ଅବୁଝା ମନ
ଅବୁଝା ମନ


ମନଟା କେମିତି ଗୋଟିଏ ଭାରି ଭାରି ଲାଗୁଛି।ଏମିତି ବେଳେ ବେଳେ ହୁଏ।କିଛି କାରଣ ନଥାଇ ବି ଉଦାସ ଲାଗେ ଭିତରୁ।ମୁହଁରୁ ସ୍ପଷ୍ଟ ବାରି ହୋଇଯାଏ କିଛି ଗୋଟେ ନିଶ୍ଚୟ ହୋଇଛି କିନ୍ତୁ କେବଳ ଅସ୍ମିତାକୁ ଜଣା ଥାଏ ଯେ କାରଣ ନଥାଇ ସେ ଉଦାସ ହୋଇଯାଇଛି କାହିଁକି।
ଅଫିସ୍ ରେ କାମର ବୋଝ।ନିତି ପ୍ରତିଦିନ ନୂଆ ନୂଆ ନିୟମର ହୁକୁମନାମାରେ ଦସ୍ତଖତ ଦେଇ କାର୍ଯ୍ୟକ୍ଷେତ୍ରରେ ସେଗୁଡିକର ସଫଳ ରୂପାୟନ ପାଇଁ ନିରନ୍ତର ଚେଷ୍ଟା ଚଳାଇବାକୁ ପଡେ।ନିଜର ପରଫରମାନ୍ସ ଇନଡେକ୍ସକୁ ସର୍ବଦା ଏକ ପ୍ରଶଂସନୀୟ ସ୍ଥାନରେ ରଖିବାକୁ କଠିନ ପ୍ରୟାସ କରିବାକୁ ପଡେ।
ଏମିତି କାର୍ଯ୍ୟବ୍ୟସ୍ତ ଜୀବନ ବିତାଇବାର ହୋଇଗଲାଣି ଅନେକ ବର୍ଷ।ତା ସାଥେ ସାଥେ ନିଜ ଜନ୍ମମାଟି ଓଡିଶାରୁ ଦୂରରେ ରହିବା ମଧ୍ୟ ହୋଇଗଲାଣି ପ୍ରାୟ ଚବିଶ ବର୍ଷ।
ଏଇ କାଲି ପରି ଲାଗୁଛି।ଚଳଚ୍ଚିତ୍ରର ଦୃଶ୍ୟ ଭଳି ଅସ୍ମିତା ସମ୍ମୁଖରେ ସବୁକିଛି ସ୍ପଷ୍ଟ ଦେଖାଯାଉଛି।କିଛି ଗୋଟିଏ କାରଣକୁ ନେଇ ଏକୁଟିଆ ଥିବାବେଳେ ଜଗନ୍ନାଥଙ୍କ ଫଟୋ ନିକଟରେ ନିତିଦିନ ଅଶ୍ରୁଳ ନୟନରେ ଅନୁନୟ ବିନୟ କରୁଥିଲା ସେ.....ହେ ପ୍ରଭୁ,ଦୁଃଖହାରୀ ସବୁତ ଦେଖୁଛ ନିଜ ବଡ ବଡ ଚକାଆଖିରେ।ଅଧିକ କ'ଣ କହିବି ପ୍ରଭୁ।କିଛିଦିନ ପାଇଁ ମତେ ତୁମ ଜାଗାରୁ ଦୂରେଇ ନିଅ ଠାକୁର।ମାନସିକ ଶାନ୍ତି ଦିଅ ପ୍ରଭୁ।
ଅସ୍ମିତା ଭଲରେ ଜାଣିଛି କାଳିଆ ଙ୍କୁ।ପରୀକ୍ଷାରେ ପକାଇ ଏମିତି କେତେ ଅସ୍ତବ୍ୟସ୍ତ କରନ୍ତି ।ଏହାର ଅନେକ ନଜିର ଅଛି ଅସ୍ମିତା ପାଖରେ।ପ୍ରତିଥର କିନ୍ତୁ ସେ କାଳିଆ ପାଖରେ ଗୁହାରୀ କରେ......ଯେତେ ଇଛା କଷ୍ଟ ଦିଅ ପ୍ରଭୁ ଠିକ ଅଛି କିନ୍ତୁ ସହିବାକୁ ଶକ୍ତି ଦିଅ।ଏକଥା ବି କାଳିଆ ଠାକୁର ଠିକ ବୁଝନ୍ତି।
ଏଥର ବି ମନକଥା ବୁଝି ସମାଧାନର ରାସ୍ତା ବାହାର କଲେ କାଳିଆଠାକୁର।ଅସ୍ମିତାର ପୋଷ୍ଟିଂ ର ଚିଠି ଆସି ପହଞ୍ଚିଲା।ମନଟା ଖୁସିଥାଏ ତା ସଙ୍ଗେ ସଙ୍ଗେ ଭୟ ବି ଲାଗୁଥିଲା ତାକୁ।କାଳେ ଯଦି କେଉଁ ଅଗମ୍ୟ ଜାଗାକୁ ତାକୁ ଯିବାକୁ ପଡେ!! ଏମିତି ଭାବିବା ସମୟରେ ତା ହାତରୁ ଲଫାପା ନେଇ ଖୋଲି ଦେଖିଲେ ପତି ଗୌରବ।କହିଲେ .....ପୋଷ୍ଟିଂ ହୋଇଛି ସୁଦୂର ଧାନବାଦରେ।ଖୁସିର ଖବର ଯେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗରେ ନିଯୁକ୍ତି ପାଇଛି ସେ ,କିନ୍ତୁ ଦୁଃଖରେ ମ୍ରିୟମାଣ ଯେ ମାତ୍ର ଚଉଦ ମାସର ବୈବାହିକ ଜୀବନ ଠାରୁ ଦୂରେଇ ରହିବାର କଷ୍ଟ।ସେଦିନ ସେ କିନ୍ତୁ ବୁଝିପାରିଥିଲା କାଳିଆର ନ୍ୟାୟକୁ।ମନେ ପଡିଯାଉଥିଲା କାଳିଆ ପାଖରେ ନେହୁରା ହେବାର କଥା।ଏବେ ନିଷ୍ପତ୍ତି ନେବା ତା' ହାତରେ।ଗୌରବ ପରିଷ୍କାର କରି ଶୁଣାଇ ଦେଲେ....ଠିକ ଭାବେ ମନସ୍ଥିର କରି ନିଷ୍ପତ୍ତି ନିଅ....ଇଛା ହେଲେ ଜଏନ କର ନଚେତ ନାହିଁ।
ହାତରେ ଥିଲା ପନ୍ଦର ଦିନ।ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରି ନିଷ୍ପତ୍ତି ନେଉନେଉ ଦଶଦିନ ବିତିଗଲା।ହଠାତ ମନକୁ ଶକ୍ତ କରି ପତି ଗୌରବଙ୍କୁ କହିଲା......ମୁଁ ଧାନବାଦରେ ଜଏନ କରିବାକୁ ଯିବି।
ତାପରେ ଚାଲିଲା ପ୍ରସ୍ତୁତି ପର୍ବ।ତାପରେ ଜଏନିଂ।
ସେବେଠାରୁ ଏପର୍ଯ୍ୟନ୍ତ ଆଉ କାଳିଆ ଠାକୁର କୌଣସି ମଉକା ଦେଇନାହାଁନ୍ତି ତାଙ୍କ ପାଖକୁ ଫେରାଇ ନେବାକୁ।ଯେତେ ଚେଷ୍ଟା କଲେବି କିଛି ନା କିଛି କାରଣରୁ ତା'ର ବଦଳି ଆଉ ପୁରୀକୁ ହୋଇପାରିନି।
ଆଜି ରଥଯାତ୍ରା।ପୂର୍ବ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଖବର ଦୂରଦର୍ଶନରେ ଦେଖିଛି ଅସ୍ମିତା।ଏଥର କ'ଣ ଦିଲ୍ଲୀର ଜଣେ ଭକ୍ତ ରଥଯାତ୍ରା ସମୟରେ ପୁରୀ ମନ୍ଦିରକୁ ଫୁଲରେ ସଜାଇବାର ଖବର ଚାରିଦିନ ହେଲା ହ୍ବାଟ୍ସ ଆପ୍ ମେସେଜ ରେ ଅଗଣିତ ବାର ଆସିଛି।ସବୁବର୍ଷ ପରି ରଥଯାତ୍ରା ଦିନ ସକାଳୁ ସକାଳୁ କାମସାରି ଟି.ଭି.ସାମନାରେ ବସି ଧାରି ବିବରଣୀ ଶୁଣିବାକୁ ସେ ଖୁବ ଭଲପାଏ।ପଣ୍ଡିତ ରଥଶର୍ମାଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜଗନ୍ନାଥ ଶାସ୍ତ୍ରବିଦ୍ ମାନଙ୍କ ଭାବପୂର୍ଣ୍ଣ ଧାରା ବିବରଣୀ ଶୁଣୁଥିବା ଅବସ୍ଥାରେ ଭାବପ୍ରବଣ ହୋଇ ଅନବରତ ସେ ଅଶ୍ରୁ ମୋଚନ କରେ।ମନେ ମନେ କାଳିଆକୁ ପ୍ରାର୍ଥନା କରେ ଆଉ କହେ....."ଆଉ କେତେଦିନ ଏମିତି ଦୂରରେ ରଖିବୁ କାଳିଆ?ଏଥର ପାଖକୁ ଡାକିନେ ରେ"।ଝିଅ ଓ ପୁଅ ଦୁଇଜଣ ଯାକ ଦେଖନ୍ତି କିନ୍ତୁ କିଛି କୁହନ୍ତିନି।ପରେ କେବେ କେବେ ମଉକା ଦେଖି ଚିଡାନ୍ତି।
ଏଥର ରଥଯାତ୍ରା ଧାରା ବିବରଣୀ ଦେଖି ହେବନି।ଗୁରୁବାର ଅଛି।ଅଫିସ୍ ଯିବାକୁ ପଡିବ।ଫେରୁଫେରୁ ଚାରିଟା ହେଇଯିବ।ସେତେବେଳକୁ ବୋଧହୁଏ ତିନି ରଥ ପୁରୀ ବଡଶଂଖ ନଚେତ ଆଉରି ଆଗକୁ ଯାଇସାରିଥିବେ।
ହଉ ଯାହା କାଳିଆର ଇଛା।ଭାରି ମନ ନେଇ ପୁଅକୁ ସ୍କୁଲ ପଠାଇବା ପରେ ନିଜେ ଅଫିସ୍ ଯିବାପାଇଁ ପ୍ରସ୍ତୁତ ହେଲା।ଅଫିସ୍ ରେ ପହଞ୍ଚୁ ପହଞ୍ଚୁ ସମସ୍ତେ କହିଲେ .....ଏଇ ଅସ୍ମିତା ଆଜି ତମ ପୁରୀର ରଥଯାତ୍ରା ପରା।ଛୋଟ ହଁ ଟିଏ ମାରି କାମରେ ମନ ଲଗାଇଲା ସେ। ବାରଟା ପାଖାପାଖି ହେବ ତାର ସହକର୍ମୀ ନିଳିମା ଆସି ଖବର ଦେଲେ......ଏ ବର୍ଷର ଟ୍ରାନ୍ସଫର ଫର୍ମ ଆସିଯାଇଛି।ଜୁନ୍ ସାତ ତାରିଖ ଭିତରେ ଫର୍ମ ଫିଲପ କରି ଅନ ଲାଇନ ସବମିଟ୍ କରିବାକୁ ପଡିବ।ନିୟମାବଳୀ ଅନଲାଇନରେ ଉପଲବ୍ଧ ବୋଲି ନିଳିମା ସୂଚନା ଦେଇଗଲେ।
ଗୋଟାଏ ରୁ ଦୁଇଟା ଲଞ୍ଚ ବ୍ରେକ୍।ତରତର ହୋଇ ଦଶ ମିନିଟ ରେ ଖାଇବା ଶେଷକରି ଅସ୍ମିତା ବସିଗଲା ମୋବାଇଲ ଧରି।ଟ୍ରାନ୍ସଫର୍ ଗାଇଡ ଲାଇନ୍ ପଢିବା ସହିତ କେଉଁ କେଉଁ ସ୍ଥାନରେ ପୋଷ୍ଟ ଖାଲିଅଛି ଜାଣିବା ତା'ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଆରେ ଏ କ'ଣ ଦେଖୁଛି ସେ।ପୁରୀରେ ତିନୋଟି ପୋଷ୍ଟ ଖାଲି।ସିନିୟର ହିସାବରେ ତା'ର ନାଁ ସବୁଠାରୁ ଉପରେ ଏଇଟା ବି ସେ ନେଟ୍ ରେ ଦେଖିନେଲା।ଆଖିକୁ ବିଶ୍ବାସ ହେଉନଥିଲା।ଭିତରୁ ଏକ ଅଜଣା ପୁଲକ ସେ ଅନୁଭବ କଲା।ଫର୍ମ ଫିଲପ୍ କରିବା କାମ ସେ ସେଇଠି ହିଁ କରିନେଲା।
ଅଫିସ୍ ଛୁଟି ହେଲା।ବସ୍ ଷ୍ଟପକୁ ସହକର୍ମୀ ମାନଙ୍କ ସହିତ ଆସୁଥିବା ସମୟରେ ଘଣ୍ଟ ଘଣ୍ଟା ନାଦରେ ସେ ସ୍ଥାନଟି ହଠାତ୍ ପ୍ରକମ୍ପିତ ହୋଇ ଉଠିଲା।ସମସ୍ତେ ଏକା ସ୍ବରରେ ଜୟ ଜଗନ୍ନାଥ,ଜୟ ଜଗନ୍ନାଥ ଧ୍ବନି କରିବାକୁ ଲାଗିଲେ।ସି.ଜି. ବ୍ଲକ ରୁ ଜଗନ୍ନାଥଙ୍କ ରଥକୁ ଟାଣି ଟାଣି କରୁଣାମୟୀ ମେଳା ପଡିଆକୁ ଆଣୁଥିଲେ ଭକ୍ତଗଣ।ସେଇ ଭକ୍ତଙ୍କ ଗହଣରେ ନିଜକୁ ମିଶାଇ ଦେଇ ରଥ ଦଉଡିକୁ ଟାଣିବାକୁ ଲାଗିଲା ଅସ୍ମିତା।ଅଶ୍ରୁପୂର୍ଣ୍ଣ ନୟନରେ ରଥାରୂଢ କାଳିଆଠାକୁରଙ୍କୁ ଲକ୍ଷ୍ୟ କରୁଥିଲା ସେ।ତାଙ୍କର ରଙ୍ଗା ଅଧରରେ ଲାଗିଥିଲା ଏକ ରହସ୍ୟମୟ ହସ।