puspanjali das

Inspirational

4  

puspanjali das

Inspirational

ଆତ୍ମବଳ

ଆତ୍ମବଳ

4 mins
256



      ଶୀତୁଆ ସଞ୍ଜଟାରେ ଚା'କପ୍ ଟିରେ ଓଠ ଲଗାଉ ଲଗାଉ ହଠାତ୍ ହାତ ର ଫାଟି ଯାଇଥିବା ଚୁଡ଼ି ପଟକ ଦେଖି, କଢି ଉଠିଯାଇଥିଲା ବଦଳାଇ ଦେବାକୁ ଅନ୍ୟ ରୁମକୁ, ଯୋଉଠି ତା'ର ଟ୍ରଲି ବ୍ୟାଗଟି ଅଧଖୋଲା ଅବସ୍ଥାରେ ପଡି ରହିଥିଲା। ଖରାବେଳଟାରେ ଭଉଣୀ ଘରେ,ଏତେ ବାଟରୁ ଆସିକି ପହଞ୍ଚି ବାର, ହାଲିଆ ଲାଗିବା କମିନଥିବାରୁ ବ୍ୟାଗର କୌଣସି ଜିନିଷ ଏପର୍ଯ୍ୟନ୍ତ ଖୋଲା ଖୋଲି କରି, ଠିକ ଜାଗାରେ ରଖିପାରିନଥିଲା । ଚୁଡ଼ି ଡବାଟିକୁ ଖୋଜୁ ଖୋଜୁ, ପଛପଟୁ ଭଉଣୀର କଥାରେ ଅନାଇଦେଇ ଦେଖିଲା ଯେ, ତା'ଚୁଡ଼ି ଓ କାନଫୁଲ ର ଡବା ଟିକୁ ସେ ଧରି , ତା'ହାତ କୁ ବଢ଼ାଇ ଦେଇ କହୁଛି- ଆଲୋ, ଏଡ଼େ ସୁନ୍ଦର ଚୁଡ଼ି ମୁଠାକ କୋଉଠୁ ପାଇଲୁ ? ଆରିସା ପିଠାର ଡବାଟା କାଢ଼ିଲା ବେଳେ, ବାହାରେ ରଖିଦେଇଥିଲୁ ବୋଧେ, ପଦ୍ମା ଘର ଓଳେଇଲା ବେଳେ, ମତେ ଡାକିକି ରଖିବାକୁ ଦେଇଥିଲା।ୟାକୁ ହିଁ ଖୋଜୁଥିଲୁ ଟି? ବଡ଼ ଭଉଣୀର ହାତ ରୁ ଡ଼ବାଟିକୁ ନେଉ ନେଉ, କଢିର ଭାବନାର ସୁଅ ମାଡି ଯାଇଥିଲା କେଇମାସ ତଳକୁ...।

      ସୁଦୂର ଦିଲ୍ଲୀ ସହରର ଚାକ ଚକ୍ୟ ଭରା ସନ୍ଧ୍ୟାରେ ଚୁଡ଼ି ମୁଠାକ କିଣିଥିଲା ସିନା, ଲଗେଇବାକୁ ଯେମିତି ସୁଯୋଗ ଟିଏ ପାଇନଥିଲା ! ସେଇ ସହରରେ ଯୋଡି ହୋଇଥିବା ସ୍ମୃତି ସବୁ ବ୍ୟତି ବ୍ୟସ୍ତ କରିପକାଉଥିଲା । ସବୁ ଗୁଡିକ ଯେମିତି ଚେଇଁ ଉଠୁଥିଲେ...ସବୁ ପ୍ରକାରର ଚିକିତ୍ସା ପରେ ମଧ୍ୟ ଓଡିଶାର ଡାକ୍ତର ମାନେ ଯେମିତି ହାରି ଯାଇଥିଲେ। ତା'ମିଷ୍ଟରଙ୍କର ନାଁ ରୋଗର ଚିକିତ୍ସା ହୋଇ ପାରିଥିଲା, ନାଁ ଭଲ ହେବାର କୌଣସି ଆଶ୍ୱାସନା ମିଳିପାରିଥିଲା, ଯୋଉଥି ପାଇଁ ବାଧ୍ୟହୋଇ ସୁଦୂର ଦିଲ୍ଲୀ ସ୍ଥିତ ଗଙ୍ଗରାମ ହସ୍ପିଟାଲରେ ସର୍ଜରି କରିବାର ନିଷ୍ପତ୍ତି ନେଇଥିଲା । ପାରିବାରିକ ସାମୟିକ ପରିସ୍ଥିତିରେ କୌଣସି ପୁରୁଷ ଲୋକଙ୍କର ସାହାଯ୍ୟ ଯେ ନେଇ ପାରିବ ନାହିଁ, ଏକଥା ଜାଣିମଧ୍ୟ ପଛେଇ ନ ଥିଲା କଢି । ଝିଅ ମାନଙ୍କ ର ସହଯୋଗ ଓ ସହମତି, ତା ମନବଳକୁ ବଢ଼ାଇ ଦେଇଥିଲା । ତଥାପି, ଅଜଣା ଭୟର ରଙ୍ଗଟା କିନ୍ତୁ ମନ ଭିତରେ ବୋଳି ହୋଇ ଯାଇଥିଲା ।

         ଅନେକ ବାଧାବିଘ୍ନକୁ ଭୃକ୍ଷେପ ନ କରି ଦୀର୍ଘ ଦଶବର୍ଷ କାଳ ରୋଗ ସାଙ୍ଗରେ ଲଢେଇ କରି କରି ଯେମିତି ପୋଖତ ଯୋଦ୍ଧାଟିଏ ପାଲଟି ଯାଇଥିଲା !ଓଡ଼ିଶାର ସବୁ ଭଲ ଡାକ୍ତରଙ୍କର ପରାମର୍ଶ ନେଇ ନେଇ, ତା'ସାଙ୍ଗରେ ଜ୍ୟୋତିଷ ଶାସ୍ତ୍ରର ସାହାଯ୍ୟ ନେଇ ସବୁ ପ୍ରକାର ପୂଜାପାଠ ର ସାହାରା ନେବାକୁ ମଧ୍ୟ ପଛେଇ ନ ଥିଲା । ଏତେ ପାଠ ପଢିଲେ ମଧ୍ୟ, ଭଗବାନଙ୍କ ଉପରେ ଥିବା ଅଗାଧ ବିଶ୍ୱାସ ରଖିଥିବା କଢି, ଅନେକ ପ୍ରକାର ପୂଜାପାଠ, ବିଧି ଅନୁଯାୟୀ କରି, ଯେମିତି ତା'ବିଶ୍ୱାସ ର ପରୀକ୍ଷା ଦେଉଥିଲା । ତା'ବିଶ୍ୱାସକୁ ବଡ ବଡ ଜ୍ୟୋତିଷଙ୍କ ଶାସ୍ତ୍ର ଅନୁଯାୟୀ ଗଣନା ମଧ୍ୟ ହଲାଇ ପାରିନଥିଲା । "ଶେଷରେ ଉପାୟ ଶୁନ୍ୟ ଜାଣି ମଧ୍ୟ, ଶେଷ ଚେଷ୍ଟା କରିବାକୁ ସୁଦୂର ଦିଲ୍ଲୀ ସହରକୁ ନିଜର କିଛି ସ୍କୁଲ ବନ୍ଧୁଙ୍କ ଭରସା ରେ ବାହାରି ପଡ଼ିଥିଲା। ଯଦିଓ ପ୍ରଥମ ଥର ପାଇଁ ସେ ନୂଆ ଜାଗାଟିକୁ ଯାଇଥିଲା, ହେଲେ ସେହି ପୁରୁଣା ବନ୍ଧୁ ମାନଙ୍କ ର ଅକୁଣ୍ଠ ସହଯୋଗ ପାଇ, ଡାକ୍ତର ଖାନାର ପାଖାପାଖି ଏକ ହୋଟେଲରେ ରୋଗୀଣା ସ୍ୱାମୀଙ୍କୁ ଧରି, ସର୍ଜରୀ କରିବାର ସବୁପ୍ରକାର ପୂର୍ବ ବ୍ୟବସ୍ଥା କରି ପାରିଥିଲା । ତା'ମନବଳକୁ ଦେଖି,ଦିଅର ତାର ସର୍ଜରି ର ଦିନଟିଏ ପୂର୍ବରୁ ଯିବାର ନିଷ୍ପତ୍ତି ନେଇଥିଲେ।ବିଳମ୍ବିତ ରାତ୍ରୀ ରେ ପହଞ୍ଚି ମଧ୍ୟ ଯାଇଥିଲେ, ହେଲେ ଭଗବାନଙ୍କର ପରୀକ୍ଷା ଯେମିତି ସରି ନ ଥିଲା !

         ରାତି ଅଧରେ ହଠାତ୍ ସବୁଠାରୁ ସାନ ଦିଅର, ଯିଏ ଗାଁ ରେ ରହୁଥିଲେ, ତାଙ୍କର ହାର୍ଟ ଆଟାକରେ ଚାଲିଯିବାର ଖବର ଟା ଯେମିତି ବହୁତ କିଛି ଓଲଟ ପାଲଟ କରିଦେଇଥିଲା ! ତିନି ଭାଇଙ୍କୁ ନେଇ ପରିବାର ଟି ଯଦିଓ ତିନି ଜାଗାରେ ରହି ଆସୁଥିଲେ,ତଥାପି ସମ୍ପର୍କ ର ଡୋର ଟା ଯେମିତି ଖୁବ ମଜଭୁତ ଥିଲା ଆଉ ସତେ ଯେମିତି ତିନୋଟି ଯାକ ପରିବାର ଭାଙ୍ଗିରୁଜି ଯାଇଥିଲା । ଜଣଙ୍କୁ ମରଣ ମୁହଁ ରୁ ବାହାର କରି ଆଣିବାର ପ୍ରୟାସ ଥିଲା ବେଳେ,ଆଉଜଣେ ଯେ ହଠାତ୍ ଏମିତି ଚାଲିଯିବ, ଏକଥା ହୁଏତ କେହି ସହଜ ରେ ଗ୍ରହଣ କରିପାରିନଥିଲେ। ନିଜ କର୍ତ୍ତବ୍ୟ ର ବୋଝ ବୋହି ମଝିଆ ଦିଅର ପରିସ୍ଥିତି ର ଦାସ ହୋଇ ଫେରି ଯାଇଥିଲେ ଗାଁ କୁ,ରହିଯାଇଥିଲେ ବଡ଼ ଭାଇ, ମୃତ୍ୟୁ ସହିତ ଲଢେଇ କରି କରି,ଆଉ କଢି ର ଭରସା ଭାଙ୍ଗି ଯାଇଥିଲା ସତ,ହେଲେ ମନବଳ ଟିକକ ଯେମିତି ତାକୁ ଆହୁରୀ ଶକ୍ତ କରିଦେଇଥିଲା । ଉପାୟଶୂନ୍ୟ ହୋଇ ମଧ୍ୟ ଭଗବାନଙ୍କ ଉପରୁ ଆସ୍ଥା ହରାଇ ନ ଥିଲା ।

      ଭରସା ର ବାଟ କାଢି ତିନି ଝିଅ ତାର ଆଗେଇ ଯାଇଥିଲେ, ସହଯୋଗ କରିବାକୁ ସୁଦୂର ଦିଲ୍ଲୀ ସହରକୁ।ଆଶା ଓ ନିରାଶା ର ଦୋ ଛକି ରେ ଛିଡା ହୋଇ , ଯନ୍ତ୍ରଚାଳିତ ପରି ସେ ସବୁ କରିଚାଲିଥିଲା । ସେଇ ଭଗବାନଙ୍କ କୃପାରୁ ସର୍ଜରୀ ଠିକ ଠାକ୍ ହୋଇଯାଇଥିଲେ ମଧ୍ୟ, ତା'ମିଷ୍ଟରଙ୍କର ସାନଭାଇ କୁ ହରାଇବାର ଧକ୍କାର ପ୍ରଭାବ କମି ପାରି ନ ଥିଲା !ଏତେ ଶକ୍ତିଶାଳୀ ଲୋକଟି ଯେମିତି ଭିତରେ ଭିତରେ ପୁରା ଶକ୍ତିହୀନ ହୋଇ ଭାଙ୍ଗି ପଡ଼ିଥିଲେ!ହେଲେ । କଢି କିନ୍ତୁ ହାରିଯାଇନଥିଲା । ସବୁପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ,ସବୁକିଛିକୁ ସହଜ କରିବାକୁ ପ୍ରାଣପଣେ ଲାଗିପଡିଥିଲା!ଆଉ ତା'ପରିଶ୍ରମ ର ଫଳ ସ୍ୱରୂପ ଠାକୁରେ ହୁଏତ ବଡ଼ ଝିଅ ଟିର ବାହାଘର ସେଇ କିଛିଦିନ ଭିତରେ ଭଲ ଜାଗା ରେ କରାଇବାର ବନ୍ଦୋବସ୍ତ କରାଇଦେଇଥିଲେ,ଯୋଉଥିରେ ତା'ମିଷ୍ଟର ଙ୍କର ଅନିଚ୍ଛାସତ୍ତ୍ବେ ଯୋଗଦାନ ତାଙ୍କୁ ଧୀରେ ଧୀରେ ବହୁ କଷ୍ଟ ରେ ସହଜ କରି ଦେଇଥିଲା!ଲ ।

      ହଠାତ୍ ଭଉଣୀର ହାତର ସ୍ପର୍ଶ ତା'କାନ୍ଧ ରେ ଅନୁଭବ କରି ଭାବନା ରାଜ୍ୟରୁ ଫେରି ଆସିଥିଲା । ଭଉଣୀର ସମ୍ବେଦନାପୂର୍ଣ୍ଣ କଥା ଗୁଡିକ ତାକୁ ଶକ୍ତି ଯୋଗାଇଲା ଭଳିଆ ଲାଗିଲା, ଯାହା ତା'କାନରେ ବାରମ୍ବାର ବାଜି ଯାଉଥିଲା-"ଆଉ ବ୍ୟସ୍ତ ହୁଅନି ,ଏତେ କଷ୍ଟ ଭଗବାନ ଦେଲେଣି,ସେ ସମୟ ସେଇ ହିଁ ବଦଳେଇଦେଲେ, ଦେଖିବୁ, ତୋ ପିଲେ,ସବୁ ଅସାଧ୍ୟ ପରିସ୍ଥିତି ରେ ବି ତୋରି ପାଖରେ ଠିଆ ହେବେ। ତୋ ମନବଳ ଭାଙ୍ଗିବାକୁ ଦେବେନି । ଆଜି ତୋ ଶାଶୁ ଥିଲେ ସବୁଠାରୁ ବେଶୀ ଖୁସି ହୋଇଥାନ୍ତେ!ତୋ ଧୈର୍ଯ୍ୟ, ସାହସ ସହିତ ତୋ ଝିଅ ମାନଙ୍କର ସାହସ ଓ ସହଯୋଗ ଦେଖି,ନାତି ଟିଏ ନ ହେବା ର କ୍ଷୋଭ ଆଉ ତାଙ୍କର ରହି ନ ଥାନ୍ତା । " 

  ଅନେକ ଦିନ ପରେ , ଭଉଣୀର ସେଇ କଥା କେଇପଦ ଶୁଣି, ଶାଶୁଙ୍କର ହସ ହସ ମୁହଁ ଟି ତା'ମନ ଭିତରେ ସତେ ଯେମିତି ଭାସି ଉଠିଥିଲା!ନାତି ଟିଏ ନ ଦେଖିବାର କଷ୍ଟର ସ୍ପର୍ଶ ଯେମିତି ସେ ମୁହଁ ଟିରେ ଟିକିଏ ବି ନ ଥିଲା...ଥିଲା କେବଳ ଆତ୍ମତୃପ୍ତି ର ଉଜ୍ଜ୍ୱଳତା...!


       


Rate this content
Log in

Similar oriya story from Inspirational