Soumya Shubhadarshinee

Inspirational

5.0  

Soumya Shubhadarshinee

Inspirational

ଅଭୟାରଣ୍ୟ

ଅଭୟାରଣ୍ୟ

4 mins
475



  ଫୁଲ ଭଳି , ଜହ୍ନ ଭଳି , ଚନ୍ଦନ ଭଳି ମୋ ଝିଅର ମୋହ । ଆଖିଏ ସ୍ୱପ୍ନ ସେ ମୋ ସଜଳ ପୃଥିବୀରେ । ମୁଠାଏ ସୁବାସିତ ସଜ ମଲ୍ଲୀ ସେ ମୋ ଆଞ୍ଜୁଳାରେ । ତା' ଠୁ ଆରମ୍ଭ ଆଉ ତାଠି ଶେଷ ମୋର ଜୀବନ ଆବର୍ତ୍ତ ।


   ଜୀବନ ନିଜ ଚିରାଚରିତ ଧାରାରେ ଚାଲିଛି , ସୂର୍ଯ୍ୟ ଚନ୍ଦ୍ର ସେମିତି ଆତଯାତ ହେଉଛନ୍ତି , ଋତୁଚକ୍ର ତା' ଧାରାରେ ପରିବର୍ତ୍ତିତ ହେଉଛନ୍ତି , ସବୁକିଛି ବେଶ ସାବଲୀଳ ଅଛି ପରିଚିତ ପୃଥିବୀରେ । କେବଳ ଗୋଟିଏ ହୃତସ୍ପନ୍ଦନ ବ୍ୟତୀତ !


  ଅକାଳରେ ନିଶବ୍ଦ ହେଇଯାଇଛି ଗୋଟେ ଅପାପବିଦ୍ଧ ଆତ୍ମାର ଅନ୍ତସ୍ୱର । ପୃଥିବୀର ବିବିଧ ସୁଗନ୍ଧକୁ ଭଲ ଭାବେ ଅନୁଭବ କରିବାର ବହୁ ପୂର୍ବରୁ ସେଇ ନିରୀହ କଳିକାଟି ସୁଗନ୍ଧହୀନ ହେଇଯାଇଛି କାଳର କୁଚକ୍ର ଭିତରେ । 


 କେତେ ବୟସ ଝିଅଟିର , ଦୁଇ ବର୍ଷ ଛ' ମାସ । ବାଳୁତ ଶିଶୁ , ଯେ ଜୀବନକୁ ବୁଝିବାର ସାମର୍ଥ୍ୟ ପାଇନି ଏଯାବତ । ଭାରି ସରଳ ଆଉ କୋମଳ ଝିଅଟିର କ୍ଷୁଦ୍ର 

ପୃଥିବୀ । କିନ୍ତୁ ତା' ସହ ଘଟିଛି କଳ୍ପନାତୀତ ଜଘନ୍ୟତା । ବର୍ବରତାର ଚରମସୀମା ଅତିକ୍ରମ କରି ଦୁର୍ବୁତ୍ତ ଗୁଡିଏ ଘଟେଇଛନ୍ତି ନାରକୀୟ କାଣ୍ଡ । ଗୋଟେ ପାଶବିକତାର ନଗ୍ନ ପରିଚୟ ଦେଇଛନ୍ତି । ଲେଖିଛନ୍ତି ଅମାନବିକତାର ରକ୍ତ ରଞ୍ଜିତ ଆଲେଖ୍ୟ । 


  କେଉଁ ପାପର ଦଣ୍ଡ ପାଇଲା ଝିଅଟି ?

କାରଣ ଯେଉଁ ଯନ୍ତ୍ରଣା ପାଇଛି ସେଇ କୋମଳ ଶିଶୁଟି ସେଇତକ କ'ଣ ନର୍କ ଯନ୍ତ୍ରଣା ଠାରୁ କମ ? ପ୍ରାଣ ନେଇ ଯିବା ଆଉ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ଖିନ ଭିନ କରି ଝୁଣି ଖାଇବା ଭିତରେ କେତେ ଯେ ଫରକ କେବଳ ସେଇ ଝିଅଟି ଜାଣେ । ଗଳା ଦବେଇ ମାରିଦେବା ପଛେ ଶ୍ରେୟସ୍କର ସେଭଳି ପାଶବିକତା ଠାରୁ ।


 ଏକାଧିକ ମଣିଷ , ବୟସ୍କ , ସମର୍ଥ , ସାମାଜିକ । ମିଳିତ ଭାବେ ଗୋଟେ ନିରୀହ ଶିଶୁ କନ୍ୟା ସହ ଦୁଷ୍କର୍ମ କରିଥିବାର ଘଟଣା ଦୋହଲେଇ ଦିଏ ଆତ୍ମା । ଭୟର ଗୋଟେ ବିରାଟ ବଳୟ ଗଢିଦିଏ ସବୁ ଝିଅଙ୍କ ମନରେ । ନିଦ ହଯାଏ ସବୁ ଅଭିଭାବକଙ୍କର । ଆଉ ଅସମାହିତ ପ୍ରଶ୍ନଟିଏ ଝୁଲେ ସବୁଠି , '' ଆଜିର ସମୟରେ ଝିଅଟିଏର ଜୀବନ କେତେ ସୁରକ୍ଷିତ ?''

  

 ଆମ ଖବର ' ଦୈନିକ ଖବରକାଗଜର ମୁଖ୍ୟ ସମ୍ପାଦିକା , ଅନିମା ଦାଶ ଏଇତକ ଲେଖିଲେ ଆସନ୍ତା କାଲିର ସମ୍ବାଦ ପାଇଁ । ଛୋଟ ଝିଅଟି ସହ ଘଟିଥିବା ଅମାନବୀୟ ଦୁଷ୍କର୍ମର ଦୃଢ଼ ପ୍ରତିବାଦ ପାଇଁ। ସେ ମଧ୍ୟ ଦୋହଲି ଯାଇଛନ୍ତି ଭୟଙ୍କର ଭାବରେ । 


  ପିଲା ବେଳୁ ନିଜ କୁଳୀନ ବ୍ରାହ୍ମଣ ପରିବାରେ ଶିଖିଆସିଛନ୍ତି ସେ ମାନବ ଜନ୍ମର ମହନୀୟତା । ଜେଜେ ପିଲାବେଳେ ବୁଝେଇ କହିଛନ୍ତି , '' ଶ୍ରେଷ୍ଠ ଜନ୍ମ ଆମର କେବଳ ଈଶ୍ଵର ଉପଲବ୍ଧି ପାଇଁ । ପାପ ଠାରୁ ନିଜକୁ ଦୂରେଇ ଧର୍ମ ସଞ୍ଚୟ କରି ମୋକ୍ଷ ପ୍ରାପ୍ତି ପାଇଁ ।''


 ଆଉ ଯଦି ପାପ କରେ ମଣିଷ ତେବେ ନର୍କ ଭୋଗ ନିଶ୍ଚିତ । ଭୟ କରିବା ଉଚିତ ମଣିଷ ଅପକର୍ମ କରିବାକୁ । ହଜାରେ ଥର ଭାବିବା କଥା ଅପକର୍ମର ପରିଣାମ ବିଷୟରେ ।  କିନ୍ତୁ ଆଜିର ମଣିଷ ସତରେ ମୁଢ ହେଇଗଲାଣି । ତା' ଭିତରେ ପାଶବିକତା ରାଜୁତି କଲାଣି ପ୍ରଛନ୍ନ ଭାବରେ ।  ସେଇ ପାପୀ ମଣିଷ ଗୁଡାକ କ'ଣ ନର୍କ ଭୋଗିବେ ଭବିଷ୍ୟତରେ , ନା' ମୁକୁଳି ଯିବେ ଆଇନ ହାତରୁ । ଆୟୁଷି ସହ କି ନ୍ୟାୟ କରିଛି ଆମ ନାୟିକ ବ୍ୟବସ୍ଥା ? ଆହୁରି ସେଇ ନ୍ୟାୟ କ'ଣ ଫେରେଇ ଦେଇପାରିବ ନିରୀହ ଝିଅ ଗୁଡିକର ଜୀବନ ?


 ଦୋଦୁଲ୍ୟମାନ ସ୍ଥିତ ଥିଲା ଅନିମାଙ୍କର । ତାଙ୍କ ଜୀବନ ଦର୍ଶନ ପରିବର୍ତ୍ତିତ ହେଇଯାଉଥିଲା ପରିସ୍ଥିତିର ପ୍ରଭାବରେ । ପାପର ସଂଜ୍ଞା ବଦଳି ଯାଉଥିଲା । ବାରମ୍ବାର ଗୋଟିଏ ଭାବନା ଆସୁଥିଲା '' ସେଇ ଅପପବିଦ୍ଧ ଶିଶୁ ଗୁଡିକ କ'ଣ ପାପୀ , ଯେ ନର୍କ ଯନ୍ତ୍ରଣା ଭୋଗିଲେ ?

  

ଆହୁରି ଗୋଟିଏ ଦିଗ ଉପରେ ଚେତନା ନିବିଷ୍ଟ ହେଇଗଲା ଅନୀମାଙ୍କର । ପ୍ରେମ ପ୍ରସଙ୍ଗରେ ମଧ୍ୟ ଝିଅଟିଏ ଆଜି ଏମିତି ପଶବିତାର ଶିକାର ହେଉଛି । ପ୍ରେମୀ ଭାବେ ବିଶ୍ୱାସ କରିଥିବା ମଣିଷ ପାମର ସାଜି ଘଟଉଛି ଦୁଷ୍କର୍ମ । ସେଇ କୋମଳ ଝିଅଟିଏ ଯେ ପ୍ରେମ ଭଳି ପବିତ୍ର ସମ୍ପର୍କରେ ବିଶ୍ୱାସ କରି ହରେଇ ଦେଉଛି ଜୀବନ ସେ ମଧ୍ୟ ପାପୀ , କରିଛି କିଛି ପାପ ?  ପାପ ପୁଣ୍ୟର ହିସାବ ନିକାସ ସହଜ ନୁହେଁ ସତରେ ଆଜିର ସମୟରେ ।

  

ଅନିମା ରୁଦ୍ଧଶ୍ୱାସ ହେଇଯାଉଛନ୍ତି ଏଇ ମର୍ମଦୁନ୍ତ ଘଟଣାର ତର୍ଜମା କରି । କେମିତି ଗୋଟେ ଅସ୍ପଷ୍ଟ ଯନ୍ତ୍ରଣା ଅନୁଭବ ହେଉଛି ତାଙ୍କୁ । କାରଣ ତାଙ୍କ ଘରେ ମଧ୍ୟ ଅଛି ଝିଅଟିଏ ।

ଝିଅଟିଏର ମା' ସତରେ ଆଜି କେଡେ ଭୟାତୁର!  କି ସମାଧାନ ଅଛି ଏଇ ଭୟଙ୍କର ମାନବିକ ଦୁର୍ଦ୍ଦଶାର ? ଏଇ ପ୍ରଶ୍ନର ଉତ୍ତର ଖୋଜିବା ଏକାନ୍ତ ଅପରିହାର୍ଯ୍ୟ । 


ଏଥିପାଇଁ କ'ଣ ଝିଅଗୁଡିକୁ ଆମେ ଭୟର ଚାଦର ଘୋଡେଇ ଦେବା । ପୁଣି ରୁଦ୍ଧ କରିଦେବା ତାଙ୍କ ପୃଥିବୀ । ସେମାନଙ୍କୁ ପୁଣି ସଜେଇବା ଅସୁଯ୍ୟଂପଶ୍ୟା । ଆଉ ବାହାରିବାକୁ ଦେବା ନାହିଁ , ସେମାନେ ଦେଖିବେ ନାହିଁ ସୂର୍ଯ୍ୟ ଚନ୍ଦ୍ର  । ଘରର ଚାରିକାନ୍ଥ ଭିତରେ ବନ୍ଦିନୀ କରିଦେବା ତାଙ୍କ ଅସ୍ତିତ୍ୱ । ସେଇତକ ହେବ ସଠିକ ପଦକ୍ଷେପ !


 ଶିଖେଇବା ଅବିଶ୍ଵାସର ଭାଷା । ବାପା , ଭାଇ , ମାମୁଁ , ମଉସା , କକା , ପ୍ରେମୀ , ସ୍ୱାମୀ ଏମିତି ଅଗଣିତ ପୁରୁଷ ସମ୍ପର୍କରେ ଭରିଦେବା ଗୋଟେ ସନ୍ଦେହର ନୀଳ ବିଷ ।

କହିବା ମୋ ଝିଅର କାନେ କାନେ , '' ତୁ ସୁରକ୍ଷିତ ନୋହୁଁ ମା ' କେଉଁଠି ମଧ୍ୟ ନୁହେଁ !''


 ସେ ନିଜକୁ ବଞ୍ଚେଇବାକୁ ତତ୍ପର ହେବ ନିଜ ଜନ୍ମରୁ । ଆଉ ସୁରକ୍ଷା ଦେବାର ଗୁରୁ ଭାର ରଖିବା ଆଉ ଗୋଟେ ସ୍ତ୍ରୀ କାନ୍ଧରେ । ସେ ହେଇପାରେ ମା' , ମାଉସୀ , ମାଇଁ , କାକୀ , ଜେଜୀ ସେଇମାନେ କେହିବି । କାରଣ ଝିଅ ମୋର ଏବେ ଗୋଟେ ଅସୁରକ୍ଷିତ ପ୍ରଜାତି ଯାହାର ସୁରକ୍ଷା ଲୋଡ଼ା , ସଂରକ୍ଷଣ ଲୋଡ଼ା । ଏଇତକ କ'ଣ ସମାଧାନ । ଏମିତି କ'ଣ ଜୀଇଁପାରିବ ଝିଅଟିର ଗୋଟେ ସଫଳ ଜୀବନ ?


 ତିଳେ ହେଲେ ଏଇ ସମାଧାନ ଉପରେ ପ୍ରତ୍ୟୟ ଅସୁନଥିଲା ଅନିମାଙ୍କ ଭିତରେ। ଖୁବ୍ ବ୍ୟତିବ୍ୟସ୍ତ ହେଇ , ଗଭୀର ଭାବନାରେ ବୁଡି ହଠାତ୍ ଅନିମା ଭାବିଲେ ଲେଖିବେ ଗୋଟେ ଅଭିନବ ଅଭୟାରଣ୍ୟ 

ବିଷୟରେ । ଯେଉଁଠି ପଶୁ ପକ୍ଷୀ ନୁହେଁ ଝିଅ ଗୁଡିଙ୍କୁ ରଖା ଯିବ ସୁରକ୍ଷା ବଳୟରେ । ସେମାନଙ୍କ ଧରାବତରଣ ଠାରୁ ନେଇ ପୁଷ୍ପିତ ହେବାଯାଏଁ ନିଆଯିବ ଯତ୍ନ । ଆଉ ସଠିକ ମଣିଷ ହାତରେ ସମର୍ପିତ କରାଯିବ ସମୟ ଆସିଲେ । ସମାଜର କଳୁଷିତ ପରିବେଶରୁ ସୁରକ୍ଷା ଦେବାକୁ ଏପରି ଅଭୟାରଣ୍ୟଟିଏ ଜରୁରୀ , ହଁ ହଁ ଖୁବ୍ ଜରୁରୀ ।


   



Rate this content
Log in

Similar oriya story from Inspirational