ପ୍ରିୟଦର୍ଶିନୀ ମହାନ୍ତି

Inspirational

5.0  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ଅଛୁଆଁ ବଟିକା

ଅଛୁଆଁ ବଟିକା

3 mins
415



ଗାଁ ଟିର ନାମ ରତନପୁର।ଚାରିପାଖରେ ପାହାଡ଼। ଗାଁ ପାଖ ଦେଇ ଝରଣାଟି ବହିଯାଇଛି।ଗାଁ ର ଆରମ୍ଭରେ ବୁଢା ବରଗଛଟିଏ।ପାଖକୁ ଲାଗି ରତନପୁର ପ୍ରାଥମିକ ବିଦ୍ୟାଳୟ।ଗାଁର ଶେଷ ମୁଣ୍ଡରେ ଶିବ ମନ୍ଦିରଟିଏ। ଗାଁର ମୁଖିଆ ଲୋକମାନଙ୍କର ଭଲ, ମନ୍ଦ, ନ୍ୟାୟ ନିଶାବ ବୁଝନ୍ତି।

ସୁନାମଣି ବୋଲି ସ୍ତ୍ରୀ ଲୋକଟି ତା ଆଠ ବର୍ଷର ପୁଅ ଦୈତାରି ସହ ସେଇ ଗାଁରେ ରୁହେ।


   ସୁନାମଣି ନୀଚ୍ଚ ଜାତିର ଗରିବ ବିଧବା ସ୍ତ୍ରୀ ଲୋକଟିଏ।ଦୈତାରି କୁ ପାଞ୍ଚ ବର୍ଷ ହୋଇଥିଲା ବେଳେ ତା ବାପା ତାକୁ ଛାଡି ଆରପାରିକୁ ଚାଲିଗଲେ। ଗାଁରେ ଆର ତା'ର ଘରେ ବାସି ପାଇଟି କରି ସୁନାମଣି ଗୁଜୁରାଣ ମେଣ୍ଟାଏ।ଜମି ଖଣ୍ଡକରେ ଚାଷ ବାସ କରି ମାଆ ପୁଅ ଯେମିତି ସେମିତି ଚଳି ଯାଆନ୍ତି। ସ୍ୱାମୀ ମରିଯିବା ପରେ ଏଇ ଦୈତାରି ମୁହଁକୁ ଚାହିଁ ସେ ବଞ୍ଚିଛି। ପୁଅକୁ ପାଠ ପଢ଼ାଇ ଭଲ ମଣିଷ କରି ଗଢିତୋଳିବାକୁ ତା'ର ଇଚ୍ଛା। ହେଲେ କଣ ହେବ! ଦଇବ ତ ଦାଉ ସାଧୁଛି। ସହଜେ ତ ବାପ ଛେଉଣ୍ଡ , ପଇସା ପତର ଅଭାବ,ତା ଉପରେ ପୁଣି ଛୋଟ ଜାତି ବୋଲି ଗାଁରେ କାହାକୁ ଛୁଇଁ ବା ମନା।କେମିତି ବା ସ୍କୁଲ ଯିଵ! ସ୍କୁଲ ଯିବା ନାଁ ଶୁଣିଲେ କି ଗାଁ ଲୋକ ମାରି ପକେଇବେ। ଆମର କାଇଁ ବା ସାହସ। ଆମେ ତ ମଳି ମୁଣ୍ଡିଆ ଲୋକ।

  

  ପାଖ ଖେଳ ପଡ଼ିଆରେ ଗାଁର ପିଲା ଖେଳିବାର ଦେଖି ଦୈତାରି ମଧ୍ୟ ଦୌଡେ ଖେଳିବାକୁ। ତାକୁ ଦେଖିବା ମାତ୍ରେ ପିଲାଏ ଖେଳ ବନ୍ଦ କରି ତା ଠାରୁ ଦୂରେଇ ଠିଆ ହୁଅନ୍ତି। ଆଉ କେବେ କେବେ ଦୈତାରିକୁ ଦେଖିବା କ୍ଷଣି ଯେ ଯାହା ଘରକୁ ପଳନ୍ତି।ଥରେ ଦୈତାରି ଖେଳିବା ପାଇଁ ସେମାନଙ୍କ ପାଖକୁ ଗଲା ଓ ସେମାନଙ୍କ ସହ ଖେଳିବ ବୋଲି କହିଲା।ଗାଁ ପିଲା ମାନେ ଏକ ସ୍ୱରରେ କହିଲେ," ତତେ ଛୁଇଁବାକୁ ଘରେ ମନା କରିଛନ୍ତି।ସାଙ୍ଗ ହୋଇ ଖେଳିବୁ କେମିତି"! ଏଇ କଥା ଶୁଣି ଦୈତାରି କାନ୍ଦି ଉଠିଲା। ତା ମନରେ ଭାରି ଆଘାତ ଲାଗିଲା। ତା ମନରେ ଅନେକ ପ୍ରଶ୍ନ- କଣ ସିଏ ଭୁଲ କରିଛି? କଣ ପାଇଁ କେହି ତା ସହ କଥା ହେଇନାହାନ୍ତି କି ସାଙ୍ଗ ହେଉନାହାନ୍ତି? କଣ ପାଇଁ କେହି ଛୁଉଁ ନାହାନ୍ତି?"

ସେ ତ ଏଡିକି ବକଟେ ପିଲା।ଏତେ କଥା କାଇଁ ଜାଣିବ।


   ସେହି ଦିନ ରାତିରେ ମାଆ ପୁଅ ଦୁହେଁ ଶୋଇଥିଲେ। ଦୈତାରି ମାଆକୁ ପଚାରିଲା,"କଣ ପାଇଁ ମୋ ସହ କେହି ଖେଳୁ ନାହାନ୍ତି କି ସାଙ୍ଗ ହେଉନାହାନ୍ତି? ସବୁ ପିଲା ସ୍କୁଲ ଯାଉଛନ୍ତି।ମତେ ବି ଇଚ୍ଛା ସ୍କୁଲ ଯିବାକୁ।ପାଠ ପଢିବାକୁ।ମତେ କଣ ପାଇଁ ସ୍କୁଲ କୁ ଛାଡୁନୁ"? ଏକା ସମୟରେ ଦୈତାରିର ଏଭଳି ଅନେକ ପ୍ରଶ୍ନର ଉତ୍ତର କଣ ବା ଦେବ ସୁନାମଣି।ରାତି ବହୁତ ହେଲାଣି କହି କଥା କୁ ଏଡାଇ ସୁନାମଣି ଶୋଇପଡିବାକୁ ଦୈତାରିକୁ କହିଲା।ହେଲେ ଦୈତାରିର ଏକା ଜିଦ ସେ ଯେମିତି ହେଲେ ଜାଣିବ ସବୁ କଥା।


  ସୁନାମଣି ନିଜ କାନ୍ଦକୁ ଅଟକାଇ କୋହ ଭରା ସ୍ୱରରେ କହିଲେ,"ତୁ ଖାଲି ଏତିକି ଜାଣେ ରେ ପୁଅ, ଆମେ ହେଲୁ ଅଛୁଆଁ।ଆମକୁ ଛୁଇଁବା , ଆମ ସହ କଥା ହେବା ମନା।ଆମ ସହ ଯିଏ କଥା ହେବ କି ଯିଏ ଛୁଇଁବ ଗାଁ ମୁଖିଆ ତାକୁ ଗାଁରୁ ବାଛନ୍ଦ କରିଦେବ।" ପୁଣି ଦୈତାରି ଉତ୍କଣ୍ଠା ର ସହ ପଚାରିଲା,"ମା ଏଇଟା କଣ ଗୋଟେ ରୋଗ!! ସୁନାମଣି ଦୀର୍ଘ ନିଶ୍ଵାସ ଛାଡି କହିଲା," ହଁ ରେ ପୁଅ ଗୋଟେ ସାଂଘାତିକ୍ ରୋଗ। ଆଉ କିଛି ଦୈତାରି ପଚାରିବାକୁ ଉଦ୍ୟମ କରନ୍ତେ ମାଆ ତାକୁ ତାଗିଦ କରି ଶୋଇପଡିବାକୁ କହିଲେ। ଦୈତାରି ଶୋଇ ଶୋଇ ଭାବୁଥାଏ ଏଇ ଅଛୁଆଁ ପାଇଁ ଏତେ କଥା।କାଲି ସକାଳକୁ ମୁଁ ସବୁ ଠିକ୍ କରିଦେବି।


   ସକାଳ ହେବା ମାତ୍ରେ ସୁନାମଣି କାମରେ ବାହାରି ପଡ଼ିଲା । ଦୈତାରି ଘଡିରୁ ପଇସା କାଢି ଏକାମୁହାଁ ହୋଇ ଚାଲିଲା ଗାଁ ପାଖ ବଜାରକୁ।ଖୋଜି ଖୋଜି ଗୋଟେ ଔଷଧ ଦୋକାନକୁ ଗଲା।ଦୋକାନିକୁ ପଇସା ବଢ଼େଇ ଦେଇ ଦୁଇଟି ଅଛୁଆଁ ବଟିକା ମାଗିଲା। ଗୋଟେ ମାଆ ପାଇଁ ଆଉ ଗୋଟେ ନିଜ ପାଇଁ।ଦୋକାନୀ ଦୈତାରି କଥା ଶୁଣି ଠୋ ଠୋ ହୋଇ ହସି କହିଲା,"ଆରେ ପାଗଲଟା କି, ଏମିତି ବଟିକା କିଛି ନାହିଁ"।ଦୈତାରି ଜିଦି କରି ମାଗିବାରୁ ଦୋକାନୀ ତାକୁ ଧକ୍କା ମାରି ରାସ୍ତାକୁ ଠେଲିଦେଲା।


  ତେଣେ ମା କାମରୁ ଫେରି ଦୈତାରିକୁ ଗାଁ ସାରା ଖୋଜି ଖୋଜି ହାଲିଆ ହୋଇ ଦାଣ୍ଡ ପିଣ୍ଢାରେ ବସି କାନ୍ଦୁଛନ୍ତି।ଦୈତାରି କୁ ଦୂରରୁ କାନ୍ଦି କାନ୍ଦି ଆସୁଥିବାର ଦେଖି ସୁନାମଣି ଦୌଡ଼ି ଯାଇ ପଚାରିଲା," ଧନରେ ମତେ ନ କହି କୁଆଡେ ଯାଇଥିଲୁ?କେତେ ଖୋଜିଲିଣି ତତେ ମୁଁ!ଆଉ ଏ ହାତରେ ପଇସା ଧରିଛୁ? କୋଉଠୁ ଆଣିଲୁରେ ବାବୁ?" ଦୈତାରି କାନ୍ଦି କାନ୍ଦି କହିଲା ," ମାଆ ମୁଁ ଘଡିରୁ ପଇସା ନେଇ ଗାଁ ପାଖ ବଜାରକୁ ଯାଇଥିଲି ଅଛୁଆଁ ବଟିକା ଆଣିବାକୁ।ତୁ ତ କହୁଥିଲୁ ଆମକୁ ଅଛୁଆଁ ରୋଗ ହେଇଛି । ସେଥିପାଇଁ କେହି ଛୁଉଁ ନାହାନ୍ତି ରୋଗ ଡେଇଁଯିବା ଭୟରେ"।

    

   ପୁଅର ଏ କଥା ଶୁଣି ମା ଭୋ ଭୋ ହେଇ ପୁଅକୁ କୋଳେଇ ଧରି କାନ୍ଦି କହିଲା," ହଁ ରେ ପୁଅ ଏଇଟା ଗୋଟାଏ ରୋଗ।ଏ ରୋଗ ଆମ ବଂଶଗତ। କେବେ ବି ଭଲ ହେବନି ଏ ରୋଗ।ଆଉ ଏ ରୋଗର ବଟିକା ପଇସା ଦେଇ କିଣାଯାଇପାରେନା।ସମାଜରେ ଚାଲୁଥିବା ଉଚ୍ଚଲୋକଙ୍କ ମାନସିକ ନ ବଦଳିବା ଯାଏ ଆମକୁ ଏ ରୋଗ ଭୋଗ କରିବାକୁ ପଡିବ।କେବଳ ଆମେ ନୁହେଁ ଆମ ଭଳି ଅନେକ ଲୋକ ଏ ରୋଗର ଶିକାର।ତୁ ବାବୁ ବଡ଼ ହେଇଯା ଏ ରୋଗ ବିଷୟରେ ଭଲରେ ଜାଣିବୁ"। ଏତକ କହି ସୁନାମଣି ଦୈତାରିର ହାତ ଧରି ଘର ଭିତରକୁ ପଡିଗଲା।


   


Rate this content
Log in

Similar oriya story from Inspirational