ଆତ୍ମାର ବିଳାପ
ଆତ୍ମାର ବିଳାପ
ଦୀର୍ଘ ଆଠମାସର ଉତପ୍ତ ପରିବେଶ। ନଥିଲା ,ନଥିଲା, ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା। ଡ଼ହଡ଼ହ ତତଲା ଖରାରେ ଟକମକ ହୋଇ ଫୁଟୁଥିବା ଧରଣୀକୁ ଟିକେ ଶାନ୍ତିର ଶୀତଳ ପରଶ ଦେବାପାଇଁ ବିଜୁଳି ଘଡ଼ଘଡି ସହ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେଲା।
ଲଗାତର ପାଞ୍ଚଦିନ ହେବ ଚାଲିଛି, ବନ୍ଦ ହେବାର ନାଁ ଧରୁନି। ସମସ୍ତେ କୁହା କୁହି ହେଉଛନ୍ତି ଯେ, ଉଭାନ ମୌସୁମୀ ହଠାତ୍ ଉଗ୍ରରୂପ ଧାରଣ କରିଛି। ଚାରିଆଡେ ଅନ୍ଧାର, ସୁ ସୁ ପବନ ସାଙ୍ଗକୁ ପ୍ରବଳ ମେଘ। କିଛି ଦରକାର ନହେଲେ କେହି ପଦାକୁ ଗୋଡ଼ କାଢୁନାହାନ୍ତି।
ନରେଶ ବାବୁ ଓ ସରୋଜିନୀ ଦେବୀ। ଖୁବ ମେଳାପୀ, ଭଦ୍ର। ସମସ୍ତେ ଭାରି ଭଲପାଆନ୍ତି ଏ ଦୁଇଜଣଙ୍କୁ।
ଗୋଟିଏ ପୁଅ ତାଙ୍କର। ଆଜିକାଲି ବଜାରରେ ନିଜେ ଚଳି ପିଲାମାନଙ୍କୁ ବିଦେଶରେ ପାଠ ପଢାଇବା କେତେ ଯେ କଷ୍ଟ,ତାହା ମର୍ମେ ମର୍ମେ ଅନୁଭବ କରିଛନ୍ତି।
ହେଲେ ସବୁ ପରିଶ୍ରମ କଣ ତାଙ୍କର ବ୍ୟର୍ଥ ହୋଇଯାଇଛି; କେଜାଣି ସେମାନେ ଜାଣିଥିବେ।କିନ୍ତୁ ତିନି ଦିନ ହେଲାଣି, ସ୍ଵାମୀ,ସ୍ତ୍ରୀ ଦୁହେଁ ବିଛଣା ଧରିଛନ୍ତି। ଥଣ୍ଡା ଜ୍ୱରରେ ବୁଢା ବୁଢ଼ୀ ଦୁହେଁ କେତେ ଯେ କଷ୍ଟ ପାଉଛନ୍ତି। ହେଲେ ତାଙ୍କ ପାଖରେ କିଏ ଅଛି ଯେ,ସେବା ଶୁଶ୍ରୁଷା କରିବ ତାଙ୍କର।
ପୁଅ ପାଠପଢି ଆମେରିକାରେ ସ୍ତ୍ରୀ ପିଲାଙ୍କୁ ନେଇ ରହୁଛି। ମାସରେ ଥରେ ଅଧେ ଫୋନକରି ବାପାମାଆଙ୍କ ଭଲମନ୍ଦ ବୁଝେ ଆଉ କିଛି କିଛି ଟଙ୍କା ମଧ୍ୟ ପଠାଇ ଦିଏ। ଟଙ୍କା ତ ସେବା ଶୁଶ୍ରୁଷା କରିବନି।
ବୁଢ଼ୀ ବହୁତ ଅସୁସ୍ଥ, ବୁଢା ବୁଢୀର ସବୁକରେ। ହେଲେ ବର୍ତ୍ତମାନ ଦୁହେଁ ଯାକ କତରା ଲଗା। ଉଠିବାକୁ ତ ଯୁ ନାହିଁ। ଭାଗ୍ୟକୁ ଆଦରି ପ୍ରଭୁଙ୍କୁ ଭରସି ପଡିରହିଛନ୍ତି।
କାହିଁକି କେଜାଣି ସେ ବନାନୀ ତାଙ୍କ ଘରକୁ ଯାଇଥିଲା। ଏମାନଙ୍କ ଅବସ୍ଥା ଦେଖି ଭାରି କଷ୍ଟ ହେଲା ତାକୁ। ସରୋଜିନୀ ଦେବୀ ସ୍ଥାଣୁ ପ୍ରାୟ ପଡିରହିଛନ୍ତି ବିଛଣାରେ, ଖାଲି ପୁଅର ନାଁ ଧରି ବାଉଳି ଚାଉଳି ହେଉଥାନ୍ତି,ସୁରେଶ ବାବୁଙ୍କର ଅବସ୍ଥା ଟିକେ ଉନ୍ନତ,କଥା ହେଲେ, ସେବନାନୀ ତାଙ୍କ ଠାରୁ ଆମେରିକାରେ ରହୁଥିବା ପୁଅର ଫୋନ୍ ନମ୍ବର ଆଣିଲେ । ଛତାଟିଏ ଧରି ନିକଟସ୍ଥ ଡାକଘର ଅଭିମୁଖେ ଚାଲିଲେ।
ବର୍ଷାର ଛିଟାରେ ତଳଆଡୁ ଲୁଗା ହୋଇଯାଇଥାଏ। ବିବାହ କରିନାହିଁ ସତ,ହେଲେ ଛାତିରେ ମାତୃତ୍ୱର ଅଭିମାନ ଭରା କୋହ,ଆଖିରେ ଦୁଃଖର ଅମାନିଆ ଲୁହ ପୋଛି ପୋଛି, ଧାଇଁ ଧାଇଁ ଆସି ଡାକଘରେ ପହଞ୍ଚିଲା। ମନେ ମନେ ସ୍ଥିର କରିଛି ଫୋନ୍ କରି ଜଣେଇ ଦେବ ମାଆବାପାଙ୍କର ଅସହାୟତା, କରୁଣଭରା ବେଦନାକୁ। ଗାଳିଦେବ ବେଇମାନ ପୁଅର କୃତଘ୍ନତାକୁ। ସେଇଥିପାଇଁ ଆଗେ ବାପାମାଆ ମାନେ ପୁଅକୁ ବିଦେଶ ପଠାଇବାକୁ ଚାହୁଁ ନଥିଲେ।
ଦିନ ଆସି ତିନିଟା।ବର୍ଷାର ତାଡ଼ନାରେ ଡାକଘରେ ଡାକଘର ଫାଙ୍କା, କେହି ଜଣେ ହେଲେ କର୍ମଚାରୀ ମଧ୍ୟ ନାହାଁନ୍ତି, ଏକା ଡାକମାଷ୍ଟର।ତରତର ହୋଇ କହିଲା, ସାର୍ ,ଟିକେ ଫୋନ୍ କରିଥାନ୍ତି ସୁରେଶ ମଉସାଙ୍କ ପୁଅ ପାଖକୁ। ଶୀଘ୍ର ଶୀଘ୍ର ଫୋନ୍ କରି ଫେରିଯିବି ଆଜ୍ଞା। ଧୀରେ ଧୀରେ ବାହାରେ ବର୍ଷା ଉଗ୍ରରୂପ ଧାରଣ କଲାଣି। ତେଣୁ ମୁଁ ଶୀଘ୍ର ଫେରିଯିବି।
ତେଣେ ବିଚରା ମଉସା ମାଉସୀଙ୍କ ଅବସ୍ଥା ବହୁତ ଖରାପ। ଯେତେ ଶୀଘ୍ର ତାଙ୍କ ପୁଅକୁ ଏ କଥା ଜଣାଇ ତାଙ୍କ ପାଖକୁ ଫେରିଯିବି। ମୋତେ ଟିକେ ଏତିକି ସାହାଯ୍ୟ କରନ୍ତୁ ସାର୍।
ଡାକମାଷ୍ଟର କିନ୍ତୁ ଅଲଗା ଚିନ୍ତାରେ ମଗ୍ନ। ଏମିତି ଏକ ବର୍ଷା ଅନ୍ଧା ସମୟରେ ସୁନ୍ଦରୀ ଯୁବତୀ। ଅଣାୟତ ମନ। ଅନ୍ୟମନସ୍କ ସମୟରେ ସେବନାନୀ ଖୁବ୍ ବଡପାଟି କରି ଡାକିଲା-ସାର୍ ମୁଁ ଫୋନ୍ କରିଥାନ୍ତି। ତହୁଁ ଡାକମାଷ୍ଟର କହିଲେ, ଆରେ ବର୍ତ୍ତମାନ ତ ବିଜୁଳି ନାହିଁ, ଟିକିଏ ସମୟ ଅପେକ୍ଷା କର। ବହୁତ ଜଲଦି କିନ୍ତୁ ଲାଇନ ଆସିଲେ ତ ଫୋନ୍ କରିବ। ଅପେକ୍ଷା କର।
ଦୁଇତିନି ଥର କହିବା ପରେ ବାଧ୍ୟହୋଇ ସେବନାନୀ ପାଖ ଚେୟାର ଉପରେ ବସିଲା।କମୁକ,ଲମ୍ପଟ ଡାକମାଷ୍ଟରର ଲୋଲୁପ ଦୃଷ୍ଟି ନିବଦ୍ଧ ଥାଏ ସେବନାନୀ ଦେହ ଉପରେ।କଟକଟ କରି ସେବନାନୀର ସର୍ବାଙ୍ଗକୁ ଦେଖୁଥାଏ। ସେବନାନୀର ବର୍ଷା ଭିଜା ଉଛୁଳା ଯୌବନ ଡାକମାଷ୍ଟରକୁ ପାଗଳ କରିଦେଉଥାଏ।
ଦାନ୍ତ ନିକୁଟି ନିକୁଟି ସେବନାନୀକୁ ବାର ଆଡୁ ବାରକଥା ପଚାରି ଚାଲିଥାନ୍ତି ଡାକବାବୁ।
ଯେହେତୁ ଅସହାୟ ବାପାମାଆ ଦୁଇଜଣଙ୍କୁ ପୁଅର ଖବର ଜଣାଇବା ପାଇଁ ଭରସା ଦେଇ ଆସିଛି, ସେଥିପାଇଁ ଡାକମାଷ୍ଟରର ସବୁକଥାର ଉତ୍ତର ଦେଇ ଚାଲିଥାଏ ସେବନାନୀ।
ବାପାମାଆ ଛେଉଣ୍ଡ ସେବନାନୀ ପାଳିତ ପିତା ଓ ଭାଇ ମୁହଁରେ ଗଣ୍ଡେ ଦାନା ଦେବା ପାଇଁ ବଜ୍ରସପଥ ନେଇ ବିବାହ ଭଳି ପବିତ୍ର ବନ୍ଧନ ତଥା ନିଜ ସୁଖ ଖୁସିକୁ ଜଳାଞ୍ଜଳି ଦେଇଥିବା କଥାରେ ଅଭିନୟର ସମବେଦନା ଜଣାଇଥିଲେ ଡାକମାଷ୍ଟର।
ଦିନ ତିନିଟାରୁ ଆସି ସନ୍ଧ୍ୟା ୬ଟା ଉପରେ ହେଲାଣି। ଭାରି ବ୍ୟସ୍ତ ଲାଗୁଛି ସେବନାନୀକୁ ବୋଲି ଜଣାଇଲା ଡାକମାଷ୍ଟରଙ୍କୁ।
ଏମାନଙ୍କର ଏମିତି କଥାବାର୍ତ୍ତା ସମୟରେ ବିଜୁଳି ଆଲୋକ ଆସିଗଲା। ଫୋନନମ୍ବର କାଗଜ ଧରି ଫୋନ କରିବାକୁ ଉଠିଲା ସେବନାନୀ।
ମୁଁ ଫୋନ୍ କରି ଶୀଘ୍ର ଫେରିବି ସାର୍। ବୁଢାବୁଢୀ ଦୁଇଜଣ କେମିତି ଅବସ୍ଥାରେ ଥିବେ କେଜାଣି; ଫୋନନମ୍ବର ଡାଏଲ୍ କରି ଫୋନ୍ କରି କଥା ହେଲେ, ପୁଅର ମୁର୍ଖାମୀକୁ ସଫାସଫା ଗାଳିଗୁଲଜ କଲେ। ବାପାମାଆଙ୍କର ଅସହାୟତାକୁ ଦୁଃଖରେ ବର୍ଣ୍ଣନା କରି ଶୀଘ୍ର ଆସିବାକୁ କହୁଥାଏ ସେବନାନୀ। ପୁଣି ସେ ନିଆଁଲଗା ଲାଇନ୍ ଚାଲିଗଲା। ଆଉ ଏହି ସୁଯୋଗକୁ ଯେମିତି ଅପେକ୍ଷା କରି ବସିଥିଲେ ଡାକମାଷ୍ଟର। ଏହି ସୁଯୋଗରେ ସେ ..........।
ପାରିଲାନି ବିଚାରୀ।
ଆଜିର ଏ ଆଛେଦିନର ସମୟରେ ଜୀଅନ୍ତା ହୃଦୟହୀନ ଦୁଇଗୋଡିଆ ପଶୁଙ୍କ କବଳରୁ ନିଜ ନାରୀତ୍ୱକୁ ସୁରକ୍ଷିତ କରି ରଖି ପାରିଲାନାହିଁ।
ନିଜକୁ ବହୁତ ଧିକ୍କାର କଲା।
ମେଘ ପବନ ଅନ୍ଧାର ଭିତରେ ସବୁକିଛି ଭୁଲିଯାଇ, ନିଜକୁ ନିଃଶେଷ କରିବାକୁ ଆଗକୁ ଆଗକୁ ଧାଇଁଲା। ଧାଇଁ ଧାଇଁ ରେଳଲାଇନ ପାଖରେ ପହଞ୍ଚିଗଲ।।
କ୍ଷୀପ୍ର ଗତିରେ ମାଡିଆସୁଛି ଦୃତଗାମୀ ରେଳଯାନଟା। ଖପ୍ କରି ଡେଇଁ ପଡିଲା। କିନ୍ତୁ ଏ କଣ। କେହି ଜଣେ ବ୍ୟକ୍ତି ତାକୁ ଟାଣି ଟାଣି ନେଇଆସିଲେ।
ପାଗଳିଟାଏ ନା କଣ?
କାହିଁକି ଜୀବନ ହାରିବାକୁ ସେଠିକୁ ଧାଉଁଥିଲ?
ଜୀବନ ଗଢିବା, ଜୀବନକୁ ଜୀଇଁବାର ତାକତ ନାହିଁ।
ନଷ୍ଟକରିବାର ଅଧିକାର ଦେଲା କିଏ?
ଜୀବନ ହାରିବାର ପଣ ନେଇ ଆସିଥିବା ନାରୀ ଜଣକ ଟଣାଘୋଷରା କରୁଥାଏ।
ଛାଡ଼ ମୋତେ, ମୁଁ ଏ ନିର୍ଲଜ ଜୀବନକୁ ରଖିବାକୁ ଚାହେଁ ନାହିଁ। ଛାଡ,
ଛାଡ ମୋତେ ,
ଛାଡ,
ଢୋ କିନା ଗୋଟେ ଶକ୍ତ ଚଟକଣୀ ବସିଲା ସେବନାନୀ ଗାଲରେ।
ଚୁପଚାପ ମୋ ସହ ଚାଲ। କିଛି କହିପାରିବ ନାହିଁ।
ଏକଦମ ଚୁପ୍।
ତାକୁ ଯିଏ ଆଣିଥିଲେ ସେ ହେଲେ ମହେଶ ବାବୁ। ଜଣେ ସ୍ଵେଚ୍ଛାସେବୀ। ସମାଜର କଲ୍ୟାଣ ନିମନ୍ତେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଦେଇଛନ୍ତି। ସେବନାନୀକୁ ଗାଡିରେ ବସାଇ ନେଇଗଲେ ତାଙ୍କ ଘରକୁ। କିଛି ଖାଦ୍ୟ ଖାଇବାକୁ ଦେଲେ। ଖାଇ ସାରିବା ପରେ ଜୀବନ ହାରିବାର କାରଣ ପଚାରି ବସିଲେ। ହେଲେ ପଚାରି ପଚାରି ଥକିଗଲେ ସିନା ତା ପରିଚୟ ତଥା କୌଣସି କଥା ସେବନାନୀ କହିଲା ନାହିଁ। ମହେଶ ବାବୁ ବି ଅଧିକ କିଛି ଜାଣିବାକୁ ଚାହିଁଲେ ନାହିଁ। ମହେଶ ବାବୁଙ୍କ ପାଖରେ ରହିଲା। କିନ୍ତୁ ମହେଶ ବାବୁ ସେବନାନୀର ପାରିବା ପଣିଆ ଓ ଶିକ୍ଷାଗତ ଯୋଗ୍ୟତା ଜାଣି ଗୋଟିଏ ସ୍କୁଲରେ ରଖାଇଦେଲେ।
ଏମିତି ଏମିତି କିଛିଦିନ ଚାଲିଗଲା ସେବନାନୀ ଅନେକ ଚିନ୍ତାକରି, ମହେଶ ବାବୁଙ୍କ ସହ ପରାମର୍ଶ କରି ତାଙ୍କ ସହଯୋଗରେ ଏକ "ନାରୀ ସୁରକ୍ଷା ସଂଘ"ଗଢିଲେ।ସଂଘର ଆଭିମୁଖ୍ୟ ,ନାରୀ ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଓ ସୁରକ୍ଷା ପାଇଁ ଟ୍ରେନିଂର ବ୍ୟବସ୍ଥା।
ଆଖପାଖର ସବୁ ଝିଅ ବୋହୁ ମାନଙ୍କର ଅତି ପରିଚିତ ହୋଇଗଲେ ସେବନାନୀ ଓରଫ ସେବତୀଲତା ।
ଏକଥା କିନ୍ତୁ ଗ୍ରାମର ମୁଖିଆ ତଥା ତାଙ୍କ ଚାମଚା ମାନଙ୍କୁ ଭଲ ଲାଗୁନଥାଏ। ସେମାନଙ୍କ କାମରେ ଘାଟା ସୃଷ୍ଟି କରୁଛି ବୋଲି ସେମାନେ ଭାବିଲେ। ତେଣୁ ରାସ୍ତାରୁ ହଟାଇବାର ଯୋଜନା ଚାଲିଲା ସେମାନଙ୍କର।
ସଂଘ ଖୁବ ଆଗକୁ ମାଡି ଚାଲିଲା। ଇତିମଧ୍ୟରେ ବାର୍ଷିକ ଉତ୍ସବ ପାଳନର ସମୟ ଆସିଲା।ସେଦିନ ଥାଏ ସଂଘର ବାର୍ଷିକ ଉତ୍ସବ। ବଡ ଧୁମଧାମରେ ଉତ୍ସବ ଚାଲିଥାଏ। ଆଦ୍ୟ ଆଷାଢ଼ରେ ,ସ୍ଥାନୀୟ ଜନସାଧାରଣ, ନେତା ମନ୍ତ୍ରୀଙ୍କ ସହଯୋଗରେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ସମସ୍ତେ ବେଶ୍ ମନଭରି ଉପଭୋଗ କରୁଥାନ୍ତି। କେଉଁଠି ଥିଲା କେଜାଣି ଆକାଶରେ ଘୋଟିଆସିଲା କଳାବାଦଲ। ବିଜୁଳି ଘଡ଼ଘଡି ସାଙ୍ଗକୁ ମେଘ ଆରମ୍ଭ ହୋଇଗଲା।
ଚାରିଆଡେ ଅନ୍ଧାର।ସମସ୍ତ ଘରକୁ ଯିବାକୁ ବ୍ୟସ୍ତ। ନା କେହି ଖିଆପିଆ କରିଛନ୍ତି ?ଅନ୍ଧାରରେ ମୁହଁକୁ ମୁହଁ ଦିଶୁ ନଥାଏ।ତଥାପି ଘରକୁ ଯିବାର ପ୍ରୟାସ ଜାରି ରଖିଥାନ୍ତି ଉପସ୍ଥିତ ଜନସାଧାରଣ। ଏମିତି ଅନ୍ଧାର ଭିତରେ ସେବନାନୀ ଅନୁଭବ କଲା ତା ପାଟିରେ ଲୁଗାବିଣ୍ଡା ଦେଇ କେହି ଜଣେ ଟେକି ଟେକି ନେଇଯାଉଛି। କାହାକୁ ଡାକି ପାରୁନି କି ପାଟିକରିପାରୁ ନାହିଁ। ତା ପରେ....
ଉପସ୍ଥିତ ସଂଘର କର୍ମକର୍ତ୍ତା ମାନେ ମଧ୍ୟ ସେବନାନୀକୁ ଡକାପକେଇଲେଣି। ହେଲେ ସେବନାନୀ ଗଲା କୁଆଡ଼େ। ଖୋଜାଖୋଜି ଆରମ୍ଭ ହୋଇଗଲା। ଘରେ ନାହିଁ, ସଂଘରେ ନାହିଁ। ଆଖପାଖ ଅଞ୍ଚଳରେ ମଧ୍ୟ ଖୋଜାଖୋଜି ଆରମ୍ଭ ହୋଇଗଲା।
ମହେଶ ବାବୁ ବଡ଼ ଚିନ୍ତାରେ ପଡିଗଲେ। ଅନ୍ଧାର ଭିତରେ ଆଉ କଣ ଉଭେଇ ଗଲା।
ଏମିତି ଚିନ୍ତା ଭିତରେ ଚାରିଆଡେ ଖୋଜାଖୋଜି ଚାଲିଲା। ସଂଘଠାରୁ ଅନେକ ଦୂରରେ ଥିବା ଜଙ୍ଗଲରେ ଅଚେତ ଅବସ୍ଥାରେ ଉଦ୍ଧାର କରାଗଲା। ଦେହରେ କୌଣସି ଲୁଗା ନ ଥିଲା। ଅତି ଅମାନୁଷିକ ଭାବେ....
ତତ୍ କ୍ଷଣାତ୍ ମହେଶ ବାବୁ ନିଜ ଗାଡିରେ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଆସିଲେ।
ଚିକିତ୍ସା ଆରମ୍ଭ ହୋଇଗଲା,ସାଲାଇନ୍,ଅକ୍ସିଜେନ୍,ଇତ୍ୟାଦିର ଚିକିତ୍ସା ଚାଲିଲା। ଦୁଇତିନି ଦିନ ପରେ ସେବନାନୀ କିଛିଟା ସୁସ୍ଥ ଅନୁଭବ କଲା। ଡାକ୍ତର ଘରକୁ ନେଇଯିବାକୁ ଅନୁମତି ଦେଲେ। ମହେଶ ବାବୁ ଗାଡି ଆଣି ପହଞ୍ଚି ଗଲେ ଓ ସେବନାନୀକୁ ଘରକୁ ନେଇ ଆସିବାକୁ ବାହାରିଲେ।
ମହେଶ ବାବୁ ଜଣେ ସୁପରିଚିତ ଜନସେବକ,ଆଉ ସେବନାନୀର ବି ଖୁବ୍ ନା ଡାକ ଏ କ୍ଷେତ୍ରରେ। ତେଣୁ ଏଭଳି ପରିଚିତ ତଥା ଉପକାରୀ ଲୋକଙ୍କ ଅବସ୍ଥା ଏଭଳି । ତେବେ ସାଧାରଣ ଜନତାଙ୍କ ଅବସ୍ଥା କେମିତି ନ ହେବ। ଦୁଇଦିନ ହେଲା ବିଧାନମଭା ଉଠୁଛି ପଡୁଛି। ତେଣୁ ଏହାର ସତ୍ୟତା ଜାଣିବାକୁ ସମସ୍ତେ ବ୍ୟଗ୍ର। ଉଚିତ ନ୍ୟାୟ ମିଳିବା ଦାବିରେ ରାସ୍ତାରୋକ ଠାରୁ ଆରମ୍ଭ କରି ଆନ୍ଦୋଳନ ,ଧର୍ମଘଟ ଚାଲିଛି।
କିନ୍ତୁ କିଛି ଗଣମାଧ୍ୟମର ପ୍ରତିନିଧିମାନେ ଆସି ପହଞ୍ଚି ଗଲେ,ଆଉ ସେବନାନୀକୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥାନ୍ତି।
ପ୍ରଶ୍ନ ସବୁ ଶୁଣି ଶୁଣି ବିରକ୍ତ ହୋଇଗଲାଣି ସେବନାନୀ।
କିଛି ସିନା କହୁ ନଥାଏ,ହେଲେ ହରାଇଥିବା ସାଇତା ଧନକଥା ଚିନ୍ତା କରି ଆଖିରୁ ଅମାନିଆ ଲୁହର ବନ୍ୟା ହେଉଥାଏ।
ଆଉ ସମ୍ଭାଳି ପାରିଲାନାହିଁ ନିଜକୁ।ଆଉ କହିଲା ଭାଇମାନେ, ଆପଣମାନେ ତ ଅନେକ ପ୍ରଶ୍ନ ପଚାରିଲେ।ମୁଁ ଏବେ ସେସବୁର ଉତ୍ତର ଦେଉଛି ଶୁଣ।
ଭାଇମାନେ ,ଆଜି ମୋର ଯାହା କିଛି ହୋଇଛି ସେସବୁ ଏଇ ବର୍ଷା ଯୋଗୁଁ। ଏହି ବର୍ଷା ଆଜି ମୋ ଠାରୁ ମୋର ସବୁ ସଞ୍ଚିତ ଧନକୁ ଅପହରଣ କରି ନେଇଛି।
କାରଣ ଏବେ ଭାରତର ପୁରେ ପୁରେ,ଘରେ ଘରେ ଆଛେଦିନର ଆବିର୍ଭାବ ହୋଇଛି।
---ଏଇ ଆଛେଦିନ ପାଇଁ ଝିଅ ବୋହୁ ମାନେ ନିଜକୁ ଅସୁରକ୍ଷିତମନେ କରୁଛନ୍ତି।
---ଏହି ଆଛେଦିନ ପାଇଁ ରୋଗୀଟିଏ ଆଜି ଉପଯୁକ୍ତ ଚିକିତ୍ସା ଅଭାବରୁ ମରିଯାଉଛି।
---ଶହଶହ ଲୋକ ଚାଷବାସ ଛାଡି ବାତରା ହୋଇ ଖଟି କରୁଛନ୍ତି।
---ଦିନ ଦ୍ଵିପହରେ ଚୋରି ଡ଼କାୟତି,ଗୁଣ୍ଡାଗିରି ଭଳି ଅନୈତିକ କାମ ହେଉଛି।
---ଗଣଦୁଷ୍କର୍ମ ଭଳି କୁକର୍ମରେ ଶହଶହ ନିରୀହ କଳିକା ବଳି ପଡୁଛନ୍ତି।
---ଆଗାମୀ ପିଢ଼ି ଅପସଂସ୍କୃତିର ଶିକାର ହେଉଛନ୍ତି।
---ବାପାମାଆ ମାନେ ପରିଣତ ବୟସରେ ଅସହାୟ ହୋଇପଡୁଛନ୍ତି।
ଗୁରୁଗୁରୁଜନ,ଧର୍ମ କର୍ମ ସମସ୍ତଙ୍କ ପାଖରୁ ଲୋପ ହୋଇଯାଉଛି।
---ଏଇ ଆଛେଦିନ ପାଇଁ ଆଜି ମୁଁ ବାପା ମାଆ ଛେଉଣ୍ଡ ହୋଇ ଯାଇଛି।
ପାଳିତ ବାପା ଭାଇ ଙ୍କ ମୁହଁରେ ସୁଖ ଟିକେ ଦେବା ପାଇଁ ଆଜି ଥକିପଡିଛି।
ନା ଭାଇଙ୍କୁ କିଡନୀ ଜନିତ ରୋଗରୁ ଭଲ କରିପାରୁଛି।
ନା ବାପାଙ୍କ ବ୍ରେନ୍ ଟ୍ୟୁମରର ଅପରେସନ କରିପାରୁଛି।
ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଯାଇ, ସ୍ନେହ ମମତାକୁ ବନ୍ଧା ପକାଇ ସଂଗ୍ରାମ କରୁଛି ତ ପୁଣି କେତେ ହିଂସ୍ରଜନ୍ତୁଙ୍କର ଗଣଦୁଷ୍କର୍ମର ଶିକାର ହେଉଛି, ତଥାପି ପାରୁନାହିଁ।
---ଦେଖ ଭାଇମାନେ, ଆଖି ପୁରେଇ ଦେଖ, ଆଉ କାନ ଖୋଲି ଶୁଣ,
---ଏଇ ଆଛେଦିନ ପାଇଁ କେମିତି ,ରାତି ପାହିଲାରୁ ରାତି ହେଲାଯାଏ ଶହଶହ ଭୃଣ ରାଜରାସ୍ତା, ନାଳନର୍ଦ୍ଦମାରେ ଲୋପ ପାଇଯାଉଛନ୍ତି।
---ଆଜି, ଆଜି ମୁଁ ମଧ୍ୟ ଏଇ ଆଛେଦିନର କବଳରେ ପଡି କେମିତି ଛଟପଟ ହେଉଛି, ମୋ ଆତ୍ମାର ବିଳାପ ମୋ ପାଖରେ ହିଁ ଲୀନ ହୋଇଯାଉଛି।ଆଉ ମୋ ବାପା ମାଆର ପରିଚୟ ହଜିଯାଉଛି...।
--ଆଛେଦିନର ଶବ୍ଦ ଭିତରେ କାହା କଣ୍ଠରୁ ଶୁଭୁନି -
ବୈକୁଣ୍ଠ ସମାନ ଆହା ଅଟେ
ସେହି ଘର,....
ଶୁଭୁନାହିଁ ଭାଗବତ ଟୁଙ୍ଗିରୁ--
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ....
ଆତ୍ମାର ବିଳାପରେ ଚାରିଆଡେ ହାହାକାର ମୟ।.........