Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

ପ୍ରଶାନ୍ତ କୁମାର ବେହେରା

Abstract Thriller

5.0  

ପ୍ରଶାନ୍ତ କୁମାର ବେହେରା

Abstract Thriller

ଆଉ ଜଣେ କାଉଲ୍ ( ଏକାଦଶ ଭାଗ )

ଆଉ ଜଣେ କାଉଲ୍ ( ଏକାଦଶ ଭାଗ )

6 mins
251


ଭାଇ ପୁଅକୁ କଥା ଦେଲେ ଆଉ ସେଇ ମୁତାବକ ମଦ ପିଇବା ସମ୍ପୂର୍ଣ୍ଣ ଛାଡିଦେଲେ l ପୂର୍ବରୁ ଘରର ଯାବତୀୟ କାର୍ଯ୍ୟ ସବୁକୁ ଏକୁଟିଆ ଭାଉଜ ହିଁ ବୁଝୁଥିଲେ l ଏବେ କିନ୍ତୁ ଭାଇ ଆମର ନିଶା ମୁକ୍ତ ହେବା ପରେ ଘର କଥା ବି ସବୁ ବୁଝିଲେ l ଏ ଭିତରେ ଭାଉଜ ମଧ୍ୟ ଆମ କଲେଜକୁ ବଦଳି ହୋଇ ଆସିଲେ l ଭାଉଜ ଏବେକା ପରିସ୍ଥିତିରେ ଏତେ ମାତ୍ରାରେ ଖୁସି ଥିଲେ ଯେ, ଖୋଲିକି କୁହନ୍ତି ," ମୋ ଜୀବନରେ ଏମିତି ଖୁସିର ସମୟ ବି ଆସିବ ସେ କଥା କେବେ ବି ଭାବି ନଥିଲି l ଯାହା ହେଉ ସବୁ ସେଇ ଭଗବାନଙ୍କ ଇଛା l ଏତେ ବର୍ଷ ପରେ ସଂସାରର ଜଞ୍ଜାଳ ସେ ମୁଣ୍ତାଇବା କେବଳ ପୁଅ ପାଇଁ ହିଁ ସମ୍ଭବ ହେଲା l "

ଭାଇ ମଦ ଛାଡି ଦେବାର କଠୋର ନିଷ୍ପତି ନେଇ ସାରିବା ପରେ ମଦୁଆଙ୍କ ଆସରରେ ବସିଛନ୍ତି l ବୋତଲ ଖୋଲି ପାଣି ସହିତ ଭାଗମାପ କରି ମଦ ମିଶାଇ ନିଜର ସାଙ୍ଗ ମାନଙ୍କୁ ପରଷି ଦେଇଛନ୍ତି l କିନ୍ତୁ ଆଉ ଢୋକେ ପିଇବାକୁ ମନ ବଳାଇ ନାହାନ୍ତି l ଯେଉଁ ଲୋକ ଅଷ୍ଟମ ନବମ ଶ୍ରେଣୀରୁ ନିଶାପାଣି ପିଇବାରେ ଖୁବ୍ ଅଭ୍ୟସ୍ତ ସେଇ ଲୋକ ଏବେ ନିଶାକୁ ପାଖରେ ପାଇ ମଧ୍ୟ ଛି ବୋଲି କରିଦେଇଛି l ସତରେ ଏମିତି କେବଳ ହିଁ ସମ୍ଭବ ହୋଇପାରେ କାଉଲ୍ ପରି ଦୃଢ଼ମନା ବ୍ୟକ୍ତିତ୍ୱଙ୍କ କ୍ଷେତ୍ରରେ l ସକାଳୁ ଉଠି ମଦରେ ଗାଧୋଉଥିବା ଲୋକ ମଦକୁ ନିଜ ହାତରେ ଅନ୍ୟମାନଙ୍କୁ ପିଇବାକୁ ଦେବା କିନ୍ତୁ ନିଜେ ନ ପିଇବା ଏକଥା ପଶ୍ଚିମ ଦିଗରେ ସୂର୍ଯ୍ୟ ଉଦୟହେବା ପରି କଥା ନିଶ୍ଚୟ l

ଭାଇ ନିଶା ଛାଡିଦେଲେ ମାନେ ଏବେ ଯାହାକୁ କୁହନ୍ତି ପୁରା ସୁନାମୁଣ୍ତା l ଘୋର୍ ନିଶାରେ ଥିବା ଅବସ୍ଥାରେ ବି ଖଣ୍ତାଧାରରେ ଚାଲୁଥିବା ଲୋକ l କଥାରେ ଟିକିଏ ବି ଏପଟ ସେପଟ ହୁଏ ନାହିଁ l ନିଶା ଛାଡିଦେବା ପରେ ପରେ ଭାଇଙ୍କର ଆମ କଲେଜରୁ ଅନ୍ୟ ଗୋଟେ କଲେଜକୁ ଅଧ୍ୟକ୍ଷ ଭାବରେ ବଦଳି ହେଲା l ଏମିତିରେ ତ ଅଧ୍ୟକ୍ଷ ପଦବୀରେ ଭାଇ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟେ କଲେଜରେ ୧୫ ବର୍ଷ ରହି ସେଇ କଲେଜକୁ ଦୃଢ଼ ଭାବରେ ପ୍ରତିଷ୍ଠା କରି ଆମ ଜିଲ୍ଲାକୁ ବଦଳି ହୋଇ ଆସିଥିଲେ l ସେତେବେଳେ ନିଶାରେ ବୁଡି ରହି କଲେଜକୁ ସୁଚାରୁ ରୂପେ ଚଳାଉଥିଲେ , ଆଉ ଏବେ ବିନା ନିଶାରେ ଖୁବ୍ ଭଲ ଭାବରେ ବଦଳି ହୋଇ ଯାଇଥିବା କଲେଜକୁ ଚଳାଇବେ ଏଥିରେ କୌଣସି ପ୍ରକାରର ଆଶଙ୍କା ନଥିଲା l

ଏ ଭିତରେ ଭାଇ ନିଜେ ଗୋଟେ କାର୍ କିଣି ଡ୍ରାଇଭିଂ ଶିଖି ସାରିଥାନ୍ତି l ଅର୍ଥାତ୍ ଯେଉଁ କଲେଜକୁ ଅଧ୍ୟକ୍ଷ ହୋଇ ଗଲେ ସେଠାକୁ ନିଜେ କାର୍ ଡ୍ରାଇଭ୍ କରି ଜଗତସିଂହପୁରରୁ ପ୍ରତିଦିନ ଯିବା ଆସିବା କରିବେ l କଲେଜ ପରିଚାଳନା ଠିକ୍ ଢଙ୍ଗରେ କରୁଥାନ୍ତି l ମାର୍ଚ୍ଚ ମାସରେ ପରୀକ୍ଷା ଆରମ୍ଭ ହେଲା l ଯୁକ୍ତ ଦୁଇ ଓ ଯୁକ୍ତ ତିନିର ପରୀକ୍ଷା ଚାଲେ l ସେଇ ସମୟରେ ଯୁକ୍ତ ତିନିର ପରୀକ୍ଷାରେ ମୋର ଅବଜର୍ଭର ଡିଉଟି ସେଇ କଲେଜରେ ପଡିଲା l ପରୀକ୍ଷାର ପ୍ରଶ୍ନପତ୍ର ଖୋଲା ହେବାଠାରୁ ତିନି ଘଣ୍ଟିଆ ପରୀକ୍ଷା ସରିବା ପରେ ଖାତା ପ୍ୟାକ୍ ହେବା ପର୍ଯ୍ୟନ୍ତ ଅବଜର୍ଭର ସେଠି ରହିବା ନିୟମ ୟୁନିଭରସିଟି କରିଥାଏ l ମୋଟାମୋଟି ଭାବରେ କହିବାକୁ ଗଲେ ପରିକ୍ଷାର୍ଥୀ କାଳେ ପରୀକ୍ଷାରେ କପି କରିବେ ସେଥିପାଇଁ ଏମିତି ବ୍ୟବସ୍ଥା ହୋଇଥାଏ l ଏବେ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଅଣାଗଲାଣି l ଯୁକ୍ତ ଦୁଇ ପରୀକ୍ଷାରେ ଗତ ୨୦୧୭ ଶିକ୍ଷା ବର୍ଷଠାରୁ ସିସି ଟିଭି କ୍ୟାମେରା ଲଗାଯାଇ ପରୀକ୍ଷା କରାଯାଉଥିବା ସ୍ଥଳେ ଏଇ ବର୍ଷ ଠାରୁ ଯୁକ୍ତ ତିନିରେ ମଧ୍ୟ ସମସ୍ତ ପରୀକ୍ଷା ସିସି ଟିଭି କ୍ୟାମେରା ସମ୍ମୁଖରେ କରାଯିବାର ନିଷ୍ପତି ଉଚ୍ଚଶିକ୍ଷା ବଭିଗ ତରଫରୁ ନିଆଯାଇଛି l

ତେବେ ପୂର୍ବରୁ ପ୍ରାୟ କଲେଜ ମାନଙ୍କରେ କପି ହେଉଥିବାରୁ ଏମିତି ଅବଜର୍ଭର ଆଉ ସ୍କ୍ୱାର୍ଡ ମେମ୍ୱର୍ସ ମାନଙ୍କୁ ପଠାଇ କପି ରୋକିବା ବ୍ୟବସ୍ଥା ଉଭୟ କାଉନ୍ସିଲ୍ ଓ ୟୁନିଭରସିଟି ତରଫରୁ କରାଯାଇଥାଏ l ଏମିତି କି ଆମ କଲେଜରେ ମଧ୍ୟ ଏପରି କିଛି ଅବ୍ୟବସ୍ଥାକୁ ଓଡିଶାର ସୁନାମଧନ୍ୟ ସହିତ୍ୟିକ ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଆଚାର୍ଯ୍ୟ ଅଧ୍ୟକ୍ଷ ଥିବା ସମୟରେ ସଜାଡି ଠିକ୍ ବାଟକୁ ଆଣିଥିଲେ l ଅସଜଡା କଲେଜକୁ ସଜାଡିବାକୁ ଯାଇ ଶାନ୍ତନୁ ସାର୍ ସେତେବେଳେ କିଛି ପିଲାଙ୍କୁ ପରୀକ୍ଷାରେ ସ୍ପଟ୍ ଏପ୍ସଫେଲ୍ କରିଥିଲେ l ଅର୍ଥାତ୍ ସେଇଦିନ ପରୀକ୍ଷାରୁ ହିଁ ସେଇ ପରୀକ୍ଷାର୍ଥୀକୁ ବିଦାକରାଯାଇ ଅଗକୁ ଥିବା ପରୀକ୍ଷାରେ ବସିବାକୁ ଅନୁମତି ଦିଆ ଯାଏନାହିଁ l

ତେବେ ସେ ଯାହାହେଉ ସେଦିନ ଭାଇ ମୋତେ ତାଙ୍କ କଲେଜରେ ପାଇ ବହୁତ ଖୁସି ହୋଇଗଲେ l ଏମିତିରେ ଆମ କଲେଜରେ ଥିବା ସମୟରୁ ଭାଇଙ୍କ ସହିତ ବହୁତ ଭଲ ସମ୍ପର୍କ l ଭାଇ ତାଙ୍କ ବିନଦାସ୍ ଷ୍ଟାଇଲ୍ ରେ କହିଲେ , " ବୁଝିଲୁ , ଗେଟ୍ ପାଖରୁ ସବୁ ପିଲାଙ୍କୁ ଚେକ୍ କରି ଯାହାଥିବ ସବୁ ଝାଡିଦେବା l କାହା ପାଖରେ କିଛି ନ ରଖେଇଦେଲେ କଥା ଶେଷ l ଆଉ ପାଖରେ କିଛି ଥିବ ଯେ ପରୀକ୍ଷା ହଲ୍ ରେ ବାହାର କରି କପି କରିବେ ! "

ମୁଁ କହିଲି, " ହଁ ଭାଇ, ଠିକ୍ କଥା l ପ୍ରିଭେନ୍ସନ୍ ଇଜ୍ ବେଟର ଦ୍ୟାନ୍ କିଓର୍ l ଭଲରେ ଭଲରେ ପରୀକ୍ଷା କରେଇନେଲେ ଯାଏ l " 

ଭାଇ ତାଙ୍କ କଥା ମୁତାବକ କଲେଜ ଦ୍ୱାର ଦେଶରୁ ସବୁ ପିଲା ମାନଙ୍କୁ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଦ୍ୱାରା କଡାକଡି ଭାବରେ ଚେକ୍ କରାଇ ହଲ୍ ଭିତରକୁ ଯିବାକୁ ଅନୁମତି ଦେଉଥାନ୍ତି l କହିବା ବାହୁଲ୍ୟ ଯେ, ଯେଉଁ ପରୀକ୍ଷାର୍ଥୀ ସାଙ୍ଗରେ କିଛି କପି ଆଣିଥାନ୍ତି ତାହା ସେଇ ଗେଟ୍ ପାଖରେ ହିଁ ତାଙ୍କ ପାଖରୁ କାଢି ନିଆଯାଉଥାଏ l

ପରୀକ୍ଷା ଆରମ୍ଭ ହେବା ପରେ ସେ ତାଙ୍କ ରୁମ୍ ରେ ବସି ଅଫିସ୍ କାମ କଲେ ଏବଂ ମୁଁ ପରୀକ୍ଷା ହଲ୍ ରେ ବୁଲାବୁଲି କରୁଥାଏ l ପାଖା ପାଖି ପାଞ୍ଚଟି ରୁମ୍ ରେ ପରୀକ୍ଷାର୍ଥୀ ମାନେ ବସି ପରୀକ୍ଷା ଦେଉଥାନ୍ତି l କିଛି ସମୟ ବ୍ୟବଧାନରେ ପ୍ରତି ରୁମ୍ କୁ ମୁଁ ଯାଇ ମୋ ଡିଉଟି କରୁଥାଏ l ପରୀକ୍ଷା ଆରମ୍ଭ ହେବାର ପ୍ରାୟ ଘଣ୍ଟାଏ ପରେ ଦେଖିଲି ଜଣେ ବିବାହିତା ନାରୀ ବାରମ୍ୱାର ନିଜ ଶାଢୀର କାନିକୁ ଦେଖି ପରୀକ୍ଷା ଖାତାରେ କିଛି ଲେଖୁଥାନ୍ତି l ଅନ୍ୟ ପରୀକ୍ଷାର୍ଥୀଙ୍କ ତୁଳନାରେ ତାଙ୍କ ବୟସ ଢେର୍ ଅଧିକ ଥିଲା l ବୋଧହୁଏ କରେଷ୍ପୋଣ୍ତାନ୍ସ୍ ପରୀକ୍ଷାର୍ଥୀ ଭାବରେ ସେ ପରୀକ୍ଷା ଦେଉଥିଲେ l ପାଖକୁ ଯାଇ ଟିକେ ନିରିଖେଇ ଦେଖିବାରୁ ଜାଣିପାରିଲି ସେ ନିଜ ଶାଢୀର କାନିରେ ଛୋଟ ଛୋଟ ଅକ୍ଷରରେ କପି ଲେଖିଛନ୍ତି l

ପରୀକ୍ଷା ନିୟମ ମୁତାବକ ମୁଁ ସେଇ ରୁମ୍ ରେ ଇନ୍ଭିଜିଲେଟର୍ ଭାବରେ ଡିଉଟି କରୁଥିବା ଅଧ୍ୟାପକଙ୍କୁ ମାଲପ୍ରାକ୍ଟିସ୍ ଫର୍ମ ଆଣି ତାଙ୍କୁ ବୁକ୍ କରିବାକୁ କହିଲି l ସେଇ ଫର୍ମରେ ପରୀକ୍ଷାର୍ଥୀ ନିଜ ଶାଢୀରେ ଲେଖିଥିବା କଥା ସହିତ ଡିଟେକ୍ଟେଡ୍ ବାଇ ଅବଜର୍ଭର ବୋଲି ମେନ୍ସନ୍ କରିବାକୁ କହିଲି l 

କିନ୍ତୁ ଯେତେବେଳେ ଭାଇ ଆମର ଜାଣିଲେ ଜଣେକିଏ ଏମ.ପି.ରେ ବୁକ୍ ହେଲାଣି ସେ ସଙ୍ଗେସଙ୍ଗେ ପରୀକ୍ଷା ହଲ୍ କୁ ଦୌଡି ଆସି ଦେଖିଲେ ସେଇ ନାରୀଙ୍କୁ l ବୁଝିଲେ ଆଉ ଦେଖିଲେ ମଧ୍ୟ କପି ଲେଖାଥିବା ଶାଢୀ କାନିକୁ l ମୁଁ ସେତେବେଳେ ଅନ୍ୟ ଗୋଟେ ରୁମ୍ ରେ ଥାଏ l ଭାଇ ସବୁ ଦେଖିସାରି ମୋ ପାଖରେ ପହଞ୍ଚି ଗୋଟେ ଅଦ୍ଭୁତ କଥା କହିଲେ l ତାଙ୍କ କଥାରେ ମୋ ମୁଣ୍ତପୁରା ଜାମ୍ ଧରିଗଲା l

ଭାଇ କହିଲେ, " ବୁଝିଲୁ , ଏ କଲେଜକୁ ସଜାଡିବାକୁ ହେଲେ କିଛି କଡା ପଦକ୍ଷେପ ନେବାକୁ ହେବ l ମୁଁ ଶୁଣିଛି ଶାନ୍ତନୁ ଆଚାର୍ଯ୍ୟ ସାର୍ ( Santanu Acharya Sir ) ଯେତେବେଳେ ଅଧ୍ୟକ୍ଷ ଥିଲେ ସେ କପି ଲେଖାଥିବା ଜଣେ ପରୀକ୍ଷାର୍ଥୀର ସାର୍ଟ ଓ ଆଉ ଗୋଟେ ପିଲାର ନୂଆ ସ୍ପଞ୍ଜ୍ ଚପଲ ମଧ୍ୟ ସିଜ୍ କରି ଖାତା ସହିତ ୟୁନିଭରସିଟିକୁ ପଠାଇଥିଲେ l ଡ. ପି.କେ. ଜେଷ୍ଠୀ ମଧ୍ୟ ଅଧ୍ୟକ୍ଷ ଥିବା ବେଳେ ଗୋଟେ ଝିଅର ଡ୍ରେସ୍ ର ଅସ୍ତ୍ରରେ କପି ଲେଖାଥିବାରୁ ତାକୁ ଡ୍ରେସ୍ ଚେଞ୍ଜ୍ କରାଇ ସେଇ ଅସ୍ତ୍ର୍ ଥିବା ଡ୍ରେସ୍ କୁ ଖାତା ସହିତ ୟୁନିଭରସିଟିକୁ ପଠାଇଥିଲେ l ତେଣୁ ଏଠାକାର ପରୀକ୍ଷା ବ୍ୟବସ୍ଥାକୁ ସଜାଡିବାକୁ ହେଲେ ଆମକୁ କଡା ଆଭିମୁଖ୍ଯ ଗ୍ରହଣ କରିବାକୁ ହେବ l ତେଣୁ ସେ ନାରୀର ଶାଢୀକୁ ସିଜ୍ କରି ଆଜି ଖାତା ସହିତ ୟୁନିଭରସିଟିର ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ପଠାଇଦେବା l "

ମୁଁ ଭାଇଙ୍କର ଏଇ ଅଦ୍ଭୁତ କଥାରେ ପୁରା ହତବାକ୍ ହୋଇ କହିଲି, " ନାଇଁ ଭାଇ, ଏମିତି ଶାଢୀ ପଠାଇବା ଠିକ୍ ହେବନି l ମୁଁ ସେ ହଲ୍ ରେ ଡିଉଟିରେ ଥିବା ଅଧ୍ୟାପକଙ୍କୁ କହିଛି ଏମ.ପି. ଫର୍ମରେ ସବୁ କଥା ମେନ୍ସନ୍ କରିବାକୁ l ସେ ପରୀକ୍ଷାର୍ଥୀ ଏମ.ପି. ହେଲେ ଯାଏ l ସେତେବେଳେ ଏସ.ଭି.ଏମ୍. କଲେଜରେ କେଉଁ ପରିସ୍ଥିତିରେ ଶାନ୍ତନୁ ସାର୍ ଓ ଜେଷ୍ଠୀ ସାର୍ ଏମିତି ନିଷ୍ପତି ନେଇଥିଲେ ଏବେ ଆମେ ସେମିତି କରିବା ଠିକ୍ ହେବନି l " 

ଭାଇ ଆମର କିଛି ସମୟ କଣ ଚିନ୍ତା କଲେ l ତାପରେ " ହଉ ଠିକ୍ ଅଛି " ବୋଲି କହି ମୋ ପାଖରୁ ଚାଲିଗଲେ l

କିଛି ସମୟ ପରେ ଦେଖିଲି କଲେଜର ଜଣେ ମହିଳା କର୍ମଚାରୀ ସେଇ ନାରୀ ଜଣଙ୍କୁ ସାଙ୍ଗରେ ନେଇ କୁଆଡେ ଗଲେ l ତା' ପରେ ଭାଇ ମୋତେ ଜଣେ କର୍ମଚାରୀଙ୍କ ଦ୍ୱାରା ତାଙ୍କ ଅଫିସ୍ ରୁମ୍ କୁ ଡାକାଇଲେ l ସେଠି ପହଞ୍ଚି ଦେଖିଲି ଭାଇ ଆମର ସେଇ ଅଦ୍ଭୁତ କାମକୁ ପୁରା ମୁଣ୍ତି ମାରିଦେଇଛନ୍ତି l ମୁ ସତରେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ କହିଲି ," ଭାଇ , ଏମିତି କେମିତି କଲେ ? ଏମିତି କରିବା ଆଦୌ ଠିକ୍ ହେଲାନାହିଁ l"

ଭାଇ ମୋ କଥାରେ ଟିକେ ହସି ଦେଇ କହିଲେ, " ନାଇଁ ଏ କଲେଜରେ କିଛି ରିଫର୍ମ ଅାଣିବା ନିହାତି ଦରକାର l ସେଥି ପାଇଁ ଏମିତି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି l ଏମାନଙ୍କୁ ସାବାଡ୍ କରିବା ଉଚିତ୍ l ଆମ କଲେଜ ଜଗୁଆଳି ତା' ପରିବାର ନେଇ ଏଇ କଲେଜ କ୍ୟାମ୍ପସ୍ ରେ ରହୁଛି l ତାଙ୍କ ଘରକୁ ଏଇ ପରୀକ୍ଷାର୍ଥୀକୁ ପଠାଇ ଶାଢୀ ପରିବର୍ତ୍ତନ କରାଇଲି l ଏ ନାରୀ ପରୀକ୍ଷା ସରିବା ପରେ ତାଙ୍କ ଘରେ ପହଞ୍ଚିବା ପରେ ଏବେ ପିନ୍ଧିଥିବା ଶାଢିକୁ କଲେଜ ପଠାଇ ଦେବ l  "

ମୁଁ କିନ୍ତୁ କହିଲି, " ଦେଖନ୍ତୁ ଭାଇ, ୧୯୮୦ ରୁ ୧୯୯୦ ମସିହା ଘଟଣା ଅଲଗା ଥିଲା l ସେତେବେଳ କଥା ଏବେକା କଥାରେ ଆକାଶ ପାତାଳ ଫରକ୍ ରହିଛି l ସାମ୍ୱାଦିକ ମାନେ କିମ୍ୱା ଏଇ ନିକଟବର୍ତ୍ତୀ ଏରିଆର ଲୋକମାନେ ଶାଢୀ ଓଲ୍ହାଇବା କଥାକୁ ନେଇ ବଡ ଧରଣର ଇସ୍ସୁ କରିପାରନ୍ତି l ତାପରେ ଅପଣ ଏଇ ପରୀକ୍ଷାର ସୁପରିଣ୍ଟେଣ୍ଡେଣ୍ଟ୍ ଆଉ ମୁଁ ଅବଜର୍ଭର l ଆମ ଉଭୟଙ୍କ ଲେଖାରେ ସେ ପରୀକ୍ଷାର୍ଥୀ ତ ଏମ.ପି. ହୋଇଥାନ୍ତା , ଏମିତି ଶାଢୀ କାଇଁ ପଠାଇବା କହିଲେ ? "

କିନ୍ତୁ ଭାଇ ଆମର ପୁରା ବିନଦାସ୍ ଭାବରେ କହିଲେ, 

" ଯାହା ହେବ ଦେଖାଯିବ l ମୁଁ ଏଇ ଶାଢୀରେ ମୋ ଦସ୍ତଖତ କରିବା ସହିତ ସୁପରିଣ୍ଟେଣ୍ଡେଣ୍ଟ୍ ଷ୍ଟାମ୍ପ ମାରି ଦେଇଛି l ତୁ ବି ଅବଜର୍ଭର ହିସାବରେ ଗୋଟେ ଦସ୍ତଖତ ମାରିଦେ l "

ସତରେ କେବଳ ଦୃଢ଼ମନା ବ୍ୟକ୍ତିମାନେ କେବଳ ଏମିତି ନିଷ୍ପତି ନେଇଥାନ୍ତି l ପରିସ୍ଥିତି କଣ ହେବ ସେଥି ପାଇଁ ଆଦୌ ଭୂକ୍ଷେପ କରନ୍ତି ନାହିଁ l କାଉଲ୍ ଚରିତ୍ରର ଏଇ ହେଉଛି ବୈଶିଷ୍ଟ୍ଯ l 

ମୁଁ କିନ୍ତୁ ପୁରା ଡରିଯାଇ କହିଲି, " ସେ ଶାଢୀ ପଠାଇବା ନିଷ୍ପତି କେବଳ ଆପଣଙ୍କର l ସେଥିରେ ମୋର କୌଣସି ଭୁମିକା ନାହିଁ l ଆପଣଙ୍କ ଦସ୍ତଖତ ସହିତ ସୁପରିଣ୍ଟେଣ୍ଡେଣ୍ଟ୍ ଷ୍ଟାମ୍ପ ବସିଛି , ସେମିତି ୟୁନିଭରସିଟି ପଠାନ୍ତୁ ପଛେ ମୁଁ ସେଥିରେ ଦସ୍ତଖତ କରିବା ପ୍ରଶ୍ନ ଉଠୁନି l " 

ଭାଇ ଆମର ଅଳ୍ପ ହସି ଦେଇ କହିଲେ ," ହଉ ଦସ୍ତଖତ ନ କର l ଏମିତି ପଠାଇଦେବି l "

ଏଇ ଘଟଣା ପୁରା ଜଗତସିଂହପୁରରେ ବ୍ୟାପିଗଲା l ମୋର ସେଇ ଶାଢୀ ଖୋଲି ପଠାଇବାରେ କୌଣସି ଭୁମିକା ନଥିଲେ ବି ସମସ୍ତେ ମୋତେ ହିଁ ଦୋଷ ଦେଲେ l ଏଇ ଘଟଣାକୁ ନେଇ ସେତେବେଳେ କେହି କେହି ମୋ ପଛରେ ମୋତେ ଦୁଃଶାସନ ବୋଲି ଡାକିବା ମୋତେ ଖୁବ୍ ବାଧିବା ସହିତ ଦୁଃଖ ଦେଇଥିଲା l

କ୍ରମଶଃ ...


Rate this content
Log in

More oriya story from ପ୍ରଶାନ୍ତ କୁମାର ବେହେରା

Similar oriya story from Abstract