ପ୍ରଶାନ୍ତ କୁମାର ବେହେରା

Inspirational Others

5.0  

ପ୍ରଶାନ୍ତ କୁମାର ବେହେରା

Inspirational Others

ଆଉ ଜଣେ କାଉଲ୍ (୧ମ ଭାଗ )

ଆଉ ଜଣେ କାଉଲ୍ (୧ମ ଭାଗ )

5 mins
14.7K


ସେ ମୋ ବଡ ଭାଇ ପରି । ବୟସରେ ଦଶ ବର୍ଷରୁ ଅଧିକ ବଡ । ମୁଁ ତାଙ୍କ ନାମ ସହ ଭାଇ ଶବ୍ଦ ଯୋଡିକି ତାଙ୍କୁ ସମ୍ୱୋଧନ କରେ । ସେ ମୋତେ ତାଙ୍କ ସାନ ଭାଇ ପରି ଖୁବ୍ ସ୍ନେହ କରନ୍ତି । ତାଙ୍କ ସହିତ ୧୫ ବର୍ଷରୁ ଉର୍ଦ୍ଧ୍ବ ସମ୍ପର୍କ । ମୁଁ ଅଧ୍ୟାପକ ହେବାର କିଛି ବର୍ଷ ପରେ ସେ ଆମ କଲେଜକୁ ବଦଳି ହୋଇ ଆସିଲେ । ପାଖା ପାଖି ୬ ଫୁଟ୍ ଉଚ୍ଚତା ସହିତ ଗୋରା ତକ୍ ତକ୍ ଚେହେରାର ତେଜଦୀପ୍ତ ମଣିଷଟିଏ । ଯୁବକ ବୟସ ଅତିକ୍ରମ କରିସାରିଥିଲେ ବି ମନର ଦମ୍ଭ, ସାହସ ସହିତ ତାଙ୍କ ଠାଣି ମାଣି ସବୁ କୌଣସି ଯୁବକଠାରୁ ବି କମ୍ ନଥିଲା । ସେତେ ବେଳେ ଅତିବେଶିରେ ମୋତେ ଏଇ ତିରିଶି ବର୍ଷ ବୟସ ହେବ । ଷ୍ଟାଫ୍ କମନ୍ ରୁମ୍ ରେ ମୁଁ ତାଙ୍କୁ ଭଲ କରି ଲକ୍ଷ୍ୟ କରେ । ଠୋ ଠା କଥା ସହିତ ସବୁବେଳେ ବିନଦାସ୍ ଭାବ । କାହାକୁ ଖାତିର୍ ନାହିଁ । ବେଲ୍ ବାଜିଲା ମାତ୍ରେ ପିଲାଙ୍କ ଆଟେନ୍ଡାସ୍ ରେଜିଷ୍ଟର କମନରୁମ୍ ରୁ ଧରି ବୀର ଦର୍ପରେ କାଳ ବିଳମ୍ବ ନକରି କ୍ଲାସ୍ କୁ ଚାଲନ୍ତି । ତାଙ୍କ ପାଠ ପଢା ବିଷୟରେ ପିଲାଙ୍କ ଠାରୁ ତଥ୍ୟ ନେଇ ଜାଣିଲି ଯେ ସେ ଖୁବ୍ ଭଲ ପଢାନ୍ତି । ତାଙ୍କ ବିଷୟରେ ଅଧିକ ଜାଣିବାକୁ ମନରେ ଆଗ୍ରହ ଆସିଲା । ତାଙ୍କ ଇତିହାସ ଭଲ କରି ଘାଣ୍ଟିଲି ।

ମୋ ପରି ସେ ବି ଦିନେ ଏଇ କଲେଜରେ ଛାତ୍ର ଥିଲେ । ତାପରେ ଆମ ପଡିଶା ଜିଲ୍ଲାର ଗୋଟେ କଲେଜରେ ୧୫ ବର୍ଷରୁ ଉର୍ଦ୍ଧ୍ବ କାଳ ଅଧ୍ୟକ୍ଷ ରହି ସେ କଲେଜକୁ ପ୍ରତିଷ୍ଠିତ କରାଇ ବଦଳି ହୋଇ ଆମ ଜିଲ୍ଲାର ଆଉ ଏକ ଅଗ୍ରଣୀ କଲେଜରେ ଅଧ୍ୟାପକ ଭାବାରେ ଅବସ୍ଥାପିତ ହେଲେ । ସେଠି କିଛି ବର୍ଷ ଅଧ୍ୟାପନା କରିବା ପରେ ଆମ କଲେଜକୁ ଆସିଛନ୍ତି । ଓଡିଶାରେ ବଡ ବଡ କଲେଜ ହେଉ ବା ସରକାରୀ କଲେଜର ଅଧ୍ୟକ୍ଷ ହୋଇ କଲେଜ ଚଳାଇବା ଯେତିକି ସହଜ ଗୋଟେ ନୂଆ କଲେଜର ପ୍ରତିଷ୍ଠାତା ଅଧ୍ୟକ୍ଷ ହୋଇ ତାକୁ ଚଳାଇବା ଖୁବ୍ କଷ୍ଟକର କାମ । ଯିଏ ଚଳେଇଥିବ ସେ ନିଶ୍ଚେ ସେ କଷ୍ଟକୁ ଅଙ୍ଗେ ନିଭାଇଥିବ । ତାଙ୍କ ବିଷୟରେ ଏସବୁ ବୁଝିବା ଭିତରେ ନମସ୍କାର ପ୍ରତି ନମସ୍କାର ଆମ ଭିତରେ ଆଦାନପ୍ରଦାନ କେଇ ଥର ଷ୍ଟାଫ୍ କମନରୁମ୍ ବା କଲେଜ ବାରଣ୍ଡାରେ ହୋଇ ସାରିଥାଏ । ତାଙ୍କର ସବୁବେଳେ ସେଇ ବେଖାତିର୍ ଭାବ ସହିତ ଛାତି ଫୁଲାଇ ମୁଣ୍ଡକୁ ସିଧା କରି ବୀର ଦର୍ପରେ ଚାଲିବାର ଶୈଳୀ ମୋତେ ତାଙ୍କ ଆଡକୁ ଆକୃଷ୍ଟ କରୁଥାଏ ।

ଆସ୍ତେ ଆସ୍ତେ ତାଙ୍କର ମୋର ସମ୍ପର୍କ ବଢିବାରେ ଲାଗିଲା । ତାଙ୍କ ସହିତ ଯେତିକି ଯୋଡି ହେଉଥିଲି ସେତିକି ଅଧିକ ଆଶ୍ଚର୍ଯ୍ୟ ବି ହେଉଥିଲି । ପାଟି କଳରେ ସବୁବେଳେ କଡାପାନ ଥିବ । ଅହରହ ସିଗାରେଟ୍ ଟଣା ଚାଲିଥିବ । ଆଉ ମଦ୍ୟପାନ କଥା ନ କହିଲେ ଭଲ । ଯାହାକୁ କୁହନ୍ତି ସକାଳୁ ଉଠି ମଦରେ ମୁହଁ ଧୁଆ ନହେଲେ ନ ଚଳେ । ଅର୍ଥାତ୍ ସେ ଦିନକୁ ଯେତିକି ମଦ ପିଅନ୍ତି, ତାଙ୍କ ପାଖରେ ବଡ ବଡ ମଦୁଆ ବି ହାର୍ ମାନିବାକୁ ବାଧ୍ୟ । ସବୁବେଳେ ନିଶା ଖାଇ ବି ନିଶାଖୋର ପରି ବ୍ୟବହାର କେବେ ଦେଖାନ୍ତିନି । ଏକବାରେ ଲାଇନ୍ ରେ କଥାବାର୍ତ୍ତା । ଖଣ୍ଡା ଧାରରେ ଚାଲିବା ଲୋକ । ପିଲାଙ୍କ କ୍ଲାସ୍ ନେବାବେଳେ କେବେ ବି ବେଲାଇନ୍ ହେବାର ଅଭିଯୋଗ ଉଠିନି । ଏମିତିରେ ଲୋକଟା ସତରେ ଅସମ୍ଭବ ଧରଣର ଇଚ୍ଛା ଶକ୍ତିର ଅଧିକାରୀ ।

ତା ପରେ ପୁଣି ତାଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଲି । ପ୍ରଥମେ ଯେଉଁଠି ଅଧ୍ୟକ୍ଷ ଥିଲେ ସେଠି ଜଣେ ଅଧ୍ୟାପିକାଙ୍କୁ ପ୍ରେମ କରି ବିବାହ କରିଛନ୍ତି । ତା ମାନେ ଲୋକଟା ସବୁଥିରେ ପାରଙ୍ଗମ - ପାଠରେ, ଶାଠରେ, ନିଶାରେ ଆଉ ପ୍ରେମରେ ବି । ଏମିତିରେ ପ୍ରେମ ପ୍ରଣୟ କଥା ସବୁବେଳେ ମନ ଭିତରେ କେମିତି ଏକ ଉଲ୍ଲସିତ ଭାବ ସୃଷ୍ଟି କରେ । ପ୍ରେମଟା କିଛି ନୂଆ ନୁହେଁ । ଆମ ପୂର୍ବରୁ ଥିଲା, ଆମେ କଲେଜରେ ପଢିଲା ବେଳେ ବି ଥିଲା ଆଉ ଏବେ ବି ଅଛି । ଖାଲି ଯାହା ଚରିତ୍ରମାନେ ବଦଳି ଯାଉଛନ୍ତି । ପ୍ରେମରେ କିଛି ସଫଳ ହୋଇ ବହା ହୁଅନ୍ତି ଆଉ ସୁଖ ଶାନ୍ତିରେ ରୁହନ୍ତି । ଆଉ କିଛି ବାହା ହୋଇସାରି ବୁଝାମଣା ଅଭାବରୁ ବହୁତ ବଡ ଭୁଲ୍ ହୋଇଗଲା ବୋଲି ଚିନ୍ତାକରି ଖୁବ୍ ପସ୍ତାଇବା ଆରମ୍ଭ କରନ୍ତି । କିଛି ସ୍ୱାମୀ ସ୍ତ୍ରୀଙ୍କର ବିବାହ ବିଚ୍ଛେଦ ଯାଏ ବି କଥା ଯାଏ ।

ଆଉ କିଛି ପ୍ରେମ କାହାଣୀ ସେଇ କଲେଜରେ ଆରମ୍ଭ ହୋଇ ସେଇଠି କବର୍ ନେଇଯାଏ । ଏକ ପାଖିଆ ପ୍ରେମ ବି ଖୁବ୍ ଦେଖାଯାଏ ଏଇ କଲେଜ ଜୀବନରେ । କେଉଁଠି ପୁଅଟା ଭଲ ପାଉଥିବା ଝିଅଟା ଆଉ କାହାକୁ ଭଲ ପାଉଛି ତ ଆଉ କେଉଁଠି ଠିକ୍ ତାର ଓଲଟା ଘଟଣା ଘଟୁଥାଏ । ଏମିତିରେ କଲେଜରେ ଯେତେ ସବୁ ଗଣ୍ଡଗୋଳ, ମାଡ ଗୋଳ ହୁଏ ପ୍ରାୟତଃ ଏଇ ପ୍ରେମ ବ୍ୟାପାରକୁ ନେଇ । ଛାଡନ୍ତୁ ସେ ଭିତରକୁ ଆମେ ଯିବାନି ।

ପ୍ରେମରେ ଅସଫଳ ହେଉଥିବା ଲୋକ କିନ୍ତୁ ଗୋଟିଏ ବଢିଆ ଯୁକ୍ତି ସାମ୍ନାକୁ ଆଣେ । ଖୁବ୍ ଅକାଟ୍ୟ ଯୁକ୍ତି ବୋଲି ମନ ଖୋଲି କହେ । ସେମାନଙ୍କ ମତରେ ପ୍ରେମ ସଫଳ ହେଲେ ମୃତ୍ୟୁ ଆଉ ଅସଫଳ ହେଲେ କୁଆଡେ ପ୍ରେମଟା ଅମର ହୋଇଯାଏ । ଏ କାଟେଗୋରିରେ ଆସୁଥିବା ପୁଅ ବା ଝିଅ ମାନେ ପରେ ଅନ୍ୟ କାହାକୁ ବିବାହ କରନ୍ତୁ ବା ପ୍ରେମକୁ ଝୁରି ଝୁରି ଆଜୀବନ ଅବିବାହିତ ରହିଥାନ୍ତୁ - ଏମାନେ ସବୁ ସେ ପ୍ରେମ କଥା ପଡିଲେ ବୁଢା ବୁଢା ହେବାଯାଇ ଖୁବ୍ ଉଲ୍ଲସିତ ହୁଅନ୍ତି । ସେମାନଙ୍କ ପ୍ରେମଟା ସତରେ ଅମର ହେଇଯାଏ । ଆଉ ଏଇ ପ୍ରେମଟାକୁ ଅମର କରୁଥିବା ଲୋକ ମାନଙ୍କ ସଂଖ୍ୟା ଏ ସମାଜରେ ସବୁ ସମୟରେ ଢେର୍ ଅଧିକ ।

ଏଠି ମୋର ସେଇ ବଡ ଭାଇ ପ୍ରେମ କରିଛନ୍ତି, ସଫଳ ହୋଇଛନ୍ତି , ତାଙ୍କ ପ୍ରେମିକାଙ୍କୁ ବିବାହ କରିଛନ୍ତି । ପୁରା ବିନଦାସ୍ ଜୀବନ ବିତାଉଛନ୍ତି । ମୁଁ ପ୍ରେମଟାକୁ ଅମର କରିଦେଇଥିବା କାଟେଗୋରିରେ ଆସିବା ଲୋକ । ଉପରକୁ ଯେତେ ଯାହା କହିଲେ ବି ମନ ଭିତରେ ସଫଳ ପ୍ରେମ କରାଳିଙ୍କୁ ଦେଖିଲେ ମହାପୁରୁଷ ଦେଖିଲା ପରି ଲାଗେ । ତେଣୁ ମୋ ଭକ୍ତି ଭାବଟା ଭାଇଙ୍କ ପ୍ରତି ଅହୁରି ବଢିଗଲା ।

ଭାଇଙ୍କ ଉପରେ ଆଗକୁ ଯିବା ପୂର୍ବରୁ ଗୋଟେ ଖୁବ୍ ମଜାଦାର୍ ପ୍ରେମ କଥା କହୁଛି । ଏମିତି ଘଟଣା କେବଳ ଆମ କଲେଜ କାହିଁକି ସାରା ଓଡିଶାରେ ବି ଘଟୁଥିବ । ୨୦୦୪ କିମ୍ୱା ୨୦୦୫ ମସିହା କଥା । ଦିନେ ପ୍ରିନ୍ସପାଲ୍ ବିମଳ ସାର୍ ମୋତେ ଡକାଇ ପଠାଇଲେ । ଯାଇ ଦେଖିଲି ସାର୍ ଙ୍କ ପାଖରେ କିଛି ଝିଅ ଠିଆ ହୋଇଛନ୍ତି । ମୋତେ ଦେଖୁ ଦେଖୁ ସାର୍ କହିଲେ , " ୟାଙ୍କ କଥା ବୁଝ । ଦୁଇଦିନ ତଳେ ବି କିଛି ଝିଅ ଏଇ ଅଭିଯୋଗ ଆଣି ଆସିଥିଲେ । ଆଜି ସେଇ ସେମ୍ ଅଭିଯୋଗ ଏମାନେ ବି ଆଣି ଆସିଛନ୍ତି ।"

ଅଭିଯୋଗ ହେଉଛି - ସେମାନଙ୍କ ସାଇକେଲ୍ ପମ୍ପ୍ କେହି ଖୋଲି ତା ଭଲ୍ଟ୍ୱୁ କାଢି ନେଇ ଯାଉଛନ୍ତି । ଦୁଇଦିନ ପୂର୍ବରୁ ଯେଉଁ ପିଲାମାନେ ଆସିଥିଲେ ସେମାନଙ୍କର ଏଇ ଏକା ଅଭିଯାୋଗ ଥିଲା । ଏ ସବୁ ପିଲା ହେଉଛନ୍ତି ଯୁକ୍ତ ଦୁଇର ବିଜ୍ଞାନ ଛାତ୍ରୀ । ସେମାନେ କଲେଜ ସାଇକଲ୍ ଷ୍ଟାଣ୍ଡ୍ ରେ ସାଇକେଲ ନ ରଖି ତାଙ୍କ ବ୍ଲକ୍ ପାଖରେ ଥିବା ବରଗଛ ମୂଳରେ ରଖିଥିଲେ । ମୁ୍ଁ କିଛି ଯୁକ୍ତ ତିନିର ସ୍ଥାନୀୟ ପିଲାଙ୍କୁ କାଇଁ ଏମିତି ହେଉଛି ବୁଝିବାକୁ କହିଲି । ସେମାନେ ବୁଝିକି ଯାହା କହିଲେ ମୁଁ ଶୁଣିକି ପୁରା ତାଜୁବ୍ ।

କଥାଟା ହେଉଛି ଏମିତି । ସେତେବେଳେ ଦୁଇଟା ହିନ୍ଦୀ ଫିଲ୍ମ ମେର୍କେଟ୍ ରେ ଚହଳ ପକାଇଥିଲା । ଧୁମ୍ ଆଉ ମର୍ଡର୍ । ସେଇ ଯୁକ୍ତ ଦୁଇ ବିଜ୍ଞାନର କିଛି ଛାତ୍ର ମିଶି ଧୁମ୍ ଗୃପ୍ ଆଉ କିଛି ମର୍ଡର୍ ଗୃପ୍ କରିଥିଲେ । ସେମାନେ ତାଙ୍କ ତାଙ୍କ ଭିତରେ ଫାଇନାଲ୍ କରି ଝିଅ ମାନଙ୍କୁ ଭଲ ପାଉଥିଲେ ଯାହାକି ସେ ଝିଅ ମାନେ ଜାଣି ନଥିଲେ । ପୂର୍ବ ଥର ମର୍ଡର ଗୃପ୍ ବାଲା ମିଶି ଧୁମ୍ ଗୃପର ପୁଅମାନେ ଏକ ପାଖିଆ ଭଲ ପାଉଥିବା ଝିଅ ମାନଙ୍କର ପମ୍ପ୍ ଖୋଲିଥିବା ବେଳେ ଏଥର ଧୁମ୍ ଗୃପ୍ ବାଲା ମର୍ଡର ଗୃପ୍ ର ପୁଅମାନେ ଭଲପାଉଥିବା ଝିଅ ମାନଙ୍କର ସାଇକେଲ୍ ରୁ ପମ୍ପ୍ ଖୋଲି ବଦ୍ଲା ନେଇ ମାମଲା ବରାବର କରି ଦେଇଛନ୍ତି ।

ଏଠି ଦେଖନ୍ତୁ ପ୍ରେମ କଣ ? ଝିଅ ମାନେ ଜାଣି ନାହାନ୍ତି ତାଙ୍କୁ କିଏ ଭଲ ପାଉଛି ବା ପ୍ରେମ କରୁଛି । ପ୍ରେମ ନକରି ପ୍ରେମିକା ହୋଇ ବିନାକାରଣରେ ହଇରାଣ ହେଲେ । ସାଇକେଲ୍ କୁ ଗଡେଇ ଗଡେଇ ଘରକୁ ନେଲେ ବା ପଇସା ଖର୍ଚକରି ସଜାଡିଲେ । ଏବେ ଅବଶ୍ୟ ସମୟ ବଦଳିଛି । ସମୟର ସାଥେ ସାଥେ ତାଳ ଦେଇ ପ୍ରେମର ସଂଜ୍ଞା ବି ବଦଳୁଛି । କିନ୍ତୁ ପ୍ରେମ ସଫଳ ହୋଇ ପ୍ରେମର ମୃତ୍ୟୁ ହେଉଛି ବା ଅସଫଳ ହୋଇ ପ୍ରେମ ଅମର ହୋଇଯାଉଛି - ଏ କଥାର ସଂଜ୍ଞା ଆଦୌ ବଦଳି ନାହିଁ । ଏବେ ବି ପ୍ରେମ ଅଧିକ ସଂଖ୍ୟାରେ ସେମିତି ଅମର ହେଉଛି । ( କ୍ରମଶଃ)

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya story from Inspirational