ଆତ୍ମସନ୍ତୋଷ
ଆତ୍ମସନ୍ତୋଷ
ଦୀର୍ଘ ଛ'ମାସ ପରେ ଧାରିଣୀ ଘରକୁ ଫେରୁଛି ଶୁଣି ଧରିତ୍ରୀ ବହୁତ ଖୁସି ହୋଇଯାଉଥିଲା।ଯଦିଓ ସାମୟିକ ବ୍ୟବସ୍ଥା ତାକୁ କରିବାକୁ ପଡୁଥିଲା । ଉପର ମହଲାର ଗୋଟିକିଆ ରୁମ୍ ଟିକୁ ହୋମ କ୍ୱାରେନ୍ଟାଇନ୍ ପାଇଁ ରହିବା ଉପଯୋଗୀ କରିବାକୁ ଯଥାସାଧ୍ୟ ଚେଷ୍ଟାକରି ସବୁ ବ୍ୟବହାର୍ଯ୍ୟ ଜିନିଷର ଗୋଟି ଗୋଟି କରି ନିଜେ ତଦାରଖ କରୁଥିଲା ହେଲେ ମନ ଭିତରେ ଆଶା ଓ ଆଶଙ୍କାର ଫେଣ୍ଟାଫେଣ୍ଟି ରଙ୍ଗଟା ଯେମିତି ବୋଳି ହୋଇଯାଉଥିଲା!
ଗତ କିଛି ବର୍ଷର ଜିଦ୍ଦିଟା ଯେମିତି ଧାରିଣୀର ରଙ୍ଗ ନେବାକୁ ବସିଥିଲା ଆଉ ସେକଥା ଭାବି ଭାବି ତା'ମନ ସାମାନ୍ୟ ଭାରାକ୍ରାନ୍ତ ହୋଇଯାଉଥିଲା!ଯଦିଓ ଧାରିଣୀର ସବୁ ଯୁକ୍ତିକୁ ମନେ ମନେ ସମର୍ଥନ କରିପାରୁଥିଲା ହେଲେ ରଜତଙ୍କର ରାଗ ଓ ଇଗୋ ପାଖରେ ତା'ର କୌଣସି ଯୁକ୍ତି ଯେ କାର୍ଯ୍ୟକାରୀ ହୋଇପାରେ ନାହିଁ ଏକଥା ମଧ୍ୟ ମର୍ମେ ମର୍ମେ ଅନୁଭବ କରୁଥିଲା।ଧାରିଣୀ ମଧ୍ୟ ବାପ ଭଳି ଜିଦ୍ଦି ହୋଇଥିବାରୁ ନିଜ ଆଦର୍ଶରେ ଅଟଳ ହୋଇ ରହିଯାଇଥିଲା ଯଦିଓ ବାପ ମା ଙ୍କ ହିସାବରେ ତା'ର ବିବାହ ବୟସ ପ୍ରାୟ ଅତିକ୍ରାନ୍ତ ହେବାକୁ ବସୁଥିଲା!
ଏକମାତ୍ର ସନ୍ତାନର ବିବାହକୁ ନେଇ ଅନେକ ଆଶା ଓ ଆକାଂକ୍ଷାକୁ ଯେମିତି ରଜତ ହାତଛଡା କରିବାକୁ ଚାହୁଁନଥିଲେ।ଅବଶ୍ୟ ଧାରିଣୀ ର ତା'ବାପାଙ୍କ ମନରେ କଷ୍ଟ ଦେବାର କୌଣସି ଅଭିପ୍ରାୟ ନ ଥିଲା ହେଲେ ଅନାବଶ୍ୟକ ଆଡମ୍ବର ଯେ କେତେ ମୂଲ୍ୟହୀନ ଏକଥା ତାଙ୍କୁ ବୁଝାଇବାକୁ ଯାଇ ତାଙ୍କ ସମ୍ମତିକୁ ଅପେକ୍ଷା କରି ଅନେକ ଉପଯୁକ୍ତ ବିବାହ ପ୍ରସ୍ତାବକୁ ଆଡେଇ ଚାଲିଥିଲା।
ରୁମ୍ ଟିକୁ ସଜାଡୁ ସଜାଡୁ ଧରିତ୍ରୀ ର ମନ ଭିତରଟା କେମିତି ଗୋଳେଇଘାଣ୍ଟି ହୋଇଯାଉଥିଲା।ଧାରିଣୀ ର ଆସିବାର ଉତ୍ସୁକତା ସାଙ୍ଗରେ ଛ'ମାସ ତଳର ଘଟଣାଟି ମଧ୍ୟ ଯେମିତି ଯୋଡି ହୋଇଯାଉଥିଲା।ସେଦିନର ରଜତ ଓ ଧାରିଣୀର କଥା କଟାକଟି ଓ ମତାନ୍ତରଟା ଯେମିତି ଚେଇଁ ଉଠୁଥିଲା।ବହୁ କଷ୍ଟରେ ଯଦିଓ ଦୁହିଁଙ୍କୁ ଶାନ୍ତ କରାଇଥିଲା ମତାନ୍ତରଟି ମନାନ୍ତର ନ ହେବାର ସବୁପ୍ରକାର ଚେଷ୍ଟା କରିଥିଲା ହେଲେ କିଛି ଦିନ ପର୍ଯ୍ୟନ୍ତ ବାପ ଝିଅଙ୍କର ଫୋନରେ କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇ ଯାଇଥିଲା। ସେତକ ତା'କୁ ମର୍ମାହତ କରିଥିଲେ ମଧ୍ୟ ଖୁବ୍ ଶୀଘ୍ର ତାର ଅନ୍ତ ଘଟିବାର ଆଶାଟି କିନ୍ତୁ ଛାଡି ନ ଥିଲା।ମନଭିତରେ ସେଇ ଘଟଣାଟିର ପୁନରାବୃତ୍ତିକୁ ଭୟ କରି ଆଶା ଓ ଆଶଙ୍କା ଭିତରେ ଝୁଲି ପଡୁଥିଲା! କିନ୍ତୁ ଧାରିଣୀ ଯେ ବିବାହ କରିବାକୁ ଚାହୁଁଛି-ଏତିକି ତା'ପାଇଁ ଖୁସି ର ପାଥେୟ ହୋଇଯାଇଥିଲା।ଯଦିଓ ଧାରିଣୀ କାହାକୁ ବିବାହ କରିବାକୁ ଚାହୁଁଛି ଜଣାଇନଥିଲା ହେଲେ ନିଜେ ଠିକ କରିସାରିଛି ବୋଲି ଧରିତ୍ରୀ ନିଶ୍ଚିତ ହୋଇ ଯାଇଥିଲା।ଆସିଲେ ହୁଏତ ତା'ପାଖରୁ ସବୁ ବୁଝିପାରିବ ଭାବି ନିଜକୁ ବୁଝାଉ ଥିଲା!
ନିର୍ଦ୍ଧାରିତ ସମୟରେ ଧାରିଣୀର ଉପସ୍ଥିତିରେ ଯଦିଓ ଧରିତ୍ରୀ ଉତ୍ ଫୁଲ୍ଲିତ ହୋଇଯାଇଥିଲା,ହେଲେ ରଜତଙ୍କ ସାଙ୍ଗରେ ଧାରିଣୀର ଆଲୋଚନାକୁ ଯେମିତି ଅଣ ନିଶ୍ଵାସୀ ହୋଇ ଅପେକ୍ଷା କରି ରହି ଥିଲା। ଅବଶ୍ୟ ରଜତଙ୍କୁ ସେପର୍ଯ୍ୟନ୍ତ ଧାରିଣୀର କିଛି ବି ତା'ସଙ୍ଗରେ ଆଲୋଚନା ବିଷୟରେ ଜଣାଇନ ଥିଲା !କେବଳ ଧାରିଣୀର ଆଣିଥିବା ଛୋଟ ଆଲବମଟିକୁ ରଜତଙ୍କୁ ଦେଖାଉ ଦେଖାଉ କେମିତି ଅନ୍ୟମନସ୍କ ହୋଇ ଉଠିଥିଲା।ଏତେବର୍ଷ ପରେ ହାତରେ ଆଲବମ ଟିଏ ପାଇ ରଜତ ଯେମିତି ବହୁ ବର୍ଷ ତଳକୁ ଫେରିଯାଇଥିଲେ!ଡିଜିଟାଲ ଯୁଗରେ ସମସ୍ତେ ଆଲବମଟିକୁ ଭୁଲିଯିବାକୁ ବସିଲାବେଳେ ସେ ତାଙ୍କ ପ୍ରିୟ ଜିନିଷଟିକୁ ସବୁବେଳେ ଝୁରୁଥାନ୍ତି । ଆଉ ଯୁକ୍ତି ବାଢି ବସୁଥିଲେ ଯେ ଆଲବମ ଦେଖିଲା ବେଳେ ଯୋଉ ଖୁସି ଲାଗେ ଫୋନ ରେ ଫୋଟୋ ଗୁଡିକ ଦେଖିଲେ ତାଙ୍କୁ ସେତିକି ଖୁସି ମିଳେନି!
ଆଲବମ ଟିକୁ ଅତି ଖୁସି ରେ ଦେଖୁ ଦେଖୁ ରଜତଙ୍କ ଆଖିର ଚମକରେ ଧରିତ୍ରୀ କିଛି କହିବାକୁ ସାହସ ସଞ୍ଚୟ କରୁ କରୁ ରଜତ କହିଉଠିଥିଲେ-ଆରେ,ଆମ କୁନି(ଧାରିଣୀ ର ଡାକ ନାମ)ଏଠି କେତେ ଖୁସି ଦେଖାଯାଉଛି ଦେଖୁଛ!ସେ ପିଲାସବୁଙ୍କ ଭିତରେ ପୁରା ବାରି ହୋଇ ପଡୁଛି!ତା'ପରେ ସାମାନ୍ୟ ରହିଯାଇ ଭଲକରି ଆଉ ଟିକିଏ ଦେଖି କହିପକାଇଲେ,ଏଗୁଡା କ'ଣ କୋଉ ଅନାଥ ଆଶ୍ରମର କି?ସେମିତିଆ ଲାଗୁଛି!ଏବେ ତ ଲକ୍ ଡାଉନ୍ ହେଉଛି ସେଠିକୁ କେମିତି କେତେବେଳେ ଯାଇକି ଏ ଫୋଟୋ ଗୁଡା ଉଠେଇଛି?ରଜତଙ୍କର ପଠାଇଥିବା ଜନ୍ମଦିନର ଡ୍ରେସ ଟିରେ କୁନି ତାଙ୍କର ବେଶ୍ ସୁନ୍ଦର ଓ ଖୁସି ଦିଶୁଥିବାର ଦେଖି ରଜତଙ୍କ ମୁହଁରେ ଛୋଟିଆ ଖୁସିର ଗାରଟିଏ ଟାଣି ହୋଇଯାଇଥିଲା।ଧରିତ୍ରୀଙ୍କର ନାପସନ୍ଦ ହୋଇଥିବା ଡ୍ରେସ ଟିରେ ଯେ 'ତାଙ୍କ କୁନି' ଏତେ ସୁନ୍ଦର ଦିଶିବ ସେକଥା ଯେମିତି ରଜତ ଭାବି ପାରିନଥିଲେ! ଆଖିର ଚମକଟା ତାଙ୍କର ବଢି ଯାଇଥିଲା ସତେ ଯେମିତି ନିଜ ପସନ୍ଦଟି କୁନିର ପସନ୍ଦ ହେବ କି ନାହିଁ ର ଦ୍ବନ୍ଦ୍ୱ ଭିତରୁ ନିଜକୁ ମୁକୁଳାଇ ନେଇଥିଲେ!
ଚାହୁଁ ଚାହୁଁ କ୍ୱାରେଣ୍ଟାଇନ୍ ର ୧୪ଟିଦିନ ଯେ କେତେ ଶୀଘ୍ର କଟି ଯାଇଥିଲା କାହାକୁ ଜଣାପଡିନଥିଲା!କୁନିର ଉପସ୍ଥିତି ଯେମିତି ରଜତ ଓ ଧରିତ୍ରୀର ବଞ୍ଚିବାର ସବୁ ଖୋରାକ ଯୋଗାଇ ଦେଇଥିଲା! ଗତ କିଛି ମାସର ଅନିଶ୍ଚିତତା ଭରା ଜୀଵନ ଓ କଟକଣା ପୂର୍ଣ୍ଣ ଜୀବନ ଶୈଳୀ ରେ ଅତିଷ୍ଠ ରଜତ ଓ ଧରିତ୍ରୀ ଯେମିତି ବଞ୍ଚିବାର ଇଛାଟିକୁ ଧୀରେ ଧୀରେ ହରାଇ ବସୁଥିଲେ !ସେ ପରିସ୍ଥିତି ସାଙ୍ଗରେ ଧାରିଣୀ ସହିତ ମନ ମାଳିନ୍ୟଟା ରଜତଙ୍କୁ ଭିତରେ ଭିତରେ ଅନେକ କଷ୍ଟ ଦେଉଥିଲେ ମଧ୍ୟ ମୁହଁରେ କିଛି କହିପାରୁନଥିଲେ। ଉପର ମହଲା ର ରୁମ୍ ଟିରେ ଧାରିଣୀ ରହିଲେ ମଧ୍ୟ, ବାହାରେ ସାମାଜିକ ଦୂରତ୍ୱ ଠିକ ରଖି ଚେୟାର ପକାଇ ରଜତ ଓ ଧରିତ୍ରୀ ଦୁହିଁଙ୍କର ତା'ସାଙ୍ଗରେ ବାର୍ତ୍ତାଳାପ ଚା'ଖିଆ, ଜଳଖିଆ ଖାଇବା, ସବୁ ଯେମିତି ଖୁବ୍ ସହଜ ହୋଇଥିଲା! ରଜତଙ୍କର ଅନେକ ଅଭିମାନ ଯେମିତି ସେଇ ୧୪ ଦିନରେ ମିଳେଇ ଯାଉଥିଲା!ନିତି ଦିନର ଖବର ସାଙ୍ଗରେ ଯୁଗପୋଯୋଗି ତର୍କ ବିତର୍କ ଯେମିତି ତିନି ଜଣଙ୍କୁ ସେ ଅଣ ନିଶ୍ଵାସୀ ପରିବେଶ ଠାରୁ ଅନେକ ଦୂରକୁ ନେଇଯାଉଥିଲା!'କରୋନା ମହାମାରୀ ' ର ପ୍ରଭାଵ ପ୍ରକୃତି ଓ ସମାଜ ଉପରେ ଯେ କିପରି ପଡିପାରିଛି ସେକଥାର ଭାବଗର୍ଭକ ଭାଷଣ ମା'ଝିଅ ଙ୍କ ଆଗରେ ଦେଉ ଦେଉ ରଜତଙ୍କର ମନ ଭିତରେ ଥିବା ଅନେକ ଛୋଟ ବଡ଼ ଆଶା ଓ ଆକାଂକ୍ଷାକୁ ଧାରିଣୀ ଠିକ ଅନୁଭବ କରିପାରିଥିଲା ।ଆଉ ଯୋଉଥି ପାଇଁ ନିଜର ଘରକୁ ଆସିବାର ଉଦ୍ୟେଶଟା ମଧ୍ୟ ସେତେବେଳେ ଜଣାଇବାକୁ ସମୀଚିନ ଭାବିନଥିଲା!ହେଲେ ,ସେଇ ଆଲୋଚନା ଭିତରେ ନିଜ ମନ ଭିତର କଥା କେତୋଟି ମଧ୍ୟ ଅପ୍ରକାଶ୍ୟେ ଜଣାଇବାକୁ ଭୁଲି ନ ଥିଲା!ହୁଏତ ସେଥିପାଇଁ ଅନେକ କିଛି ର ସମାଧାନ ଅତି ସହଜରେ ହୋଇଗଲା ଭଳି ଧରିତ୍ରୀ ହୃଦୟଙ୍ଗମ କରିପାରିଥିଲା।
ରଜତ ଯେତେବେଳେ ଧାରିଣୀ ପାଖରୁ ଠିକଣା ନେଇ ସୌମ୍ୟକାନ୍ତଙ୍କ ଘର ଲୋକଙ୍କ ସାଙ୍ଗରେ ଧାରିଣୀର ବିବାହ ବିଷୟରେ ଆଲୋଚନା କରି ସେମାନଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିଥିଲେ ସେତେବେଳେ ହୁଏତ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରି ସାରିଥିଲେ!ନିରାଡମ୍ବର ହେଉ ପଛକେ ତାଙ୍କ କୁନିର ଯେ ବାହାଘରଟା ହୋଇଯିବ ସତେ ଯେମିତି ଏତକ ତାଙ୍କୁ ବଞ୍ଚିବା ପାଇଁ ଅନେକ ଶକ୍ତି ଯୋଗାଇ ଦେଇଥିଲା!ନୈରାଶ୍ୟର ଲେପଟି ପିତାଟି ମନରୁ ଯେମିତି ଲିଭି ଲିଭି ଯାଉଥିଲା ଆଉ ପୌରୁଷର ଅଭିମାନଟି ମଧ୍ୟ ତା'ସାଙ୍ଗରେ ଫିକା ପଡିଯାଉଥିଲା!
ଚିରାଚରିତ ପ୍ରଥା ଅନୁଯାଇ ସୌମ୍ୟକାନ୍ତଙ୍କର ପରିବାର ପ୍ରଥମେ ଆସି ଧାରିଣୀର ପରିବାର ସାଙ୍ଗରେ ଆଲୋଚନା କରିଥିଲେ ।କରୋନାର କଟକଣାକୁ ଆଖିରେ ରଖି କେବଳ ନିଜ ଲଜଙ୍କୁ ନେଇ ମନ୍ଦିରରେ ବାହାଘରଟିଏ କରିବାକୁ ସେମାନଙ୍କର ନିଷ୍ପତ୍ତି, ଓ ପିଲାମାନେ ଗୁରୁଜନ ମାନଙ୍କର ଆଶୀର୍ବାଦ ନେଇ ,ନିଜ ଶକ୍ତି ଅନୁସାରେ ଗୋଟିଏ ଅନାଥ ଆଶ୍ରମ କୁ କିଛି ଦାନ କରିଦେବେ,କଥାଟି ସୌମ୍ୟକାନ୍ତଙ୍କ ପରିବାର ଜଣାଇଦେଇଥିଲେ।ସତେ ଯେମିତି ଧାରିଣୀର ବହୁ ଇପ୍ସିତ ଇଛାଟି ପୂରଣ ହେବାକୁ ବସିଥିଲା ଆଉ ରଜତଙ୍କର ସମ୍ପୂର୍ଣ୍ଣ ସହମତି ମଧ୍ୟ ମିଳିଯାଇଥିଲା!ହୁଏତ ସେତେବେଳକୁ ପରିସ୍ଥିତି ସହ ନିଜର ଚିନ୍ତା ଧାରାକୁ ମଧ୍ୟ ରଜତ ବଦଳାଇ ସାରିଥିଲେ ଯୋଉଥିପାଇଁ ଧରିତ୍ରୀ ସେଇ ନିଷ୍ପତ୍ତିରେ ରଜତଙ୍କ ମୁହଁରେ ଆତ୍ମସନ୍ତୋଷର ରେଖାଟିଏ ଟାଣି ହୋଇଯିବାର ଦେଖି ପାରିଥିଲା!ଭଗବାନଙ୍କ ପ୍ରତି ଶ୍ରଦ୍ଧାରେ ମୁଣ୍ଡ ତାର ନଇଁ ଯାଇଥିଲା..ପାରିପାର୍ଶ୍ବିକ ଅଣ ନିଶ୍ଵାସୀ ପରିସ୍ଥିତି ଯେମିତି ଖୁବ ସୁଖକର ଓ ସହଜ ଲାଗୁଥିଲା...।