STORYMIRROR

Nirupama Dehuri

Tragedy Classics

3  

Nirupama Dehuri

Tragedy Classics

ଉତ୍ତର ପାଇନଥିବା ପ୍ରଶ୍ନ

ଉତ୍ତର ପାଇନଥିବା ପ୍ରଶ୍ନ

2 mins
167

ଜୀବନ ହସ ଲୁହ ଆଉ ଦୁଃଖ ସୁଖର ସମ୍ମିଶ୍ରଣ। ଆଜି ପରି ମନେପଡେ ସେଇ ଚଗଲାମି ପିଲାଦିନ। ଅତୀତରେ ଛାଡି ଆସି ଥିବା ଘଟଣା ବହୁଳ ଦିନ।ମାଆ କୋଳରେ ଜନ୍ମ ନେବା ଠାରୁ ମଶାଣିରେ ଜଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ମୁହୂର୍ତ୍ତ ଏକ ସ୍ମୃତି ପରି ଘେରି ରହିଥାଏ। ଜୀବନ କେବେ ହସର ଫଲ୍ ଗୁ ତ କେବେ ଦୁଃଖର ଯନ୍ତ୍ରଣା। କେବେ ନିଦାଘ ତ କେବେ ମଧୁର ମୂର୍ଚ୍ଛନା । ଅନେକ ଘଟଣା ଘଟେ ଜୀବନରେ କିନ୍ତୁ ସବୁ ମନେ ରହେନା। ରହିଥାଏ ଏମିତି ଅନେକ ସ୍ମୃତି ଅପାସୋରା ହୋଇ ଜୀବନ ସ୍ରୋତରେ ଶାମୁକା ଭିତରେ ମୁକ୍ତାର ରୂପ ନେଇ। ଏମିତି ଏକ ଉତ୍ତର ପାଇନଥିବା ପ୍ରଶ୍ନ ବାଣରେ ଆଜି ମୁଁ କ୍ଷତ ବିକ୍ଷତ। ଆଜି ବି ଗୁଞ୍ଜରିତ ହୁଏ ମୋ ମାଆଙ୍କ ସେଇ ପ୍ରଶ୍ନ ଯାହାର ଉତ୍ତର ଆଜି ବି ମୋ ପାଖରେ ନାହିଁ। ଦୀର୍ଘ ଦିନ ତଳର କଥା ମୋ ବୟସ ସେତେବେଳେ ପନ୍ଦର କି ଷୋହଳ ମୁଁ ମୋ ମାଆଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲୁ।ଆମ ଘର ଠାରୁ ନଦୀ ଏକ କିଲୋମିଟର ହେବ। ବୈଶାଖ ମାସ ଭୀଷଣ ଖରାରେ ରାସ୍ତାଘାଟ ପ୍ରାୟ ତଃ ଖାଲି ଥାଏ।

ଗ୍ରାମର ଲୋକମାନେ ବଡିଭୋରରୁ ଗାଧୋଇବାକୁ ଯାଇଥାନ୍ତି। ସେ ଦିନ ଆମେ ମାଆ ଝିଅ ଡେରିରେ ଗଲୁ।ନଦୀ କିମ୍ବା ରାସ୍ତାରେ କେହି ନଥିଲେ ସେ ସମୟରେ ଆମେ ନଦୀରୁ ପାଣି ବୋହି ଆଣି ରୋଷେଇ କରୁଥିଲୁ । ଆମେ ନଦୀରେ ଗାଧୋଇ ସାରି ସଫାକରି ଥିବା ସାର୍ଟ ପ୍ୟାଣ୍ଟ୍ କୁ ମୁଁ ଧରିଲି ଏବଂ ମୋ ମାଆଏକ ବଡ଼ ଡେକଚି ରେ ପାଣି ବୋହି ଆଣିଲେ।ବିଲର ଆଡିରେ ଆମେ ନଦୀକୁ ଯିବା ଆସିବା କରୁ ଏବେ ମଧ୍ୟ ରାସ୍ତା ହୋଇ ନାହିଁ । ନଦୀ କୂଳରୂ ଉଠି ଆଡି ରାସ୍ତାରେ ଗଲା ବେଳେ ହଠାତ୍ ଦଳେ ଗାଈ ଆମ ଆଡ଼କୁ ମାଡି ଆସିଲେ।ଖରା ମାସରେ ଚାଷ କାମ ସରି ଗଲେ ପ୍ରାୟତଃ ଗାଈଗୋରୁଙ୍କୁ ଆକଟ ନକରି ଛାଡି ଦିଅନ୍ତି ।ମୋ ମାଆ ଆଉ ମୁଁ ଗାଈମାନଙ୍କର ମଝିରେ ରହିଗଲୁ। ମୁଁ କମ୍ ଓଜନ ବୋହି ଥିବାରୁ ଗାଈଗୋରୁଙ୍କ ଭିତରୁ ବାହାରି ଆସିଲି। କିନ୍ତୁ ମୋ ମାଆ ଗାଈଗୋରୁଙ୍କ ଭିତରେ ରହିଗଲେ।କିଂକତ୍ତବ୍ଯମୂଢ ଭାବରେ ଅନାଇ ରହିଲା।ମୋ ମାଆଙ୍କୁ କିଛି ବି ସାହାଯ୍ୟ କଲି ନାହିଁ। ଭଗବାନଙ୍କ ଅପାର କରୁଣାରୁ ମୋ ମାଆ ଅଳ୍ପକେ ରକ୍ଷା ପାଇଲେ ଆଉ ଅତ୍ୟନ୍ତ ଦୁଃଖୂତ ହୋଇ କହିଲେ ମାଆରେ ତୁ ଯଦି ମୋ ସ୍ଥାନରେ ଥାଆନ୍ତୁ ମୁଁ କ'ଣ ଚୁପଚାପ୍ ଛିଡ଼ା ହୋଇଥାନ୍ତି ଆଜି ମୁଁ ମରଣ ମୁହଁରୁ ବଞ୍ଚିଛି ହେଲେ ମୋର ଦୁଃଖ ନାହିଁ ମୋର ଯାହା ହେଉ ତୁ ତ ନିରାପଦରେ ଅଛୁ। ମାଆଙ୍କ ସେଇ ପଦିଏ କଥା ଆଜି ବି ମୋ ମନକୁ ଅନେକ କଷ୍ଟ ଦିଏ।ସତରେ ସେଦିନ ଯଦି ମୋ ମାଆଙ୍କର କିଛି ହୋଇ ଯାଇଥାନ୍ତା ମୁଁ କ'ଣ ନିଜକୁ କ୍ଷମା କରିଥାନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy