Panchanan Jena

Inspirational

4.1  

Panchanan Jena

Inspirational

ଆତ୍ମାଶୋଧନ

ଆତ୍ମାଶୋଧନ

9 mins
104


 ସକାଳୁ ସକାଳୁ ରୋଷେଇ ଘରୁ ଢ଼ଙ୍ଗ-ଢ଼ାଙ୍ଗ ଝଣ-ଝାଣ ଠନ୍‌-ଠାନ୍ ଶବ୍ଦର ବେସୁରିଆ ବିରକ୍ତିକର ଝଙ୍କାରରେ ବୋହୁ ପ୍ରୀତିପଦ୍ମା ( ପ୍ରୀତି )ର ସୁ- ନିଦ୍ରାରେ ବ୍ୟାଘାତ ହେଲା ନୁହଁ ସୁଖ ନିଦଟା ଭାଙ୍ଗି ଗଲା ପରା ।

କିନ୍ତୁ କାନ୍ଥ ଘଣ୍ଟାରେ ମାତ୍ର ଛ'ଟା ବାଜିଛି । ମେଘ ଢ଼ାଙ୍କୁଆ ମୌସୁମୀ ପାଗ । ଉଠିବାକୁ ଆଦୌ ମନ କହୁନି ପ୍ରୀତିର । ଆଖି ମଳୁ ମଳୁ ମନେ ମନେ ବିରକ୍ତି ଭରା କିଛି ଗୁଣୁ ଗୁଣେଇ ଭିଣି ଭିଣେଇ କହୁଥିଲେ ----

" ଜାଣି ପାରୁନି ସକାଳୁ ସକାଳୁ ଏତେ କାମ କୁଆଡ଼ୁ ଆସେ ରୋଷେଇ ଘରେ ? ରାତିରେ ଶୋଇବା ପୂର୍ବରୁ ସିଙ୍କରେ ପଡ଼ିଥିବା ଅଇଁଠା ବାସନ କୁସନ କାମ ତ ସାରି ଦେଇଥାନ୍ତି ତୁଳସୀ ମାଉସୀ । କୁଆଡେ ମହାଭାରତ ଅଶୁଦ୍ଧ ହୋଇ ଯିବ ? କୁଆଡେ ଲକ୍ଷ୍ମୀଦେବୀ ଛାଡ଼ି ପଳେଇବେ ? ଇତ୍ୟାଦି ଇତ୍ୟାଦି ----

ଯଦିଓ ବିଛଣାରୁ ଉଠିବାକୁ ଶେଯ ଛାଡ଼ିବାକୁ ମନରେ ବିନ୍ଦୁ ବିସର୍ଗର ବି ଲେଶ ନାହିଁ --- କିନ୍ତୁ ପ୍ରୀତିକୁ ଉଠିବାକୁ ପଡିବ ! କାରଣ ନୋହିଲେ ତୁଳସୀ ମାଉସୀ ଆସି ଡାକ ପକେଇବେ -- କୁହାଟ ଛାଡିବେ --- ରଡି କରି ଚିଲ୍ଲେଇବେ -- ଆଉ ଏତେ ଜୋରରେ ଗଳା ଫଟେଇ ଡାକିବେ ଯେ ସାହି- ପଡ଼ିଶା ପୂରା କଲୋନୀର ସମସ୍ତେ ଜାଣିଯିବେ ଯେ ଫୁଲେଇ ଅଳସୁଇ ପ୍ରୀତି ମ୍ୟାଡାମ୍ ଆଜି ବେଳ ଘଡିଏ ଯାଏଁ ଉଠିନି । ତେଣୁ ଘୋର ଅନିଚ୍ଛା ସତ୍ତ୍ଵେ ଦୁମ୍ ଦୁମ୍ ପାଦରେ ଉଠି ସିଧା ବାଥରୁମ୍କୁ ଗଲେ। କିନ୍ତୁ ନାକ ଅଗରେ ଚାରି ଶହ ଚାଳିଶି ଭୋଲ୍ଟର ରାଗଟା ପ୍ରବାହିତ ହେଉଥିଲା ପ୍ରୀତିର ।

ଧିରେ ଧିରେ ବହୁଥିଲା ଥଣ୍ଡା ପବନ । ଅଗଣାର କଦଳୀପତ୍ର ଦୋହଲୁ ଥିଲେ ଦୋଳି ଖେଳୁଥିଲେ । କଦଳୀ ବାହୁଙ୍ଗା ଉହାଡରୁ ସୂର୍ଯଦେବତା ଉଦୟ ମୁଦ୍ରାରେ ଆଗମନ କରୁଥିଲେ ।

କଥା କ'ଣ କି ? ପ୍ରୀତିପଦ୍ମା ଓ ରାଧାରମଣର ବାହାଘରକୁ ଦୁଇ ବର୍ଷ ହୋଇଗଲା । ପ୍ରୀତି ବର୍ତ୍ତମାନ ମା' ହେବାକୁ ଯାଉଛି । ସାତ ମାସର ପୁଆତି ସେ । ତେଣୁ ତା'ର ଏହି ସଙ୍କଟାପନ୍ନ ଅବସ୍ଥାରେ ଯତ୍ନ ନେବାକୁ ତୁଳସୀ ମାଉସୀ ସୁଦୂର ବାଲିଆପାଳରୁ ଆସିଛି ପୁତୁରା ରମଣର ପ୍ରବଳ ଅନୁରୋଧରେ ଏହି ଅନୁଗୋଳ ସରକାରୀ ପୋଲିସ୍ କ୍ଵାଟରକୁ ।

ପ୍ରୀତିର ନିଜ ମା' ତୁଳିକା ଦେବୀ ବଡ଼ ଭାଇ ପ୍ରୀତିରଞ୍ଜନ ସହିତ ଲଣ୍ଡନରେ ଦୀର୍ଘ ଏକ ବର୍ଷ ହେଲା। କାରଣ ସେପଟେ ମୀତାଲୀ ଭାଭଜ ବି ଆସନ୍ନ ପ୍ରସବା । ଆଉ ସେମିତି କେହି ନିଜର ଆପଣାର ନାହିଁ ଯେ ପ୍ରୀତିର ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଯତ୍ନ ନେବାକୁ ।

ରାଧାରମଣ ବାବୁଙ୍କ ମା' ଶ୍ରୀମତୀ ସସ୍ମିତା ଦେବୀଙ୍କ ସ୍ଵର୍ଗବାସ ତାଙ୍କର ଦଶବର୍ଷ ବେଳୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳୁ ହୋଇଯାଇଥିଲା । ପିତା ରାଧାନାଥ ନାୟକ ବାବୁ ଆଉ ଥରେ ବିବାହ କରିବାକୁ ରୋକଠୋକ ମନା କରିଦେବାରୁ ଏକୋଇର ବଳା ବିଶିକେଶନ ମା' ଛେଭଣ୍ଡ ରମଣଙ୍କୁ, ସସ୍ମିତା ଦେବୀଙ୍କ ନିଜ ଭଉଣୀ ତୁଳସୀ ମା'ଉସୀ , ସ୍ବ-ଇଚ୍ଛାରେ ଆଦରି ନେଇଥିଲେ ଲାଳନପାଳନ କରିବାକୁ ଯେମିତି କପିଳବାସ୍ତୁର ଯୁବରାଜ ସିଦ୍ଧାର୍ଥଙ୍କର ମାତା ମାୟାଦେବୀଙ୍କର ଆକାଳ ବିୟୋଗରେ ମାଉସୀ ଗୌତମୀ ନେଇଥିଲେ । 

ଯଦିଓ ତୁଳସୀ ମାଉସୀଙ୍କର ଦୁଇ ସନ୍ତାନ - ବାପି ( ପ୍ରଶାନ୍ତ ) ଓ କୁନି ( ପ୍ରଶାନ୍ତି ) ଥିଲେ , ତଥାପି ମାଉସୀଙ୍କର ଅକାପଟ ସ୍ନେହ ଓ ମଉସାଙ୍କର ହସ ହସ ପାନଖିଆ ମୁଁହର ବରାଭୟ ସହିତ ବାପି ଭାଇ ଓ କୁନି ଅପାର ସାଂଗ ମେଳରେ ଦଶ ବର୍ଷର ରମଣ କେତେବେଳେ ବଡ଼ ହୋଇଗଲେ, ଉତ୍କଳ ବିଶ୍ଵବିଦ୍ୟାଳୟ ,ବାଣୀବିହାରରେ ଇତିହାସ ବିଭାଗରେ ପାଠ ପଢିଲେ , ପୋଲିସ୍‌ ବିଭାଗରେ ସବ୍ ଇନସ୍ପେକଟର ଚାକିରି କଲେ ଅନୁଗୋଳରେ , ମନ ଲାଗି ଝିଅ ପ୍ରୀତି ସହିତ ବିବାହ କଲେ ବାପା- ମଉସା- ମାମୁଁଙ୍କ ଆଜ୍ଞାରେ ପସନ୍ଦରେ ମାନସିଂ ବଜାର, ବାଲେଶ୍ଵରରୁ--- ଜାଣି ପାରିଲେନି ।

ବେଶ୍ ଖୁସି କୌତୁକରେ ସଂସାର ଚାଲିଥିଲା କନଭେୟର ବେଲ୍ଟ ଉପରେ କୋଇଲା ଚାଲିବା ପରି । ହଠାତ୍‌ କାହାର ନଜର ଲାଗିଗଲା ପରି ଏହି ୬ ମାସ ହେଲା ବାପା ରାଧାନାଥ ବାବୁ ହୃଦଘାତରେ ଆରପାରିକୁ ଦୈଡ଼ି ପଳେଇଲେ ସମସ୍ତଙ୍କୁ ବାପଛେଉଣ୍ଡ କରି ।

ରମଣ ସାର୍ ଦବଙ୍ଗ ପୋଲିସ୍‌ ଅଫିସର ହେଲେବି , ଆଜିକାଲି ସବୁବେଳେ ଆସନ୍ନ ପ୍ରସବା ପ୍ରୀତି ପାଇଁ ବିବ୍ରତ ଚନ୍ତିତ । ତା'ଠାରୁ ବେଶୀ ଚିନ୍ତିତ ପେଟରେ ବଢୁଥିବା କୁନି ଭୃଣଟା ପାଇଁ ପିଲାଟା ପାଇଁ । ଏହି ଅବେଳରେ ତୁଳସୀ ମାଉସୀ ହିଁ ସାହା ଭରସା । ଅହର୍ନିଶ ଉପଦେଶ- ଆଦେଶର ତାର୍କିକ- ମାର୍ମିକ କଥା ଛଳରେ ସବୁ ଗୁରୁ -ଗହନ ତତ୍ତ୍ଵକୁ ବୁଝେଇ ଦିଅନ୍ତି । 

ମାଉସୀଙ୍କର ନିଜ ପୁଅ-ବୋହୁ ମାନେ ବାପି ଭାଇ ଓ ପ୍ରଣତୀ ଭାଉଜ ତାଙ୍କ ଚାକିରୀ ଯାଗା ଗୋଆରେ ଆଉ କୁନି ଅପା ଭିଣୋଇ କିଶୋର ସହିତ କଲିକତାରେ । ଗାଁ ରାଣୀଖୁଡ଼ୀରେ କେବଳ ମଉସା-ମାଉସୀ । ତେଣୁ ମନ ନ ଥିଲେ ବି ମଉସାଙ୍କୁ ଜେନ ତେନ ପ୍ରକାରେଣ ବୁଝେଇ ସୁଝେଇ ତୁଳସୀ ମାଉସୀ ପଳେଇ ଆସିଛନ୍ତି ରାଧାରମଣ-ପ୍ରୀତି ପାଖକୁ ଏଇ କିଛି ଦିନ ହେଲା ପୁଆତି ପ୍ରୀତିର ତଥା ତା' ପେଟରେ ଚନ୍ଦ୍ରକଳା ପରି ବଢୁଥିବା ଭୃଣର ଗୁରୁ ଦାୟିତ୍ଵ ମୁଣ୍ଡେଇବା ପାଇଁ । ବୁଝି ସାରିଥିବେ ଆପଣମାନେ ।

ବୋହୁ ପ୍ରୀତି ଆଜିକାଲି ଟିକେ ଦୁଃଛକିରେ ରହୁଛି । ମାଉସୀ ଆସିବା ଦିନରୁ ତା'ର ରୋଷେଇ ଘରକୁ ଯିବାକୁ ମନା । କାମ କରିବାକୁ ଧରିବାକୁ ଛୁଇଁବାକୁ ମନା ମନା ମନା ତ୍ରିବାର ମନା । ଘରର ସବୁ କାମ ଯାବତୀୟ କର୍ମଜଞ୍ଜାଳ ମାଉସୀଙ୍କର ଇଙ୍ଗିତରେ ନାଚୁଛି ସର୍କସର ରିଙ୍ଗ ମାଷ୍ଟର ଭଳିଆ । ପ୍ରୀତିକୁ ଲାଗୁଛି ନିଜ ସ୍ଵାଧୀନତାର ସ୍ୱଚ୍ଛନ୍ଦତାର ପକ୍ଷ ଛେଦନ ନିଜ ଘରେ । ମନରେ ଚିନ୍ତାରେ ରିସ୍ ରିସ୍ ରାଗର ଫେନୀଳ ଲହର ।

ରମଣ ବାବୁ ତ ମାଉସୀଙ୍କ କୋଡ଼ ଘସା କାହ୍ନା । ତୁଳସୀ ମାଉସୀଙ୍କ ଉପରେ କ'ଣ କାହ୍ନା ରମଣ ଅଂକୁଶ ଲଗେଇ ପାରିବେ ? ଅସମ୍ଭବ ---- --- ହାଏରେ ମୋ କର୍ମଫଟା କପାଳ !

ବେଶି ଚିଡ଼ଚିଡ଼ା ଲାଗୁଛି ଦୋପହର ବେଳେ ଯେତେବେଳେ ପ୍ରୀତି ଟିକେ ପରମ ଶାନ୍ତିରେ ଭାତନିଦରେ ଶୋଇପଡ଼ିଥିବ । ରୋଷେଇ ଘରୁ ଆସୁଥିବା ଦେଶୀ ଘିଅ -- ନଡିଆ ତେଲ ମାରା-- ଜଡ଼ାତେଲ ଅଣୁଆ-- ରାଶି ଲଡୁର ସୁବାସ -- ଚାଉଳ ଭଜାର ଛୁଙ୍କ ନାକ ପାଖକୁ ତ ଯାଏ ମାତ୍ର ସଂଜ ଆସୁ ଆସୁ ରୋଷେଇ ଘରେ ତା'ର କିଛି ସୁରାକ - ଗନ୍ଧ ପ୍ରୀତିକୁ ମିଳେନା - ଦିଶେନା । ଆଉ ସଂକୋଚବଶତଃ ମାଉସୀଙ୍କୁ ପଚାରିବାକୁ ପ୍ରୀତିର ଜିଭ ଆଉଡ଼େ ନାହିଁ ।

ମାଉସୀ ଦି ପହର ବେଳେ ଫେରିବାଲାକୁ ଡ଼ାକେ -- ଦର କଷାକଷି କରେ - କିଛି ଟୁଣ୍ -ଟାଣ୍ ଶବ୍ଦବି ଶୁଣେ । ମାତ୍ର ସେ ସବୁ ଦରଵ- ଜିନିଷ ଗୁଡା ମାଉସୀ କେଉଁଠି ରଖେ-- ନା ମାଉସୀ କେବେ କହିଲେ ନା ପ୍ରୀତି ସାହସ କରି ପଚାରି ପାରିଲା !

କିନ୍ତୁ ପ୍ରୀତି ବୁଝି ସାରିଥିଲା ଯେ କିଛି ନା କିଛି ଗଡ଼ବଡ଼ ହେଉଛି । ଘପଲା - ଘୋଟାଲା - ଝାମେଲା ଭିତରେ ଭିତରେ ଗୁମୁରି ଗୁମୁରି ହେଉଛି । ମନକୁ ଆସୁଥିଲା ନଇଁ ଯାଇଥିବା କମର, ଟାଣୁଆ ପାପୁଲି , ଲୋଚାକୋଚା ଚମ, ଆଣ୍ଠୁ ଗଣ୍ଠିରେ ବଥା , ଆଖିରେ ମୋତିଆବିନ୍ଦୁ , ଅସ୍ତ ବ୍ୟସ୍ତ ପାଦର ପାହୁଣ୍ଡ ଭିତରେ ମାଉସୀର ଚୁପ୍ ସଇତାନୀ ଗୁଣ ଭରି ରହିଛି । 

ଆଉ ଦିନେ ମାସିକା ଚିକିତ୍ସା- ଚେକ୍ ଅପ୍ ସାରି ଡାକ୍ତର ପାଖରୁ ଆସିବା ବେଳକୁ ମାଉସୀ ଶୀଘ୍ର ଶୀଘ୍ର କିଛି ଜିନିଷକୁ ଥଳିରେ ପୂରଉ ଥିଲେ । କିନ୍ତୁ ଗାଡିରୁ ଓହ୍ଲେଇ ଘରକୁ ଆସିଲା ବେଳକୁ ଚିହ୍ନ ବର୍ଣ୍ଣ ଉଭାନ୍ । କିଛି ବି ବିନ୍ଦୁ -ବିସର୍ଗ ନାହିଁ ।

ପ୍ରୀତିକୁ ବହୁତ ଜୋରରେ ରାଗ ବି ଲାଗୁଥିଲା । ଦାନ୍ତ କଟ କଟ କରି ମନେ ମନେ ପତିଦେବଙ୍କୁ ବହେ ବକୁଥିଲା । ନିଜ ସୁନା ତ ଭେଣ୍ଡି । ହୁଇସିଲ ମାରି କିଳାକୁ ଆଣିଛନ୍ତି ରମଣ ବୀରବର । ଅଖା ଧୋଉଥା ଗୁଣ ଗାଉଥା । ହେ ଭଗବାନ ! ହେ ଜଗତର ନାଥ ଜଗନ୍ନାଥ ! ମୁଁ କ'ଣ କରିବି ?

ଏହି ସବୁ ମାଉସୀ ଓ ମାଉସୀର କିମ୍ଭୂତ କିମ୍ଭାକାର କପୋଳ କଳ୍ପିତ ଚଟୁଳ ଚିତ୍ରିତ କଳା- କାରନାମା- ଲୋଚାଚୋରୀ- କଳାଯାଦୁ- ହରଣ ଚାଲ କଥା ଭାବି ଭାବି ନିଦ ବି ଭଲରେ ହେଉନି ପ୍ରୀତିକୁ । ଆଉ ଶରୀର ଉପରେ ପ୍ରଭାବ ଜଣା ପଡୁଛି । ମଥା ବେଳେ ବେଳେ ବୁଲେଇ ଦଉଛି । ଆଖି ତଳ କଳାଦାଗ ବେଶି ଫୁଟିଆର ଦିଶୁଛି ରାସ୍ତା ଉପରେ ମୋଟା କାଳିଆ ଧାର ଧାର ହଂପସ୍ ପରିକା ।

ଯେମିତି ହେଉ ମାଉସୀକୁ ତାଙ୍କ ଘରକୁ ରାଣୀଖୁଡିକୁ ପଠେଇବାକୁ ହେବ । ନୋହିଲେ ଘରେ ମାଉସୀ କଳାକନା ବୁଲେଇଦେବେ । ବାପରେ ବାପ୍ ! ଏତେ କୁଶଳୀ - ଚତୁରୀ- ଚାଲାକ୍ ମାଉସୀ । ଉଡନ୍ତା ଚଢ଼େଇର ପର ଗଣିଦେବେ । ମୋ ଭଳିଆ ପୋଷ୍ଟ ଗ୍ରାଜୁଏଟ୍ ବୋହୁକୁ ଟେର୍ ବି ହଉନି । କେତେବେଳେ ଲୋଚଉଛି, କେଉଁଠାରେ ପୂରଉଛି - କାଉ- କୋଇଲିକୁ ବି ଶୋର କି ଶବଦ ମିଳୁନି ! ସବୁ ପୁଲିସିଆ ସଞ୍ଚୟ ଚୁଲିକି ଯିବ କି ? ନା ରେ ବାବା ନା, ମୋର ଦରକାର ନାହିଁ ମାଉସୀ ସେବା ? ଘର ରହିଲେ ସିନା ଯାହା ହେବ !

ଏମିତି ମାଉସୀ ବିରୋଧୀ କଥା ଭାବୁଥିଲେ କି ଫୋନରେ ରିଙ୍ଗ ଆସିଲା । ମାଉସୀର ଝିଅ କୁନିଅପା କଲିକତାରୁ ଫୋନ ଲଗେଇଛି । ପ୍ରୀତି ନିଜେ କଲ୍ ରିସିଭ୍ କଲା । କୁନିଆପାର ଅନୁରୋଧ ଥିଲା କି କିଶୋର ବାବୁ ଦୁଇ ସପ୍ତାହ ପାଇଁ ସିଙ୍ଗାପୁର ଟୁର୍ ରେ ଯିବାର ଅଛି । ମୁଁ ଏତେ ବଡ଼ ମହାନଗରରେ ଏକା I ପୁଣି ସାନ ଝିଅ ମିତୁର ଦେହ ଭଲ ରହୁନି ଆଜି କାଲି । ଯଦି ଅସୁବିଧା ନ ହୁଅନ୍ତା , ମା' ଦଶ-ବାର ଦିନ ମୋ' ପାଖକୁ ଆସି ଯାଆନ୍ତା ----- ପୁଣି ଆମେ ମା'କୁ ତୁମ ଡେଲିଭାରୀ ସମୟରେ ଅନୁଗୋଳରେ ଛାଡ଼ି ଦିଅନ୍ତେ । 

ବାସ୍ ! ପ୍ରୀତି ତ ମୌକା ଖୋଜୁଥିଲା ଚୈକା ଲଗେଇବାକୁ । ଠାକୁରେ ଆପେ ଆପେ ଉପାୟ ହାଜର କରିଦେଲେ ହାତ ମୁଠାରେ । ତେଣୁ ପ୍ରୀତି ଏହି ମୌକାକୁ ଆହୁରି ବଢେଇ- ଚଢ଼େଇ, ଟାଣି-ଓଟାରି ଏମିତି ଫୁଲେଇ ଦେଲା ଯେ ଗୋଟିଏ ତୀରରେ ଦୁଇଟା ଶୀକାର । ବିଚାରୀ ଝିଅଟା ଏତେ ବଡ଼ ସହରରେ ଏକା ଏକା ଦି'ଟା ଛୋଟ ବାଳୁତ ଛୁଆଙ୍କୁ ନେଇ ରହିବ ବା କେମିତି ? ଆଜି କାଲି ଯେଉଁ କ୍ରାଇମ ସବୁ ମହାନଗର ଏପାର୍ଟମେଣ୍ଟରେ ହେଉଛି ନା , ରୋମ ଟାଙ୍କୁରି ଉଠିବ ? ଆମେ କ'ଣ ଦଶ- ବାର ଦିନ ଚଳେଇ ପାରିବାନି ? ତୁଳସୀ ମାଉସୀ ଆମ ପାଇଁ ଏତେ ବଡ଼ ତ୍ୟାଗ କଲେଣି , ଆମେ କ'ଣ ତାଙ୍କ ଅଳିଅଳି ଝିଅ ପାଇଁ ଆମର ଅତି ଆପଣାର କୁନିଅପା ପାଇଁ ଏତିକି ଟିକିଏ କରିପାରିବାନି ? ଲୋକେ କ'ଣ କହିବେ ? ମାନବିକତା ଦେଖେଇବାର ସମୟ ଆସିଛି ଜାଣ ! ଆମର ଚାକରାଣୀ ମଲ୍ଲୀ ତ ଆସୁଛି ।

ପରଦିନ ରମଣବାବୁ ତୁଳସୀ ମାଉସୀକୁ ନେଇ କାଳିଅାନନା ନାଇଟ ବସରେ କଲିକତାରେ କୁନି ଅପା ଘରେ ଛାଡ଼ିଆସିଲେ । ଯିବା ବେଳେ ମାଉସୀର ବ୍ୟସ୍ତତା- ବ୍ୟାକୁଳତା ଆଉ କାନ୍ଦ କାନ୍ଦ ମୁଁହ ନ-ଯିବାର ଝଲକ ବାରି ହୋଇ ପଡ଼ୁଥିଲା ।

ଠିକ୍ ସମୟରେ ଡାକ୍ତର ଦେଇଥିବା ତାରିଖ ଦିନ ପ୍ରୀତିର ଡେଲିଭାରୀ ହେଲା । ଗୋଟିଏ ଗୋଲ ମଟେ।ଲ ଗୁଲୁଗୁଲିଆ ଚାରି କେଜିଆ ପୁଅକୁ ଜନ୍ମ ଦେଲା ଅପର୍ଣ୍ଣା ନର୍ସିଙ୍ଗ ହୋମ, ଅନୁଗୋଳରେ । ନର୍ମାଲ ଡେଲିଭରି । ଚାରି-ପାଞ୍ଚ ଦିନ ପରେ ମା'-ପୁଅ ନର୍ସିଙ୍ଗ ହୋମରୁ ଡିସଚାର୍ଜ ହୋଇ ଘରକୁ ଆସିଗଲେ ଖୁସି ଖୁସି । ମଲ୍ଲୀ ଚାକରାଣୀର କାମ ଟିକେ ବଢିଗଲା । ତେଣୁ ତାକୁ କିଛିଦିନ ମାଉସୀ ରହୁଥିବା ରୁମରେ ରହିବାକୁ ପଡିବ ଜାଣି ରୁମକୁ ସଫା କରିବାକୁ ମଲ୍ଲୀକୁ ଇଶାରା ମିଳି ସାରିଥିଲା ।

ପ୍ରୀତି ପୁଅକୁ କ୍ଷୀର ପିଏଇ ଶୋଇବାକୁ ଯାଉଥିଲା କି ସ୍ୱାମୀ ରମଣ ବାବୁ ତାଙ୍କୁ ଏକ ଧଳା ଲଫାଫା ଦେଲେ ମାଉସୀ ଦେଇଥିବାର କହି । ଡାକ୍ତରଖାନାରୁ ଆସିଲେ ହିଁ ଦେବାକୁ ତାଗିଦ ଥିଲା ମାଉସୀଙ୍କର ବାରମ୍ଵାର | 

ପ୍ରୀତି ଲଫାଫା ଖୋଲିଲା ଓ ଚିଠି ପଢିଲା ବେପରୁଆ ଭାବରେ । ବଜ୍ଜାତ ବୁଢ଼ୀ କ'ଣ ବା ଲେଖିଥିବ !

ମୋର ପ୍ରୀୟ ଝିଅ ପ୍ରୀତି,

ଆଜି ତୁ ମା' ହେଲୁ , ସୁନାନାକୀ ବୋହୁରୁ ସ୍ନେହବୋଳା ମାମା ହେଲୁ , ଅନେକ ଧନ୍ୟବାଦ । ମୋର ନାତି ବା ନାତୁଣୀ ହୋଇଛି, ଯିଏ ବି ହେଉ , ତାକୁ ଅୟୁତ ନିୟୁତ ଶୁଭାଶିଷ ।

ଝିଅ ! ମୋତେ କ୍ଷମା କରିଦେବୁ । ମୁଁ ଠିକ୍ ସମୟରେ ତୁମ ସାଙ୍ଗରେ ରହିପାରିଲି ନାହିଁ । ମୋର ମନ ଥିଲା ପିଲାର ଏକୋଇଶା ପରେ ହିଁ ଯାଇଥାନ୍ତି । କିନ୍ତୁ କୁନି ପାଇଁ ଯିବାକୁ ପଡିଲା । ମନ ଦୁଃଖ କରିଥିବୁ ମୁଁ ଜାଣେ !

ତୋ ପାଇଁ କଳାତିଳ ମିଠେଇ -ଧଳା ରାଶି ମିଠେଇ

 ନଡ଼ିଆ ମିଠେଇ- ମୋଚର ମିଠେଇ- ଚିନି ମିଠେଇ - ବୁନ୍ଦି ଲଡୁ- ପାଳୁଅ ଲଡୁ- ଆରିଷା ପିଠା- ମୁଗି ଚାଉଳ ଭଜା- ମରା ନଡ଼ିଆ ତେଲ- ଜଡ଼ା ତେଲ- ମୁଢି ଛତୁଆ- ବୁଟ ଛତୁଆ- ମିଶା ଛତୁଆ ଇତ୍ୟାଦି ରଖିଦେଇଛି । ଡାକ୍ତର ଗରିଷ୍ଠ ଖାଇବାକୁ ମନା କରିଥିବେ । ସେଥିପାଇଁ ଗୋଟିଏ ବି ଛୁଇଁ ପାରିନି ଚାଖି ପାରିନି।

ମୁଁ ରହୁଥିବା ଘରେ ସବୁ ଦରକାରୀ ଜିନିଷ ମହଜୁଦ ଅଛି । ବୁଝିଲୁ ଝିଅ ! ଛୁଆ ଜନ୍ମ ହେଲାପରେ ଛୁଆ ପାଇଁ କିଣିବା ଅଶୁଭ ବୋଲି ମୁଁ ଆଗରୁ ପୁଅ ରମଣ ହାତରେ ସବୁ ମଗେଇ ଆଣିଛି । ତୁ ଜାଣିଲେ ଛୁଆ ଉପରେ କୁ-ଦୃଷ୍ଟି ପଡ଼ନ୍ତା ବୋଲି କହି ପାରିନି । ପୁଣି କ୍ଷମା କରିଦେବୁ ।

ଆସିବା ବେଳୁ ରାଣୀଖୁଡି ଘରୁ ତା' ଜେଜେ ବସୁଥିବା ଚୌକିରୁ କିଛି ହୁଗୁଳା କାଠ ନେଇ ଆସିଥିଲି । ଆଉ କିଛି ନୂଆ କାଠ ମିଶେଇ ବିଶୁ ବଢେଇ ଦ୍ଵାରା ନୂଆ ଛଣ ଦଉଡ଼ି ବଳେଇ- ଲଗେଇ ଛୁଆ ପାଇଁ ଦୋଳି କରି ଦେଇଛି । ସେଥିରେ ଛୁଆକୁ ଶୋଏଇବୁ ଓ ଝୁଲେଇବୁ । ତା' ଜେଜେ ବାପାର ଆଶିର୍ବାଦ ତାକୁ ବି ଆପେ ଆପେ ମିଳିଯିବ । ପୂର୍ବ ପୁରୁଷଙ୍କ ଅଭୟ ହସ୍ତର ବରାଭୟ ବି ବହୁତ ଜରୁରୀ ।

ଅନ୍ୟ ସବୁ ମୁଁ ପୁଅ ରମଣକୁ ବୁଝେଇ ଦେଇଛି ଗୋଟି ଗୋଟି ଟିକି ନିଖି। ନିଜର ଯତ୍ନ ନେବୁ । କାଳିଆ ଠାକୁର ତୋତେ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ । ସିଙ୍ଗାର ବୁଢୀ ମା' ଗ୍ରାମଦେବତୀ ତୋ ଦୁଃଖ-କଷ୍ଟ ହରଣ କରିବେ । ମୁଁ ଜଳ ଢାଳା ପୂଜା ସହିଛି । ଯିବାକୁ ହେବ । ତେଣୁ ଯାଉଛି ।

ଇତି ତୋ'ର ତୁଳସୀ ମାଉସୀ ।

ଚିଠି ପଢ଼ା ସରିଗଲା । କାମବାଲି ମଲ୍ଲୀ ସବୁ ଜିନିଷ ପତ୍ର ଧରି ଆଗରେ ଛିଡ଼ା । ଶ୍ରାବଣ ମାସରେ ବର୍ଷାର ସରଗମ୍ ବାହାରେ ଚାଲିଥିଲେ ବି ପ୍ରୀତି ଝାଳରେ ଉବୁଟୁବୁ ସରପଟିଆ ଭିଜି ସାରିଥିଲା ।

ହାଏ ରେ ହାଏ ! କେତେ ଛୋଟ ମନର ନାରୀ ମୁଁ l ଧିକ୍ ମୋ ପାଠ ପଢ଼ାକୁ - ଉଚ୍ଚଶିକ୍ଷାକୁ ! ଯେଉଁ ମାଉସୀ ମୋ' ପାଇଁ ମୋ' ସନ୍ତାନ ପାଇଁ ରାତି -ଦିନ ସକାଳ- ଦୋପହର ଏକେକାର କରିଦେଲା , ସେହି ମହିୟସୀ ଦେବୀ ତୁଲ୍ୟ। ତୁଳସୀ ମାଉସୀଙ୍କୁ ମୁଁ ଘରୁ ତଡ଼ିବା ପାଇଁ ହୀନ ଚକ୍ରାନ୍ତ କଲି --- ଧିକ୍--- ଘଉଡେଇବା ପାଇଁ ସର୍ବଦା ଚିନ୍ତାମଗ୍ନ ରହିଲି । ଶତ ଧିକ୍କାର ମୋ' କ୍ଷୁଦ୍ର ମନର କ୍ଷୁଦ୍ରତର ବିକାର ଆଉ କ୍ଷୁଦ୍ରା ପିକ୍ଷୁଦ୍ର ବିଚାର - ବ୍ୟବହାର ଓ ସର୍ବୋପରି ନାରୀସୁଲଭ ସଂସ୍କାର । ମୁଁ କ'ଣ ମା' ହେବାକୁ ଯୋଗ୍ୟା କି ?

ଆର୍ଯ୍ୟପୁତ୍ର ରମଣବାବୁ ଫୋନ ଧରି ଭିତରକୁ ହସି ହସି ପଶି ଆସୁଥିଲେ । ମାଉସୀଙ୍କର କଲ୍ କଲିକତାରୁ । ଔପଚାରିକତା ମୂଳକ କଥା ହେଲା । ପ୍ରଗଳଭା ପ୍ରୀତିର ମୁଁହରୁ ଭାଷା ବାହାରୁ ନ ଥିଲା ଯେମିତି ସାପ ମୁଁହରେ କି'ଏ ଗଦ ଶୁଙ୍ଘେର ଦେଇଛି ?

ଶେଷରେ ପ୍ରୀତି ସାହସ କରି ଏତିକି କହିଲା ---" ଆପଣ ଯଦି ନ ଆସିବେ ତୁମ ନାତିର ଏକୋଇଶା ବଂଦ --- ଗଣାପଢ଼ି ବଂଦ- ନାମକରଣ ବଂଦ -ଜାତକ କର୍ମ ସଂସ୍କାର ବନ୍ଦ - ଲୁଗାପଡ଼ା ବନ୍ଦ-- ମିଠାବଣ୍ଟା ବନ୍ଦ - ତୁଠପୂଜା ଵନ୍ଦ - ଘରପୂଜା ବନ୍ଦ- ଷଠିଦେବୀ ଶୋହଳ ପାଲା ବନ୍ଦ -- ମୋ ରାଣ ରହିଲା ।"

ମାଉସୀ ଫୋନରେ ଅନ୍ୟ ପଟରୁ ହସି ହସି କହୁଥିଲେ --- " ମୁଁ ତ ଯେମିତି ହେଲେ ନାତି ଟୋକାକୁ ଦେଖିବାକୁ ଆସନ୍ତି ଓ ତା' ବେକରେ କାଳିଆ ଅଣ୍ଟାସୂତାରେ ବନ୍ଧ। ସୁନା ପତାକି- ପାଦୁକା ପିନ୍ଧାନ୍ତି । ଏମିତି ରାଣ- ନିୟମ ପକେଇବାର ଆବଶ୍ୟକତା କ'ଣ ବା ?

ପ୍ରୀତି ପୁଅକୁ ଝୁଲେଇ ଦେବାକୁ ଯାଉ ଯାଉ ମନେ ମନେ ଭାବୁଥିଲା କି ମୁଁ ତ ଏକୋଇଶି ଦିନ ପରେ ଦେହ- ଶରୀର ନିୟମତଃ ଶୁଦ୍ଧ ହେବି କିନ୍ତୁ ଆଜି ମୋ' ମନର ମନମନ୍ଥନ - ହୃଦୟର ଶୋଧଶୋଧନ - ଅନ୍ତକରଣର ପରିସ୍କାର- ପରିଚ୍ଛନ୍ନ - ଆତ୍ମାର ଶୁଦ୍ଧିକରଣ ଆତ୍ମାଶୋଧନ ସାନିଟାଇଜେସନ୍ ହୋଇଗଲା ।

ଚାକରାଣୀ ମଲ୍ଲୀ ହାତରୁ ମାଉସୀର ବନେଇ ଥିବା କୁନି କୁନି ତକିଆ-କନ୍ଥା- ରେଜେଇ ନେଇ ପୁଅକୁ ଦୋଳିରେ ଘୋଡେଇ- ସଜାଡି ଦେଇ ଝୁଲେଇ ଦେଲେ ପ୍ରୀତିପଦ୍ମା ମ୍ୟାଡାମ୍ କିନ୍ତୁ ମୁଁହରୁ ମୁଖରାବିନ୍ଦରୁ ଗୁଣୁ ଗୁଣେଇ ଖୁସି ଖୁସି ଗାଉଥିଲେ --- ଶୋଇଯା ପୁଅ ...ରେ--- ଶୋଇଯା ଛୁଆ ...ରେ-- I ପରୀ ରାଇଜରୁ ଜହ୍ନ ଆସିବ -- ରଥରେ ବସେଇ ଉଡେଇ ନେବ -- ଅଝଟ ହେଲେ ସେ ନବନି ଜମା --- ଶୋଇଯା ପୁଅ--ରେ, ଶୋଇଯା ଛୁଆ---ରେ । 



Rate this content
Log in

Similar oriya story from Inspirational