ଅଡ଼ୁଆ ପ୍ରଶ୍ନ
ଅଡ଼ୁଆ ପ୍ରଶ୍ନ
କ୍ଷମା କରିବେ ଏକ ଅଡ଼ୁଆ ଏବଂ ଅଭିମାନର ପ୍ରଶ୍ନକୁ ନେଇ ମୁଁ ଆଜି ଲେଖୁଛି। ଏହା ପ୍ରତ୍ୟେକ ସ୍ଥାନରେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ପରିଦୃଷ୍ଟ। ଖାଲି ଯେ ସୁବର୍ଣ୍ଣପୁର ଜିଲ୍ଲାର ବିଷୟରେ ନୁହେଁ । ସୁବର୍ଣ୍ଣପୁର କଳା ଓ ସଂସ୍କୃତିର ଗନ୍ତାଘର। ଏହାର ଧୂଳି ମାଟିରେ ସୁବର୍ଣ୍ଣର ସ୍ପର୍ଶ। ଖମ୍ବେଶ୍ୱରୀ, ସୁରେଶ୍ଵର, ସମଲେଶ୍ଵରୀ ଆଦି ଅଷ୍ଟ ଚଣ୍ଡୀ, ଅଷ୍ଟଶମ୍ଭୁ ଓ ଅଷ୍ଟ ବିଷ୍ଣୁଙ୍କ ଆର୍ଶୀବାଦ ଏହି ଭୂଖଣ୍ଡର ଗାରିମା କୁ ଗୌରବ ମୟ କରି ଗଢି ତୋଳିଛି। ଯନ୍ତ୍ର, ତନ୍ତ୍ର, ମନ୍ତ୍ର ର ସହରର ଭେଣ୍ଡାକୁ ମେଣ୍ଢା କରିବା ସହ ମହାରାଣୀ ଲକ୍ଷ୍ମୀକରା ଙ୍କ ସହଜଯାନର ପ୍ରଭାବ ସୁବର୍ଣ୍ଣପୁର ଉପକଣ୍ଠ ଇଲାକାରେ ସିଦ୍ଧସାଧକ ଚନ୍ଦ୍ରମଣି ଦାସ ଓ ଅନେକ ସିଦ୍ଧ ମନିଷୀଙ୍କ ଓଲୌକିକ ଚମତ୍ କାରିତାରେ ପରିପୃଷ୍ଟ । ସୁବର୍ଣ୍ଣପୁର ର ବାର୍ତ୍ତା ବହନ କରୁଥିବା ଅନନ୍ୟ ପତ୍ରିକା ଶାକ୍ତଶ୍ବର । ସୁବର୍ଣ୍ଣପୁର ଜିଲ୍ଲାର ପ୍ରାଚୀନ ଐତିହ୍ୟ ଓ ସଂସ୍କୃତିର ସ୍ବାକ୍ଷର ବହନ କରେ। ବିଦଗ୍ଧ ପାଠକ ଓ ସାହିତ୍ୟିକ ଙ୍କ ଭଲପାଇବା ସାଉଁଟୁ ଥିବା ଶାକ୍ତଶ୍ବର ଦେଖିଲେ ଯେତିକି ଖୁସି ଲାଗେ ସେତିକି ଦୁଃଖ ମଧ୍ୟ ଲାଗେ । ହେ କବି ଲେଖକ ଗଣ ଆମ ଏଇ ଜିଲ୍ଲା ରେ କ'ଣ ନୂତନ କବି ଲେଖକ ଶୂନ୍ୟ। କେତେ ଜଣ ହାତ ଗଣତି ଲେଖକଙ୍କ ର ପରିଚିତ ମୁହଁ ପ୍ରତି ବର୍ଷ ପ୍ରତି ପୃଷ୍ଠାରେ ଝଲସୁ ଥାଏ।ନବ ଲେଖକ ଓ ନବ ପ୍ରତିଭା ଙ୍କ ସ୍ଥାନ ନାହିଁ ଶାକ୍ତଶ୍ବର ରେ।ତାଙ୍କ ଲେଖା କ'ଣ ଉପଯୁକ୍ତ ପରିମାର୍ଜିତ ନୁହେଁ। କେତେ ଜଣ ପ୍ରଭାବଶାଳୀ ଲେଖକଙ୍କ ଭିତରେ ସୀମିତ ଶାକ୍ତଶ୍ବର। ଏଠାରେ ଲେଖା ନୁହେଁ ଲେଖକଙ୍କ ପରିଚିତ ମୁହଁ ଦେଖାଯାଏ। ଖାଲି ସାହିତ୍ୟ କ୍ଷେତ୍ରରେ ନୁହେଁ ବରଂ ପ୍ରତିଟି କ୍ଷେତ୍ରରେ ଜୋର ଯାର ମୁଳକ ତାର ନିତି ପ୍ରଚଳିତ। କେଉଁ ଆଦିମ କାଳରୁ ଚଳି ଆସୁଛି ପରମ୍ପରା। ଅନେକ ବିଦ୍ଗଧ କବି ଓ ଲେଖକ ଙ୍କର ଲେଖନୀ ଆଜି ଅଲୋଡ଼ା ଅଖୋଜା ବଣମଲ୍ଲୀ ପରି ବଣରେ ଫୁଟି ବଣରେ ଝରି ଯାଉଛନ୍ତି। ଆଉ ପୁରସ୍କାର ଆଜି ପ୍ରହସନରେ ପରିଣତ ହୋଇଛି। ଅର୍ଥ ପାଖରେ ବନ୍ଧା ପଡ଼ିଛି ସମ୍ମାନ ପୁରସ୍କାର। ସଭ୍ୟ ଶିକ୍ଷିତ ସମାଜରେ ଆଜି ବି ପାତର ଅନ୍ତର ନୀତି ଚଳି ଆସୁଛି। ଝରା ଶେଫାଳୀ ବଣରେ ଫୁଟି ବଣରେ ହିଁ ଲୋଟି ଯାଏ। ତାର ବିଦଗ୍ଧ ବାସ୍ନା ଜନପଦରେ ପହଞ୍ଚି ପାରେ ନାହିଁ।
