STORYMIRROR

prativa parija

Romance

4  

prativa parija

Romance

ଅଭୁଲା ନଦୀ

ଅଭୁଲା ନଦୀ

10 mins
441


ହଁ, ଅଧିକାଂଶ ସମୟରେ ମୁଁ ସେଇଠି ବିଚରଣ କରେ । ସେଠି କେତେ କେତେ ସୁରଭିତ ଫୁଲ ଫୁଟିଥାଏ, କେତେ କେତେ ମହୁମାଛି, ପ୍ରଜାପତି ଘୁରି ବୁଲୁଥାନ୍ତି, ଚିର ମଳୟ ସେଠି ଦମକଏ ଲେଖା ପଶି ଆସୁଥାଏ । ମୋର ପୁଲକିତ ଶରୀର ଆଉ ବିହ୍ଵଳିତ ମନ ହଜି ଯାଉଥାଏ ଵାରମ୍ବାର, ଯାହାକୁ ମୋ ବାସ୍ତବ ଦୁନିଆର ସମ୍ପର୍କ ମାନେ ଟାଣି ଓଟାରି ନେଇ ଆସୁଥାନ୍ତି । ପତ୍ନୀ ଡାକୁ ଥାନ୍ତି, ଚା ଥଣ୍ଡା ହେଇ ଗଲାଣି, ଉପରକୁ ଅନେଇ ସେତେବେଳୁ କାହାକୁ ଦେଖୁଛ ଯେ ଡାକିଲେ ବି ଶୁଭୁନି ।

ଝିଅ ଡାକୁଥାଏ, କଣ ବାବା, ଗପ ଫପ ଲେଖିବ କି, ନା ଆଉ କାହାକୁ ଦେଖି ପାରୁଛ ଶୂନ୍ୟରେ ଯେ ମୋ କଥା ଶୁଣିପାରୁନ ନା କାହା କଥା ଭାବୁଛ ମାନେ ତମ ପିଲା ଦିନ କଥା ସବୁ ମନେ ପଡି ଯାଉଛି, ଉପରକୁ ଅନେଇ ହସୁଛ ମଝି ମଝିରେ..ମତେ ବି ଟିକେ କୁହ ନା..ତମ ପିଲା ଦିନ କଥା...


  ହଠାତ ଚମକି ପଡେ ମୁଁ । ଝିଅ ମୋର କେମିତି ଜାଣିପାରୁଛି ମୋ ମନ କଥା । ସେ ବି ଯଦି ଦେଖନ୍ତା ମୋ ମନର ସେ ଅଭୁଲା ଉପତ୍ୟକାକୁ ସେ ବି ହଜି ଯାଆନ୍ତା, ଫେରି ଆସିବାକୁ ଆଦୌ ଇଚ୍ଛା କରନ୍ତାନି । ମୋ ଝିଅ ହିଁ ମୋର ସବୁଠୁଁ ଅନ୍ତରଙ୍ଗ, ଯାହା ତାକୁ ମୁଁ କହିପାରେ, ପତ୍ନୀକୁ କହିପାରେ ନାହିଁ । ପତ୍ନୀ ଯାହାକୁ ବିଭିନ୍ନ ଅର୍ଥ କାଢ଼ନ୍ତି ଝିଅ ତାକୁ ମନ ଭିତରକୁ ନେଇ ରଙ୍ଗୀନ କରିଦିଏ, ମୋ ସହ ସମଭାଗୀ ହୁଏ । ମୋ ଝିଅ ହେଉଛି ମୋର ଏକ ମାତ୍ର ବନ୍ଧୁ ଯାହା ସହ ମୁଁ ମୋର ସବୁ ସୁଖ ଦୁଃଖ ବାଣ୍ଟି ପାରେ ।

  ମୋ ଲେଖକ ଜୀବନର ସେ ଏମିତି ଏକ ପ୍ରେରଣାଦାତ୍ରୀ ଯେ ସେ ମୋ ସହ ଥିଲେ ବା ତା ଠୁଁ ଦି ପଦ ଉତ୍ସାହଜନକ କଥା ଶୁଣିଲେ ମୋର ଭାବନା ରାଜ୍ୟକୁ ଉଡି ଆସନ୍ତି ଅନେକ ଗପର ପ୍ରଜାପତି..... ବେଳେ ବେଳେ ତାକୁ ପଚାରେ ଚରିତ୍ରମାନଙ୍କର ଅଗ୍ରଗତି ସମ୍ପର୍କରେ, ଗପ ଗୁଡିକର ଅନ୍ତ କେମିତି ହେଲେ ଭଲ ଲାଗିବ । ତାର ପରାମର୍ଶ ମୁଁ ଆବଶ୍ୟକ କରେ ବେଳେ ବେଳେ ।


   ଏବେ ଏବେ ଅବସର ପରେ ମୋର ଗପ ଲେଖା ଯେତେ ଯେତେ ବଢି ଚାଲିଛି, ମୋ ଝିଅ ସହିତ ମୋର ବନ୍ଧୁତ୍ୱ ସେତେ ବଢି ଚାଲିଛି । ସେ ମୋର ଯେତିକି ଖିଆଲ ରଖେ ଯେତିକି ଯତ୍ନ କରେ ତା ଠାରୁ ଅଧିକ ପରାମର୍ଶଦାତ୍ରୀ ପାଲଟି ଯାଇଛି । ପତ୍ନୀଙ୍କର ଏସବୁ ପ୍ରତି କିଛି ଆଗ୍ରହ ନ ଥାଏ । ଘର କାମ, ଅନେକ ପ୍ରକାର ଦାୟିତ୍ୱ ଜଞ୍ଜାଳ ଭିତରେ ମୋ କଥା ବୁଝିବା ପାଇଁ ଖୁବ ସମୟ ତାଙ୍କ ପାଖରେ ଥାଏ, ତେଣୁ ଝିଅ ସେ ଦାୟିତ୍ୱ ତୁଲାଇ ବାରେ ସେ ଖୁବ ଆଶ୍ୱସ୍ତ ହୁଅନ୍ତି ।

   ମୋର ଲେଖକୀୟ କଳା ବା ଅଭ୍ୟାସର ସଦା ବିରୋଧୀ ମୋର ପତ୍ନୀ ମନେ ମନେ ଭାବୁଥାଆନ୍ତି ଯେ ମୋର ସବୁ ଗଳ୍ପର ନାୟିକା ମାନଙ୍କ ସହିତ କେଉଁଠି ନା କେଉଁଠି ମୋର ଭେଟ ହୋଇଛି ଏବଂ ସେଇ ବିରହ ବା ଦୁଃଖରେ ଗପଟିଏ ମୁଁ ଲେଖି ଦେଉଛି । ସେମାନଙ୍କୁ ସବୁ ବେଳେ ଝୁରି ହେଉଛି । ଜୀବନର ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ କେଉଁଠି ନା କେଉଁଠି ହେଲେ ବି ମୋ ଜୀବନ ସହିତ ସେମାନେ ସମ୍ପର୍କିତ, ଏମିତି ଏକ କାଳ୍ପନିକ ଈର୍ଷାରେ ସଦା ଜର୍ଜରିତ ହେଉଥାନ୍ତି ।

   ମୋ ମନ ମଧ୍ୟ ସେଇ ନାୟିକାମାନଙ୍କ ଭିତରୁ ଜଣଙ୍କ ପାଖରେ ଯେ ଆଜନ୍ମ ବନ୍ଧକ ରହିଛି,ଏ କଥାରେ ସେ ନିଶ୍ଚିତ ନ ହେଲେ ବି ମୁଁ ଶଙ୍କାକୁଳ ଥାଏ । ଜାଣେନା କାହିଁକି ମୋର ସମଗ୍ର ଜୀବନ ମଧ୍ୟରେ ଭେଟିଥିବା ବାନ୍ଧବୀମାନଙ୍କ ଭିତରେ ସ୍କୁଲ ଜୀବନର ସେଇ ଗ୍ରାମ୍ୟ ବାଳିକା ଅବନ୍ତିକା ପାଖରେ କାହିଁକି ମୋର ମନ ଅଟକି ରହିଛି । 

   ଜୀବନରେ ଅନେକ ସୁଖ ଦୁଃଖ ବିପଦ ଆପଦ ସମୟରେ ବି ତାକୁ ମୁଁ ଭୁଲି ପାରିନି । ସେ ଏବେ କେଉଁଠି ତା ବି ଏବେ ଜାଣିନି । କିନ୍ତୁ ସେ ସୂକ୍ଷ୍ମ ଚେତନାଟିକୁ ସବୁ ବେଳେ ପତ୍ନୀଙ୍କ ଠାରୁ ଗୋପନ ରଖି ଆସିଛି ଆଜିଯାଏ । ଯେତେ ଯେତେ ଦୁର୍ବଳ ମୁହୂର୍ତ୍ତ ମୁଁ ପତ୍ନୀଙ୍କ ସହିତ କଟେଇଛି, ସଦା ଜାଗ୍ରତ ମୋର ହୃଦୟର ସେଇ ଗୋପନ ତଥ୍ୟଟିକୁ ସର୍ବଦା ମଜଭୁତ ତାଲାଟିଏ ପକେଇବା ପାଇଁ କେବେ ବି ଭୁଲିନଥାଏ । ଟିକିଏ ସୁରାକ ପାଇଲେ ମୋର ସମଗ୍ର ସୃଷ୍ଟି ପ୍ରଳୟ ହେବାଟା ନିଶ୍ଚିତ ।

   ଏହା ମୋ ପତ୍ନୀଙ୍କର ମୋ ପ୍ରତି ଅଧିକ ଯତ୍ନଶୀଳ ତଥା ଖୁବ ବେଶି ଭଲ ପାଇବାର ପ୍ରତୀକ ନିଶ୍ଚୟ, ସବୁ ପତ୍ନୀଙ୍କ ପରି ସ୍ୱାମୀଙ୍କ ପ୍ରେମର ସହଭାଗୀ ଆଉ କେହି ହେଉ ସେ କଥା ସେ ବି କଦାପି ଚାହାନ୍ତିନି ।

   ବୟସର ବୟସ ଦ୍ରୁତ ଗତିରେ ଗଡି ଚାଲିଥିଲେ ବି ମୋ ମନ ଭିତରର ସେଇ ଗୋପନ ପ୍ରାଙ୍ଗଣରେ ମୋର ପ୍ରିୟ ବାନ୍ଧବୀଟି ପାଇଁ ଚିର ବସନ୍ତର ଚୋରା ମଳୟ ବହୁଥାଏ, ଅତି ଗୋପନରେ । ଯେତେ ବେଳେ ମୋ ନାକରେ ରଜନୀଗନ୍ଧାର ସୁରଭି ବାଜି ଯାଏ ସେତେ ବେଳେ ତାଜା ହୋଇ ଯାଏ ତାର ସ୍ମୃତି ।ଘନ ଘନ ମନେ ପଡେ ସେ । ଅନ୍ୟମନସ୍କ ହୁଏ ମୁଁ । ସେଇ ରଜନୀଗନ୍ଧାର ବାସ୍ନା ସହ ଅତି ନିବିଡ଼ ଭାବରେ ଜଡିତ ତାର ସ୍ମୃତି ।

  ସ୍କୁଲ ବଗିଚାରେ ଅନେକ ଫୁଲ ଫୁଟିଥାଏ । କିନ୍ତୁ ଏଇ ରଜନୀଗନ୍ଧା ତାର ସବୁଠୁ ବେଶି ପ୍ରିୟ ଥିଲା, ଯାହାକୁ ଦିନେ ହେଲେ ବି ତୋଳେ ନାହିଁ କେବଳ ପାଖରେ ଥାଇ ଆଘ୍ରାଣ କରେ ତାର ଆତ୍ମୀୟତାର ବାସ୍ନାକୁ ।

   କୋମଳ ବୟସର ସେ ସ୍ମୃତି ସବୁ ଏତେ ଅଭୁଲା ଯେ ଜୀବନର କେତେ କେତେ ମଧୁର ମୁହୂର୍ତ୍ତ ବିତି ଯାଇଛି ସିନା,ଏ ସ୍ମୃତି କେବେ ମଳିନ ହେଇଯାଇନି । ଏ ସ୍ମୃତିର ମାଧୁର୍ଯ୍ୟରେ ସମୟର ସେ ଅଫେରା ନଦୀର ଉପତ୍ୟକା ସଦା ସମୃଦ୍ଧ ମନେ ହେଉଛି । କେଉଁଠି ଥିବ ସେ, ମୋର ପ୍ରିୟତମା ଅବନ୍ତିକା ।

   ଝିଅ ମୋର କହେ, ଏତେ ସୁନ୍ଦର ଗପ ଲେଖୁଛ ବାବା, ମନେ ହେଉଛି ସତେ ଯେମିତି କେହି ଜଣେ ଏମିତି ଅଛି ଯାହାକୁ ନେଇ ତମେ ଏତେ ଭାବପ୍ରବଣ, ମତେ କହିବନି ବାବା ?


ମୁଁ ହସି ଦିଏ କେବଳ । କୃତ୍ରିମ ରାଗରେ ତା ବେଣୀକୁ ଟାଣି ଧରେ, ଦେଖିବୁ ଏବେ ? ବାବାଙ୍କୁ ଏମିତି କହନ୍ତି ? ବୁଢା ହେଲିଣି ପରା ଦେଖୁଚୁ ..। ସେ ବି ସେମିତି କହିଦିଏ, ହଁ ସେ ବି ବୁଢ଼ୀ ହେଇ ଯିବଣି ନା.... ହସି ହସି ମୋ ଚାରି ପଟେ ଘୁରିଯାଏ ।


ମୋର ସତର୍କ ଦୃଷ୍ଟି ଘୁରି ଆସେ ମୋ ପତ୍ନୀଙ୍କ ସନ୍ଧାନରେ । ଶୁଣିଲେ ତିଳକୁ ତାଳ କରିବେ ।

    ଗପ ଲେଖି ପ୍ରତିଷ୍ଠା ପାଇବାକୁ ନୁହେଁ କିମ୍ବା ପୁସ୍ତକ ପ୍ରକାଶନର ଆଗ୍ରହ ପାଇଁ ନୁହେଁ ମୁଁ କେବଳ ଲେଖେ ମୋ ଖୁସି ପାଇଁ । ମୋର ପାଠକ ମୋ ଝିଅ ପ୍ରଥମେ । ଆଉ କିଏ ପଢୁ କି ନ ପଢୁ ।

   କେବଳ ଆଖିରେ ଆଖିରେ ଯେ ଏତେ ଭାବ ଦେଇ ନେଇ ହୁଏ, ଦୁଇଟି ପ୍ରେମିଳ ହୃଦୟର ଏତେ ଏତେ ଭାବ ବିନିମୟ କରି ହୁଏ, ସେ କଥା ସେ ବୟସ ବା କାହୁଁ ବୁଝୁଥିଲା । ଅବନ୍ତିକା ଆଉ ମୁଁ କୋଉ ଏକ ମଫସଲ ସ୍କୁଲରେ ସହପାଠୀ ଥିଲୁ, କେବଳ ସ୍କୁଲରେ ସେତିକି ଦେଖା ଚାହାଁ ଭିତରେ ବି ଗୋଟିଏ ଅବ୍ୟକ୍ତ ଆଉ ଅଜଣା ସମ୍ପର୍କ ଗଢି ଉଠିଥିଲା ସେ କଥା ମୁଁ ସେଇ ଦିନ ଜାଣିଲି ଯୋଉ ଦିନ ମାଟ୍ରିକ ପରୀକ୍ଷା ପରେ ସ୍କୁଲ ଜୀବନ ସରି ଯାଇଥିଲା ।

   କେବେ କେଉଁ ଦିନ ଆମେ କଥାବାର୍ତ୍ତା ହେଇନୁ, ଏକାଠି ବସି ପାଠ କିମ୍ବା ଆଉ କିଛି ଆଲୋଚନା କରିନୁ କିମ୍ବା ଖେଳପଡିଆରେ ସାଙ୍ଗ ହେଇ ଖେଳିନୁ । ତଥାପି ପ୍ରେମ ବୋଲି ଗୋଟିଏ ଅପୂର୍ବ ବିଭବ ଆମ ମନ ଭିତରେ ପରସ୍ପର ପାଇଁ ସାଇତା ହୋଇ ରହିଥିଲା ଯାହା କେବଳ ନିରବତାର ଭାଷାରେ ଆମେ କୁହାକୁହି ହେଉଥିଲୁ ସୁଯୋଗ ପାଇଲେ । ସେ ଭାଷା କେବଳ ଆଖିରେ ଥାଏ ବୋଲି ଏବେ ଭାବୁଛି । ନ ହେଲେ ପ୍ରେମର ଗୋଟାଏ ଭାଷା କଣ, ସେ ତ ଏକ ଅନୁଭବ ।

    ଜାଣେନା ଏବେ ଏବେ ଏ ପରିଣତ ବୟସରେ ଅବନ୍ତିକା କାହିଁକି କେଜାଣି ବେଶି ବେଶି ମନେ ପଡୁଛି । ସତୁରି ଛୁଇଁବ ଛୁଇଁବ ହେଲାଣି, ଏ ବୟସରେ ଅବନ୍ତିକା କଥା ଏତେ ମନକୁ ଆଣିବା ଯେତିକି ହାସ୍ୟାସ୍ପଦ ସେତିକି ଅଶାନ୍ତି ସୃଷ୍ଟି କରି ବାର ଉପାଦାନ । ପତ୍ନୀ ତ ସୁରାକ ପାଇଲେ ଆଉ ରକ୍ଷା ନାହିଁ ।


  ମାତ୍ର ସେ କାହୁଁ ଜାଣିବେ ତାଙ୍କ ସାଙ୍ଗରେ ଦୀର୍ଘ ଚଉରାଳିଶି ବର୍ଷର ଯୁଗ୍ମ ଜୀବନ ଯେଉଁ ସୁରଭି ଦେଇନପାରିଛି, ଏ ଅଭୁଲା ନଦୀର ଉପତ୍ୟକାରେ ଏକଦା ଫୁଟିଥିବା ସେଇ କିଶୋରୀ ଆଖିର ନିରବ ସ୍ମୃତି ସେଇ ସୁରଭିରେ ମୋ ସିନ୍ଦୁକ ଭରି ଦେଇଛି

  ଏସବୁ କଥା କାହାକୁ କହି ହୁଏ ନାହିଁ, ବୁଝାଇ ହୁଏ ନାହିଁ । ଆଜିକାଲି ପତ୍ନୀଙ୍କର ଅଭିଯୋଗ, ତମେ ବେଶି ଚୁପଚାପ ରହୁଛ କାହିଁକି, କଣ ହେଇଛି କହୁନ । ଦେହ ଭଲ ଲାଗୁନି ନା କଣ । କଥାବାର୍ତ୍ତା କରୁନ କାହିଁକି । ଝିଅର ଅଭିଯୋଗ ମତେ ବି ଆଉ କିଛି କହୁନ ବାବା । ଗପ ବି ଆଉ ଲେଖୁନ ବହୁତ ଦିନୁ । କଣ ହେଇଛି । କାହାକୁ କି ଉତ୍ତର ଦେବି ବୁଝିପାରେନି ।

ଯାହା ସହିତ ଜୀବନର ଅଧାରୁ ବେଶି ବର୍ଷ କଟେଇଲି, ଯାହାକୁ କୋଳେଇ ନେଇ ଜୀବନ କଣ ଶିଖେଇଲି, ସେମାନେ ମୋ ଜୀବନକୁ ଚିହ୍ନି ପାରିଲେ ନାହିଁ । କୋଉଠି ମୋ ଜୀବନରେ ଫାଙ୍କ ରହି ଯାଇଛି ସେମାନେ ବି ବୁଝିବେ କାହୁଁ ।

   ମୋର ମନେ ହେଉଥିଲା ଏବେ ଯଦି ଅବନ୍ତିକା ଦେଖା ହେବ କେମିତି କଣ କହିବି ତାକୁ । ସେ ଦିନ ଭଳି ତଳକୁ ମୁହଁ ପୋତି ବାଟ ଭାଙ୍ଗି ଚାଲି ଯାଇ ପୁଣି ପଛ ବୁଲି ଚାହିଁବି ନା ଏକ ଧ୍ୟାନରେ ତାର ଆଖିକୁ ଚାହିଁ ତାର ନିରବତାର ଭାଷାକୁ ପଢିବି, ନା ଏ ବୟସରେ ତାକୁ ପ୍ରେମ କରିବି । ହଁ, ପ୍ରେମର ବୟସ ପୁଣି କଣ । ସବୁ ବୟସ ତ ପ୍ରେମର ବୟସ ଯେମିତି ସବୁ ଋତୁ ପ୍ରେମର ଋତୁ । ମନେ ମନେ ହସେ ମୁଁ ।

   ଅବନ୍ତିକା ମତେ ପାଗଳ ଭାବିବ । ପତ୍ନୀ ମୋତେ ଧୋକା ବାଜ ଭାବିବେ । ଝିଅ ? ସେ ତ ହସି ହସି ଗଡିଯିବ ....ମୁଁ ଜାଣିଥିଲି ବାବା ...

   ନା, କେଉଁଠି କେହି ନ ଥିଲେ । ତଥାପି ସତର୍କ ହେଇଗଲି, ଅବନ୍ତିକାର ବାସ୍ନା କେଉଁଠି ବୁଣି ହେଇ ଯାଇନି ତ ? ମନେ ଅଛି ମାଟ୍ରିକ ପରୀକ୍ଷା ଶେଷ ଦିନ ଗୋଛାଏ ରଜନୀଗନ୍ଧା ଆଣି ଅବନ୍ତିକା ବସିଥିବା ବେଞ୍ଚ ଉପରେ ରଖିଦେଇ କହିଥିଲି ତୋ ପାଇଁ ଆଣିଥିଲି ।ସେ ତାକୁ ନେଲା କି ନାହିଁ ଜାଣିନି,ଏକା ମୁହାଁ ହେଇ ଦଉଡି ଦଉଡି ଚାଲି ଆସିଥିଲି ।

   ଯେବେ ବି ରଜନୀଗନ୍ଧାର ସୁରଭି ନାକରେ ବାଜେ ଚାରିଆଡ଼ ଅବନ୍ତିକା ଅବନ୍ତିକା ବାସ୍ନା ହୁଏ । ବୁଢା ହେଇଗଲି ସିନା ସେଇ ଦିନୁ ସେ ବାସ୍ନା କେବେ ବି ଭୁଲିନି । ବୟସ ବଢ଼ିଗଲେ ବୋଧହୁଏ ପଛରେ ଛାଡି ଆସିଥିବା ଅନେକ ଜିନିଷ ବେଶି ମନେ ପଡେ,ହଜେଇ ଦେଇଥିବା ଅନେକ ଜିନିଷ ଖୋଜିବାକୁ ମନ ହୁଏ,

ହେଲେ ଆଉ ମିଳେ କୋଉଠି । କେବଳ ଅଵଶୋଷରେ ମନ ଭରିବା କଥା ।

    ଅବନ୍ତିକା ବି ଏବେ ସ୍ୱାମୀ, ପୁଅ ଝିଅ ନାତି ନାତୁଣୀରେ ଭରପୁର ସଂସାରରେ ଉବୁ ଟୁବୁ ହେଉଥିବ । ସେ କଣ ମୋ ପରି ଏମିତି ଏକ ଅଭୁଲା ନଦୀର ଉପତ୍ୟକାରେ ବିଚରଣ କରୁଥିବ, ଵୋଧ ହୁଏ ନା, ପୁଣି ଭାବେ ହଁ ହେଇ ନ ଥିବ କାହିଁକି, ଭରପୁର ସଂସାରରେ ଥାଇ ବି ମଣିଷର ମନ ବେଳେବେଳେ ଏତେ ଏକୁଟିଆ ହେଇଯାଏ, କେହି ଜଣେ ଯେମିତି ଟାଣି ଧରେ ପଛକୁ ପଛକୁ, ଅବନ୍ତିକା ଦେଖା ହେଲେ ପଚାରନ୍ତି, ସେ କଥା ।

 ଆଉ ଏ ବୟସରେ ସେତେବେଳ ପରି ଲାଜ ବାଟ ଓଗାଳେ ନାହିଁ । ପତ୍ନୀଙ୍କର ଅଭିଯୋଗ ମୁଁ ଆଜିକାଲି ଆଉ ତାଙ୍କୁ ଭଲ ପାଉନି, ତାଙ୍କ ସହ ସକାଳେ ଚାଲିବାକୁ ଯିବା ପସନ୍ଦ କରୁନି, ତାଙ୍କ ହାତ ତିଆରି ଏଣ୍ଡୁରି ପିଠାକୁ ଆଉ ଆଗ ପରି ଆଗ୍ରହରେ ଖାଉନି, କିଛି ପଚାରିଲେ ନିରବ ରହୁଛି ନ ହେଲେ ବିରକ୍ତ ହେଉଛି ଅକାରଣରେ । ପାଖକୁ ଆସିଲେ ତାଙ୍କ ମୁହଁକୁ ଚାହିଁ ଆଗ ପରି ହସି ଦେବା ତ ଦୂରର କଥା ତାଙ୍କ ଆଡୁ ମୁହଁ ଫେରାଇ ନେଉଛି ।ଏ ସବୁକୁ ସେ ମୋର ବୟସାଧିକ ପ୍ରକୃତି ବୋଲି ଧରି ନେଇ ଦେହ ସୁହା କରି ନେଲେଣି ।

   କେବଳ ମୋ ଝିଅ ହିଁ ମୋର ଏକ ମାତ୍ର ସାଥି ଯାହା ସହ ଟିକେ ମନ ଖୋଲି କଥା ହେଉଛି । ମାତ୍ର ଅବନ୍ତିକା ଯେ ଏତେ ମାତ୍ରାରେ ମୋ ମନମସ୍ତିଷ୍କକୁ ଆବୋରି ବସିଲାଣି ସେ କଥା ସେ ଜଣେନି । ତାକୁ ସେ କଥା କହି ପାରୁନି ।

   ଦୀର୍ଘ ପଚାଶ ବର୍ଷ ବିତି ଗଲାଣି, ଏ ଭିତରେ ତାକୁ କେବେ କେମିତି ମନେ ପକାଉଥିଲି, ଅବନ୍ତିକା ନାମ ଆଉ କେଉଁଠି ଶୁଣିଲେ କିମ୍ବା ସେଇ ନାମରେ ଅନ୍ୟ କେଉଁ ଝିଅକୁ ଦେଖିଲେ ମୁଁ ଫେରିଯାଏ ସେଇ ନାଲି ଛିଟ ଫ୍ରକ ପିନ୍ଧା ଆଉ ଦୁଇଟା ଲମ୍ବା ବେଣୀ ଝୁଲେଇ ଅଗରେ ହଳଦିଆ ରିବନ ବନ୍ଧା ଝିଅଟି ପାଖକୁ ଯାହାର ନାଁ ଅବନ୍ତିକା । କିଛି ସମୟ ସେଇ ଅଭୁଲା ନଦୀ ଉପତ୍ୟକାରେ କଟେଇ ଦେଇ ପୁଣି ଫେରି ଆସେ ମୋର ବର୍ତ୍ତମାନର ଦୁନିଆକୁ ।   

 ମାତ୍ର ଜାଣି ପାରୁନି ଏଇ ବର୍ଷେ ପାଖାପାଖି ହବ ଅବନ୍ତିକା ମୋର ବେଶି ବେଶି ମନେ ପଡୁଛି । କାହାକୁ ବା କହିବି ।ଯେତିକି ପରୋକ୍ଷ ଭାବେ କହେ, ତାହା ମୋର ଏକ ନୂଆ ଗପର ଉପକ୍ରମଣିକା ବୋଲି ଝିଅ ଭାବେ ।

  ହଠାତ, ଦିନେ ସନ୍ଧ୍ୟାରେ ମୁଁ ଛାତ ଉପରେ ବସିଥିଲା ବେଳେ ଦେଖିଲି, ଦୁଇ କପ ଚା ' ଧରି ଅବନ୍ତିକା ପରି କେହି ଜଣେ ମୋ ପାଖକୁ ଆସିଛି । ଭଲ କରି ଚାହିଁଲି, ହଁ ତ ଅବନ୍ତିକା । ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସ୍ୱପ୍ନ ନା ସତ, ବିଶ୍ୱାସ ହେଉନି ମୋର ।

    ଅବନ୍ତିକା ଆସିଥିଲା । 

ଦେଖିଲି ସେ ସେମିତି ଅଛି ।ଆଦୌ ବୁଢ଼ୀ ହେଇନି । ବୟସ କେମିତି ହାର ମାନି ଯାଇଛି ତା ପାଖରେ । ପାଖରେ ଆସି ବସିଲା, ଚା' ନିଅ । ଏଠି ଆସି ବସିଛ, ତଳେ ଖୋଜି ଖୋଜି ଏଠିକି ଆସିବାକୁ ପଡିଲା । ଝିଅ ତମର ସାଙ୍ଗ ଘରକୁ ସକାଳୁ ଯାଇଛି,ଏଯାଏ ଆସିନି ।

    ମୁଁ ଏକା ଲୟରେ ଚାହିଁ ରହି ଥିଲି ତା'ର ସେଇ ପଚାଶ ବର୍ଷ ତଳର ବୋକା ବୋକା ମୁହଁକୁ, କେମିତି ଆସିଲା ଅବନ୍ତିକା, ମୋ ପାଟିରୁ ପଦେ ହେଲେ କଥା ବାହାରୁ ନ ଥିଲା । ଚା' ଥଣ୍ଡା ହେଇ ଯାଇଥିଲା ...ଅସ୍ପଷ୍ଟ ସ୍ୱରରେ ମୁଁ ଉଚ୍ଚାରଣ କରୁ ଥିଲି "ଅବନ୍ତିକା"....  କଣ ? କଣ କହିଲ ? ମୋର ଦୁଇ କାନ୍ଧକୁ ଧରି ହଲେଇ ଦେଲେ ପତ୍ନୀ । ପ୍ରକୃତିସ୍ଥ ହେଲି । ମୋର ସେ ଅଜଣା ଅଭୁଲା ଆଉ ଅଫେରା ନଦୀର ସ୍ରୋତରେ ଭାସି ଯାଉ ଯାଉ ଅଟକି ଗଲି, ଏକ ଶକ୍ତ ବେଣା ବୁଦା ମୂଳେ ।

   ପତ୍ନୀ ଆଶ୍ୱସ୍ତ ହେଲେ କି ସନ୍ଦେହରେ ପଡି ଗଲେ ଜାଣି ପାରିଲିନି । ମାତ୍ର ଏକ ଅନାଗତ ଭୟରେ ଆଶଙ୍କିତ ହୋଇ ପଡିଲି । ଦିଅ ଦିଅ, ମୁଁ ତ ଚାହା ଅପେକ୍ଷାରେ ଥିଲି । ଶୁଣ, ଆଜି ଟିକେ ଏଣ୍ଡୁରି ପିଠା କରନ୍ତ ନାହିଁ ? ମନରେ ସନ୍ଦେହ ଆଉ ଓଠରେ ହସ ଖେଳେଇ ପତ୍ନୀ କହିଲେ, ଆଚ୍ଛା, ଆଜି ଏତେ ଦିନ ପରେ ହଠାତ ଏଣ୍ଡୁରି ପିଠା ପାଇଁ ମନ ହେଲା କେମିତି । ତମେ ଆଜିକାଲି କଣ ଭାବୁଛ କହିଲ !! ମତେ ତ ବେଳେ ବେଳେ ଡର ଲାଗୁଚି, କଣ କଣ ସବୁ କହୁଛ ମୁଁ ତ ବୁଝି ପାରୁନି ବେଳେ ବେଳେ। ଆସ ଯିବା ତଳକୁ । ଖାଲି କପ ଗୁଡିକ ନେଇ ସେ ଚାଲିଗଲେ ତଳକୁ । ମତେ ସବୁ ଆଡେ ଖାଲି ଯେମିତି ଅବନ୍ତିକା ମୟ ଦିଶୁଥିଲା, କାହିଁକି ଅବନ୍ତିକାର ନିଶା ଏବେ ପଚାସ ବର୍ଷ ପରେ ମୋ ଉପରେ ସବାର ହେଇଚି ମୁଁ ନିଜେ ବି ଜାଣି ପାରୁନଥିଲି । 

  ବୟସ ଯେତେ ଆଗକୁ ଆଗକୁ ଚାଲେ ବିଗତ ଦିନର ସ୍ମୃତି ସେତେ ଗଭୀର ହୁଏ, ବୋଧ ହୁଏ ବଞ୍ଚିବା ପାଇଁ ଇଏ ଗୋଟେ ଖୋରାକ । ବୟସ ଠାରୁ ମନକୁ ଅକ୍ତିଆର କରିନେବା ପାଇଁ ଏହା ଏକ ମହାଶକ୍ତି ।

ସ୍ମୃତିର ଚାଦର ମନ ଭିତରେ ଯେତେବେଳେ ଖୋଲିଯାଏ, ମନ ସେତେ ବେଳେ ଅନ୍ୟଏକ ବାସ୍ନାରେ ବାସ୍ନାୟିତ ହେଇଯାଏ । ସେ ସ୍ମୃତି ଯଦି ପ୍ରେମର ହୋଇଥାଏ ତେବେ ସେ ବାସ୍ନା ତ ଦେହ ମନ ସବୁଠି ବୋଳି ହେଇଯାଏ ।

ସବୁ ସମୟରେ ସେ ବାସ୍ନା ଭୁରୁ ଭୁରୁ ହେଉଥାଏ, ହୃଦୟରେ, ମନରେ,ସବୁଠି ସବୁବେଳେ ।।

    ସେଦିନ ଝିଅ ତାର ସାଙ୍ଗ ଜନ୍ମଦିନରେ ଯୋଗ ଦେବା ପାଇଁ ଚାଲିଗଲା ସକାଳୁ । ଦିନ ସାରା ମୁଁ ଖୁବ ଏକା ଏକା ଥିଲି । ପତ୍ନୀ ତ ତାଙ୍କ କାମରୁ ଫୁରୁସତ ପାଆନ୍ତି ନାହିଁ ସହଜରେ । ଯେତେବେଳେ ମୋ ପାଖକୁ ଆସନ୍ତି କେବଳ ତାଗିଦ ଆଉ ଆଦେଶ ନେଇ । ମୋର ଆବେଗ ଭାବପ୍ରବଣତାର ମୂଲ୍ୟ ତାଙ୍କ ପାଖରେ କିଛି ବି ନ ଥାଏ ।

   ସନ୍ଧ୍ୟା ଉତ୍ତୀର୍ଣ୍ଣ ହେଲା ପରେ ବି ଝିଅ ଫେରିନଥିଲା । ବ୍ୟସ୍ତ ଲାଗୁଥିଲା । ଫୋନ କଲେ ଏଇ ବାହାରିଲି ବୋଲି କହୁଥାଏ ଚାରି ଘଣ୍ଟା ହେଲା । ସକାଳ ଆଠଟାରୁ ରାତି ଆଠ, ଜନ୍ମଦିନ କେମିତି ପାଳନ ହେଉଥିଲା ମୁଁ କଳନା କରି ପାରୁ ନ ଥିଲି । ପତ୍ନୀ ସବୁତକ ରାଗ ମୋରି ଉପରେ ଶୁଝାଇବା ପାଇଁ ଭୁଲୁନଥିଲେ ।

   ପାଖାପାଖି ନଅଟା ବେଳକୁ ଝିଅ ଫେରିଲା । ସାଙ୍ଗରେ ତାର ବାନ୍ଧବୀ ଆଉ ତାର ମାଆ । କେହି କିଛି କହିବା ଆଗରୁ ଝିଅ କହୁଥିଲା, ଆଣ୍ଟି ବାଧ୍ୟ କରିବାରୁ ରହିଗଲି ବାବା । ଦେଖ, ସେଇଥି ପାଇଁ ସେ ନିଜେ ଆସିଛନ୍ତି ମୋତେ ନେଇ ।

ଇଏ ଆଣ୍ଟି, ଅବନ୍ତି ଆଣ୍ଟି ...ମୋ ସାଙ୍ଗର ମାଆ..

   ମୁଁ ବାକ ଶୂନ୍ୟ ହେଇ ଯାଉଥିଲି, ଅବନ୍ତି ଆଣ୍ଟି...ମୁଁ ଠିକ ଶୁଣୁଛି ତ ....ଇଏ କଣ ସେଇ ଅବନ୍ତିକା ....ଯାହାକୁ ମୁଁ ସେଦିନ ସେଇ ଅଭୁଲା ନଦୀର ଉପତ୍ୟକାରେ ଛାଡି ଦେଇ ଆସିଥିଲି !! ମୋ ଚାରିପାଖ ଅବନ୍ତିକା ଅବନ୍ତିକା ବାସ୍ନାରେ ଭରିଗଲା । ଭଦ୍ରମହିଳାଙ୍କ ଠାରେ ସେଦିନର ସେ ଅବନ୍ତିକା ଚେହେରାର କୌଣସି ସାମଞ୍ଜସ୍ୟ ନ ଥିଲା । ମୋ ମୁହଁକୁ ମୁହୂର୍ତ୍ତକପାଇଁ ଚାହିଁ ଥିଲେ ବି କୌଣସି ପ୍ରତିକ୍ରିୟା ନ ଥିଲା, କେବଳ ଛୋଟ ନମସ୍କାରଟିଏ ବ୍ୟତୀତ ।

   ପତ୍ନୀ ଆସି ପାଛୋଟି ନେଇ ସୋଫାରେ ବସେଇଲେ । ସେ ଫେରିଯିବାକୁ ତର ତର ହେଉଥିଲେ, ମୁଁ ଚାହିଁଥିଲି ତାଙ୍କୁ, ତମେ କଣ ସେଇ ଅବନ୍ତିକା ...ଟିକେ ରହ ମୁଁ ଭଲ ଭାବେ ଚିହ୍ନେ, କାହିଁ ମତେ ଦେଖି ତମର ତ ଟିକେ ବି ପ୍ରତିକ୍ରିୟା ନାହିଁ, ଅଥଚ ମୁଁ ରାତି ଦିନ କେବଳ ତମରି ଛାଇ ଦେଖି ଦେଖି ତମରି ସ୍ମୃତିରେ ଜଡ ସଡ଼ ହେବାରେ ଲାଗିଛି । ତମ ନାକରେ କଣ ସେ ବାସ୍ନା ବାଜୁ ନାହିଁ, ଯାହା ମୋ ନାକରେ ଖୁନ୍ଦି ହେଇ ରହିଛି । 

    ହସି ହସି ବିଦାୟ ଜଣାଇ ଚାଲିଗଲେ ସେ । ପତ୍ନୀ ଆଉ ଝିଅ ହାତ ହଲାଉଥିଲେ । ମୁଁ ସ୍ଥାଣୁ ପାଲଟିଯାଇଥିଲି, ଗୋଟାଏ ମହ ମହ ବାସ୍ନା ମୋ ନାକ ଠାରୁ ଦୂରକୁ ଦୂରକୁ ଚାଲି ଯିବାରେ ଲାଗିଥିଲା ....ସେଇ ସେ ପରିଚିତ ବାସ୍ନା ..ମୁଁ ଅପଲକ ଆଖିରେ ସେଇଠି ଛିଡା ହୋଇ ରହିଥିଲି...ସେଇ ଅଭୁଲା ନଦୀର ଉପତ୍ୟକାରେ ... ତଥାପି ସନ୍ଦିହାନ ଥିଲି ଇଏ କଣ ସତରେ ସେଇ ଅବନ୍ତିକା.... ନା ଝିଅ ସାଙ୍ଗର ମାଆ....ରାତି କ୍ରମଶଃ ବଢ଼ିବାରେ ଲାଗିଥିଲା....ଭିତରୁ ଝିଅର ଡାକ ଶୁଭୁଥିଲା......।।।



Rate this content
Log in

More oriya story from prativa parija

Similar oriya story from Romance