି ଅସୁବିଧା ହେଲା ସେମାନେ ହିଁ ଆଗ ମୁଣ୍ତ ଦେଖାଇ ଦେବେ । "
ମୁଁ ତା କଥା ସବୁ ଶୁଣି ମନେ ମନେ ଭାବୁଥାଏ ସତରେ ଏମିତିକା ପୁଅ ବି ଅଛନ୍ତି ଏ ଦୁନିଆରେ । ଗରିବ ଗୁରୁବା ଘର ହେତୁ ଟଙ୍କା ପଇସାର ତାକତ୍ ନାହିଁ କିନ୍ତୁ ଖୁବ୍ ସୁନ୍ଦର ମନଟେ ରହିଛି । ଆଜିକାଲି ଚିକିତ୍ସା ଖୁବ୍ ବ୍ୟୟ ବହୁଳ ହୋଇ ଗଲାଣି । ଏ ଲୋକ ସେମିତି ଦାମିକା ପଦ୍ଧତିର ଚିକିତ୍ସା ତା ମାଆକୁ ଦେଇ ନପାରେ କିନ୍ତୁ ଖୁବ୍ ମନପ୍ରାଣ ଦେଇ ସେବା ଯତ୍ନ କରିବାରେ ଟିକେ ବି ଉଣା କରିବନି । ମୁ୍ଁ ଖବର କାଗଜରେ ଆଜିକାଲି ମନକୁ ବହୁତ ଆଘାତ ଦେଲା ପରି ଖବର ବହୁତ ପଢିଛି ଏଇ ପରିଣତ ବୟସର ବାପ ମାଆ ମାନଙ୍କୁ ତାଙ୍କ ପିଲାଙ୍କ ଅବହେଳା କରିବାର କଥା ସବୁ । ପିଲା ମାନଙ୍କୁ ବୁଢା ବୁଢି ମାନଙ୍କ ପାଖକୁ ନ ଯିବାକୁ ତାଗିଦ୍ କରନ୍ତି ତାଙ୍କ ବାପ ମାଆ ମାନେ । ଅଥଚ ଏଠି ଗୋଟେ ପୁଅ ତା ମାଆ ସହିତ କେମିତି ତା ପୁଅ ଝିଅ କଥା ହେବେ ସେଥି ପାଇଁ ସେମାନଙ୍କୁ ପ୍ରତିଦିନ ୫ ଟଙ୍କା କରି ଚକଲେଟ୍ ଖାଇବାକୁ ଲାଞ୍ଚ ଦେଉଛି । ଯାହା ସବୁ କହିଗଲା ସେଥିରେ କିଛି ମିଛ ବା ଭେଜାଲ୍ ଥିବ ସେମିତି ମୋତେ ଆଦୌ ଲାଗୁ ନଥାଏ ।
ଏ ଭିତରେ ଚାହା ପିଇବା ସରି ଯାଇଥାଏ । ସେ ମୋତେ ଅନାଇଁ କହିଲା , " ସାର୍ ମୁଁ ଆସୁଛି । "
ମୁଁ କେବଳ ମୁଣ୍ତ ହଲାଇ ହଉ ବୋଲି ସଂକେତ ଦେଲି । ସେ ମୋ ବୋଉ ସହିତ ମୋତେ ନମସ୍କାର କରି ଆମ ଘରୁ ବାହାରି ଗଲା । ସେ ଘର ଗେଟ୍ ପାଖରେ ପହଞ୍ଚିବା ପରେ ମୋ ବୋଉ କହିଲା , " ବୁଝିଲୁ ଟିକା , ଭଲ ପୁଅଟିଏ ।"
ମୋ ବୋଉର ଏଇ ଦୁଇ ପଦ କଥା - " ଭଲ ପୁଅଟିଏ " ଯେମିତି ବହୁତ କିଛି କଥା କହିବା ସହ ତାକୁ ଅଧା ପାଗଳ କହୁଥିବା ଲୋକମାନଙ୍କୁ ଉଚିତ୍ ଜବାବ୍ ଦେଉଥିଲା ।
ମୁଁ କେଉଠି ଗୋଟେ ପଢିଥିଲି , " ଯେଉଁ ପୁଅ ଉପରେ ତା ମାଆ ବାପାଙ୍କର ଆଶୀର୍ବାଦ ଥାଏ, ମାଆକୁ ଯେଉଁ ପୁଅ ଖୁବ୍ ଖୁସିରେ ରଖେ ସେ ପୁଅ କୁଆଡେ ଯେଉଁ ମାଟିରେ ହାତ ଦିଏ ସେଇ ମାଟି ବି ସୁନା ହୋଇଯାଏ ।"
ମୋ ଆଖି ଆଗରୁ ଆମ ଘର ଗେଟ୍ ଦେଇ ଠିକ୍ ସେମିତିକା ପୁଅଟିଏ ଆସ୍ତେ ଆସ୍ତେ ଚାଲି ଯାଉଥିଲା ।
ପ୍ରଶାନ୍ତ କୁମାର ବେହେରା
ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ
