Soumya Shubhadarshinee

Inspirational

3.6  

Soumya Shubhadarshinee

Inspirational

ଅଭିଯାନ

ଅଭିଯାନ

8 mins
395



 ଆଜିର ଜୀବନ ଯେଉଁଠି ପବନର ମଧ୍ୟ ଦାମ ଦିଏ ମଣିଷ , ପାଣିର ମଧ୍ୟ ହିସାବ ହୁଏ ସବୁଠି , ଆଲୋକ ଚେନାଏ ଦୁଷ୍ପ୍ରାପ୍ୟ ହୁଏ ଉଚ୍ଚ ଅଟ୍ଟାଳିକା ମେଲଣରେ । ସେଇ ଜୀବନରେ ନିଜ ପାଇଁ ନିରୋଳା ମୁକ୍ତ ସମୟ ଟିକେ ଜୀଇଁବାର ସୁଯୋଗ ସତରେ ଦୁର୍ଲ୍ଲଭ ।

କିନ୍ତୁ ଯଦି ମିଳିଯାଏ ଆଃ ! ତେବେ ତାହାର , ଅନୁଭୂତି ଅବର୍ଣ୍ଣନୀୟ !...........


★★★★★★★★


 ଜାଣ ସମ୍ପର୍କ ଗୋଟେ ନିର୍ଭରଶୀଳ ଲତା ଭଳି ଖୋଜେ ସାହାରା । କାରଣ ସମ୍ପର୍କ ଶବ୍ଦଟା ଦୁଇଟି ସମଭାବାପନ୍ନ ମଣିଷଙ୍କ ଭିତରେ ଗଢ଼ା ହୁଏ । ଏକାକୀ ଏତକ ଅସମ୍ଭବ । 


  ଏକାକୀ ଆମେ ନିଜକୁ କେବଳ ପ୍ରତାରିତ କରୁ । ସ୍ୱୟଂଭୁ ହେବାର ଛଳନା କରୁ । ପରିପୂର୍ଣ୍ଣ ହେବାର ଅଭିନୟ କରୁ । କିନ୍ତୁ ସଭିଏଁ ଜାଣନ୍ତି ଆମର ଅସହାୟତା , ଶୁନ୍ୟତା , ଅଭାବବୋଧ । ଯେତେ ଲୁଚେଇଲେ ବି ଲୁଚି ରୁହେନି ଏକାକିତ୍ୱର ପ୍ରଭାବ । ଏକାକିତ୍ୱର ଦହନ ଜୀବନକୁ ରୁକ୍ଷ , ବିବର୍ଣ୍ଣ , ସମ୍ଭାବନାବିହୀନ କରିଦିଏ । ଜାଣ, ବାସ୍ତବରେ ସମ୍ପର୍କରେ ହିଁ ଆମର ତୃପ୍ତି । 


 ଆଉ ପଢିବାକୁ ଇଚ୍ଛା ହେଲାନି ଚିଠି , ବହୁତ ଗୁଡେ ସାହିତ୍ୟ ପଶିଗଲା ଭଳି ଲାଗିଲା ତାକୁ । ଦର୍ଶନ କାହିଁକି ଏମିତି ଚିଠି ଲେଖେ କେଜାଣି । ଲାଜୁ ଚିଠିରେ ଏତେ ଓଜନଦାର ଶବ୍ଦ ଗୁଡାକୁ ସହିପରେନି । ମୂଳ କଥା ହେଲା ଚିଠି ପଢିବାକୁ ତା'ର ଜମା ଇଚ୍ଛା ହୁଏନି । ଆରେ ଆଜିର ଟେକ୍ନୋ ସ୍ୟାଭି ସମୟରେ ଏତେ ବିକଳ୍ପ ଥାଉଁ ଥାଉଁ ଚିଠି କିଏ ଲେଖେ । କିନ୍ତୁ କେବଳ ଲାଜୁ ନାଁରେ ଚିଠି ଆସେ ହଷ୍ଟେଲକୁ । ଆଉ ସଭିଏଁ ଖାସ ଏଇଥିପାଇଁ ଚିହ୍ନନ୍ତି , 

ମାନମୟୀ ଦାସ ( ଲାଜୁ ), ପି.ଜି ଫାଇନାଲ୍ କରୁଥିବା ଝିଅଟିକୁ । ଯେଉଁ ଝିଅଟି ଗୋଟେ ବିଚିତ୍ର ମଣିଷ ସହ ସମ୍ପର୍କରେ , ଯେ ଆଜିବି ଚିଠି ଲେଖେ । ହୁଁ !..............


 ଦର୍ଶନ , ନିଜ ନାଁ ପ୍ରତି ଭାରି ଅନୁରକ୍ତ , ହଁ ତା ନୁହେଁ ତ ଆଉ କ'ଣ ? ସବୁବେଳେ ସେ ଦାର୍ଶନିକ ଭଳି ବ୍ୟବହାର କରେ । ସେଇ ଦାର୍ଶନିକ ଭାବନାରୁ ସୃଷ୍ଟି ହେଉଥିବା ହାଇ ଫାଇ ଚିନ୍ତାଧାରା ଗୁଡିକ ଚିଠି ହେଇ ପହଂଚି ଯାଆନ୍ତି ଲାଜୁ ପାଖରେ । ଲାଜୁର ନୀରସ ଫିଜିକ୍ସ ପାଠ ପଢ଼ୁଥିବା ବିଜ୍ଞାନୀ ମୁଣ୍ଡରେ ହଲଚଲ କରିବାକୁ , କେମିକାଲ ଲୋଚା କରିବାକୁ , ଅଜବ ଗୋଳମାଳ ଭରିବାକୁ ପର୍ଯ୍ୟାପ୍ତ ଖୋରାକ ଥାଏ ସେଇ ଚିଠି ଭିତରେ ।  


  ଲାଜୁ ବେଳେବେଳେ ଭାବେ କହିବ , 

'' ପ୍ଲିଜ ଲେଖନି ଆଉ ମୋତେ , ମୁଁ ହଜମ କରି ପାରୁନି । ତୁମ ସେଇ ନାମି ଦାମୀ ଶବ୍ଦ ବୁଝି ପାରୁନି ।''


 କିନ୍ତୁ କହି ପାରେନି ସେ , କେମିତି ଟିକେ ଥତମତ ହେଇଯାଏ ତା' ସ୍ୱର । ଲାଗେ ତା'ର ଏଇ କଥା ପଦକ ଦର୍ଶନକୁ ଭାରି କଷ୍ଟ ଦେବ । ଶୁଖି ଯିବ ତା' ଭିତରର ଭାବ ସମୁଦ୍ର । ନିସ୍ୱ ହେଇଯିବ ସେ ପୂରାପୂରି । ଭାଙ୍ଗି ରୁଜି ଚୁରମାର ହେଇଯିବ ପିଲାଟି । କାରଣ ସେ ଲାଜୁ ପାଇଁ ହିଁ ଲେଖେ , କେବଳ ଆଉ କେବଳ ଲାଜୁ ପାଇଁ । 


 ସେ ଦର୍ଶନ ଶାସ୍ତ୍ର ପଢୁନି ଯଦିଓ ତା'ର ପ୍ରବଳ ଇଚ୍ଛା । ସାମାଜିକ ଆଵଶ୍ୟକତା ଅନୁସାରେ ସେ ହେଇଛି ଗୋଟେ ଡାକ୍ତର । ନିଜ ମମି ଆଉ ପାପାଙ୍କ ସ୍ୱପ୍ନ ସାକାର କରି ଆଦର୍ଶ ପୁଅ ହେବାର ପ୍ରଚେଷ୍ଟାରେ କରିଛି ଏଇ ସାଲିଶ।


  ଡାକ୍ତର ଦର୍ଶନ ମିଶ୍ର ଭାରି ସଫଳ , ସମ୍ବେଦନଶୀଳ , ଦାୟୀତ୍ୱବାନ ଆଉ ସୁଯୋଗ୍ୟ । ତା' କର୍ମଦକ୍ଷତା ବିଚକ୍ଷଣ । ହାତରେ ତା'ର ଅଛି ଯାଦୁକାରୀ ଶକ୍ତି , ହାତ ବାଜିଲେ ରୋଗୀ ଅଚିରେ ସୁସ୍ଥ 

ହେଇପାରେ । ତେଣୁ ଡାକ୍ତର ଭାବରେ ତାକୁ ଟିକିଏ ମଧ୍ୟ ବାରିବାର ନାହିଁ ।


 ହେଲେ ସେ ଅସୁଖୀ , ଭାରି ଅସୁଖୀ । ତା' ଭିତରେ ଏବେ ଯାଏ ଯନ୍ତ୍ରଣା । ଗୋଟେ ଅଜବ ହତାଶା । କାରଣ ସେ ନିଜକୁ ଗୋଟେ ସୃଜନଶିଳ୍ପୀ ରୂପରେ ଗଢିବାର ଇଚ୍ଛାରେ ସବୁବେଳେ । ଭାରି ମନ ଥିଲା ଦର୍ଶନ ଶାସ୍ତ୍ର ପଢ଼ିବାର । କିଛି ଅଷ୍ଟ୍ରାକ୍ଟ ଲେଖିକି ମୁହୂର୍ତ୍ତକରେ ବିଶ୍ୱ ପ୍ରସିଦ୍ଧ ହେବାର । ଗୋଟେ ବେଷ୍ଟ ସେଲର୍ ବହିର ଲେଖକ ହେବାର । ଯୁବ ଗୋଷ୍ଠୀ ମେଳରେ ବସି ଭାଷଣ ଦେବାର । ଅଜଣା ଆଦେଖା ପାଠକ ସହ ଘଣ୍ଟା ଘଣ୍ଟା ଗପିବାର । ସେଥିରୁ ହୁଏତ ତାକୁ ମିଳନ୍ତା ଭିନ୍ନ ଗୋଟେ ତୃପ୍ତି । ଗୋଟେ ଅନନ୍ୟ ଅନୁଭବ । ଅବଶ୍ୟ ଆଜି ମୁମୂର୍ଷୁ ରୋଗୀକୁ ବଞ୍ଚେଇ ଦେଇ ମିଳୁଛି ସେମିତି କିଛି ଅନୁଭବ ହେଲେ ଠିକ ସେଇ ତୃପ୍ତି 

ନାହିଁ । 


 କାରଣ ସେ କେବେବି ମୁକ୍ତ ନୁହେଁ । ଗୋଟେ ନିର୍ଦ୍ଧିଷ୍ଟ ଜୀବନଚର୍ଯ୍ୟା ଭିତରେ ଆବଦ୍ଧ ସେ । ରୁଟିନ୍ ଅଛି ତା'ର , ବାଧ୍ୟତାମୂଳକ ରୁଟିନ୍ । ସେ 

ସ୍ୱଇଚ୍ଛାରେ କିଛି କରିପାରିବ ନାହିଁ । ଏମିତିକି ଇଚ୍ଛା କରି ମାଗଣାରେ ରୋଗୀଟିଏର ଚିକିତ୍ସା କରିପାରିବ ନାହିଁ । କର୍ପୋରେଟ ଚିକିତ୍ସାଳୟ ତାକୁ ସଫଳ ଡାକ୍ତରର ପରିଚୟ ଦେଇପାରେ କିନ୍ତୁ ଆତ୍ମତୃପ୍ତି ନୁହେଁ । ଖାସ ସେଇଥିପାଇଁ ସେ ଅସୁଖୀ । ଇଚ୍ଛା ହୁଏ ନିଜର ଗୋଟେ ହସ୍ପିଟାଲ ଖୋଲି ମାଗଣା ଚିକିତ୍ସା କରିବାକୁ କିନ୍ତୁ ଏବେ ତା' ପାଖରେ ସେତିକି ସମ୍ବଳ ନାହିଁ । ଆଉ ହୁଏତ କେବେବି ସେତିକି ସାମର୍ଥ୍ୟ ଆସିବ ନାହିଁ । କାରଣ ସମ୍ବଳ ଥିବା ମଣିଷ ଗୋଟେ ସମାଜସେବୀ ନୁହେଁ , ସେ ବିଜନେସମ୍ୟାନ୍ । 


 ଡାକ୍ତରଟେ ଲେଖିବାରେ କିଛି ରୋକ ନାହିଁ । କିନ୍ତୁ ପାପା ପସନ୍ଦ କରନ୍ତି ନାହିଁ ।ଛଦ୍ମ ନାମରେ ଲେଖିବାର ବିକଳ୍ପ ଅଛି କିନ୍ତୁ ସେମିତି କରିବାକୁ ଇଚ୍ଛା ହୁଏନି ଦର୍ଶନର । ସୃଷ୍ଟି ସବୁବେଳେ ମୁକ୍ତ ହେବା ଜରୁରୀ ଏମିତି ଶିକୁଳିବଦ୍ଧ ସ୍ଥିତି , ରୁଦ୍ଧ କରିଦିଏ ଭାବ ।


ତେଣୁ ସେ ଲେଖେ ଲାଜୁ ପାଇଁ ଏମିତି ଚିଠି କେବେ କେମିତି । ଇଚ୍ଛା କୃତ ଭାବେ ଶୁଣାଏ ତା' ଭିତରର ଆବଦ୍ଧ ଶବ୍ଦ ସମ୍ଭାର । କାରଣ ସେ ଭାବେ ଲାଜୁ ବୁଝେ : ତା' ଅସହାୟତା , ତା ଅଵଶ୍ୟକତା, ତା' ଇପ୍ସା। 


 ଯେବେ ଲାଜୁ ସହ ଦର୍ଶନର ଭେଟ ହେଇଥିଲା ସେବେ ଦୁହେଁ ଗୋଟିଏ ସର୍ତ୍ତରେ ବାନ୍ଧି ଥିଲେ ସମ୍ପର୍କର ଡୋର 

 '' ଦୁହେଁ ଦୁହିଁଙ୍କ ଅଵଶ୍ୟକତା ପ୍ରତି ସଚେତନ ହେବେ ! '' 


 ଦୁଇଟି ଭିନ୍ନ ମଣିଷଙ୍କ ଆବଶ୍ୟକତା ଭିନ୍ନ ହେବା ସ୍ବାଭାବିକ । ତେଣୁ ବୁଝିବାକୁ ହେବ ପରସ୍ପରର ଇଚ୍ଛା ଅନିଚ୍ଛା । କିନ୍ତୁ ଏଇତକ ଖୁବ୍ କଷ୍ଟକର ସତରେ । ଦୁଇଟି ଭିନ୍ନ ଚେତନା ପ୍ରତି ଉଚିତ ନ୍ୟାୟ କରିବା ଆଦୌ ସହଜ ନୁହେଁ । ସେଥିପାଇଁ ଖୁବ୍ ସମ୍ବେଦନଶୀଳ ହେବାକୁ ହୁଏ । ଦର୍ଶନ ଦେଇପାରେ ସେତିକି ସ୍ପେସ୍ । ତେଣୁ ଲାଜୁର କର୍ତ୍ତବ୍ୟ ଦର୍ଶନଙ୍କ ପ୍ରତି ସେମିତି ହେବା ଉଚିତ । ଦର୍ଶନ କିଛି ମାଗେନି ତ କେବଳ ଏଇ ଚିଠି ପଢ଼ା ବ୍ୟତୀତ !......


 ସେ କେବଳ ଚାହେଁ ଲାଜୁ ତା' ଭିତରର ଅଦମନୀୟ ସୃଜନଶୀଳତା ପ୍ରତୀ ଟିକିଏ ନ୍ୟାୟ କରୁ ବାସ । ପଢୁ ଅନ୍ତତଃ ଥରୁଟିଏ ଆଉ କହୁ ସେଇ ଚିଠି ସଂକ୍ରାନ୍ତରେ ପଦେ ଅଧେ । 


*******


-- ଶୁଣ ତୁମେ ଲେଖ ଛଦ୍ମ ନାମରେ ଲେଖ ପ୍ଲିଜ ଦର୍ଶନ । "


-- '' ଏ ପ୍ରସଙ୍ଗରେ ଆମେ ଖୁବ୍ ଚର୍ଚ୍ଚା କରିସାରିଛନ୍ତି ଲାଜୁ । ଆଉ ତୁମେ ମୋ ଉତ୍ତର ଜାଣ । ''


--'' ଜୀବନରେ କିଛି ଅନ୍ତିମ ନିଷ୍ପତ୍ତି ନଥାଏ ବୁଝିଲ ।''


--'' ହୁଏତ ଠିକ ତୁମେ କିନ୍ତୁ ମୁଁ ନିଷ୍ପତ୍ତି ନେଇ ସାରିଛି । ''


--'' ମୁଁ କିନ୍ତୁ ଭାବୁଛି ତୁମେ ନିଜ ଶବ୍ଦ ମାନଙ୍କୁ ମୁକ୍ତ କରିଦେଇ ଖୁବ୍ ଆତ୍ମ ସନ୍ତୋଷ ପାଇବ । ଅଙ୍କଲ କେବେ ପ୍ରତିରୋଧ କରିଥିଲେ ହୁଏତ ତୁମ କ୍ୟାରିୟର ପାଇଁ । ଆଜିର ସମୟ କିନ୍ତୁ ଭିନ୍ନ । ତୁମେ ଏବେ ପ୍ରତିଷ୍ଠିତ । ଆଉ ଛଦ୍ମ ନାମରେ ତୁମ ସୃଷ୍ଟି ସ୍ୱୀକୃତି ପାଇବା ପରେ ଆଉ କିଛି ପ୍ରତିବନ୍ଧକ ରହିବ ନାହିଁ ।''


--'' ଭାବିବି ଲାଜୁ ।''


  ଏତିକି କହିବାକୁ ବହୁତ ସମୟ ଲାଗିଗଲା ଲାଜୁକୁ ; ପୂରା ପୂରି ପାଞ୍ଚ ବର୍ଷ । ହଁ କାହିଁକି ନୁହେଁ ଦର୍ଶନ ନିଜକୁ ପ୍ରତିଷ୍ଠିତ କରିବା ପରେ ହିଁ ତ ଏତିକି କହିବାର ସୁଯୋଗ ମିଳିଲା । ନହେଲେ ଡାକ୍ତରୀ ପଢ଼ୁଥିବା ପିଲାଟି ଏଭଳି ପଦକ୍ଷେପ ନେବା କ'ଣ ସମ୍ଭବ ?


************


 ଦୁଇଦିନ ଛୁଟି ଦର୍ଶନର ବାଃ ! ଏମିତି ସୁଯୋଗ ଖୁବ୍ କମ ମିଳେ । ସୁଦୂର କୋରାପୁଟରେ ପୋଷ୍ଟିଂ ପରେ ଦର୍ଶନ ସହ ଭେଟ କରିବା ମଧ୍ୟ ସ୍ୱପ୍ନ । ନୁଆ ନୂଆ ଚାକିରୀ ଯେତେବେଳେ ଦାୟିତ୍ୱ ଖୁବ୍ । ଭୁବନେଶ୍ୱରର ସମୃଦ୍ଧ ଜୀବନ , ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ପ୍ରତିଷ୍ଠା , ମୁଠା ମୁଠା ଟଙ୍କା ; ଏସବୁ ତୁଚ୍ଛ କରି ଦର୍ଶନ ସରକାରୀ ଡାକ୍ତରଖାନାରେ ଯୋଗ ଦେବା ଅବଶ୍ୟ ଟିକେ ଭିନ୍ନ ଲାଗିଥିଲା ସଭିଙ୍କୁ କିନ୍ତୁ ଲାଜୁ ଖୁସି ହେଇଥିଲା ଅନ୍ତତଃ ଦର୍ଶନ ନିଜ ସ୍ୱପ୍ନକୁ ସାକାର କରିବାର ସୁଯୋଗ ଟିକେ ପାଇବ । 


  ସୁଦୂର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ , ସଜଳ ପ୍ରକୃତି କୋଳରେ , ଚିତ୍ରିତ ବନାନୀ ମେଳରେ କଲମ ଚାଳନା ଆହୁରି ସମୃଦ୍ଧ ହେବ । ସୃଜନ ଆହୁରି ଶାଣିତ ହେବ । ସୁଯୋଗ ମଧ୍ୟ ବେଶ ମିଳିବ କାରଣ ସେ ଆଉ ବାଧ୍ୟତାମୂଳକ ରୁଟିଂ ଭିତରେ ଆକ୍ତାମାକ୍ତା ହେବେନି ।


   

  କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଖୁବ୍ ଗୁଡ଼େ ଦିନ ହେଲା ଆଉ ଚିଠି ଲେଖୁନି ଦର୍ଶନ କି ଲାଜୁକୁ ବ୍ୟତିବ୍ୟସ୍ତ କରୁନି। ଯେବେ ଲେଖୁଥିଲା ଲାଜୁ ସେସବୁ ପଢିବାକୁ ଇଚ୍ଛୁକ ନଥିଲା , ବିରକ୍ତ ହେଉଥିଲା , ମୁକ୍ତି ଚାହୁଁ ଥିଲା । କିନ୍ତୁ ଯେବେ ପ୍ରକୃତରେ ଚିଠି ଲେଖିବାର ପ୍ରକ୍ରିୟା ସ୍ଥଗିତ ହେଇଗଲା ଭଲ ଲାଗୁନି ଲାଜୁକୁ । ସେ ଖୋଜୁଛି ସେଇ ଶବ୍ଦ ମାନଙ୍କୁ । ସେଗୁଡିକର ସମ୍ମୋହନକୁ , ଆମନ୍ତ୍ରଣକୁ , ଆଲିଙ୍ଗନକୁ । ଦର୍ଶନ ସିନା ଦୂରରେ କିନ୍ତୁ ସେଇ ଶବ୍ଦ ଗୁଡିକ ଥିଲେ ଦର୍ଶନର ମାନସ ସମ୍ଭୂତ , ଭାରି ନିଜର । ସେଥିରୁ ମିଳୁଥିଲା ଦର୍ଶନର ବାସ୍ନା , ତା'ର ସ୍ପର୍ଶ , କେମିତି ଗୋଟେ ଅଭିଭୂତ କରୁଥିଲା ସେଇ ଚିଠିର ଚୌହଦୀ । 


ଦୁଇଦିନ ଛୁଟିରେ ଦର୍ଶନ ଆସିବାର ଖବର ତେଣୁ ଭାରି ଭଲ ଲାଗୁଛି । ଆସିଲେ ପଚାରିବାର ଅଛି କୁଆଡେ ଗଲା ତା' ଭିତରର ସୃଜନକାର ?.....

  

  ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶ ବେଶି ପ୍ରଭାବିତ କରିବା କଥା , ଲେଖିବାକୁ ଉସୁକେଇବା କଥା , ବ୍ୟତିବ୍ୟସ୍ତ କରିବା କଥା । ଆହୁରି ଶାନ୍ତ ପରିବେଶ ପ୍ରଚୁର ସୁଯୋଗ ଦେବା କଥା । ଲେଖିବାର ସ୍ପୃହା ବଢିବା କଥା । କିନ୍ତୁ ଅସମ୍ଭବ ଭାବେ ନିରବ ହେଇଯାଇଛି ଦର୍ଶନ । କାହିଁକି , କିଏ ହରିନେଲା ତା' ଭିତରୁ ଭାବ ସମୁଦ୍ର ? କେମିତି ନିରବ ହେଇଗଲା ତା' ଭିତରର ଉତ୍ତାଳ ଶବ୍ଦ ତରଙ୍ଗ ? ଯେଉଁ ମଣିଷ ପ୍ରତି ସପ୍ତାହରେ ଚିଠିଟେ ଲେଖୁଥିଲା ସେଇ ଲୋକ ତିନି ମାସ ହେଲା ଧାଡି଼ଏ ଲେଖିନି । ବଡ଼ ବିଚିତ୍ର !........ 


***************


--'' ଟିକେଟ କାଟି ବସିଯା ବସ୍ ରେ ଲାଜୁ ଆଉ ଆସ ଏଇଠିକି , ଛୁଟି ମନେଇବା ଦୁହେଁ ।''


--'' ହେ ମଜାକ କରନି ହେଲା , ତୁମେ ଆସ ଏଠିକୁ । ଭଲ ଭାବରେ ଜଣା ତୁମକୁ ମୁଁ ଯିବା ସମ୍ଭବ ନୁହେଁ ।  ମମ୍ମି ରାଜି ହେବନି ।''


--'' ସଭିଏଁ ଆସିଯାଅ ମମ୍ମି ମଧ୍ୟ । ଏଠି ବହୁତ ସୁନ୍ଦର ପରିବେଶ ଦେଖିବା ଉଚିତ । ମୁଁ ତୋ କଂକ୍ରିଟ ସହରରେ ଅଣନିଶ୍ୱାସୀ ହେବାକୁ ଚାହୁଁନି ।''


--" ହେ ଆର ୟୁ ସିରିୟସ !''


--'' ୟେସ୍ !''

  

   ମମ୍ମି ଜାଣେ ଦର୍ଶନକୁ , ସମ୍ମତି ଅଛି ଏଇ ପ୍ରସ୍ତାବରେ ଉଭୟ ପରିବାରର । କେବଳ ଲାଜୁର ଫାଇନାଲ୍ ୟିଅର ପରୀକ୍ଷାକୁ ଅପେକ୍ଷା । ତେଣୁ ଏମିତି ଟିକେ ବୁଲି ଆସିବାରେ କିଛି ପ୍ରତିରୋଧ କରିବାର ନୁହେଁ । କିନ୍ତୁ ମମ୍ମି, ମମ୍ମି ପୁରୁଣା ଚିନ୍ତାଧାରା ତା' ଭିତରେ ସେ କ'ଣ ସହଜରେ ରାଜି ହେବ ?........


--'' ଆମେ ଯିବା ଟିକେ କୋରାପୁଟ ମମ୍ମି , ଦର୍ଶନ ଇଚ୍ଛା କରିଛି ।''


--'' ହେଲେ ମୋର ଛୁଟି ନାହିଁ ବେଟା । ଗୋଟେ ପ୍ରୋଜେକ୍ଟ ୱାର୍କ ରେ ମୁଁ ଭାରି ବ୍ୟସ୍ତ । ତୁ ଏକା ଯାଇ ବୁଲି ଆସ । ''


 ନିଜ କାନକୁ ବିଶ୍ୱାସ କରିପାରିଲା ନାହିଁ ଲାଜୁ । ମମ୍ମି ଏମିତି ପରିବର୍ତ୍ତିତ ହେଇଗଲା କେତେବେଳେ ?....


 ବୋଧହୁଏ ଝିଅଟି ଏବେ ପରିପକ୍ୱ ହେଇଗଲାଣି ମମ୍ମିର ଆଉ ଭୟ ନାହିଁ ଭୁଲ ଭଟକା କଟିବାର । ଏଇଟା ମମ୍ମିର ବିଶ୍ୱାସ । ଲାଜୁ ସମ୍ମାନ କରିବ ଏଇ ବିଶ୍ଵାସର ।


*********


 ଘଞ୍ଚ ଜଙ୍ଗଲ ଭିତରେ ହାତରେ ହାତ ଧରି ଦର୍ଶନ ସହ ଏମିତି ଏକାନ୍ତ ମୁହୂର୍ତ୍ତ ବିତେଇବାର ଅନୁଭବ ନଥିଲା ଲାଜୁର ।

ଗୋଟେ ଭିନ୍ନ ପ୍ରଭାବ ବଣୁଆ ପବନର । କେମିତି ଗୋଟେ ମିଠା ମିଠା ବାସ୍ନା ଚହଟୁଛି ଅଜଣା ଫୁଲର ସବୁଠି । କୁଳୁକୁଳୁ ଶବ୍ଦ କରି ବୋହୁଥିବା ଝରଣାର ସ୍ୱର ମଧ୍ୟ ଖୁବ୍ ସଂଗୀତମୟ । ଏଇ ପରିବେଶରେ ଲାଜୁକୁ ମଧ୍ୟ କବିତାଟିଏ ଲେଖିବାର ଇଚ୍ଛା ହେଉଥିଲା । କିନ୍ତୁ ଦର୍ଶନ ନିରବ ଥିଲା ଅସମ୍ଭବ ଭାବରେ ନିରବ ।


--'' ହେ ଚିଠି କାହିଁ ତୋର ହାଁ । ମୁଁ ଅପେକ୍ଷା କରୁଛି ସବୁବେଳେ ।''


--'' ଆଉ ସମୟ ହେଉନି ରେ । ଜାଣୁ ଏଠି ଯେଉଁ ଅଭିଯାନ ମୋର ସେଠି ମରିବାକୁ ବେଳ ନାହିଁ । ତୋତେ ଦେଖେଇବି ବୋଲି ପା ଡାକିଲି । ଯିବା କାଲି ।''


 ବାସ ସେତିକି ହିଁ କହିଲା ଦର୍ଶନ । କି ଅଭିଯାନ , କି ବ୍ୟସ୍ତତା , କି କାର୍ଯ୍ୟବ୍ୟସ୍ତି ଏଠି । ଅବୁଝା ରହିଗଲା ସବୁ ଲାଜୁ ପାଇଁ ।


*********


 ଘଞ୍ଚ ବଣୁଆ ଗଛଙ୍କ ଭିତରେ ଲୁଚିକି ରହିଛି ଆଦିବାସୀ ବସ୍ତି । ବେଶି ନୁହେଁ , ଦଶ ବାର ଟି ଝୁମ୍ପୁଡି ଘର । ନାଲି ମାଟି ଲିପା ହେଇ ଭାରି ସୁନ୍ଦରୀ ଦିଶୁଛି । ଖପରଲି ଛପର ଘର ଦେଖିଲା ଲାଜୁ ପ୍ରଥମଥର । କୁନି କୁନି ଛୁଆ ଗୁଡେ ବିଲକୁଲ ଲଂଗଳା ହେଇ ଖେଳୁଛନ୍ତି ଗାଁ ଦାଣ୍ଡରେ । ବିଲକୁଲ କଳା ମଚ ମଚ । ଇସ୍ ! ଟିକେ ଅସନା ଲାଗିଲା ଲାଜୁକୁ । ଦର୍ଶନ କିନ୍ତୁ କୋଳେଇ ନେଲେ ଗୋଟିଏ ଛୁଆ । ଛୁଆଟି ଵୋକ ଦେଇଦେଲା ଭାରି ଶ୍ରଦ୍ଧାରେ , ଖୁବ୍ ନିଜର ଭଳି । ଆଶ୍ଚର୍ଯ୍ୟ ହେଲା ଲାଜୁ : ଏତେ ନିଜପଣ କେମିତି !


 ସବୁ ଛୁଆ ଧାଇଁଲେ ଦର୍ଶନ ସହ ଗୋଟେ ନିର୍ଦ୍ଦିଷ୍ଟ ଘର ପାଖକୁ । ସେଠି ଦର୍ଶନ ପହଞ୍ଚି ଆରମ୍ଭ କରିଦେଲା ତା ' କାମ । ସାଥିରେ ସବୁ ଡ଼ାକ୍ତରୀ ଜିନିଷ ଧରି ଆସିଥିଲା ସେ । ରୋଗୀଙ୍କ ଲମ୍ବା ଧାଡି ଲାଗିଥିଲା ସେଠି ଆଉ ଚାଲିଲା ଚିକିତ୍ସା । ବାସ ଅସରନ୍ତି ଥିଲା ସେଇ କାମ । ଆସୁଥିଲେ ଲୋକ ସବୁ କେଜାଣି କୁଆଡୁ କୁଆଡୁ । ଛୋଟ ମୋଟ ସମସ୍ୟାଠୁ ନେଇ ଦୁରାରୋଗ୍ୟ ବ୍ୟାଧି ଯାଏଁ । ଅଶ୍ୱିନୀ କୁମାର ଲାଗୁଥିଲା ଦର୍ଶନ ଲାଜୁକୁ ।  


 କିଏ ଆଶୀର୍ବାଦ ଦେଉଥିଲା ତ କିଏ ଖାଇବା କିଛି । ବାବୁ ସେମିତି ବସିଥିଲା ଖଟିଆ ଉପରେ ସକାଳୁ ସଞ୍ଜ ଯାଏଁ ନିରବିଚ୍ଛିନ୍ନ । 


 ଲାଜୁ ବୁଝିଗଲା ଶବ୍ଦ ସବୁ ସାକାର ହେଇଯାଇଛନ୍ତି ଏଇ ଅଭିଯାନ ଭିତରେ । ଭାବ ସବୁ ଉତୁରି ଆସିଛନ୍ତି ସରଳ ମଣିଷଙ୍କ ସେବାରେ । ଆବଦ୍ଧ ଚେତନା ତକ ଉତୁରି ଯାଇଛନ୍ତି ଅଶ୍ୱିନୀ କୁମାରଙ୍କ ରୂପରେ । ପୂର୍ଣ୍ଣ ହେଇଯାଇଛି ଜୀବନ ପାତ୍ର ଆଉ କିଛି ଅବଶୋଷ ନାହିଁ । ବୁଝୁ ଏଇ ସୃଜନ ଆହୁରି ସମ୍ମୋହକ ।.........



Rate this content
Log in

Similar oriya story from Inspirational