Sangeeta Barik

Inspirational

3  

Sangeeta Barik

Inspirational

ଅବଦାନ

ଅବଦାନ

3 mins
490



     ଅହଲ୍ୟାଙ୍କ ଶତ ବାରଣ ସତ୍ତ୍ବେ ତାଙ୍କ ଛାତିରେ ମୁଣ୍ଡ ଗୁଞ୍ଜି କାନ୍ଦି ଚାଲିଥିଲା ଆଶିଷ୍ । ଯେମିତି ସେ ପଣ କରିଥିଲା ତାର ଅସରନ୍ତି ଲୁହରେ ସମ୍ପୂର୍ଣ୍ଣ ତିନ୍ତେଇ ଦେବ ସେହି ପଣତକୁ ଯେଉଁ ପଣତରେ ସେ ସବୁଦିନ ମୁହଁ ପୋଛେ ।ପୁଅର ଏପରି କାନ୍ଦ ଦେଖି ମାଆଙ୍କର ମଧ୍ୟ ଧର୍ଯ୍ୟ ଭଙ୍ଗ ହେଲା ।ବନ୍ଧ ଭାଙ୍ଗି ଲୁହର ତଟିନୀ ବହିଗଲା । କିଛି ସମୟପରେ ନିଜକୁ ପ୍ରକୄତିସ୍ଥ କରି ପୁଅର ମୁଣ୍ଡ ଆଉଁସେଇ ପଚାରିଲେ


-କଣ ହେଲା ? ତୁ କାହିଁକି କାନ୍ଦୁଛୁ ? ତୁ ପରା ତୋ ଦଶମ ଶ୍ରେଣୀ ଫଳାଫଳ ଓ ନମ୍ବର ଦେଖିବାକୁ ଯାଇଥିଲୁ ?


-ମା ! ମୁଁ ବିଦ୍ୟାଳୟରେ ଅଠାନବେ ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଛି । ଶ୍ରେଣୀ ଶିକ୍ଷକ ମୋତେ ପାଖକୁ ଡାକି ମୋ ପିଠି ଓ ମୁଣ୍ଡରେ ହାତ ବୁଲେଇ ବହୁତ ଆଶୀର୍ବାଦ ଦେଲେ ।ଏହା କେବଳ ସମ୍ଭବ ହୋଇଛି ତୋର ଅଜସ୍ର ଭଲପାଇବା ଓ ଈଶ୍ବରଙ୍କ ନିକଟରେ ପ୍ରଗାଢ ଭକ୍ତି ଯୋଗୁଁ । ବଡବାବୁ ଓ ବଡ ମାଆଙ୍କ ଅବଦାନ ତ ଆମ ଜୀବନରେ ଅବର୍ଣ୍ଣନୀୟ । ତାଙ୍କ ଯୋଗୁଁ ମୋ ପାଠପଢା ଆଜି ପର୍ଯ୍ୟନ୍ତ ଜାରି ରହିଛି ।


-ହେଲେ ଏତେ ବଡ ଖୁସିରେ ତୁ କାନ୍ଦିଲୁ କାହିଁକି ?


-ମା ! ମୋର ଆଜି ବାପାଙ୍କ କଥା ବହୁତ ମନେ ପଡୁଛି ।


ପୁଣି ଥରେ କାନ୍ଦି ଉଠିଲା ଆଶିଷ୍ । ମାଆ କଣ କହିବେ ବୁଝି ପାରୁ ନଥିଲେ ।ସେ ନିଜେ ଛିଡା ହୋଇଥିଲେ ଏକ ସୀମାରେଖା ଉପରେ । ଗୋଟିଏ ପାଖରେ ଲୁହ, ଯନ୍ତ୍ରଣା ଓ ଏକାକିତ୍ଵର ଏକ ବିଶାଳ ପ୍ରାନ୍ତର ଓ ଅନ୍ୟ ପାଖରେ ପୁଅର ବିରାଟ ସଫଳତା । ମଶିଣାଟି ମେଲେଇ ପୁଅକୁ ଶୁଏଇ ତା ମୁଣ୍ଡକୁ ନିଜ କୋଳରେ ରଖି କାନ୍ଥକୁ ଆଉଜି ବସି ପଡିଲେ ସେ । ପୁଅର ମୁଣ୍ଡରେ ହାତ ବୁଲଉ ବୁଲଉ ହଜି ଯାଉଥିଲେ ଅତୀତର କେଇ ପୄଷ୍ଠା ଭିତରେ...


    ତିନି ବର୍ଷ ତଳେ ଶାଶୁଙ୍କର ଚିକିତ୍ସା ନିମନ୍ତେ ବଳିଥିବା ଏକ ମାତ୍ର ସମ୍ପତ୍ତି ଭିଟାମାଟିଟିକୁ ମଧ୍ୟ ବିକ୍ରି କରି ଦେଇଥିଲେ ସ୍ଵାମୀ । ତଥାପି ଶାଶୁ ମଧ୍ୟ ବଞ୍ଚି ନ ଥିଲେ । ବଡବାବୁଙ୍କର ଡ୍ରାଇଭର ଥିଲେ ସ୍ଵାମୀ । ବାବୁଙ୍କ ଘର ପଛପଟେ ଥିବା ଏକ ବଖରିଆ ଘରେ ସୁଖ ଦୁଃଖ ରେ କାଟୁଥିଲେ ନିଜର ସଂସାର । ଏହା ମଧ୍ୟ ଦଇବକୁ ସହ୍ୟ ହେଲାନାହିଁ । ଦୁଇ ବର୍ଷ ପୂର୍ବରୁ ସ୍ଵାମୀ ମଧ୍ୟ ଏକ ରାସ୍ତା ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ । ଦୁଃଖର ଆକାଶ ଛିଡି ପଡିଥିଲା ଅହଲ୍ୟାଙ୍କ ମୁଣ୍ଡ ଉପରେ । ଏ କେଉଁ ଅଭିଶାପର ଦଣ୍ଡ, ସେ ବୁଝି ପାରୁ ନଥିଲେ ।ବିବାହ ବେଦୀରେ ସ୍ଵାମୀଙ୍କ ହସ୍ତରୁ ସିନ୍ଦୂର ପିନ୍ଧିବା ପରଦିନ ଠାରୁ ସକାଳ ପୂଜା ଓ ସନ୍ଧ୍ୟା ଦ୍ଵୀପ ଦେଲା ପରେ ସେ ମଧ୍ୟ ଠାକୁରଙ୍କ ପାଖରେ ମାଗୁଥିଲେ ଅହ୍ୟ ସୁଲକ୍ଷଣୀ ହେବାର ଆଶୀର୍ବାଦ ଠିକ୍ ଅନ୍ୟ ଅହ୍ୟ ନାରୀଙ୍କ ଭଳି । ଗାଧେଇ ସାରି କପାଳରେ ଓ ସୀମନ୍ତରେ ସିନ୍ଦୂର ପିନ୍ଧିଲା ବେଳେ ସ୍ଵାମୀଙ୍କ ମଙ୍ଗଳ କାମନା କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ନୁଆଁଉ ଥିଲା ସେ ।ସବୁ ତ ଭାଗ୍ୟର ବିଡମ୍ବନା । 


    ବଡବାବୁଙ୍କ ଅବଦାନରେ ସେମାନେ ସମ୍ପୂର୍ଣ୍ଣ ବୁଡିଯାଇଥିଲେ ।ଆଶିଷ୍ ର ବହିଖାତା ଠାରୁ ଆରମ୍ଭ କରି ସ୍କୁଲ ଓ ଟିଉସନ୍ ଖର୍ଚ୍ଚ ସବୁ ବହନ କରୁଥିଲେ ବଡବାବୁ । ଅହଲ୍ୟା ବଡବାବୁଙ୍କ ଘରେ ସମସ୍ତ କାର୍ଯ୍ୟ କରିଥାଏ ।ମା ଓ ବଡବାବୁ ଉଭୟ ବହୁତ ସ୍ନେହ କରନ୍ତି ଆଶିଷ୍ ଓ ଅହଲ୍ୟାଙ୍କୁ । ଦୁଇ ଜଣ ଯାକ ଖୁବ୍ ଉଦାର ପ୍ରକୄତିର ଲୋକ ।


     ପୁଅ ମୁହଁକୁ ଅନେଇଲେ ଅହଲ୍ୟା । ବାପାଙ୍କୁ ଝୁରି ଝୁରି ମା କୋଳରେ ଶୋଇ ଯାଇଛି । ସେ ସିନା ମନର କଥାଟିକୁ ଖୋଲି କହିଦେଲା । କିନ୍ତୁ ଅହଲ୍ୟା ....... ? ନିଜର ଦୁଃଖ ସୁଖ କୁ ବାଣ୍ଟିବା ପାଇଁ ସେ ସମ୍ପୂର୍ଣ୍ଣ ଏକାକୀ । ମନର ମଣିଷ ପାଖରେ କହିବାକୁ ଖୁବ୍ ବ୍ୟାକୁଳ ହୋଇଛି କିନ୍ତୁ ତା ବଦଳରେ ପାଇଛି ଏକାକିତ୍ଵର ପୀଡନ । ହୄଦୟର ଲହୁ ଆଖିର ଲୁହ ହୋଇ ତା ପଣତକୁ ଭିଜେଇ ଦେଇଛି ସମ୍ପୂର୍ଣ୍ଣ ରାତ୍ରି ଅନେକ ବାର । ବେଳେ ବେଳେ କାନ୍ଦି କାନ୍ଦି ଛାଇ ନିଦ ମାଡି ଆସିଲା ବେଳେ ପାଖକୁ ଆସନ୍ତି ମନର ମଣିଷ ଟି । ସେ କିନ୍ତୁ ପୂର୍ବ ପରି ଆଉ ବାହୁ ବନ୍ଧନରେ ବନ୍ଦୀ କରନ୍ତି ନାହିଁ କେବଳ ମୁଣ୍ଡ ଆଉଁସେଇ କହନ୍ତି "କାହିଁକି କାନ୍ଦୁଛ ? ମୁଁ ପରା ସଦାସର୍ବଦା ତୁମ ନିକଟରେ ଅଛି ସୂକ୍ଷ୍ମ ରୂପରେ ।" ଆଖି ଖୋଲେ ଅହଲ୍ୟା । ପୁଣି ସେହି ଶୂନ୍ୟତା ।

  ବଡବାବୁଙ୍କ ଡାକରେ ତାର ଧ୍ୟାନ ଭଙ୍ଗ ହେଲା । ପୁଅ ସହ ବାହାରକୁ ଆସିଲା ସେ । ଆଶିଷ୍ ବଡବାବୁଙ୍କୁ ପ୍ରଣାମ କଲା । ଅହଲ୍ୟା ଆଖି ଛଳ ଛଳ କରି କହିଲେ "ବିନା ସ୍ଵାର୍ଥରେ ଆପଣ ଆମ ପାଇଁ ବହୁତ କିଛି କରୁଛନ୍ତି" । ବଡବାବୁ ହସି କହିଲେ "

ବିନା ସ୍ଵାର୍ଥ ? ମୋର ମଧ୍ୟ ସ୍ଵାର୍ଥ ଅଛି । ମୁଁ ଚାହୁଁଛି ଆଶିଷ୍ ବଡ ହେଲେ ମୋ ଭଳି କେହି ଏକ ଗରୀବ ପିଲାର ପାଠପଢାର ଦାୟିତ୍ଵ ନେଉ ।" ମା ଓ ପୁଅ ଦୁହିଁଙ୍କ ଓଠରେ ହସ ଖେଳିଗଲା ।ମୁଣ୍ଡ ଟୁଙ୍ଗାରି ଦେଲେ ସମ୍ମତି ଅର୍ଥରେ ।


(ଯଦି ପ୍ରତ୍ୟେକ ଧନୀ ଓ ଶିକ୍ଷିତ ବ୍ୟକ୍ତି ନଜରରେ ପଡୁଥିବା କେହି ଏକ ଗରିବ ପିଲାର ପାଠପଢା ରେ ସାହାଯ୍ୟ କରନ୍ତେ ତେବେ ଆମ ଦେଶର ଶିକ୍ଷାମାନ ଆହୁରି ବଢି ଯାଆନ୍ତା ।)

               


Rate this content
Log in

Similar oriya story from Inspirational